Dr Rashmita Panigrahi

Tragedy Thriller

3  

Dr Rashmita Panigrahi

Tragedy Thriller

ଅସ୍ତଗାମୀ ସୂର୍ଯ୍ୟ

ଅସ୍ତଗାମୀ ସୂର୍ଯ୍ୟ

5 mins
524


ହଠାତ କଲିଙ୍ଗ ବେଲ ର ଶବ୍ଦରେ ଚମକି ପଡିଲେ ମିସେସ ଦାସ । ମିଷ୍ଟର ଦାସ ତ ଏଇନା ଘରୁ ବାହାରିଗଲେ, ସକାଳୁ ସକାଳୁ ପୁଣି କିଏ ଆସିଗଲା ! ମିସେସ ଦାସ ଜଣେ ନିଆରା ମଣିଷ । ସକାଳ ସମୟଟା ଟିଭି ର ସବୁ ଚ୍ୟାନେଲରୁ ଭଜନ ପ୍ରୋଗ୍ରାମ ଖୋଜି ଖୋଜି ଦେଖନ୍ତି, ଶୁଣନ୍ତି ଆଉ ଲେଖନ୍ତି । ଏଥିରେ ତାଙ୍କର ଟିକିଏ ବି ଡିଷ୍ଟର୍ବ।ନ୍ସ ସେ ପସନ୍ଦ କରନ୍ତିନି । ତଥାପି ଉପାୟ ନାହିଁ, ପରଦା ଆଢୁଆଳରୁ ଆଗ ଲୋକଟିକୁ  ଚିହ୍ନିବାକୁ ଚେଷ୍ଟାକଲେ, ହେଲାନି, ବାଧ୍ୟ ହୋଇ ବାହାରି ଗେଟ ଖୋଲିଲେ । ଜଣେ ସୌମ୍ୟଦର୍ଶନ ଯୁବକ ହାତରେ ଧରିଛନ୍ତି ଗୋଟିଏ କଣ ପ୍ୟାକେଟ । ଭିତରକୁ ପ୍ରବେଶ କଲା ମାତ୍ରେ ଯୁବକ ଜଣକ ନମସ୍କାର ଜଣାଇ ହସି ହସି ପଚାରିଲେ, "ମ୍ୟାଡ଼ାମ ସାର କାହାନ୍ତି ? " ଆପଣ ବୋଧ ହୁଏ ଚିହ୍ନି ପାରୁ ନାହାନ୍ତି ! ମୁଁ ଚନ୍ଦନ ! ମିସେସ ଦାସ ଙ୍କ ମନ ତ ଭଜନ ପାଖରେ ଥିଲା ସେ ଭାବିଲେ ବୋଧ ହୁଏ ତାଙ୍କ ପୁଅର କେହି ସାଙ୍ଗ ବା ସିନିଅର ପିଲା ହେଇଥିବ । ଭିତରକୁ ଆସି ବସିବାକୁ କହି ସେ ପୁଅକୁ ଡାକିବାକୁ ଚାଲିଯାଉଥିଲେ, ଯୁବକ ଜଣକ ପୁଣି ହସି ହସି କହି ଉଠିଲେ ମ୍ୟାଡ଼ାମ ମୁଁ ଚନ୍ଦନ, ସାରଙ୍କ ଛାତ୍ର । ଆପଣଙ୍କ ର ମନେ ପଡୁନି । 

ପ୍ରକୃତିସ୍ଥ ହେଲେ ମିସେସ ଦାସ । ମନେ ପଡିଗଲା ୟେ ଚନ୍ଦନ, ସାରଙ୍କର ପ୍ରିୟ ଛାତ୍ର, ଆଇ ଆଇ ଟି ରେ ଇଞ୍ଜିନିୟରିଂ କରୁଥିଲା । ନିଜ ଖୁସି କୁ ଅଟକାଇ ପାରିଲେନି ମିସେସ ଦାସ । ପ୍ରଶ୍ନ ର ପାହାଡ ରେ ପୋତି ପକାଇଲେ ଯୁବକ ଜଣକୁ । ଯୁବକ ଜଣକ ବିନମ୍ର ଭାବରେ କହି ଉଠିଲେ ମୁଁ ଟିକିଏ ବସିପାରେ କି ? ମିସେସ ଦାସ ସେତେବେଳ ଯାଏ ଭୁଲି ଯାଇଛନ୍ତି ଯେ ସେ ଛିଡା ହୋଇ କଥାବାର୍ତ୍ତା କରୁଛନ୍ତି ବୋଲି । ଯୁବକଙ୍କୁ ବସିବାକୁ ଦେଇ ତାଙ୍କର କୁଶଳ ଜିଜ୍ଞାସା କରୁ କରୁ ପଚାରି ଦେଲେ କଣ ଖବର ତୁମ ପ୍ରାଣପ୍ରିୟା ଅଭିଲିପ୍ସା ର, ଯାହାକୁ ବାହା ହୋଇ ଗଲା ବେଳେ ଆମ ଘର ସାମ୍ନାରେ ଗାଡି ଅଟକାଇ ମୋତେ ଡାକି ଦେଖାଇ ଥିଲ । କେମିତି ଅଛନ୍ତି ସେ ?          

ଏ ପର୍ଯ୍ୟନ୍ତ ହସି ହସି କଥା ହେଉଥିବା ଯୁବକ ଜଣକ ଏଇ ପ୍ରଶ୍ନ ରେ ସମ୍ପୂର୍ଣ ନୀରବ ହୋଇଗଲେ । ହସ ହସ ମୁହଁଟି ମଳିନ ପଡିଗଲା । ମିସେସଦାସ ଭାବିଲେ ବୋଧ ହୁଏ ଦୂର ଯାତ୍ରା ପାଇଁ କ୍ଲାନ୍ତ ହୋଇ ପଡିଛନ୍ତି ଚନ୍ଦନ । ସଙ୍ଗେ ସଙ୍ଗେ ସେ ଟିକିଏ ଫଳ ରସ, କିଛି ସ୍ନାକ୍ସ ଓ ଚା'ର ବ୍ୟବସ୍ଥା କରିଦେଲେ ଯୁବକ ଜଣକ ପାଇଁ । ସେ ସବୁରୁ କିଛି ଗ୍ରହଣ କଲା ପରେ ଯୁବକ ଜଣକ ହାତରେ ଧରି ଥିବା ନିଜ ଅଟୋ ବାଇଓଗ୍ରାଫି ଖଣ୍ଡିକ ମିସେସ ଦାସଙ୍କୁ ବଢ଼ାଇ ଦେଇ କହିଲେ ମ୍ୟାଡ଼ାମ ଆପଣଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଏ ବହି ହିଁ ଦେଇପାରିବ । ଏତକ କହୁ କହୁ ଯୁବକ ଜଣକ ଆଉ ନିଜ ଅଶ୍ରୁ ସମ୍ବରଣ କରି ପାରିଲେ ନାହିଁ । ଭୋ ଭୋ ହୋଇ କାନ୍ଦି ଉଠିଲେ । କହିବାକୁ ଆରମ୍ଭ କଲେ ନିଜ ମନ ର ଯନ୍ତ୍ରଣା କୁ ମିସେସ ଦାସ ଙ୍କ ଆଗରେ । 

ପିଲା ବେଳୁ ଜନ୍ମଦେଇ ସାରିବା ପରେ ମା ' ମୋର ମୋତେ ଛାଡି ଆରପାରି କୁ ଚାଲି ଗଲା । ଚତୁର୍ଥ ଶ୍ରେଣୀ ରେ ପଢୁଥିଲି ଗୋଟିଏ ଆକସ୍ମିକ ଦୁର୍ଘଟଣାରେ ବାପା ବି ମା'ପାଖକୁ ଚାଲି ଗଲେ । ସମ୍ପୂର୍ଣ ଏକୁଟିଆ ହୋଇଗଲି ମୁଁ । ପିଉସୀଙ୍କ କୋଳ ରେ ବଡ଼ ହେଲି, ଯେଉଁଠି ନା ଥିଲା ସ୍ନେହ, ନା ଥିଲା ଯତ୍ନ । କେବଳ ବଞ୍ଚିବା ର ପ୍ରୟାସ । ତାହାରି ମଧ୍ୟରେ ମୁଁ ମୋର ପାଠ ପଢା ଜାରି ରଖି ସବୁ ଶ୍ରେଣୀ ରେ ପ୍ରଥମ ହେଉ ଥିଲି । ପାଠପଢା ଭିତରେ ମୁଁ ଭୁଲି ଯାଇଥିଲି ମୋର ବ୍ୟକ୍ତି ଗତ ଜୀବନର ଦୁଃଖ ସବୁକୁ । ଆଇ ଆଇ ଟି ଖଡଗପୁର ରେ ପଢୁଥିବା ବେଳେ ହଠାତ ମୋର ଭେଟ ହୁଏ ଅଭିଲିପ୍ସା ସହ ଯିଏ କି ଥିଲେ ମୋର କ୍ଲାସମେଟ । ଅଭିଲିପ୍ସା ଙ୍କର ସ୍ନେହବୋଳା କଥା ମୋତେ ଖୁବ ଭଲ ଲାଗିଲା । ନିଜର ବୋଲି କେହି ଜଣେ ବି ଯାହାର ନାହିଁ, ତାକୁ ପଦିଏ ମିଠାକଥା ଅମୃତ ସମ ମନେ ହୁଏ । ଧୀରେ ଧୀରେ ମୁଁ ଅଭିଲିପ୍ସା ଙ୍କୁ ନିଜର କରିବାକୁ ଇଚ୍ଛା କଲି । ସେ ବି ମୋତେ ମୋ ଠାରୁ ଅଧିକ ଚାହୁଁଥିଲେ । ଆମେ ଉଭୟେ ବିବାହ କରି ନେଲୁ । ବରକନ୍ୟା ଗାଁକୁ ଆସିବା ବାଟରେ ଆପଣଙ୍କ ର ଘର । ତେଣୁ ମୁଁ ସୁଯୋଗ ହାତଛଡା ନ କରି ଅଭିଲିପ୍ସାଙ୍କୁ ଆପଣଙ୍କୁ ଦେଖାଇ ଦୁହେଁ ଆଶୀର୍ବାଦ ନେଲୁ । ତା'ପରେ ମୁଁ ଆଉ ପଛକୁ ଫେରି ଚାହିଁ ନାହିଁ । 

ମଲଟି ନ୍ୟାସନାଲ କମ୍ପାନୀ ରେ ଅଢେଇ ଲକ୍ଷ ଟଙ୍କା ଦରମା ରେ ମୁଁ ଚାକିରୀ କଲି । ସେ ମଧ୍ୟ ଚାକିରୀ ପାଇଗଲେ । ଦୁଇ ଜଣ ଅଲଗା ଅଲଗା ଜାଗା ରେ ରହି କାମ କଲୁ । ମୁଁ ତାଙ୍କର ସେଲ୍ଫ ରେସପେକ୍ଟକୁ ଖଣ୍ଡନ କରିବାକୁ ଚାହୁଁ ନ ଥିଲି । ତେଣୁ ତାଙ୍କର ଚାକିରୀ କରିବା ରେ ମୋର ଆପତ୍ତି କରିବା ର ପ୍ରଶ୍ନ ହିଁ ନ ଥିଲା । ବେଶ କିଛି ଦିନ ଆମେ ନିଜ ନିଜ କର୍ମ କ୍ଷେତ୍ର ରେ ଆନନ୍ଦ ରେ କଟାଇଲୁ । ସୁନ୍ଦର ଶିଶୁ କନ୍ୟାଟିଏ ଆମର କୋଳ କୁ ଆସିଲା । ମା'ବାପା ବି ହେଲୁ । ମିସେସ ଦାସ ଆଉ ସମ୍ଭାଳି ନ ପାରି ପଚାରିଲେ ତେବେ ତୁମେ କାନ୍ଦୁଛ କାହିଁକି ! ଚନ୍ଦନ ଆଖି ଛଳ ଛଳ କରି କହିଲେ ମୁଁ ଭାସି ଯାଇଛି ମ୍ୟାଡ଼ାମ । ଯାହାଙ୍କ ସେଲ୍ଫ ରେସପେକ୍ଟ କୁ ମୁଁ ରେସପେକ୍ଟ କଲି ସେ ଆଜି ମୋର ସେଲ୍ଫ ରେସପେକ୍ଟକୁ ସାରି ଦେଇଛନ୍ତି । ମୋ ନାଁ ରେ ଚାରିଆଡେ ଅପପ୍ରଚାର କରି ମୋତେ ବେକାର ସଜେଇ ଦେଇ ଛନ୍ତି । ମୋ କମ୍ପାନୀ ମୋତେ ଚାକିରୀରୁ ବାହାର କରି ଦେଇଛି ।

ଅବାକ ହେଇ ଯାଇଛନ୍ତି ମିସେସ ଦାସ ଆଉ ଜାଣିବାକୁ ଚାହିଁଛନ୍ତି କାରଣ କଣ ହେଇପାରେ ବୋଲି ! ଦୀର୍ଘ ନିଶ୍ୱାସ ଛାଡି ଚନ୍ଦନ କହି ଉଠିଲେ 'ଅତି ବିଶ୍ୱାସ' । ମୁଁ ଅଭିଲିପ୍ସା ଙ୍କୁ ଅତି ବିଶ୍ୱାସ କଲି । ପୂରାପୂରି ବିଶ୍ୱାସ । ଆଉ ସେଇ ବିଶ୍ୱାସ ରେ ମୁଁ ତାଙ୍କୁ ଅଲଗା ଜାଗା ରେ ରହି ଚାକିରୀ କରିବାର ଅନୁମତି ଦେଲି ହେଲେ, ସେ, ତାଙ୍କର ବିପରୀତ ଦିଗରେ ଯାତ୍ରା ଆରମ୍ଭ କଲେ । ଖୁବ ନାଇଟ ଡ୍ୟୁଟି କଲେ, ଛୁଟି ଦିନରେ ତାଙ୍କର ଖାସ ବନ୍ଧୁ ମିଷ୍ଟର ମହାନ୍ତି ଙ୍କ ସହ ବୁଲାବୁଲି, ସପିଙ୍ଗ, ଏପରି କି ବେଡ଼ରୁମ କୁ ଶେୟାର ବି କଲେ । ମୁଁ ଏସବୁ ଜାଣିଲା ବେଳକୁ ବହୁତ ଡେରି ହୋଇ ଯାଇଥିଲା । 

ଏବେ ମୁଁ ସମ୍ପୂର୍ଣ ଅସହାୟ । ନା ମୋର କିଛି ଠିକଣା ଅଛି ନା ମୋର କେହି ନିଜର । ଗୋଟିଏ ବୋଲି ଝିଅ, ସମ୍ପୂର୍ଣ ମା'କଥାରେ । ରହୁଛି ଏବେ ହଷ୍ଟେଲ ରେ । ଅନେକ ଥର ଚେଷ୍ଟା କଲିଣି ଡିଭୋର୍ସ ପାଇଁ । ଅଭିଲିପ୍ସା ଓକିଲଙ୍କୁ ଭେଟି ଆଗୁଆ ଜଣାଇ ଦିଅନ୍ତି, "ମୋ ସ୍ୱାମୀ ବହୁତ ଭଲ ଲୋକ, ମୁଁ ତାଙ୍କୁ ବହୁତ ଭଲ ପାଏ, ସେ ରାଗ ରେ ଏମିତି କହିଛନ୍ତି, ସେ ବି ମୋତେ ଭଲ ପାଆନ୍ତି "-ଏମିତି ଅନେକ ମନଭୁଲାଣିଆ କଥା କହି କେସ କୁ ବନ୍ଦ କରେଇ ଦିଅନ୍ତି । ମୁଁ ନାଚାର । ମିସେସ ଦାସ ଦୁଃଖରେ ମ୍ରିୟମାଣ ହୋଇ ପଚାରିଲେ, "ତୁମେ ଏବେ ରହୁଛ କେଉଁଠାରେ ? " ଚନ୍ଦନ ନିଜର ଅସହାୟତାକୁ ଲୁଚାଇ ନ ପାରି  କହିଲେ ଅଭିଲିପ୍ସାଙ୍କ ପାଖରେ । କାରଣ ମୁଁ ଯଦି ପ୍ରତିବାଦ କରେ, ସେ ମୋତେ ଜୀବନ ରୁ ମାରି ଦେବେ, ନ ହେଲେ ପାଗଳ କରି ଦେଇ ପାଗଳଖାନାରେ ଛାଡି ଦେବେ ।

ମୋର ନା କେହି ପ୍ରିୟ ସାଙ୍ଗ ସାଥି ଅଛନ୍ତି, ନା କେହି ଅତ୍ମୀୟ ! କାହା ଭରସାରେ ମୁଁ ତାଙ୍କ ସହ ଲଢ଼ି ପାରିବି । ସ୍ଲୋ ଡୋଜ ମେଡ଼ିସିନ ରେ ଆକ୍ରାନ୍ତ ହୋଇ ଆଜି ମୋର ଚିନ୍ତାଶକ୍ତି କମିବା ରେ ଲାଗିଛି, କାଲି ଧୀରେ ଧୀରେ ମୁଁ ବି ସରିଯିବି । ପିଲା ବେଳର ସାଙ୍ଗସାଥି, ଗାଁ ଲୋକ ଯାହାକୁ ଭେଟ ହେଉଛି ମୋ ଦୁଃଖ ଜଣାଇବାର ପ୍ରୟାସ କରୁଛି, କାଲି ମୁଁ ଯେବେ ଏ ସଂସାରରୁ ଚାଲି ଯିବି, ଏମାନେ ମୋତେ ଭୁଲ ବୁଝିବେନି । ଅଭିଲିପ୍ସା ମୋ ନାଁ ରେ କରି ଥିବା ଅପପ୍ରଚାର ରେ ଭାସିଯିବେନି । ମୁଁ ସେଇ ଚନ୍ଦନ । ସ୍କୁଲ ର ଆଦର୍ଶ ଛାତ୍ର । ସମସ୍ତ ଙ୍କର ପ୍ରିୟ । ନିଜର ସାମାନ୍ୟ ତ୍ରୁଟି ପାଇଁ ଆଜି ସମ୍ପୂର୍ଣ ଅସହାୟ ହୋଇ ମୃତ୍ୟୁକୁ ଅପେକ୍ଷା କରି ପଡି ରହିଛି । ମୋତେ ଦେଖିବା ପରେ ଜୀବନ ରେ କେହି ଆଉ କାହାକୁ ଆଖି ବୁଜି ବିଶ୍ୱାସ ନ କରନ୍ତୁ ଏହା ହିଁ ମୋର ଶେଷ ଇଚ୍ଛା । ଏତିକି କହି ସାରି ନିଜ ଚେୟାରରୁ ଉଠି ଝଡ଼ ବେଗ ରେ ସେ ବାହାରି ଚାଲି ଗଲେ ।  

ଗୋଟିଏ ଅସ୍ତଗାମୀ ସୂର୍ଯ୍ୟ ର ଲିଭିଯାଉ ଥିବା ଆଭା ଆଉ ମାଡି ଆସୁଥିବା ଅନ୍ଧକାର କୁ ଦେଖି ସ୍ତବ୍ଧ ହୋଇ ଯାଇଥିଲେ ମିସେସ ଦାସ ।


Rate this content
Log in