Parameswar Ojha

Tragedy Crime

3  

Parameswar Ojha

Tragedy Crime

ବେଇମାନ

ବେଇମାନ

10 mins
209


ଜାନୁଆରୀ ଷୋହଳ ଏଇ ତାରିଖକୁ ନା ଦିବେଶ୍ କେବେ ଭୁଲିଛି ନା ସାଲୋନୀ କେବେ ଭୁଲି ପାରିବ । ଏଇ ତାରିଖ ଏ ଦୁଇ ଜଣଙ୍କ ପାଇଁ ଅତି ଖାସ୍ ଦିନ । କାରଣ ଆସନ୍ତା କାଲି ସେମାନଙ୍କର ଷଷ୍ଠ ବିବାହ ବାର୍ଷିକୀ ।

ତେଣୁ ଦିବେଶ୍ ଡ୍ୟୁଟି ସାରି ରୁମକୁ ଫେରୁ ଫେରୁ ରାତି ଏଗାରଟା ହୋଇଗଲା । ସେ ପ୍ରାୟ ନଅଟା ବେଳକୁ ଫେରି ଆସେ କିନ୍ତୁ ଆଜି ସାଲୋନୀ ପାଇଁ ଗୋଟେ ଭଲ ପାଟ ଶାଢ଼ୀ ଆଉ କିଛି ରଙ୍ଗିନ୍ ଚୁଡି ଆଉ କିଛି କସମେଟିକ୍ସ କିଣୁ କିଣୁ ତାର ବହୁତ ଡେରି ହୋଇଗଲା । ତାକୁ ବହୁତ ଚିଡ଼ି ଲାଗେ ଏଇ ସ୍ତ୍ରୀମାନଙ୍କ ପାଇଁ ଶାଢ଼ୀ ଚୁଡି ବାଛିବା । ତମେ ବାଛି ବାଛି ଘଣ୍ଟାଏ କାଳ ନୟାନ୍ତ ହୋଇ ଦାମୀ ଜିନିଷ ସବୁ ନେବ କିନ୍ତୁ ଘରେ ପହଞ୍ଚି ଶରଦ୍ଧାରେ ତାଙ୍କ ହାତକୁ ବଢ଼େଇଲା ବେଳକୁ ସେ ନାକ ଟେକିବେ । ...ଇଏ କି କଲର୍ ଆଣିଛ ମ ? ଇଏ ପାଢିଟା ଆଉ ଟିକେ ଚଉଡା ଆଣିଲନି ଏତେ ବଡ଼ ଫୁଲ କାଇଁ ଆଣିଲ ଛୋଟ ଫୁଲ ପ୍ରିଣ୍ଟ କଣ ନଥିଲା ? ତମକୁ ତ ଯାହା କହିବେ କହିବେ ସେ ଦୋକାନୀକୁ ବି ବହେ ବକିବେ .. ସେ ଦୋକାନୀ କଣ ଅନ୍ଧଟେ କି ଦେଖାଗଲାନି ତାକୁ ଏମିତି ଶାଢ଼ୀ କେମିତି କଣ ଦେଲା କେଜାଣି ? ଆଉ ତମେ ବି ନାଁ.. ତା କଥାରେ ଭଳି ୟାକୁ ଧରି ଚାଲି ଆସିଲ .......

ଏମିତି କେତେ ଅଭିଯୋଗ ସବୁ ଶୁଣି ତମେ ଆଉ କିଛି କହିପାରିବନି ତମ ମୁହଁରେ ଏକଦମ୍ ତାଲା । ପୂର୍ବ ଘଟଣା ସବୁ ଦୁସରା କଥା ଆଜି କିନ୍ତୁ ସାଲୋନୀକୁ ଶାଢ଼ୀ ନିଶ୍ଚୟ ପସନ୍ଦ ଆସିବ କାରଣ ଦିବେଶ୍ ଆଜି ଶାଢ଼ୀ ପସନ୍ଦ କରିନି ଶାଢ଼ୀ ବାଛିଛନ୍ତି ସେ ଦୋକାନକୁ ଆସିଥିବା ମହିଳା ଗ୍ରାହକ ଜଣେ । ଦିବେଶ୍ ତାଙ୍କୁ ଅନୁରୋଧ କରି କହିଲା, ପ୍ଲିଜ୍ କିଛି ମାଇଣ୍ଡ କରିବେନି ଶାଢ଼ୀ ଗୋଟେ ବାଛି ଦିଅନ୍ତୁ ନା ମୋ ସ୍ତ୍ରୀ ପାଇଁ । ସେ ମହିଳା ଜଣକ ବୋଧେ ବ୍ୟସ୍ତ ନଥିଲେ ତେଣୁ ଅସନ୍ତୋଷ ବି ବିରକ୍ତି ଜମା ହେଲେନି ବରଂ ଏକଥା ଶୁଣି ବହୁତ ଖୁସି ହୋଇଗଲେ । ଆଉ ହସି କି କହିଲେ," କୁହନ୍ତୁ କୁହନ୍ତୁ ଆପଣଙ୍କ ସ୍ତ୍ରୀ ସଫା ରଙ୍ଗ ନାଁ ମସିହା ? ସ୍ୱାସ୍ଥ୍ୟ ଅଛି ନା ଟିକେ ପତଳା ? "

- " ସେ ଅତି କାଳୀ ନୁହେଁ କି ଏକଦମ୍ ସଫା ନୁହେଁ । ମୋଟୀ ବି ବିଶେଷ ନୁହେଁ ... ମଧ୍ୟମ । କଥା କ'ଣ କି ଆଜି ଆମ ଫୋର୍ଥ ଆନିଭର୍ସାରି ତେଣୁ ତା ପାଇଁ ନେଉଛି । "

ଦିବେଶ୍ ପାଖରୁ ଏତକ ଶୁଣି ମହିଳା ଜଣକ ଅଧିକ ଖୁସି ହୋଇଗଲେ ଖୁବ୍ ବଛା ବଛି ପରେ ଗୋଟେ ଗୋଲାପୀ ରଙ୍ଗର ଛୋଟ ଛୋଟ ଫୁଲ ପ୍ରିଣ୍ଟ ଥିବା ଶାଢ଼ୀଟେ ବାଛି ଦେଲେ । ଯାହାର ମୂଲ୍ୟ ଥିଲା ପାଞ୍ଚ ହଜାର ପାଞ୍ଚ ଶହ । 

ଦିବେଶ ମହିଳାଙ୍କୁ ହସି ହସି ଧନ୍ୟବାଦଟେ ଦେଇ କହିଥିଲେ ଆଉ ମହିଳା ଜଣକ ବି ହସିକି ଉତ୍ତର ଦେଇଥିଲେ " ମୋ ତରଫରୁ ଆପଣ ଦୁହିଁଙ୍କୁ ହେପି ଆନିଭର୍ସାରି " ।

ଦିବେଶ୍ ଭଲ କି ଜାଣେ ସକାଳୁ କିଛି ନକହିଲେ ବି ସାଲୋନୀ ଘର ବାହାର ସଫାସଫି କରି ବେଶ୍ ସୁନ୍ଦର ଭାବରେ ସଜେଇ ଥିବ । ଆଉ ନିଜେ ସବୁ କାମ ଦାମ ସାରି, ଦିବେଶର ମନ ପସନ୍ଦ ଖାଇବା ବନେଇ ତା ଫେରିବା ବାଟକୁ ଚାହିଁ ବସିଥିବ ।

ଆସନ୍ତା କାଲି ଛୁଟିରେ ବୁଲି ଯିବାର ଯୋଜନା ଥିବାରୁ ଆଜି ତା ମୁହଁରେ ଖୁସି ଆଉ ସନ୍ତୋଷରେ ପରିପୂର୍ଣ ଗୋଟେ ହସଟେ ଲାଖିଥିବ ଆଉ ସେ ସଜ ହୋଇ ଖୁବ୍ ସୁନ୍ଦର ଲାଗୁଥିବ । ଦିବେଶ୍ କବାଟ ଠକ୍ ଠକ୍ କରିବ ସାଲୋନୀ କବାଟ ଖୋଲିବନି, ପଚାରିବ କିଏ ? ଦିବେଶ୍ ନାଁ ବ୍ୟତୀତ ଆଉ ଯୋଉ ନାଁ କବାଟ ସେପଟରୁ ଆସିବ ସେ କବାଟ ଖୋଲିବନି । ତା ଛଡା ଦିବେଶ ଯଦି ନିଜେ ବି କୁହେ " ମୁଁ ଦିବେଶ୍ କବାଟ ଖୋଲ " । ତଥାପି କବାଟ ଖୋଲା ଯିବନି । ସାଲୋନୀ ଗୋଟେ ସଂଖ୍ୟା କହିବ ଦିବେଶ୍ ଏପଟରୁ ସେ ସଂଖ୍ୟାରେ ପନ୍ଦର ଯୋଡ଼ି କି କହିବ । ତାପରେ ଯାଇ କବାଟ ଖୋଲାଯିବ । ଆରେ ମୁଁ ଗଣିତ ପାଠ କିଛି ପଢଉନି ମ । ପ୍ରକୃତରେ ଏମିତି କରିବା ତାଙ୍କର ଗୋଟେ ସିକରେଟ କୋଡ଼୍ । ସାଲୋନୀ ଯେହେତୁ ଘରେ ଏକା ରୁହେ ତେଣୁ ଦିବେଶ୍ ଏଥିପାଇଁ ଖୁବ୍ ସତର୍କ । ସେ କମ୍ପାନୀ ଯାଇଥିବା ବେଳେ କାଳେ ଯଦି କୋଉ ଅସାମାଜିକ ଲୋକ କିଛି ଅଘଟଣ କରି ବସିବ ।

ଦିବେଶ୍ ଭାବିଲା ଆଜି ସାଲୋନୀ ନିଶ୍ଚୟ ୱାନ୍ ଫୋର୍ ଥ୍ରୀ କହିବ । ଆଉ ସେ କହିବ ୱାନ୍ ସିକ୍ସ ଏଇଟି । ଆଉ ସାଲୋନୀ କବାଟ ଖୋଲିବା କ୍ଷଣି ଦିବେଶ୍ ସାଲୋନୀକୁ ଛାତି ପାଖକୁ ଭିଡ଼ି ଆଣିବ ଆଉ ଓଠରେ ଗଭୀର ଚୁମାଟେ ଦେଉ ଦେଉ କହିବ ଆଇ ଲଭ୍ ୟୁ ସାଲୁ । ସାଲୋନୀ ମିଠା ବିରକ୍ତି ହୋଇ କ‌ହିବ " ଆରେ ଆଗ କବାଟ ତ ଦେଇଆସ ... ଦିବେଶ୍ ଛାଡୁନଥିବ ତଥାପି । ସାଲୋନୀ ନିଜକୁ ମୁକୁଳେଇ ନେଇ କବାଟ ଲକ୍ କରି ଆସିବ । ତାପରେ ସାଲୋନୀ ବି ଉଛୁଳି ପଡିବ ଦିବେଶ୍ ଉପରେ ଏକଦମ୍ । ରାତିର ଖୁଲମ୍ ଖୁଲା ଦୁଷ୍ଟାମୀର କିଛି ଅଂଶ ଅନୁଷ୍ଠିତ ହୋଇଯିବ ସେଇଟି ସୋଫା ଉପରେ । ଦିବେଶ୍ ଏତିକି କଥା ଭାବୁ ଭାବୁ ଘର ଯେତେ ପାଖେଇ ଆସୁଥାଏ ସେ ସେତେ ଉତ୍ତେଜିତ ଆଉ ଶିହରିତ ହୋଇ ପଡୁଥାଏ ବେଳକୁ ବେଳ ।

ଘର ଆଗରେ ପହଞ୍ଚି ବାଇକ୍ ଷ୍ଟାଣ୍ଡ୍ ମାରି, ବ୍ୟାଗ୍ ସବୁକୁ ଯତ୍ନରେ  କାଢି ଆସ୍ତେକି ଦ୍ୱାର ବନ୍ଧ କଡ଼ରେ ରଖିଦେଇ ଏଥର କବାଟ ଠକ୍ ଠକ୍ କଲା ଦିବେଶ୍ । ସାଲୋନୀ ଉଠିଲାନି । ଶୋଇ ପଡିଛି ଭାବି ଆହୁରି ଜୋର୍ ସେ ବାଡେଇଲା କିନ୍ତୁ କେହି ବି ଶୁଣିଲେନି । ଏଥର ସାଲୋନୀକୁ କଲ୍ କଲା ମୋବାଇଲ୍ ବି ସୁଇଚ୍ ଅଫ୍ ଦେଖେଇଲା । ଏଥର ମନକୁ‌ ପାପ ଛୁଇଁଲା।

ଝରକା ପଟ ଦେଖିଲା ଝରକା ବି ବନ୍ଦ ଅଛି ଭିତରୁ । ଆଉ କିଛି ଉପାୟ ନପାଇ ବଡ଼ ପାଟିରେ ଚିଲେଇକି ଡାକିଲା ସାଲୋନୀକୁ । କିନ୍ତୁ ଭିତରୁ ଜବାବ୍ କିଛି ବି ଆସିଲାନି । ଏଥର ଦୁଇ ହାତକୁ ମୁଠା କରି ନିଜ କାନ୍ଧ ସାହାଯ୍ୟରେ କବାଟକୁ ଅତି ଜୋର୍ ସେ ଧକା ଦେଲା । କିନ୍ତୁ ଭିତର ପଟ ଝଞ୍ଜିର ଖୁବ୍ ଶକ୍ତ ଥିବାରୁ ତାହା ବିଲକୁଲ ବି ଖୋଲିଲାନି । 

 

 ଏଥର ଦିବେଶ୍ ସାଙ୍ଗ ରୁଦ୍ରକୁ ଫୋନ୍ କରି ସବୁ କଥା କହିଲା । ସେ ତା ବନ୍ଧୁ ବ୍ରଜ ସହ ଗୋଟେ ବାଇକରେ ଆସି ପହଞ୍ଚିଲେ ସାଙ୍ଗରେ ଗୋଟେ ସାବଳ ‌ଧରିକି । ଏଥର ଆଉ କିଛି ଉପାୟ ନଥିଲା । କବାଟ ତଡ଼ା ହେଲା । କବାଟ ତାଡ଼ି ସାରିବା ପରେ ଦିବେଶ୍ ସାଲୋନୀ ସାଲୋନୀ ଡାକି ଦୌଡିଲା ଘର ସାରା । ବେଡ୍ ରୁମରେ ଯେତେବେଳେ ପଶି ଯାଇଛି ଦିବେଶ୍ ସେ ଦୃଶ୍ୟ ଦେଖି ନିଜକୁ ଆଉ ସମ୍ଭାଳି ପାରିଲାନି ଗଛ କାଟିବା ଭଳି ହଠାତ୍ ତଳେ କଚାଡି ହୋଇ ପଡ଼ିଗଲା । ତାର କିଛି ସମୟ ପରେ ପିଲାଙ୍କ ପରି କାନ୍ଦିବାକୁ ଲାଗିଲା । ବେଡ୍ ରୁମ ଭିତରେ ଝୁଲୁଥିଲା ସାଲୋନୀର ଶବ । ସେ ବୁଝି ପାରୁନଥିଲା ତା ସାଲୋନୀ କଣ ପାଇଁ ଏତେ ବଡ଼ ନିଷ୍ପତ୍ତି ନେଲା । ତାଙ୍କ ଭିତରେ ତ ସେମିତି କିଛି ଝଗଡ଼ା କି ଭୁଲ ବୁଝାମଣା ହୋଇନି । ତେବେ କାହିଁକି ଆଉ କୋଉ ଜନ୍ମର ପାପର ଦଣ୍ଡ ଭୋଗିବାକୁ ସେ ତାକୁ ଏକା ଛାଡି ଚାଲିଗଲା । ସମସ୍ତ ବନ୍ଧୁବାନ୍ଧବ ପ୍ରିୟଜନକୁ ଏ ଖବର ଜଣେଇ ଦେଲା ।

ସମସ୍ତେ ପରାମର୍ଶ ଦେଲେ ଆଗ ପୋଲିସକୁ ଖବର ଦିଅ । ସେ ଆସି ୟାର ଛାନ୍ ଭିନ୍ ତଦାରଖ କରୁ । ପୋଲିସ ଆସିଲା ପ୍ରାରମ୍ଭିକ ଅନୁସନ୍ଧାନ ପରେ ସାଲୋନୀର ଶବ ବ୍ୟବଚ୍ଛେଦ ପାଇଁ ନେଇଗଲେ । 

କିଛି ଦିନ ପରେ ରିପୋର୍ଟ ଆସିଲା କିନ୍ତୁ ସେଥିରେ ବାହାରି ଥିଲା ସାଲୋନୀକୁ ଏକାଧିକ ବାର ରେପ୍ ପରେ ମର୍ଡର୍ କରା ଯାଇଛି । ସମସ୍ତେ ପ୍ରାୟ ହତଚକିତ ହୋଇ ଯାଇଥିଲେ ଏକଥା ଶୁଣି । ଆଉ ଦିବେଶ୍ .. ଦିବେଶ୍ ତ ଏକଦମ୍ ମୁକ ପାଲଟି ଯାଇଥିଲା ଯେମିତି । ପରିବାର ବନ୍ଧୁ ପରିଜନ ସମସ୍ତେ ଏ ଖବରରେ ଭାଙ୍ଗି ପଡିଥିବା ବେଳେ ପୋଲିସ ତା ଅନୁସନ୍ଧାନ ଚଳେଇଥିଲା ଜୋର୍ ଦାର୍ । ତେଣୁ ପୋଲିସଙ୍କ ଆଦେଶରେ ସେ ରୁମ ଲକ୍ କରା ଯାଇଥିଲା କେସର ଫଳ ଘୋଷଣା ହେବା ପର୍ଯ୍ୟନ୍ତ ।

କ୍ରାଇମବ୍ରାଞ୍ଚର ସ୍ପେସାଲ ଅଫିସର୍ ଶୁଭ୍ରଜିତ୍ ଏ କେଶର ଇନଭେଷ୍ଟିକେସନ ଦାୟିତ୍ୱରେ ରହିଲେ । ଅଫିସର୍ ଶୁଭ୍ରଜିତ୍ ଆଉଥରେ ଘର ତଲାସି ଆଉ ଛାନଭିନ୍ କଲେ । 

ସେମିତି କିଛି ବିଶେଷ ପ୍ରମାଣ ତାଙ୍କୁ ମିଳି ପାରିନଥିଲା । କିନ୍ତୁ ଦେଖିଲେ ଟଏଲେଟର ସ୍କାଏଲାଇଟର କାଚ ସବୁ ଭଙ୍ଗା ଯାଇଛି । ଖୁନୀ ନିଶ୍ଚୟ ଏଇ ବାଟେ ବାହାରକୁ ଯାଇଛି । ଶୁଭ୍ରଜିତ୍ ପ୍ରଥମେ ମୋବାଇଲ ଅଫିସକୁ ଯାଇ ଦିବେଶ ଆଉ ସାଲୋନୀର କଲ୍ ଲିଷ୍ଟ ଚେକ୍ କଲେ । ସାଲୋନୀ ମର୍ଡର୍ ହେବା ସନ୍ଧ୍ୟାରେ ଦିବେଶ୍ ନମ୍ବରରୁ ଦୁଇଟି ନମ୍ବରକୁ ଘଣ୍ଟା ଦେଢ଼ ଘଣ୍ଟା ପରି ଲମ୍ବା କଲ୍ ଯାଇଛି । ଶୁଭ୍ରଜିତ୍ ଏଥର ଦିବେଶକୁ ରିମାଣ୍ଡରେ ଡାକିଲେ । ସେ ଦୁଇଟି ନମ୍ବର ବିଷୟରେ ପଚରା ଉଚୁରା କଲାରୁ ସେ ତାଙ୍କ ଦୁଇ ଘନିଷ୍ଠ ବନ୍ଧୁ ବୋଲି ଦିବେଶ୍ କହିଥିଲେ । କିନ୍ତୁ ଶୁଭ୍ରଜିତ୍ ଦିବେଶକୁ ତନ୍ନ ତନ୍ନ କରି ପଚାରିଥିଲେ । କି କଥା ଆଉ କୋଉ ବିଷୟରେ ଆଲୋଚନା ହେଉଥିଲା ଯେ ଏତେ ସମୟ ଘଣ୍ଟା ଘଣ୍ଟା ଧରି କଥା ହେଉଥିଲ ? 

ଦିବେଶର କୈାଣସି ବି ଉତ୍ତର ଶୁଭ୍ରଜିତଙ୍କୁ ସନ୍ତୋଷଜନକ ଲାଗିଲାନି । ତେଣୁ ସାମାନ୍ୟ ସନ୍ଦେହ ଆସିଲା ଦିବେଶ ଉପରେ । ତାପରେ ଦିବେଶକୁ ବିଦା କରି ବାକି ଦୁଇ ବନ୍ଧୁ ରୁଦ୍ର ଆଉ ବ୍ରଜକୁ ଡକେଇ ପଚାରିଲେ ଶୁଭ୍ରଜିତ୍ । ଶୁଭ୍ରଜିତଙ୍କ ପୋଲିସିଆ ପ୍ରଶ୍ନରେ ରୁଦ୍ର ଆଉ ବ୍ରଜର ପାଟି ଖନି ବାଜିଗଲା । ଶେଷକୁ ବାଧ୍ୟ ହୋଇ ସେ ଦୁହେଁ ନିଜ ଦୋଷ ସ୍ୱୀକାର କଲେ, ସାଲୋନୀକୁ ବଳାତ୍କାର ପରେ ତଣ୍ଟି ଚିପି ହତ୍ୟା କରିଥିଲେ । ତାପରେ ତାକୁ ତା ପିନ୍ଧା ଲୁଗାରେ ଝୁଲେଇ ଦେଇଥିଲେ ଫ୍ୟାନରେ ।

ଦୋଷୀ ନିଜ ଭୁଲ୍ ସ୍ୱୀକାର କରି ସାରିବା ପରେ ବି ଶୁଭ୍ରଜିତଙ୍କ ମନ ତଥାପି ମାନୁନଥିଲା । କାହିଁକି କେଜାଣି ସାଲୋନୀର ସ୍ଵାମୀ ଦିବେଶ୍ ଏଥିରେ ସଂପୃକ୍ତ ଥିବାର ସେ ଅନୁମାନ କଲେ । 

ଶୁଭ୍ରାଂଶୁ ଏ କଥା ମନରେ ରଖି ଦୋଷୀ ରୁଦ୍ର ଆଉ ବ୍ରଜକୁ କୋର୍ଟ ଚାଲାଣ କରିଦେଲେ । 

ଗୋଟେ ଲମ୍ବା ଡୋରୀ ହାତରେ ଧରି ଦିବେଶକୁ ଛାଡି ଦେଲେ ଏକ ପ୍ରକାର । ସମୟ ଆପେ ଆପେ ଦୋଷୀକୁ ଚିହ୍ନଟ କରେଇ ଦେବ ତାକୁ ଟିକେ ସହଜ କରି ଛାଡ଼ି ଦିଆଯାଉ । କୋଉଠି ନା କୋଉଠି ସେ ଭୁଲଟେ କରି ବସିବ ଆଉ ଶୁଭ୍ରଜିତ୍ ସେଇ ସମୟକୁ ହିଁ ଅପେକ୍ଷା କରି ବସିଲେ ।

ହଠାତ୍ ଦିନେ ରାତି ଅଧିଆ ଚଢଉ କଲେ ଦିବେଶ୍ ଘରେ ।

ଦିବେଶ୍ ଆଶ୍ଚର୍ଯ୍ୟ ହୋଇ ଗଲା ପୁଣି ପୋଲିସ କଣ ପାଇଁ ଆସିଲେ । ଶୁଭ୍ରଜିତ୍ କିଛି ବି ଗୈାର ଚନ୍ଦ୍ରିକା ନକରି ସିଧା କହିଥିଲେ " ଘର ତଲାସି କରିବାର ଅଛି, ତ ଆମକୁ ସହଯୋଗ କର ।"

ଦିବେଶ୍ ଏଥିରେ ବିରକ୍ତ ହୋଇ କହିଥିଲେ " ତଲାସି କରିବ ମାନେ ? ସେ ବଦମାସ୍ ହାରିମଜାଦା ଦୁହେଁ ତ ଏବେ ଜେଲରେ । ପୁଣି ତଲାସ୍ କଣ ଯେ ? "

ଶୁଭ୍ରଜିତ୍ କହିଲେ -" ହଁ ତାହା ମୁଁ ଜାଣେ । ହେଲେ ମୋର ତୁମ ଉପରେ ସନ୍ଦେହ ହେଉଛି । ତେଣୁ ମୋତେ ମୋ ଡ୍ୟୁଟି କରିବାକୁ ଦିଅ । "

ଦିବେଶ୍ କାନ୍ଦ କାନ୍ଦ ହୋଇ କହିଲେ -" ସାର୍ ଆପଣ କ'ଣ କହୁଛନ୍ତି ଜାଣି ପାରୁଛନ୍ତି ତ ? ମୋର ଏଭଳି ପରିସ୍ଥିତିରେ ମୋତେ ସମବେଦନା ସାନ୍ତ୍ଵନା ଦେବା ପରିବର୍ତ୍ତେ ଆପଣ କଟା ଘାରେ ଚୁନ ଦେଉଛନ୍ତି ?

ଅଫିସର ଶୁଭ୍ରଜିତ୍ ତାପରେ ନିଜର ପ୍ରଥମ ଚାଲ୍ ଖେଳିଲେ ।

ଟିକେ ଗମ୍ଭୀର ହୋଇ କହିଲେ, ସେ ଦି ଜଣ ମୋତେ ସବୁ ସତ କଥା କହିଦେଇଛନ୍ତି । ତେଣୁ ତୁମେ ବି ନିଜ ଦୋଷ ସ୍ୱୀକାର କରି ଦିଅ । ନହେଲେ ମୋତେ କଥା ଆଦାୟ କରିବାକୁ ବେଶି ସମୟ ଲାଗିବନି ।

ଏଥର ଦିବେଶ୍ ଟିକେ ଉଚ୍ଚ ସ୍ୱରରେ କହିଲେ, " ଦେଖନ୍ତୁ ସାର୍ ଆପଣ ଅଯଥା ମୋ ଉପରେ ସନ୍ଦେହ କରି ଆପଣଙ୍କ ମୂଲ୍ୟବାନ ସମୟ ନଷ୍ଟ କରୁଛନ୍ତି । ଆପଣ ଘର ତଲାସି କରି ପାରନ୍ତି ମୁଁ ଆପଣଙ୍କୁ ଅଟକେଇ ବିନି । ଯାଆନ୍ତୁ ଯାହା ଖୋଜି ଦେଖିବା କଥା ଦେଖି ନିଅନ୍ତୁ ।"

ଶୁଭ୍ରଜିତ୍ କହିଲେ, ହଁ ତଲାସ୍ କରିବି ତ ନିଶ୍ଚୟ ପ୍ରଥମେ ମୋର କିଛି ପ୍ରଶ୍ନର ଉତ୍ତର ଦିଅ "

-" ପଚାରନ୍ତୁ "

-" ଘର ପାଖରେ ଏତେ ଘର ଥାଉ ଥାଉ ତୁମେ ପ୍ରଥମେ ରୁଦ୍ର ଆଉ ବ୍ରଜକୁ କାହିଁକି ଫୋନ୍ କରିଥିଲ ? ଫୋନ୍ କରିବା ବଡ଼ କଥା ନୁହେଁ । ଘର ପାଖରେ ଆଉ କାହାକୁ ବି ଏ ଘଟଣା ତମେ ଜଣେଇ ନଥିଲ କଣ ପାଇଁ ? କଣ ପାଇଁ ଅପେକ୍ଷା କରି ରହିଥିଲ ସେ ଦୁହେଁ ଆସିବା ପର୍ଯ୍ୟନ୍ତ ? "

-" ସାର୍ ସେ ଦୁହେଁ ମୋ ଘନିଷ୍ଠ ବନ୍ଧୁ ଥିଲେ ତେଣୁ ....।"

- " ପାଖ ପଡୋଶୀ ଘରେ କାହାକୁ ଡାକି କବାଟ ଖୋଲି ତମ ସ୍ତ୍ରୀ କେମିତି ଅଛି ଆଗ ଦେଖିବ ନା ସେ ଦୁହିଁଙ୍କୁ ଅପେକ୍ଷା କରି ବସିବ ?"

ଦିବେଶ୍ କିଛି କହିପାରି ନଥିଲା ହଠାତ୍ । 

କେବଳ ଏତିକି କହିଥିଲା, "ସତ କଥା ହେଉଛି ସେ ଅବସ୍ଥାରେ ମୁଁ କଣ କରିବି କିଛି ବୁଝି ପାରିଲିନି ତେଣୁ .... ।"

-' ବୁଝି ପାରିଲୁନି ତୁ କ'ଣ ଦୁଧ ଖାଉଛୁ ?"

-" ସାର୍, ମାଇଣ୍ଡ ଇୟୋର୍ ଲାଙ୍ଗୁଏଜ୍ ପ୍ଲିଜ୍ ?"

-" ଶଳା ପୋଲିସ ଭାଷା ଶୁଣିନୁ ତୁ । ତେଣୁ ଭଲରେ ଭଲରେ ମାନି ଯାଆ । ନହେଲେ ପରେ ବହୁତ ପସ୍ତେଇବୁ । "

-" ସାର୍ ଦେଖନ୍ତୁ ... । "

-" ଲିପି କିଏ ? "

ଏତକ ଶୁଣି ସାରିବା ପରେ ହଠାତ୍ ଦିବେଶ୍ ମୁହଁର ରଙ୍ଗ ଫିକା ପଡି ଯାଇଥିଲା । 

କୋ..ଉ ଲିପ୍...ପି ସାର୍ । ଏତକ କହିବା ବେଳକୁ ତା ପାଟି ଖନି ବାଜି ଯାଇଥିଲା ।

-" ସେଇ ଲିପି, ଯୋଉ ଲିପିକୁ ତୁ ଭଲପାଉଛୁ ଆଉ ସେଇ ଲିପି ପାଇଁ ତୋ ସ୍ତ୍ରୀ ସାଲୋନୀକୁ ଷଡ଼ଯନ୍ତ୍ର କରି ହତ୍ୟା କରିଛୁ ।

-" ସାର୍ ଆପଣ ଏମିତି କଣ କହୁଛନ୍ତି ? କୋଉ ଲିପି କିଏ ସେ ? କାହା ପାଇଁ କାହିଁକି ମୋ ସ୍ତ୍ରୀକୁ ମୁଁ ହତ୍ୟା କରିବି ? ଆପଣ ମୋତେ ଭୁଲ ବୁଝୁଛନ୍ତି । "

-" ଧରା ପଡ଼ିବା ପରେ ବି ନିଜକୁ ଲୁଚେଇବାକୁ ଚେଷ୍ଟା କରୁଛୁ ତତେ ଟିକେ ଖରାପ ଲାଗୁନି ଦିବେଶ୍ ? "

-" ସାର୍ ପ୍ଲିଜ୍ ମୋତେ ଏମିତି ବକବାସ୍ କଥା କହିବା ବନ୍ଦ କରନ୍ତୁ । "

-" ଆଛା ମୁଁ ବକବାସ୍ କରୁଛି ? ଠିକ୍ ଅଛି ତମ ମୋବାଇଲ୍ ଦିଅ, ଜଲଦି ଦିଅ ।"

ଦିବେଶ୍ ମୋବାଇଲ ବଢ଼େଇ ଦେଲା ଅଫିସର୍ ଶୁଭ୍ରଜିତଙ୍କ ହାତକୁ ।

ଶୁଭ୍ରଜିତ୍ ପକେଟରୁ ଗୋଟେ କାଗଜ ବାହାର କରି ସେଥିରେ ଲେଖାଥିବା ନମ୍ବର ମୋବାଇଲରେ ଡାଏଲ କଲେ । ଏବେ ଦିବେଶର ମୋବାଇଲରେ ସେଭ୍ ଥିବା ନାଁ ଆସିଲା ଲିପ୍ସା ।

ଏଥର ଶୁଭ୍ରଜିତଙ୍କ ଇଛା ହେଉଥିଲା ଗୋଟେ ଶକ୍ତ‌ ଚାପୁଡା ବସେଇ ଦେବାକୁ ଦିବେଶ୍ ଗାଲରେ । କିନ୍ତୁ ନିଜକୁ ନିୟନ୍ତ୍ରଣ କରି କହିଲେ, " ଚାଲ୍ ଆଉ ଡେରି କରନି ଅଭିନୟ ବହୁତ ହେଲା"

ଦିବେଶ୍ ପୋଲିସ ଆଗରେ ଯାହା ବୟାନ ଦେଇଥିଲା ତାହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଘୃଣ୍ୟ ଥିଲା ।

ଦିବେଶ୍ ସାଲୋନୀକୁ ପ୍ରେମ ବିବାହ କରିଥିଲା । କିନ୍ତୁ ବିବାହର ଛଅ ବର୍ଷ ବିତି ଯାଇଥିଲେ ବି ତାର କିଛି ପିଲା ଛୁଆ ହୋଇନଥିଲା । ଏଥିପାଇଁ ସେ ବହୁତ ଡାକ୍ତର ପୂଜା ପାଠ ଗୁଣି ଗାରେଡ଼ିର ବି ସାହାଯ୍ୟ ନେଇଥିଲା । କିନ୍ତୁ ଫଳ ଶୁନ ଥିଲା । ସାଙ୍ଗ ପ୍ରିୟଜନଙ୍କ ପିଲା ଛୁଆ ମାନଙ୍କୁ ଦେଖିଲେ ତାକୁ ବହୁତ ଇର୍ଷା ହେଉଥିଲା । ସେମାନଙ୍କ ସାମ୍ନାରେ ସେ ନିଜକୁ ବହୁତ ଛୋଟ ଭାବୁଥିଲା । ସେ ଗୋଟେ ବାଞ୍ଝକୁ ବାହା ହୋଇଛି ବୋଲି ମନରେ ସାଲୋନୀ ପ୍ରତି ଗୋଟେ ଘୃଣା ଭାବ ଆସି ଯାଇଥିଲା । ୟା ଭିତରେ ସେ ଲିପ୍ସା ନାମ୍ନୀ ଗୋଟେ କଲେଜ ଝିଅକୁ ପ୍ରେମ ଜାଲରେ ଫସେଇ ଥିଲା । ସେ ବି ଦିବେଶର ଚାର୍ଶୋବିଶ୍ କଥାର ଫାଶରେ ଖୁବ୍ ସହଜରେ ଧରା ଦେଇଥିଲା । ତେଣୁ ତାକୁ ସାରା ଜୀବନ ସାଥି କରିବ ବୋଲି ସ୍ଥିର କରିଥିଲା ଦିବେଶ୍ । ତା ଆଗରୁ ସାଲୋନୀକୁ ରାସ୍ତାରୁ ହଟେଇବ ବୋଲି ସେ ତାର ଦୁଇ ଘନିଷ୍ଠ ବନ୍ଧୁ ବ୍ରଜ ଆଉ ରୁଦ୍ରଙ୍କ ସହ ଚକ୍ରାନ୍ତ ଚଳାଇଥିଲା । ବ୍ରଜ ଆଉ ରୁଦ୍ରଙ୍କ ପାପ ନଜର ସବୁବେଳେ ସାଲୋନୀ ପ୍ରତି ଥିଲା । ତେଣୁ ସେ ଗୋଟେ ସୁଯୋଗ ସେ ଦୁହିଁଙ୍କୁ ଦେଇଥିଲା । ତାହା ଥିଲା ସାଲୋନୀକୁ ଉପଭୋଗ କରିବାର ସୁଯୋଗ । କିନ୍ତୁ ତା ସହ ତାକୁ ସବୁଦିନ ପାଇଁ ଶେଷ କରିଦେବା ପାଇଁ ବି କହିଥିଲା । ଉପଭୋଗ କଥା ତ ଠିକ୍ ଥିଲା ହେଲେ ଏ ଶେଷ ପ୍ରସ୍ତାବରେ ସେ ଦୁହେଁ ଟିକେ ଅମଙ୍ଗ ହୋଇଥିଲେ । ତେଣୁ ଦିଵେଶ୍ ସେ ଦୁହିଁଙ୍କୁ ଲକ୍ଷେ ଟଙ୍କାର ଲୋଭ ଦେଖାଇଥିଲା । ସେ ଦୁହେଁ ରାଜି ହୋଇଥିଲେ । ପ୍ରଥମେ ତାଙ୍କ ଆକାଉଣ୍ଟରେ ସେ ଷାଠିଏ ହଜାର ପଠାଇଥିଲା କାମ ସରିବା ପରେ ପୁଣି ଚାଳିଶି ହଜାର ପଠାଇବ ଦିବେଶ୍ କଥା ଦେଲା ।

ରୁଦ୍ର ଆଉ ବ୍ରଜ ତାଙ୍କ କାମରେ ଲାଗି ପଡ଼ିଲେ । ଦିବେଶ୍ ସବୁ କିଛି ଖୋଲି କହି ଦେଇଥିଲା । ପ୍ରଥମେ ତମେ କବାଟ ବାଡେଇବ ତମେ କିଛି କହିବନି ସାଲୋନୀ ତାପରେ ଯୋଉ ସଂଖ୍ୟା କହିବ ତମ ଭିତରୁ ଜଣେ ସେଥିରେ ପନ୍ଦର ମିଶେଇ କି କହିବ । ତାପରେ ସାଲୋନୀ କବାଟ ଖୋଲିବ । କିନ୍ତୁ ସେ ତମମାନଙ୍କୁ ଦେଖି ହଡବଡେଇ ଯାଇ ଜୋର୍ ସେ ଚିଲେଇ ପାରେ, ତେଣୁ ସେଥିପ୍ରତି ତମେ ଦୁହେଁ ଯେମିତି ସଜାଗ ଥିବ । 

ଦିବେଶ୍ କହିବା ମୁତାବକ ରୁଦ୍ର ଆଉ ବ୍ରଜ ସେମିତି ହିଁ କଲେ ।

ବ୍ରଜ ଆଉ ରୁଦ୍ର ଯାହା ପୋଲିସ୍ ଆଗରେ କହୁଥିଲେ ତାହା ଶୁଣି ଅଫିସର୍ ଶୁଭ୍ରଜିତଙ୍କର ଇଚ୍ଛା ହେଉଥିଲା ସେଇଠି ହିଁ ସେ ଦୁହିଁଙ୍କୁ ଏନକାଉଣ୍ଟର୍ କରି ଦେବାକୁ ।

ସାଲୋନୀ କବାଟ ଖୋଲିବା କ୍ଷଣି ରୁଦ୍ର ତା ପାଟିକୁ ଜୋର୍ ସେ ଚାପି ଧରିଥିଲା । ତାପରେ ତାକୁ ବେଡରୁମକୁ ନେଇ ଖଟ ଉପରେ ଶୁଆଇ ଦେଇଥିଲେ ପାଟିରେ ଗୋଟେ କପଡା ଜବରଦସ୍ତି ଭର୍ତ୍ତି କରି ଦେଇଥିଲେ । ହାତ ଗୋଡକୁ ବାନ୍ଧି ଦେଇଥିଲେ । ତାପରେ ଦୁହେଁ ବାରମ୍ବାର ସାଲୋନୀକୁ ବଳାତ୍କାର କରିଥିଲେ । ସାଲୋନୀ ଯେତେବେଳେ ନିସ୍ତେଜ ହୋଇ ପଡ଼ି ଯାଇଥିଲା ତା ଚଣ୍ଟି ଚିପି ହତ୍ୟା କରିଥିଲେ ଦୁହେଁ । ତାପରେ ତାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ‌ତା ପିନ୍ଧା ଲୁଗାରେ ବେକ ବାନ୍ଧି ଫ୍ୟାନରେ ଝୁଲେଇ ଦେଇଥିଲେ ।

ଏବେ ତିନି ଜଣ ଜେଲରେ କୋର୍ଟର ଶେଷ ନିଷ୍ପତ୍ତି ତିନି ଜଣଙ୍କୁ ଆସନ୍ତା ମାସ ପନ୍ଦର ତାରିଖରେ ଫାଶୀ ଦିଆଯିବ ।

ଆଉ ଲିପିକୁ ଥାନାକୁ ଡ଼କାଇ ଅଫିସର୍ ଶୁଭ୍ରଜିତ୍ ସବୁ ଖୋଲି କହି ଦେଇଛନ୍ତି । ଲିପିର ଏବେ ପ୍ରେମ ଉପରୁ ସମ୍ପୂର୍ଣ୍ଣ ଭରସା ଉଠି ଯାଇଛି ସେ ପଠନ ମନସ୍କ ହୋଇ ନିଜ କ୍ୟାରିୟର ପ୍ରତି ଯତ୍ନବାନ ହେଇଛି ।

ତିନି ଜଣ ଦୋଷୀ ସିନା ଦଣ୍ଡ ପାଇବେ ହେଲେ ବିଚାରି ସାଲୋନୀ ... ତାର କଣ ଅବା ଭୁଲ ଥିଲା ..... ।

ଶେଷକୁ ଏତିକି କହି ପାରିବା ଦିବେଶ୍ ଭଳି ବେଇମାନ ସ୍ୱାମୀ କାହାକୁ ବି ନମିଳୁ ।



Rate this content
Log in

Similar oriya story from Tragedy