ଭିକାରି
ଭିକାରି
ସମସ୍ତ ଙ୍କ ହାତକୁ ଦଶ ଟଙ୍କା ଲେଖା ବଢ଼େଇ ଦେଲା ବେଳେ । ହଠାତ୍ ସେ ବୁଢା ଭିକାରି ପାଖରେ ମୁଁ ଅଟକି ଗଲି । କାହିଁକି କେଜାଣି ତା ଅବସ୍ଥା ଦେଖି ତା ଉପରେ ମୋର ଦୟା ଆସୁଥିଲା । ପଚାରିଲି -" ମଉଷା ତମ ଘରେ ଆଉ କିଏ ସବୁ ଅଛନ୍ତି ? "
ସେ କହିଲା -" ଥିଲେ ଯାହା ନଥିଲେ ସେୟା "
-" ମାନେ , କଣ ହେଇଛି ?"
-" ପୁଅ ବୋହୁ କୁ ମୋ ଚେହେରା ପସନ୍ଦ ଆସୁନି , ମୁଁ ରାତି ଅଧିଆ ବିଛଣା ପତ୍ର ଅସନା କଲେ ତାଙ୍କର ବାନ୍ତି ହେଇ ଯାଉଛି , ନିଜ ହାତରେ ଖାଇବାକୁ ଦେବାକୁ ବି ତାଙ୍କୁ ଘୃଣା ଲାଗୁଛି । ମୋ ଠାରୁ ବହୁତ ଭଲରେ ସେ ଘର କୁକୁର ଖୁସି ରେ ଅଛି । ମୁଁ ସେଥିପାଇଁ ଭାବିଲି କାଇଁ ଅଯଥା ସେମାନଙ୍କ ପାଇଁ ବୋଝ ହେବି ? ସେଥିପାଇଁ ଏଠି ସେଠି ବସି ଭିକ ମାଗି ଚଳୁଛି । ଯେତିକି ମିଳୁଛି ସେତିକି ରେ ଖାଇ ପିଇ ଦୁଃଖେ ସୁଖେ ପଡ଼ି ରହିଛି ।"
ମୋତେ କେମିତି ଗୋଟେ ଅଶାନ୍ତି ଲାଗିଲା , ଯେହେତୁ ମୁଁ ଏତେଦିନ ହେବ ଗୋଟେ ବଡ ଏନ୍. ଜି . ଓ ରେ କାମ କରେ ତେଣୁ ବହୁତ ପ୍ରଭାବ ଶାଳୀ ଲୋକ ମାନେ ମୋର ପରିଚିତ ହୋଇ ସାରିଥିଲେ ତେଣୁ ବୁଢାକୁ ନ୍ୟାୟ ଦେବାକୁ ସ୍ଥିର କଲି । ବୁଢ଼ା ନାଇଁ ନାଇଁ କରୁଥିଲା ତଥାପି ବୁଢ଼ା କୁ ବାଧ୍ୟ କରି ସାଙ୍ଗରେ ଧରି ମୁଁ ତାଙ୍କ ଗାଁ କୁ ନେଇକି ଗଲି ।
କିନ୍ତୁ ଗାଁ ରେ ପହଞ୍ଚିବା ପରେ ବୁଢ଼ା ର ଅସଲ ମୁଖା ଖୋଲିଗଲା ।
ଗାଁ ଲୋକ ମାନେ କହୁଥିଲେ -" ଏ ବୁଢ଼ା କଥାରେ ଆପଣ ବି ଭଳି
ଗଲେ ବାବୁ ? ଶଳା ଲକ୍ଷ ଲକ୍ଷ ଟଙ୍କା ବ୍ୟାଙ୍କ୍ ବାଲାନ୍ସ ୟାର । ସବୁ ଭିକ ମାଗି କମେଇଛି । ପୁଅ ବଡ ତେଜରାତି ଦୋକାନ ଟେ ଦେଇଛି ସହରରେ। ଚାରି ମହଲା କୋଠା ବାପ ପୁଅ ମିଶି ବନେଇ ଛନ୍ତି । ଏଇ ଆର ମାସ ଝିଅ ବାହାଘର କରିଥିଲା ହୋଟେଲ ଶ୍ରୀପତି ରେ ବଡ଼ ଧୁମ୍ ଧାମରେ । ଯେତେ ଯିଏ ବୁଝାଇଲେ ବୁଝୁନି ସେଇ ଭିକ ମଗା ପ୍ରକୃତି ଛାଡୁନି । କହିଲେ କହୁଛି " ତମର କଣ ଯାଉଛି ମୁଁ ଯାହା କଲେ ?
'ତମେ ମାନେ କଣ ମୋତେ ପୋଷୁଛ ? ପକ୍କା ନିଲଠା ଟାଏ ଏ , ୟା ଚକ୍କର୍ ରେ ପଡନ୍ତୁନି ବାବୁ ।"
ମୁଁ ବୁଢ଼ା ଟିକୁ ନିରୋଳା ଯାଗାକୁ ନେଇ ବୁଝାଇଲି ଶେଷରେ ବୁଢ଼ା ଯାହା କହିଲା ମୋ ପାଟି ଏକଦମ୍ ଚୁପ୍ ହୋଇଗଲା
ବୁଢ଼ା କହିଲା -" ବାବୁ , ନେତା ମନ୍ତ୍ରୀ ପୋଲିସ ଇଞ୍ଜିନିୟର୍ ସାହେବ ଯେତେ ବଡ଼ ବଡିଆ ସବୁ ପଇସା ଖାଉଛନ୍ତି । ମୁଁ ତ ଚୋରି କି ଡକାୟତି କରୁନି । ବରଂ ନିଜକୁ ଛୋଟ କରି ଅନ୍ୟ ଆଗରେ ହାତ ପାତୁଛି । ସେମିତି ରେ ମିଳୁନି ବାବୁ କେତେ ଖରାତରା ରେ ବସି ବାକୁ ପଡୁଛି , ରେଳ ଷ୍ଟେସନ ମନ୍ଦିର , ମେଳା ମହୋତ୍ସବ କୁ ଯାଇ ବୁଲିବାକୁ ପଡୁଛି ତାପରେ ଯାଇ ଏକଜୁଟ ହେଉଛି ପଇସା । ଇଏ ବି ଗୋଟେ ପରିଶ୍ରମ ବାବୁ । ଆଛା କୁହତ ବଡ଼ ବାବୁ ମାନେ ଟେବୁଲ ତଳେ ପଇସା ନେଇ , ଯଦି ନିଜର କୋଠା ବାଡି କରି ପାରୁଛନ୍ତି , ମୁଁ ଭିକ ମାଗି ଅନ୍ୟ ଆଗରେ ହାତ ପାତି ସେଇ ପଇସା ଏକଜୁଟ କରି ବ୍ୟାଙ୍କ ରେ ରଖି କୋଠା ବାଡି କରି ପିଲାଙ୍କୁ ମଣିଷ କରିବା କଣ ଏତେ ବଡ଼ ଭୁଲ୍ ?