ବାହୁଡା଼ ଯାତ
ବାହୁଡା଼ ଯାତ
ଆସ ଆସଲୋ ସଙ୍ଗାତ ଯିବା ଶୀରି କ୍ଷେତ୍ର
ଦେଖିବା ବାହୁଡା଼ ଯାତ l
ଶଙ୍ଖ ହୁଳହୁଳି ଘଣ୍ଟ ଘଣ୍ଟା ଶବଦରେ
ଉଛୁଳୁଛି ବଡଦାଣ୍ଡ ll
ନବ ଦିନାତ୍ମକ କେଳି କରିଣ ଆଡପୁ
ବାହୁଡ଼ିବେ ଆଦି ଅନ୍ତ l
ଜନମ ବେଦୀରୁ ଫେରିବେ ଲୋ ଦାରୁବ୍ରହ୍ମ
କାନ୍ଦୁଛି ଗୁଣ୍ଡିଚା ମାତ ll
କହେ,ଆର ବରଷକୁ ଆସିବୁ କାଳିଆ
ଚାହିଁଥିବି ତୋର ପଥ l
ରୋଷେ ହୋଇ ଜରଜର ବୋଲନ୍ତି କମଳା
ଛାଡ଼ିବେନି ଜଗନ୍ନାଥ ll
ଭାଇ ଭଗ୍ନୀ ସଙ୍ଗେ ଯାଇଛନ୍ତି ପ୍ରାଣନାଥ
ଗୁଣ୍ଡିଚା ମାଉସୀ ଘର l
ସ୍ତ୍ରୀକୁ ଛାଡିଣ ଶ୍ରୀମନ୍ଦିରେ ଏକା ଯାଆନ୍ତି
ଭ୍ରମିବାକୁ ନଟବର ll
ମାନ ଭାଜିବାକୁ ନାଥ ଗେଲ୍ହେଇ କହନ୍ତି
ସବୁତ ତୁମରି ପ୍ରିୟା l
ତୁମ ବିନା ମୋର ଅସ୍ତିତ୍ୱ ହିଁ ନାହିଁ କିମ୍ପା
ଅଭିମାନ ପ୍ରାଣପ୍ରିୟା ll
ମୋ ନାମ ଆଗରେ ସଦା ରହିଅଛ ତୁମେ
ବଡ ଦେଉଳ ତୁମର l
ସ୍ଥାବର ଅସ୍ଥାବର ଯେତେ ଯାହା ଅଛଇ
ସେଥିପାଇଁ ଶ୍ରୀମନ୍ଦିର ll
ତୁମ ବିନା ପ୍ରିୟେ ସବୁ ଦିଶେ ଶିରି ହୀନ
ମନେ ନାହିଁକି ତୁମର l
ତୁମ ବିନା ପରା ଆମ୍ଭେ ଦୁଇ ଭ୍ରାତା ହେଲୁ
ଦ୍ଵିଜ ଭିକ୍ଷୁକ ସତ୍ୱର ll
ଓଡ଼ିଆ ଘରର ସଂସ୍କୃତି ଓ ପରମ୍ପରା
ଗଲଣିକି ତମେ ଭୁଲି l
ଭାଇ ଭଗ୍ନୀଙ୍କୁ ସଙ୍ଗତେ ନନେଇ ଯେବେ
ତୁମକୁ ସାଙ୍ଗରେ ନେଲି ll
ଜଗତରେ ହୁଡ଼ି ପଡ଼ିଯିବ ଲୋ ସଙ୍ଗିନୀ
ମାଇପ ବୋଲିଆ ଜଗା l
ରସଗୋଲା ଖାଇ ମାନ ଅଭିମାନ ତେଜି
ଆଉ ଲୋ କଳି ନ ଲଗା ll
ମୁଁ ହେଲେ ଜଗତ ପିତା ତୁମେ ଜଗତ ମାତା
ରୋଷ କରୁଅଛ କିମ୍ପା l
ଜଗତ ଜନଙ୍କ ରକ୍ଷା କର୍ତ୍ତା ଆମ୍ଭେ ପରା
ତୋଷ ହୁଅ ପ୍ରିୟତମା ll
ସ୍ୱାଗତ କର ଗୋ ଆମ୍ଭେ ଭ୍ରାତା ଭଗ୍ନୀ ଯିବୁ
ଶ୍ରୀମନ୍ଦିର ଗମ୍ଭୀରାକୁ l
ରଥେ ବୁଲି ବୁଲି ଆମ୍ଭେ କ୍ଲାନ୍ତ ହୋଇଅଛୁ
ବିଶ୍ରାମ ଦିଅ ଆମ୍ଭକୁ ll
ସ୍ମିତ ହାସ୍ୟ କରି ଆଡ଼ ହୋଇଯାନ୍ତେ ମାତ
ଚଳନ୍ତି ଶ୍ରୀଜୀଉ ମାନେ l
ଶ୍ରୀମନ୍ଦିର ରୁପକାନ୍ତି ଝଲସାଇ ପୁଣି
ବିଜେ ରତ୍ନ ସିଂହାସନେ ll
