ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ଗଭୀର ନିଦଟା ପାହାନ୍ତି ପାହାନ୍ତି ଭାଙ୍ଗିଯିବା ପରେ ବାଥରୁମରୁ ଫେରି ଚାହିଁଲି ଆକାଶକୁ ଆଉ ନିଃଷ୍ପ୍ରଭ ହୋଇ ଆସୁଥିବା ଜହ୍ନକୁ, ଆଉ ତା ଭିତରର କଳାଛାଇର ଅନୁସନ୍ଧାନରେ ଦେଖିଲି ପଞ୍ଚସଖାଙ୍କୁ, ଗୋପବନ୍ଧୁ ଦାସ, ଆଣ୍ଠୁରେ ମୁହଁ ଲୁଚେଇ, ଆଚାର୍ଯ୍ୟ ହରିହରଙ୍କ ଆଖିରେ ଅଶ୍ରୁ, କୃପାସିନ୍ଧୁ ମିଶ୍ର ଶୂନ୍ୟ ହୃଦୟରେ ଆକାଶରେ ତାରା ଗଣୁଥାନ୍ତି, ଗୋଦାବରୀଶ ମିଶ୍ର ଭୂମି ଉପରେ ନଖରେ ଗାର କାଟୁଥାଆନ୍ତି ଆଉ ନୀଳକଣ୍ଠ ଦାସ ଗର୍ଜ୍ଜନ କରି କଣ ସବୁ କହିଚାଲିଥାନ୍ତି, ସେମାନଙ୍କ ଛାଇ ଗୁଡା ଏକତ୍ରିତ ହୋଇ ଜହ୍ନର କଳଙ୍କ ସାଜିଛି ଜାଣିବା ପରେ, ନୀଳକଣ୍ଠ ଦାସ କଣ କହୁଛନ୍ତି ଟିକେ କାନ ଡେରି ଶୁଣିବାକୁ ଚେଷ୍ଟା କଲି, କିଛି ସ୍ପଷ୍ଟ କିଛି ଅସ୍ପଷ୍ଟ ଭିତରେ ଯାହା ବୁଝିଲି,
ସେମାନଙ୍କ ଦ୍ୱାରା ପ୍ରତିଷ୍ଠିତ ବକୁଳବନ ଭିତରେ ବନବିଦ୍ୟାଳୟର ଆଶା ଆକାଂକ୍ଷା ଆଜି ଧୂଳିସାତ ବୋଲି ହୃଦୟଙ୍ଗମ କରି ସେମାନେ ପ୍ରତ୍ୟକ ମର୍ମାହତ, ମଣିଷ ମଣିଷର ସହଯୋଗୀ ହେବା ପରିବର୍ତ୍ତେ ସ୍ୱାର୍ଥନ୍ୱେଷୀ ହୋଇଯାଇଥିବାର ଦୃଷ୍ଟାନ୍ତରେ ଗୋପବନ୍ଧୁ ମୁଣ୍ଡ ନୁଆଁଇ ବସିଥାନ୍ତି, ବକୁଳବନର ପଞ୍ଚସଖା ମୂର୍ତ୍ତି ଗୁଡିକ ଦୁବୃର୍ତ୍ତମାନେ ଭାଙ୍ଗିଦେଇଥିବାରୁ ଆଚାର୍ଯ୍ୟ ହରିହର ଭୀଷଣ ଅପମାନିତ ବୋଧ କରୁଥାନ୍ତି, ବନ୍ୟା, ଦୈବଦୁର୍ବିପାକର କାରଣ ହିଁ ମନୁଷ୍ୟର ଆଚରଣ ବୋଲି କହି କୃପାସିନ୍ଧୁ ମିଶ୍ର ବିଚଳିତବୋଧ କଲା ବେଳେ ଗୋଦାବରୀଶ ମିଶ୍ର ତାଙ୍କ ଲିଖିତ ଗ୍ରନ୍ଥ ସବୁ କେହି ପଢୁନଥିବାରୁ ଦୁଃଖି ସାଜିଥିଲା ବେଳେ, ନୀଳକଣ୍ଠ ଦାସଙ୍କ ଗର୍ଜ୍ଜନର କାରଣ ଜାଣିବାକୁ ଦୁଇ ପାଦ ଆଗେଇ ଗଲି l
ମୋ ଉପରେ ଦୃଷ୍ଟି ପଡିବା କ୍ଷଣି ସବୁତକ କ୍ରୋଧ ମୋ ଉପରେ ଅଜାଡ଼ି ଦେଇ କହୁଥିଲେ ଦେଖୁନ କବୟିତ୍ରୀ ଲେଖିକା ସାଜିଥିବା ଏ ଭଦ୍ରମହିଳାଙ୍କୁ, କବି ସମ୍ମିଳନୀରେ ଜୈନିକ କବି କାଳିଜାଇରେ ସନ୍ଧ୍ୟା ମୁଁ ଅର୍ଥାତ ନୀଳକଣ୍ଠ ଦାସ ଲେଖିଛନ୍ତି କହିବାରେ, ତାଙ୍କୁ ସଂଶୋଧନ କରିବା ପରିବର୍ତ୍ତେ ସଭାରେ ବସିରହି ଶୁଣୁଛନ୍ତି ଅବଶ୍ୟ ନିଜ ବକ୍ତବ୍ୟରେ ରାମଚଣ୍ଡୀରେ ସନ୍ଧ୍ୟା ନୀଳକଣ୍ଠ ଦାସ ଲେଖିଥିବା ବେଳେ କାଳିଜାଇରେ ସନ୍ଧ୍ୟା ଗୋଦାବରୀଶ ମିଶ୍ର ଲେଖିଛନ୍ତି କହି କଟାକ୍ଷ ହାଣିବା ଅପେକ୍ଷା ସିଧା କଥା କହିବାରେ ସକ୍ରିୟ ନାଗରିକର କର୍ତ୍ତବ୍ୟ କରିବାରେ ଅବହେଳା ଅଣହେଳା କାହିଁକି, ଏହିଭଳି ଦାୟାଦମାନଙ୍କ ଯୋଗୁଁ ସପ୍ତର୍ଷିଙ୍କ ପାଇଁ ମଣ୍ଡଳ ତିଆରି ହୋଇ ସେମାନେ ତାରାରେ ପରିଣତ ହେଲାବେଳେ ଆମେ କେବଳ ଜହ୍ନରେ ଛାଇ ହୋଇ ରହିଯାଇଛୁ, ମୁଁ କାନ୍ଦି କାନ୍ଦି ଏଥର ନିଜକୁ ଓ ମୋ ଚାରିପାଖରେ ଥିବା ଲୋକଙ୍କୁ ସଂଶୋଧନ ତଥା ସଂଶୋଧିତ ହେବାରେ ପରୋକ୍ଷ ନୁହେଁ ପ୍ରତ୍ୟକ୍ଷ ସାହାଯ୍ୟ କରିବି କଥାଦେଇ ଫେରି ପଡେ ତ ଆଲାର୍ମ ଘଡି ବାଜୁଥିଲା ସମୟ ସାତ, ହେଲେ ପାହାନ୍ତି ନିଦକୁ ସଫଳ କରିବାକୁ ହେଲେ ମତେ ପ୍ରଥମେ ସମୟାନୁବର୍ତ୍ତୀ ହେବାକୁ ପଡିବ ଭାବି ଉଠିଲି l