ସିନ୍ଦୁର କରିଲା ପର
ସିନ୍ଦୁର କରିଲା ପର
ସିନ୍ଦୁରର ମହତ୍ୱ କେବଳ ଜଣେ ବିବାହିତା ହିଁ କହିପାରିବ l ଧନ ସମ୍ପତ୍ତିର ମୂଲ୍ୟ ତା ଆଗରେ କିଛି ନୁହେଁ l ସିନ୍ଥିରେ ସିନ୍ଦୁର ଥିଲେ ଶତ ସିଂହର ପରାକ୍ରମ ଥାଏ ମନରେ l ସିନ୍ଦୁର ସୁହାଗିନୀର ପରିଚୟ l ସିନ୍ଦୁର ସ୍ୱର୍ଗ ସୁଖ ଆଣିଦିଏ ନାରୀକୁ l ସିନ୍ଦୁର ବିନା ବିବାହିତା ନାରୀର ଅସ୍ଥିତ୍ୱ ନାହିଁ l ବିବାହିତା ନାରୀର ସୌନ୍ଦର୍ଯ୍ୟରେ ପୂର୍ଣ୍ଣତା ଭରିଦିଏ ସିନ୍ଦୁର l ସିନ୍ଦୁର ବିନା ହତଶ୍ରୀ ହୁଏ ନାରୀର ଜୀବନ l
ଆଜି ସାବିତ୍ରୀ ବ୍ରତ , ବୁକୁରେ ଅସରନ୍ତି କୋହ l ସିନ୍ଦୁର ଫରୁଆଟିକୁ ହାତରେ ଧରି ଏପଟ ସେପଟ କରି ଦେଖୁଥାଏ ରିମା l ମଝିରେ ମଝିରେ ଝରକା ଫାଙ୍କରେ ବାହାରକୁ ଚାଁହୁଥାଏ ସେ l ଗାଁର ସଧବା ନାରୀମାନେ ଆଜି ବେଶ ସୁନ୍ଦର ଦେଖାଯାଉଛନ୍ତି l ସମସ୍ତେ ସୁନ୍ଦର ସୁନ୍ଦର ନୂଆ ଶାଢ଼ୀ , ଚିକମିକ କରୁଥିବା ଚୁଡ଼ି, ପାଦରେ ଅଳତା ଓ ମଥାରେ ସିନ୍ଦୁର ପିନ୍ଧି ସଜେଇ ହେଇଛନ୍ତି l ଯେମିତି ଗାଁ ଦାଣ୍ଡରେ ନାଲି ଟୁକୁ ଟୁକୁ ସାଧବ ବୋହୁ ମାନେ ରୁଣୁ ଝୁଣୁ ଶବ୍ଦ କରି ଧାଡି କରି ଯାଉଛନ୍ତି l ଗତବର୍ଷ ଆଜିର ଦିନରେ ମୁଁ ବି ଏମିତି ସଜେଇ ହେଇଥିଲି l ଆଉ ଆକାଶ ମୋତେ ଦେଖି କହୁଥିଲେ , "ଆଜି ତୁମେ ବହୁତ ସୁନ୍ଦର ଦିଶୁଛ,ରିମା l ସତେ ସ୍ୱର୍ଗର ଅପ୍ସରୀଟେ l ରମ୍ଭା, ମେନକା, ଉର୍ବଶୀ ବି ତୁମ ପାଖରେ ହାର ମାନି ଯିବେ l" ତାଙ୍କର ଏକଥା ଶୁଣି,ମୁଁ ଲାଜେଇ ଯାଉଥିଲି, କହୁଥିଲି, "ଧେତ, ତମେ ନା ଭାରି ଅଲାଜ୍ଜୁକ l ହାତରେ ଥିବା ସିନ୍ଦୁର ଫରୁଆଟି ତଳେ ପଡ଼ିଯାଏ l ପ୍ରକୃତିସ୍ଥ ହୁଏ ରିମା l ଦେଖେତ, ସିନ୍ଦୁର ତକ ତଳେ ବିଞ୍ଚି ହେଇଯାଇଛି l ଯାହା ଆଉ ତୋଳି ହେବନାହିଁ ଠିକ ତାର ଜୀବନର ସୁହାଗ ସିନ୍ଦୁର ପରି l ଆଜକୁ ବର୍ଷେ ତଳେ କେତେ ଆଶା, ଆକାଂକ୍ଷା ଓ ଅସୁମାରୀ ସ୍ବପ୍ନ ନେଇ ଆକାଶର ହାତ ଧରିଥିଲା ସେ l ବାପାମାଙ୍କର ଏକମାତ୍ର ଅଲିଅଳି ଝିଅ ସେ l ମନରେ ଅନେକ ଜିଜ୍ଞାସା ନେଇ ଦୁଇ କୂଳର ଆଶାବାଡି ହେବାକୁ ସ୍ବପ୍ନ ଦେଖିଥିଲା ସେ l କିନ୍ତୁ ଦଇବ ଦାଉ ସାଧିଲା l ଛଅ ମାସ ତଳେ ଅଦୃଶ୍ୟ ଭୂତାଣୁ ମହାମାରୀ କରୋନାରେ ପ୍ରାଣ ହରାଇଲା ଆକାଶ l ସବୁକିଛି ଧୂଳିସାତ ହେଇଗଲା l ସ୍ୱାମୀହରା ହେଇଗଲା ସେ l "ସିନ୍ଦୁର କରିଲା ପର l ହାତର ଶଙ୍ଖା ସହିତ ଭାଙ୍ଗିଗଲା ତା ଜୀବନର ସବୁ ସୁଖ l ମଥାର ସିନ୍ଦୁର ସହିତ ଲିଭିଗଲା ଚିରଦିନ ପାଇଁ ତା ଓଠରୁ ହସ l ତୁଟିଗଲା ବଞ୍ଚିବାର ସମସ୍ତ ରାହା l ବର୍ତ୍ତମାନ ସେ ଅନ୍ତସ୍ୱତ୍ତା l ତାଗର୍ଭରେ ବଢୁଛି ଆକାଶର ସନ୍ତକ l ତାରି ପାଇଁ ତା ସେ ଆଜି ବଞ୍ଚିଛି l ଆକାଶଙ୍କର ଶେଷ କେଇପଦ କଥାକୁ ପାଥେୟ କରି ମରି ମରି ଜିଇଁଚି ରିମା l
