STORYMIRROR

ଓଡିଆ ଶିଶୁ ଗପ

Children Inspirational

2  

ଓଡିଆ ଶିଶୁ ଗପ

Children Inspirational

ଅତି ଲୋଭରୁ ମୃତ୍ୟୁ

ଅତି ଲୋଭରୁ ମୃତ୍ୟୁ

4 mins
14.6K


ବାରଣାସୀ ନାମକ ଏକ ନଗର ଥିଲା । ସେହି ନଗରରେ ଜଣେ ଶୁଦ୍ଧପୂତ ତଥା ବେଦଜ୍ଞ ବ୍ରାହ୍ମଣ ବାସ କରୁଥାଆନ୍ତି । ବ୍ରାହ୍ମଣ ଜ୍ଞାନରେ ଯେପରି ଅପରିସୀମା ସରଳତାରେ ସେହିପରି ।

ବ୍ରାହ୍ମଣମାନଙ୍କର ସାମାନ୍ୟ ଭାବରେ ଚାଷଜମି ଥାଏ । ସେହି ଚାଷ ଜମିରେ ଯାହା ଧାନ, ମୁଗ, ବିରି ଆଦି ଫସଲ ଆମଦାନୀ ହୁଏ ସେଥିରେ ସେ ନିଜର ପରିବାରକୁ ଅଧାଦିନ ଆହାର ଯୋଗାଇ ଥାଆନ୍ତି । ଅବଶିଷ୍ଟ ଅଧା ସମୟକୁ ନଗର ବାସୀଙ୍କର ଯେଜମାନି ଆଦି କାର୍ଯ୍ୟ କରି ଯାହା ପାଆନ୍ତି ସେହିଥିରେ ହିଁ ଚଳାଇ ଦିଅନ୍ତି ।

ଏକ ସମୟରେ ବ୍ରାହ୍ମଣଙ୍କର ଚାଷ ଜମିରେ ଆଦୌ ଭଲ ଫସଲ ହେଲା ନାହିଁ । ବିଚରା ବ୍ରାହ୍ମଣ ବଡ଼ ଅସୁବିଧାରେ ପଡ଼ିଲେ । ତଥାପି ସେ ବସୁଧାକୁ କେବେ ନିନ୍ଦନ୍ତି ନାହିଁ । ଫସଲ ହେଉ ବା ନ ହେଉ ପ୍ରତିଦିନ ବ୍ରାହ୍ମଣ ନିଜର ଚାଷ ଜମିକୁ ଯାଆନ୍ତି ଜମିକୁ ସଫା ସୁତୁରା କରି ରଖିବା ତାଙ୍କର ଶ୍ରଦ୍ଧାର କାମ । ଦିନେ ବ୍ରାହ୍ମଣ ଜମି ଉପରେ କାର୍ଯ୍ୟ କରିବା ମଧ୍ୟରେ ଦ୍ୱିପ୍ରହର ସମୟ ହୋଇଯାଇଛି । ମୁଣ୍ଡ ଉପରେ ଟାଣ ଖରା ପଡ଼ିବାରୁ ବ୍ରାହ୍ମଣଙ୍କୁ ଖୁବ୍ କଷ୍ଟ ହେଲା । ପାଟିଟା ତାଙ୍କର ଅଠା ଅଠା ହୋଇଗଲା । ଟିକେ ଖରା ଟାଳିବାକୁ ସେ ଜମି ଉପରେ ଥିବା ବରଗଛ ମୂଳକୁ ଆସି ଥଣ୍ଡା ପବନରେ ବସି ପଡ଼ିଲେ । ଠିକ୍ ଏତିକିବେଳେ ପାଖ ହୁଙ୍କାରେ ଥିବା ନାଗ ସାପଟି ସେମିତି ଥଣ୍ଡା ପବନ ପାଇବାକୁ ବାହାରକୁ ବାହାରି ଆସି ଦେଖିଲା ଯେ ଗଛ ମୂଳରେ ବ୍ରାହ୍ମଣ ଜଣଙ୍କ ବସିଛନ୍ତି ।

ଦୁନିଆଁରେ ଯେତେ ଜୀବଜନ୍ତୁ ଅଛନ୍ତି ସେମାନଙ୍କର ଭୟ କେବଳ ଏହି ସଂସାରର ମଣିଷଗୁଡାଙ୍କୁ । କାରଣ ସମସ୍ତ ଜୀବଜନ୍ତୁଙ୍କ ଠାରୁ ବଡ଼ ହିଂସ୍ର, ଗର୍ବୀ, ଅହଂକାରୀ ହେଉଛି ଏହି ମଣିଷ । ସେଥିଲାଗି ମଣିଷଟିଏ ଦେଖିବାମାତ୍ରେ ସଂସାରରେ ଯେତେ ଜୀବଜନ୍ତୁ ଅଛନ୍ତି ସମସ୍ତେ ପ୍ରାଣ ଭୟରେ ପଳାଇଯାଆନ୍ତି । ନାଗ ସାପ ମଧ୍ୟ ଦେଖିଲା ସଂସାର ମଧ୍ୟରୁ ଏହି ବ୍ରାହ୍ମଣ ଜଣଙ୍କ ମଧ୍ୟ ଗଛ ମୂଳେ ବସିଛି । ବ୍ରାହ୍ମଣଙ୍କୁ ଦେଖି ସାପର ମଧ୍ୟ ଭୟ ହେଲା । ସେଥିଲାଗି ସେ ତାର ଫଣା ଟେକି ଦୂରରେ ଥାଇ ଫଁ ଫଁ ହେଲା ।

ବ୍ରାହ୍ମଣ ବେଦଜ୍ଞ । ତାଙ୍କର ପ୍ରାଣୀଙ୍କ ଠାରେ ବହୁତ ଦୟା । ସେ ମଧ୍ୟରେ ନାଗ ସାପର ମନର ଅସଲ ଉଦ୍ଦେଶ୍ୟ ବୁଝି ପାରିଲେ । ସେ ଜାଣିଥିଲେ ଯେ ଏପରି ଫଁ ଫଁ ହେବାର ପ୍ରକୃତି ସାପମାନଙ୍କର ଯେତେବେଳେ ଆସେ ସେତେବେଳେ ସେମାନଙ୍କର ଭୟ ଏହି ମଣିଷ ପ୍ରତି ହୋଇଥାଏ ।

ବ୍ରାହ୍ମଣ ତାହା ଜାଣିପାରି ନିଜ ଗୁଣେ ନାଗ ଦେବତାଙ୍କୁ ହାତଯୋଡ଼ି ପ୍ରଣାମ କରି କହିଲା, ହେ ନାଗ ଦେବତା! ମୁଁ ଆଜିଯାଏ ଜାଣିନଥିଲି ଯେ ତୁମେ ମୋର କ୍ଷେତ ମଧ୍ୟରେ ରହି ଅପୂଜା ଅଛ । ସେଥିଯୋଗୁଁ ମୋ କ୍ଷେତରେ ଭଲ ଫସଲ ହେଉ ନାହିଁ । ମୋର ଏଥିରେ ଭୁଲ ହୋଇଛି । ଆପଣ ଏଣିକି ମୋ ପ୍ରତି ସଦା ସର୍ବଦା ଦୟା ରଖିଥିବେ ନାଗ ଦେବତା ।

ଏହାପରେ ବ୍ରାହ୍ମଣ ଘରକୁ ଆସିଲେ । ତା’ ପର ଦିନଠାରୁ ପ୍ରତିଦିନ ନାଗ ଦେବତାଙ୍କୁ ଦୁଗ୍ଧ ସମର୍ପଣ କରିସାରି ସେଠାରେ ଦୁଗ୍ଧ ପାତ୍ର ଥୋଇଦେଇ ନିଜ ଗୃହକୁ ପଳାଇ ଯାଆନ୍ତି । ତା’ ପରଦିନ ସକାଳ ହେଲେ ପୂର୍ବପରି ବ୍ରାହ୍ମଣ ଆସନ୍ତି ପୂଜା କରିବା ନିମନ୍ତେ । ସେ ସେଠାକୁଆସି ଖୁବ୍ ଆଶ୍ଚର୍ଯ୍ୟ ହୁଅନ୍ତି ଯେ ନାଗ ଦେବତା ତାଙ୍କ ସମର୍ପିତ ଦୁଗ୍ଧ ତକ ପିଇଦେଇ ସେହିପାତ୍ରରେ ଗୋଟିଏ ସୁବର୍ଣ୍ଣର ମୋହର ଥୋଇଦେଇ ଥାଆନ୍ତି । ବ୍ରାହ୍ମଣ ତାହାକୁ ଭଗବାନଙ୍କର ତାଙ୍କପ୍ରତି ଦୟା ତଥା କରୁଣାର ଭାବ ମନେ କରି ସୁବର୍ଣ୍ଣର ମୋହରଟିକୁ ଧରି ନିଜ ଗୃହକୁ ଫେରିଯାଆନ୍ତି ।

ଦିନକର କଥା ଯେ ବ୍ରାହ୍ମଣଙ୍କର ବନ୍ଧୁ ଗୃହକୁ ଯିବାକୁ ହେଲା । ସେଦିନ ନାଗ ଦେବତାଙ୍କର ପୂଜା ନିମନ୍ତେ ନିଜ ପୁଅକୁ ତାଗିଦ୍ କରିଦେଇ କହିଦେଇ ଗଲେ ଯେ ପୁଅରେ ମୁଁ ଦିନକ ନିମନ୍ତେ ବାହାରକୁ ଯାଉଛି । ତୁମେ ନାଗ ଦେବତାଙ୍କ ପୂଜାରେ ଯେପରି ଅବହେଳା ନକର । ନାଗ ଦେବତା ରୁଷ୍ଟ ହେଲେ ଆମର ଅମଙ୍ଗଳ ହେବ ।

ଏହା କହି ବ୍ରାହ୍ମଣ ସେଦିନ ବନ୍ଧୁଙ୍କ ଗୃହକୁ ଚାଲିଗଲେ । ବ୍ରାହ୍ମଣଙ୍କର ପୁତ୍ର ସେଦିନ ସ୍ନାନାଦି କର୍ମ ସମାପନ କରି ଦୁଗ୍ଧ ପାତ୍ର ଧରି ବୃକ୍ଷର ମୂଳକୁ ନାଗ ପୂଜା କରିବା ନିମନ୍ତେ ଯାଇ ଦେଖିଲେ ଯେ ପୂର୍ବଦିନର ଦୁଗ୍ଧ ପାତ୍ରରେ ସୁବର୍ଣ୍ଣର ଗୋଟିଏ ମୋହର ଥୁଆ ହୋଇଛି । ତାହା ଦେଖି ବ୍ରାହ୍ମଣ ପୁତ୍ରଙ୍କର ଲୋଭ ସମ୍ଭାଳ ପଡ଼ିଲା ନାହିଁ । ସେ ଚିନ୍ତା କଲାକି ସାପ ପାଖରେ ନିଶ୍ଚେ ଅନେକ ଗୁଡ଼ାଏ ମୋହର ରହିଅଛି । ସେଥିଲାଗି ପ୍ରତିଦିନ ଗୋଟିଏ ଗୋଟିଏ ମୋହର ଦେଉଛନ୍ତି । ସମସ୍ତ ମୋହର ଆମକୁ ଏକାଥରେ ଦେଇ ଦେଲେ କ’ଣ ହୁଅନ୍ତା ନାହିଁ । ମୋହାର ପାଇଗଲେ ଆମେ କ’ଣ ପୂଜା ବନ୍ଦ କରିଦେବୁ । ବ୍ରାହ୍ମଣ ପୁଅ ଏୟା ଭାବିଲା ଯେ ଏକାଥରେ ମୋହରଗୁଡ଼ିକ ଦେଇଦେଲେ ଆମେ କାଳେ ନାଗ ଦେବତାଙ୍କର ପୂଜା ବନ୍ଦ କରିଦେବୁ । ସେଥିପାଇଁ ନାଗଦେବତା ପ୍ରତିଦିନ ଗୋଟିଏ ଗୋଟିଏ ମୋହର ଦେଇ ଅନ୍ୟ ସମସ୍ତ ମୋହରକୁ ନିଜର ପାଖରେ ରଖିଛନ୍ତି ।

ଏହାପରେ ବ୍ରାହ୍ମଣ ପୁଅର ମନ ମଧ୍ୟରେ ପାପ ଆସି ପ୍ରବେଶ କଲା । ସେ ଚିନ୍ତାକରି ଦୁଗ୍ଧପାତ୍ରଟି ଥୋଇ ଦେଇ ନାଗ ଦେବତାଙ୍କ ଆସିବା ଯାଏ ଠେଙ୍ଗାଟିଏ ଧରି ଜଗି ରହିଲା । କାରଣ ଥିଲା, ଯେତେବେଳେ ନାଗ ଦେବତା ଆସି ଦୁଗ୍ଧ ପିଇବାକୁ ଆରମ୍ଭ କରିବେ ସେତେବେଳେ ଠେଙ୍ଗାରେ ପିଟି ମାରିଦେଇ ତା’ ପାଖରେ ଥିବା ସମସ୍ତ ସୁବର୍ଣ୍ଣର ମୋହର ଧରି ଚାଲିଯିବ । ପରବର୍ତ୍ତୀ ଅବସ୍ଥାରେ ନାଗଦେବତାଙ୍କର ପୂଜା କରିବାକୁ ବାପାଙ୍କୁ ଆଉ ପଡ଼ିବ ନାହିଁ ।

ବ୍ରାହ୍ମଣ ପୁଅର ମନ ମଧ୍ୟରୁ କଥା ସରି ନାହିଁ । ପ୍ରତିଦିନ ପରି ନାଗ ଦେବତା ଦୁଗ୍ଧ ପିଇବା ଲାଗି ଗର୍ତ୍ତ ମଧ୍ୟରୁ ବାହାରି ଆସି ଦୁଗ୍ଧତକ ପିଇବାକୁ ଆରମ୍ଭ କଲେ ଓ ବ୍ରାହ୍ମଣ ପୁତ୍ର ପ୍ରତି ଲକ୍ଷ୍ୟ ରଖିଲେ । ଏଥିରେ ମଧ୍ୟରେ ବ୍ରାହ୍ମଣ ପୁଅ ଯେତେବେଳେ ଠେଙ୍ଗା ଉଠାଇ ପିଟିବାକୁ ଉଦ୍ୟତ ହୁଅନ୍ତେ ଏକଥା ଆଗରୁ ଜାଣିଥିବା ନାଗ ଦେବତା ସଙ୍ଗେ ସଙ୍ଗେ ଡ଼େଇଁପଡ଼ି ବ୍ରାହ୍ମଣ ପୁଅକୁ ଦଂଶନ କରିବାରୁ ସେ ସେହିଠାରେ ବିଷଜ୍ୱାଳ ଯୋଗୁଁ ଛଟପଟ ହୋଇ ମରିଗଲା ।

ତା’ ପରଦିନ ବ୍ରାହ୍ମଣ ବନ୍ଧୁ ଘରୁ ଫେରି ଆସି ନିଜର ପୁତ୍ରର ମୃତ୍ୟୁ ଖବର ଶୁଣି ଦୁଃଖ କଲେ ସିନା ହେଲେ ତା’ ପରି ଲୋଭୀ ପୁତ୍ରର ମୃତ୍ୟୁ ଶ୍ରେୟସ୍କର ଭାବି ନାଗଦେବତାଙ୍କ ପାଖକୁ କ୍ଷମା ପ୍ରାର୍ଥନା କରିବାକୁ ଯାଇ ଦେଖିଲେ ସେହି ସ୍ଥାନରୁ ନାଗଦେତା ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି ।


Rate this content
Log in

Similar oriya story from Children