ମିତ୍ରଦ୍ରୋହ (ଶିଶୁଗଳ୍ପ)
ମିତ୍ରଦ୍ରୋହ (ଶିଶୁଗଳ୍ପ)
ସାଧାରଣତଃ ସନ୍ଧ୍ୟା ସମୟରେ ଅଜା ଆଈ ଵା ଜେଜେ ଜେଜେମାଙ୍କ ଠାରୁ ନାତି ନାତୁଣୀମାନେ ଗପ ଶୁଣନ୍ତି l ସେଦିନ ବାବୁଲା ଜିଦ ଧରିଲା ଜେଜେମାଠାରୁ ଗପ ଶୁଣିବ l ଜେଜେମା ବାବୁଲାକୁ ଧରି ଦାଣ୍ଡ ପିଣ୍ଡା ରେ ବସି ଗପ କହିବାକୁ ଆରମ୍ଭ କରନ୍ତେ l ବାବୁଲାର ସମବୟସୀ ଆଉ ଦୁଇ ତିନି ଜଣ ଆସି ପହଁଚିଲେ l ଜେଜେମା କହିଲେ, ହଉ ପିଲେ ବସ ଓ ମୁଁ ଯାହା କହୁଛି ମନ ଦେଇ ଶୁଣ l ଗପ ଶୁଣି ହୁଁ ମାରିବ l ତାପରେ ଜେଜେମା ଗପ ଆରମ୍ଭ କଲେ l
ଆଜିର ଗପଟିର ନାଁ ହେଲା "ମିତ୍ରଦ୍ରୋହ" l ପିଲାମାନେ କହିଲେ ଜେଜେମା ମିତ୍ରଦ୍ରୋହ କଣ l ଆଗ ଗପ ଶୁଣ ସବୁ ବୁଝି ପାରିବ l
ଅଗନା ଅଗନୀ ବନସ୍ତ l ସେଥିରେ ରହୁଥିଲା ଏକ ମହାବଳ ବାଘ ଯାହାର ନାଁ ଥିଲା ହିରଣ୍ୟ l ତାର ଏକ ବିଶ୍ୱସ୍ତ ବିଲୁଆ ସାଙ୍ଗ ଥିଲା l ତାହାର ନାମ ହେଲା ଘୁମର l ବାଘ ମାମୁଁ ବଣ ଜଙ୍ଗଲରୁ ଶିକାର କରି କ୍ଷୁଧା ମେଣ୍ଟାଏ l ଅବଶିଷ୍ଠ ଯାହା ବଳେ ଘୁମର ଖାଏ l ଏମିତି ଦୁଇ ସାଙ୍ଗ ଖୁସିରେ ନିଜର ସୁଖ ଦୁଃଖ ବାଣ୍ଟି ରହିଥାନ୍ତି l ଏକଦିନେ ଆଉ ଏକ ବିଲୁଆ ଆସି ପହଁଚିଲା l ଜରାଜୀର୍ଣ ଶରୀର ନିଜେ ଶିକାର କରି ଖାଇବା ସମ୍ଭବପର ନଥିଲା l ଘୁମର ଏତେବେଳେ ସେହି ବିଲୁଆଟିକୁ ଦେଖିଲା ତା'ମନରେ ତା ପ୍ରତି ଦୟା ଆସିଲା l ସେ ତା ସହିତ ମିତ୍ରତା କଲା ଏବଂ ସେ ରହୁଥିବା ଗୁମ୍ଫାରେ ତାକୁ ଆଶ୍ରୟ ଦେଲା l ହିରଣ୍ୟ ଶିକାର କରି ଯାହା ଆଣେ ତାକୁ ତିନି ଜଣ ବାଣ୍ଟିକରି ଖାଆନ୍ତି l କ୍ରମଶଃ ବିଲୁଆଟି ସୁସ୍ଥ ହେବାକୁ ଲାଗିଲା l
"ପ୍ରକୃତି କେବେ ପରିବର୍ତ୍ତନ ହୁଏନାହିଁ" l ସେହିପରି ଦ୍ୱିତୀୟ ବିଲୁଆଟିର ଖଳବୁଦ୍ଧି ତା ମନକୁ ଆନ୍ଦୋଳିତ କରୁଥାଏ l କିପରି ଘୁମରକୁ ତାବାଟରୁ ହଟେଇବ l ସମୟ ସୁଯୋଗ ଦେଖି ହିରଣ୍ୟ ପାଖରେ ଘୁମର ନାଁରେ ଚୁଗୁଲୀ କରିବାକୁ ଲାଗିଲା l ହିରଣ୍ୟ କିନ୍ତୁ ତାର କଥାକୁ ପରତେ ଗଲାନାହିଁ l ଦିନେ ହିରଣ୍ୟ ଜଙ୍ଗଲରୁ ଶିକାର କରି ଆସିଲା ବେଳକୁ ଦ୍ୱିତୀୟ ବିଲୁଆଟି ଗୁମ୍ଫା ଦ୍ୱାରରେ ମୁଁହ ଶୁଖେଇ ବସିଛି l ହିରଣ୍ୟ ତାକୁ ତାର କାରଣ ପଚାରିଲା l ବିଲୁଆଟି କହିଲା, ଦେଖ ବନ୍ଧୁ ତୁମେ ସିନା ମୋ କଥାକୁ ବିଶ୍ୱାସ କଲନାହିଁ l ତୁମ ଅନୁପସ୍ଥିତିରେ ଘୁମର ଅନ୍ୟ ଏକ ବାଘ ସହିତ ବନ୍ଧୁତା କରିଛି ଏବଂ ତୁମକୁ ଜୀବନରୁ ମାରିଦେବାକୁ ଯୋଜନା କରୁଛି l ହଁ ପରା, ମୁଁ ମୋ ନିଜ କାନରେ ଶୁଣିଛି l ହିରଣ୍ୟ ଆଉ କିଛି ଉତ୍ତର ନଦେଇ ନୀରବ ରହିଲା l ମନେ ମନେ ଭାବିଲା ଘୁମର ମୋର ଏତେ ବିଶ୍ୱସ୍ତ ହେଇ ମୋ ଆନ୍ତରାଳରେ ମୋ ଅନିଷ୍ଟ ଚିନ୍ତା କରୁଛି l ମୋର କାହିଁକି ବିଶ୍ୱାସ ହେଉନାହିଁ l ତଥାପି ମନେ ମନେ ବହୁତ ଦୁଃଖ କଲା l
କିଛିସମୟ ପରେ ଘୁମର ଆସିଲା ହିରଣ୍ୟର ମନ କଷ୍ଟ ଦେଖି ପଚାରିଲା, ବନ୍ଧୁ ଆଜି କାହିଁକି ତୁମର ମୁଁହ ଶୁଖି ଯାଇଛି ଆଗ ଭଳି ଆଜି ଖୁସି ନାଁହ l କଣ ହେଇଛି ତୁମର, ମିତେ କୁହ l ହିରଣ୍ୟ କହିଲା ନାଇଁ କିଛି ନାହିଁ l ଆଜି ଦେହଟା କାହିଁକି ଅସୁସ୍ଥ ଲାଗୁଛି l ଘୁମର ଏହା ଶୁଣି ବହୁତ ବ୍ୟସ୍ତ ହୋଇ ପଡିଲା l ହିରଣ୍ୟର ଆରୋଗ୍ୟ ପାଇଁ ଏଣେତେଣେ ଦୌଡିବାକୁ ଲାଗିଲା l ହିରଣ୍ୟ ଏସବୁ ଦେଖି ଦ୍ୱିତୀୟ ବିଲୁଆର ଚାଲ ବିଷୟରେ ବୁଝି ପାରିଲା ଓ ଘୁମରକୁ ସବୁ କଥା କହିଲା ଏବଂ ତାକୁ ଜଲଦି ସେଠାରୁ ବିଦା କରିବାକୁ କହିଲା l ଘୁମର ଆଉ ଡେରି ନକରି ଦ୍ୱିତୀୟ ବିଲୁଆକୁ ସେଠାରୁ ବାହାର କରି ଦେଲା ଓ ପୂର୍ବପରି ଦୁଇ ସାଙ୍ଗ ଖୁସିରେ ରହିଲେ l
ଏଥର ଜେଜେ ମା କହିଲେ କହିଲ ପିଲେ, ପ୍ରକୃତ ଆମେ ମିତ୍ରଦ୍ରୋହୀ ବୋଲି କାହାକୁ କହିବା? ପିଲାଏ କହିଲେ, ଦ୍ୱିତୀୟ ବିଲୁଆଟି ମିତ୍ରଦ୍ରୋହୀ l ତାପରେ ଜେଜେମା କହିଲେ ଏବେ ପିଲେ ଯେଝା ଘରକୁ ଯାଅ l ଖାଇପିଇ ଶୋଇପଡିବ l ମନେ ରଖିଥିବ ଯିଏ ତୁମକୁ ସାହାଯ୍ୟ କରିବ ଲକେବେ ତାହାର ମନ୍ଦ ଚିନ୍ତା କରିବନି l
