କୃଷ୍ଣ ପ୍ରିୟା ମହାପାତ୍ର

Tragedy Classics

3  

କୃଷ୍ଣ ପ୍ରିୟା ମହାପାତ୍ର

Tragedy Classics

ଭଗାରି

ଭଗାରି

5 mins
306


  ଶ୍ରୀ ମହାଲକ୍ଷ୍ମୀ ମାଣ ବଣ୍ଟା ହେଲା, ମହାଲକ୍ଷ୍ମୀଙ୍କ ଆସ୍ଥାନ ରେ ଗୁଆ ,ନାଲି କପଡାଛୁଆଁଇ ସାନ ଭାଇ ତା ଘରକୁ ନେଇ ପୂଜା କଲା।

ମାଣ ଜାଉକୁ ପିଲାଏ ଅଲଗା ଅଲଗା ବସି ଖାଇଲେ।

ମୌଳାଶ୍ରାଦ୍ଧରେ ଦୁଇଘରେ ଅଲଗା ପିଣ୍ଡ ପଡ଼ିଲା।

ଷଠୀପୂଜା ,ଖୁଦୁରୁକୁଣୀ ଓଷା ,କାଞ୍ଜିଅଁଳାକୁ ପିଲା ଆଉ ଏକାଠି ହେଲେନି।ରଜପାନ, ସଜବାଜରେ ଆଉ ଘର ଗହଳ ନ ଥିଲା।


  ଘର ମଝିରେ କାନ୍ଥ ଉଠିଲା, ଦାଣ୍ଡ କବାଟ ଆଉ ଗୋଟେ ଖୋଲା ହେଲା, ବାଡ଼ିକୁ ଦୁଇଟି ଦୁଇଟି ଦୁଆର। କେହି କାହା ମୁହଁ ଚାହିଁଲେ ନାହିଁ କାହା ହାଣ୍ଡି ରେ କେହି ଖାଇବେ ନାହିଁ ବୋଲି ପ୍ରତିଜ୍ଞା କରିସାରିଥିଲେ ।ଖାଲି ସେତିକି ନୁହେଁ ଦୁଇ ଘର କାନ୍ଥରେ ଜଳା ଟିଏ ମଧ୍ୟ ରଖି ବାକୁ କେହି ରାଜି ନୁହେଁ।ଫିତା ପକେଇ ମାପିଚୁପି ନିଅଁ ପଡ଼ିଲା।କାହା ପଟକୁ କେହି ଯାଇ ପାରିବେ ନାହିଁ ବୋଲି

କାନ୍ଥ ପଲସ୍ତରା ଅଟକି ରହିଲା।


  " କଥାରେ ଅଛି ଭାଇ ଭଗାରି, ତା ବୋଲି କଣ ଭାଇ କୁ ଭାଇ ଭୁଲି ଯାଇ ପାରେ, କିଏ ଗଲା ବେଳେ କଣ ନେଇ ଯିବ ଯେ ସୁତେ ସୁତେ ମାପି କାନ୍ଥ କରୁଛ।

 "ଏଇ ଘର ଏମିତି ଥିବ କିନ୍ତୁ ଆମେ ନ ଥିବା ଏ ଘରେ ଆଉ କିଏ ଆସି ରହିବ।ଆଉ ଜଣେ କିଏ ତାର ଅଧିକାର

ସାବ୍ୟସ୍ତ କରିବ।"


  କକେଇ ବୁଝଉ ଥିଲେ ପୁତୁରା ମାନଙ୍କୁ।

 ଯେତେ ବୁଝେଇ କହିଲେ କଣ ହେବ ନିଜ ନିଜ କଥାକୁ ନେଇ ଅଡ଼ି ବସିଥିବାରୁ କିଛି ସମାଧାନ ର ବାଟ ବାହାରୁ ନ ଥିଲା।

 ସଦା ଆଉ ସୁଧା ଦୁଇ ଭାଇଙ୍କ ମଧ୍ୟରେ ଜମିଜମା ଘରବାଡ଼ି କୁ ନେଇ କଳହ ର ସୂତ୍ରପାତ।


ଶୁଣି ବାକୁ ଖରାପ ଲାଗୁଥାଏ କକେଇଙ୍କୁ, ନିଜ ବଂଶ ବୁନି ଆଦି କୁ ନେଇ ବଞ୍ଚୁଥିବା ଅଶିତି ପର ବୃଦ୍ଧ ବ୍ରଜ ମିଶ୍ର ଦେଖୁଥିଲେ ନିଜ ମା ପେଟରୁ ଜନ୍ମିତ ଦୁଇ ଭାଇଙ୍କ ମଧ୍ୟରେ ତୁମୁଳ ଲଢେଇ।

 ଲୁଚା ଛପା ରେ କିଛି ବିଲ ବାଡି ନିଜ ନିଜ ନାଁ ରେ ଲେଖି ଦେଇଛି ତ କିଏ ଅନ୍ୟକୁ ନ ଜଣେଇ ବିକି ଟଙ୍କା ହଡପ କରି ଦେଲାଣି।

 ବାହାର ଲୋକ ନାକ ରେ ଲୁଗା ଦେଇ ହସୁଛନ୍ତି।କେତେ ଜଣ ନଖ ଘଷି ଘଷି ସୁକୁଟ ଦେଖୁଛନ୍ତି।ତଥାପି ସେମାନଙ୍କର ହେଜ ହଉନି ଯେ ନିଜ ରକ୍ତ ବିରୁଦ୍ଧରେ ଯୁଦ୍ଧମ୍ ଦେହି ଡାକରା ଦେଇଛନ୍ତି।

 ଯେଉଁ ପ୍ରକାର ମଞ୍ଜି ବୁଣିବ, ଗଛରେ ତ ସେଇ ଫଳ ଫଳିବ ନା। ମନେ ପଡୁଥିଲା ବ୍ରଜ ମିଶ୍ରଙ୍କର ସଂଘର୍ଷ ମୟ ବାଲ୍ୟ କାଳର ଅକୁହା ବ୍ୟଥା ଆଉ କଥା।


   ମଦନ ମିଶ୍ର ଥିଲେ ଦେବତୁଲ୍ୟ ଲୋକ, ଗାଁ ଯାକର ଲୋକ ଭାରି ମାନନ୍ତି।ଜ୍ଞାନୀ ଗୁଣୀ ଏବଂ ଦୟା ଧର୍ମ, ରେ

ଆଖ ପାଖରେ ଜଣାଶୁଣା। ଗରିବ ଲୋକ ର ପେଟ ଚିହ୍ନନ୍ତି ।କେତେ କେତେ ନ୍ୟାୟ ନିଶାପ କରି ଲୋକଙ୍କଘର କୁ ଯୋଡ଼ି ଦେଇଛନ୍ତି।

ହେଲେ ଅସମୟ ରେ ଏ ସଂସାର ଛାଡ଼ି ଚାଲିଗଲେ,

ଛାଡ଼ି ଦେଇ ଗଲେ ଅସହାୟ ସ୍ତ୍ରୀ ଆଉ ପିଲା ମାନଙ୍କୁ।

ମଦନ ମିଶ୍ର ଙ୍କର ତିନି ଝିଅ ଓ ଦୁଇ ପୁଅ, ଝିଅ ମାନଙ୍କୁ ବିବାହ ଦେଇ ଥିଲେ ବଡ଼ପୁଅ ଜାଣିବା ଭଳି ହୋଇ ଥିଲେ କେବଳ ସାନ ପୁଅ ବ୍ରଜ ଥିଲେ ତିନି ଚାରି ବର୍ଷ ବୟସର।


  ସାନ ପୁଅ ବ୍ରଜ କିଶୋର ହେତୁ ହେଲା ପୁର୍ବରୁ ହରାଇଥିଲେ ପିତାଙ୍କର ଶୀତଳ ଛାୟା। ମାଆର ଉଷୁମ କୋଳ ରେ ଢ଼ୋକେ ପି ଦଣ୍ଡେ ଯିଇଁ ବାର କଳା କୁ ଆପଣେଇ ନେଇ ଥିଲେ।

  ପାଠରେ ଶାଠରେ ଆଗରେ ଥିବା ପୁଅକୁ କଷ୍ଟ ରେ ମାଆ ପାଳିବାବେଳେ ବଡ଼ପୁଅ ସାନଭାଇକୁ ଆଡ ଆଖିରେ ଚାହିଁବାକୁ ମନ କଲେନି।ନନାଙ୍କ ଅବର୍ତ୍ତମାନରେ ବଡ଼ ଭାଇର କର୍ତ୍ତବ୍ୟ କୁ ଭୁଲି ନିଜ ସ୍ୱାର୍ଥ ହାସଲ କରିବା କୁ ଶ୍ରେୟଷ୍କର ଭାବି ନେଲେ ବଡ଼ ପୁଅ ନବ କିଶୋର ମିଶ୍ର।


 ତେଣୁ ବ୍ରଜ ପିଲା ବେଳୁ ମା ଙ୍କୁ ଛାଡ଼ି ମାମୁଁ ଘର ଗାଁ ରେ ରହି ନିଜ ବୃତ୍ତି ପଇସା ରେ ପାଠ ପଢି ଥିଲେ। ଚାକିରି ଖଣ୍ଡେ ଯୋଗାଡ କରିବା ପାଇଁ ଅନେକ ଲୋକ ଙ୍କ ଘରେ ପିଲା ମାନଙ୍କୁ ଟିଉସନ କରୁ ଥିଲେ ବ୍ରଜ ।ବଡ଼ ଭାଇ ହିସାବ ରେ ସାହାଯ୍ୟ କରିବା ବଦଳରେ ମା ଠାରୁ ଜମି ବନ୍ଧକ ରଖି ଟଙ୍କା ଦେଉଥିଲେ ବଡ଼ ପୁଅ ସୁଧ ବଢ଼ି ଗଲା ପରେ ନିଜ ନାଁ ରେ ଲେଖି ନେଲେ ମା ହାତରୁ ଟିପଚିହ୍ନ ନେଇ।


   ସେ ଲୋକର ପୁଅ ମାନେ କଣ୍ ନିଜ ସମ୍ପର୍କ କୁ ଚିହ୍ନିବେ ଆଉ ତାକୁ ରକ୍ଷା କରିବେ। ଗାଁ ଦାଣ୍ଡ ଖାଲି ପଡୁଛି ଉଠୁଛି, ଯେଉଁ ଘରେ ଦିନେ କେତେ ନ୍ୟାୟ ନିଶାପ ହୋଇ ସମାଧାନ ର ସୂତ୍ର ମିଳୁ ଥିଲା ସେଠାରେ ଆଜି ଠେଙ୍ଗା ବାଡ଼ି ଧରି ବଡ଼ବାପା ସାଙ୍ଗେ ପୁତୁରା ଝିଆରି,ଆଉ କକେଇ ଖୁଡୀ ସାଙ୍ଗେ ପୁତୁରା ବୋହୁ ଙ୍କର କଥା କଟା କଟି ଚାଲିଛି ଯେ ଚାଲିଛି.......

ଆର ସାହିର ଗଉଡ଼ ଘର ଫଗୁଆ ମାଇଆ ସବୁ ଶୁଣି କହି ଦେଇ ଗଲା ...........

  "ଘର କେମିତି ଭାଙ୍ଗେ କି!!! ନିଜ ମା ପେଟରୁ ପରା ଭଗାରି ଜନ୍ମ ହୋଇଥାଏ, ସାତ ଶତୃ ହୋଇ ଜୀବନ ଖାଏ। ସବୁ ଭାଇ କଣ ରାମ ନା ସବୁ ଭାଇ ଲଇଖଣ ହୋଇ ପାରିବେ।""

 ସତ କଥା କହିଥିଲା ଫଗୁଆ ।ପୁଅ ମାନେ ଯେଉଁ ବିଲ ବାଡି ବିକି ବଡ଼ଲୋକ ହେଉଛନ୍ତି ସେଇ ବିଲ କୁ କେମିତି ଅର୍ଜନ କରିଥିଲେ କି ନବ ମିଶ୍ରେ .......


 ମନେ ପଡ଼ିଲେବ୍ରଜ ମିଶ୍ର ଙ୍କୁ ଦୁଃଖ ଲାଗୁଛି ଆଉ ହସ ମଧ୍ୟ।ସାନ ଭାଇ ବୋଲି ସବୁ କୁ ଅଣ ଦେଖା କରି ଦିଅନ୍ତି

ଆଉ ବଡ଼ ଭାଇ କୁ ଖୁବ୍ ସମ୍ମାନ ଦିଅନ୍ତି।

  ଯାତ୍ରୀ ଗୁମାସ୍ତା ଭାବେ ବିଭିନ୍ନ ସ୍ଥାନକୁ ଯାଆନ୍ତି ନବ ମିଶ୍ରେ।ଯାତ୍ରୀ ନେଇ ପୁରୁଷୋତ୍ତମ କ୍ଷେତ୍ରରେ ରହଣୀ

କରି ପଣ୍ଡା ମାନଙ୍କର ଅନୁକମ୍ପା ରେ ତୀର୍ଥ ଯାତ୍ରୀ ଙ୍କଠାରୁ ଭଲ ରୋଜଗାର କରି ଆଣି ଥାନ୍ତି ବାସନ କୁସନ ଟଙ୍କା ସୁନା ଲୁଗା ପଟା ଇତ୍ୟାଦି।


    ସୁଧ ଲଗେଇ ସ୍ତ୍ରୀ ତାଙ୍କର କିଛି କିଛି ରଖିଥାଏ, ଆସିଲେ ଗୁଡିଏ ଜମି ବାଡି କରି ପକାନ୍ତି।ସ୍ତ୍ରୀ କୁ ସୁନା ଗହଣା ରେ ମଣ୍ଡଣୀ କରନ୍ତି।ସେଇ ସୁନା ପାଇଁ ଏବେ ବୋହୁ ମାନଙ୍କର ମନ ଫଟାଫଟି।

ଅଥଚ ଯେତେବେଳେ ସାନ ଭାଇବ୍ରଜ ମିଶ୍ର ନିଜ ସାମର୍ଥ୍ୟ ରେ କିଛିଟା ସକ୍ଷମ ହୋଇ କିଛିବିଲ କିଣିବାକୁ ମନ କରିଲେ ,ଦେହରେ ଗଲାନି ତାଙ୍କର କାହା ଠାରୁ ଖବର ପାଇ ଆସିଥିଲେ ସାନ ଭାଇ ପାଖକୁ.......

" ଆରେ ତୁ ସେ ବିଲ କିଣୁଚୁ କି??"

"ହଁ ଭାଇନା କଣ ହେଲା କି?"

ନାଇଁ ଯେ ମୁଁ ଭାବିଛି ସେଟା ମୁଁ କିଣିବି, ତୁ ଆଉ ଏ ବିଲ ବାଡିରେ କାହିଁକି ମୁଣ୍ଡ ପୁରେଇ ହରକତ ହବୁ, ତୋ ଚାକିରି କୁ ଦେଖ।

ବୁଝି ଗଲା ସାନ ଭାଇ ତାଙ୍କ ମତଲବ।ବଡ଼ଭାଇ ବୋଲି କଥା କାଟିବାକୁ ସାହସ କରି ନ ଥିଲେ ।

 "ହଉ ଭାଇନା ତୁମେ କିଣ ମୁଁ ଆଉ କେବେ କିଣିବି।"

ଆଉ ଗୋଟେ ଥର ତ ପୁରା ଜିଦ୍ଦି କରି ବସିଲେ ତୁ ସେ ବିଲ କିଣିଲେ ମୁଁ ଦଉଡି ଦେଇ ମରିଯିବି।

ମା କିନ୍ତୁ ଠିକ୍ ଚିହ୍ନି ଥିଲା ନବ ମିଶ୍ରଙ୍କ ପିତ୍ତ କେତେ।

"ତୁ ବ୍ରଜ ତା କଥା ଶୁଣୁନା ,ସିଏ ତର ଦେଖାଉଛି।କିଛି କରିବନି,ମରିବା ବାହାନା କରି ତୋ ହାତ କୁ ରୋକୁଛି।"

  

  କି ଅଜବ ଚିନ୍ତା ଧାରା ,ସାନ ଭାଇର ଉନ୍ନତିକୁ ଯିଏ ସହଜ ରେ ହଜମ ପାରୁନି ସିଏ ତା ପିଲା ମାନଙ୍କୁ କେଉଁ ସଂସ୍କାର ଦେଇ ବଡ଼ କରିଥିବ।ସେ ପିଲାମାନେ ପରସ୍ପର ସହିତ କେମିତି ସମ୍ପର୍କ ରଖିବେ।ଯିଏ ନିଜ ମା କୁ ଅସହାୟ ଅବସ୍ଥା ରେ ଭିନ୍ନେ କରି ଦେଇ ପାରେ ସେ ଲୋକ ର ପିଲା କଣ ଜାଣିବେ ସମ୍ପର୍କ କୁ କେମିତି ବଞ୍ଚେଇ ହୁଏ।

ପୁରୁଣାକଥା କୁ ଘାଣ୍ଟି କିଛି ଲାଭ ମିଳେ କି??

ହେଲେ ଭାଇନାଙ୍କ କୁତ୍ରିମତାକୁ ଠିକ୍ ପରଖି ନେଇ ଥିଲେ ବ୍ରଜ ମିଶ୍ରେ।ସେଥି ପାଇଁ ବୋଉର ମନରେ ଟିକେ ଖୁସି ଦେବା ପାଇଁ ସେ ଭାଇନାଙ୍କୁ ନ ଜଣେଇ ଖଣ୍ଡେ ନୁହେଁ ତିନି ତିନି ଟା ବିଲ କିଣି ଦେଇଥିଲେ ବୋଉ ପାଇଁ।


 ବଡ଼ପୁଅ ର ଷଢଯନ୍ତ୍ରରେ ଯେଉଁ ବିଲ କୁ ହରେଇ ଥିଲେ କିଣାଚାଉଳ ଖାଇବା ଦୁଃଖ ରେ ହନ୍ତସନ୍ତ ହୋଇ ଥିଲେ ସାନ ପୁଅର ରୋଜଗାର ଟଙ୍କାରେ କିଣା ନିଜ ବିଲଧାନ ରୁ ଭାତ ଖାଇବାର ଖୁସି ବୋଉ ମନରେ ଅସୀମ ତୃପ୍ତି ଦେଇଥିଲା ଆଉ ଅନେକ ଆଶୀଷ ଦେଇ ଶାନ୍ତି ରେ ଏ ଦୁନିଆଁ ଛାଡ଼ି ଥିଲା। ତା ଆଶୀର୍ବାଦ ରୁ ଜୀବନ ରେ ଅନେକକିଛି ଉପଲବ୍ଧି କରିଛନ୍ତି ସେ ।ମାନ ସମ୍ମାନ ଘର ଦ୍ୱାରବିଲ ବାଡି  ।ଆଉ ଅନେକ ଶାନ୍ତି।


   ପିଲା ମାନଙ୍କୁ ସୁ ଶିକ୍ଷିତ ଆଉ ସଂସ୍କାର ଦେଇ ଗଢି ଥିଲେ ନିଜ ଅଭିଜ୍ଞାତାରୁ ବୁଝି ଥିଲେ ସମ୍ପର୍କ ର ମୂଲ୍ୟ,ସେଥିପାଇଁ ଶେଷ ପର୍ଯ୍ୟନ୍ତ ନବ ମିଶ୍ର ଙ୍କୁ ବଡ଼ ଭାଇର ସମ୍ମାନ ଦେଇ ସମ୍ପର୍କ କୁ ରକ୍ଷା କରିବାକୁ ଆପ୍ରାଣ ଉଦ୍ୟମ କରୁଥିଲେ।

ହେଲେ ଏବେ ନବ ମିଶ୍ର ଙ୍କଘର ଭାଙ୍ଗି ଦି ଖଣ୍ଡ ହୋଇଗଲା କେହି କାହାର ଭଲ ମନ୍ଦ ସହ୍ୟ କରିବା ପାଇଁ ରାଜି ନୁହେଁ।

 ନିଜ ନିଜ ଭିତରେ ଅବିଶ୍ୱାସ ର ପାଚେରୀ ଠିଆ କରିଦେଲା ପରେ ତ ଭରସାର ଛାତ ଭୁଶୁଡ଼ି ପଡ଼ିବ।

ଆଉ ଘର କଣ ଗଢି ହେବ।ଘର ର ଇଜ୍ଜତ ମହତ ଦାଣ୍ଡ ରେ ଗଡିଲା।ରକ୍ତ ସମ୍ପର୍କ ଭୁଲି ଭାଇ ଯେ ଭଗାରୀ ହୁଏ 

ଏଠି ସେଇ କଥା ହିଁ ଘଟିଲା।

 କିଛି ବୁଝିବା ପରିସ୍ଥିତି ରେ ନ ଥିଲେ ସେମାନେ......

      


Rate this content
Log in

Similar oriya story from Tragedy