ବାର ବର୍ଷର ତପ
ବାର ବର୍ଷର ତପ
ସିନ୍ଧୁ ରୂପକ ସଂସାରରେ ସବୁବେଳେ କିଛି ନା କିଛି ଲାଗି ରହିଥାଏ । ଏଇ ଯେମିତି ନିତ୍ୟାନନ୍ଦ ଘର କଥା । ଏଇ ଯେମିତି ଗୁରିଆ ସାହୁ ଘରେ । ଆଉ ଏଇ ଯେମିତି ଜଗତରେ । ମଣିଷ ଜୀବନ ଧାରଣ ଯେଉଁଠି କରେ, ସମସ୍ୟା ତ ନିଶ୍ଚିତ ଭାବରେ ଆସୁଥିଲା, ଆସୁଛି ଆସିବ ବି । ହେଲେ ଆସୁଥିବା ଝଡ଼ ଭଳି ସମସ୍ୟାକୁ ପ୍ରତିହତ କରି ଆଗକୁ ଯିବାକୁ ହେବ ।
କେତେ ସମସ୍ୟା ,କେତେ ଝଡ଼ ସହୁଛି ଧରାପରେ ଥିବା ଦୂବଘାସ । ତଥାପି ଜିଇଁବାର ପ୍ରୟାସ ଜାରି ରହିଛି ତା'ର । ଝଡ ପରେ, ବନ୍ୟା ପରେ ଝାଡିଝୁଡି ହୋଇ ମଥାଟେକି ଆନନ୍ଦରେ ଦିନ କାଟେ ।
ବାରମ୍ବାର ଫୋନ କରି କରି ବିରକ୍ତ ହୋଇ ପଡିଲେଣି ନିତ୍ୟାନନ୍ଦ ବାବୁ । ସ୍ତ୍ରୀ ନିହାରିକା ଯେତେ କହିଲେ ବି ଖାଇବାକୁ ନାହିଁ ନାହିଁ ହେଉଛନ୍ତି । ରାତି ଆସି ୧୦ ଟା ଉପରେ ହେଲାଣି । ନାତୁଣୀ ଫୋନ କଲା ,ଭାଇ ତୁ କେଉଁଠି ଅଛୁ । ଜେଜେ ବଡ଼ ବିରକ୍ତ ହେଲେଣି । ଜଲଦି ଆସେ ଘରକୁ । କେହି ଆମେ ଖାଇନାହୁଁ ।
ସେପଟରୁ ଭାଇ କହିଲା, ହଁ ଲୋ ଜେଜେଙ୍କୁ କହିଥା ,ଖାଇ ନ ଥିବେ । ତାଙ୍କ ପସନ୍ଦର ତରକାରୀ ନେଇ ମୁଁ ଯାଉଛି ।
ଏ ସମୟରେ ଜେଜେମା ରାଗିକରି କହିଲେ, ସେ ଟୋକା କଣ କହିଲା । ଆସୁଛି ତ ଏବେ ।
ହଁ ଲୋ ଜେଜେମା ସେ ତୋର, ମୋର, ଜେଜେଙ୍କ ପାଇଁ ହୋଟେଲରୁ ଭଲ ତରକାରୀ ନେଇ ଆସୁଛି । ଆଉ ଅଧଘଣ୍ଟା ଭିତରେ ପହଞ୍ଚି ଯିବ । ତା ସାଙ୍ଗମାନଙ୍କ ସହ ଜନ୍ମଦିନ ପାର୍ଟି ସରିଆସିଲାଣି । ତା ସାଙ୍ଗଗୁଡା ନିହାତି ହିଂସିକା ଗୁଡା । ସମସ୍ତେ ଯିବେ ବୋଲି ଭାଇ କହିଲାରୁ ସେମାନେ ମନା କଲେ । ମାତ୍ର ୯ ଜଣ । ତୁ ବ୍ୟସ୍ତ ହ ନା । ଆଉ ଅଳ୍ପ ସମୟ ପରେ ଖାଇବା ।
ହଠାତ ଭଉଣୀ ନିତୁ ନମ୍ବରରେ ଫୋନ ଆସିଲା । ହାଲୋ - କିଏ କହୁଥିଲ,
---ଆପଣ କିଏ
ନିତୁ-ଏ ଫୋନ ଯାହାର, ମୁଁ ତା ଭଉଣୀ ।
---ହଁ ଶୁଣ,ତୁମ ଭାଇ ସିରିଏସ । ଗାଡ଼ି ଆକ୍ସିଡେଣ୍ଟ ହୋଇଛି । ଆମେ ତାକୁ ସରକାରୀ ଡାକ୍ତରଖାନାକୁ ନେଇ ଯାଉଛୁ ।
ନିତୁ---ହାଲୋ, ଫୋନ କଟିଗଲା ।
ଜେଜେ ଜେଜେମା, ଟିଭିଘରେ ଟିଭି ଦେଖୁଥିଲେ । ସେମାନଙ୍କୁ କିଛି ନ କହି ମୋବାଇଲ ଧରି ନିତୁ ରାତି ସାଢେ ଦଶଟାରେ ସ୍କୁଟି ନେଇ ଚାଲି ଆସିଲା । ସାଙ୍ଗ ଲୋରିକୁ ଫୋନ କରି ସବୁ କଥା କହିଲା । ଲୋରି ତାଙ୍କ ଘରକୁ ଆସିବାକୁ କହିଲା । ନିତୁ ଲୋରି ଘରେ ପହଞ୍ଚି କେବଳ କାନ୍ଦୁଥାଏ । ଲୋରିର ବାପା, ଭାଇ ଓ ଲୋରି ସମସ୍ତେ ମିଶି ତାଙ୍କ କାରରେ ହସପିଟାଲରେ ପହଞ୍ଚି ଗଲେ । ପେସେଣ୍ଟ ସିରିଏସ, କଟକ ନେଇ ଯିବାକୁ ଡାକ୍ତର ପରାମର୍ଶ ଦେଲେ । ଆମ୍ବୁଲାନ୍ସ ଠିକ କରି କଟକ ଚାଲିଗଲା ନିତୁ । ଭାଗ୍ୟର ବିଡ଼ମ୍ବନା । ବାଟ ସାରା ଭାଇର ଦେହ ହାତ ଆଉଁସି ଦେଉଥାଏ । ଭାଇ,ତୁ ମୋତେ ଜାଣି ପାରୁଛୁ ନା । ଏ ଭାଇ ତୋର ଏ କଣ ହେଲା । ଭାଇ ତୁ ବ୍ୟସ୍ତ ହ ନା । ମୁଁ ତୋତେ ଭଲ ଡାକ୍ତର ପାଖକୁ ନେଇ ଯିବି । ତୁ ଆଦୌ ସେମିତି ହ ନା ଭାଇ । ଏଇ ଦେଖୁନୁ ,ଆମ ସାଙ୍ଗରେ ପା ଅଙ୍କଲ ଅଛନ୍ତି, ଭାଇ,ଲୋରି ସମସ୍ତେ ଅଛନ୍ତି । ତୁ କାନ୍ଦନା ଭାଇ ।
ବହୁତ ବଡ଼ ପାଟିରେ ଯନ୍ତ୍ରଣାରେ ଚିତ୍କାର କରୁଥିଲା ନିତୁର ଭାଇ । ମୁଁ ମୁଁ ବ ବଞ୍ଚିବିନି ଲୋ । ମୋର କଣ ହୋଇ ଯାଉଛି । ଜେଜେ, ଜେଜେମା କୁଆଡ଼େ ଗଲ ସବୁ । ମୋ ଦେହ କଣ ହୋଇ ଯାଉଛି । ମୋ ମୁଁ ମୋ ମୁଣ୍ଡ । ମୁଁ ମରିବାକୁ ଚାହୁଁ ନାହିଁ, ମୁଁ ବଞ୍ଚିବାକୁ ଚାହେଁ । ଅଙ୍କଲ ମୋ ଭଉଣୀ ,ମୋ ଭଉଣୀର ଭଲମନ୍ଦ ବୁଝିବ । ଜେଜେ ନିତୁ ଜେଜେମା....
ଏ ଭାଇ ତୁ ଏମିତି ପାଟି କରନା । ତୋତେ ବେଶୀ କଷ୍ଟ ହେବ । ତୁ ଟିକେ ଚୁପ ହୋଇଯା । ମୁଁ ତୋତେ ଆଉଁସି ଦେଉଛି ପା । ମୋ କୋଳରେ ତ ତୋତେ ଶୋଇ ଦେଇଛି । ଶୋଇ ପଡ଼ ରେ ମୋ ସୁନା ଭାଇ ,ମୋ ସୁନା ଭାଇର କଷ୍ଟ ସବୁ ଦୂରେଇ ଦିଅ ପ୍ରଭୁ ।
ଅଙ୍କଲ ଭାଇର ମୁଣ୍ଡରୁ କେତେ ରକ୍ତ ବୋହୁଛି ଦେଖନ୍ତୁ । ଏତେ ବଡ଼ ଗାମୁଛା ବନ୍ଧା ହୋଇଛି, ପୁଣି । ନିଜ ଓଢଣୀକୁ ବି ଭଲ ଭାବରେ ଗୁଡେ଼ଇ ଦେଲା ।
ଅଙ୍କଲ ଭାଇକୁ ଟିକେ ଆରାମ ଲାଗିଲା କି କଣ, ସେ ଶୋଇ ପଡ଼ିଲା । ଆପଣ ଟିକେ ମୋ ଜେଜେ ଜେଜେମାଙ୍କୁ ଫୋନ କରି କହିଦିଅନ୍ତୁ ନା ,ସେମାନେ ଖାଇନେବେ । ମୁଁ ଟିକେ ପିଇସାଙ୍କୁ ଫୋନ କରୁଛି ।
ହଁ,ମାଉସୀ ଆପଣ ଆଉ ମଉସା ଖାଇ ନିଅନ୍ତୁ । ଏମାନେ ଦୁଇଜଣ ଯାକ ଏଇଠି ଅଛନ୍ତି,ଖାଇବେ । ଆପଣ ମାନେ କାହିଁକି ଉପବାସ ଏଯାଏଁ ଅଛନ୍ତି । ହେଇ ନିତୁ ସହ କଥା ହୁଅନ୍ତୁ ।
ହଁ,ଜେଜେମା ତୁମେ ଖାଇଦିଅ । ଏଠି ପା ଅଙ୍କଲ ଆଣ୍ଟି ଆମକୁ ବାଧ୍ୟ କଲେ । ଆମେ ଖାଉଛୁ । ତୁମେ ଖାଇ କବାଟ ବନ୍ଦକରି ଶୋଇ ଥା । ଆମେ ଗଲେ ଡାକିବୁ । ହଁ
ପିଇସା,ଭାଇର ଆକ୍ସିଡେଣ୍ଟ ହୋଇଛି, ମୁଁ ତାକୁ କଟକ ନେଇ ଯାଉଛି । ନା ସେଠାରେ ଡାକ୍ତର ସିରିଏସ ବୋଲି କହି କଟକ ପଠେଇଛନ୍ତି । ଆପଣ କିଛି ଟଙ୍କା ନେଇ କଟକ ବଡ଼ ଡାକ୍ତରଖାନାରେ ପହଞ୍ଚି ଯାଆନ୍ତୁ । ଜେଜେ କି ଜେଜେମାଙ୍କୁ କିଛି କହିବେ ନାହିଁ ।
ଏ ଭାଇ,ଦେଖିଲୁ ତ ,ତୋ ପାଇଁ ସବୁବେଳେ ଜେଜେ ଜେଜେମାଙ୍କୁ ମିଛ କହୁଛି । ଏଣେ ତେଣେ ବୁଲିବୁ । କାହା କଥା ଶୁଣିବୁନି । ପାଞ୍ଚମାସ ହେଲା ଚାକିରୀ ଛାଡି ଆସି ଗୋଟେ ପାଲା ଲଗେଇଛୁ । ତୁ ଭଲ ହୋଇ ସାର,ତୋର ମୋର କଥା ।
ଏ ଭାଇ ତୋ ଦେହ ଭଲ ଲାଗୁଛି ତ । ବ୍ୟସ୍ତ ହ ନା ,ଆମେ ପା କଟକ ପାଖାପାଖି ହୋଇ ଗଲେଣି । ଆଉ ଅଳ୍ପବାଟ ଅଛି, ପହଞ୍ଚି ଯିବା । ।
ଏ ଭାଇ,ଭାଇ,ଭାଇ...
ଭାଇର ନିଶ୍ୱାସ ଚାଲୁ ନାହିଁ କି ।
ଅଙ୍କଲ ଦେଖିଲେ ଟିକେ । ଏ ଭାଇ ,ଭାଇ ଭାଇ ...
ଯେତେ ହଲେଇଲା, କିଛି ହେଉ ନଥାଏ ଭାଇ ।
ଅଙ୍କଲ ନାକ ପାଖରେ ହାତ ଦେଇ ଦେଖିଲେ ଯେ,ନିତୁ ବାପି ଆଉ ନାହିଁ ରେ ମାଆ ।
ନାହିଁ ଅଙ୍କଲ ,ମୋ ଭାଇ ମୋତେ ଛାଡି କୁଆଡ଼େ ଯାଇ ପାରିବ ନାହିଁ । ଆପଣ ଏମିତି କଣ କହୁଛନ୍ତି । ଏ ଭାଇ,ଭାଇ,ଭାଇ ଉଠ,ଶୁଣ ମୋ କଥା । କେତେ କଥା କହୁଥିଲୁ । ଟିକେ ହାତ ଗୋଡ ହଲା । ଏ ଏ ଏ ଭାଇ । ତୋ ନିତୁକୁ ଛାଡ଼ି ତୁ କଣ ଯାଇ ପାରିବୁ । ମୋର ଆଉ କିଏ ଅଛି ଭାଇ । କାହା ସହ ମୋ ଭଲମନ୍ଦ, ପାଠପଢା ସବୁ କଥା କଥା ହେବି କହିଲୁ ଭାଇ । କିଏ ମୋତେ କଲେଜ ନେଇ ଯିବ । ଭାଇ ଭାଇକହି ମୁଣ୍ଡ ବାଡେଇ କାନ୍ଦୁଥାଏ ନିତୁ ।
ହେଲେ ଭାଇ ତ ଆଉ ଉଠୁ ନ ଥାଏ । ସେ ହୃଦୟ ବିଦାରକ ଦୃଶ୍ୟ ବହୁତ ବେଦନାଦାୟକ । ତଥାପି ଏତେ ବାଟ ଆସି ଫେରି ନ ଯାଇ ଶବ ବ୍ୟବଛେଦ କରି ପଳେଇବା ବୋଲି ଅଙ୍କଲ କହିଲେ । ତାହାହିଁ ହେଲା । ସେଠାରେ ପିଇସା ପିଉସୀ ବି ଆସିଲେ । ସବୁ ଶେଷ ହେଲା ବେଳକୁ ୩ ଟା ବାଜି ସାରିଥାଏ । ଘରେ ଆସି ପହଞ୍ଚିଲେ ୫ ଟା ବେଳକୁ । ଶବ ସଂସ୍କାର କାର୍ଯ୍ୟ ବି ସରିଲା ।
ବାପା ମାଆ ଅଲଗା ଅଲଗା ହୋଇ ଆସିଥିଲେ ଶେଷ କାର୍ଯ୍ୟ ପାଇଁ । ହେଲେ ଘରକୁ ଯିବାକୁ ଅନୁମତି ଦେଇ ନ ଥିଲେ ଜେଜେ । ପୁଅ ଝିଅ ଦୁହିଁଙ୍କୁ ଛାଡି ଦେଇ ଆଜିକୁ ୨୪ ବର୍ଷ ହେଲା ଦୁହେଁ କଳିଝଗଡା କରି ଭୁଲି ଯାଇଥିଲ । ଏବେ ଆସୁଛ କାହିଁକି ।
ଯାଅ,ଚାଲିଯାଅ ତୁମେ ଦୁହେଁ । ମୋର ଶେଷ ଆସ୍ରା ତ ଆଜି ଭସ୍ମ ହୋଇଗଲା । ବାର ବର୍ଷର ତପ ଶୁଖୁଆ ପୋଡାରେ ଚାଲିଗଲା । ଏ ଅଦୃଶ୍ୟ ଝଡ଼ ମୋତେ ଅନ୍ଧ କରିଦେଲା । ଏଇ ହାତରେ କାଖେଇ କୋଳେଇ ଯାହାକୁ ମଣିଷ କରିଥିଲି ସେ ତ ଚାଲିଗଲା । ତୁମେ ମାନେ କଣ କଟା ଘା'ରେ ଚୁନ ଲେପିବ । କେଉଁଠି ଥିଲା ଏ ଅଦୃଶ୍ୟ ଝଡ଼ । ମୋ ବାୟା ବସାକୁ ଧୂଳିସାତ କରିଦେଲା ।