Padmalaya Padhy

Inspirational

4.1  

Padmalaya Padhy

Inspirational

ଅୟମାରମ୍ଭ

ଅୟମାରମ୍ଭ

7 mins
307



--ଯା ସିଆଡେ ଯା ! ତୋ ମା ଗଲା ବେଳେ ଡାକି ଆସିଲେ ଯିବୁ ତା ସାଙ୍ଗେ l ଏବେ ଏଠି ଟୁଙ୍ଗୁ ଟୁଙ୍ଗୁ ହ.. ଅ.. ନା l


ହଠାତ ସାନ ସାନ ପାଦ ଦୁଇଟି ପଛକୁ ହଟିଯାଇ ଆଖି ରେ ଆଖିଏ ଭୟ ର ଆଭାସ ଥିଲା l ମନ ବୁଝୁନି ଯେ ମା ପାଖରେ ଯାଇ ଟିକିଏ ଠିଆ ହୋଇଗଲେ କଣ କ୍ଷତି ହୋଇଯିବ l ସେ ତ ଗହଳି କରୁନାହିଁ l ବାବୁ ଘର ମା କାହିଁକି ରାଗୁଛନ୍ତି ଏତେ l


ବାହାଡା ଦାନ୍ତି ମାଙ୍କଡ଼ ମୁହିଁ କୋଉଠିକାର ! ମନକୁ ମନ ଅନନ୍ୟା କାମବାଲୀ ସୁଲି ର ଝିଅ ରୁନି ଉପରେ ଗୁଣୁ ଗୁଣୁ ହେଉଥିଲା l ସୁଲି କାମ କଲାବେଳେ ରୁନି ର ଘର ଭିତରେ ଅବାଧ ବିଚରଣ କୁ ଅନନ୍ୟା ସହି ପାରେନା l ଏହାର ଆଉ ଏକ କାରଣ ହେଉଛି ରୁନି ର ବାହାଡା ଦାନ୍ତ ତଥା ଗର୍ତ୍ତ ଭଳି ଦିଶୁଥିବା ନାକ ପୁଡିଆ ଦୁଇଟି ହିଁ ଅନନ୍ୟା କୁ ବିରକ୍ତ କରେ l ସବୁଠୁ ମୁଣ୍ଡ ଗରମ କରିବା କାରଣ ଟି ହେଲା ରୁନି ର ମୁଣ୍ଡ ରେ ଥିବା ବେଜାଏ ଉକୁଣୀ ଯେଉଁ ମାନଙ୍କୁ ସେ ନିଜ ଅଧୀନ କୁ ଆଣିବାକୁ ଅହରହ ଚେଷ୍ଟା କଲେ ମଧ୍ୟ ତାକୁ ମୁକ୍ତି ମିଳେନା ଓ ଚବିଶ ଘଣ୍ଟା କୁଣ୍ଡେଇ ହେଉଥାଏ l


ଅନନ୍ୟା କେତେ ଥର ନା ସ୍ୱାମୀ ଆଦିତ୍ୟ କୁ କହିଲାଣି ନୂଆ କାମବାଲୀଟିଏ ବୁଝି ଦେବାକୁ l ସେ କି ବୁଝିବା ଲୋକ ?


--ଆରେ ତା ପାଇଁ ଗୋଟେ ଉକୁଣୀ ମରା ସାମ୍ପୁ ଆଣିଦିଅ କାମ ସରିଯିବ l ନା ସେ ମୁଣ୍ଡ କୁଣ୍ଡାଇବ ନା ତୁମ ର ବି ପି ବଢିବ l ଗୋଟେ ତୀରରେ ଦୁଇଟି ଶିକାର l ଅନନ୍ୟା ଭାବିଲା ତାର ବାହାଡା ଦାନ୍ତ ଓ ଗାତୁଆ ନାକ ପୁଡା ଦୁଇଟିକୁ କୁଆଡେ ନେବ ତୁମେ l ଏ ଲୋକକୁ କହିବା ଯାହା ନକହିବା ସେୟା l


ଅନନ୍ୟା ନିଜେ ଅତି ସୁନ୍ଦରୀ l ରଙ୍ଗ ଯେମିତି ଚେହେରା ବି

 ସେମିତି l ଟିକିଏ ବାଗେଇ ଦେଲେ କେଡେ କେଡେ ହିରୋଇନ ବି ତା ପାସଙ୍ଗ ରେ ପଡିବେନି l ସେଥିପାଇଁ ବହୁତ ଗର୍ବ ତା ମନରେ l ତାର ବାପ ଘର ଲୋକ ମାନେ ବି ଦେଖିବାକୁ ସୁନ୍ଦର ଏବଂ ଆଦିତ୍ୟ ବି ବହୁତ ହାଣ୍ଡସମ l ଅନନ୍ୟା ଆଜି ପର୍ଯ୍ୟନ୍ତ ମଣିଷ ର ବାହ୍ୟ ସୌନ୍ଦର୍ଯ୍ୟ କୁ ହିଁ ଦେଖି ଆସିଛି ଓ ରୂପ ଦେଖି ମଣିଷ ମାନଙ୍କୁ ତଉଲିବାରେ ଲାଗିଛି l


ଏପରିକି ବିବାହ ପୂର୍ବରୁ ଆଦିତ୍ୟ କୁ ଭଲ କି ଖରାପ ଜାଣିବାର ଆଗ୍ରହ ତାର ନଥିଲା କେବଳ ତା ଭାବୀ ସ୍ୱାମୀ ଟି ଦେଖିବାକୁ ରାଜକୁମାର ଭଳି ହୋଇଥିବା ଦରକାର l ସେଥିପାଇଁ ସୁଲି ର ଝିଅକୁ ଦେଖିଲେ ଅନନ୍ୟା ର ପାରା ଚଢି ଯାଏ l ଆଦିତ୍ୟ ବେଳେ ବେଳେ ବୁଝାଇବାକୁ ଚେଷ୍ଟା କରେ l


--ମାଇଁ ଡ଼ିଅର ଆନି ! କାଲି ତୁମେ ବି ମା ହେବ l ତୁମର ସେଇ ସନ୍ତାନଟିକୁ ଦୁନିଆ କେଉଁ ଦୃଷ୍ଟିରେ ଦେଖିବ କିଏ କହି ପାରିବ ? ଲୋକ ତାକୁ ଯେତେବେଳେ ଆଙ୍ଗୁଳି ଉଠାଇବେ ସେତେବେଳେ କେମିତି ଲାଗିବ ତୁମକୁ ?


--କେବେ ନୁହେଁ l ବାପ ମା ଯେମିତି ହୋଇଥିବେ ଛୁଆ ବି ସେମିତି ହେବ l ମୋ ଛୁଆ ପୁଣି………!


--ସୁନ୍ଦର ଅସୁନ୍ଦର ର ମାପ କାଠି ଯାହାକୁ ତୁମେ ନିର୍ଦ୍ଧାରଣ କରିଛ ତାହା କେଉଁଠି ମଧ୍ୟ ଲେଖା ହୋଇନାହିଁ l ସ୍ଥାନ କାଳ ପାତ୍ର ବିଶେଷ ରେ ଏହା ଅଲଗା ଅଲଗା ହୋଇଥାଏ l ଯେ ତୁମ ପାଇଁ ସୁନ୍ଦର ସେ ପୃଥିବୀ ର କେଉଁ କୋଣରେ ଅନ୍ୟ କାହା ପାଇଁ ଅସୁନ୍ଦର ହୋଇପାରେ l ଯାହାକୁ ଦେଖିଲେ ତୁମେ ନାକ ଟେକୁଛ ସେ ପୁଣି ତା ମା ର ନୟନ ପିତୁଳା ଟି !


ଆଦିତ୍ୟ ର କୌଣସି କଥା ଅନନ୍ୟା ହୃଦୟଙ୍ଗମ କରି ପାରେନାହିଁ l ଚୁପ ରହିବା ବରଂ ଭଲ l କିନ୍ତୁ ବାହାଡା ଦାନ୍ତି ଚେପି ନାକି କୁ ଦେଖିଲେ ବ୍ରହ୍ମ ଜଳି ଯାଉଛି ଯେତେବେଳେ ସେ ଅବା କରିବ କଣ l


କେତେ ଥର କରୋନା ର ବାହାନା କରି ମା ଝିଅଙ୍କୁ ବାହାର କରିଦେବା ପାଇଁ ଆଦିତ୍ୟ କୁ ପ୍ରସ୍ତାବ ଦେଲାଣି l ହେଲେ ଆଦିତ୍ୟ ର ଯୁକ୍ତି କଣ ନା ସେ ତ ମାତ୍ର ତିନି ଜଣଙ୍କ ଘରେ କାମ କରୁଛି l ଅନ୍ୟ ଦୁଇ ଜଣ ତ ଡାକ୍ତର l ତାଙ୍କ ଘରେ ବହୁତ ସତର୍କତା l ଆଉ ରହିଲା ଆଦିତ୍ୟର ପରିବାର l ଅନନ୍ୟା ତ ସବୁ ପ୍ରକାର ସତର୍କତା ଅବଲମ୍ବନ କରୁଛି l କାମବାଲୀ କୁ ବାହାର କରିବା କଣ ଦରକାର l ଆଜିକାଲି କୋଉ ଭଲ କାମବାଲୀଟିଏ ମିଳୁଛି କି l


ଏଇ ସ୍ତ୍ରୀ ଲୋକଟି ସାତ ବର୍ଷ ହେଲାଣି ତାଙ୍କ ଘରେ ରହି ଆସୁଛି l ମାତ୍ର କୋଉ ବେଳାରେ ସୁଲି ଆସିଥିଲା କେଜାଣି ତା ଝିଅ ପ୍ରତି ଅନନ୍ୟା ର ହେୟ ମନୋଭାବ ସେବେ ଠାରୁ ଲାଗି ରହିଛି l ସୁଲି ଏହା ଦେଖି ମଧ୍ୟ ନଦେଖିଲା ପରି ରହେ l ପେଟ ପୋଷିବା ଲାଗି ସବୁ କିଛି ଅଣଦେଖା କରିବାକୁ ସୁଲି ପରି ସ୍ତ୍ରୀ ଲୋକ ମାନେ ବଂଶାନୁକ୍ରମେ ଶିଖି ଆସିଛନ୍ତି l


ଅନନ୍ୟା ଭାବେ ଯେ ସୁଲି ବୋଧେ ରୁନି କୁ କୋଉଠୁ ଗୋଟେଇ ଆଣିଛି l ନ ହେଲେ ସୁଲି ତ ଯାହା ହେଲେ ଦେଖିବାକୁ ଗୋଟେ ପ୍ରକାର l ହେଲେ ତା ଝିଅ ଛି ଛି ! ଏମିତି ରୂପ ରଙ୍ଗ କାହାକୁ ନ ମିଳୁ l


କିନ୍ତୁ ସୁଲି କୁ କାମରୁ ବାହାର କରି ହୁଏନି l ଏମିତିରେ ଦିନେ ଦିନେ ଦି ତିନି ପ୍ରକାର ରୋଷେଇ ପଡିଗଲେ ଅନନ୍ୟା କୁ ଲାଗେ ଯେମିତି ପାହାଡ଼ ର ବୋଝ ତା ଉପରେ ମାଡି ବସିଛି l ତା ସହିତ ଝାଡୁ ପୋଛା ଓ ବାସନ ମଜା କାମ କଦାପି ସେ କରି ପାରିବ ନାହିଁ l ସୁଲି ଅଛି ବୋଲି ସିନା ଚଳି ଯାଉଛି l


ଅନନ୍ୟା ର ଦେହଟା କେତେଦିନ ଧରି କସମସିଆ ଲାଗୁଥିଲା l ତା ପରେ ଦୁଇ ଦିନ ପ୍ରବଳ ଜର l ଯାହା ଆଶଙ୍କା ଥିଲା ତାହାହିଁ ହେଲା l କରୋନା ପଜିଟିଭ ବାହାରିବା ମରଣ ଠାରୁ ବି ଭୟଙ୍କର ମନେ ହଉଥିଲା ତାକୁ l କାହିଁକି ନା ଖାଲି ପଡ଼ିଥିବା ଉପର ମହଲା ର କୋଣିକିଆ ରୁମ ରେ ଆତ୍ମ ନିର୍ବାସନ ଦଣ୍ଡ ଭୋଗିବାକୁ ପଡିବ ଏବେ l 


ଉପର ମହଲା ହେତୁ ପ୍ରବଳ ଗରମ, ତା ସାଙ୍ଗକୁ ଏ ସି ମଧ୍ୟ ନାହିଁ l ବାରମ୍ବାର କରେଣ୍ଟ ଯାଉଛି ଆସୁଛି l ହେ ଭଗବାନ ! ଶେଷକୁ ଏମିତି ଅବସ୍ଥା କରିବାକୁ ଥିଲା ମୋତେ l ଆଦିତ୍ୟ ସାନ୍ତ୍ୱନା ବାଣୀ ଦେଇ ସବୁ ପ୍ରକାର ବ୍ୟବସ୍ଥା କରିଦେଲା l ସୁଲି ଯାଇ ବାହାରେ ଖାଇବା ପିଇବା ଦେଇ ଆସୁଥିବ l ଅସୁବିଧା କିଛି ହେବ ନାହିଁ l ମାତ୍ର କେତେଟା ଦିନ ର କଥା କୋଉ ସବୁ ଦିନ ରହିବାକୁ ପଡୁଛି କି !


ପ୍ରଥମ ଦୁଇ ତିନ ଦିନ ଫୋନ ଓ ଭିଡିଓ କଲ ରେ କଟିଗଲା l ତା ପର ଦିନ ଟ୍ରାନ୍ସଫର୍ମର ପୋଡି ଯୋଗୁଁ ଦିନ ସାରା ଲାଇନ ନାହିଁ l ଅନନ୍ୟା ଏହା ଭିତରେ କାନ୍ଦି ସାରିଲାଣି ଦି ଥର l ଆଦିତ୍ୟ କୁ ଫୋନ କରିବାରୁ ଆଦିତ୍ୟ ଅଫିସ ଚେମ୍ବର ରୁ ଅନନ୍ୟା କୁ ଧର୍ଯ୍ୟ, ସଂଯମ, ଉପରେ ଢ଼େର ସାରା ପାଠ ପଢାଇବାକୁ ଲାଗିଲା l


--ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତି ରେ ଧର୍ଯ୍ୟ ଧରି ରହିବା ଶିଖ l ନିଜକୁ କଣ୍ଟ୍ରୋଲ ରେ ରଖ l ପିଲାଙ୍କ ଭଳି ହୁଅନାହିଁ l ଆଜି ଗରମ ବୋଲି ତୁମେ ଏତେ ଅସ୍ଥିର ହେଉଛ ହେଲେ ଭାବି ଦେଖ ଯାହା ଘରେ ଫ୍ୟାନ ବି ନଥିବ ସେ କେମିତି ଚଳୁଥିବ ? ତା ପାଇଁ ବି ତ ଏଇଟା ଖରା ଦିନ ନା ?


--ତୁମଠୁ ଅସୁବିଧାରେ ଚଳୁଥିବା ଲୋକ ମାନଙ୍କ କଥା ଥରେ ଭାବିଲେ ତୁମେ ନିଜକୁ ଭଲ ଅବସ୍ଥାରେ ପାଇବ l ଅନନ୍ୟା ରାଗି ଯାଇ ଫୋନ କାଟି ଦେଇଥିଲା l ଭଲା ଏ ସମୟରେ ବି କିଏ ଉପଦେଶ ଦିଏ ? 


ଆଦିତ୍ୟ ତ ଆରାମ ରେ ବସି ଅଫିସ ଭିତରେ ଏ ସି ରୁମ ରେ କାମ କରୁଛି l ଅନନ୍ୟା କଥା କିଏ ପଚାରୁଛି l ଛାତ କବାଟ ଟି ଖୋଲା ରଖି ପଡି ରହିଛି ଯେ ସେତେବେଳୁ l ପତ୍ରଟିଏ ବି ହଲୁ ନାହିଁ l


ଭିତରେ ଜରରେ ଖଇ ଫୁଟୁଛି ଏଣେ ବାହାର ତାତିରେ ପୃଥିବୀ ପୋଡି ଗଲାଣି l ହେ ପ୍ରଭୁ ଏ ଗରମ ଗୁଳୁଗୁଳି ରେ ନିଶ୍ୱାସ ବନ୍ଦ ହେଇ ଯିବନି ତ ଆଉ l ନିଶ୍ୱାସ ପ୍ରଶ୍ୱାସ ପାଇଁ ବି ପବନ ର ଘୋର ଅଭାବ l ଛଟପଟ ଲାଗିଲାଣି l ଅନନ୍ୟା ଭାବୁଛି ଆଉ ବୋଧେ ବେଶି ସମୟ ସେ ବଂଚିବନି l


କମସେ କମ ଆଦିତ୍ୟ ଆସିବା ଯାଏଁ ମୋତେ ବଞ୍ଚାଇ ରଖିଥାଅ ହେ ଭଗବାନ ! ମରିବା ଆଗରୁ ଆଦିତ୍ୟ କୁ ଦୂରରୁ ହେଲେ ଅନ୍ତତଃ ଥରେ ଦେଖିସାରି ମରିବି l ବେଳକୁ ବେଳ ବେଶି ବେଶି ବାଉଳି ହେବାରେ ଲାଗିଛି ସେ l


ହଠାତ କଷ୍ଟ କିଛିଟା ଉପଶମ ହେଲାକି କଣ l ସୁଲୁସୁଲିଆ ପବନ ଟିକେ ଦେହରେ ଆସି ବାଜୁଛି ଯା ହେଉ ମଣିଷ ଶୋଇବ ଏଥର l ଆଖି ମୁଦି ହେଇ ଯାଉଛି l ଓଃ କି ଶାନ୍ତି ! ଟିକେ ଦୟାକର ପ୍ରଭୁ ! କରେଣ୍ଟ ବୋଧେ ଆସିଗଲା l କିନ୍ତୁ ଫ୍ୟାନ ତ ବୁଲୁନାହିଁ l ଆଉ ଏ ପବନ ପୁଣି କୋଉଠୁ ଆସୁଛି ?


--ଆରେ ଏ ଛତରଖାଇ କଣ ଏଇଠି ? ୟାକୁ କିଏ କହିଲା ମୋ ପାଖକୁ ଆସିବା ପାଇଁ ? କିଛି ଗୋଟିଏ ମୁହଁରୁ ବାହାରି ଯିବା ଆଗରୁ ଅନନ୍ୟା ଦେଖିଲା ସୁଲି ର ଝିଅ ରୁନି ମାସ୍କଟିଏ ପିନ୍ଧି ଜରି ରେ ମୁଣ୍ଡ ଓ ମୁହଁ ଗୁଡ଼ାଇ ଆସି ଛିଣ୍ଡା ବିଞ୍ଚଣାଟିଏ ଧରି ଏକ ଲୟରେ ଠିଆ ହୋଇ ଅନନ୍ୟା କୁ ବିଞ୍ଚିବାରେ ଲାଗିଛି l


--ତୋତେ କିଏ କହିଲା ଏଠିକି ଆସିବା ପାଇଁ ?


--ସେ ହିଁ ମୋତେ ଯାଇ ପଚାରିଥିଲା ମା l ସେ କହିଲା ଯେ ଆଜି ଲାଇନ ନାହିଁ ମା ଉପର ଘରେ କେମିତି ଶୋଇବେ ? ସେଠୁ ମୁଁ କହିଲି ଯେ ଆମର ବିଞ୍ଚଣା ଖଣ୍ଡିଏ ଅଛି ନେଇଯାଇ ମା ଙ୍କୁ ଦେବା l ସେ କଣ କହିଲା ଜାଣିଛନ୍ତି ? କହିଲା ମା ତ ଦୁର୍ବଳ ହେଇଯାଇଛନ୍ତି ସେ କଣ ବିଞ୍ଚି ହେଇ ପାରିବେ ? ମୁଁ ହିଁ ଯାଉଛି ବିଞ୍ଚି ଦେବି ତାଙ୍କୁ l ସୁଲି ବାହାରେ ଠିଆ ହୋଇ ଏତକ କହି କହି ରୁମ ଭିତରକୁ ଆସିଗଲା l ସୁଲି ର ବି ରୁନି ପରି ମାସ୍କ ଓ ପଲିଥିନ ଖୋଳ ଅଛି ମୁଣ୍ଡ ରେ l


--କିନ୍ତୁ ମୋ ପାଖକୁ କେହି ଆସିବାକୁ ହେବ ନାହିଁ ତୁ ଜାଣିଛୁ ନା ନାହିଁ ? ଆଦିତ୍ୟ କିଛି କହି ନାହାନ୍ତି କି ତୋତେ ?


--ବାବୁ ତାଙ୍କର କର୍ତ୍ତବ୍ୟ କଲେ ଆମେ ଆମର କର୍ତ୍ତବ୍ୟ କରିବା l ମଣିଷ ଯଦି ମଣିଷ କୁ ଡରିବ ଚଳି ହେବ କି ?


--କିନ୍ତୁ ଏ ତ ଡିଆଁ ରୋଗ ? ତୁମେ ମା ଝିଅ ଦୁଇ ଜଣ ବାହାରେ ରହିବା କଥା l ଦି ଜଣକୁ ହୋଇଯିବ ଯଦି ?


--ଠିକ କହିଲ ଯେ l କାହାକୁ ଆଖି ସାମ୍ନାରେ ଛଟପଟ ହେବାକୁ ଛାଡିଦେଇ ନିଜେ ବଞ୍ଚି ହୁଏ କି ମା ? ହଁ ତୁମ ପରି ବଡବଡିଆ ମାନେ ପାଠ ପଢିଛ କଣ ଭାବୁଥିବ ଜାଣେନି l କିନ୍ତୁ ମୁଁ ରହି ପାରିଲିନି l ତୁମେ ଯାହା କହୁଛ କୁହ l ମୁଁ କାହାକୁ ବାଧ୍ୟ କରୁନି ମୋ ଭଳିଆ ହେବା ପାଇଁ l ଆଉ ହଁ ମରଣ ଅନେକ ଥର ଆସିଛି ଆମ ମା ଝିଅଙ୍କୁ ନେବା ପାଇଁ l ହେଲେ ନେଇ ପାରିନି l ଯଦି ଏଥର ନେବାକୁ ଥିବ ଆମକୁ ନେବ l ଏଥିରେ ନହେଲେ କୋଉଥିରେ ହେଲେ ନେବ l କିଛି ନହେଲେ ଆଉ କାହାର ଭଲ କରି ମରିବାରେ ଟିକିଏ ଶାନ୍ତି ତ ମିଳିବ l


ଅନନ୍ୟା ବିଞ୍ଚଣା ପବନ ଖାଇ ଶୋଉ ଶୋଉ ଭାବୁଥିଲା ଭଲ ହୋଇ ଯିବା ପରେ ଆଗ ରୁନି ର ଚୁଟି ସଫା କରିବା ପାଇଁ ଗୋଟିଏ ଭଲ ଉକୁଣୀ ମରା ସାମ୍ପୁ ଓ ପାନିଆ ଆଣିବାକୁ ହେବ l ସ୍ଥାନୀୟ ପାର୍ଲର କୁ ନେଇ ଚୁଟି ଗୁଡିକ ଛୋଟ କରିଦେଲେ ହୁଅନ୍ତା l ଦ୍ଵିତୀୟଟି ହେଲା ରୁନିର ଆଡ଼ମିସନ ଗୋଟେ ଭଲ ସ୍କୁଲ ରେ କରାହେବ l ରୋଷେଇ ଦାୟିତ୍ୱ ସୁଲିକୁ ଦେଇଦେଲେ ସେ ନିଜେ ବି ବସି ରୁନି କୁ ପଢାଇ ପାରିବ l ଦିନଯାକ ଘରେ ବସି ବିରକ୍ତ ଲାଗୁଛି l


ଆଗକୁ ରୁନି ପାଇଁ ଗୋଟିଏ ନୂଆ ଜୀବନ ର ଅୟମାରମ୍ଭ ହେବାକୁ ଯାଉଥିଲା ଯାହା ବିଷୟରେ ସେ ସମ୍ପୂର୍ଣ୍ଣ ଅଗୋଚର ଥାଇ ନିଜର ପାରଦର୍ଶିତା ଦେଖାଇ ଅନନ୍ୟା କୁ ବିଞ୍ଚି ଚାଲି ଥିଲା ଓ ଭାବୁଥିଲା ଭଲ ବିଞ୍ଚି ପାରିବା ଯୋଗୁଁ ଏଥର ଆଉ ମା ତାକୁ ଦେଖିଲେ ଚିଡ଼ିବେ ନାହିଁ l


Rate this content
Log in

Similar oriya story from Inspirational