ଭାରି ଅବୁଝା ଏ ମନ
ଭାରି ଅବୁଝା ଏ ମନ
ଗାଁରେ ରହି ଗାଁ ସ୍କୁଲରେ ଶିକ୍ଷୟିତ୍ରୀ ଥାଆନ୍ତି ପ୍ରୀତି. ପ୍ରତିଟି ସକାଳ ପାହିଲେ କେମିତି ଛାତ ଉପରକୁ ଯିବେ ଭାବି ଆଖିକୁ ନିଦ ନଥାଏ ପ୍ରୀତିଙ୍କର. ଛାତ ଉପରେ ଗୋଟେ ଆକର୍ଷଣ ଥାଏ ତାଙ୍କ ପାଇଁ. ବିଭିର୍ନ୍ନ ଚଢେଇଙ୍କ କଲରବ ଭିତରେ ସ୍ୱର ଅନୁକରଣ କରି ଅନେକ ପକ୍ଷୀ ଭିତରେ ପ୍ରୀତିଙ୍କ ଆଖି ଖୋଜୁଥାଏ ଶୁଆଙ୍କୁ , ହଳଦୀ ବସନ୍ତ ପକ୍ଷୀକୁ. କେଜାଣି କୋଉଠି ଥାଆନ୍ତି ହଳଦୀ ବସନ୍ତ ଚଢେଇ କେଇଟା ଦେଖିଦେଲେ ସନ୍ତୁଷ୍ଟ ଚିତ୍ତରେ ଛାତରୁ ତଳକୁ ଓଲ୍ହେଇବା ପୂର୍ବରୁ ପ୍ଲାଷ୍ଟିକ, ଷ୍ଟିଲ ଓ ମାଟି ଘଡ଼ା ମାନଙ୍କରେ ପକ୍ଷୀଙ୍କ ପାଇଁ ପାଣି ମୁନ୍ଦେ ମୁନ୍ଦେ ରଖିଦେଇ ଆସିବାକୁ ଭୁଲନ୍ତି ନାହିଁ କେଵେ ପ୍ରୀତି . ସତକୁ ସତ କାଉ, ବଣି, ପାରା ଭଳି କିଛି ପକ୍ଷୀ ପାଣି ପିଇ ପ୍ରୀତି ତାଙ୍କ ପାଇଁ ରଖିଥିବା ଠାକୁରଙ୍କ ଭୋଗ ଖାଇ ଉଡିଗଲେ କି ଶାନ୍ତି ଲାଗେ ପ୍ରୀତିଙ୍କୁ!ଦିନଟା ଭଲରେ କଟେ ସତରେ ।
ତଳକୁ ଆସି ମୋବାଇଲରେ ସକାଳର ପ୍ରୀତି ମୈତ୍ରୀ ଭରା ଗୁଡ୍ ମର୍ଣ୍ଣିଙ୍ଗ ଦେଖୁଦେଖୁ ଆହୁରି ବଢିଯାଏ ଜୀଵନର ଆହା, ରାହା ଓ ସାହା ସତେ ଯେମିତି.ତ ତା ଭିତରୁ ପ୍ରୀତିଙ୍କ ବାନ୍ଧବୀ ସନ୍ଧ୍ୟାଙ୍କ ସହିତ ଅନ୍ୟମାନଙ୍କୁ ପ୍ରୀତି,ମୈତ୍ରୀ, ସଦ୍ଭାବନା, ଭାଇଚାରା ବଢ଼େଇ ଗୁଡ୍ ମର୍ଣ୍ଣିଙ୍ଗର ପ୍ରତ୍ୟୁତ୍ତର ମଧ୍ୟ ଦେବାକୁ ଭୁଲନ୍ତି ନାହିଁ ପ୍ରୀତି. ସମସ୍ତଙ୍କୁ ଜଗନ୍ନାଥଙ୍କ ପ୍ରତିଛବି ଦେଲାବେଳେ ବାନ୍ଧବୀ ସନ୍ଧ୍ୟାଙ୍କୁ ସ୍ୱତନ୍ତ୍ର ପକ୍ଷୀ ଛବି ସହିତ କିଛି କବିତାର କିୟଦଂଶ ବା ପଂକ୍ତି ଯେମିତିକି ଉଡି ଉଡି ଯିବୁ ପକ୍ଷୀରେ ତୁହି... ବାନ୍ଧବୀଙ୍କୁ ସ୍ନେହ ପ୍ରେମ ଶ୍ରଦ୍ଧା ଜଣେଇ.. ଫେରିବୁ ନମସ୍କାର ତୁ ହୋଇ, ଏହିପରି କିଛି ଲେଖି ଛାଡିଦିଅନ୍ତି. ସନ୍ଧ୍ୟା ତାଙ୍କର ଖାଲି ସହକର୍ମୀ ନୁହଁନ୍ତି ବରଂ ସାଙ୍ଗ. ତାଙ୍କ ଆଗରେ ସବୁ ମନକଥା କହିହୁଏ. ଦୁହେଁ କମନ ରୁମରେ ବସି କେତେ ଦୁଃଖ ସୁଖ ହୁଅନ୍ତି ତ କାହା ଦେହରେ ଯାଏନି ତ ଯାହା ଦେହରେ ଯାଏ ସେ କହେ ଦୁଇ ପ୍ରେମ ପକ୍ଷୀ ପରି କଣ କେତେ ଗପୁଛ!ହସି ଦିଅନ୍ତି ଦୁହେଁ. ହେଲେ ତାଙ୍କ ଗୁଡ୍ ମର୍ଣ୍ଣିଙ୍ଗ ପ୍ରତ୍ୱ୍ୟୁତ୍ତରରେ ସନ୍ଧ୍ୟା ଗୁରୁମା ଗୋଟେ ନାକର ଇମୋଜୀ ଦେବା ଦେଖି ପ୍ରୀତି ଭାବନ୍ତି କେତେ କଣ!କିଛି ପଚାରନ୍ତି ନାହିଁ କିନ୍ତୁ ବାନ୍ଧବୀ ସନ୍ଧ୍ୟାଙ୍କୁ ।
ଗାଁ ଘର ଆଗରେ ଥିବା ବିରାଟ ବରଗଛର ଶାଖା ପ୍ରଶାଖାରେ ବସୁଥିବା, ରହୁଥିବା ଓ ଉଡିଆସି ପୁଣି ଫେରିଯାଉଥିବା ପକ୍ଷୀ ପାଇଁ ସକାଳ ପ୍ରୀତିଙ୍କର ସ୍ୱର୍ଣ୍ଣିମ ତଥା ଆମୋଦପୂର୍ଣ୍ଣ ହୁଏ. ସନ୍ଧ୍ୟା ଗଡିଗଲା ପରେ ସେଇ ପକ୍ଷୀର ଭାବନା ପ୍ରୀତିଙ୍କୁ ବିଚଳିତ କରେ. କାରଣ ଏବେ ଏଇ କିଛି ଦିନ ହେଲାଣି ରାତି ପ୍ରାୟ ବାରଟା ପରେ ଗୋଟେ ପକ୍ଷୀର ବୋବାଳି ତାଙ୍କୁ ଭୟଭୀତ କରୁଛି. ଠିକ ବାରଟା ପରେ ଗୋଟାଏ ପାଖାପାଖି ସମୟରେ ଚଢେଇଟା ବୋବାଇ ବୋବାଇ ତାଙ୍କ ବେଡ଼ ରୁମ ଉପର ବା କୋଉ ଦିଗରୁ କୋଉ ଦିଗ ଯାଏଁ ଉଡିଯିବାଟା ପ୍ରୀତିଙ୍କୁ ଭୟଭୀତ କରାଏ ତ ଏଣିକି ସେ ଆଉ ଢେର ରାତି ଯାଏଁ ନଚେଇଁ ଶୋଇପଡନ୍ତି. କେଵେ କେଵେ ଚଞ୍ଚଳ ଶୋଇପଡିଲେ ଯଦି ବାରଟା ବା ଗୋଟାଏ ଭିତରେ ନିଦ ଭାଙ୍ଗେ ତ ଲେଖାଲେଖି କରିବାକୁ ଖାତା କଲମ ଧରି ବସନ୍ତି ପ୍ରୀତି. କାରଣ କବିତାର ଦୁଇଧାଡି ମନକୁ ଆସେ ତ ଲେଖିନନେଲେ ମନ ସିଲଟରୁ ଉଭେଇ ଯାଏ. ସେମିତି ଗପର ପ୍ଲଟଟିଏ ମନକୁ ଆସେ ତ ଲେଖି ନରଖିଲେ ଭୁଲିହୋଇଯାଏ ଆପେ ଆପେ ତ ସ୍ୱାମୀ ମଧ୍ୟ ଲାଇଟ ଲଗେଇଲେ ବିରକ୍ତ ହୁଅନ୍ତି କହନ୍ତି ପ୍ଲଟ ତ ଅନେକ ପଡିଛି ଲେଖିବ ଆଉ ରାତି ଅଧରେ କଣ ଲେଖା ଆରମ୍ଭ ହେଲା ଯେ!
କଲମରେ କ୍ୟାପ ଦେଉ ଦେଉ କେଵେ ସେଇ ପକ୍ଷୀର ରାବ ତ କେଵେ ଲାଇଟ ଲିଭାଇ ପୁଣି ଶୋଇବାକୁ ଗଲା ବେଳେ ସେଇ ପକ୍ଷୀର ରାବ. ବିଚଳିତ ହୁଏ ମନ. ସ୍ୱାମୀ କହନ୍ତି ପକ୍ଷୀର ଧର୍ମ ସେ ବୋବେଇବ ଏତେ ଭାବନା କଣ!ପ୍ରୀତି ମନେ ମନେ ମନକୁ ବୁଝାନ୍ତି. ମନ ତ ଅବୁଝା, ବୁଝେନି ଜମା ।
ପ୍ରୀତି ନିଜ ମନକଥା ପ୍ରକାଶ କଲେ ସନ୍ଧ୍ୟାଙ୍କ ଆଗରେ ତ ସେ ପରାମର୍ଶ ଦେଲେ ହୁଏତ ଆପଣଙ୍କ ଜାତକର କୋଉ ଘରେ କୋଉ ଗ୍ରହ ଥିବେ ଯାହା ଫଳରେ ଅଶୁଭ ପକ୍ଷୀ ବୋବେଇବା ଶୁଣୁଛନ୍ତି ତେଣୁ ନବଗ୍ରହକୂଟ ପାଇଁ କିଛି ପ୍ରତିକାର କରନ୍ତୁ. ଆଶ୍ଚର୍ଯ୍ୟ ହେଲେ ପ୍ରୀତି. ତାଙ୍କର ମନେ ପଡୁଥିଲା ସେଇ ଗୀତର ଧାଡି ସବୁ ଯେ,ଆଖି ମୁଜିଦେଇ କିଏ ବା ଦେଖିଛି କେମିତି ଦିଶଇ ଜହ୍ନ... ମନ ନାହିଁ ଯାର ସେ କାହୁଁ ବୁଝିବ ଆଉ ଜଣଙ୍କର ମନ... ନିଜର ମନକୁ ନିଜେ ବୁଝେଇବା ସବୁଠୁ କାମ.. ଭାରି ଅବୁଝା ଏ ମନ.. ଭାରି ଅବୁଝା ଏ ମନ. ଠିକ ସେତିକି ବେଳକୁ ସନ୍ଧ୍ୟା କହୁଥିଲେ ଜାଣିଲ ପ୍ରୀତି ମୋର ପରା ଜାତକର ଦ୍ୱାଦଶ ଘରେ ଶନି ରହିଥିବାରୁ ମୋ ଆଖିକୁ ଜମା ଭଲ ଦିଶୁନଥିଲା. ଆମ ବାବୁ ବୟସର ଦୋଷ କହି ଏଡେଇ ଯାଇ ଥରକୁ ଥର ଚଷମା ବଦଳାଉଥିଲେ ମୋ ପାଇଁ ହେଲେ ମୁଁ ଏବେ ଗ୍ରହ ପୂଜା କରିବା ପରେ ମୋ ଆଖି ଟିକେ ଭଲ ଅଛି. ପ୍ରୀତି ଦେଖିଲେ ଏବେ ସନ୍ଧ୍ୟା ଆଉ ତାଙ୍କ ଗୁଡ୍ ମର୍ଣ୍ଣିଙ୍ଗ ପ୍ରତ୍ୱ୍ୟୁତ୍ତରରେ ଇମୋଜି ନାକ ଚିତ୍ର ବଦଳରେ ଇମୋଜି ନମସ୍କାର ଚିତ୍ର ଦେଉଛନ୍ତି ତ ସେ ବି ନବମହାଗ୍ରହ ପୂଜା ପାଇଁ ସ୍ୱାମୀଙ୍କୁ ତାଳିକା ଧରାଇ ଦେଲାବେଳେ ସେ କହୁଥିଲେ ଭଗବାନଙ୍କ ସୃଷ୍ଟିରେ କେତେ ପ୍ରକାର ଜୀବ ଓ ତାଙ୍କ ପ୍ରକୃତି ତଥା ବିଚରଣ, ଆଚରଣ ଓ ଉଚ୍ଚାରଣ. ମଣିଷ ରଡି କରିବ ପକ୍ଷୀ କରିବନି!ପ୍ରୀତି କହୁଥିଲେ ନିଜର ମନକୁ ବୁଝେଇବା ସହଜ ନୁହେଁ ପରା.କିନ୍ତୁ ସେଦିନ ସେଇ ସୁନେଲି ସକାଳେ ହଳଦୀ ବସନ୍ତ ସଙ୍ଗେ ଯୋଉ ଚଢ଼େଇଟାର ପ୍ରତ୍ୟେକ୍ଷ ଓ ପରୋକ୍ଷ ଯୁଦ୍ଧ ଚାଲିଥିଲା ସେ ପକ୍ଷୀର ନାମ ନଜାଣିଲେ ମଧ୍ୟ ତା ବୋବାଳି ଅନେକାଂଶରେ ସେହି ରାତ୍ରୀର ପକ୍ଷୀ ବୋବାଳି ପରି ମିଶୁଥିଲା ତ ସେଦିନୁ ଆଉ ଏତେ ଡର ଆସୁନଥିଲା ପ୍ରୀତିଙ୍କୁ. ସବୁକଥା ଶୁଣି ସନ୍ଧ୍ୟା କହୁଥିଲେ ଦେଖିଲ ପ୍ରୀତି,ଗ୍ରହଶାନ୍ତିର ଫଳ!
ପ୍ରୀତି କହୁଥିଲେ ହଁ ହଳଦୀ ବସନ୍ତ ଅଛି ତ କିଛି ଅସୁବିଧା ନାହିଁ. ସନ୍ଧ୍ୟା ପ୍ରୀତିଙ୍କ ମନକଥା ବୁଝିବାକୁ ଚେଷ୍ଟା କରୁଥିଲେ ।
