Parameswar Ojha

Inspirational

3  

Parameswar Ojha

Inspirational

ଭାବନା

ଭାବନା

2 mins
282


ସୁମିତ୍ରା ଅତିଷ୍ଠ ହୋଇ ଗଲେଣି ବୋହୁର ଏମିତି କାର୍ଯ୍ୟ କଳାପରେ । ଭାତ ଥାଳି ପାଖକୁ ଠେଲି ଦେବ,  ଯେମିତି ନାହିଁ ସେମିତି ରାନ୍ଧି ବାଢ଼ି ଥୋଇ ଦେବ । ଦୁମ୍ ଦୁମ୍ ହୋଇ ଚାଲୁଥିବ, ଗାଧୋଇ ଦେଲା ବେଳେ ସେମିତି ଉପର ଠାଉରିଆ ଭଳି ପୋଛି ପାଛି ଦେବ ବାସ୍ ସରିଲା... । ସାନ୍ଠଣା ନାହିଁ ସଂସ୍କାର ନାହିଁ ଏଇ କଣ ବୋହୁର ପ୍ରକୃତି ? ଏମିତି କଣ ସବୁ ବୋହୁର କର୍ତ୍ତବ୍ୟ ? ଛି..ଛି.. ଛି... ମୋ ଭାଗ୍ୟ ମନ୍ଦ ଥିଲା ଯାହା ଏମିତି ମୁଖରୀ ବୋହୁ ଟି ଜୁଟିଲା ମୋ ଭାଗ୍ୟରେ ।  ଆଖିକୁ ଦେଖା ଯାଉନି ବୋଲି ଏତକ ଫଳ । ନହେଲେ ମୋ ପସନ୍ଦର ସୁନାନାକି ବୋହୁ ମୁଁ ବାଛି ଆଣିଥାନ୍ତି । କୋଉଥିରେ ବାରିଲା ପରି ନଥାନ୍ତେ କେହି । କହୁଛି କଣ ନା କାମ କାମ କାମ ....କି କାମ କରୁଛି କି ଏମିତି .. ? ଅଫିସକୁ ତ ଯାଉଛି ୧୦ ରୁ ୪ । ସତରେ କାମ ଅଛି କି ଗୋଡ଼ ଉପରେ ଗୋଡ଼ ପକେଇ ବଉଛି କିଏ ଜାଣେ ? ଅଫିସ୍ କାମ ଅଫିସରେ ରଖି ଆସିବୁ ନାଁ ସବୁବେଳେ ସେଇ ଲାପଟପକୁ ଧରି ବସିଯିବୁ କହିଲେ କହିବୁ କଣ ନାଁ ସାର୍ ଦେଇଛନ୍ତି ବାକିଆ କାମ ଚାଲିଛି .. । ଛାଡ ଆଜି କାଲିକା ପିଲାଙ୍କୁ ପାରି ହେବନି । ସେ ଯାହା କରୁଛି କରୁ ମୋର ତ କପାଳ ମନ୍ଦ ଏମିତି ବୋହୁଟେ ଜୁଟିଛି ଆସି । "

ବୋହୁ ନିଳିମା କାନରେ ଟିକେ କିଛି ପଡ଼ିଲେ ସେ କୋଉ ଛାଡିବା ପିଲା ଯେ ସେ ବି ବକିଦିଏ --" କାଇଁ ଗୋଟେ ସେମିତି ଗେଜେ ଗେଜେ ହେଉଛ

କହିଲ । ଖାଇ ପିଇ ଗୋଟେ ଜାଗାରେ ବସିବା ଲୋକ ବସୁନ । ସବୁବେଳେ ମୁଣ୍ଡଟାକୁ କାଇଁ ଖାଉଛ କହିଲ ? ଅଫିସ୍ କାମ କରି ଘର କାମ କରିବ ଘର ବାହାର ଭଲ ମନ୍ଦ ବୁଝିବ ସେଥିରେ ପୁଣି ନିନ୍ଦା ଅପବାଦ ସହିବ ? "

ସୁମିତ୍ରାଙ୍କ ଦେହରେ ବୋହୁର ଏଭଳି କଥା ବିଲକୁଲ ବି ହଜମ ହୁଏନି । ଉପର ମୁହିଁ ବୋହୁ ବୋଲି ଏମିତି ନେଉଟ ଜବାବ୍ ଦେଉଛି । ଆମ ବେଳେ ଶାଶୁଙ୍କ ସାମ୍ନାରେ କଥା କହିବାକୁ ଭୟ ଲାଗୁଥିଲା,  ଆଉ ଇଏ ବୋହୁର ତ ପାଟିରେ ବାଟୁଳି ବାଜୁନି ତା ସହ ଡର ଭୟ ସବୁ ନିଆଁ ଲାଗି ଗଲାଣି ଏମାନଙ୍କ ଠାରେ ।

×××××××     ×××××××     ××××××××    ××××××××

ସୁମିତ୍ରାଙ୍କ ଆଖି ଅପରେସନ ସରି ଯାଇଥିଲା,  ପଟି ଖୋଲା ହେବା ପରେ  ସେ ବହୁତ ଖୁସି ହୋଇଗଲେ ତାଙ୍କ ଆଖିକୁ ଦେଖା ଯାଉଥିଲା ସବୁ । ବେଡ୍ ଚାରି ପାଖରେ ସମସ୍ତେ ଘେରି ଛିଡ଼ା ହୋଇଥିଲେ । ସୁମିତ୍ରା ସମସ୍ତଙ୍କୁ ଚିହ୍ନି ପାରୁଥିଲେ ‌ । ବଡ଼ ପୁଅ ସେଇ ପାଖରେ ଛିଡ଼ା ହୋଇଥିଲା । ଦୁଇ ଝିଅ ଜ୍ୱାଇଁ ବି ସେଇଠି ଥିଲେ ତାଙ୍କ ନାତି ନାତୁଣୀ ବି ସେଇଠି ଏପଟ ସେପଟ ହେଉଥିଲେ । ଆଉ ଜଣକୁ ଦେଖିବାକୁ ତାଙ୍କ ମନ ବିଲକୁଲ ହେଉନଥିଲେ ବି ସେ ମନେ ମନେ ଖୁବ୍ ବିରକ୍ତି ହେଉଥିଲେ ଖୁବ୍ .. " ହଁ କାଇଁ ବା ଆସିବ .. ତାର ତ ଅଫିସ୍ କାମ ଭଲ

ତ ସେ ଭଲ ..ତାର କୋଉ ଶାଶୁ ଅଛିକି .. ?"

ଶାଶୁ ଚିକିତ୍ସା ସାରି ଘରକୁ ଫେରିଲେ । ଦେଖିଲେ ଆରପଟ ଘରେ ବୋହୁ ଶୋଇଛି ତାର ଆଖିରେ ପଟି ବନ୍ଧା ହୋଇଛି ।

ପଚାରିଲେ ତାର କଣ ହୋଇଛି କି ଆଖି ବନ୍ଧା ହୋଇଛି ?

ପୁଅ କହିଲା -- " ସେ ପରା ତାର ଗୋଟିଏ ଆଖି ତତେ ଦେଇଛି "

ସୁମିତ୍ରା ନିଜକୁ ବିଶ୍ଵାସ କରି ପାରୁନଥିଲେ । ସତରେ କଣ ତାଙ୍କ ଆଖିର ଘନ ଅନ୍ଧାରକୁ ଦିନର ସୂର୍ଯ୍ୟ କିରଣ ପରି ଫେରାଇ ଦେଇଛନ୍ତି ତାଙ୍କରି ଏଇ ବୋହୁ ?!



Rate this content
Log in

Similar oriya story from Inspirational