ବାତ୍ୟା ପରେ
ବାତ୍ୟା ପରେ
ବାତ୍ୟା ଏତେ ଭୟଙ୍କର ରୁପ ନେବ ବୋଲି କେହି ଭାବି ନଥିଲେ। ସୁ ସୁ ହୋଇ ମାଡ଼ିଆସିଲା ଅଣଚାସ ପବନ।
କୋକୁଆ ଭୟ ଖେଳିଗଲା ସରକାରୀ ଶିଶୁ ହସ୍ପିଟାଲ ବିଭାଗର ନବଜାତ ଏମରଜେନ୍ସି ୱାର୍ଡରେ।
ଆଶଙ୍କାରେ ଥରୁଥିଲା କୁମୁଦ। ବାର ଦିନର ପୁଅ ତାର ଭିତରେ ଅଛି।ତା ପାଖରେ ଠିଆ ହୋଇଥିଲା ରମା।ପାଖ ବସ୍ତିରେ ଦୁହେଁ ରୁହନ୍ତି।ରମାର ନାତୁଣୀ ବି ଆଡ଼ମିଟ ହୋଇଛି।
- କାଲି ମୋ ବାବୁଆଣୀ କୁ ଆଡ଼ଭାନ୍ସ ମାଗିବାକୁ ଯାଇଥିଲି।ମୋତେ କହିଲେ,"ପ୍ରାଇଭେଟ ହସ୍ପିଟାଲ ନେଇଯାଉନୁ ?ସେଠି ଭଲ ଟ୍ରିଟମେଣ୍ଟ।ହେଲେ ଏତେ ପଇସା କେଉଁଠୁ ଆଣିବି ?ଆମ ଭଳି ଗରିବଙ୍କ ପାଇଁ ସରକାରୀ ହସ୍ପିଟାଲ।ଯାହା ହେଲେ ବି ଆମେ କଣ କରିପାରିବା ?
ମୁହଁ ଶୁଖାଇ ରମା କହିଲା,"ଝିଅ ଜନ୍ମ କଲା ବୋଲି,ଅମଣିଷ ଜୋଇଁଟା ମଦ ପିଇ ବାଡୋଉଛି ମୋ ଝିଅକୁ।ଛୋଟ ଛୁଆଟା ମରିବ କି ବଞ୍ଚିବ ସେ ଚିନ୍ତା ନାହିଁ ସେ ରାକ୍ଷସକୁ।ଏ ବାତ୍ୟାକୁ ପୁଣି ଏଇନା ଆସିବାକୁ ଥିଲା !ଭିତରେ କିଛି ଅସୁବିଧା ହେବନି ତ ?ଲାଇନ କଟିଗଲାଣି, ଅକ୍ସିଜେନ ଚାଲୁଥିବ କି ନାହିଁ ?"
ଏଇ ସମୟରେ ସେମାନେ ବସିଥିବା ରୋଗୀ ଆଟେନାଣ୍ଟ ପ୍ରତୀକ୍ଷାଳୟରେ ଖସିପଡ଼ିଲା ଫଲ୍ସ ସିଲିଙ୍ଗ।ରାସ୍ତା ଆରପାଖ ରୁମରୁ ଉଡ଼ିଗଲା ଆଜବେଷ୍ଟସ ଓ ଟିଣ ଛାତ।
ଅନ୍ୟ ଅଭିଭାବକଙ୍କ ଭଳି ସେ ଦୁହେଁ ବି ଦୌଡିଲେ ଆଇ ସି ୟୁ କୁ।
-ଆଲୋ ଆମ ଛୁଆ ବଞ୍ଚିଥିବେ ନା ମଲେଣି ?ଏ ନର୍ସ ,ୱାର୍ଡ଼ ବୟ ଗୁଡାକ ତ ଦୌଡାଦୌଡ଼ି ହେଉଛନ୍ତି।"
ହସ୍ପିଟାଲ କରିଡର ଭିତରେ ପାଣିର ସୁଅ।ଆଇ ସି ୟୁ ରେ ପହଁଚି ସେମାନେ ଦେଖିଲେ ଅଦ୍ଭୁତ ଦୃଶ୍ୟ।ଉପରୁ ଫଲ୍ସ ସିଲିଙ୍ଗ କାଳେ ପିଲାଙ୍କ ଉପରେ ପଡିବ ବୋଲି,ନର୍ସ ଦିଦି ମାନେ ପିଲାଙ୍କ ସୁରକ୍ଷା କବଚ ଭାବେ ବେଡ଼ସିଟ ଓ ଅଏଲକ୍ଲଥ ଧରି ଘୋଡାଇ ଥିଲେ ପ୍ରତି ପିଲାଙ୍କ ଝୁଲାକୁ; ପାଣି ଛିଟିକା ସେମାନଙ୍କ ଉପରେ ପଡୁଥାଏ ସିନା ,କିନ୍ତୁ ସବୁ ଛୁଆ ନିରାପଦ ଥାଆନ୍ତି।ଗୋଟିଏ ଗୋଟିଏ କରି ଛୁଆଙ୍କୁ ଅକ୍ସିଜେନ ସିଲିଣ୍ଡର ସହ ନର୍ସ ମାନେ ନିଜେ, ଛୁଆଙ୍କ ଅଭିଭାଵକଙ୍କ ସହାୟତାରେ ଅନ୍ୟ ରୁମକୁ ସ୍ଥାନାନ୍ତରଣ କରିଦେଲେ।ଆଇ ସି ୟୁ ର ସବୁ ଛୁଆ ନିରାପଦ ଥିଲେ।ରମା ଓ କୁମୁଡ଼ଙ୍କ ଭଳି ଅନ୍ୟମାନେ ନର୍ସମାନଙ୍କ ହାତକୁ ଧରି ଗେଲ କରୁଥାନ୍ତି।
-ଦିଦି,ଆପଣମାନେ ଆମ ପାଇଁ ଭଗବାନ।
-ଏହା ଆମ କର୍ତ୍ତବ୍ୟ।ବାସ୍ ନିଜ ଡିଉଟି କରୁଛୁ।ସରକାରୀ ହସ୍ପିଟାଲ ଓ ଷ୍ଟାଫ ମାନଙ୍କ ର ନିନ୍ଦା ସମସ୍ତେ କରନ୍ତି।
ବାତ୍ୟା,ବର୍ଷା କିଛି ଘଣ୍ଟା ପରେ ଛାଡି ଗଲା।ଆଇ ସି ୟୁ ଅବସ୍ଥା ଦେଖି ସମସ୍ତେ ଡ଼ରିଯାଇଥିଲେ।ହେଲେ ସବୁ ଛୁଆ ସୁରକ୍ଷିତ ଥିଲେ।
-ଦେଖିଲୁ କୁମୁଦ,ଆମ ଲୋକମାନେ କିଛି ସରକାରୀ ହସ୍ପିଟାଲ କର୍ମଚାରୀଙ୍କ ପାଇଁ ସମସ୍ତଙ୍କୁ ବଦନାମ କରନ୍ତି।ଆଜି ଯାହା ଘଟିଲା ତାହା କଣ ପେପର ଓ ଟିଭିରେ ବାହାରିବ ନା ଦେଖାଇବେ ?ଦିଦି ଓ ଡାକ୍ତର ମାନେ କେତେ ବଡ଼ କାମ କରିଛନ୍ତି ?
ମୁହଁ ପୋଛି କୁମୁଦ କହିଲା,"ରମା ମାଉସୀ, ବାତ୍ୟାରେ ଅସଲ ଠାକୁର ଠାକୁରାଣୀଙ୍କ ଚେହେରା ସାମ୍ନାକୁ ଆସେ।ଆମେ ସମସ୍ତେ ଦୁନିଆକୁ ଜଣାଇବା। ଆମେ ଦେଖିଛେ ଦେଵୀ ମାନଙ୍କୁ ।"