ଭାଷା
ଭାଷା
ପ୍ରେମ ସମ୍ରାଟ ଲକ୍ଷ୍ମଣ କୁମାର ବେହେରା ( ଯତି )
ଓଡିଆ ଛବିଳ ମଧୁ ବର୍ଣ୍ଣବୋଧ ପୁସ୍ତକ ପୋଡିବାର ଭାଇରାଲ୍ ଦୃଶ୍ଯ ମୋବାଇଲ୍ ରେ ଘୁରୁଥିବାକୁ ନେଇ ଆମ ଗାଆଁର କନ୍ତାରୁ ଆଉ କନ୍ଦର୍ପ ସେଦିନ ଭାଗବତ ଟୁଂଗୀ ରେ କଥୋପକଥନ କରୁଥାନ୍ତି । ମୁଁ ତାଙ୍କ ଠାରୁ ଟିକିଏ ଦୂରରେ କଦମ୍ବ ଗଛ ମୂଳେ ବସି ଦୁଇ ଜଣଙ୍କ କଥା ସବୁ ନିରବରେ ଶୁଣୁଥାଏ । ପ୍ରଥମେ କନ୍ତାରୁ କହିଲା,
- ତୁଇ କେଉଁ ଭାଷାକୁ ଅଧିକ ଭଲପାଉ ବ କନ୍ଦର୍ପ ?
- ( କନ୍ଦର୍ପ କହିଲା ) ମୁଇଁ ସମ୍ବଲପୁରୀ ଭାଷାକୁ ବେଶି ଭଲପାଏ । ତୁଇ ସମ୍ବଲପୁରୀ ଭାଷାକୁ ଭଲ ନାଇଁ ପାଇବାର କି ?
- ଭଲପାଏ ତ । ସମ୍ବଲପୁରୀ ଭାଷା ସହ ଓଡିଆ, ହିନ୍ଦୀ, ତେଲୁଗୁ, ଇଂରାଜୀ, ସାନ୍ତାଳୀ, ସାଦ୍ରୀ ••• ସବୁ ଭାଷାକୁ ପ୍ରାଣ ଦେଇ ଭଲପାଏ । ହେଲେ ସବୁଠାରୁ ଅଧିକା ଭଲପାଏ ସେଇ ଛବିଳ ମଧୁ ବର୍ଣ୍ଣବୋଧ, ମଲାଟରେ ଯେଉଁ ବିଲେଇ ଚିତ୍ର ଅଛି ସେଇ ବହିଟି । ମୋ ପିଲାଦିନର ପାଠ ପଢା ମୁଁ ସେ ବହିରୁ ଆରମ୍ଭ କରିଥିଲି । ସେ ବହିଟି ମୋର ଭାରି ପ୍ରିୟ । ଆଜି ବି ମୋ ବହିଥାକରେ ସେଇ ଛବିଳ ମଧୁ ବର୍ଣ୍ଣବୋଧ ବହିଟି ସାଇତିକି ରଖିଛି । ମୁଁ ଆଜି ବହୁତ ଦୁଃଖିତ ସେ ବହିର ପୋଡିବାର ଦୃଶ୍ଯ ଦେଖି । ତୁ କ'ଣ ପିଲାଦିନେ ସେ ବହିଟି ପଢିନୁ କି ?
- ପଢିଛି । ସେ ବହି ମୁଁ ପଢି ନଥିଲେ ସମ୍ବଲପୁରୀ କେମିତି ଲେଖୁଥାନ୍ତି ଯେ !
ସେ ଦୁହିଁଙ୍କ କଥା ଶୁଣି ମୁଁ ସେଦିନ ପ୍ରଚୁର ଆନନ୍ଦ ପାଉଥାଏ । ମୁଁ ସେମାନଙ୍କ କଥା ଶୁଣି ହସିଲି । ମୋ ହସିବାର ଦେଖି ସେମାନେ ମୋ ପାଖକୁ ଆସି କହିଲେ ତୁ ତ ବିଭିନ୍ନ ଭାଷା ସାହିତ୍ଯ ଉପରେ ଗବେଷଣା କରୁଛୁ, ତା' ହେଲେ; ଆମକୁ କହ ଆମେ ଓଡିଆ ଭାଷା କୁ ବେଶି ଭଲପାଇବୁ ନା ସମ୍ବଲପୁରୀ ଭାଷାକୁ ?
ମୁଁ ଦ୍ବନ୍ଦରେ ପଡିଗଲି । କେଉଁ ଭାଷାକୁ ଶ୍ରେଷ୍ଠ ବୋଲି କହିବି ? ଜାଣିଛି ଓଡିଶାର ପ୍ରିୟ ଭାଷା ଓଡିଆ । ତା' ସହ ରାଜ୍ଯରେ ଅନେକ ତ ଆଞ୍ଚଳିକ ଭାଷା ଅଛି । ସେ ମଧ୍ୟରୁ ସମ୍ବଲପୁରୀ ତ ଏକ ଆଞ୍ଚଳିକ ଭାଷା । ଏମିତି ଅନେକ ମନ ଭିତରେ ବିଚାର ବିମର୍ଶ କଲା ପରେ ମୁଁ ସେମାନଙ୍କୁ କହିଲି ଆଗ ତୁମେ ଦୁହେଁ ଛିଡା ନ ହୋଇ ମୋ ପାଖରେ ବସ ତା' ପରେ ତୁମକୁ ଭାଷା ଉପରେ ସବୁ କଥା କହିବି । ସେମାନେ ଉତ୍ସୁକତାର ସହ ପାଖରେ ବସି ଶୁଣିବା ପାଇଁ ସଜ ହେଇଗଲେ ।
( ମୁଁ ସେ ଦୁହିଁଙ୍କୁ କହିଲି ) ଏ ପୃଥିବୀ ଆମର ବାସସ୍ଥାନ । ଏଠାରେ ବସବାସ କରୁଥିବା ସମସ୍ତ ମାନବ ହିଁ ଆମର କୁଟୁମ୍ବ । ଆମକୁ ପରସ୍ପର ସହ ହାତକୁ ହାତ ମିଳାଇ ଭବିଷ୍ୟତର ରାସ୍ତାରେ ଆଗକୁ ବଢିବାକୁ ହେବ । ସମସ୍ତଙ୍କୁ ଭଲ ପାଇବାକୁ ହେବ । ସମସ୍ତଙ୍କର ଭାଷାକୁ ଆମକୁ ଭଲପାଇବାକୁ ହେବ, ସମ୍ମାନ ଦେବାକୁ ହେବ, ସମାନ ବୋଲି ଭାବିବାକୁ ହେବ । ଆମ ପାଇଁ ଆମ ଭାଷା ଯେତିକି ମହାନ୍ ସେମାନଙ୍କ ପାଇଁ ମଧ୍ୟ ତାଙ୍କର ଭାଷା ସେତିକି ଦରକାରୀ । ଭାଷା ନହେଲେ ଭାବ ବ୍ଯକ୍ତ କେମିତି କରିବା ଯେ !
ପ୍ରତିଟି ଦିନ ଆମେ ଯେଉଁ ଭାଷାରେ ନିଜ ପ୍ରିୟ ମଣିଷ ମାନଙ୍କ ସହ ବାର୍ତ୍ତାଳାପ କରନ୍ତି ସେଇ ଭାଷା ତ ଆମର ପ୍ରିୟ ତଥା ମାତୃଭାଷା । ମାତୃଭାଷାର ଉନ୍ନତି ପ୍ରତ୍ଯେକଙ୍କୁ କରିବା ଦରକାର । ତା' ବୋଲି ଅନ୍ଯର ଭାଷା ପୁସ୍ତକକୁ ପାଦରେ ଦଳି, ନିଆଁ ରେ ଜାଳି ନିଜ ଭାଷାର ଉନ୍ନତି କ'ଣ କେବେ ସମ୍ଭବ ? ଅନ୍ଯ ଭାଷା ଲୋପ ପାଇଲେ କ'ଣ ନିଜ ଭାଷାର ଉନ୍ନତି ହେଇପାରିବ ? ଯଦି ନୁହେଁ । ତା' ହେଲେ ପୁସ୍ତକକୁ ନପୋଡି ନିଜ ଭାଷାର କାଳଜୟୀ ସାହିତ୍ୟ ସୃଷ୍ଟି ହିଁ ଭାଷା ସାହିତ୍ଯ ଉନ୍ନତିର ଏକମାତ୍ର ପନ୍ଥା ।
ଭାଷା ସାହିତ୍ୟର ସେବାରେ ନିଜକୁ ସଂପୂର୍ଣ୍ଣ ରୂପେ ସମର୍ପିତ କରି ତା'ର ପ୍ରଚାର ପ୍ରସାର କରିବା ହିଁ ଜଣେ ଭାଷା ପ୍ରେମୀର ପରମ କର୍ତ୍ତବ୍ୟ । ଭାଷା ସାହିତ୍ୟରେ ଯେ ପ୍ରତିଟି ମୁହୂର୍ତ୍ତ ବଞ୍ଚେ, ସେ ଭାଷାକୁ ଭଲପାଏ, ଜାତିକୁ ଭଲପାଏ ଆଉ ଏ ଧରାକୁ ବି ଭଲପାଏ ।
ଭାଷା ଆମ ମାଆ । ଭାଷାର ଅସମ୍ମାନ କଥା ଚିନ୍ତା କରିବା ହିଁ ମାଆକୁ ଅପମାନ ଦେବା ସହ ସମାନ । ଏଇ ଭାଷା ପାଇଁ ହିଁ ଆମେ ବିଶ୍ବରେ ପରସ୍ପର ସହ ମିତ୍ରତା ସ୍ଥାପନ କରି ପାରୁଛନ୍ତି । ଯଦି ପୃଥିବୀରେ କୌଣସି ଭାଷା ନ ଥାଆନ୍ତା ଆମେ କେହି କାହାରିର ଭାବନାକୁ ସଠିକ୍ ଭାବରେ ବୁଝି ପାରନ୍ତେ ନାହିଁ ।
ଭାଷାର ଅଦ୍ଭୁତ ଶକ୍ତି ଅଛି । ଏକଥା ମୁଁ ସ୍ବୀକାର କରୁଛି । କେଉଁ ଭାଷା ଶ୍ରେଷ୍ଠ ଏକଥା କେବଳ ସ୍ରଷ୍ଟା ହିଁ କହି ପାରିବେ । ମୁଁ ତ ଛାର ମାନବ । ଏ ସଂସାରରେ ଭିନ୍ନ ଭିନ୍ନ ଭାଷା ଅଛି । ମଣିଷ ମାନଙ୍କ ଭାଷା କଥା କୁ ତୁମେ ଦୁହେଁ ସଂପୂର୍ଣ୍ଣ ରୂପେ ଭୁଲିଯାଅ । ଭୁଲିଲ କି ନାହିଁ ? ହଁ ହଁ ଭୁଲିଗଲୁ ( ସେମାନେ ଉତ୍ତର ଦେଲେ ) । ଏବେ ଚିନ୍ତା କର ଯେ, ବାଛୁରୀ କେଉଁ ଭାଷାରେ ଗାଈ କୁ ଡାକେ ଯେ, ସେ ଯେତେ ଦୂରରେ ଥିଲେ ବି ଅତି ଶିଘ୍ର ବାଛୁରୀ ପାଖକୁ ଦୌଡି ଚାଲି ଆସିଥାଏ । କଳାହାଣ୍ଡିଆ ମେଘ କେଉଁ ଭାଷାରେ ଗୀତ ଗାଏ ଯେ, ମୟୁରୀ ପୁଚ୍ଛ ମେଲାଇ ନୃତ୍ଯ ରଚନା କରେ । ସୂର୍ଯ୍ୟମୂଖୀ ଫୁଲ ସୂର୍ଯ୍ୟର କେଉଁ ଭାଷା ବୁଝିପାରେ ଯେ, ସୂର୍ଯ୍ୟ ଉଇଁଥିବା ଦିଗକୁ ସେ ମୁହଁ କରି ଅନାଇଁ ରହିଥାଏ । ବେଙ୍ଗ କେଉଁ ଭାଷା ଶିଖିଛି ଯେ ସେ ବର୍ଷା ଆରମ୍ଭ ହେବା କ୍ଷଣି ରାବ କରେ । ଅର୍ଥାତ ଏ ସମସ୍ତଙ୍କ ଭିତରେ ଭାଷା ଅଛି । ହେଲେ ଭିନ୍ନ ଭିନ୍ନ । ଯଦି ପ୍ରକୃତିର ଭାଷା ନଥାଆନ୍ତା ଏମାନେ କ'ଣ ପରସ୍ପରକୁ ବୁଝି ପାରି ଖୁସିରେ ଆତ୍ମବିଭୋର ହେଇ ପାରୁଥାନ୍ତେ ।
ଭାଷାର କୌଣସି ଜାତି ନଥାଏ । ସେ ଉଚ୍ଚ ନୁହେଁ କି ନିଚ୍ଚ ନୁହେଁ । ଭାଷା ତ କେବଳ ଭାଷା ହିଁ ହେଇଥାଏ । ସେ କର୍ଣ୍ଣକୁ ଶ୍ରୁତି ମଧୁର ଆଉ ମନରେ ପ୍ରସନ୍ନତା ଭରି ଦେଇଥାଏ । ଆମେ କୌଣସି ଭାଷାକୁ ନିଚ୍ଚ କହି କାହା ମନରେ ଆଘାତ ଦେଇ ପାରିବା ନାହିଁ କି ଅପମାନିତ କରି ପାରିବା ନାହିଁ । ଏହା ଏକ ଦଣ୍ଡନୀୟ ଅପରାଧ । ଭାଷାକୁ ବୁଝିବା ଆଗରୁ ପ୍ରଥମେ ଆମକୁ ଭାବକୁ ବୁଝିବାକୁ ହେବ । ବିନା ଭାବରେ କ'ଣ ଭାଷାର ଉନ୍ନତି କେବେ ସମ୍ଭବ ? ନିଜ ହୃଦୟରେ ଯେବେ ଭାଷା ପ୍ରତି ପ୍ରେମ ଭାବ ସୃଷ୍ଟି ହେବ ସେବେ ଭାଷାର ଉନ୍ନତି ନିମନ୍ତେ ପଥ ପରିଷ୍କାର ହେଇଯିବ । ଭାଷା ବିନା ଏ ସଂସାରର ଅସ୍ତିତ୍ଵ ଯେପରି ଶୂନ୍ଯ, ଭାବ ବିନା ମନର ଅସ୍ତିତ୍ଵ ମଧ୍ୟ ସେହିପରି । ଭାବ ଓ ଭାଷା ପରସ୍ପର ପରିପୂରକ । ଜଣେ ଅନ୍ଯଠୁ ଅଭିନ୍ନ ।
ଧରାରେ ପ୍ରତିଟି ଜୀବଙ୍କର ନିଜ ନିଜର ଭାଷା ମାଧ୍ଯମରେ ସେମାନଙ୍କର ଭାବକୁ ସେମାନେ ପରସ୍ପର ମଧ୍ଯରେ ବିନିମୟ କରି ଆତ୍ମସନ୍ତୋଷ ଲାଭ କରନ୍ତି । ପରସ୍ପରକୁ ଭଲଭାବରେ ବୁଝିବା ପାଇଁ ସମର୍ଥ ହୁଅନ୍ତି । ଭାଷା ମାଧ୍ଯମରେ କବି, ଲେଖକ, କଳାକାର ମାନେ ନିଜ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି । ଯଦି ଭାଷା ନ ଥାଆନ୍ତା ଏ ସୃଷ୍ଟି ଆଜି ଅଚଳ ପ୍ରାୟ ଚଳୁଥାନ୍ତା । ଯଦି ସ୍ରଷ୍ଟା ପ୍ରାଣୀ ମନରେ ଭାବ ସୃଷ୍ଟି କରି ନ ଥାଆନ୍ତେ ତେବେ ଏ ଜଗତରେ ସମସ୍ତେ ରାକ୍ଷସ ସ୍ବଭାବର ହୋଇଥାନ୍ତେ । ଦଶଦିଗ ବିଷମୟ ପରିସ୍ଥିତି ସୃଷ୍ଟି ହେଇଥାନ୍ତା ।
ମୋ ଭାଷାକୁ ମୁଁ ଯଥା ସମ୍ଭବ ବଞ୍ଚାଇବା ପାଇଁ ଚେଷ୍ଟା କରିବି । ଯଦି ଏପରି ଭାବନା ମନରେ ଜାଗ୍ରତ ହେଲା ତେବେ ଭାଷା ନିଶ୍ଚିତ ବଞ୍ଚିବ । ଯଦି ଭାଷା ବଞ୍ଚିଲା ତେବେ ଭାଷା ସାହିତ୍ୟ ସୃଷ୍ଟି କରୁଥିବା ସ୍ରଷ୍ଟାଗଣ ବଞ୍ଚିଯିବେ ଧରା ଥିବା ଯାଏଁ, ଯୁଗ ଯୁଗ ଆଉ ଅନନ୍ତ ଅନନ୍ତ କାଳ ଯାଏଁ ।
ଥରୁଟିଏ ତୁମେ ଭାଷାକୁ ମନ ପ୍ରାଣ ଦେଇ ଭଲପାଇ ଦେଖ ! ଦେଖିବ ଏ ଭାଷା ତୁମକୁ ଏତେ ଭଲ ପାଇବ ଯେ, ନା ତୁମେ ତା'କୁ ଭୁଲିପାରିବ ନା ତୁମକୁ ସେ କେବେ ଭୁଲିବା ପାଇଁ ଦେବ । ତୁମ ଭିତରେ ଭାଷାର ଅଜସ୍ର ସୃଷ୍ଟି
ସମ୍ଭାବନା ଅଛି । ତୁମେ ବି ସୃଷ୍ଟି କରି ପାରିବ ସାହିତ୍ୟ । ସ୍ରଷ୍ଟା ହେଇ ପାରିବ ଆପଣା ରଚିତ ଜଗତର । ତୁମ ନିର୍ମିତ ଜଗତର ତୁମେ ସମ୍ରାଟ ହେଇ ପାରିବ । ଭାଷାକୁ, ଭାବକୁ ସମ୍ମାନ ଦେବାକୁ ହେବ । ଯଥା ସମ୍ଭବ ଭାଷା ସାହିତ୍ଯର ସୁରକ୍ଷା ସହିତ ପୂଜା କରିବାକୁ ହେବ । ତେବେ ଜଗତରେ ଭାଷା ବଞ୍ଚିବ, ତୁମେ ବଞ୍ଚିବ ।
ଭାଷାର ମୃତ୍ୟୁ ଚିନ୍ତା କରୁଥିବା ହୀନ ମସ୍ତିଷ୍କଧାରୀ ଜୀବ ହିଁ ନିର୍ଜୀବ । ଶୂନ୍ଯ ମସ୍ତିଷ୍କ ଆଉ ଶୂନ୍ଯ ହୃଦୟରେ ସେ ଏ ଧରାରେ ବିଚରଣ କରେ । ଜ୍ଞାନ ଶୂନ୍ଯ ଆଉ ବିବେକ ଶୂନ୍ଯ ତା'ର ମସ୍ତିଷ୍କ । ଭାଷାର ହୀନ ଚିନ୍ତା କରି କରି ସେ ରୋଗାଗ୍ରସ୍ଥ ହୋଇଯାଏ । ଯେଉଁ ରୋଗରୁ କି ସେ କେବେବି ଜୀବନକାଳ ଭିତରେ ମୁକୁଳି ପାରେ ନାହିଁ ବରଂ ରୋଗ ବଢିଥାଏ । ଆଉ ଶେଷରେ ଏ ମର୍ତ୍ତ୍ଯରୁ ସେ ଲୋପ ହେଇଯାଏ ।
ଯିଏ ଯେତେ ଉପରକୁ ଉଠି ଥାଉନା କାହିଁକି ଯେବେ ଏ ଭାଷା ଯାହାକୁ ହୁଡେ ସେ ତଳକୁ ନୁହେଁ ନିନ୍ଦା ଅପମାନ ପାଇ ସବୁଦିନ ପାଇଁ ଉପରକୁ ଉଠିଯାଏ । ଏ ଜଗତ ଭାଷାର ଜଗତ । ଏ ଜଗତ ସାହିତ୍ଯର ଜଗତ । ଏଠାରେ ଭାଷା ସାହିତ୍ଯର ନିନ୍ଦା ଅକ୍ଷମଣୀୟ ।
ଯଦି ନିଜେ ଅମର ହେବାକୁ ଇଚ୍ଛା କରୁଛ ତା' ହେଲେ ଭାଷା ଜ୍ଞାନର ଅଧିକାରୀ ହୁଅ । ଯଦି ନିଜ ଆତ୍ମାକୁ ପରମାତ୍ମାଙ୍କ ଠାରେ ଲୀନ କରିବାକୁ ଚାହୁଁଛ, ମିଶାଇବାକୁ ଚାହୁଁଛ ତେବେ ଭାଷାକୁ ଆପଣାର ଆତ୍ମା ସହ ପ୍ରଥମେ ମିଶାଅ ପ୍ରେମରେ, ସତ୍ଯରେ କେବେବି ପ୍ରତାରଣା କିମ୍ବା ଅସତ୍ଯରେ ନୁହେଁ । ଯେତେ ପାର ସମ୍ଭବ ଭାଷାର ପ୍ରଚାର ପ୍ରସାରରେ ନିଜକୁ ନିୟୋଜିତ ରଖ । ଭାଷାକୁ ସମସ୍ତଙ୍କ ହୃଦୟର ନିଭୃତ ଦେଶକୁ ପହଞ୍ଚାଅ । ବିଭିନ୍ନ ସତ୍ ସାହିତ୍ଯ ସୃଷ୍ଟି କର ଯାହା ସମାଜର ହିତରେ ଲାଗିବ । ବିଭିନ୍ନ ଗଳ୍ପ, ପ୍ରବନ୍ଧ, କବିତା ରଚନା କରି ଭାଷାର ଉନ୍ନତି ଚିନ୍ତା କଲେ ଭାଷାର ଉନ୍ନତି ଆପେ ଆପେ ହେଇଯିବ । ପରସ୍ପର ଆରୋପ ପ୍ରତ୍ଯାରୋପରେ କ'ଣ ଭାଷାର ଉନ୍ନତି ସମ୍ଭବ ? କେବେ ନୁହେଁ । ଭାଷାର ଉନ୍ନତି ଆଶା କରିବା ହିଁ ତ ବୃଥା । ଭାଷାର ସେତେବେଳେ ଉନ୍ନତି ହେବ ଯେତେବେଳେ ଭାଷା ସାହିତ୍ଯର ସ୍ରଷ୍ଟା ମାନେ, ଭାଷାର ଉନ୍ନତି ଚିନ୍ତା କରୁଥିବା ଫୌଜ ମାନେ ସତ୍ ସାହିତ୍ୟ ସୃଷ୍ଟି କରି ସମାଜକୁ ଦାନ କରିବେ । ତା'ର ପ୍ରଚାର ପ୍ରସାର କରି ଜନମାନସର ଚିତ୍ତବୃତ୍ତିରେ ହଜାଇଦେବେ ସେବେ ଭାଷାର ଉନ୍ନତି ସମ୍ଭବ । ନଚେତ୍ ଭାଷା ରସାତଳଗାମୀ ହେବ ସିନା କେବେ ଉନ୍ନତି ନୋହିବ ।
ଆପଣ ମାନଙ୍କର ଅନ୍ତରାତ୍ମା କ'ଣ କହୁଛି ? ଭାଷାର ଉନ୍ନତି କରିବେ ନା ନାହିଁ ? ଯଦି କରିବେ, ତା' ହେଲେ କେମିତି କରିବେ ? କେଉଁଠାରୁ ଆରମ୍ଭ କରିବେ ? କଳିଝଗଡା ଲାଗି, ପରସ୍ପରକୁ ଦୋଷାରୋପ କରି, ଅନ୍ଯକୁ ବ୍ଯଙ୍ଗ କରି ? ନୁହେଁ ନା ! କେବଳ ପରସ୍ପରକୁ ଭାଷାର ମନ୍ତ୍ରରେ ଅଭିମନ୍ତ୍ରିତ କରି, ପ୍ରେମ କରି । ଏହା ହିଁ ଶେଷ ସ୍ବର ହେଉ । ବିନା ପ୍ରେମର ବାର୍ତ୍ତାରେ ଏ ଜାତି କେବେବି ଭାଷାକୁ ବୁଝି ପାରିବ ନାହିଁ । ତେଣୁ ପ୍ରେମ ମାଧ୍ୟମରେ ସଭିଙ୍କୁ ଏକାଠି କରିବାକୁ ହେବ । ବିନା ପ୍ରେମର ଭାବରେ, ଶବ୍ଦରେ, ଭାଷାରେ କ'ଣ ସାହିତ୍ୟ ସୃଷ୍ଟି ସମ୍ଭବ ? କେବେବି ସମ୍ଭବ ନୁହଁ । ଆପଣା ଭାଷାର ଉନ୍ନତି ସେତେବେଳେ ହେବ ଯେତେବେଳେ ଏ ସଂସାର ବାସୀ ପ୍ରକୃତିକୁ ପ୍ରେମ କରିବା ଶିଖିଯିବେ । ପରସ୍ପରକୁ ପ୍ରେମ କରି ପ୍ରେମର ଅର୍ଥକୁ ହୀନ ଆଉ ରୁଗ୍ଣ ବୋଲି ବିଚାର ନ କରିବେ । ପ୍ରେମ କେବେବି ପାପ ନୁହେଁ ପବିତ୍ର ବୋଲି ଭାବିବେ ।
ପ୍ରେମ ସାହିତ୍ୟର ମଶାଲ ଜାଳି ଯେ କୌଣସି ଭାଷାର ଉନ୍ନତି ସାଧନ କରିହେବ । ନା କେବେ ଭାଷାର ଉନ୍ନତି ହିଂସାରେ କରିହେବ ନା ଆରୋପ ପ୍ରତ୍ଯାରୋପରେ ।
ମଇନା ହେଉ ଅବା ଶାରୀ କଥା ଶିଖାଇଲେ ସେମାନେ ଶିଖନ୍ତି । ସେମାନେ କେବେ ପଚାରନ୍ତି ନାହିଁ ଏହା କେଉଁ ଜାତିର, କେଉଁ ରାଷ୍ଟ୍ରର କି କେଉଁ ଭୂଖଣ୍ଡର ଭାଷା ବୋଲି । ସେମାନେ କେବଳ ଭାଷା ଶିଖନ୍ତି । ଯାହା ଶିକ୍ଷା ପାଆନ୍ତି ମାଲିକକୁ ତାହା ଶୁଣାନ୍ତି । ମାଲିକର କାର୍ଯ୍ଯରେ ସହଯୋଗ କରନ୍ତି । ଏଠାରେ ଭାଷା ଶିଖଉ ଥିବା ଆଉ ଭାଷା ଶିଖୁଥିବା ଦୁହିଁଙ୍କ ଭିତରେ ଭାଷା ପ୍ରତି ପ୍ରଗାଢ ପ୍ରେମ ଥାଏ ।
ପ୍ରଥମେ ଭାଷାର ମହତ୍ତ୍ବକୁ ବୁଝିବାକୁ ହେବ । ଭାଷା ପାଇଁ ନିଜର କେତେ ଉନ୍ନତି ହୋଇଛି ମନ ଭିତରେ ବିଚାର କରିବାକୁ ହେବ । ତା' ହେଲେ ଅନ୍ଯ ଭାଷା ପ୍ରତି ଥିବା ଅହମିକା କ୍ଷଣିକେ ମନରୁ ଦୂରିଭୂତ ହେଇ ପାରିବ ।
ଯେ ନିଜକୁ ଭଲପାଏ ନାହିଁ ସେ ନିଜ ଭାଷାକୁ କେତେବେଳେ ଭଲ ପାଇବ ? ଆଉ ଯେ ନିଜ ଭାଷାକୁ ଭଲ ପାଇବାରେ ଅସମର୍ଥ ସେ କେବେମଧ୍ୟ ଅନ୍ଯ ଭାଷାକୁ ଆଦର କି ସମ୍ମାନ ପ୍ରଦର୍ଶନ କରି ପାରିବ ନାହିଁ । ଅର୍ଥାତ୍ ସେ ଧରାର ଭାର ସଦୃଶ୍ଯ । କେବଳ ଜୀବିତ ହେଲେ ବୁଦ୍ଧି ବିବେକ ଶୂନ୍ଯ ମୃତ ପ୍ରାୟ ଅଚଳ । ଯଦି ମୁଁ ମୋ ଦେଶକୁ ଭଲ ପାଇବି ନାହିଁ ତେବେ ଗାଆଁକୁ କିପରି ଭଲପାଇ ପାରିବି ? ଏହା କ'ଣ କେବେ ସମ୍ଭବ ? ବୃକ୍ଷକୁ ଯଦି ଭଲ ପାଇବି ନାହିଁ ତା'ର ପତ୍ରକୁ କେତେବେଳେ ଭଲ ପାଇବି ? ସେହିପରି ରାଜ୍ଯର ଭାଷା ଓଡିଆକୁ ମନରେ, ହୃଦୟରେ, ଆଳାପରେ ଯଦି କେବେ ଭଲ ପାଇବି ନାହିଁ ତେବେ ମୁଁ କଦାପି ଜୀବନରେ ଆଞ୍ଚଳିକ ଭାଷାକୁ ଭଲପାଏ ବୋଲି ସ୍ବୀକାର କରି ପାରିବି ନାହିଁ ।
ତୁମେ କ'ଣ ସତରେ ଭଲପାଅ ନିଜ ଭାଷାକୁ ? ସତରେ କ'ଣ ତୁମେ ସାହିତ୍ୟ ସୃଷ୍ଟି କରି ମାନବ କଲ୍ଯାଣ କରିବାକୁ ଇଚ୍ଛୁକ ? ଏ ଧରାକୁ, ଭାଷା ସାହିତ୍ଯକୁ ତୁମେ କ'ଣ ସତରେ ଭଲପାଅ ? ତୁମେ ମୋ ପ୍ରଶ୍ନର ଉତ୍ତର ଦେଇ ପାରିବ ନାହିଁ । କାରଣ ମୁଁ ଜାଣିଛି ନା ତୁମେ ନିଜ ଭାଷାକୁ ଭଲପାଅ ନା ମାଟିକୁ, ନା ନିଜ ଗାଆଁ କୁ ଭଲପାଅ ନା ମାଆକୁ ! ତୁମେ କେବଳ ଭଲପାଇବାର ଅଭିନୟ କରୁଛ । ବାସ୍ତବରେ ଭଲ ପାଉନ । ଯେ ନିଜ ମାଆକୁ ଭଲପାଏ ସେ ନିଜ ମାତୃଭୂମି ଓ ମାତୃଭାଷା କୁ ନିଶ୍ଚିତ ଭଲପାଇବ । ଓଡିଶାରେ ବସବାସ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ତଥା ପ୍ରିୟ ଭାଷା ହେଉଛି ଓଡିଆ । ଓଡିଆ ଭାଷା ଆମର ପ୍ରିୟ । ସକାଳୁ ସଞ୍ଜ- ରାତିରୁ ପାହାନ୍ତିଆ ପର୍ଯ୍ଯନ୍ତ ତ ଆମେ ଓଡିଆ ଭାଷାରେ ଜୀଅଁନ୍ତି । ଓଡିଶା ଭିତରେ ଆମେ ଯେଉଁ ଅଞ୍ଚଳକୁ ଭ୍ରମଣରେ କିମ୍ବା କର୍ମରେ ଯାଆନ୍ତି ସେଠାରେ ଆମେ ଆଞ୍ଚଳିକ ଭାଷାର ହିଁ ବ୍ଯବହାର କରିଥାନ୍ତି । ଆଞ୍ଚଳିକ ଭାଷା ତ ଅନେକ ଅଛି । ହେଲେ କୌଣସି ଆଞ୍ଚଳିକ ଭାଷାକୁ ଆମେ କ'ଣ ରାଜ୍ଯର ରାଜଭାଷା କରି ପାରିବା ? ଏମିତି ହେଲେ ତ ଓଡିଶାରେ ବସବାସ କରୁଥିବା ଆଦିମ ଅଧିବାସୀମାନେ ନିଜ ନିଜ ଭାଷାକୁ ରାଜ୍ୟର ମୁଖ୍ଯ ଭାଷା କରିବାକୁ ଆନ୍ଦୋଳନ କରିବେ । ସେତେବେଳେ ତ ଜଗନ୍ନାଥଙ୍କ ଅହିଂସା ରାଜ୍ଯ ହିଂସାରେ ହୋଲି ଖେଳୁଥିବ ।
ତୁମେ କ'ଣ କେବେ ତୁମ ନିଜ ଭାଷାର ଅସମ୍ମାନ କିଏ କରୁଥିବା ଦେଖି ସହି ପାରିବ ? କେବେ ନୁହେଁଟି । ହେଲେ ଅନ୍ଯ ଜଣେ କେମିତି ଦେଖି ସହି ପାରିବ ତା' ଭାଷାକୁ ତୁମେ ଅସମ୍ମାନ କରୁଥିଲେ ?
ମୁଁ ଯେବେ ଆମେରିକା ଯାଏ ସେବେ ଇଂରାଜୀ ରେ କହେ, ଯେବେ ଦିଲ୍ଲୀ ଯାଏ ହିନ୍ଦୀରେ, ତାମିଲନାଡୁ ଗଲେ ତାମିଲ୍ ଭାଷାରେ । ତା' ବୋଲି କ'ଣ ମୋ ପ୍ରିୟ ଓଡିଆ ଭାଷାକୁ ସେଠାରେ ମୁଁ ଅସମ୍ମାନ କରିବି ? ଭୁଲିଯିବି ତା'କୁ ଯେ ମୋତେ ଭାଷା ଶିଖେଇ ଏଡୁଟିଏରୁ ଏଡେଟିଏ କଲା । ମୁଁ କେମିତି ଭୁଲିଯିବି ମୋ ଆଞ୍ଚଳିକ ଭାଷା ସମ୍ବଲପୁରୀକୁ ? ସେ ତ ମୋ ଅତି ପ୍ରିୟ ଭାଷା । ମୋ ଗାଆଁର ଆଖପାଖ ଅଞ୍ଚଳରେ ଅନେକ ଭାଷାଭାଷୀ ଲୋକ ବାସ କରୁଛନ୍ତି । ସେମାନଙ୍କ ସହ ଯେବେ ବାର୍ତ୍ତାଳାପ କରେ ସେବେ ମୁଁ ସେମାନଙ୍କର ଭାଷା ହିଁ କହିଥାଏ । କାରଣ ସବୁ ଭାଷା ମୋର ପ୍ରିୟ । ମୁଁ ପୃଥିବୀର କୌଣସି ଭାଷାକୁ ନା ଘୃଣା କରିପାରେ ନା ଅସମ୍ମାନ । ମୁଁ ମାନବ ଜାତିକୁ ଯେତିକି ଭଲପାଏ, ମାନବ ମାନେ କହୁଥିବା ଭାଷାକୁ ମଧ୍ୟ ସେତିକି ଭଲପାଏ । ଆଉ ଆପଣ ଦୁହେଁ ••• ?
ମୋ ପ୍ରଶ୍ନ ଶୁଣି କନ୍ଦର୍ପ ଆଉ କନ୍ତାରୁ ଉତ୍ତର ଦେଲେ, ହଁ ହଁ ଆମେ ବି ଭଲପାଉ ।