ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ଅନୁଭବଙ୍କ ପୋଷ୍ଟିଂ ହେଇଛି ସୁଦୁର ଭବାନୀ ପାଟନାର ଏକ ସହରରେ। ସେଠିକୁ କୌଣସି ଟ୍ରେନ ଯାଏନି। ତେଣୁ କେମିତି ସେଠାକୁ କେମିତି କଣ ଯିବେ ବୋଲି ଚିନ୍ତା କରୁଥାଆନ୍ତି ସେ। ସେଜଣେ ଥାନା ଇନ ଚାର୍ଜ ଭାବେ ସେଠାରେ ଯୋଗ ଦେବେ। ତେଣୁ ମନରେ ଅଦମ୍ଯ ଉତ୍ସାହର ଢେଉ। ସେହି ଉତ୍ସାହକୁ ପାଥେୟ କରି ସେ ବାହାରି ପଡିଲେ ନିଜ କର୍ମକ୍ଷେତ୍ର ଅଭିମୁଖେ।
ସେ ସେଠାକୁ ଗଲା ବେଳେ ବାଟରେ ଗାଡି ଖରାପ ହେବାରୁ ,ଯଥେଷ୍ଟ ବିଳମ୍ବ ହେଇଯାଇଥାଏ। ରାତି ପ୍ରାୟ ୧ଟା ପାଖାପାଖି ସେ ସେଠାରେ ପହଞ୍ଚିଲେ। ସବୁଆଡେ ଶୂନଶାନ୍। ତଥାପି ଗାଡିର କିଛି ସହଯାତ୍ରୀଙ୍କୁ ପଚାରି ସେ ନିଜ ଥାନା ଅଭିମୁଖେ ବାହାରିଲେ। ବର୍ଷା ଦିନ ଥାଏ। ତେଣୁ ବର୍ଷା ଟିକେ ଟିକେ ହଉଥାଏ। ସେନିଜ ଛତା ବାହାର କଲେ। କିଛିଦୁର ଯାଇଛନ୍ତି କି ନାହିଁ। ବିଦ୍ଯୁତ ସରବରାହ କଟିଗଲା। ତେଣୁ ସେ ନିଜର ମୋବାଇଲ କାଢିଲେ। ଗୋଟିଏ ହାତରେ ଛତା ,ଆଉ ଗୋଟିଏ ହାତରେ ମୋବାଇଲ ଧରିଥାଆନ୍ତି। ମୋବାଇଲଟା ବି ଚାର୍ଯ ସରିଯିବାରୁ ବନ୍ଦ ହେଇଗଲା କିଛି ସମୟ ପରେ। କ'ଣ କରିବେ ଏବେ ଭାବିଲା ବେଳକୁ ଜଣେ ବୁଢା ଲୋକ ଲଣ୍ଠନ ଟିଏ ଧରି ତାଙ୍କ ଆଡକୁ ଆସିବାର ସେ ଦେଖିଲେ। ଏତେ ରାତିରେ ବୁଢାଲୋକ ଜଣେ ସେ କିଛି ଭାବିବା ଆଗରୁ ସେ ଲୋକଟି ତାଙ୍କ ପାଖକୁ ଆସି ପ୍ରଣାମ ଟିଏ ଜଣାଇଲା ଓ କହିଲା.....
-ନମସ୍କାର ଥାନା ବାବୁ?
-ନମସ୍କାର। ତୁମେ ମୋତେ କେମିତି ଚିହ୍ନିଲ?(ସେ ପୋଲିସ ଡ୍ରେସ ବି ପିନ୍ଧି ନ ଥିଲେ)ଆଉ ଏତେ ରାତିରେ ତୁମେ ଏଠି କ'ଣ କରୁଛ?
-ସେ କଥା ଛାଡନ୍ତୁ। ମୁଁମୋ ଝିଅ ପାଖକୁ ଯାଉଛି।
-ତୁମ ଝିଅ କୋଉଠି ଅଛି?
-ସେ ହସପିଟାଲରେ ଅଛି। ତା'ର.....
-କ'ଣ ହେଇଛି ତା'ର?
-ବଳାତ୍କାର...
ଚମକି ପଡିଲେ ଅନୁଭବ
-କିଏ କଲା?ତୁମେ ଜାଣିଛ କି ତାଙ୍କୁ?ପୋଲିସକୁ ଜଣେଇଛ କି?
- ସବୁ ଜାଣିଛି ଆଜ୍ଞା। ଏଇ ସହରର ଜଣେ ବହୁ ପ୍ରତିଷ୍ଠିତ ବ୍ଯବସାୟୀଙ୍କ ପୁଅର ଏ କାମ। ହେଲେ ମୁଁ ତାଙ୍କ ପରି ପଇସା ବାଲା ନୁହେଁ ତେଣୁ ପୋଲିସରେ ରିପୋର୍ଟ କରିଥିଲି ହେଲେ ସେମାନେ କେସ କୁ ଦବେଇ ଦେଲେ।
-ଆରେ ନା ନା। ତୁମେ ମୋ ଉପରେ ବିଶ୍ବାସ ରଖ। ତୁମେ କାଲି ଥାନାକୁ ଆସ। ମୁଁ ତୁମକୁ ସାହାଯ୍ଯ କରିବି।ଦେଖିବା କଣ ହେଇପାରିବ।
ଖୁସି ହେଇଗଲା ବୁଢା ଲୋକଟି।
-ଠିକ ଅଛି ବାବୁ । କାଲିକି ଆସିବି । ଆପଣଙ୍କ ଥାନା ଆସିଗଲାଣି।
ତେବେ ମୁଁ ଆସୁଛି ବାବୁ। ନମସ୍କାର।
-ଆଚ୍ଛା ତୁମର ଓ ତୁମ ଝିଅର ନାମ କ'ଣ?
ସେ ଦୁଇ ଜଣଙ୍କ ନାମ କହିଲା। ଅନୁଭବ ଗେଟ ଖୋଲି ଭିତରକୁ ପଶିଲେ। ପଛକୁଦେଖିଲା ବେଳକୁ ସେ ବୁଢାଲୋକ ଟି ନଥିଲା। ସେଭାବିଲେ ଚାଲି ଯାଇଥିବ ବୋଧେ।
ତା ପରଦିନ ଅଫିସ ରେ ପଶୁ ପଶୁ ଅନୁଭବ କହିଲେ। ଶୁଣ ଜଣେ ବୁଢା ଲୋକ ଆସିବେ। ତାଙ୍କଝିଅର ବଳାତ୍କାର ହେଇଥିଲା। ସେ ଫାଇଲଟା ନେଇକି ଆସ ମୋ ରୁମକୁ। ଆଉସେ ଆସିଲେ ତାଙ୍କୁ ବି ମୋ ପାଖକୁ ପଠେଇ ଦେବ।
ତାପରେ କନେଷ୍ଟବଲ ଯେତେବେଳେ ସେମାନଙ୍କ ନାମ ପଚାରିଲେ ।ଅନୁଭବଙ୍କ ମୁହଁରୁ ସେମାନଙ୍କ ନାମ ଶୁଣି ସମସ୍ତେ ଚମକି ପଡିଲେ।
ଅନୁଭବ ପଚାରିଲେ କ'ଣ ହେଲା?
ସେମାନେ କହିଲେ ସାର୍ ଏଇ ଝିଅଟି ତ ଦୁଇବର୍ଷ ତଳେ ମରିସାରିଛି। ତାର ବଳାତ୍କାର ହେଇଥିଲା,କିନ୍ତୁ ପ୍ରମାଣ ଅଭାବରୁ ସମସ୍ତ ଆରୋପକାରୀ ଖସି ଯାଇଥିଲେ। ତା ବୁଢା ବାପଟି ଝିଅ କୁ ଝୁରି ଝୁରି ଦିନେ ଏଇ ଥାନା ପାଖ ବରଗଛରେ ଦଉଡି ଦେଇ ଆତ୍ମହତ୍ଯା କରିଥିଲା।
ଏତକ ଶୁଣି ଅନୁଭବଙ୍କ ଦେହରୁ ଗୋଟେ ଝାଳ ବୋହିଗଲା। ସେ ବାହାରକୁ ଯାଇ ବରଗଛ ଟିକୁ ଲକ୍ଷ୍ଯ କଲେ। ସେଇଟା ତାଙ୍କୁ ସେଇ ବୁଢା ଲୋକଟି ପରି ଦିଶୁଥିଲା।

