ବାପା ...! ତୁମେ କିଛି ଜାଣି ନାହଁ
ବାପା ...! ତୁମେ କିଛି ଜାଣି ନାହଁ
ସକାଳ ଛ ଟାରୁ ତାରାଦେବୀ ଠାକୁର ଘରେ ପଶିଛନ୍ତି ଯେ ଆସି ନଅଟା ବାଜିଲାଣି। କୁମୁଦବାବୁ ଡାକ ଛାଡିଲେ, ଆରେ ତାରା ଆଉ କେତେ ସମୟ ପୂଜିବ? ଆଜି ଚା ଟିକେ ମିଳିବ କି ନାହିଁ? ଯାଉଛି। ଚା କପ୍ ଟା ବଢେଇ ଦେଇ ତାରାଦେବୀ କହିଲେ, ତନୁ ଚାକିରିଟା ପାଇଗଲା। ସବୁ ସେଇ ଜଗନ୍ନାଥଙ୍କ କୃପା। ହଁ ଘରୋଇ ସଂସ୍ଥା। କଣ କେତେବେଳେ ହବ ଠିକ୍ ନାହିଁ। ତମର ତ ସବୁବେଳେ ଖାଲି ଅମଙ୍ଗଳ କଥା। ତନୁ କହିଲା, ବାପା! ତମେ କିଛି ଜାଣିନ। ସେଇଟା ବହୁତ ବଡ କଂପାନୀ। ତାର ବହୁତ ପ୍ରକାର ବ୍ୟବସାୟ। ମୁଁ ତ ଭାବୁଛି ଆମେ ସମସ୍ତେ ଭୁବନେଶ୍ବର ପଳେଇବା। ସେଇଠି ରହିବା। ମୋ ଧାନ ବ୍ୟବସାୟ ଛାଡି ମୁଁ କୁଆଡେ ଯିବି? ଘର କଥା ଜମି କଥା ବୁଝିବ କିଏ? ବରଂ ତୁ ସେ କଂପାନୀ ଚାକିରି ନ କରି ଏଇଠି ରହି ଆମ ବ୍ୟବସାୟ କଥା ବୁଝିଲେ ଭଲ। ତମେ ସେ ବେପାର କଥା ବୁଝ। ମୁଁ ଯାଉଛି।
କିଛିଦିନ ପରେ ତନୁ ଘରକୁ ଆସିଲା। ତାରାଦେବୀ ବାହାଘର କଥା କହିଲେ। ତୋ ପାଇଁ ଗୋଟିଏ ଝିଅ ଦେଖିଛି। ଭାରି ସୁନ୍ଦର ଦେଖିବାକୁ ।କୁମୁଦବାବୁ କହିଲେ ହଁ ମୋର ବି ପସନ୍ଦ ହେଇଛି। ଗାଁ ପାଖ ଝିଅ। ସମସ୍ତେ ଭଲ କହୁଛନ୍ତି। ତମେ କିଛି ଜାଣିନ ବାପା। ଆଜିକାଲି କାହାକୁ ବିଶ୍ୱାସ ନାହିଁ ।ହଜାର ବଏଫ୍ରେଣ୍ଡ ଥାଇ ସତୀ ଦେଖେଇ ହେବେ। ମୁଁ ଗୋଟିଏ ଝିଅକୁ ପସନ୍ଦ କରେ। ତାକୁ ବିବାହ କରିବାକୁ ଚାହୁଁଛି। ସେ ବି ମୋ କଂପାନୀରେ କାମ କରେ। ବିନା ଆପତ୍ତିରେ କୁମୁଦବାବୁ ସେହି ଝିଅ ସହିତ ବିବାହ କରିଦେଲେ।
କିଛିଦିନ ପରେ ତନୁ ଭୁବନେଶ୍ବରରେ ଯାଗା କିଣିବା ପାଇଁ ବାପାଙ୍କୁ ଟଙ୍କା ମାଗିଲା। ବହୁତ୍ ଶସ୍ତାରେ ମିଳିବ ବାପା। ସେ ଲୋକ ବି ମୋର ଚିହ୍ନା। ତମେ ଗାଁ ର ଜମି କିଛି ବିକି ଦେଇ ଟଂକା ଦିଅ। ହେଲେ ପୁଅ ସହରରେ ଗୋଟିଏ ଜାଗାକୁ ଦୁଇ ତିନି ଥର ବିକି ଲୋକଙ୍କୁ ଠକୁଛନ୍ତି। ହୁସିୟାରୀ ହୋଇ କିଣିବୁ। ହଁ ବାପା ମୁଁ ଭଲକରି ବୁଝିଛି। ବାପା ବି ଟଂକା ଦେଲେ।
ହେଇଟି ଶୁଣୁଛ । ତନୁ ଫୋନ କରିଛି । ତୁମର ନାତିଟିଏ ହେଇଚି । ସେ ଆଉ ଆସି ପାରିବନି । ଆମକୁ ଯିବାକୁ କହିଛି । ଏଇ ସାଙ୍ଗେ ସାଙ୍ଗେ ବାହାରି ଯିବାକୁ ।ହଉ ଚାଲ ତୁମେ ବାହାର ମୁଁ ସେ ଧାନ ଟଙ୍କାଟା ଯୋଗିଆ ଠାରୁ ନେଇକି ଆସୁଛି । ଫଳମୂଳ, ପନିପରିବା, ଡାଲି, ବାଦାମ, ଆମ୍ବୁଲ କେତେ କଣ ସଜାଡି ତାରାଦେବୀ ବାହାରି ପଡିଲେ । ନାତିର ପୋଛା କପଡା ପାଇଁ କିଛି ପୁରୁଣା ଲୁଗା ବି ନେଲେ । ଯାଇ ପହଞ୍ଚିଲେ ପୁଅ ବସାରେ । ନାତି କୁ ଦେଖି ପେଟ ପୁରିଗଲା । ଆହାଃ ପୁରା ତା ବାପା ଭଳି ହେଇଛି । କିଛିଦିନ ନାତି ପାଖେ ରହିଲାପରେ ସେ ଗାଁକୁ ଫେରିବାକୁ ବାହାରିଲେ । ତନୁ କହିଲା, ବାପା ଗାଁ କୁ ଗଲେ ମୋ ପୁଅ କଥା ବୁଝିବ କିଏ ? ବୋଉ ବରଂ ଏଇଠି ଥାଉ । ତୁମେ ଯାଅ ଗାଁ ର ସବୁ ବିକି ଦେଇ ପଳେଇ ଆସିବ । ମୁଁ ଯୋଉ ଜମି କଥା କହୁଥିଲି ସେଇଟା ବହୁତ ଶୀଘ୍ର ରେଜିଷ୍ଟ୍ରି ହେଇଯିବ । ଆମେ ଘର କରି ସେଇଠି ରହିବା । ଆରେ ଆଜି ପର୍ଯ୍ୟନ୍ତ ସେଇଟା ରେଜିଷ୍ଟ୍ରି ହେଇନି ? ଏତେ ଡେରି କାହିଁକି ? ତୁ ତାକୁ ଟଙ୍କା ଦେଇ ଦେଇଛୁ ? ହଁ ବାପା ମୁ ଅଧା ଦେଇଛି । ଆଉ ଅଧା ରେଜିଷ୍ଟ୍ରି ପରେ ଦେଵି । ଆରେ ମତେ କାହିଁ ଠିକ ଲାଗୁନି । ତୁ ଠକାମି ରେ ପଡ଼ି଼ନୁ ତ ? ନାଇଁ ବାପା ସେ ଲୋକର ଟିକେ ଅନ୍ୟ ଆଡେ କାମ ଅଛି ତ । ସେ କିଛି ଦିନ ପାଇଁ ଓଡିଶା ବାହାରକୁ ଯାଇଛି। ଆସିଲେ ଏଇ ମାସରେ କରିଦେବ। ହଉ ଠିକ ଅଛି ମୁଁ ତାହାଲେ ଯାଉଛି ।
କିଛିଦିନ ପରେ ତନୁ ଆଉ ତାରାଦେବୀ ନାତିକୁ ନେଇ ଆସି ହଠାତ୍ ଗାଁରେ ପହଞ୍ଚିଲେ। ଆରେ ତମେ ଆସିଲ ବୋହୂ କାଇଁ? ସେ ଆଉ ଆସିବନି। ତନୁ ବାପାଙ୍କ ଗୋଡ ତଳେ ପଡି କାନ୍ଦିବାକୁ ଲାଗିଲା। ମତେ କ୍ଷମା କରି ଦିଅ ବାପା। ମୁଁ ଭୁଲ କରିଛି। ସେ ମତେ ଛାଡି ଅନ୍ୟ ପୁରୁଷ ସହିତ ପଳେଇଲା। ସେ ଜାଗା ବି ଆଗରୁ ଦୁଇଥର ବିକା ସରିଛି। ମୋ ଟଂକା ସବୁ ଗଲା। କଂପାନୀ ବି ସିଜ୍ ହୋଇ ଯାଇଛି। ତୋତେ ମୁଁ ଯେତେବେଳେ ଯାହା କହିଛି ସବୁବେଳେ ତମେ କିଛି ଜାଣିନ ବୋଲି କହିଛୁ। ତାରାଦେବୀ କହିଲେ ତୁମେ ବି ପୁଅଟାକୁ ଆଉ ସେମିତି କୁହନି। ଏବେ ଆଉ କାଇଁ କାନ୍ଦୁଛୁ । ବାପା ତ ତତେ ଯେତେବେଳେ ଯାହା କହିଲେ ସବୁବେଳେ କହୁ ତୁମେ କିଛି ଜାଣିନ ବାପା । ଆଉ ତୋତେ ଖୁସିରେ ରହିବାକୁ ବାପା ତୋର ସବୁ କଥାରେ ରାଜି ହେଇଛନ୍ତି । ମୋର ଭୁଲ ହେଇ ଯାଇଛି ବୋଉ । କ୍ଷମା କରିଦେ ମୋତେ । ସତରେ ବାପା ସବୁ ଠିକ କୁହନ୍ତି । ମୁଁ ଭୁଲ ଭାବୁଥିଲି । ଏବେ ଏ ଛୁଆଟା ମା ବିନା ରହିବ କେମିତି । ତନୁର ଆଉ ଥରେ ବାହାଘର କରଦେବା । ହଉ ତାକୁ କୁହ ଝିଅ ପସନ୍ଦ କରୁ । ନାଇଁ ବାପା ମୁଁ ତୁମ ପସନ୍ଦର ଝିଅକୁ ହିଁ ବାହା ହେବି । ଦ୍ୱିତୀୟ ବିବାହ କରି ଗାଁ ରେ ପରିବାର ସହିତ ଖୁସିରେ ରହିଲା । ସବୁ କାମ କରିବା ପୂର୍ବରୁ ବାପାଙ୍କ ପରାମର୍ଶ ନେଲା । ହସଖୁସିରେ ପରିବାର ପୂରି ଉଠିଲା ।
