Narendra Prasad Behera

Classics

2  

Narendra Prasad Behera

Classics

ବାମନରୂପୀ

ବାମନରୂପୀ

3 mins
359


*ଭାଗବତ କଥା--୩୩*


*ଵାମନରୂପୀ ଭଗବାନ ମହାଦାନୀ ଵଳିରାଜାକୁ ତିନିପାଦ ଭୂମି ମାଗିବାର କାରଣ କଅଣ ଥିଲା*


  *ସମୁଦ୍ର-ମନ୍ଥନ* ସମୟରେ ଦେବତାମାନଙ୍କ ସହିତ ହୋଇଥିବା ଯୁଦ୍ଧରେ ଅସୁରରାଜ ବଳି ପରାସ୍ତ ହେଲେ ସତ,କିନ୍ତୁ ଭାଙ୍ଗିପଡି ନ ଥିଲେ । ସେ ପ୍ରତିଶୋଧ ପରାୟଣ ହୋଇ ନୂତନ ଉତ୍ସାହ ସହକାରେ ଏକ ଯଜ୍ଞାନୁଷ୍ଠାନ ଆରମ୍ଭ କଲେ । ସେହି ଯଜ୍ଞକୁଣ୍ଡରୁ ବହୁ ମାରାତ୍ମକ ଅସ୍ତ୍ରମାନ ବାହାରିଲା । ବଳିରାଜା ସେହି ଅସ୍ତ୍ରରେ ବଳୀୟାନ ହୋଇ ଇନ୍ଦ୍ରପୁରୀ ଉପରେ ଆକ୍ରମଣ କଲେ । ଦେଵଗୁରୁ ଵୃହସ୍ପତି ଇନ୍ଦ୍ରଙ୍କୁ କହିଲେ ଯେ ବଳିର ଏହି ପ୍ରଭାଵ ସ୍ବୟଂ ଶ୍ରୀହରି ପ୍ରତିହତ କରିଵେ । ଵଳି ବିନା ଵାଧାରେ ସ୍ବର୍ଗ ଅଧିକାର କରିନେଇ ଦେବତାମାନଙ୍କୁ ଵିତାଡିତ କରି ମହା ଆନନ୍ଦରେ ଅଶ୍ବମେଧ ଯଜ୍ଞ ଆରମ୍ଭ କଲେ । 

  ଇତି ମଧ୍ୟରେ ଅଦିତିଙ୍କ ଗର୍ଭରୁ ଭଗବାନ ଶ୍ରୀହରି ଵାମନଦେଵ ରୂପେ ଜନ୍ମ ହେଲେ । ଵାମନଦେଵଙ୍କର ଅପାଦମସ୍ତକ ଶରୀର ଥିଲା ଅତି କ୍ଷୁଦ୍ର ।ଵାମନଦେଵ ଶୈଶବାବସ୍ଥା ଅତିକ୍ରମ କରନ୍ତେ ତାଙ୍କର ଉପନୟନ ଆଦି କାର୍ଯ୍ୟ ସମ୍ପନ୍ନ ହେଲା । ହସ୍ତରେ କମଣ୍ଡଳୁ ଓ ଛତ୍ର ଧାରଣ କରି ସୂର୍ଯ୍ୟଙ୍କ ପରି ତେଜୋମୟ ଵାମନଦେଵ ବଳିରାଜାଙ୍କ ଯଜ୍ଞସ୍ଥଳରେ ଉପସ୍ଥିତ ହେଲେ । ଯଥାରୀତି ସମ୍ବର୍ଦ୍ଧନା ପୂର୍ବକ ଵଳିରାଜା କହିଲେ-ହେ ପୂଜ୍ଯ ଵ୍ରାହ୍ମଣ,ତୁମେ ମୋଠାରୁ କଅଣ ଦାନ ଇଛା କର ? ଗୋଧନ,ସୁବର୍ଣ୍ଣ, ହସ୍ତୀ,ଅଶ୍ବ,ଅନ୍ନ-ପାନୀୟ, ତୁମର ଯାହାଇଛା,ତାହା ମାଗ । ତୁମେ ଯାହା ଚାହିଁବ ,ମୁଁ ଦାନ କରିବାକୁ ପ୍ରସ୍ତୁତ ଅଛି ।

   ଵାମନଦେବ ହସି ହସି କହିଲେ,ହେ ରାଜନ୍,ଏହା ଆପଣଙ୍କ ପରି ଦାନଵୀର ରାଜାଙ୍କର ଯଥାଯୋଗ୍ଯ କଥା । ଆପଣଙ୍କର ପୂର୍ବପୁରୁଷ ପ୍ରହ୍ଲାଦ ମଧ୍ୟ ଥିଲେ ଜଣେ ମହାନ୍ ଦାତା । ଆପଣଙ୍କ ପିତା ବିରୋଚନ ମଧ୍ୟ ନିଜ ଶତ୍ରୁ ଦେଵଗଣଙ୍କୁ ନିଜର ପରମାୟୁ ଦାନ କରିଥିଲେ । ପୂର୍ବପୁରୁଷଙ୍କ ପରି ଆପଣ ମଧ୍ୟ ଜଣେ ଦାନବୀର । ମୁଁ ଆପଣଙ୍କଠାରୁ ବିଶେଷ କିଛି ଚାହୁଁ ନାହିଁ । ମୋତେ କେବଳ ମୋର ପାଦ ପରିମିତ ତିନିପାଦ ଭୂମି ଦାନ କରନ୍ତୁ । 

  ଵଳି କହିଲେ-ହେ ଵ୍ରାହ୍ମଣ,ତୁମେ ନିତାନ୍ତ ଵାଳକ,ମୁଁ ତ ତିନି ଲୋକର ଅଧିଶ୍ବର,ମୋତେ କେବଳ ତିନିପାଦ ପରିମିତ ଭୂମି ମାଗୁଛ ? ତୁମର ଭରଣପୋଷଣ ନିମନ୍ତେ ଯେତେ ପରିମାଣରେ ଭୂମି ମାଗୁଛ ମାଗ । ଏହାର ଉତ୍ତରରେ ବାମନଦେଵ କହିଲେ-ରାଜନ୍ ! ମୋର ଅଧିକ ଭୂମି ଦରକାର ନାହିଁ । ମୋତେ କେଵଳ ପାଦ ପରିମିତ ତିନିପାଦ ଭୂମି ଦାନକରି ପ୍ରତିଶ୍ରୁତି ରକ୍ଷା କରନ୍ତୁ । 

  ଦେବଗୁରୁ ଶୁକ୍ରାଚାର୍ଯ୍ଯ ଏସଵୁ ଦେଖୁଥିଲେ । ସେ ଧାଇଁ ଆସି ତାଙ୍କ ଶିଷ୍ଯ ଦୈତ୍ଯରାଜ ବଳିରାଜାଙ୍କୁ ସାଵଧାନ କରାଇ ଦେଇ କହିଲେ-ଏ କଅଣ କରିଵାକୁ ଯାଉଛନ୍ତି ମହାରାଜ ! ଏହି ଵାମନରୂପୀ ବ୍ରାହ୍ମଣ ଅନ୍ଯ କେହି ନୁହଁନ୍ତି, ୟେ ହେଉଛନ୍ତି ସ୍ବୟଂ ଵିଷ୍ଣୁ । ସେ ଛଳନା କରି ତୁମ ନିକଟକୁ ଆସିଛନ୍ତି ତ୍ରିପାଦ ଭୂମି ଦାନ ମାଗିବାକୁ,ତୁମେ ତାହା ଦାନ କଲେ କେଉଁଠାରେ କି ପ୍ରକାରେ ଜୀବନ ଧାରଣ କରିବ ? ତୁମେ ଏପରି ଦାନ କାର୍ଯ୍ଯରୁ କ୍ଷାନ୍ତ ହୁଅ ମହାରାଜ । 

  ଵଳିରାଜା ଥିଲେ ମହଦନୀ । ସେ କହିଲେ- ହେ ଗୁରୁଦେଵ,ମୁଁ ହେଉଛି ପ୍ରହ୍ଲାଦଙ୍କ ବଂଶଧର । ମୁଁ ଦାନ ଦେଵି ଵୋଲି ଵ୍ରାହ୍ମଣଙ୍କୁ କଥା ଦେଇସାରିଛି । ମୋର କଥା ମୁଁ ଫେରାଇ ନେଇପାରିବି ନାହିଁ । ସୁତରାଂ ମୋ ସମ୍ମୁଖରେ ଯେଉଁ ଵ୍ରାହ୍ମଣ ଉପସ୍ଥିତ ଅଛନ୍ତି, ସେ ବିଷ୍ଣୁ ହୁଅନ୍ତୁ ଵା ଅନ୍ୟ କେହି ହୁଅନ୍ତୁ,ମୁଁ ତାଙ୍କର ପ୍ରାର୍ଥନା ଅବଶ୍ଯ ପୂର୍ଣ୍ଣ କରିବି । ମୁଁ ମୋର ପ୍ରତିଶ୍ରୁତି ନିଶ୍ଚୟ ରକ୍ଷା କରିଵି । ଏହା କହି ନିଜର ଗୁରୁ ଶୁକ୍ରାଚାର୍ଯ୍ଯଙ୍କ ଵାରଣ ସତ୍ତ୍ବେ ଵଳିରାଜା ଦୁଇପାଦ ଭୂମି ଦାନ କରିବା ଅନ୍ତେ,ଵାମନଦେବ ନିଜର ବିଶ୍ବବ୍ଯାପୀ ରୂପ ଧାରଣ କଲେ । କି ଆଶ୍ଚର୍ଯ୍ୟ ! ତାଙ୍କର କ୍ଷୁଦ୍ର ଶରୀର ବିରାଟ ଆକାର ଧାରଣ କରି ପୃଥିବୀର ସମସ୍ତ ଭୂମି ଓ ସ୍ବର୍ଗକୁ ଆଚ୍ଛାଦିତ କରିଦେଲା । ତୃତୀୟ ପାଦ ରଖିବା ପାଇଁ ଅଣୁମାତ୍ର ସ୍ଥାନ ରହିଲା ନାହିଁ । 

  ଵାମନ ଦେଵ କହିଲେ- ହେ ଅସୁରରାଜ,ମୋର ଦୁଇପାଦ ସମଗ୍ର ପୃଥିବୀ ଓ ସ୍ବର୍ଗ ଆଚ୍ଛାଦିତ କରିଛି । ବର୍ତ୍ତମାନ ମୋର ତୃତୀୟ ପାଦ ପାଇଁ ସ୍ଥାନ ଦିଅ । ଯେଉଁ ଦାନ ଦେବା ପାଇଁ ଅଙ୍ଗୀକାର କରିଥିଲ ତାହା ପୂର୍ଣ୍ଣ କର,ନଚେତ୍ ନରକ ଭୋଗ କରିବାକୁ ହେଵ । ଏହାପରେ ତାଙ୍କ ଶରୀରରୁ ଏକ ତୃତୀୟ ପାଦ ଵାହାରିଲା । 

  ବଳି କହିଲେ- ହେ ଵ୍ରାହ୍ମଣ , ମୁଁ ନିଶ୍ଚୟ ମୋର ପ୍ରତିଶ୍ରୁତି ପାଳନ କରିବି । ଆପଣଙ୍କର ତୃତୀୟ ପାଦ ପାଇଁ ସ୍ଥାନ ଦେଉଛି । ମୋର ମସ୍ତକ ହିଁ ସେହି ସ୍ଥାନ । ଏହା କହି ଅସୁରରାଜ ତୃତୀୟ ପାଦ ରଖିବା ପାଇଁ ନିଜର ମସ୍ତକ ଦେଖାଇଦେଲେ । 

  ଵାମନରୂପୀ ଭଗବାନ ସନ୍ତୁଷ୍ଟ ହୋଇ କହିଲେ-ହେ ଦୈତ୍ଯରାଜ , ତୁମେ ହେଉଛ ଦୈତ୍ଯକୁଳର ଉଜ୍ଜ୍ବଳ ରତ୍ନ । ତୁମେ ତୁମର ଗୁରୁ ଶୁକ୍ରାଚାର୍ଯ୍ଯଙ୍କ ଵାରଣ ସତ୍ତ୍ବେ ଓ ମୋର ଛଳନା ଵୁଝିପାରି ମଧ୍ୟ ସତ୍ଯକୁ ତ୍ଯାଗ କରି ନାହଁ । ମୁଁ ବର୍ତ୍ତମାନ ତୁମକୁ ଏପରି ଵରଦାନ କରିବି,ଯାହାକି ଦେଵତାମାନଙ୍କ ପକ୍ଷରେ ମଧ୍ୟ ଦୁର୍ଲ୍ଲଭ । ହେ ଵଳିରାଜ,ତୁମେ ସାବର୍ଣ୍ଣ ମନ୍ତ୍ରନ୍ତରରେ ଇନ୍ଦ୍ରପଦ ପ୍ରାପ୍ତ ହେଵ ! ଦେଵ ଦାନଵ କେହି ତୁମକୁ ସିଂହାସନଚ୍ଯୁତ କରିପାରିବେ ନାହିଁ । ତୁମର ପିତାମହ ପ୍ରହ୍ଲାଦ ସର୍ବଦା ତୁମ ସହିତ ରହିଵେ ଏବଂ ମୁଁ ଗଦାହସ୍ତରେ ସର୍ବଦା ତୁମକୁ ରକ୍ଷା କରିବି । 

   ଵଳିରାଜା ଭଗଵାନଙ୍କୁ ପ୍ରଣାମ କରୁଥିବା ଅବସ୍ଥାରେ ଵାମନରୂପୀ ଭଗବାନ ତାଙ୍କର ତୃତୀୟ ପାଦ ଵଳିରାଜାଙ୍କ ମସ୍ତକ ଉପରେ ରଖି ତାଙ୍କୁ ପାତାଳକୁ ଚାପିଦେଲେ । ଏତିକିଵେଳେ ଆକାଶରୁ ଦେଵତାମାନେ ପୁଷ୍ପ ଵୃଷ୍ଟି କଲେ । 


*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର, *


Rate this content
Log in

Similar oriya story from Classics