ଅର୍ଜୁନ ଗୁମ୍ଫା
ଅର୍ଜୁନ ଗୁମ୍ଫା
ପାହାଡ଼ ପର୍ବତ ଘେରା ସବୁଜ ବନାନୀ ପରିବେଷ୍ଟିତ ମହେନ୍ଦ୍ର ଗିରି , ଓଡିଶାର ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିକଟରେ ଅବସ୍ଥିତ।ଏହାକୁ ଓଡ଼ିଶାର ହିମାଳୟ ମଧ୍ୟ କୁହାଯାଏ।ଏବଂ ଏହା ଓଡ଼ିଶାର ଦ୍ଵିତୀୟ ବୃହତ୍ତମ ପର୍ବତ ରୂପେ ପରିଚିତ।ଏହି ପର୍ବତ ଧାର୍ମିକ ଓ ଐତିହାସିକ ଦୃଷ୍ଟିକୋଣରୁ ମହତ୍ୱପୂର୍ଣ୍ଣ କାରଣ ଏଠାରେ ରାମାୟଣ ଓ ମହାଭାରତ ଏବଂ ଅନ୍ୟ ପୁରାଣ ମାନଙ୍କର ବହୁ ରୋଚକ କାହାଣୀ ବର୍ଣ୍ଣିତ ଅଛି।କୁହାଯାଏ ମହେନ୍ଦ୍ର ଗିରି ପର୍ବତ ଭଗବାନ ପର୍ଶୁରାମଙ୍କର ତପସ୍ୟାର ସ୍ଥଳୀ ଥିଲା।କୁଆଡେ ସମଗ୍ର ପୃଥିବୀକୁ ଏକୋଇଶି ଥର କ୍ଷତ୍ରିୟ ଶୂନ୍ୟ କରିବା ପାଇଁ ସେ ଏଠାରେ ଭଗବାନ ଶିବଙ୍କୁ ଆରାଧନା କରି ତପସ୍ୟା ରତ ଥିଲେ।ହନୁମାନ ଓ ଅଶ୍ୱଥାମାଙ୍କ ଭଳି ପର୍ଶୁରାମ ମଧ୍ୟ ଚିରଞ୍ଜିବି (ଅମର) ହେବାର ବରପ୍ରାପ୍ତ ହୋଇଥିଲେ ଏବଂ ସେମାନେ ଆଜି ବି ପୃଥିବୀ ପୃଷ୍ଠରେ ଜୀବିତ ଥିବାର ବିଭିନ୍ନ ପ୍ରମାଣ ମଧ୍ୟ ମିଳିଥାଏ।କୁହାଯାଏ ଏହି ପାହାଡ଼ରେ ଆଜି ବି ପର୍ଶୁରାମଙ୍କୁ ସ୍ୱଦେହରେ ବୁଲୁଥିବାର କେତେ ଲୋକଙ୍କ ଦୃଷ୍ଟି ଗୋଚର ହୋଇଛି।
ମହାଭାରତ ଗ୍ରନ୍ଥକୁ ଅଵଲୋକନ କଲେ ଜଣାଯାଏ ପାଣ୍ଡବ ମାନେ ଅଜ୍ଞାତ ବାସ ସମୟରେ ଏହି ପର୍ବତରେ ଅବସ୍ଥାନ କରିଥିଲେ ଯାହାକି ଆମେ କୁନ୍ତୀ ମନ୍ଦିର ,ଭୀମ ମନ୍ଦିର ,ଧର୍ମ ରାଜ ଯୁଧିଷ୍ଠିରଙ୍କ ମନ୍ଦିର,ଅର୍ଜୁନ ଗୁମ୍ଫାକୁ ଦେଖି ଜାଣିପାରୁଛୁ।ଏହି ସବୁ ମନ୍ଦିର ବ୍ୟତୀତ ଦାରୁ ବ୍ରହ୍ମ ମନ୍ଦିର ପାଇଁ ମଧ୍ୟ ଏହି ପର୍ବତ ପ୍ରସିଦ୍ଧ ଅଟେ।
ଆଉ ଗୋଟିଏ କଥା ମଧ୍ୟ ପୁରାଣରେ ବର୍ଣ୍ଣିତ ଅଛି ମହେନ୍ଦ୍ର ପର୍ବତର ଅର୍ଥ ହେଉଛି ମହା ଇନ୍ଦ୍ର ପର୍ବତ ଅର୍ଥାତ ଇନ୍ଦ୍ର ଦେବତାଙ୍କ ନିବାସ ସ୍ଥଳୀ।ଏବଂ ଏଠାରେ କୁଆଡେ ସ୍ୱର୍ଗକୁ ଯିବାର ରାସ୍ତା ଅଛି।
କେବଳ ଐତିହାସିକ ଓ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ ବହୁତ ସୁନ୍ଦର ପ୍ରାକୃତିକ ଦୃଶ୍ୟବଳୀ ପାଇଁ ମଧ୍ୟ ମହେନ୍ଦ୍ର ପର୍ବତ ପ୍ରସିଦ୍ଧ ଅଟେ।ଚାଲନ୍ତୁ ଏଠାରେ ଥିବା ଅର୍ଜୁନ ଗୁମ୍ଫା ବିଷୟରେ କିଛି ଜାଣିବା-----
ଅର୍ଜୁନ ଗୁମ୍ଫା ବିଷୟରେ ଏକ ରୋଚକ ତଥ୍ୟ ନିମ୍ନରେ ବର୍ଣ୍ଣନା କରିବାକୁ ଯାଉଛି ଯାହାକି ଆମେ ବିଶ୍ୱାସ କରୁ ଅବା ନ କରୁ ଏକଥା ସତ୍ୟ ଅଟେ ଯେ ବିଜ୍ଞାନର ଉପରେ ଏମିତି ଏକ ଦୁନିଆ ଅଛି ଯାହା ଆମେ ମାନିବା କି ନ ମାନିବା ତାହା ଆମ ବିଶ୍ୱାସ ,ଭକ୍ତି ଓ ଶ୍ରଦ୍ଧା ଉପରେ ନିର୍ଭର କରେ।
ମହେନ୍ଦ୍ର ପର୍ବତର ପାଦ ଦେଶରେ ଏକ ଶବର ବସ୍ତି ଅଛି ଯାହାର ନାମ ବାରଘରିଆ ।ଆଜି ଯାଏ ସେ ଶବର ବସ୍ତି ବାରଘରରୁ କେବେ ତେର ଘର ହୋଇନାହିଁ।ସେମାନେ କୁଆଡେ ସାପଗ୍ରସ୍ତ ।ଏବଂ ସେ ବାର ଘରିଆ ଶବର ବସ୍ତିର ଶବର ମାନେ ମହେନ୍ଦ୍ର ପର୍ବତରେ ଥିବା ଭଗବାନ ଶିବ ଠାକୁରଙ୍କୁ ପୂଜାର୍ଚ୍ଚନା କରିଥାନ୍ତି।
ଦିନକର କଥା---- ସେହି ଶବର ବସ୍ତିର ଜଣେ ଶବର ଦମ୍ଫତ୍ତିଙ୍କ ମଧ୍ୟରେ ଭୀଷଣ କଳହ ହେଲା।କଳହ କ୍ରମେ ଭୀଷଣ ରୂପ ଧାରଣ କରିବାରୁ, ପୁରୁଷ ଲୋକଟି ନିଜ ଜୀବନ ପ୍ରତି ବୀତସ୍ପୃହ ହୋଇ ଗୃହ ତ୍ୟାଗ କରି ଆତ୍ମହତ୍ୟା କରିବାକୁ ମନସ୍ଥ କରି ମହେନ୍ଦ୍ର ପର୍ବତ ଉପରକୁ ଚଢ଼ିବାକୁ ଲାଗିଲା ଏବଂ ଯାଉ ଯାଉ ସେ ଅର୍ଜୁନ ଗୁମ୍ଫା ମଧ୍ୟରେ ପ୍ରବେଶ କଲା।ଉଦେଶ୍ୟ ଥିଲା ଆତ୍ମହତ୍ୟା ନ କରି ଏମିତି ଚାଲୁ ଚାଲୁ ଯଦି କୌଣସି ବନ୍ୟ ଜନ୍ତୁଙ୍କ ହାବୁଡ଼ରେ ପଡି ସେମାନଙ୍କର ଆହାର ହୋଇଯାଏ ତା ହେଲେ ସେ ପରମ ସୌଭାଗ୍ୟ ପ୍ରାପ୍ତି କରିବ।
ଅର୍ଜୁନ ଗୁମ୍ଫାରେ ବହୁତ ଭିତରକୁ ଚାଲି ଚାଲି ଗଲା ପରେ ଶବରଟିକୁ ଏକ ପଥରର ଦ୍ୱାର ଦେଖାଗଲା ।ଶବର ଭାବିଲା ଏଠି ବୋଧେ ଗୁମ୍ଫାଟି ଶେଷ ହୋଇଛି ।କିନ୍ତୁ ଦ୍ୱାରର ପଶ୍ଚାତ ଭାଗରୁ କ୍ଷୀଣ ଆଲୋକ ରେଖା ଦେଖି ଉତ୍କଣ୍ଠାର ସହିତ କଣ ଅଛି ବୋଲି ଦ୍ୱାର ଦେଶକୁ ଖୋଲିବାକୁ ଚେଷ୍ଟା କଲା।ଦ୍ୱାରକୁ ସ୍ପର୍ଶ କରିବା ମାତ୍ରେ ଆଶ୍ଚର୍ଯ୍ୟ ଭାବରେ ଦ୍ୱାରଟି ଉନ୍ମୁକ୍ତ ହେଲା।ଏବଂ ସେହି ଉଜ୍ଜ୍ବଳ ଆଲୋକ ମଧ୍ୟକୁ ଶବରଟି ଧୀରେ ଧୀରେ ପ୍ରଵେଶ କରିବାକୁ ଲାଗିଲା।ଦେଖିଲା ସେ ଏକ ଅଲଗା ଦୁନିଆରେ ଅଛି ଏକ ବୈଚିତ୍ର୍ୟ ମୟ ପରିବେଶରେ ,ନା ଅଛି ସେଠାରେ ଭୋକ ,ନା ଅଛି ଶୋଷ ,ନା ଅଛି ସେଠାରେ ଜରା ,ନା ଅଛି ବ୍ୟାଧି । ।ଏତେ ସୁନ୍ଦର ମନୋରମ ଶାନ୍ତି ମୟ ପରିବେଶ ସେ ଆଗରୁ କେବେ କେଉଁଠି ଦେଖିନଥିଲା।ଚାରିଆଡେ ସାଧୁ ସନ୍ୟାସୀ ମାନେ ତପସ୍ୟା ରତ ଥିଲେ।ସମସ୍ତେ ଧ୍ୟାନରେ ମଗ୍ନ ଥାନ୍ତି ସେଇ ଅପୂର୍ବ ଅଲୌକିକ ଜାଗାରେ।ସେଇ ସୁନ୍ଦର ପରିବେଶ ମଧ୍ୟରେ ବୁଲି ବୁଲି ଦେଖୁଥାଏ ଶବରଟି।ବୁଲି ବୁଲି ସେହି ଅପୁର୍ବ ସୌନ୍ଦର୍ଯ୍ୟର ସମାହାର ପ୍ରାକୃତିକ ଦୃଶ୍ୟ ରାଜିକୁ ଅଵଲୋକନ କରୁଥିବା ସମୟରେ ହଟାତ ଜଣେ ସାଧୁ ତାର ପଥରୋଧ କଲେ।ଆସିବାର କାରଣ ଜାଣିବାକୁ ଜିଜ୍ଞାସା କରନ୍ତେ ଶବର ଜଣକ ତାର ଦୁଃଖ କାହାଣୀ ବର୍ଣ୍ଣନା କରେ ସାଧୁଙ୍କ ଆଗରେ।ସାଧୁ ତାଙ୍କ ଦିବ୍ୟ ଦୃଷ୍ଟି ବଳରେ ସବୁକିଛି ହୃଦୟଙ୍ଗମ କରି ଶବରକୁ ଏଠାରେ ଏହି ଦିବ୍ୟ ଅଲୌକିକ ପରିବେଶରେ ରହିବାକୁ ଚାହୁଁଛି ନା ପୁନର୍ବାର ନିଜ ଜଗତକୁ ଫେରିଯିବାକୁ ଚାହୁଁଛି ପ୍ରଶ୍ନ କରନ୍ତେ ଶବରଟି ପୁନର୍ବାର ନିଜ ଜଗତକୁ ଫେରିଯିବାକୁ ଚାହୁଁଛି କହିଲା।କାରଣ ଶବରର ଆଖି ଆଗରେ ଭାସି ଆସିଲା ତାର ଭାର୍ଯ୍ୟା ଓ କୁନି କୁନି ଶିଶୁ ଚାରଟିର ମୁହଁ ।ସେ ଆଉ ସେଠାରେ ରହିବାକୁ ଚାହିଁ ନଥିଲା। ମୂର୍ଖ ଶବର କାହୁଁ ବୁଝିବ ନିଜ ସଂସାର ଓ ଅଲୌକିକ ସଂସାର ମଧ୍ୟରେ ଫରକ।
ସାଂସାରିକ ମୋହ ମାୟାର ଆକର୍ଷଣ ତାକୁ ବାଧା ଦେଉଥିଲା ସେଠାରେ ଅଵସ୍ଥାନ କରିବାରେ।
ଯୋଗୀ ଶବର କୁ ପ୍ରତ୍ୟାବର୍ତ୍ତନ କରିବାକୁ ଆଦେଶ ଦେଲେ ।ଶବର କିନ୍ତୁ ଯୋଗୀଙ୍କୁ କହିଲା ମହାନୁଭବ ମତେ ଆପଣଙ୍କ ଏହି ଦିବ୍ୟ ଜାଗାରୁ ଏମିତି କିଛି ଜିନିଷ ଦିଅନ୍ତୁ ଯାହା କି ମୁଁ ମୋ ଶବର ବସ୍ତିରେ ଦେଖେଇ କହିପାରିବି ଯେ ମୁଁ ଏକ ଅଲୌକିକ ଜାଗାକୁ ଯାଇ ଭ୍ରମଣ କରି ଆସିଛି।ଶବରର କଥାକୁ ଏଡେଇଁ ନ ପାରି ସାଧୁ ଜଣକ ତାକୁ ଏକ ତୁଳସୀ ପତ୍ର ଦେଲେ ଯାହାର ଆକାର ଥିଲା ଏକ ବଡ଼ ଖଲି ପତ୍ର ପରି । କିନ୍ତୁ ଯୋଗୀ ତାକୁ ଏହା ମଧ୍ୟ କହିଲେ ଯେ ତୁ ଯଦି ଏ ଜାଗାର ରହସ୍ୟ ଓ ଠିକଣା କାହା ଆଗରେ ଉନ୍ମୋଚନ କରୁ ତା ହେଲେ ତୁ ଅକାଳ ମୃତ୍ୟୁ ପଥର ଯାତ୍ରୀ ହେବୁ।ତତ୍ ପରେ ଶବରଟି ଯେମିତି ଆସିଥିଲା ସେହି ରାସ୍ତାରେ ନିଜ ଗୃହଭିମୁଖେ ପ୍ରତ୍ୟାବର୍ତ୍ତନ କଲା।
ଚାଲି ଚାଲି ବସ୍ତି ନିକଟରେ ପହଞ୍ଚିଲା ପରେ ଶବରଟି ଦେଖେ ତ ବସ୍ତି ମୁଣ୍ଡରେ କାହାର ପଂକ୍ତି ଭୋଜନ ଚାଲିଛି ।ଶବରଟି ତ ପ୍ରାତଃ କାଳରେ ଘରୁ ବାହାରି କ୍ରୋଧ ବଶତଃ ଚାଲିଯାଇଥିଲା ଯିବା ସମୟରେ ବାଟରେ କିଛି ଜଙ୍ଗଲୀ ଫଳ ଛଡା ଆଉ କିଛି ଭକ୍ଷଣ କରି ନଥିଲା ,ଆସିଲା ବେଳକୁ ମଧ୍ୟ୍ୟହ୍ନ ସମୟ ଦିବ୍ୟ ଅଲୌକିକ ପରିବେଶରୁ ବାହାରିବା ପରେ ତାକୁ ବହୁତ ଜୋରରେ ଭୋକ।ନିଜ କ୍ଷୁଧାକୁ ସମ୍ଭାଳି ନ ପାରି ସେ ପଂକ୍ତି ଭୋଜନରେ ଯୋଗ ଦେଲା।ପଂକ୍ତି ଭୋଜନରେ ତାକୁ ଦେଖି ତାର ଜାତି ଭାଇ ମାନେ ଭୂତ ଭୂତ ଚିତ୍କାର କରି ଦୌଡ଼ି ପଳେଇଲେ।କିଛି ବୁଝି ନ ପାରି ଶବର ଜଣକ ନିଜ ଗୃହାଭିମୁଖେ ଅଗ୍ରସର ହେଲା।ଏବଂ ଗୃହ ରେ ନିଜ ଭାର୍ଯ୍ୟା (ସ୍ତ୍ରୀ) କୁ ବିଧବା ରୂପରେ ଦେଖି ଆଶ୍ଚର୍ଯ୍ୟନ୍ବିତ ହେଲା।ତାକୁ ଆଉ ବୁଝିବାକୁ ବାକି ନଥିଲା, ସେ ମରିଯାଇଛି ବୋଲି ସମସ୍ତେ ଭାବି ତାର କ୍ରିୟା କର୍ମ ସମ୍ପାଦନ କରିସାରିଛନ୍ତି ଆଉ ପଂକ୍ତି ଭୋଜନରେ ତାକୁ ଦେଖି ତାର ଜାତି ଭାଇ ଦୌଡ଼ି ପଳେଇବାର କାରଣ ମଧ୍ୟ ବର୍ତ୍ତମାନ ସେ ହୃଦୟଙ୍ଗମ କଲା। ଶବରଟି ଦିବ୍ୟ ଅଲୌକିକ ଜାଗାକୁ ଯାଇ ପ୍ରତ୍ୟାବର୍ତ୍ତନ କରିବା ଭିତରେ ୧୪ ଦିନ ଅତିକ୍ରାନ୍ତ ହୋଇଯାଇଛି।ଯେହେତୁ ସେ ଝଗଡା କରି ଆତ୍ମହତ୍ୟା କରିବାକୁ ଚାଲିଯାଇଥିଲା ,ଏତେ ଦିନ ଧରି ସେ ନ ଆସିବାରୁ ସେ ମୃତ ଭାବି ତା ଜାତି ଭାଇ ତାର ଅନ୍ତେଷ୍ଟି କ୍ରିୟା ସମ୍ପଦନ କରିଦେଇଛନ୍ତି।ଶବରଟି ନିଜ କ୍ଷୁଦ୍ର ମନରେ ଏବେ ବି ଜାଣିବାକୁ ଅସମର୍ଥ ଥିଲା ପ୍ରାତଃରେ ଯାଇ ମଧ୍ୟ୍ୟହ୍ନରେ ଆସିବା ଭିତରେ ୧୪ ଦିନ କେମିତି ଅତିବାହିତ ହୋଇଗଲା।
କିନ୍ତୁ ସେ ଏହାକୁ ଯୋଗୀଙ୍କ ମାୟା ଭାବି ଚୁପ ରହିଲା କାରଣ ଯୋଗୀ କହିଥିଲେ ଯଦି ଏ କଥା କାହାଆଗରେ ପ୍ରକାଶ କରିବୁ ତେବେ ମରିବୁ।ତତ୍ୱ ପଶ୍ଚାତ ଅବଶିଷ୍ଟ ଜୀବନ ସେ ବହୁତ ଖୁସି ରେ ନିଜ ପରିବାରଙ୍କ ଗହଣରେ ଅତିବାହିତ କଲା। ଏବଂ ବାର୍ଦ୍ଧକ୍ୟର ଶେଷ ଅବସ୍ଥାରେ ନିଜ ପୁତ୍ର ସାମ୍ନାରେ ଏହି ରହସ୍ୟକୁ ଉନ୍ମୋଚନ କରି ପ୍ରାଣ ତ୍ୟାଗ କଲା।
ଅର୍ଜୁନ ଗୁମ୍ଫା ଭିତରକୁ ଯାଇ ପ୍ରତ୍ୟାବର୍ତ୍ତନ କରିବା ଭିତରେ ଶବରକୁ ଲାଗିଲା ମାତ୍ର କେତେ ଘଣ୍ଟାର ବ୍ୟବଧାନରେ ସେ ଫେରି ଆସିଛି ମାତ୍ର ସେତିକି ସମୟ ଭିତରେ ୧୪ ଦିନ ହୋଇଯାଇଥିଲା।ଅର୍ଥାତ ଆମର ଏଠାରେ ୧୪ ଦିନ ସେ ଅଲୌକିକ ଜାଗାର କିଛି ମୁହୂର୍ତ୍ତ ସହ ସମାନ।ଏ ଥିଲା ଅର୍ଜୁନ ଗୁମ୍ଫା ବିଷୟରେ କିଛି ରହସ୍ୟ।ଆଉରି ତ ଅନେକ ଘଟଣା ଅଛି ସବୁ କିଛି ଲେଖିବା ତ ସମ୍ଭବ ନୁହେଁ ।
ପାଠକ ପାଠିକା ବୃନ୍ଦ ମୋ ଲେଖାରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହୋଇଥାଏ ତେବେ କ୍ଷମା ଦେବେ ।
