ବାଲିତୃତୀୟା ଓ ଶ୍ରୀଗଣେଶ ପୂଜା
ବାଲିତୃତୀୟା ଓ ଶ୍ରୀଗଣେଶ ପୂଜା


ଶ୍ରୀଗଣେଶ ପୂଜା ଆଗଦିନଟି କୁ ଆମ ପୁରୀ ଆଡେ ବାଲିତୃତୀୟା ଓଷା ଭାବେ ପାଳୁ, ଭାରି କାଷ୍ଟା ଓପାସ ....ପାଣି ତ ପାଣି ଛେପ ବି ଢୋକିବନି ।ପୁରା ନିର୍ଜଳ ।ସବୁ କନ୍ୟାକୁମାରୀ ମାନେ କରିବେ ହିଁ କରିବେ ।ବାହା ଝିଅ ମାନେ ବି କରନ୍ତି କେତେଜଣ, ଯିଏ ମୂଳରୁ ନିଷ୍ଠା ରେ କରିଆସିଥିବେ ।
ଏହା ଭୋଲେନାଥ ଶିବଶମ୍ଭୁ ଙ୍କର ପୂଜା ତାଙ୍କରି ପରି ପରଫେକ୍ଟ ସ୍ବାମୀଙ୍କର ଅର୍ଧାଙ୍ଗିନୀ ହବା ପାଇଁ ।ଯିଏ ଯେତେ ନିଷ୍ଠା ରେ ପୂଜେ ତା'ର ସେତେ ଭଲ ବର ଜୁଟେ ବୋଲି ବିଶ୍ବାସ ।
କର୍ଣ୍ଣାଟକ ରେ ଆସି ଦେଖିଲି ଏହି ଦିନକୁ ଶ୍ରୀଗୌରୀ ବ୍ରତ ରୂପେ ପାଳନ କରନ୍ତି ଲୋକେ ।ମା ଗୌରୀ ଙ୍କ ପାଇଁ ଆମ ଆଡିଆ ବାହା ବେଳେ ଝିଅ ବାକ୍ସ ସଜଡା ହେଲା ପରି ସବୁ ସଜାଡନ୍ତି ।ନୂଆ ଲୁଗାଠୁ ଯେ ମନୋହରୀ ଦରବ ଯେତେକ ସବୁ ନୂଆ କୂଲାକୁ ଚନ୍ଦନ, ତିଳକ,ହଳଦୀ, ସିନ୍ଦୁର ମାରି ଫୁଲ,ଫଳ ସହ ନେଇ ମନ୍ଦିର ରେ ମା' ଙ୍କ ଠି ମାନସିକ ପୂଜା କରନ୍ତି ,ବଡ ଶ୍ରଦ୍ଧା ଓ ନିଷ୍ଠାର ସହ ।
ଦେବାଧିଦେବ ମହାଦେବଙ୍କ ପରିବାର ଟି ବି ଭାରି ସୁନ୍ଦର ପରିବାର ।ଯୋଉଠି ସିଂହ, ବଳଦ,ସର୍ପ, ମୟୁର,ମୂଷିକ ସମସ୍ତେ ଏକାଠି ଆନନ୍ଦେ ରୁହନ୍ତି ।
ପିଲାଦିନେ ଆମେ ଶ୍ରୀଗଣେଶ ପୂଜା କୁ "ଗଣପତି ଜନ୍ମ " ବୋଲି ଗୋଟିଏ ମଞ୍ଚନାଟକ କରିଥିଲୁ ,ଯାହାର ବିଷୟବସ୍ତୁ ତ ସେଇ ଆମେ ସଭିଏଁ ଜାଣିଥିବା ଶ୍ରୀଗଣେଷଙ୍କର ଜନ୍ମ ହି ....ମାତ୍ର ଫ୍ଲେବର୍ ଟିକେ ଅଲଗା ଥିଲା ।ଯାହାକା ମନୋରଞ୍ଜନ ସାଙ୍ଗେ ମଜାଦାର ବି ଥିଲା ।ଆଜି ଭାବିଲି ସେଇ ସମାନ ବାସ୍ନା ଦେଇ ଗଳ୍ପ ଟିକୁ ଆଉଥରେ ଲେଖିବି ।ହଁ ଅଭିନୟ, ସ୍ବର ,ଭାବର ପରିପ୍ରକାଶ ମୁଖ,ଓ ଅଙ୍ଗଭଙ୍ଗୀ ରେ ଯେମିତି ହବ ଶବ୍ଦ ରେ ସେ ମିଠାପଣ ଆଣିପାରିବି କି ନା ଜାଣେନା, ଚେଷ୍ଟା କିନ୍ତୁ ଶହେ ରୁ ଶହେ କରିବି ।ସେବେ ତ ଦର୍ଶକ ହସି ହସି ପେଟ ଧରି ବୋଉଲୋ ବୋଉଲୋ ହେଲେ, ଏବେ ଦେଖିବା ପଢିକି କେତେ ହସ ହଉଛି ।
ମନକୁ କେହି ନେବେନି ଅନୁରୋଧ ।ଏହା ଏକ ଡ୍ରାମା ।ବାସ୍ ।ମଞ୍ଚ ନାଟକ ।ମନୋରଞ୍ଜନ ଧର୍ମୀ ।
ଡ୍ରାମା ଡାଇଲଗ୍ସ ଆଜ୍ ଇଟ୍ ଇଜ୍
ଦକ୍ଷିଣୀ ଝିଅ ଟିଏ ଓଡିଆ ଘରକୁ ବିହା ହେଇ ବୋହୁ ସାଜିଆସିଛି ଆଉ ଦକ୍ଷିଣି ଓଡିଆରେ ତା'ର ଶିଶୁସନ୍ତାନକୁ ଶ୍ରୀ ଗଣପତି ଜନ୍ମ ବିଷୟରେ ଅବଗତ କରୁଛି ଘର ଅଗଣାର ପିଣ୍ଢାରେ ବସି ।
_ମା' ମା ଲୋ କାଲିକି ଗଣଷ ପୂଜା ଲୋ ।ସାରେ ଇସ୍କୁଲୁ ରେ କଇଲେ, ବୋଇଲେ ନଡିଆ ଗୁଟେ, ଆଉ ଆଞୁଳାଏ ପୁଲ, ଆଉ କଣ ଗୁଟେ କଡି ( ଖଡି) ,ସିଲୋଟ ଦବାର ।ଆଉ ଉଖୁଡା ମୁଠେ ବୋଲେ ବି କଇଥେଲେ ।ମା' ଲୋ ତୁ ଜାଣିଚୁ କି ଏଇ ଆମ ଗଣପତି ଙ୍କର କତା(କଥା) ସବ୍ବୁ???
_ହଁ ରେ ବାପ ! ତୁଇ ପରା ଏଇଦିନକେ ଏଇ କୋଳକୁ ଆଇଥିଲୁ, ଡାକତର କଇଥିଲେ ପା ଏଇ ଗଣଷପୂଜାରେ ଜନମିଲେ କାଳେ ମୁରୁଖ ହନ୍ତି ।ଦେଖୁନୁ! ତୁ ହେଇନୁ କି ଆ ।
_ତୁ କଉନୁ ମା' ସେଇ ଗପୁଟା ।ମୁଇଁ ଶୁଣିବି ।
_ ହଉ ,ଏଇଠି ଆ ।ପାକରେ( ପାଖ) ବସ।ମନ ଦେଇକି ଶୁନିବ୍ବୁ ହେଁ ।
_ ହଉ ତୁ କ ଆଗେ ।
ଚିତ୍ର ବଦଳିଲା ମଞ୍ଚରେ ।ଦେବୀ ପାର୍ବତୀ ଗୁଣୁଗୁଣେଇ ପୁଷ୍ପ ଚୟନ ରେ ମଗ୍ନ ।
_ ସତ୍ଯ ଯୁଗରେ ଦିନକର କତା,
ପରବତରାଜଜେମା ପାରବତୀ ତପ କରୁଥିଲେ ପରବତ ଉପରେ ।ମହେଶ ତ ତାଙ୍କ ତପରେ ଲୀନ ଦିନ ରାତି ।ହରି ହରି।।ହରି ହରି ।। ।ଦିନକେ ପାରବତୀ ଜେମାଦେଇ ଗାଧେଇ ଗଲେ ଯେ ହଳଦୀ ମାଖିଲେ ।ମଖାହଳଦୀ ମରୁକୁଟରେ ଖେଳୁ ଖେଳୁକା ଗୁଟେ କନ୍ କନିଆ କଣ୍ଢେଇ ପରି ମୁରୁତି ଗଢି ଦେଲେ ।ସିଏ ତ ଜଗତମାତରେ ବାପ, ସେନେହ କୁଳେଇଲା ।ନିଜର ବାୟାଧନଟା ବଲିକା ମନେ ଭାବନ୍ତେଣ କୋଳରେ ତୋରି ପରିକା କଅଁଳ ପିଲାଟି ମୁହଁ କୁ ଚାହିଁ ହସିଦେଲା ।
ମା' ର ମନ ପୁରା ବୋଇଲେ ପୁରା କୁସି (ଖୁସି) ।କୋଳରୁ ଉଟିକି ବାଳକ ପଚାରିଲା, ମୁଇଁ କିଏ ଗୋ ମା ?
ମା' ବୋଇଲେ ତୁଇ ପାରବତୀସୁତ ।
ମା' ପୁଣି ବୋଇଲେ ତୁଇ ଏଇ ଦୁଆରେ ଜଗିଥିବୁକି ମୁଇଁ ତପ କରିମି ଭିତ୍ରେ ।ଜଗତରେ କିଏ ବଇଲେ ଯିଏ ହଉ ମୋର ଆଜ୍ଞା ବିନା ନାଇଁ ଛାଡିବାର ।କନ୍ ବୁଝିଲୁଟି ।ଏଇ ଦଣ୍ଡ ଟି ରଖିଥ, ତତେ ଘଣ୍ଟ ଘୋଡେଇବ ।( ଠେଙ୍ଗା ବାଡି ଟିଏ ହସ୍ତାନ୍ତର କଲେ ଦେବୀ ବାଳକ ଗଣପତିଙ୍କୁ, ସୁରକ୍ଷା ଦଣ୍ଡ ଭାବେ )
_ ହଁ ଗୋ ମା, ଏଇଠି ଠିଆ ହେଲି, ତମେ ଯ ।ନିଶ୍ଚିତେ ଯ ।
ଦେବୀ ପାର୍ବତୀଙ୍କର ଗୁହା ମଧ୍ୟ କୁ ଗମନ ।ମୁଖରେ ସ୍ମିତହାସ ।
ମଞ୍ଚ ରେ ହାଲକା ଆଲୋକ ବିଛ୍ଛୁରିତ ।ହଠାତ୍ ମଞ୍ଚ ଆଲୋକରେ ଉଦ୍ଭାସିତ ।ସେପଟୁ ମହାଦେବଙ୍କର ଆଗମନ ।ଏକଲୟ ରେ ଗୁହା ମଧ୍ୟ କୁ ଗମନ ର ଦୃଶ୍ୟ ।ବାଳଗଣପତିଙ୍କର ଦୃଷ୍ଟି ଗୋଚର ହୁଅନ୍ତେ .....
_ ର ର ର ,କିଏ ଗୋ ! କିଏ ତୁମେ? ଏଇଠି ଅଟକ ।ମା'ର ଆଜ୍ଞା ନାଇଁ ଗୋ ।ପଚରା ନାଇଁ ଉଚୁରା ନାଇଁ, ସିଦା (ସିଧା) ସିଦା କିସ ଭିତରକୁ ପଶୁଛ କି ? କାଏଁ?
_ ଆଜ୍ଞା ?? କା ର ଆଜ୍ଞା ରେ ।ଇଟା ମୋର ଗର (ଘର) ।ଆଉ ତୁଇ କେ ? ମତେ କାନ ବାଟ ରୋକିଆର ।କିଏ ରେ ତୁଇ?? ଜାଣିନୁକି ମୁଇଁ କିଏ ବୋଲିକି??
_ ଜାଣିଆଁ ଲୋଡା ନାଇଁ ଏ ,ମୋର ମା'ନାଇଁ କଇଚି ବୋଇଲେ ନାଇଁ ।କିଏ ହେଲେବି ନାଇଁ ।ହଲିଆର ନାଇଁ ।
_ ମତେ ରଗାନାରେ! ମୁଣ୍ଡ ଟା ଖାଲିଟାରେ ଉଡିଯିବ ।
_ ଡରଉଚ କିଏ ? ଲଢିବ କି ?
_ କିରେ! ଏଡିକି ବକଟେ, ତୋର ସାହାସ ତ କିଚି କମ ନୁଅଁ ।
_ କଇଲି ତ ,ଭିତରକୁ ଯିଆର ନାଇଁ ।ଲଢିବ ବୋଇଲେ ଲଢ ।ମୋର କିନ୍ତୁ ଛାଡିଆର ନାଇଁ ।ମା'କତାରୁ ବାହାରିଆର ନାଇଁ ।
ଯୁଦ୍ଧ ତୁରୀ ବାଜିଉଠିଲା ।ବାଳକ ଗଣପତି ଓ ମହାଦେବଙ୍କର ଘମାଘୋଟ ଲଢେଇରେ ବାଳକ ଟିଏ ବା କେତେ ଦୂର ତିଷ୍ଠି ପାରିଥାନ୍ତା କି ଆଉ ?? ।ଅଜାଣତେ ପିତା ବିଜୟରେ ଉଲ୍ଲସିତ ।ବିକଳ ସ୍ବର ଟିଏ ଶୁଭି ଥିରେ କ୍ଷିଣ ହେଇଯାଉଛି ।
_ ମା ଆ ଆ ଆ ଆ ଆ ଆ ......।
ମାତୃ ଅନ୍ତର ବିଳାପିତ ।ଧାଇଁ ଆସିଛନ୍ତି ଜଗତଜନନୀ ମାତୃସୁଲଭ ବ୍ଯସ୍ତତାରେ, କାହିଁକି ପୁତ୍ର ର ଏ କରୁଣ ଚିତ୍କାର ।ଏ କରୁଣରୁ କରୁଣତର ଅବସ୍ଥାରେ ପୁତ୍ରକୁ ପାଇ ମନର ଅବସ୍ଥା ଅବର୍ଣ୍ଣନୀୟ ।ହୃଦୟ ବିଦାରକ ।ଆଖି ରେ ଲୁହ ରହିବନି ।
କ୍ରୋଧ ଓ ଦୁଃଖ ରେ ମା'ପଚାରୁଛନ୍ତି ।
_ କେ ,କେ ସେହି ଯିଏ ଏ କାଣ୍ଡ ଭିଆଇଛି ।ଆଜ କରିବି ତା'ର ସ୍କନ୍ଧଚ୍ଯୁତ ଏହି କ୍ଷଣକରେ ।ମୋର ପିଲାକେ କେ ମାଇଲାରେ, କେ କେ ସାମନା ଆଏ ।
_ ତୋର୍ ପିଲା, ତୋର୍ ପିଲା ମାନେ ମୋର ପିଲା ।ଆହା ମୁଇଁ କି କଲି ଗୋ ।ନିଜର ମୁଆଁ ପିଲାଟାକେ କେମନି କାଟି ଦେଲି ଗୋ ବିଧାତା ।
_ ମୋର କିଚି ଶୁନିଆର ନାଇଁ ,ମତେ ମୋର୍ ପିଲା ଫେରହେ ।ଏବେ ଏକା ଫେର ।କେନ୍ତା କରି ମୋର୍ ପିଲାକେ କେଡେ ସାହାସକେ କାଇଁ କାଟିଲ ଗୋ ।ଏଇ ସନେ ସନେ ଫେର ।
_ ନନ୍ଦୀ, ଭୃଙ୍ଗୀ କିଏ କୁଆଡେ ଅଚରେ (ଅଛରେ)?? ବେଗିରି ବାହାର ଉତ୍ତର ମୁଖା ଜୀବ ଗୋଟା ଧରି ଆଣ ରେ ।
କାନ୍ଦନି ଗୋ ଘରମଣି, କାନ୍ଦି ଆଉ ମନ ଦହନି ।ଆମର ପିଲାକେ ମୁଇଁ ଯେନ୍ତି କରି ହଉ ବଞ୍ଚେଇବି ନାଆଉ ।
_ ବେଗି କରହେ ,ବେଗି କର !
ପ୍ରଛ୍ଛଦପଟ୍ଟ ରୁ ନନ୍ଦୀ ଭୃଙ୍ଗୀ ଦୁହେଁ ଏକ ହାତୀ ମୁଖା ନେଇ ଉପସ୍ଥିତ ।
ଇନ୍ଦ୍ର,ଚନ୍ଦ୍ର, ବରୁଣ, କୁବେର, ବ୍ରହ୍ମା, ନାରାୟଣ ସଭିଏଁ ବରଦା ହସ୍ତେ ଆବିର୍ଭୂତ ।ଗନ୍ଧାରଗଣ,ଅପସରୀଗଣ ପୁଷ୍ପାଞ୍ଜଳୀ ହସ୍ତେ ଉପସ୍ଥିତ ।କିଛି କ୍ଷଣ ପାଇଁ ଆଲୋକ ନିର୍ବିପାତ ମଞ୍ଚରୁ ।ସେଇ ଭିତରେ ଗଣପତି ଙ୍କର ମୁଖ ଯୋଡା କାମ ଟି ଶେଷ ।
_ମା'ଗୋ ମା ।ଦେଖ ଗୋ ମା ।ମୁଇଁ କେନ୍ତା ନୂଆ ପରକାର ଦିଶୁଛି ଗୋ ।କୁଲା ପରିକା କାନ,ହାତୀ ପରିକା ନାକ ,ମିଞି ମିଞି ଆଖି ।
_ ହଁ ରେ ବାପା ମୋର, ଅମର ବର ପା ।( ଶିବଶମ୍ଭୁ ଉବାଚ)
ଗଣପତିଙ୍କର ସମସ୍ତ ଦେବତାଙ୍କୁ ବିନମ୍ର ପ୍ରଣିପାତ ଓ ଅନେକ ବରଦାନ ପ୍ରାପ୍ତି ସହ ଦେଖଣାହାରୀ ଦର୍ଶକ ଜନତାଙ୍କୁ ଆର୍ଶିବାଦ ପ୍ରଦାନ ।ହୁଳହୁଳି, ପୁଷ୍ପାଞ୍ଜଳୀ ରେ ମଞ୍ଚ ଆଲୋକିତ ।
ଘନ ଘନ କରତାଳି ।।
ଆଜି ରାତି ପାହିଲେ କାଲିକି ଶ୍ରୀ ବିଘ୍ନେଶ ଗଣପତିଙ୍କର ସ୍ବନକ୍ଷତ୍ର ଦିବସ ।ସ୍କୁଲ ରେ ପତକା ବନ୍ଧା, ସ୍କୁଲ ଧୁଆ, ମୂର୍ତ୍ତି କିଣା କି ବଛା, ଚାନ୍ଦା ଆଦାୟ, ଭୋଜି ଯୋଗାଡ, ଖଲି ଧୁଆ, ଫଟୋଉଠା ମେଳି ,ଭୋଗ ଡାଲା ସଜା,କିଛି ତ ନାହିଁ ଏ ସାଲ ।
ଘରେ କିନ୍ତୁ ପୁଷ୍ପାଞ୍ଜଳୀ ଦେଇ ନୂଆ ଜାମା ପିନ୍ଧି ଖଡିଛୁଆଁ କରିବା ।ଭୋଗ ଖାଇବା ।ଗଣେଶ ବନ୍ଦନା ଗାଇବା ।
ନଡିଆ ଭାଙ୍ଗିବା ଯେ ଖାଇବାନି କିନ୍ତୁ, କାଲିକି ଖାଇବା ।ଏ ପୂଜାରେ ପରା ନାରିକେଳ ଭକ୍ଷଣ ଓ ଚନ୍ଦ୍ର ଦର୍ଶନ ମନା, ପାଞି ରେ ।ଗୋଟିଏ ଥର ରେ ଯେମିତି ଶିଳପୁଆ ଉପରେ ନଡିଆ ଭାଙ୍ଗିବା ।ଢୋ ।
ନମୋ ଗଶେଷ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୁ
ନମୋ ବିଘ୍ନ ବିନାଶାୟ ଗଣାଧିପତୟେ ନମଃ ।।