STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଭାୟାଦୂଯ

ଭାୟାଦୂଯ

3 mins
360


ଆମର ହିନ୍ଦୁ ତଥା ଭାରତୀୟ ପରିବାର ଗୋଟିଏ ସୁସ୍ଥ ଓ ଦୃଢ଼ପରମ୍ପରା ଉପରେ ପ୍ରତିଷ୍ଠିତ ନ୍ୟୁକ୍ଲିୟ ପରିବାର l ପରିବାରର ପ୍ରତ୍ୟେକ ସଦସ୍ୟ ନିଗୁଢ଼ ପାରିବାରିକ ସ୍ନେହ ଓ ପ୍ରେମ ବନ୍ଧନରେ ଆବଦ୍ଧ l ଏହି ବଳିଷ୍ଠ ବନ୍ଧନମାନଙ୍କ ମଧ୍ୟରେ ଭାଈଭଉଣୀ ମଧ୍ୟରେ ଥିବା ସ୍ନେହର ବନ୍ଧନ ଅନ୍ୟତମ l ଏହି ପବିତ୍ର ବନ୍ଧନକୁ ନେଇ ଆମ ସମାଜରେ ପାଳିତ ହୁଏ କେତେ ଗୁଡ଼ିଏ ପର୍ବ l ଯୁଗେ ଯୁଗେ ପ୍ରଭୁଙ୍କ ଲୀଳା ମଧ୍ୟ ଏହି ବନ୍ଧନର ମହତ୍ୱକୁ ପ୍ରତିପାଦିତ କରିଛି l ସତ୍ୟଯୁଗରେ ମାଆ ଲକ୍ଷ୍ମୀ ବଳିରାଜଙ୍କୁ ଭ୍ରାତୃ ରୂପେ ରାଖୀ ବାନ୍ଧି ଶ୍ରୀନାରାୟଣଙ୍କୁ ବଳିଙ୍କ ଦ୍ୱାରପାଳ ପଣରୁ ମୁକ୍ତ କରିଥିଲେ l ତ୍ରେତୟାରେ ଆଦର୍ଶ ଭାଈ ଭଉଣୀ ଥିଲେ ପ୍ରଭୁ ଶ୍ରୀରାମ ଏବଂ ଶାନ୍ତା l ଦ୍ୱାପର ଯୁଗର ଶ୍ରୀକୃଷ୍ଣ ବଳରାମ ଗେହ୍ଲା ଭଉଣୀ ସୁଭଦ୍ରାଙ୍କୁ ଧରି ସ୍ୱୟଂ ଶ୍ରୀକ୍ଷେତ୍ରରେ କଳି ଯୁଗରେ ଚତୁର୍ଦ୍ଧା ମୂର୍ତ୍ତି ରୂପରେ ବିଜେ କରିଛନ୍ତି l ଭାଈ ଭଉଣୀଙ୍କ ଅତୁଟ ବନ୍ଧନର ପର୍ବ ଭାବରେ ରାକ୍ଷା ବନ୍ଧନ ସର୍ବଜନ ବିଦିତ l ସେହିଭଳି ଆଉ ଏକ ପର୍ବ ହେଉଛି ଭୟାଦୂଯ ବା ଭାଈଦୂଯ l ଏ ପର୍ବର ବିଭିନ୍ନ ପ୍ରାଦେଶିକ ନାମ ରହିଛି l ପଶ୍ଚିମ ବଙ୍ଗରେ ଏ ପର୍ବ ଭାଈ ଫୋଟା ଭାବେ ପରିଚିତ l ଆମ ପ୍ରଦେଶରେ ଏହା ଭାତୃ ଦ୍ଵିତୀୟା ଏବଂ ଯମ ଦ୍ଵିତୀୟା ଭାବେ ପାଳିତ ହୁଏ l ପଶ୍ଚିମ ଓଡ଼ିଶାରେ ଏହା ଭାଈ ଜିଉଁନ୍ତିଆ ନାମରେ ପରିଚିତ l ହିନ୍ଦୀ ଭାଷା ଭାଷୀ ଅଞ୍ଚଳରେ ଏହା ଭୟାଦୂଯ l ଗୋଆ ଓ ମହାରାଷ୍ଟ୍ରରେ ଏହା ଭାଈବୀଜ ରୂପେ ପାଳିତ ହୁଏ l

ଏହି ପବିତ୍ର ପର୍ବ ପାଳନ ହୁଏ କାର୍ତ୍ତିକ ମାସ ଶୁକ୍ଳ ଦ୍ଵିତୀୟା ତିଥିରେ l ଏହି ପର୍ବରେ ଭଉଣୀ ମାନେ ଭାଈ କପାଳରେ ତିଳକ ଲଗାଇ ବନ୍ଦାପନା କରି ଭାଈ ମାନଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥାନ୍ତି l ଭାଇମାନେ ଭଉଣୀଙ୍କୁ ସ୍ନେହ ପ୍ରେମର ନିଦର୍ଶନ ସ୍ୱରୂପ ଉପହାରମାନ ଦେଇଥାନ୍ତି l ଯମ ଦ୍ଵିତୀୟା ଭାବେ ପାଳନ କରି ଏହି ଦିନ ମୃତ୍ୟୁର ଦେବତା ଯମରାଜଙ୍କୁ ମଧ୍ୟ ପୂଜା କରାଯାଏ l ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚତୁର୍ଦଶଯାତ୍ରା ମଧ୍ୟରୁ ଯମଦ୍ଵିତୀୟା ଯାତ୍ରା ଅନ୍ୟତମ lଏହିଦିନ ପ୍ରଭୁ ଶ୍ରୀ ଲିଙ୍ଗରାଜ ପ୍ରଭୁ ଯମେଶ୍ୱର ଏବଂ ତାଙ୍କର ଭଉଣୀ କାମାକ୍ଷୀଙ୍କୁ ଭେଟ କରିବାକୁ ଯାଇଥାନ୍ତି l

ସେହିପରି ଶ୍ରୀକ୍ଷେତ୍ରରେ ଜମେଶ୍ୱର ମହାଦେବଙ୍କ ମନ୍ଦିରରେ ଯମ ଦ୍ୱିତୀୟା ପାଇଁ ସ୍ୱତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥାଏ lଏଠାରେ ଏକ ମେଳା ଲାଗି ଥାଏ l ସ୍ଥାନୀୟ ତଥା ବହିରାଗତ ଭକ୍ତ ଭଗବାନ ଶ୍ରୀଜମେଶ୍ୱରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିନ୍ତି l 

  ଭାୟାଦୂଯ ପର୍ବର ଉତ୍ପତ୍ତି ସମ୍ବନ୍ଧରେ କେତେ ଗୁଡ଼ିଏ ପୌରାଣିକ କିମ୍ବଦନ୍ତୀ ରହିଛି l ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଦେବୀ ସତ୍ୟଭାମାଙ୍କ ସହାୟତାରେ ନରକାସୁରକୁ କାର୍ତ୍ତିକମାସର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ବଧ କରିଥିଲେ l ଏହା ନରକ ଚତୁର୍ଦ୍ଦଶୀ ନାମରେ ଖ୍ୟାତ l ନରକାସୁର ବଧକରି ଶ୍ରୀକୃଷ୍ଣ ଶୁକ୍ଳ ଦ୍ଵାଦଶୀରେ ଦ୍ଵାରକା ଫେରିଥିଲେ l ତାଙ୍କୁ ଭଉଣୀ ସୁଭଦ୍ରା କପାଳରେ ଟୀକା ପିନ୍ଧାଇ ସ୍ୱାଗତ କରିଥିଲେ l ଏହାର ସ୍ମୃତି ସ୍ବରୁପେ ଭାଈ ଶୁଭ ମନାସି ଭଉଣୀ ମାନେ ଏହି ପର୍ବ ପାଳନ କରିଥାନ୍ତି l

ଅନ୍ୟ ଏକ କିମ୍ବଦନ୍ତୀରୁ ଜଣାଯାଏ ପତ୍ନୀ ସଂଜ୍ଞାଙ୍କ ଗର୍ଭରୁ ଭାଈ ଭଉଣୀ ରୂପେ ଯମ ଏବଂ ଯାମି ବା ଯମୁନା, ସୂର୍ଯ୍ୟ ଦେବତାଙ୍କର ଦୁଇଟି ସନ୍ତାନ ଜନ୍ମ ହୋଇଥିଲେ l ସଂଜ୍ଞା ସୂର୍ଯ୍ୟଙ୍କର ପ୍ରଖର ତେଜକୁ ସହି ନପାରି ନିଜର ଏକ ଛାୟା ନିର୍ମାଣ କରି ଦୁଇ ସନ୍ତାନଙ୍କସହ ସୂର୍ଯ୍ୟଙ୍କୁ ଦେଇ ଚାଲିଗଲେ l ଏଣୁ ଛାୟା ହେଲେ ସୂର୍ଯ୍ୟଙ୍କ ପତ୍ନୀ lଯମୁନା ନିଜ ଭାଈ ଯମରାଜଙ୍କୁ ଅତ୍ୟଧିକ ସ୍ନେହ କରୁଥିଲେ l ଯମଙ୍କ ଘରକୁ ଭଉଣୀ ଯମୁନା ନିୟମିତ ଯିବା ଆସିବା କରନ୍ତି l ଦିନେ ସେ ଭାଇକୁ ନିଜ ଘରକୁ ଆସିବା ପାଇଁ ନିମନ୍ତ୍ରଣ କଲେ l ଭଉଣୀର ନିମନ୍ତ୍ରଣ ରକ୍ଷା କରି ଯମରାଜ ଯାଇ ଯମୁନା ଘରେ ପହଞ୍ଚିଲେ l ଯମୁନା ତାଙ୍କୁ ବହୁ ଆଦର ସତ୍କାର କଲେ ଏବଂ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ତାଙ୍କ କପାଳରେ ଟିକାଟିଏ ଆଙ୍କି ଦେଲେ l ଯମ ଖୁସିହୋଇ ଯମୁନାକୁ କହିଲେ ତୋର ଯାହା ଇଚ୍ଛା ବର ମାଗି ନେଇ ଯା l ଯମୁନା କହିଲେ କୌଣସି ବର ମୋର ଦରକାରନାହିଁ l କେବଳ ଏତିକିମାତ୍ର ଅନୁଗ୍ରହ କରନ୍ତୁ ଆପଣ ପ୍ରତିବର୍ଷ ଆଜି ଦିନରେ ମୋ ଘରକୁ ଆସିବେ lଯମରାଜ ଭଗ୍ନୀ ଯମୁନାର ଅନୁରୋଧ ସ୍ୱୀକାରକଲେ l ସେଦିନ ଥିଲା କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା l ମାନ୍ୟତା ରହିଛି ଏହିଦିନ ପ୍ରତି ବର୍ଷ ଯମ ଯମୁନା ଦେବୀଙ୍କ ଘରକୁ ଯାଇଥାନ୍ତି ଓ ଯମୁନା ତାଙ୍କ କପାଳରେ ଟୀକା ଲଗାଇ ସ୍ୱାଗତ କରିଥାନ୍ତି l ଏହାର ସ୍ମୃତିରେ ପାଳିତ ହୁଏ ଭୟା ଦୂଯ, ଭାଈ ଫୋଟା, ଭ୍ରାତୃ ଦ୍ଵିତୀୟା,ଭାଈବୀଜ, ଭାଈ ଜିଉଁନ୍ତିଆ ବା ଯମ ଦ୍ଵିତୀୟା l

ଏହି ପର୍ବ ମୂଳତଃ ଭାଈ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ବନ୍ଧନକୁ ମନେ ପକାଇବା ତଥା ଭ୍ରାତୃତ୍ୱ ଭାବକୁ ମନେ ପକାଇବାର ପର୍ବ ।


Rate this content
Log in

Similar oriya story from Inspirational