ବା’ ବା’ ରେ ବାବା
ବା’ ବା’ ରେ ବାବା
ବା’ ବା’ ରେ ବାବା
ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)
ଆସ୍ଥାର ପେଁକାଳି ବଜେଇ ବାବାମାନେ ଚକିତ କରୁଥିବା କୀର୍ତ୍ତିମାନ ସ୍ଥାପନ କରିବାରେ ଲାଗିପଡ଼ିଛନ୍ତି । ସତେ ଯେପରି ‘ଫବ୍ସ’ ପତ୍ରିକାର ବାର୍ଷିକ ଉତ୍ସବରେ ଏମାନଙ୍କ ଫଟୋ କଭର୍ ପେଜ୍-ରେ ବାହାରିବ ! ଆଖିଖୋଲା ଅନ୍ଧମାନଙ୍କୁ ଭିଡ଼ିବା ପାଇଁ ନାନା ପ୍ରକାରର ଭକୁଆ କୌଶଳର ଅକ୍ତିଆର । ଏବେ ତ ସକାଳୁ ସକାଳୁ ଟୁଥବ୍ରସ୍ ଘଷୁଥିବା ବେଳେ ବାବାମାନଙ୍କର ଜ୍ଞାନ ଉପଯୋଗୀ ପ୍ରବଚନ । ବିଜ୍ଞାପନର କୌଶଳରେ ଏମାନେ ପେସାଦାର ଫିଲ୍ମଷ୍ଟାର୍ ଆଉ କ୍ରିକେଟିୟରମାନଙ୍କୁ ବି ପଛରେ ପକାଇସାରିଲେଣି । କହିବାର କଳା ଏମିତି, ଯେମିତି ରାଜନେତାମାନଙ୍କ ନିର୍ବାଚନୀ ଭାଷଣକୁ ଟପିଯିବ ! ଜଣେ ବାବାଙ୍କର ବାୟୋଡାଟାରେ ଲିପିବଦ୍ଧ ହୋଇଥିଲା ଯେ, ବାବା ବଂଶବୃଦ୍ଧିରେ ସିଦ୍ଧହସ୍ତ । ନବଗ୍ରହମାନଙ୍କୁ ଶାନ୍ତି କରିବା ତାଙ୍କର ବାମହାତର ଖେଳ । ଅର୍ଜୁନର ମାଛମରା ଆଖି ପରି କେବଳ ଗୋଟାଏ ଲକ୍ଷ୍ୟ - ତୁମର ସବୁ ଆମକୁ ଦେଇଦିଅ, ଆମେ ତୁମକୁ ପ୍ରକୃତରେ ବାବାଜି କରି ଈଶ୍ୱରଙ୍କ ନିକଟକୁ ପଠେଇଦେବୁ । ତେବେ ଗୋଟାଏ ଛୋଟିଆ ପ୍ରଶ୍ନ ମଫସଲି ମୁଣ୍ଡରେ ସବୁବେଳେ ଉଙ୍କିମାରୁଥାଏ ଯେ - ଏତ ଧନ, ପ୍ରାଚୁର୍ଯ୍ୟ, ଶକ୍ତି, କଳା ଥାଇ ବି ଏମାନେ ଅଧାବାଟରୁ ଗଳିପଡୁଛନ୍ତି କାହିଁକି ? ଦୁର୍ଭିକ୍ଷ ପ୍ରପୀଡ଼ିତ ନରକୁ ଏକାଥରେ ପୁରି, ଖିରି, ମାଉଁସ ମିଳିଗଲେ ବୋଧହୁଏ ଯାହା ହୁଏ ! ଅକସ୍ମାତ୍ ପ୍ରାପ୍ତି ଜନିତ ତ୍ରୁଟି । ଯେଉଁ ଦେଶର ଲୋକସଂଖ୍ୟା କମ୍, ସେଠାକୁ ବାବାମାନଙ୍କୁ ପଠାଯାଇ ଏମାନଙ୍କର ଉପାଦେୟତା ବିଶ୍ୱକଲ୍ୟାଣରେ ଲଗାଯାଇପାରନ୍ତା । ଜବରଦଖଲ କରିଥିବା ଜମିଗୁଡ଼ିକରେ ଶିଳ୍ପ ପ୍ରତିଷ୍ଠା କରାଗଲେ ବହୁ ଲୋକ ନିଯୁକ୍ତି ପାଇପାରନ୍ତେ । ଦେଶରୁ ଦାରିଦ୍ର୍ୟ ଦୂରୀକରଣର ନାରା ସଫଳ ହୁଅନ୍ତା । ଏମାନଙ୍କର ଅକୁତ ଧନ-ସମ୍ପତ୍ତିକୁ ‘ରାଷ୍ଟ୍ରୀୟ ଶୋଷଣ ଫଣ୍ଡ୍’ ଘୋଷଣା କରାଯାଇ ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବିନିଯୋଗ କରାଯାଇପାରନ୍ତା । କଥା କହି ଲୋକଙ୍କୁ ମୋହିତ କରିବାର ଏମାନଙ୍କ ଅଦ୍ଭୁତ କୌଶଳ ଓ ମାର୍କେଟିଂ କରିବାର ନିପୁଣ କଳାକୁ ଆମ ଦେଶର ସରକାର ବୈଦେଶିକ ବ୍ୟାପାର ସମେତ ବିଭିନ୍ନ କ୍ଷେତ୍ରରେ ଉପଯୋଗ କଲେ ଆମ ଦେଶ ନିଶ୍ଚୟ ବିଶ୍ୱ ଦରବାରରେ ନିଜର ଶ୍ରେଷ୍ଠତ୍ୱ ଜାହିର୍ କରିବା ସହିତ ବହୁ ଆଗକୁ ବଢ଼ିପାରନ୍ତା । କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ନିହାତି ଦରକାର । ବାବାମାନଙ୍କୁ ସରକାରୀ ସ୍ତରରେ ପ୍ରଶିକ୍ଷଣ ଦେବା ପାଇଁ ଦେଶବ୍ୟାପୀ କୋଚିଂ ସେଣ୍ଟର ଖୋଲିବାର ଆବଶ୍ୟକତା ରହିଛି । ଏଥିରେ ବେକାର ହୋଇ ବୁଲୁଥିବା ପାଠୁଆମାନଙ୍କୁ ଆଉ ସାମାଜିକ ଥଇଥାନ ପାଇଁ କିନ୍ନରମାନଙ୍କୁ ବିଶେଷ ଅଗ୍ରାଧିକାର ଦିଆଯିବା ଉଚିତ । ଏହାଦ୍ୱାରା ଦେଶରୁ ବେକାରୀ ସମସ୍ୟା ଦୂରହେବା ସଙ୍ଗେସଙ୍ଗେ ସମାଜରେ ଘଟୁଥିବା ଅନାଚାର, ବ୍ୟଭିଚାର ଆଦି ସମସ୍ୟା ବହୁ ପରିମାଣରେ କମିଯାଆନ୍ତା । ବିଶେଷକରି ପ୍ରତି ଜିଲ୍ଲାରେ ସରକାରୀ ମଠ ଓ ସରକାରୀ ବାବାଙ୍କ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯଦି ରାଜ୍ୟ ସରକାରମାନଙ୍କୁ ଏକାଧିକାର ଦିଆଯାଇପାରନ୍ତା, ତା’ହେଲେ ସରକାର ଏହାର ଅକ୍ସନ୍ ପାଇଁ ବିଜ୍ଞପ୍ତି ଜାରି କରି ବିପୁଳ ଅର୍ଥ ସଂଗ୍ରହ କରିପାରନ୍ତେ, ଯାହା ରାଜ୍ୟର ଆର୍ଥିକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିପାରନ୍ତା । ଭଣ୍ଡବାବାଙ୍କ ରୋକ୍ଥାମ୍ ପାଇଁ ଉପଯୁକ୍ତ ନିୟମାବଳୀ ଓ ସରକାରୀ କର ବସାଇବା ବ୍ୟବସ୍ଥା କଲେ ଏଇ ସମସ୍ୟା ଅନେକାଂଶରେ ଦୂରୀଭୂତ ହୋଇଯାଆନ୍ତା ।
ତେବେ ପ୍ରଶ୍ନ ଉଠୁଛି, ଯଦି ଜଣେ ବ୍ୟକ୍ତିଗତ ସ୍ତରରେ ବିପୁଳ ଜନତାଙ୍କ ବିଶ୍ୱାସଭାଜନ ହୋଇ ବଡ଼ ବଡ଼ ସାମ୍ରାଜ୍ୟ ଛିଡ଼ା କରିପାରୁଛି, ତା’ହେଲେ ସରକାରଙ୍କ ପାଇଁ ତ ଏହା ହକି ଖେଳ ସଦୃଶ । ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କେବଳ ଦରକାର ଦୃଢ଼ ଇଚ୍ଛାଶକ୍ତି । ବାବାମାନେ ଯୁଗେଯୁଗେ ସମାଜର ଆଇନା । ଏବେ ବି ଅଛନ୍ତି । ତଫାତ୍ ଏତିକି - ଆଗେ ଗେରୁଆ ଥିଲା କରୁଣା, ପ୍ରେମ, ପ୍ରେରଣାର ଉତ୍ସ । ଏବେ କରୁଣାର ପ୍ରେରଣାକୁ ପ୍ରେମ କରି ଖାଉଛନ୍ତି ଲାତ । ଆଲୋକରୁ ଅନ୍ଧାର ହେଉଛି ନିର୍ଗତ । ନା ଏ ବାବଦରେ ଆପଣ ଆଉ କ’ଣ କହିବେ ?
ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪
ଫୋନ୍ : ୯୪୩୭୦୨୦୬୧୮
*****