Nityananda Nandi

Inspirational

3  

Nityananda Nandi

Inspirational

ବାପାଙ୍କ ଫୋନ କଲ୍

ବାପାଙ୍କ ଫୋନ କଲ୍

6 mins
170



ରୁମ ନମ୍ବର ଏଗାର, ହଷ୍ଟେଲ ଥ୍ରି। ଏସ ପି ପି ଇଉ, ପୁନେ। ପଶ୍ଚିମାଭିମୁଖୀ ଛୋଟ ବାଲକୋନି। ବସିଲେ ଲାଗେ ଯେମିତି ପାହାଡଟା ହାତ ପା'ନ୍ତାରେ । ସୂର୍ଯ୍ୟ ଡୁବିଲେ ବି ଶୀଘ୍ର ଅନ୍ଧାର ଆସେନି। ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ କିରଣର ଅବଶେଷ ଆକାଶରୁ ପ୍ରତିଫଳିତ ହୋଇ ସବୁଦିନ ପରି ଆଜି ବି ପଶି ଆସିଛି କୋଠରୀ ଭିତରକୁ। ଝାପସା ଲାଲ ରଙ୍ଗ ବୋଳି ହୋଇ ଯାଇଥାଏ ଘର ସାରା। ପ୍ରକୃତିର ନିଜସ୍ଵ ସ୍ୱାଭିମାନ, ନିଜସ୍ଵ ଅହଙ୍କାର। କେତେ ବେଳେ କୋଉ ରଙ୍ଗ କୋଉଠି ବୋଳି ଦିଏ, ନିଜ ଇଚ୍ଛାରେ। କିଛି ରଙ୍ଗ ଦୁଃଖର ବାର୍ତ୍ତା ନେଇ ଆସେ ଆଉ କିଛି ସୁଖର..


ପଲ୍ଲବୀ କଫି ବନେଇଲା, ମନ ଧ୍ୟାନ ଦେଇ।

ଉଠ୍, କଫି ଥଣ୍ଡା ହେଇଯିବ ଯେ..

ସଂଘମିତ୍ରା ଉଠି ପଡି ହାଇ ମାରି ଅଳସ ଭାଙ୍ଗିଲା।

ସିଧା ଯାଇ ବସିଲା ବାଲକୋନିରେ।

ଦୁହେଁ ମିଶି କଫି ପିଇଲେ। ପଲ୍ଲବୀ ଓ ସଂଘମିତ୍ରା ଦୁଇ ସାଙ୍ଗ। ଗୋଟାଏ ଗୋଟାଏ ବିଦେଶୀ ଭାଷାକୁ ନେଇ ବି.ଏ କରୁଛନ୍ତି ସେମାନେ । କଲେଜ ଆସିବା ଆଗରୁ କେହି କାହାକୁ ଜାଣି ନଅ ଥିଲେ । ଗୋଟାଏ ରୁମରେ ଦୁହିଁଙ୍କ ବେଡ୍ ଆଲଟମେଣ୍ଟ ସଂଯୋଗ ଥିଲା, କି ଭଗବାନ ଚାହୁଁଥିଲେ, କେଜାଣି...


ଦୁହେଁ ଭାରି ଘନିଷ୍ଟ। ତିନି ଚାରି ମାସରୁ ଅଧିକ ହେବ ସାଥିରେ ରହୁଛନ୍ତି ସେମାନେ। ପଲ୍ଲବୀ ଚୁପ୍ ଚାପ୍ ରହେ ବୋଲି ସଂଘମିତ୍ରାକୁ ଭଲ ଲାଗେନି। ସବୁ ଦିନ ଗୋଟାଏ ପ୍ରଶ୍ନ, ପଲ୍ଲବୀ କିନ୍ତୁ କିଛି କହେନି। ଗୋଟାଏ ନିମ୍ନତମ ଉତ୍ତାପରେ ଯନ୍ତ୍ରଣାର ବିସ୍ଫୋରଣ ହୁଏ ମନ ଭିତରୁ, ସଂଘମିତ୍ରାର କଥାରେ ସେତିକି ଉଷ୍ମତା ନଅ ଥିଲା ବୋଧହୁଏ। ପଲ୍ଲବୀଟାଳି ଦେଉଥିଲା ତା'ର ପ୍ରତିଟି ପ୍ରଶ୍ନକୁ। ଗୋଟାଏ ପ୍ରଶ୍ନ କିନ୍ତୁ ଯଥେଷ୍ଟ ହୃଦୟକୁ ଛୁଇଁବା ପାଇଁ, ଯଦି ଭାବପ୍ରବଣତାର ବାସ୍ନା ଥାଏ ପ୍ରଶ୍ନ ଭିତରେ...


ଆଜି କଫି ପିଉ ପିଉ ସେଇ ସମାନ ପ୍ରଶ୍ନକୁ ଦୋହରାଇଲା ସଂଘମିତ୍ରା। କରୋନା ଭାଇରସ୍ ପ୍ରାୟ କାହାକୁ ଛାଡିନି ପଲ୍ଲବୀ। ସବୁ ପରିବାରକୁ ହିଁ ଚୋଟ ମାରିଛି।

" ଠିକ୍ ଅଛି ! ମୁଁ ଓ ଆମ ପରିବାର ତୋ ସାଥିରେ। କହ ତୋ ବାପାଙ୍କ କଥା କହ, ମନଟା ହାଲୁକା ହେଇଯିବ। କହ ପଲ୍ଲବୀ ! କହ !"


ପଲ୍ଲବୀ ଅନେଇଥିଲା ପଶ୍ଚିମ ଆକାଶ ଆଡେ। ଦୁଃଖ, ମନ ଭିତରେ ଏକ କୁତ୍ସିତ ଅବଶେଷ। ବିରହୀ ପଶ୍ଚିମ ଆକାଶ, ଏଇ କିଛି ସମୟ ଆଗରୁ ହିଁ ହରେଇଛି ସେ ତାର ଅତି ପ୍ରିୟ ଅରୁଣକୁ। କେହି ବୋଧହୁଏ ଖୁସି ନୁହନ୍ତି ଏଇ ଦୁନିଆରେ। ଅତି ଅନ୍ତରଙ୍ଗ ନିଜସ୍ଵ ଦୁଃଖ ସବୁ ମନ ଭିତରେ ଲହଡ଼ି ଭାଙ୍ଗିବାକୁ ଆରମ୍ଭ କଲେ।

ଦୁଇ ଟୋପା ଲୁହ ବୋହି ଆସିଥିଲା ତା ଗାଲ ଉପରେ।

କହୁନୁ ! ବାପା ହିଁ ଭଗବାନଙ୍କ ସର୍ବଶ୍ରେଷ୍ଠ ଉପହାର ପ୍ରତିଟି ଝିଅଙ୍କ ପାଇଁ। ମୋ ବାପା ବି ଠିକ୍ ସେମିତି..

କହ ପଲ୍ଲବୀ..ବାପାଙ୍କ ସହିତ ଘଟିଥିବା ମନଛୁଆଁ କଥା ସବୁ। ହାଲୁକା ହୋଇଯିବ ତୋ ମନଟା।


"ହଁ ମିତ୍ରା ! କାହିଁକି କେଜାଣି ବାପାଙ୍କୁ ଜମାରୁ ଭୁଲି ହେଉନି। ମାଇଁ ବେଷ୍ଟ ଫ୍ରେଣ୍ଡ୍, ଫିଲୋସଫର ଏଣ୍ଡ ଗାଇଡ !! କେମିତି ଅଚାନକ ଚାଲିଗଲେ !! କାହାକୁ କିଛି ନଅ କହି ଏମିତି କଣ କେହି ଯାଆନ୍ତି !


ଅନ୍ୟ ଫୁଲମାନଙ୍କ ପରି ଗେଣ୍ଡୁ ଫୁଲର ସ୍ଵତନ୍ତ୍ର ବାସ୍ନା ନଅ ଥାଏ, ମୋତେ କିନ୍ତୁ ଗେଣ୍ଡୁ ଫୁଲର ବାସ୍ନା ଭଲ ଲାଗେ। ବାପା କେମିତି ଜାଣିଲେ କେଜାଣି ମୋତେ ଗେଣ୍ଡୁଫୁଲର ବାସ୍ନା ଭଲ ଲାଗେ ବୋଲି। ସେଇଦିନଠୁ ପ୍ରତିଦିନ ମୋ ବିଛଣା ଉପରେ ଦୁଇଟି ଫୁଲ ରଖି ଦିଅନ୍ତି ମୋ ବାପା। ବୋଉ ଏ ସବୁ କଥା କିଛି ବୁଝେନି। ବାପା ଅଚାନକ ଯିବା ପରେ ପ୍ରତିଦିନ ସକାଳୁ ଉଠି ବିଛଣାରେ ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ଅନେକ ଖୋଜେ ମୁଁ ଗେଣ୍ଡୁଫୁଲକୁ। ବାସ୍, କିଛି ସ୍ମୃତିକୁ ସାଉଣ୍ଟେ ବିଛଣା ଉପରେ। ନା ବାପା ଅଛନ୍ତି ନା ଗେଣ୍ଡୁଫୁଲର ମହକ...ଭାରି ଏକୁଟିଆ ଲାଗୁଥିଲା ଧୀରେ ଧୀରେ।


ବାପା ମଜା କରି କହୁଥିଲେ ତୋତେ ଜମାରୁ ବାହା ଦେବିନି ଲୋ ପଲ୍ଲବୀ !!!! ତୋ ବିନା ଗୋଟେ ମୁହୂର୍ତ୍ତ ବି ବଞ୍ଚିବା ସମ୍ଭବ ହେବନି। ସୁତରାଂ, ତୁ ଆମ ଘରେ ହିଁ ରହିବୁ..

ବାପା ସତ କହିଥିଲେ ସଂଘମିତ୍ରା, ମୁଁ ଘରେ ହିଁ ରହିବି। କିଏ ବୁଝିବ ମୋ ବାହାଘର କଥା। ମୋ ବୋଉ କିଛି ମାତ୍ରାରେ ଭିନ୍ନକ୍ଷମ ମଣିଷ। ଖାଲି ନିଜ କଥା ହିଁ ବୁଝିପାରେ। ଦୁନିଆ ବାବଦରେ କିଛି ଜାଣିନି ସେ। ତୁ ଜାଣିନୁ ବୋଧହୁଏ, ଘଣ୍ଟାଏ ବ୍ୟବଧାନ ରେ ମୁଁ ସବୁବେଳେ ଫୋନ କରେ ବୋଉକୁ। ଏକା ରହେ, ଆମ ଘରକୁ ଲାଗିକି କାମ ବାଲି ମାଉସୀର ଘରଟା। ପ୍ରାୟ ଆମ ଘରେ ବସି ଗପେ ସେ ବୋଉ ସାଥିରେ। ସେଇଥି ପାଇଁ ମୁଁ ନିଶ୍ଚିନ୍ତରେ ଥାଏ।


ବାପା ମିଉଜିକ ଟିଚର ଥିଲେ। ସକାଳ ନଅଟାରୁ ଯାଇ ରାତି ନଅଟାରେ ଫେରନ୍ତି ଘରକୁ। ମୁଁ ଆଠଟାରେ ଶୋଇଯାଏ ବୋଲି ପ୍ରତିଦିନ ଠିକ୍ ସନ୍ଧ୍ୟା ସାଢେ ସାତଟାରେ ବାପାଙ୍କ ଫୋନ ଆସେ। ଅତି କମରେ ଦଶ ମିନିଟ ଗପନ୍ତି ସେ ମୋ ସହିତ। ଗୋଟାଏ ମିନିଟ ବି ଏପଟ ସେ ପଟ ହେବନି। ଫୋନ ଆସିବ ହିଁ ଆସିବ। 

ଜାଣିଛୁ ସଂଘମିତ୍ରା ! ଆଜିକାଲି ସନ୍ଧ୍ୟା ସାତଟାରୁ ଆଠଟା ପର୍ଯ୍ୟନ୍ତ ସମୟ କେମିତି କଟେ.. ଦୁଃଖ ଭରା ଉପନ୍ୟାସ ପରି ଲାଗେ। ପଢି ପାରେନି, ପୃଷ୍ଠା ଓଲଟାଇ ଚାଲେ ମୁଁ ଆଗକୁ। 

ଠିକ୍ ସାଢେ ସାତଟାରେ ମୋ ହାର୍ଟ ବିଟ ବଢିଯାଏ। ଗୋଟାଏ ନିର୍ଦ୍ଦିଷ୍ଟ ସମୟରେ ବାପାଙ୍କ ଫୋନ ଆଟେଣ୍ଡ କରିବା ଅଭ୍ୟାସରେ ପରିଣତ ହୋଇ ଯାଇଥିଲା ପିଲା ଦିନରୁ। ବାପା ଯିବା ପରେ ଆଉ ଫୋନ ଆସେନି । କିଛି ଜିନିଷକୁ ଭୁଲିବାକୁ ଚେଷ୍ଟା କଲେ ବି ଭୁଲି ହୁଏନି, କାହିଁକି କେଜାଣି ???


ସାଢେ ସାତଟା ହେଲେ ତୁ ପଢ଼ୁ ଥାଉ। ମୁଁ ବାହାରକୁ ଉଠି ଯାଇ ବାରଣ୍ଡାରେ ବୁଲି ବୁଲି ଭୁଲି ଯିବାକୁ ଚେଷ୍ଟା କରେ। ବହୁତ କଷ୍ଟରେ ନିୟନ୍ତ୍ରଣ କରିନିଏ ଆଖି ଲୁହକୁ। ଭାରି ଭୟ କରେ, କିଏ ଯଦି ପଚାରେ " କାନ୍ଦୁଛୁ କାହିଁକି ? କଣ କହିବି !!! ମୋ ବାପାଙ୍କ ଫୋନ ଘଣ୍ଟି ବାଜିବାର ଶବ୍ଦଟା କାହିଁକି କେଜାଣି ଅଜାଣତରେ ବ୍ୟଗ୍ରତା ସୃଷ୍ଟି କରେ ମନ ଭିତରେ। ବାପାଙ୍କ ଫୋନ ଘଣ୍ଟିର ଯାଦୁକରୀ ଶବ୍ଦ, ବାପାଙ୍କର ମିଠା ମିଠା କଥା ସବୁ ଆଖି ଆଗରେ ନାଚି ଉଠେ।

 

ମିତ୍ରା ! କରୋନାରେ ଆକ୍ରାନ୍ତ ହେବାର ପୂର୍ବ ଦିନ ରାତିରେ ବାପା କଥା ହୋଇଥିଲେ ମୋ ସାଥିରେ। ସେଇଟା ହିଁ ଥିଲା ତାଙ୍କର ଶେଷ ଫୋନ କଲ୍ ମୋ ପାଇଁ। ଦୁଇଟି ବଢିଆ ଗୁଡ ଇଭ୍ନିଂ ମେସେଜ ବି ପଠେଇ ଥିଲେ ସେଦିନ..

"" ଅସତ୍ୟ ହାର୍ ନେହିଁ ମାନତା, ସତ୍ୟ ହାରତା ନାହିଁ ""

""ସନ୍ ଇଜ୍ ଏଲୋନ ଠୁ, ବାଟ ଇଟ୍ ସାଇନ୍ସ୍""

ତଳେ ଲେଖିଥିଲେ ତୁ ସତ୍ ରାସ୍ତାରେ ରହିବୁ ପଲ୍ଲବୀ, କିଛି ବି ହେଇ ଯାଉ ନା କାହିଁକି ? ସମ୍ପୁର୍ଣ୍ଣ ଏକା ହୋଇ ବି ସଫଳତା ହାସଲ କରି ହୁଏ , ଦେଖୁନୁ ସୂର୍ଯ୍ୟକୁ। ତାର କଣ କେହି ସାଙ୍ଗ ସାଥୀ ଅଛି । ସେ ଆର ପାରିକି ଚାଲିଯିବେ ବୋଲି ବୋଧହୁଏ ସଂକେତ ଦେଇଥିଲେ ଏଇ ସବୁ ମେସେଜ ମାଧ୍ୟମରେ...."


ପଲ୍ଲବୀ କାନ୍ଦୁଥିଲା ବୋଧହୁଏ। ବ୍ୟତି ବ୍ୟସ୍ତ ହୋଇଗଲା ସଂଘମିତ୍ରା। ଆସ୍ତେ କରି ଲୁହ ପୋଛି ଦେଲା ସେ ପଲ୍ଲବୀର ଗାଲ ଉପରୁ। ଦୁଇ ଜଣ ଚୁପ୍ ହୋଇ ବସିଲେ କିଛି କ୍ଷଣ ପାଇଁ। ପାହାଡ ଆଡୁ ଅନ୍ଧାର ମାଡି ଆସି ସହର ସାଥିରେ ହଷ୍ଟେଲକୁ ବି ସମ୍ପୁର୍ଣ୍ଣ ଗିଳି ସାରିଥିଲା ସେତେ ବେଳକୁ। ମୁହଁ ଅନ୍ଧାର। ସହର ରାଜ ରାସ୍ତାରେ ବିଜୁଳୀ ଆଲୁଅର ରାଜତ୍ଵ। ପାହାଡ ଉପର ପର୍ଯ୍ୟନ୍ତ ସର୍ପିଳ ରାସ୍ତା ସବୁ ସ୍ପଷ୍ଟ ବାରି ହେଉଥିଲା ଆଲୋକମାଳାରେ । ସଂଘମିତ୍ରା ଘଡି ଦେଖିଲା। ସାତଟା ବାଜିବାକୁ ଦଶ ମିନିଟ ବାକି ଅଛି। ପଲ୍ଲବୀର ମନକୁ ଭୁଲେଇବା ପାଇଁ ସଂଘମିତ୍ରା କହିଲା , "ପଲୁ ! ହସିଲୁ ଥରେ।"

ପଲ୍ଲବୀ ହସିଦେଲା। 

"ଚାଲ ଆଇସକ୍ରିମ ଖାଇ ଆସିବା," ଦୁହେଁ ବାହାରିଲେ ୟୁନିଭରସିଟି କେମ୍ପସରେ ଥିବା ଆଇସକ୍ରିମ ପାରଲର୍କୁ .. ପଲ୍ଲବୀ ଆପାତତଃ ଗୋଟାଏ ଦିନ ପାଇଁ ଭୁଲିଗଲା ବାପାଙ୍କୁ, ସାଢେ ସାତଟାରେ ଫୋନ ଆସେ ବୋଲି।

*****

ମକର ଛୁଟି, ସଂଘମିତ୍ରା ଘରକୁ ଯାଇଛି। ପଲ୍ଲବୀ ଏକା ଅଛି ହଷ୍ଟେଲରେ। ଗୋଟାଏ ପ୍ରୋଜେକ୍ଟ୍ ନେଇ କିଛି କାମ ଅଛି ବୋଲି ଘରକୁ ଯାଇନି ସେ। 

ସଞ୍ଜ ବେଳ, ଅଦ୍ଭୁତ ରୂପେ ସଜେଇ ହୋଇଛି ସହରଟା। ବାଲକୋନୀରେ ବସି କେତେ ଆଉ କଥା ହେବ ସେ ନିସ୍ତବ୍ଧତା ସହିତ। ଘଡିକୁ ଅନେଇଲା ପଲ୍ଲବୀ। ସାଢେ ସାତ ବାଜିବାକୁ ଦୁଇ ମିନିଟ ବାକି ଥାଏ। ମନଟା ଭାଙ୍ଗି ଭାଙ୍ଗି ପୁଣି ଥରେ ଖଣ୍ଡ ବିଖଣ୍ଡ ହେବାକୁ ସମୟ ଲାଗେନି। ଶବ୍ଦ ହୁଏନି, ଭଙ୍ଗାମନ ସବୁ ଗଦା ହୋଇଯାଏ ତା ପାଦ ପାଖରେ। ଭାରି ମନେ ପଡୁଥାଏ ବାପାଙ୍କ କଥା। ସଂଘମିତ୍ରା ପାଖରେ ଥିଲେ କିଛି ନା କିଛି ବାହାନା କରେ। ପଲ୍ଲବୀକୁ ଇଆଡେ ସିଆଡେ ବୁଲିବାକୁ ନେଇ ଯାଏ।

ଠିକ୍ ସାଢେ ସାତଟା, ହଠାତ୍ ଫୋନ ବାଜିଲା। ଝାଳେଇ ଗଲା ପଲ୍ଲବୀ। ବାପାଙ୍କ ଫୋନ !!! କଣେଇ କଣେଇ ଆନେଇଲା ସ୍କ୍ରିନ ଉପରକୁ। ଅଜଣା ନମ୍ବର। ସାହାସ କରି ଫୋନ ଉଠେଇଲା.. 


"ପଲ୍ଲବୀ ! 

କିଏ ??????

ମୁଁ ତୋ ବାପା, ପଲ୍ଲବୀ

ବାପା !!!!!!!

ହଁ ସମସ୍ତେ ମୋତେ ସଂଘମିତ୍ରାର ବାପା କହନ୍ତି। ଆଜିଠୁ ମୁଁ ତୋ ବାପା।  

ସଂଘମିତ୍ରାଠୁ ସବୁକଥା ଶୁଣିବା ପରେ ଖାଲି ଏତିକି ବୁଝିଲି ଯେ ବାପା ହିଁ ସର୍ବସ୍ୱ ଝିଅ ପାଇଁ। ବହୁତ ବଡ ଶୂନ୍ୟତା ଜନ୍ମ ନିଏ ବାପା ନଅ ଥିଲେ। ଶୂନ୍ୟତାକୁ ମାପିବାକୁ ଚେଷ୍ଟା କଲେ ଖଣ୍ଡିଆ ଖାବରା ହେଇଯିବାଟା ସୁନିଶ୍ଚିତ, କିନ୍ତୁ ମାପି ହୁଏନି । ବାପାଙ୍କ ଅନୁପସ୍ଥିତିରେ ଶୂନ୍ୟତା ଅନ୍ତହୀନ। ନା ଦୈର୍ଘ୍ୟ ଥାଏ ନା ପ୍ରସ୍ଥ। ଅମାପ ଗଭୀରତା। ସେମିତି ଏକ ଦିଗହୀନ ଶୂନ୍ୟତାକୁ ତୁ ମାପି ମାପି ଚାଲୁଛୁ ନା... ପଲ୍ଲବୀ। କିଛି ଦୂର ତୁ ଚାଲି ଆସିଲୁ ତୋ ବାପାଙ୍କ ହାତ ଧରି, କିଛି ଦୂର ମୋ ହାତ ଧରି ଚାଲ..ଜୀବନଟା ଏତେ ଲମ୍ବା ଯେ ଖାଲି ଜଣଙ୍କ ହାତ ଧରି କଣ ଚାଲି ହୁଏ । ଶୂନ୍ୟ ସ୍ଥାନଟା ଭରି ଯାଉ ପଲ୍ଲବୀ। ଖାଲି ରକ୍ତ ମାଂସରେ ହିଁ ପାର୍ଥକ୍ୟ, ସ୍ନେହରେ ସ୍ୱାର୍ଥ ନଅ ଥିଲେ ବାପାଙ୍କ ବିକଳ୍ପ ସମ୍ଭବ। ଆଜିଠୁ ସଂଘମିତ୍ରା ପାଇଁ ଗଚ୍ଛିତ ସବୁ ସ୍ନେହରୁ ଅଧା ତୋ ପାଇଁ ରଖିଛି ପଲ୍ଲବୀ।


ହଁ, ତୋ ବାହାଘର ହେବ। ଧୁମଧାମ ରେ ହେବ। ବାପା କହିଥିଲେ ନା ତୁ ସବୁଦିନ ବାପା ଘରେ ହିଁ ରହିବୁ। ବାପା ଠିକ୍ କହିଥିଲେ, ତୁ ବାପାଙ୍କ ଘରେ ହିଁ ରହିବୁ। ମୋ ପୁଅ ସଙ୍ଗେ ତୋ ବାହାଘର ହେବ। ସୁତରାଂ ତୁ ଆମ ଘରେ ହିଁ ରହିବୁ। ବାହାଘର ଖର୍ଚ୍ଚ ମୁଁ ବହନ କରିବି ! ମୁଁ ପରା ତୋ ବାପା। ବାପା ଥାଉ ଥାଉ ବାହାଘର କଥା ବାପା ବୁଝିବେନି ତ ଆଉ କିଏ ବୁଝିବ।


ହଁ, ଆମ ଘରକୁ ଲାଗି ଛୋଟ ଜମିଟିଏ ଅଛି। ଗେଣ୍ଡୁଫୁଲ ଚାଷ କରିବି, ଖାସ୍ ତୋ ପାଇଁ। କିଛି ଗେଣ୍ଡୁଫୁଲ ହାଟରୁ କିଣି ପଠେଇବି ମୁଁ ସଂଘମିତ୍ରା ହାତରେ। ସ୍ନେହରେ ଗ୍ରହଣ କରିବୁ ପଲ୍ଲବୀ...


ବହୁତ କଥା କହିଦେଲି ନା ପଲ୍ଲବୀ..


ହଁ, ଆଉ ଗୋଟେ କଥା। କିଛି ସ୍ମୃତି ଖାଲି ମିଠା ଲାଗେନି, ପ୍ରେରଣା ବି ଦିଏ। ଆଉ କିଛି ସ୍ମୃତି ଦୁଃଖ ଦାୟକ ହେଲେ ବି ମିଠା ଲାଗେ, କାହିଁକି କେଜାଣି। ପ୍ରତିଦିନ ସନ୍ଧ୍ୟା ସାଢେ ସାତଟାରେ ଫୋନ ପାଖରେ ହିଁ ରହିବୁ, ଘଣ୍ଟି ବାଜିବ। ଆଜି ଯେମିତି ବାଜିଲା, ଠିକ୍ ସାଢେ ସାତଟାରେ। ତୁ ପଚାରିବୁ କିଏ କହୁଛ ?? ମୁଁ କହିବି ପଲ୍ଲବୀ ! ତୋ ବାପା କହୁଛି। ଏବେ ଖୁସି ତ !!"


କେଇ ବୁନ୍ଦା ଲୁହ ଯେ ବୋହି ଗଲାଣି ସେ ନିଜେ ବି ଜାଣିନି।


"ନେ ସଂଘମିତ୍ରା ସହ କଥା ହ...


ମିତ୍ରା ! ବାପାଙ୍କ ବିକଳ୍ପ ଥାଏ ! ଏଇଟା କଣ ସମ୍ଭବ ????? ତୋ ବାପାଙ୍କ ଭିତରେ ମୋ ବାପାଙ୍କୁ ଆଜି ଦେଖିଲି !!! ମୋତେ ଟିକିଏ ନିଃଶ୍ୱାସ ନେବାକୁ ଦେ, ପରେ କଥା ହେବି। ଆଉ ବାପାଙ୍କୁ କହି ଦେ ମୁଁ ରାଜି ଅଛି ତାଙ୍କ ପ୍ରସ୍ତାବରେ...ଆସ୍ତେ କରି ଫୋନ ରଖି ଦେଲା ପଲ୍ଲବୀ ବେଡ ଉପରେ।" 


ବାଲକୋନୀକୁ ଯାଇ ଛିଡା ହେଲା ପଲ୍ଲବୀ। ଅନ୍ଧାର ଭିତରେ ଖୋଜୁଥିଲା ସେ ଆକାଶର ଅସ୍ତିତ୍ଵକୁ। ଭାବୁଥିଲା ବାପାମାନେ ବୋଧହୁଏ ନିଜ ଅଲିଅଳୀ ଝିଅକୁ ଏକୁଟିଆ ଛାଡି ଯାଆନ୍ତି ନାହିଁ, କିଛି ନା କିଛି ବ୍ୟବସ୍ଥା କରି ଯାଇ ଥାଆନ୍ତି ଆର ପାରିକୁ ଯିବା ଆଗରୁ..ଆନନ୍ଦାଶ୍ରୁ ଦୁଇ ଟୋପା ବୋହି ଆସିଥିଲା ଗାଲ ଉପରେ....



Rate this content
Log in

Similar oriya story from Inspirational