ବେଷ୍ଟ୍ ଫ୍ରେଣ୍ଡ୍
ବେଷ୍ଟ୍ ଫ୍ରେଣ୍ଡ୍
ସେ ମୋତେ ଦେଖି ଚିହ୍ନି ପାରିଲାନି।କେମିତି ଚିହ୍ନି ଥାନ୍ତା ଯେ ! ସେ ତା ଆଖିରେ ସବୁ ପରିଷ୍କାର ଦେଖିବା ପାଇଁ କଣ୍ଟାକ୍ଟ ଲେନ୍ସ ନାଇଥିଲା ପରା ! ମୁଁ କିନ୍ତୁ ଚିହ୍ନି ପାରିଲି ।କାହିଁକିନା ମୋ ପୁଅ ଡୋଳା ରେ ପ୍ରକୃତ ଦତ୍ତ ପାୱାର ଫୁଲ୍ ଲେନ୍ସ ଥିଲା। ମଣିଷ ସିନା ଡେଙ୍ଗା ହୋଇ ସୁନ୍ଦର କଟ୍ ର ଧାଡ଼ି ରଖି ମୁହଁଟାକୁ ଘୋଡାଉଥିଲା।କିନ୍ତୁ ଆଖି !! ସେ ଠିକ୍ ପିଲାଦିନ ପରି ଥିଲା। ଆହୁରୀ ଗୋଟେ ଚିହ୍ନ ବି ଥିଲା ତାକୁ ଚିହ୍ନିବାରେ।ତା ବାଆଁ ହାତରେ ଚିତା କୁଟେଇ ଲେଖିଥିଲା ରା ୟୁକ୍ତ ଜ।ରା ଟା ତା ନାଁର ମୂଳ ଅକ୍ଷର।ଜ ଟି ମୋ ନାଁର ଶେଷ ଅକ୍ଷର।
ଏବେ ଯେମିତି ଟାଟୁ ଫ୍ୟାସନ୍ ଆମ ପିଲାଦିନେ ଚିତା କୁଟା ଗୋଟେ ପ୍ରଥା ପରି ଥିଲା କହିଲେ ଚଳେ।ଆମ ମା, ବୋହୁ କି ଝିଅ ମାନେ ବାହୁ ,ହାତ, ପାପୁଲି, ମଥା, ଆଦିରେ ବିଭିନ୍ନ ଚିତ୍ର ବିଚିତ୍ର ଚିତା କୁଟାଉଥିଲେ।ମଥାରେ ଠାକୁର ଠାକୁରାଣୀଙ୍କ ପ୍ରତୀକ ଛୋଟ କରି ଆଙ୍କୁଥିଲେ।ବାଁ ହାତର ନେଡି ଉପରକୁ ନିଜ ନାଁ କୁଟାଉଥିଲେ।ପୁଅ ମାନେ ଛାତି,ପିଠି,ମଥା ଚିତା ତଥା ନେଡି ଉପର ଉଭୟ ପଟ ହାତରେ ନିଜ ଇଛାମୁତବକ ବାଁ କିମ୍ବା ଡାହାଣ ହାତରେ ନିଜ ନାଁ କୁଟାଉଥିଲେ।
ଏସବୁ ଚିତା କାହିଁକି କୁଟାଉଛ ପଚାରିଲା କୁହା ଯାଉଥିଲା ମଲା ବେଳେ ମଣିଷ ଧନ, ସମ୍ପଦ,କିଛି ନେଇ ଯିବନି।କେବଳ ଏଇ ଚିତାକୁ ସାଙ୍ଗରେ ନେଇ ମଶାଣୀକୁ ଯିବ।ଏ ଚିତା ତା ସହ ଯୁଇଁ ଜଳିବା ଯାଏ ଥିବ। ଏଣୁ ଏଇ ବିଶ୍ବାସ ପାଇଁ ଲୋକେ ଚିତା କୁଟାଉଥିଲେ ସେବେ।
ଦିନେ ମୋ ସାଙ୍ଗ ଆମ ଯେତେବେଳେ ପଞ୍ଚମରେ ପଢୁଥିଲୁ ମୋତେ ଆଶ୍ଚର୍ଯ୍ୟ କରିଦେଇ କହିଲା, ହେ ରାମାନୁଜ ! ଦେଖେ ତ ମୁଁ ହାତରେ କଣ ଚିତା କୁଟିଛି?
ରା ଯୁକ୍ତ ଜ। ମୁଁ ହସି ହସି ଗଡ଼ିଗଲି।ଏଇଟା ଗୋଟେ କି ଚିତା କିରେ ରାମାନନ୍ଦ! ତୋ ନାଁ କଣ ରା ଯୁକ୍ତ ଜ !
ଭାବେ ଭାବେ କଣ ହୋଇଥିବ ?
ତୁ ତ ଜାଣିଛୁ କେଡେ ଗଧ ଟା ମୁଁ।ତୋଠାରୁ କପି କରି ଏଯାଏ ଆଇଲେଣି।ଏ ବର୍ଷ ଆଣ୍ଠେଇବି ଜାଣ।ପଞ୍ଚମ ବୋର୍ଡ଼ ପରୀକ୍ଷା।ମୁଁ କଣ ଆଉ ପାସ୍ କରିବି ନା ପଢିବି ? ଏଇ ଗୋବର ଥିବା ମୁଣ୍ଡ ମୋର କଣ କହି ପାରିବ ରା ଯୁକ୍ତ ଜ ଅର୍ଥ !
ଓଃ ରାମାନୁଜ ସବୁବେଳେ ତୋର ଖାଲି ପଛଘୁଞ୍ଚା କଥା।ଏତେ ଆଜେ ବାଜେ କଥା ନ କହି ମୁଣ୍ଡ ଟିକେ ଖେଳେଇ ଥିଲେ ହୁଏତ ପାଇ ଯାଇ ଥାନ୍ତୁ ରା ଯୁକ୍ତ ଜ ଅର୍ଥ କଣ ?
ଯା ମ ରାମାନନ୍ଦ;ଯାହା ମୋ ଦ୍ୱାରା ସମ୍ଭବ ନୁହେଁ ସେଥିପାଇଁ ଏ ଛୋଟ ମୁଣ୍ଡଟାକୁ କାଇଁକି କଷ୍ଟ ଦେବି କହ ତ ? ମୋ ଖେଳ ,ବୁଲା ବୁଲି ଭଲ ତ ମୁଁ ଭଲ। ବୁଦ୍ଧି ଆଉ ପାଠ ସିନା ତୋ ଭଳିଆ ପିଲା ପଢିବେ !!
ବୁଝିଲୁ ରାମାନୁଜ ! ତୋର ଏଇ କିଛି କଥା ଗ୍ରହଣ ନ କରିବା ଗୁଣ ଯୋଗୁଁ ତୋର ପାଠ ହେଉନି।ପାଠ ଗୋଟେ ବାଘ ନା ଭାଲୁ ! ତୋତେ ଗୋଡେଇ ଖାଇ
ଯିବ ! ପାଠ ଚୋର ଟା ତୁ।ମାଡ଼ ଦିଟା ପଛେ ହଜମ କରି ଦେଉଛୁ କିନ୍ତୁ ବହି ପାଖେ ବସୁନୁ।ମନକୁ ମନ
କଣ ପାଠ ହୁଏ ? ବାରମ୍ବାର ପଢ଼ ଦେଖିବୁ ପାଠ କେମିତି ନ ହେବ।
ଛାଡ଼ ସେ କଥା।କେଉଁଠି ଥିଲେ ଆସି କେଉଁଠି ମାଇଲେଣି। କହିଲୁ କହିଲୁ ରା ଯୁକ୍ତ ଜ ମାନେ ଟା କଣ ?
ରା ହେଉଛି ମୋ ନାଁର ପ୍ରଥମ ଅକ୍ଷର ଜ ଟା ତୋ ନାଁ ର ଶେଷ ଅକ୍ଷର ବୁଝିଲୁ, ବୋକା।
ମୁଁ ବିସ୍ମିତ ହୋଇ ପଚାରିଲି, ସମସ୍ତେ ନିଜ ନାମ ହାତରେ ଚିତା କୁଟାନ୍ତି; ତୁ ଗୋଟେ ପାଗଳା ଙ୍କ ପରି କଣ ଏମିତି ଲେଖିଲୁ।
ବୁଝିଲୁ ରାମାନୁଜ ! ଲୋକଙ୍କ କହିବା କଥା ଅନୁ
ଯାୟୀ ତୁ କେବଳ ବଞ୍ଚିଥିବା ବେଳେ ମୋ ସହ ରହିବୁନି, ମୋ ମଲା ପରେ ବି ମୋ ସହ ମଶାଣୀକୁ ଯିବୁ। ମୁଁ ତୋତେ ମୋ ପାଖରୁ କେତେବେଳେ ବି ଛାଡ଼ିବି ନାହିଁ।
ରାମାନନ୍ଦ ! କହି ମୁଁ ତାକୁ କୁଣ୍ଢେଇ କାନ୍ଦି ପକେଇଲି।ତୁ ମୋତେ ଏତେ ଭଲ ପାଉ !
ହଁ ମୁଁ ନିଜକୁ ଯେତିକି ଭଲ ପାଏ ,ତାଠୁ ତୋତେ ଅଧିକ ଭଲ ପାଏ।
କାହିଁକି ତୁ ମୋତେ ଏତେ ଭଲ ପାଇ ଋଣୀ କରିଦେଉଛୁ ?
ମୁଁ କଣ ଜାଣିଛି ନା କଣ।ତୁ ମୋତେ ଭଲ ଲାଗୁ ବାସ୍।
ରାମାନନ୍ଦ ମୋର ଏପରି ବନ୍ଧୁଟିଏ।ବହୁ ସରଳ କିନ୍ତୁ ମେଧାବୀ।ଅତି ଥିଲା ଵାଲା ଘରର ପୁଅ।ମୁଁ ବି ସେତେ ଥିଲା ଵାଲା ଘରର ପୁଅ ନ ହେଲେ ବି ଅତି ଗରିବ ଘର ପିଲା ନଥିଲି।ସେ ବହୁତ ଭଲ ପଢେ; କିନ୍ତୁ ଅକ୍ଷର ସୁଦୁ ବିଲେଇ ଘୁଅ।ମୋର ପାଠ ଘର ଶୁନ୍ୟ କିନ୍ତୁ ଅକ୍ଷର ମାଛ ମଞ୍ଜି ପରି।ଆମ ସାର୍ କୁହନ୍ତି, ରାମାନୁଜ ତୁ ଟିକେ ରାମାନନ୍ଦକୁ ଅକ୍ଷର ଲେଖା ଶିଖେଇ ଦେଉନୁ।ଏ ବର୍ଷ ବୋର୍ଡ଼ପରୀକ୍ଷାରେ ରାମାନନ୍ଦ ଜିଲ୍ଲାରେ ଫାଷ୍ଟ ହୁଅନ୍ତା, କିନ୍ତୁ ଅକ୍ଷର ଯୋଗୁଁ ଦୁଇ କି ତିନି ହେବ ବୋଲି ଲାଗୁଛି।
ଇଏ ଗୋଟେ କଥା ! ଅକ୍ଷର ଯୋଗୁଁ ମୋ ସାଙ୍ଗ ଫାଷ୍ଟ ହୋଇ ପାରିବ ନାହିଁ ! ଲାଗି ପଡିଲି ରାତି ଦିନ।ଗାର ଭିତରେ ଲେଖେଇ ଲେଖେଇ ନୟାନ୍ତ କରିଦେଲି ତାକୁ।ପ୍ରଥମେ ଗାର ଭିତରେ ତାପରେ ଗାର ଉପରେ ,ଶେଷରେ ବିନା ଗାର ରେ ଲେଖା ଅଭ୍ୟାସ କରେଇ କରେଇ ବୋର୍ଡ଼ ପରୀକ୍ଷା ବେଳକୁ ମୋଠାରୁ ତା ଅକ୍ଷର ଆହୁରି ସୁନ୍ଦର ହୋଇ ଯାଇଥିଲା।ତାର ଶିଖିବାର ମନୋବୃତ୍ତି ଥିବାରୁ ସେ ଅତି ଟାଇପି କରିଲା ପରି ଅକ୍ଷର ଲେଖି ପାରିଲା।ହେଲେ ମୋର ଶିଖିବାର ଇଚ୍ଛା ଶୁନ ଥିବାରୁ ପାଠ ମୋ ଦେଇ ହେଲାନି।
ରାମାନନ୍ଦ ସତକୁ ସତ ଜିଲ୍ଲାରେ ପ୍ରଥମ ହେଲା।
ନବୋଦୟରେ ବି ଟପ୍ ରେ ରହି ଆମ ସ୍କୁଲ ଛାଡ଼ି
ନବୋଦୟ ବିଦ୍ୟାଳୟରେ ପଢିଲା।ଆଉ ଗାଁ କୁ ଆସିଲା ନାହିଁ।ତା ଜେଜେ ଓ ଜେଜେମା ମଲା ପରେ ତା ମା ବି ତା ବାପାଙ୍କ ଚାକିରୀ ଜାଗାକୁ ଚାଲିଗଲେ ।ସେମାନେ ସପରିବାର ସହରରେ ଘର କରି ରହିଲେ।
ମୁଁ ଯଥର କତରେ ଦଶମ ଯାଏ ଗଲି ଓ ବୋର୍ଡ଼ ପରୀକ୍ଷାରେ ଫେଲ୍ ହୋଇ ଆଉ ପଢ଼ିଲି ନାହିଁ।
ଆସ୍ତେ ଆସ୍ତେ ରାମାନନ୍ଦ ମୋ ଭିତରେ କଳ୍ପନା ଆଖିରେ ବଡ଼ ହେଉଥିଲା।ମୁଁ ବି ବଡ଼ ହୋଇଗଲି ଗୋଟେ ହଟା କଟା ଯୁବକ ହୋଇ। ଏଣିକି ରୋଜଗାର ନିଶା ଘାରିଲା।ପାଠଶାଠ ତ ନାହିଁ କି ଚାକିରୀ ବା ମୋତେ ମିଳିବ ?ଏଣୁ ଜଣେ ଗାଁ ର ଭାଇ ମୋତେ ନେଇ ବାଙ୍ଗାଲୋର ଏକ କମ୍ପାନୀରେ ରଖିଦେଲେ।
ଦିନେ ହଠାତ୍ ଏକ ଘଟଣା ଘଟିଲା କମ୍ପାନୀର ସି ଇ ଓ ଙ୍କୁ ପ୍ରଥମ ଥର ଦେଖି ମୋତେ କାଇଁ କେଉଁଠି ଦେଖିଲା ପରି ମନେ ହେଲା।କିଏ ହୋଇପାରେ ଏ।ଦୋ ଦୋ ଚିହ୍ନା ଲାଗୁଛନ୍ତି।ବେଶୀ ଆଖି ଦିଟା ଚିହ୍ନିଲା ପରି।
ପାଞ୍ଚ ବର୍ଷଧରି କାମ କରୁଥିବା ଜଣେ କର୍ମଚାରୀଙ୍କୁ ପଚାରିଲି ଆମ ସି ଇ ଓ ଙ୍କ ନାଁ କଣ?
ସି ଇ ଓ ତ ସି ଇ ଓ।ତାଙ୍କ ନାଁ ଆମ ପରି ଶ୍ରମିକ ଶ୍ରେଣୀର ତଳିଆ କର୍ମଚାରୀ ଜାଣି କରିବେ କଣ ?
ଆମ ଓଡ଼ିଶାର ସେଠି ଜଣେ ଇଞ୍ଜିନିୟର ଥିଲେ।
ସେଇ ତାଙ୍କ ନାଁ ଓ ଠିକଣା କମ୍ପାନୀରୁ ଆଣି ଦେଲେ ଓ କହିଲେ ସେ ଭାରି ସମ୍ମାନ ଓ ପଇସା ପ୍ରିୟ ଲୋକ।କର୍ମଚାରୀଙ୍କୁ ମଣିଷରେ ଗଣତି ନାହିଁ।
ଫରେନ୍ ଫେରନ୍ତା ବୋଲି ଭାରି ଭାଉ।ତୁମେ ନୂଆ ଲୋକ କିଛି ଜାଣିନ ,ହୁସିଆର୍ ଥିବ, ନଚେତ ଚାକିରିରୁ ହାତ ଧୋଇବ।
କିନ୍ତୁ ସେ ଯଦି ଏ ହୋଇଥାନ୍ତି ଏମିତି ପ୍ରକୃତି କେମିତି ହେଲା?ବେଶ ପୋଷାକରେ ସେ ଓଡ଼ିଆ କମ୍ ଇଂରେଜୀ ଅଧିକ ଲାଗୁଥିଲେ।
ମୋ ମନ ତାଙ୍କ ସି ଇ ଓ ଙ୍କ ପାଖେ ଥାଏ।ଦିନେ ସାହାସ କରି ସି ଇ ଓ କ୍ୟାବିନକୁ ଯାଇ ପଚାରିଲି ,କ୍ଷମା କରିବେ ସାର୍ ଆପଣ ରାମାନନ୍ଦ ଶ୍ରୀବାସ୍ତ,, ନଳୀ ପୁର ଗାଁ ବିଟ ପଡା ପଂଚାୟତ ,ଜଗତସିଂହପୁରର ଓଡ଼ିଶାର ତ ?
ହେ ଭଗବାନ ଝାଡ଼ିଲେ ଧାଉଁ ଧାଉଁ ଇଙ୍ଗିଲିସ ଗାଳି।ସେମିତି କିଛି ମାରାତ୍ମକ କଥା ପଚାରି ଦେଲି କି ,ମନେ ମନେ ଭାବି କାନ ମୁଣ୍ଡା ଆଉଁସି ବାହାରି ଆସିବା ଆଗରୁ ପୁଣି ନିର୍ଲ୍ଲଜଙ୍କ ପରି କହିଲି, ଦେଖଇଲେ ଟିକେ ଆପଣଙ୍କ ବାଁ ହାତ।
ହ୍ଵାଟ୍ !
ପ୍ଲିଜ଼ ଦେଖିଲେ ଆପଣଙ୍କ ହାତରେ ରା ଯୁକ୍ତ ଜ ଚିତା କୁଟା ହୋଇଛି ?
ସେ ଥରେ ନିଜ ହାତକୁ ଓ ଥରେ ମୋ ମୁହଁକୁ ଚାହିଁ କହିଲେ, ତୁମର ଏତେ ସବୁ ଜାଣିବା ଦରକାର କଣ? କାମରେ ମନ ଦିଅ କହି କ୍ୟାବିନରୁ ବାହାରି ଯାଉ ଯାଉ ଫେରିଆସି କହିଲେ,ଗେଟ୍ ଲଷ୍ଟ୍
,
ଲୁହ ସେତେବେଳେକୁ ମୋ ୟୁନିଫର୍ମକୁ ଓଦା କଲାଣି।
ଲୁହ ପୋଛି ପୋଛି ଆସୁ ଆସୁ ମନକୁ ମନ କହି ହେଲି ପାଠର କରାମତି ଏ ସାର୍। ମୋ ସାଙ୍ଗ ଯେତେ କହିଲା ପଢ଼ାରେ ମନ ନ ଦେଇ ଖେଳିଲି ବୁଲିଲି।ଏବେ ଭୋଗୁଛି।କେଇଟା ଟଙ୍କା ପାଇଁ ମୁଁ ଦିନରାତି ଖଟୁଛି ପରଦେଶରେ ଆଉ ମୋ ସାଙ୍ଗ ପାଠକୁ ଭଲ ପାଇଁ ସଫଳତା ଶୀର୍ଷ ଓ ଟଙ୍କାର ପାହାଡ଼ ଉପରେ ।
ସେଇ ଦିନଠୁ ସି ଇ ଓ ଯେବେ ମୋତେ ଦେଖନ୍ତି ତଳକୁ ମୁହଁ ପୋତି ଚାଲି ଯାଆନ୍ତି।
ମୁଁ ଟିକେ ମୁହଁରେ ହସ ଫୁଟେଇ ମନେ ମନେ କୁହେ ତୁ ଯେ ରାମାନନ୍ଦ ମୁଁ ଠିକ୍ ଚିହ୍ନି ପାରିଛି।ତୁ ଏତେ ବଡ଼ ବାବୁ ହୋଇଛି ଜାଣି ମୋ ଛାତି ଗର୍ବରେ ଫୁଲି ଉଠୁଛି।ନ ଚିହ୍ନି ମୋତେ….
ମାସକ ପରେ ମୋର ପ୍ରମୋସନ ହୋଇ ପନ୍ଦର ହଜାର ଟଙ୍କାରୁ ଧଡାସ ପାଇଁତିରିଶି ହେବା ଦେଖି ସଭିଙ୍କ ବିସ୍ମୟର ସୀମା ରହିଲା ନାହିଁ।ମୁଁ କିନ୍ତୁ ବୁଝିଲି ଏହା ରାମାନନ୍ଦର କାମ।
କିନ୍ତୁ ମୋର କଣ ଟଙ୍କା ଦରକାର ଥିଲା ? ମୁଁ "ରା ଯୁକ୍ତ ଜ" ହାତଟି ଦେଖିବାକୁ ଚାହୁଁଥିଲି।
ଆସ୍ତେ ଆସ୍ତେ ମୋତେ କମ୍ପାନୀ କ୍ବାଟର,ଗାଡି ସହ ଅନେକ ସୁବିଧା ସୁଯୋଗ ମିଳିଲା।ମୁଁ ସବୁ ଭୁଲି ମୋ କାମରେ ନିଷ୍ଠା ହିଁ ରଖୁଥିଲି।ବର୍ଷ ଶେଷରେ ବେଷ୍ଟ୍ ସର୍ଭଭ୍ୟାଣ୍ଟ ଅଫ୍ ଦ ଇଅର୍ ଆୱାର୍ଡ ଦେଇ ସି ଇ ଓ ସମସ୍ତଙ୍କ ସମ୍ମୁଖରେ ମୋତେ କୁଣ୍ଢେଇ ଗଦ୍ ଗଦ୍ ହୋଇ କହୁଥିଲେ ,ଏ ମୋ ବେଷ୍ଟ୍ ଫ୍ରେଣ୍ଡ୍ ରାମାନୁଜ।
