ଅନିଲ କୁମାର ଲେଙ୍କା

Inspirational Children

3  

ଅନିଲ କୁମାର ଲେଙ୍କା

Inspirational Children

ଅତିରୁ ଇତି

ଅତିରୁ ଇତି

3 mins
203


--ବିଶ୍ୱରଞ୍ଜନ ବାବୁ ଜଣେ ସରଳ ଓ ଅମାୟିକ ହୃଦୟର ମଣିଷ । ୱାଡମେମ୍ବର ସାଙ୍ଗକୁ ଛୋଟ ଠିକାଦାର । ସାଇ ପଡିଶା ଠାରୁ ସାଙ୍ଗ ସାଥୀ ମହଲରେ ଜଣେ ପର ଉପକାରୀ ମଣିଷ ଭାବରେ ବେଶ ଜଣାଶୁଣା । ଗୋଟିଏ ଯୌଥ ପରିବାରରେ ତାଙ୍କ ସଂସାର ଖୁବ୍ ଖୁସିରେ 

ଥାଏ । ଘରେ/ବାହାରେ ଖର୍ଚ୍ଚ କରିବାରେ ଓ ସବୁ ସଦସ୍ୟଙ୍କ ମନ ନେଇ ଚଳିବାରେ ସେ ସିଦ୍ଧହସ୍ତ । ସମସ୍ତଙ୍କର ଅତି ଆଦରର ସେ । 

ତାଙ୍କର ଏକମାତ୍ର ପୁଅ ଚନ୍ଦନକୁ କୌଣସିଥିରେ କେବେ ଅବହେଳା କରନ୍ତିନି । ପୁଅକୁ ସେ ଅଞ୍ଚଳର ସବୁଠାରୁ ନାମୀଦାମୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢାନ୍ତି । ଦୁଇ ଓଳା ଟିଉସନ ସହ ପୁଅକୁ ଡାକ୍ତର କରିବା ପାଇଁ ଦିନ ରାତି ଏକ କରି ଦିଅନ୍ତି । ଅତି ଗେଲବସସରରେ ପୁଅର ସବୁ ଅଳିଅର୍ଦ୍ଦଳି ପୂରଣ କରନ୍ତି । କରୋନା ମହାମାରୀ ଯେଗୁ ଅନଲାଇନ୍ କ୍ଲାସ୍ କାରଣରୁ ପୁଅ ପାଇଁ ନୂଆ ମୋବାଇଲଟେ ବି କିଣି ଦେଇଥାଆନ୍ତି । ନିଜ ପାଖରେ ପଇସା ଖର୍ଚ୍ଚ ହୋଇଯାଏ ବୋଲି ପୁଅ ନାଆଁରେ ଆକାଉଣ୍ଟଟେ ଖୋଲି କିଛି ପଇସା ସଞ୍ଚୟ କରିଥାଆନ୍ତି । 

ଏମିତି ଦିନେ ଇଣ୍ଡିଆନ ବ୍ୟାଙ୍କରେ ତାଙ୍କ ପୁଅର ପାସ୍‌ବୁକ୍‌କୁ ଅପଡେଟ୍‌ କଲାପରେ ସେ ଚମକି ପଡ଼ିଲେ । ଆଠ ଦିନ ପୂର୍ବରୁ ଯେଉଁ ଖାତାରେ ଅଠାବନ ହଜାର ଟଙ୍କା ଥିଲା ଆଉ ମାତ୍ର ନଅ ହଜାର ରହିଛି । 

ସେ କାରଣ ଖୋଜିବାରେ ଲାଗିପଡ଼ିଲେ । ଦେଖିଲେ ଆଠଦିନ ଧରି କେବେ ହଜାର କେବେ ଦି ହଜାର କରି ସେଦିନ ସକାଳେ ପାଞ୍ଚ ହଜାର ଟଙ୍କା କଟିଛି ଆଉ ସମୁଦାୟ ଅଣଚାଶ ହଜାର । ପୁଣି ଟଙ୍କାଗୁଡିକ ଅନ୍‌ଲାଇନ୍‌ ମାଧ୍ୟମରେ କଟିଛି । ସେ ତ ଏଇ ଆଠ ଦିନ ମଧ୍ୟରେ କିଛି କରି ନାହାନ୍ତି, ତା ହେଲେ କାମଟା କଲା କିଏ ? ଏମିତି ଚିନ୍ତା କରୁ କରୁ ବିଭିନ୍ନ ଲୋକଙ୍କ ଉପରେ ସନ୍ଦେହ ଆସିଲା । 

ମନସ୍ତାପ ଭିତରେ ସେ ଦିନ ସନ୍ଧ୍ୟାରେ ବିଶ୍ୱରଞ୍ଜନ ବାବୁ ମନେ ପକାଇଲେ ଯେ ପୁଅ ଚନ୍ଦନ ଦଶ ବାର ଦିନ ହେଲା କଣ ଗୋଟେ ଖେଳିବାକୁ ଫୋନ ବାରମ୍ବାର ବ୍ୟବହାର କରୁଥିଲା । ସିଏ ମଧ୍ୟ ସନ୍ଧ୍ୟା ବେଳେ କିଛି କାମ ନଥାଏ ଭାବି ନିଜ ଫୋନଟା ବି ଦେଇ ଦେଉଥିଲେ । ଚନ୍ଦନ ମଧ୍ୟ ଫୋନ ଧରି ବସି ଯାଉଥିବାର ଓ ଏପରିକି ଖାଇବା ପିଇବା ଛାଡ଼ି ଗେମ୍‌ ଖେଳିବାର ଘଟଣାକୁ ନେଇ ସନ୍ଦେହ କଲେ । 

--ରାତିରେ ବିଶ୍ୱରଞ୍ଜନ ବାବୁ ଚନ୍ଦନକୁ ସାଧାରଣ ଭାବରେ ଫୋନକୁ ନେଇ ପଚାରିଲେ । ଏଆଡୁ ସେଆଡୁ ନେଇ ବିଭିନ୍ନ କଥା ପଚାରିଲେ । ଚନ୍ଦନ ତ ଭୁଲ କରିଥିଲା । ଧରାପଡିଯିବା ଭୟରେ ସତକଥା ସବୁ ମାନିଗଲା । କିଭଳି ସେ ବିଭିନ୍ନ ଗେମ୍ ଡାଉନଲୋଡ଼ କରୁଥିଲା, ପୁଣି ପଇସା ବଦଳରେ ଗୋଟି ଗୋଟି କରି କହିଲା । କେଉଁ ଗେମ୍ ପାଇଁ ପାଞ୍ଚ ହଜାର କଟିଥିଲା ସେଇଟା ବି କହିଲା । 

ଏ କଥା ଶୁଣି ଚନ୍ଦନର ମାମା ରାଗରେ ଜଳିଗଲେ । ଆଉ ପୁଅକୁ ଘରେ ପୁରେଇ ବହୁତ ବାଡେଇଲେ । ମୋବାଇଲକୁ ବାଡେଇ ଭାଙ୍ଗିଦେଲେ । ସେ ଦିନ ଘରେ ଖାଇବା ପିଇବା ବନ୍ଦ ହୋଇଗଲା । ବାଡେଇଲେ କଣ ହେବ ପୁଅକୁ ଯଦି ପାଠ ପଢା ବେଳେ ଧ୍ୟାନ ଦେଇଥାଆନ୍ତେ ବା ମୋବାଇଲରେ ଗେମ ଖେଳିବା ବେଳେ ତଦାରଖ କରିଥାଆନ୍ତେ ତେବେ ଏ ଅଘଟଣ କଣ ଘଟିଥାଆନ୍ତା !

ବିଶ୍ୱରଞ୍ଜନ ବାବୁ ଖୁବ ଭଲ ଲୋକ । ଅଣଚାଶ ହଜାର ଟଙ୍କାର ଦୁଃଖ ଯଦିଓ ତାଙ୍କର ଥିଲା ପିଲାଟି କାଳେ ଦୁଃଖ କରିବ ଚିନ୍ତା କରି କିଛି କହିଲେ ନାହିଁ । ଆଗକୁ ସେଭଳି ନ କରିବାକୁ ପରାମର୍ଶ ଦେଲେ । ନିଜେ ମଧ୍ୟ ପୁଅକୁ ସମୟ ଦେଉ ନଥିବାରୁ ଅନୁତାପ କରୁଥିଲେ । 

ଚନ୍ଦନ ମଧ୍ୟ ଆଗକୁ ସେଭଳି ନ କରିବାକୁ ବାପାଙ୍କୁ କଥା ଦେଲା । ନିଜ ଭୁଲକୁ ମଧ୍ୟ ସ୍ୱୀକାର କଲା । ମାଆ ତାଙ୍କର ଏଥର ତାକୁ ଏକୁଟିଆ ଅନଲାଇନ୍ କ୍ଲାସ୍ କରିବାକୁ ଦେଲେନି । ସବୁବେଳେ ପାଖେ ପାଖେ ରହିଲେ । 

ଏଠି କହିବା କଥା ପିଲାମାନଙ୍କୁ ସ୍ନେହ କରିବା ଉଚିତ୍ । କିନ୍ତୁ ଏତେ ସ୍ନେହ କରିବା ଅନୁଚିତ ଯେ ସେ ଚନ୍ଦନ ଭଳି କାମ କରିବାକୁ ସାହସ କରିବେ । ଅତି ସ୍ନେହ ସବୁବେଳେ ଏମିତି ପରିଣାମ ଦେଇଥାଏ । ସବୁ ବାପାମାଆଙ୍କୁ ଅନୁରୋଧ ପିଲାମାନଙ୍କୁ ସ୍ନେହ ଦେବାବେଳେ ଅତି ସ୍ନେହ ନ ଦିଅନ୍ତୁ । କାରଣ ଅତିରୁ ଇତି । 



Rate this content
Log in

Similar oriya story from Inspirational