STORYMIRROR

Ranjit Sahu

Inspirational

3  

Ranjit Sahu

Inspirational

ଭଡାଘର

ଭଡାଘର

4 mins
115

ମାସକର ଖର୍ଚ୍ଚ ପାଇଁ ହିସାବ କରୁ କରୁ ରୁକ୍ମିଣୀ ଦେବୀଙ୍କର ପୁଣି ଚିନ୍ତା ବଢ଼ିଗଲା I ଏହି ମାସରେ ଘର ଭଡା ପୁଣି ବଢ଼ିଯିବ I ନ ଚାହିଁ ମଧ୍ୟ ବର୍ଷକରେ ଥରେ ଏହି ସତ୍ୟତାକୁ ସାମ୍ନା କରିବାକୁ ପଡେ I ଘରଟି ଛକ ଜାଗାରେ ଥିବାରୁ ଏବଂ ହସ୍ପିଟାଲ, ସ୍କୁଲ ମାର୍କେଟ ସବୁ ନିକଟରେ ଥିବାରୁ ଭଡ଼ା ବୃଦ୍ଧିକୁ ଏଯାଏଁ ଅଦେଖା କରି ଆସିଥିଲେ କିନ୍ତୁ 1000 ଟଙ୍କା ପ୍ରତି ବର୍ଷ ହିସାବରେ, ବଢି ବଢି ଦଶ ବର୍ଷ ଭିତରେ ଘର ଭଡା ବହୁତ ବଢି ଗଲାଣି I ଅପରପକ୍ଷରେ ଦରମାରେ ସେହି ଅନୁପାତରେ ବୃଦ୍ଧି ହୋଇ ନାହିଁ I କୋରାନା କାଳରେ ଚାକିରୀଟିଏ ରହିଛି ସେଇଟା ହିଁ ବଡ କଥା ! କେତେଦିନ ଭାଇ ଠାରୁ ଆଉ ଧାର ମାଗିବା ବାହାନାରେ ସାହାଯ୍ୟ ଲୋଡିବେ?

ହୁଏତ ଲୋନ ନେଇକି ଘରଟିଏ କରି ଦେଇଥିଲେ ଏତିକିବେଳକୁ ନିଜର ଘରଟିଏ ହୋଇ ସାରନ୍ତାଣି ! କିନ୍ତୁ ଘର ଆଉ ବାହାଘର ଯେତେବଳେ ହେବାର ଥାଏ ହୁଏ କୁଆଡେ! କଣ ଖର୍ଚ୍ଚ କମେଇବେ କିଛି ବୁଝା ପଡୁ ନଥିଲା ରୁକ୍ମିଣୀ ଦେବୀଙ୍କୁ I ପେଟକୁ କାଟିକି କେତେ ଅବା ପଇସା ବଞ୍ଚେଇ ହେବ? ଖାଦ୍ୟ ପେୟରୁ ବଞ୍ଚେଇବା ଏକ ପ୍ରକାର ଅସମ୍ଭବ! ପିଲାମାନେ ଦିନକୁ ଦିନ ବଡ ହୁଅନ୍ତି ଓ ଅଧିକ ଖାଦ୍ୟ ଦରକାର କରନ୍ତି, କମ ନୁହେଁ ! ପୁଣି ସେମାନଙ୍କର ଅନ୍ୟ ସବୁ ଖର୍ଚ୍ଚ ମଧ୍ୟ ବଢ଼ିବାକୁ ଲାଗିଛି I ସ୍କୁଲ ଫିସ ହେଉ ଅଥବା ବହିପତ୍ରର ପରିମାଣ, ଲୁଗା ପଟା କେତେ କଣ ! କାଲି ସକାଳେ ରବି ବାବୁ ମାସକର ଦରମା ଆଣି ଧରେଇ ଦେବେ ଆଉ କହିବେ ,"ମୋ କାମ ସରିଲା, ଟଙ୍କା ଆଣିକି ଦେଇଦେଲି, ଏବେ ତୁମେ ଘର ସମ୍ଭାଳ !" ତାଙ୍କର କଣ ଯାଏ ଆସେ ସତେ ? ଘରକୁ ଆସିକି ଖାଇ ଦେଇକି ଟେଲିଭିଜନ ଦେଖି ଦେଖି ସମୟ ଅତିବାହିତ କରିବେ ଆଉ ସକାଳୁ ପୁଣି ଉଠିକି ଦୌଡ଼ିବେ I ସ୍ଥିର ଥିବା ଆମଦାନୀର ବଢୁଥିବା ଖର୍ଚ୍ଚର ସମୀକରଣକୁ ରବି ବାବୁ କଣ ବୁଝି ପାରିବେ? ଯେତେ ଭଲ ହୁଅନ୍ତା ଗାଆଁରେ ହିଁ ରହି ଯାଇଥିଲେ, ନିଜର ଘରଟିଏ କରିକି ! ଏତେ ଚିନ୍ତା ନ ଥାଆନ୍ତା I ଆଜି ଯାହା ହେଲେ ମଧ୍ୟ ରବି ବାବୁଙ୍କ ସହ ବସିକି ଆଲୋଚନା କରିବେ !

"କାଲି ନୀରଜ କହିଛି ସିନେମା ଦେଖିବାକୁ ଯିବା ସମସ୍ତେ I କହୁଥିଲା ସୁମିତ୍ରା ମଧ୍ୟ କୁଆଡେ ଘରେ ବସି ବସି ବୋର ହେଇଗଲାଣି, ନୂଆ ସିନେମାଟି ଲାଗିଛି ପାଖ ଥିଏଟରରେ I ଟେଲିଭିଜନରେ ସିନେମା ଦେଖି ଦେଖି ମଣିଷ ମଧ୍ୟ ବୋର ହେଇଗଲାଣି I ପିଲାମାନେ ମଧ୍ୟ ଦୁଇ ଦିନ ପାଇଁ ଅଜା ଘରକୁ ଯାଇଛନ୍ତି ତେଣୁ ଟିକିଏ ମଉକା ବି ମିଳିଛି I ଯଦି ଏହି ସାଧାରଣ ମନୋରଞ୍ଜନ ଟିକିଏ କେବେ କେବେ ନ କରିବା ତାହା ହେଲେ ଏତେ ପରିଶ୍ରମ କରି କଣ ଲାଭ ଜୀବନରେ I ତୁମେ କଣ କହୁଛ? ," ଘରେ ପଶୁ ପଶୁ ରବି ବାବୁ କହିଲେ ଆଉ ରୁକ୍ମିଣୀ ଦେବୀ କିଛି କହିବା ପୂର୍ବରୁ ତାଙ୍କ ହାତରେ ଧରେଇ ଦେଇଥିଲେ ଦୁଇଟା ଟିକେଟ !

"କେତେ ଟଙ୍କା ସରିଲା ଏଥିରେ?" ରୁକ୍ମିଣୀ ଦେବୀ ପଚାରିଲେ I "ବେଶୀ ନୁହେଁ ହଜାରେ, ନୀରଜ ଚାରିଟା ଟିକେଟ ଆଗତୁରା ଅନ ଲାଇନରେ କିଣି ଦେଇଥିଲା କୁଆଡେ?" ରବି ବାବୁ କହିଲେ," ତେଣୁ ଟିକିଏ ଶସ୍ତାରେ ମଧ୍ୟ ମିଳିଛି I କାଲି ଦରମା ମିଳିବ ସାଥେ ସାଥେ ଦେଇଦେବି, ମୁଁ ବାକି ରଖିବିନି," ରବି ବାବୁ କୈଫୟତ ଦେବା ଢଙ୍ଗରେ କହିଲେ I "ଆଉ ତୁମର ସେ ଯେଉଁ ସବୁ ଖର୍ଚ୍ଚ ହେବ ହଲରେ ବସି ବସି, ସ୍ନାକକ୍ସ ଆଉ କୁଲ ଡ୍ରିଙ୍କ," ରୁକ୍ମିଣୀ ଦେବୀ ପଚାରିଲେ I "ତୁମେ ଆଉ ଏତେ ହିସାବ କରି ବସନି, ଭୋକ ଲାଗିଲାନି ଖାଇବାକୁ କିଛି ଦିଅ," ରବି ବାବୁ କହିଲେ I ଚିହିଙ୍କି ଉଠିଲେ ରୁକ୍ମିଣୀ ଦେବୀ ଆଉ କହିଲେ," ଆଉ କେବେ ମଧ୍ୟ ତୁମର ଦାୟିତ୍ଵ ଜ୍ଞାନ ହେବ ନାହିଁ I ଟିକିଏ ବାହାନା ମିଳିଲେ ପଇସା ଉଡେଇବା ଶିଖିଛ I ଖର୍ଚ୍ଚ ପ୍ରସଙ୍ଗ ଆସିଲେ କଥା ବୁଲେଇ କି ଟାଳି ଦିଅ I ଏତିକି ମନେ ଅଛି ଟି? ଏହି ମାସଠୁଁ ପୁଣି ହଜାରେ ଟଙ୍କା ଘର ଭଡା ବଢିବ? ସେ ଦିଗରୁ ମଧ୍ୟ ଚିନ୍ତା କରିବା ଦରକାର !""ମୋର ତୁମ ଉପରେ ପୁରା ଭରସା ଅଛି, ତୁମେ କିଛି ସମାଧାନ ଵାହର କରିବ, ମୁଁ ଫ୍ରେସ ହେଇକି ଆସୁଛି, " କହିକି ରବି ବାବୁ ଚାଲିଗଲେ ମୁଁହ ହାତ ଧୋଇବାକୁ I 

ସିନେମା ଦେଖା ସରିଲା ପରେ ଗୋଟାଏ ରେସ୍ତୋରାଁରେ ରାତ୍ରି ଭୋଜନର ସୁମିତ୍ରର ଆମନ୍ତ୍ରଣକୁ ଏଡ଼େଇ ପାରିଲେନି ରୁକ୍ମିଣୀ ଦେବୀ I ଏମିତିରେ ମଧ୍ୟ ବହୁତ ଦିନ ପରେ ଭେଟ ହେଇଛି ଆଉ ଅନେକ କିଛି କଥା କହିବାର ଆସିଛି ଆଉ ପଚାରିବାର ଅଛି I କଥା ବାର୍ତ୍ତା ହେଉ ହେଉ ଘର ଭଡା କଥା ପଡିଲା ଆଉ ରୁକ୍ମିଣୀ ଦେବୀ କହିଲେ, " ମୋତେ ଲାଗୁଛି ଯେମିତି ଏହି ଘର ଭଡା ବଢ଼ିଲାଣି, ଦିନ ଆସିବ ଆମେ ହଲରେ ମାସଟିଏ ଶସ୍ତାରେ ରହି ପାରିବା ଦିନର ସବୁ ଶୋର ଟିକେଟ କିଣିକି! ""ଆମେ ତ ଆର ମାସରେ ଆଉ ଟିକିଏ ଦୂରକୁ ଚାଲିଯିବୁ, ସେଥିପାଇଁ ମଧ୍ୟ ନୀରଜ କହିଲେ, ପାଖରେ ଥାଉ ଥାଉ ଥରେ ଭେଟ ହେଇଯିବା I ଦୂରକୁ ଚାଲିଗଲେ ତ ଆହୁରି ଅସୁବିଧା ହେବ ଏମିତି କାର୍ଯ୍ୟକ୍ରମ କରି ଭେଟ ହେବା ଲାଗି I ତୁମେ କଣ ଅନ୍ୟ କୁଆଡେ ଘର ଦେଖା ଆରମ୍ଭ କଲଣି କି?" ସୁମିତ୍ରା ଦେବୀ ପଚାରିଲେ I "ନା ମୁଁ ଏଯାଏଁ ବନ୍ଦୋବସ୍ତ କରି ପାରିନି , ଚିନ୍ତା କରିନି I ଭାବୁଛି ଏହି ବର୍ଷଟି ଯେମିତି ସେମିତି ଚଳେଇ ନେବି I ଆର ବର୍ଷକୁ ଯେମିତି ହେଲେ ବଡ ପୁଅ ବାହାରକୁ ଯିବ କହୁଛି ପଢିବା ପାଇଁ I ଝିଅ ତ ଏବେ ଛୋଟ ଅଛି ତେଣୁ ଆଉ ଏହି ବଡ ଘର ନ ନେଇକି ଟିକିଏ ଛୋଟିଆ ଘର ନେବି ଭାବୁଛି," ରୁକ୍ମିଣୀ ଦେବୀ କହିଲେ I "ହଉ ଏବେ କେକ କାଟିବା ସମୟ", ନୀରଜ କହିଲେ ଏବଂ ୱଏଟରକୁ ଇଙ୍ଗିତ କରିଲେ କେକଟିକୁ ଆଣିବାକୁ I "କଉ ଖୁସିରେ? କାହାର ତ ଜନ୍ମ ଦିନ ନାହିଁ ଆଜି ମୋର ଯେତିକି ମନେ ପଡୁଛି ," ରୁକ୍ମିଣୀ ଦେବୀ କହିଲେ I "ପ୍ରଥମେ କେକଟି କଟା ହେଉ," କହିକି ନୀରଜ ଧରେଇ ଦେଲେ ଛୁରିଟିକୁ ରୁକ୍ମିଣୀ ଦେବୀଙ୍କ ହାତରେ I ବିସ୍ମିତ ହେଇଗଲେ ରୁକ୍ମିଣୀ ଦେବୀ ଆଉ ଚାହିଁଲେ ରବି ବାବୁଙ୍କ ଆଡ଼କୁ I "ହଉ ରବି ଫ୍ଲାଟଟିଏ କିଣିବାର ସବୁ କାଗଜପତ୍ର ପ୍ରସ୍ତୁତ କରି ସାରିଛି, ଆଉ ଲୋନ ମଧ୍ୟ ମିଳି ସାରିଛି I ଛୋଟିଆ ଦୁଇଟି ବେଡ଼ରୁମ ଥିବା ଫ୍ଲାଟଟିଏ ଟିକିଏ ଦୂରରେ ଏଠାରୁ I ଆର ମାସ ଠାରୁ ଆପଣ ମାନେ ନୂଆ ଗହରେ ରହିବେ I ମୋର ମଧ୍ୟ ବୁକିଂ ସରିଛି କିନ୍ତୁ ଆର ବର୍ଷ ଆଡକୁ ହିଁ ମିଳିବ I ଅନ୍ୟ କାହାକୁ ଏ ଯାଏଁ କୁହା ଯାଇ ନାହିଁ I ପରେ ଅନ୍ୟ ମାନଙ୍କୁ ଜଣେଇ ଦିଆଯିବ I ରବି ମଧ୍ୟ ଭଡା ଦେଇ ଦେଇ ବିରକ୍ତ ହେଇଗଲାଣି ମୋ ଭଳି I ଯଦି ଏହି ସହରରେ ହିଁ ଆଜୀବନ ରହିବାକୁ ପଡିବ ତେବେ ଜଣେ ଭଡା ଘରେ କାହିଁକି ରହିବ? ନିଜର ଘରଟି ନ କରିକି ଯେତେ ଛୋଟ ହେଉ ପଛେ?" ନିରଜ କହିଲେ I I "ମୁଁ ଜାଣିଥିଲି କିଛି ଗୋଟିଏ ସାଜିସ ଚାଲି ଥିବI ନ ହେଲେ ଏତେ ବର୍ଷ ପରେ ଏମିତି ସିନେମା ଦେଖିବା ଭାବନା କେମିତି ଆସିଗଲା ଅକସ୍ମାତ? କିନ୍ତୁ ମୋ ଉପରେ ପରା ତୁମର ବିଶ୍ୱାସ ଥିଲା ଯେ ମୁଁ ସମାଧାନ ଖୋଜିବି?" ରୁକ୍ମିଣୀ ଦେବୀ କହିଲେ I ରବି ବାବୁ ମୁରୁକି ହସୁଥିଲେ ଆଉ ରୁକ୍ମିଣୀ ଦେବୀ କେକ କାଟିବାରେ ଲାଗିଲେI 



Rate this content
Log in

Similar oriya story from Inspirational