padmaja pati

Inspirational

3  

padmaja pati

Inspirational

ଅସଲ ବାନ୍ଧବୀ

ଅସଲ ବାନ୍ଧବୀ

2 mins
654


ସୁନିତା ଦେବୀ ଓ ସୁମିତ୍ରା ଦେବୀ ପରସ୍ପରର ପଡୋଶୀ ଥିଲେ । ସୁନିତା ଦେବୀଙ୍କ ଘରକୁ ଲାଗି ଛୋଟ ବଗିଚାଟିଏ ଥିଲା । ସେଥିରେ ଫୁଟୁଥିବା ଫୁଲ, ଫଳ ଉଭୟ ପରିବାର ବାଣ୍ଟି ନେଉଥିଲେ । ଦୁଇ ପରିବାର ଭିତରେ ଉତ୍ତମ ବୁଝାମଣା ଥିଲା ।

କିନ୍ତୁ ସେମାନଙ୍କର ଏ ମଧୁର ସମ୍ପର୍କ ବେଶି ଦିନ ରହିଲା ନାହିଁ । ସୁମିତ୍ରା ଦେବୀ ଥିଲେ ଗାଈ ବାଛୁରୀ ପ୍ରିୟ । ଥରେ ତାଙ୍କ ଅଜାଣତରେ ଗାଈ ଫିଟି ଯାଇ ବଗିଚାରେ ଥିବା ଚାରା ଗଛ ସବୁ ଖାଇ ଦେଲା । ସୁନିତା ଦେବୀ ପ୍ରସ୍ତୁତ କରିଥିବା ଶାଗ ପଟାଳି ମଧ୍ୟ ଦଳି କୁଦି ନଷ୍ଟ କରିଦେଲା । ଏଥିରେ ରାଗି ଯାଇ ସୁନିତା ଦେବୀଙ୍କ ସ୍ଵାମୀ କହି ପକାଇଲେ, "ଗାଈ ବାନ୍ଧିବାକୁ ଯଦି ବଳ ନ ପାଉଛି, ସେଗୁଡାକ ରଖିଛନ୍ତି କାହିଁକି? କଂସେଇକୁ ଦେଇ ଦେଉନାହାନ୍ତି । ସୁମିତ୍ରା ଦେବୀଙ୍କ ସ୍ଵାମୀ କହି ଉଠିଲେ, " ବାଡ଼ି ବଗିଚା କରିବାରେ ଯଦି ଏତେ ମନ ଭଲ ଭାବେ ବାଡ଼ ଦେଉ ନାହାନ୍ତି । ଏହିପରି ପାଟିତୁଣ୍ଡ ପରେ ଦୁଇ ପରିବାର ମଧ୍ୟରେ କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇଗଲା ।

ଏହି ଘଟଣା ଅଧିକ ଆଘାତ ଦେଲା ସୁନିତା ଦେବୀ ଓ ସୁମିତ୍ରା ଦେବୀଙ୍କୁ । ତଥାପି ସମସ୍ତଙ୍କ ଅଜାଣତରେ ଦୁହେଁ ମୋବାଇଲରେ ଦୁଃଖ ସୁଖ ହେଉଥିଲେ ।

ଥରେ ସୁମିତ୍ରା ଦେବୀ ଗାଧୁଆ ଘରେ ପଡି ଯିବାରୁ ତାଙ୍କ ମୁଣ୍ଡ ଫାଟିଗଲା । ତାଙ୍କୁ ମେଡିକାଲକୁ ନିଆଗଲା । ଅତ୍ୟଧିକ ରକ୍ତ ବୋହି ଯାଇ ଥିବାରୁ ତାଙ୍କୁ ରକ୍ତ ଦେବା ଆବଶ୍ୟକ ପଡିଲା । କିନ୍ତୁ ତାଙ୍କ ରକ୍ତ ସହ ଖାପ ଖାଇବା ରକ୍ତ, ରକ୍ତ ଭଣ୍ଡାରରେ ନ ଥିଲା । ତାଙ୍କ ସ୍ୱାମୀ ପାଗଳ ପ୍ରାୟ ଘୁରି ବୁଲିଲେ ।

ଏ ଖବର ପହଞ୍ଚିଗଲା ସୁନିତା ଦେବୀଙ୍କ ପାଖରେ । ସେ ତାଙ୍କ ସ୍ୱାମୀଙ୍କୁ ବୁଝାଇ ମେଡିକାଲରେ ପହଞ୍ଚିଲେ । ସେ ଡାକ୍ତରଙ୍କୁ ତାଙ୍କ ରକ୍ତ ସୁମିତ୍ରା ଦେବୀଙ୍କୁ ଦେବାକୁ କହିଲେ । ଡାକ୍ତରଙ୍କୁ ସେ କହିଲେ, " ଆମେ ଦୁହେଁ ଗତ ସ୍ୱାଧୀନତା ଦିବସରେ ରକ୍ତଦାନ କରିବା ପାଇଁ ଯାଇଥିଲୁ । ପରୀକ୍ଷାରୁ ଜଣା ପଡିଥିଲା ଆମ ଦୁହିଁଙ୍କ ରକ୍ତ ଗ୍ରୁପ ଏକା ।


ସୁନିତା ଦେବୀଙ୍କ କଥା ସତ୍ୟ ପ୍ରମାଣିତ ହେଲା ଏବଂ ସେ ସୁମିତ୍ରା ଦେବୀଙ୍କ ଜୀବନ ବଞ୍ଚାଇଲେ । ସୁମିତ୍ରା ଦେବୀଙ୍କ ସ୍ୱାମୀ କହି ଉଠିଲେ, " ସତରେ ଆପଣ ଦୁହେଁ ଅସଲ ବାନ୍ଧବୀ ।"

ସୁନିତା ଦେବୀ କହିଲେ, "ନା, ସେ କେଉଁ ଜନ୍ମରେ ମୋର ଭଉଣୀ ଥିଲେ, ଏ ଜନ୍ମରେ ମୋର ବାନ୍ଧବୀ ହୋଇଗଲେ ।

ଏହାପରେ ଦୁଇ ପରିବାର ଭିତରେ ପାଟିତୁଣ୍ଡ ହେବା କେହି କେବେ ଦେଖିନାହିଁ ।


Rate this content
Log in

Similar oriya story from Inspirational