Pranati Mahapatra

Inspirational

4.0  

Pranati Mahapatra

Inspirational

ଅତୃପ୍ତ କୋହ

ଅତୃପ୍ତ କୋହ

3 mins
161


ହସି ହସି ତ ପୁଣି କାନ୍ଦି କାନ୍ଦି ଅଳି କରୁଛି ଜେଜେଙ୍କ ପାଖରେ ଆସି କଣ୍ଢେଇ ଗପ ଶୁଣିବ ବୋଲି । ହେଲେ ଆଖିରେ ଲୁହ ଅନ୍ତରରେ କୋହ ପୁଣି ଶରୀରରେ ନାନାଦି ରୋଗକ୍ଲେଶ ଯୋଗଁପ ଅନାଗ୍ରହୀ ଜେଜେ ମନା କରୁଛନ୍ତି ଗପ କହିବା ପାଇଁ । 

ହଁ ଭାବିଲେ ଦେଖି, ଏ କଣ ସତ କଥା ନୁହେଁ କି !

କିନ୍ତୁ ବାଳୁତ ପିଲାଟି ଏକଥା ବୁଝିବାର କ୍ଷମତା ବା କାହିଁ !

ପାଖ ଖଟିଆରେ ଚିରା କନ୍ଥା ଘୋଡେ଼ଇ ଶୋଇଥିବା ବୁଢ଼ୀ ଏଥର ଆଉ ଚୁପ ହୋଇ ରହି ପାରିଲା ନାହିଁ । ଥରଥର କଣ୍ଠରେ ବୁଢାକୁ କହିଲା, ଏ ଛୁଆଟା ଏତେ ଅଳି କରୁଛି, କହି ଦିଅ ଗପଟିଏ । ଏତେ କଣ ଏମିତି ହେଉଛ ଯେ । 

ହଁ ହଁ ଜେଜେ ତୁମେ ଯେମିତି ହେଲେ ଗପ କହିବ । 

ଏଥର ନିରୁପାୟ ଜେଜେ କହିଲେ, ଶୁଣ୍ ମାଆ...

ବୀରପ୍ରତାପପୁର ଗାଆଁରେ ଜୟନାରାୟଣ ନାମରେ ଜଣେ ଶିକ୍ଷକ ଥିଲେ, ଶପଥ ନେଇଥିଲେ ତାଙ୍କ ଗାଆଁ ସମେତ ଆଖପାଖ ପାଞ୍ଚଖଣ୍ଡ ଗାଆଁରେ କେହି ଯେମିତି ଅଶିକ୍ଷିତ ନ ରହିବେ, ସେଥିପାଇଁ ବିନା ଦରମାରେ ସ୍କୁଲରେ ପାଠ ପଢାଇବା ସହ ଘରଘର ବୁଲି ସକାଳେ ସଞ୍ଜେ, ହାତରୁ ଟଙ୍କା ପଇସା ଖର୍ଚ୍ଚ କରି ସ୍ଲେଟ, ଖଡି, ବର୍ଣ୍ଣବୋଧ ବହି ଦେଇ ପିଲାମାନଙ୍କୁ ପାଠ ପଢେଇଲେ । କୁନି କୁନି ପିଲାମାନଙ୍କୁ ବହୁତ ଭଳ ପାଆନ୍ତି ମାଷ୍ଟ୍ରେ । ସେଥିପାଇଁ ମାସରେ ଗୋଟିଏ ଦିନ ନାନାଦି ବ୍ୟଞ୍ଜନ ଅନ୍ନ କରି ଗାଆଁ ସାରା ପିଲାମାନଙ୍କୁ ଖାଇବାକୁ ବି ଦିଅନ୍ତି ମାଷ୍ଟ୍ରେଙ୍କ ଧର୍ମପତ୍ନୀ । କାହିଁକି ନା ତାଙ୍କ କୋଳଶୂନ୍ୟ ଥିଲା । 


ଏମିତି ଏମିତି ଗାଆଁ ସାରା ଲୋକ, ପିଲାଠାରୁ ବୁଢା ଯାଏ ସମସ୍ତଙ୍କର ପ୍ରିୟ ହୋଇଗଲେ ମାଷ୍ଟ୍ରେ ଦମ୍ପତ୍ତି । ହଠାତ ଦିନେ ଅଘଟଣ ଘଟିଲା । ମାଷ୍ଟ୍ରେ ଗାଆଁ ରାସ୍ତାରେ ଯାଉଯାଉ ଗୋଟିଏ ଘରୁ ପିଲାଟିଏ ରାହା ଧରି କାନ୍ଦିବାର ଶୁଣିଲେ । ତା ପରେ ଘର ଭିତରେ ଯାଇ ଦେଖିଲେ ପିଲାଟିର ମାଆ ଭୋକର ଭୂଗୋଳ ଆଉ ରୋଗର ଆଁ ଭିତରେ ସମାଧିସ୍ଥ । ଗାଆଁ ଲୋକଙ୍କ ଅନୁରୋଧ କରିଥିଲେ ପିଲାଟିକୁ ପୋଷ୍ୟପୁତ୍ର କରି ରଖିବାକୁ । ସମସ୍ତଙ୍କ ସହମତିରେ ମାଷ୍ଟ୍ରେ ଦମ୍ପତ୍ତି ବି ସେଦିନରୁ ପିଲାଟିକୁ ପାଖରେ ଯତ୍ନ ସହକାରେ ପାଳିଲେ । ପାଠଶାଠ ପଢେଇ ବଡ଼ ହାକିମ କଲେ । ବାହାସାହା କରେଇ ହସଖୁସିର ସଂସାର କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କଲେ । 


   ଧୀରେ ଧୀରେ ବୟସାଧିକ କାରଣରୁ ଆଉ ରୋଜଗାର କରିବା ସମ୍ଭବ ହେଲାନାହିଁ । ଏପାଖରେ ମାଷ୍ଟ୍ରେ ଦମ୍ପତ୍ତି ବିଭିନ୍ନ ପ୍ରକାର ରୋଗ ଯନ୍ତ୍ରଣାରେ ଛଟପଟ ହେଲେ । ହାକିମ ପୁଅ ଘଡିଏ ସମୟ ବାପା ମାଆଙ୍କୁ ଦିଏ ନାହିଁ କି ଭଲମନ୍ଦ ନିଜେ ବୁଝେ ନାହିଁ । ଅଯତ୍ନରୁ ମାଷ୍ଟ୍ରେଙ୍କ ସ୍ତ୍ରୀ ଯକ୍ଷ୍ମାରୋଗରେ ପଡିଗଲେ । ମାଷ୍ଟ୍ରେ ବି ତତୋଧିକ ରୋଗାକ୍ରାନ୍ତ । ଦିନରାତି ଖଁ ଖଁ ହେବାରୁ ଘର ପଛ ଗ୍ୟାରେଜ ଘରେ ବୋହୁ ରଖିଦେଲା । ଚାକର ହାତରେ କେତେବେଳେ ଗଣ୍ଡେ ଖାଇବାକୁ ଦିଏ ତ କେତେବେଳେ ନାହିଁ । ପୁଅର ଗୋଟିଏ ଝିଅ ହେଲା, ନାତୁଣୀକୁ ଧରିବା ତ ଦୂରର, ତା ଛାଇ ବି ଏମାନେ ଦେଖି ପାରିଲେ ନାହିଁ । ପିଲାଟି ଧୀରେ ଧୀରେ ବଡ଼ ହୋଇ ଘର ପଛ ଗ୍ୟାରେଜ ଘରକୁ ଲୁଚି ଲୁଚି ଚାଲିଆସେ ଗପ ଶୁଣିବାକୁ । ଘରକୁ ଯାଇ ମାଆ ବାପାଙ୍କୁ ପଚାରି ବସେ ସେମାନେ କିଏ ବୋଲି । ବାପା କିଛି କହିବା ପୂର୍ବରୁ ମାଆ କହେ ସେମାନେ ପଡୋଶୀ । ଅସହାୟ, ବିଚରା ଗୁଡା ତ, ଏଇଠି ଆଶ୍ରୟ ନେଇଛନ୍ତି । ହେଲେ କୁନି କଣ୍ଢେଇ ର ମନ ମାନେନା । ସେ ଉତ୍ତର ପାଇଁ ଧାଇଁ ଆସେ ମାଷ୍ଟ୍ରେ ଦମ୍ପତ୍ତିଙ୍କ ପାଖକୁ । ସେ ଆସିବା କ୍ଷଣି ମାଷ୍ଟ୍ରେ ଦମ୍ପତ୍ତି କଣ୍ଢେଇ କୁ ମନଭରି ଗେଲ କରନ୍ତି, କୁଣ୍ଢେଇ ପକାନ୍ତି ଆଉ ଗେଲ ପରେ ଗେଲ କରି ଶରୀରର ସବୁ ରୋଗ କଷ୍ଟ କ୍ଷଣିକ ପାଇଁ ଭୁଲିଯାଇ ମନେ ମନେ କହି ପକାନ୍ତି ଆମ ସ୍ନେହ ମମତାରେ, ଆମ ସଂସ୍କାର ଭିତରେ, ଆମ ଶିକ୍ଷା ଦୀକ୍ଷାରେ କେଉଁଠି କମି ରହିଗଲା ବୋଧହୁଏ । ସେଥିପାଇଁ ଆମେ ଆଜି ପଡୋଶୀ ହୋଇଗଲୁ । ତଥାପି ଆମ ଆଶା ସ୍ଵପ୍ନ ଆମ ଭବିଷ୍ୟତ ବଂଶଧର ଦୀର୍ଘାୟୁ ହେଉ, ସୁଖଶାନ୍ତିରେ ଜୀବନ ଅତିବାହିତ କରୁ । 



Rate this content
Log in

Similar oriya story from Inspirational