ଅତର ଲଗା ଚିଠି
ଅତର ଲଗା ଚିଠି
ବୋହୁ ଓ ଝିଅ ଘରକୁ ଆସିଲେ ପରିବା କାଟିବା ପାଇଁ ପନିକି ବଦଳରେ ଛୁରୀ ଖୋଜୁଥିଲା ବେଳେ ଆଦ୍ରା ଝିଅ ବୋହୁଙ୍କ ପାଖକୁ ଗଲେ ଛୁରୀ ବଦଳରେ ପନିକି ଖୋଜନ୍ତି. ବୋହୁ କିଛି ନକହିଲେ ମଧ୍ୟ ଝିଅ କହେ ଛୁରୀରେ ପରିବା କାଟିବା ଶିଖୁନୁ ମାଆ. ଅଜା ତ ଏତେ ସୁନ୍ଦର ନାଆଁଟେ ଦେଇଛନ୍ତି ତତେ ତୁ ଛୁରୀରେ ପରିବା କାଟିଲେ ତୋ ନାମ ସାଙ୍ଗକୁ ମ୍ୟାଚ କରିବ.ଝିଅ ତାଙ୍କର ଯାହା କହୁଛି କହୁ ବୋଲି ଆଦ୍ରା ଚୁପ ରହିଲେ ସତ ହେଲେ ତାଙ୍କ ଜୀଵନର ସେହି ପୁରୁଣା ଅଧ୍ୟାୟ ମନେପଡ଼ୁଥିଲା . ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ସାରିବା ପରେ ତାଙ୍କ କ୍ଲାସ ଟିଚର ସୁରେନ୍ଦ୍ର ସାର କୌତୁକର ସହ ତାଙ୍କ ପୂର୍ବ ଗୁଣ ଧର୍ମ ଅନୁଯାୟୀ ସେଦିନ ନୂଆ କରି ନାମ ଲେଖେଇଥିବା ପିଲାଙ୍କୁ ଗୋଟେ ଗୋଟେ ନୂଆ ନାମ ଦେଲାବେଳେ ଆଦ୍ରାଙ୍କ ବେଳକୁ ପଡିଥିଲା ପନିକି ତ ଆଦ୍ରାଙ୍କୁ ସେଦିନ ଦେଖିବାର କଥା ଥିଲା. କାନ୍ଦି କାଟି ଲହୁଲୁହାଣ ହୋଇଯାଇଥିବା ଆଦ୍ରାଙ୍କୁ ବୁଝେଇବାକୁ ଯାଇ ସାର କହିଥିଲେ ପନିକି ଦେଖିଛୁ?ହଁ ଦେଖିଛି, ଖୁବ ଅସୁନ୍ଦର, ଦାଢୁଆ ଓ ହାତ କାଟି ହୋଇଯାଏ ବୋଲି ଏକା ନିଶ୍ଵାସରେ କହିଦେଇ ଆଦ୍ରା ସୁଁ ସୁଁ ହେଉଥିଲେ ତ ସାର କହିଲେ ଆରେ ତୁ ଛୋଟ ହେଇଛୁ ବୋଲି ପନିକି ପ୍ରତି ତୋର ଏମିତି ଧାରଣା ରହିବା ସ୍ୱାଭାବିକ କିନ୍ତୁ ପ୍ରକୃତରେ ପନିକି କଣ କରେ ଜାଣିଛୁ ଆଦ୍ରା!ସବୁ ପରିବା ପତ୍ରରେ ଥିବା ଅଦରକାରୀ ଅଂଶକୁ ଫୋପାଡି ସାର ଜିନିଷକୁ ରଖିଥାଏ ଭଜା, ସନ୍ତୁଳା ଡାଲେମା ତଥା ତରକାରୀ ପାଇଁ. ତୁ ଦିନେ ବଡ଼ ହେଲେ ଠିକ ସେହି ପନିକି ପରି ସବୁ ଅସ୍ୱସ୍ଛ ଜିନିଷକୁ ମନରୁ ତଥା ପରିବେଶରୁ କାଢି ଖାଲି ସାର ମାନେ ସ୍ୱସ୍ଛ ଜିନିଷ ରଖିନେବୁ, ନିଜ, ପର ଓ ପରିବେଶ ପାଇଁ. ସେଦିନ ଅଳ୍ପ ଅଳ୍ପ ବୁଝିଥିବା ସୁରେନ୍ଦ୍ର ସାରଙ୍କ ସେହି କଥାରେ କାନ୍ଦରୁ ହସ ଉକୁଟିଥିଲା ଆଦ୍ରାଙ୍କ ମୁହଁରେ ଆଉ ସାର ପନିକି ବୋଲି ଡାକିଲେ ବିରକ୍ତ ଲାଗୁନଥିଲା ଆଦ୍ରାଙ୍କୁ. ବଡ଼ ହୋଇ ଗୃହିଣୀ ହେଲା ପରେ ପ୍ରତିଦିନ ରୋଷେଇ ପାଇଁ ପନିକିରେ ପରିବା କାଟୁ କାଟୁ ସେହିକଥା ମନେପଡି ଆଦ୍ରା ଉଲ୍ଲସିତ ହୁଅନ୍ତି. ଆଉ ଭାବନ୍ତି ସତରେ କଣ ଗୁରୁଙ୍କ କଥାକୁ ସେ ସତ କରିପାରିଛନ୍ତି!
ଚାକିରୀ ଜୀବନରେ କେଵେ କାହାକୁ ହଇରାଣ କରିନାହାଁନ୍ତି କି କେଵେ କାହା ଚରିତ୍ର ପଞ୍ଜିକାରେ ନାଲି ଗାର ପକେଇନାହାଁନ୍ତି କି ନିଜ ଚରିତ୍ର ପଞ୍ଜିକାରେ ନାଲିଗାର ବାଜିବାକୁ ଦେଇନାହାଁନ୍ତି କାହାକୁ .ସେଇଥିପାଇଁ ତ ପେନସନ ଗଣ୍ଡାକ ପାଇବାରେ ତାଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନି. କେହି କାମ ପାଇଁ ଆସିଲେ ତାଙ୍କୁ ବସେଇ ନରଖି ବା ଲାଞ୍ଚ ନମାଗି ତାଙ୍କ କାମ ସହଜ ସୁବିଧାରେ ନକରିବା ଯାଏଁ ଆଦ୍ରା ଶାନ୍ତି କି ତୃପ୍ତି ପାଆନ୍ତି ନାହିଁ.କିଛି ଘଟଣା ଦୁର୍ଘଟଣା ବେଳେ ସହକର୍ମୀମାନେ ମଧ୍ୟ କୁହନ୍ତି ଆଦ୍ରାଙ୍କୁ ପଚାର ସେ ହିଁ ସତ କହିବେ ଘଟଣା ସମ୍ପର୍କରେ. ତା ପରେ ଗୁରୁଭକ୍ତି ସ୍ୱରୂପ ଗୁରୁନିନ୍ଦା ନକରି ପୁଅ ଝିଅଙ୍କୁ ସଂସ୍କାର, ପରମ୍ପରା ସବୁ ଠିକ ଠାକ ବତେଇ ଶିଖେଇ ସେ ନିଜେ ପନିକିଟିଏ ହୋଇପାରିଛନ୍ତି ବୋଲି ଭାବନା ତାଙ୍କର ପନିକିରେ ପରିବା କାଟିଲା ବେଳେ ସୁଦୃଢ ହେଉଥିଲା ବେଳେ ଛୁରୀରେ ପରିବା କାଟି ପାରୁନଥିବାରୁ ସେ ଯୁଗ ସହିତ ତାଳ ଦେଇ ଚାଲିପାରୁନାହାଁନ୍ତି ବୋଲି ଭାବିପାରୁନଥିଲେ ସତ କିନ୍ତୁ ଝିଅ ହଜିଯାଇଥିବା ଛୁରୀଟାକୁ ଦାଢ଼ କରି ତାଙ୍କୁ ଧରେଇ ଦେଇ କହୁଥିଲା ଚେଷ୍ଟା କଲେ ସବୁ ହେବ ମାଆ କିନ୍ତୁ ଆଖୁ କାଟିବି କେମିତି ଛୁରୀରେ ବୋଲି ପଚାରିବାକୁ ଯାଉଥିବା ପ୍ରଶ୍ନକୁ ଢ଼ୋକି ଦେଇ ଆଉ ପଚାରିବାକୁ ଉଚିତ ମଣୁ ନଥିଲେ ଝିଅ କି ବୋହଙ୍କୁ ଆଦ୍ରା ବରଂ ଏବେ ପନିକି ବଦଳରେ ଛୁରୀରେ କାଟୁଥିଲେ ସବୁ ଠିକ ଠାକ ବରଂ ହଜିଗଲେ ଛୁରୀଟାକୁ ଖୋଜି ଖୋଜି ନୟାନ୍ତ ହେଉଥିଲେ ଆଦ୍ରା.ଛୁରୀ ଓ ପନିକି ଭିତରେ ପାର୍ଥକ୍ୟ ଲେଖିବାକୁ ଯାଇ ଏଣିକି ଛୁରୀ ଜିତିଯାଉଥିଲା ତାଙ୍କ ଲେଖନୀ ମୁନରେ କାରଣ ବାଇଗଣର ଭିତର ପଟେ ଥିବା ପୋକ କାଢିଲା ବେଳେ ଛୁରୀରେ କାଟିଲେ ପୋକ କଟିଯାଏନା ବରଂ ବାଇଗଣ ଅଳ୍ପ ନଷ୍ଟ ହୋଇ ଅଧିକାମାତ୍ରାରେ ସରଂକ୍ଷିତ ରହେ ପନିକି ଅପେକ୍ଷା ଭାବି ମନେ ମନେ ହସନ୍ତି ଆଦ୍ରା.ଏଣିକି ଛୁରୀ ହଜିଲେ ଆଦ୍ରା ବ୍ୟସ୍ତ ବିବ୍ରତ ହୋଇପଡନ୍ତି କାହିଁକି କେଜାଣି!
ଆଗରୁ ଜମା ରାଜି ହେଉ ନଥିବା ଆଦ୍ରା ଏବେ ବାରିପଟ ଆମ୍ବଗଛଟିକୁ କାଟିବାକୁ ରାଜି ହୋଇଯିବାର ଅନେକ କାରଣ ଭିତରୁ ପ୍ରଥମରେ ଏତେ ବଡ଼ ଗଛଟାରେ ଗୋଟେ ବି ପକ୍ଷୀ ବସୁନଥିଲେ. ଛାତ ଉପରକୁ ଯାଇ ଅନ୍ୟ ଅନ୍ୟ ଗଛମାନଙ୍କରେ ହଳଦୀବସନ୍ତ,ନୀଳକଣ୍ଠି ଓ ଶୁଆ, ବଣି,କଜ୍ଜଳପାତି, କୁମ୍ଭାଟୁଆ ପରି ଅନେକ ଚଢେଇ ସବୁ ବସିବା ଦେଖୁଥିବା ବେଳେ କାହିଁ କେବେତ ତାଙ୍କ ବାରିପଟେ ଲାଗିଥିବା ଆମ୍ବଗଛଟା ଛାତ ଉପରକୁ ଝଙ୍କାଳିଆ ବଢ଼ିଥିଲେ ମଧ୍ୟ କେବେବି ଉପରୋକ୍ତ ପକ୍ଷୀଟିଏ ତା ଡ଼ାଳରେ ବସିବା ଦେଖାଯାଉନଥିଲା.ଅନ୍ୟ କାରଣଟି ଥିଲା ଏତେ ଆମ୍ବ ପ୍ରତିବର୍ଷ ଆସୁଥିଲେ ମଧ୍ୟ ଗୋଟେ ବି ରହେନି ମାଙ୍କଡ଼ ଓ ପଡୋଶୀ ଘର ପିଲାଙ୍କ ଯୋଗୁଁ. ଦ୍ୱିତୀୟ କାରଣଟି ଏତେଟା ଗୁରୁତ୍ୱପୂର୍ଣ୍ଣ ନଥିଲା ଏଇଥିପାଇଁ କି ସ୍ୱାମୀ ଓ ପୁଅ ତଥା ଝିଅ ମାଙ୍କଡ଼ଙ୍କ ସପକ୍ଷରେ ଥିଲେ ଏମିତି କହିକି ଯେ ସେମାନେ କିଛି ଖାଇକି ବଞ୍ଚିବେ ନା ନାହିଁ?ପୁଣି ପଡୋଶୀ ଆମ ବନ୍ଧୁ. ତେଣୁ ପ୍ରଥମ କାରକ କାରଣଟି ସକାରଣ କାରଣ ରୂପେ ଆଦ୍ରାଙ୍କୁ ଆମ୍ବଗଛ ହଣା ହେବା ପ୍ରସ୍ତାବଟିକୁ ଅନୁମୋଦନ କରି ରାଜି ହୋଇଯାଇଥିଲେ. ସ୍ୱାମୀଙ୍କ ଦ୍ୱାରା ବହୁଦିନରୁ ଆଦୃତ ଏଇ ଆମ୍ବଗଛ ହଣା ପ୍ରସ୍ତାବ ଅନୁମୋଦିତ ହୋଇଆସୁଥିଲା ବେଳେ ସେଦିନ ଗୋଟେ ଘଟଣା ଆମ୍ବଗଛ ହଣା ହେବା ପ୍ରସ୍ତାବରୁ ପରିବାରଲୋକଙ୍କୁ ନିବୃତ୍ତ କରିଦେଲା.
ନାତି ହାତରେ କିଛି ଗୋଟେ ଧରି ଘରକୁ ଆସି ସାରିଥିଲା ନାତି ବାବା. ସେଦିନ ସନ୍ଧ୍ୟାରେ ଯେତେବେଳେ ଜେଜେ ତାଳିକା ପ୍ରସ୍ତୁତି କରୁଥିଲେ ଆମ୍ବଗଛ କଟାଳିଙ୍କ ମଜୁରୀ, ସକାଳ ପାନୀୟ, ଦ୍ବିପହର ଖାଦ୍ୟ ଓ ଚାରିଟା ବେଳର ଲଘୁ ଜଳଖିଆ ଓ ଚା ପ୍ରସ୍ତୁତି ଭାର ପାଇଁ ଖର୍ଚ୍ଚ, ଦାଇତ୍ୱ କାହାକୁ ନ୍ୟସ୍ତ କରାଯିବ ତଥା ହଣା ସରିବା ପରେ ବାଡ଼ି ସଫା ସଫି କିଏ କିପରି କାହାଦ୍ୱାରା କରେଇବେ ଇତ୍ୟାଦି ଇତ୍ୟାଦି. ଠିକ ସେତିକବେଳେ ଆଞ୍ଜୁଳି ଖୋଲି ନାତି ବାବା ଦେଖାଇଥିଲା. ଆଞ୍ଜୁଳି ଭିତରେ ଅଳ୍ପ କ୍ଷତାକ୍ତ ପକ୍ଷୀଟିଏ. ପୁଣି ଛୋଟ ଶାବକ ପେଚାଟିଏ. ନିଶ୍ଚୟ ମାଆ କଥା ନମାନି କୋରଡ଼ ଭିତରୁ ବାହାରି ବାହାର ଦୁନିଆଁ ଦେଖିବାକୁ ଚାଲିଆସିଛି ଓ ଅଶୁଭ ପୁତ୍ରର କାହାଣୀର ସେଇ ଛୋଟ ପେଚାଟି ପରି ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ରକ୍ଷା ପାଇ ନାତି ବାବା ହାତରେ ପଡିଛି. ନାତି ପେଚାକୁ ଆଣିଥିବାରୁ ଡରି ଡରି ଜେଜେମାଆଙ୍କୁ ଚାହୁଁଥିଲା କାରଣ ପେଚା ଭାରି ଅଶୁଭ ବୋଲି କେତେଥର ଜେଜେମା କହିବାର ସେ ଶୁଣିଛି. କିନ୍ତୁ ଘୃଣା ବଦଳରେ ଜେଜେମାଆଙ୍କ ସହିତ ପରିବାରର ସମସ୍ତ ସଦସ୍ୟମାନେ ଲାଗିପଡିଛନ୍ତି ପେଚାର କ୍ଷତର ଉପଚାର, ତାର ଖାଇବା, ରହିବା, ଶୋଇବା ସ୍ଥାନ ନିରୂପଣ କରିବାରେ ତ ଆମ୍ବଗଛକଟାଳିମାନଙ୍କୁ ଡାକିବା ପ୍ରସ୍ତାବ ସ୍ଥଗିତ ରହିଲା ଜେଜେଙ୍କର ବରଂ ହିସାବ କିତାବ ଚାଲିଥିଲା ପେଚା ପାଇଁ କୋଉ ମାଂସ ଆସିବ ଓ କୋଉଠୁ ଆସିବ. ସେ କ୍ଷୀର ପିଇବ କି ନାହିଁ!ରାତିରେ ତା ପ୍ରତି ବିପଦ ଅଛି ନା ନାହିଁ ଇତ୍ୟାଦି ଇତ୍ୟାଦି.
ଦୁଇ ତିନି ଦିନ ଧରି ନାତି ବାବା ବିଲେଇକୁ ବାନ୍ଧି ରଖିଛି କାରଣ ସେ ତା ପାପା ମାମା ସଙ୍ଗେ ଦିଲ୍ଲୀରେ ଥିଲା ବେଳେ ଶୁଣିଛି ଜେଜେମାଙ୍କ ପୋଷା ଶୁଆକୁ ବିଲେଇ ଝାମ୍ପ ମାରି ପଞ୍ଜୁରୀ ଭିତରୁ କ୍ଷତାକ୍ତ କଲା ପରେ କିଛି ଦିନ ଅନ୍ତେ ଶୁଆଟି ମରିଯିବାରୁ ଜେଜେମାଆଙ୍କୁ, ଶୁଆ ମରିବା ଚିନ୍ତାରେ ମାସେ ଉପରେ ଜର ଛାଡ଼ିନଥିଲା. କୋରାପୁଟରୁ ବାବାର ପିଇସୀ ଅପା, ପିଇସା ଓ ଡୁଗୁ ଦିଦି ପହଁଞ୍ଚି ଜେଜେମା ଆଦ୍ରାଙ୍କୁ କେତେ କଷ୍ଟ କରି ସାଷ୍ଟାଙ୍ଗ କରେଇଥିଲେ. ଜେଜେ ତ ଏକରକମ ତାଳିକା ସଜାଡି ସାରିଥିଲେ ଭାବିକି ଯେ ଜେଜେମା ଯଦି ଶୁଆ ମରିଯିବା ଦୁଃଖରେ ଚାଲିଯାଆନ୍ତି ତେବେ କାହାକୁ ମାନେ କୋଉ ବନ୍ଧୁବାନ୍ଧବ ଡକା ହେବେ ଓ କଣ କେମିତି ହେବ ଇତ୍ୟାଦି ଇତ୍ୟାଦି. ସେସବୁ କଥା ପିଇସୀ ଅପାଠୁ ଶୁଣି ଜେଜେମା ପାଇଁ ଯେତିକି ଦୁଃଖ ଆସିଥିଲା ଜେଜେଙ୍କୁ ସମସ୍ତେ ଗାଳି କରୁଥିବାରୁ ଜେଜେଙ୍କ ଉପରେ ମଧ୍ୟ ସେତିକି ସମବେଦନା ବର୍ଷି ଯାଉଥିଲା ଡୁଗୁ ଦିଦି ସହ ନାତି ବାବାର. ଯାଆ ହେଉ ଜେଜେମାଆ ସିନା ଭଲ ହୋଇଗଲେ କିନ୍ତୁ ଆମ୍ବଗଛ କାଟିବାରେ ପ୍ରତିବନ୍ଧକ ସାଜିଥିବା ଜେଜେମାଆଙ୍କ ମୃତ୍ୟୁ ରିଷ୍ଟ ଘୁଞ୍ଚିଯିବା ଦ୍ୱାରା ଜେଜେ କୁଆଡେ ଖୁବ ଦୁଃଖ କରୁଥିଲେ କାରଣ ଗଛଟା କୋଉଦିନ ତାଙ୍କ ଦ୍ବିତଳ ଘରଟିକୁ ଫଟେଇ ଭାଙ୍ଗିବାର ଆଶଙ୍କା ତାଙ୍କୁ ନିର୍ବେଦ କରିଦେଉଥିଲା ଦିନକୁ ଦିନ.ଏବେ ପେଚା ଶାବକ ପଛରେ ଲାଗି ସେସବୁ କଥା ଅତୀତର ଇତିହାସ ପୃଷ୍ଠାଟି ପରି ଚିରି ସାରିଥିଲା ଆଉ ପେଚା ମଧ୍ୟ ସୁସ୍ଥ ହୋଇଆସୁଥିଲା କିନ୍ତୁ ବିଲେଇକୁ କେତେଦିନ ଅବା ବାନ୍ଧି ରକ୍ଷାଯାଇ ପାରିବ!ମଳମୂତ୍ର ସଫା କରିବା ତ ଜେଜେଙ୍କ ଉପରେ ପଡୁଛି ନା ତେଣୁ ବିଲେଇକୁ ଫିଟେଇ ଦେଇ ପେଚାକୁ ଉଡେଇ ଦିଆଗଲା.ଏଥର ଜେଜେ ପୁଣି ତାଙ୍କ ଆମ୍ବଗଛ କାଟିବାର ତାଳିକା ଖୋଜି ନୂଆକରି ପ୍ରସ୍ତୁତ କରିଚାଲିଥିଲା ବେଳେ ସେଦିନ ଜେଜେମା ଛୁରଟାକୁ ଘଷି ଘଷି ଏମିତି ଦାଢ଼ କରୁଥିଲେ ଯେ ଜେଜେ ଆଉ କେଵେ ଆମ୍ବଗଛ ହାଣିବା ପ୍ରସଙ୍ଗ ଉଠେଇ ନଥିଲେ.ସମସ୍ତେ ଭାବୁଥିଲେ ପେଚାଟା ସେଇ ଆମ୍ବଗଛରେ ରହୁଛି ବୋଲି ମାଆ ଚାହୁଁନି ଆମ୍ବ ଗଛ ହାଣିବାକୁ ପୁଣି ମନକୁ ଆସୁଥିଲା ରାତିରେ ପେଚା ବୋବାଳି ଶୁଣି ମାଆ ତ ଡରେ ତେବେ ବୁଝି ହେଉନଥିଲା ମା'ର ପ୍ରତିକ୍ରିୟା.
ଏହାପରେ ପାଖେଇ ଆସୁଥିଲା ରାକ୍ଷୀ ପୁନେଇଁ ପରବ. ଗାଈ, ସାଇ ଭାଇଙ୍କୁ ରାକ୍ଷୀ ପିନ୍ଧେଇଲା ବେଳେ କେହି ଆମ୍ବଗଛକୁ ରାକ୍ଷୀ ପିନ୍ଧେଇବାକୁ ଭୁଲି ନଥିଲେ.ତା ପଛକୁ ପଛ ନାତି ନାତୁଣୀଙ୍କର କାନଫୋଡା ଉତ୍ସବ. ସେଇଥିପାଇଁ ତ ଝିଅ ଜୋଇଁ ଓ ନାତୁଣୀ ଡୁଗୁ ଏବଂ ପୁଅ ବୋହୁ ସହିତ ନାତି ବାବା ବହୁ ଆଗରୁ ଆସି ଘରକୁ ରଙ୍ଗ କରି ଆସବାସ ପତ୍ର ଠିକ ଠାକ କରି ସଜାଡୁଛନ୍ତି ସେହି ଦିନର ପ୍ରତୀକ୍ଷାରେ. ଆସିଯାଇଥିଲା ସେଦିନ. ବନ୍ଧୁବାନ୍ଧବ ମିଳନ, ସାଙ୍ଗସାଥୀ କଥୋପକଥନ, ଭୋଜିଭାତ ବଣ୍ଟା କୁଣ୍ଟା ଭିତରେ କାନ ଫୋଡେଇ ଥିଲେ ନାତି ଓ ନାତୁଣୀ. କେତେ କିଏ ଉପହାର ଦେଇ ଦୁହିଁଙ୍କୁ ଆଶୀର୍ବାଦ କରି ଫେରିଗଲେ ଓ ଦୁଇଦିନ ରେଷ୍ଟ ନେଇ ଉପହାର ପ୍ୟାକେଟ ଖୋଲୁଥିଲେ ନାତି ନାତୁଣୀ ତ ତା ଭିତରେ ଏକ ସୁନ୍ଦର ବାସ୍ନା ଭରା, ଅତର ଲଗା ସୁବାସିତ ଖାମ ଦେଖି ସମସ୍ତେ ଭାବୁଥିଲେ ଏ ଚିଠିଟି କିଏ ଦେଇଛି!କେହି ବୋଧେ ଆସିନପାରି ଚିଠି ଭିତରେ ଆଶୀର୍ବାଦ ପାଉଣା ପଠେଇଛି. ଦେଖି ଦେଖି କହି ଆଦ୍ୟା ଯେମିତି ଲଫାପା ଖୋଲିଛନ୍ତି ପାର୍ଶଲ ବୋମାଟି ଭୀଷଣ ଶବ୍ଦ କରି ଫାଟି ଚିନଛତ୍ର. ଆଦ୍ୟାଙ୍କୁ ହସ୍ପିଟାଲ ନେବା ପରେ ତାଙ୍କର ରକ୍ତ ଥିଲା ଓ.ଆର ଏଚ. ଯାହାକି ସମ୍ପୂର୍ଣ୍ଣ ନୂଆ ତ ଓ, ଏ, ବି କି ଏବି ପଜିଟିଭ କି ନେଗେଟିଭ ନହୋଇଥିବାରୁ ଯୋଗାଡ଼ କରୁ କରୁ ପ୍ରାଣପକ୍ଷୀ ଉଡ଼ିଗଲା ଆଦ୍ରାଙ୍କର ତ ଭାଙ୍ଗିପଡିଲେ ସମସ୍ତେ. ପୋଲିସ, ଥାନା ଯାଏଁ କଥା ଗଲା କିନ୍ତୁ ପ୍ରେରକର ନା ପତ୍ତା ନା ଠିକଣା ଥିଲା ତ ସେଇଠି ସେ କଥା ଅଧା ରହିଲା. ପରିବାରର ସଦସ୍ୟ ସବୁ କହିଲେ ମାଆ ଅଖଣ୍ଡ ଦୀପ ଜାଳୁଥିଲା ସ୍ୱାମୀ, ପୁଅ, ଝିଅ, ଜୋଇଁ, ବୋହୁ, ନାତୁଣୀ, ନାତିଙ୍କର ରିଷ୍ଟ କାଟିବାକୁ ତ ନିଜେ ସବୁ ରିଷ୍ଟ ନେଇ ଚାଲିଗଲା. ସମସ୍ତେ ଫେରିଗଲେ. ସ୍ୱାମୀ ଏବେ ଆମ୍ବଗଛ ହାଣିବା ପରିବର୍ତ୍ତେ ସେହି ଆମ୍ବଗଛ ସହିତ କଥା ହୁଅନ୍ତି ସକାଳୁ ସଞ୍ଜ ଯାଇ ରାତିରେ ଶୋଇବା ପର୍ଯ୍ୟନ୍ତ. ଆଦ୍ରାଙ୍କ ପରି ତାଙ୍କ ହାତକୁ ଚା, ଜଳଖିଆ କି କଫି କପଟେ ବଢ଼େଇ ପାରୁନଥିବା ଆମ୍ବଗଛଟା କିନ୍ତୁ ସବୁକଥା ଶୁଣେ ତାଙ୍କର. ବିରୋଧ କରେନା କେଵେ ବରଂ ଖୁସି ହୋଇ ପତ୍ର ଝାଡ଼େ, ବଉଳ ବାସ ଚହଟେ, ଆମ୍ବ କଷି ଅସେ, କୋଇଲି ଗାଏ.ରୁଦ୍ର ମଧ୍ୟ ଆଦରକାରୀ ଡ଼ାଳ ସବୁକୁ ଛୁରୀରେ କାଟି ଆମ୍ବଗଛଟିକୁ ଗୋଟେ ସୁନ୍ଦର ଡିଜାଇନ ଦେଇ ସାରିଥିଲେ ସତେ ଯେମିତି ଆଦ୍ରା ଠିଆ ହୋଇଛନ୍ତି ଲାଗୁଥିଲା ରୁଦ୍ରଙ୍କୁ.ପିଲାମାନେ ତାଙ୍କ ପାଖକୁ ଯିବାକୁ ଡାକିଲେ ରୁଦ୍ର କହନ୍ତି ଆମ୍ବଗଛ ଛାଡ଼ି କୁଆଡେ ଯିବି!
