ଅଫୁଟା ଫୁଲର ମହକ
ଅଫୁଟା ଫୁଲର ମହକ
କାରାରୁଦ୍ଧ ମଣିଷଟିଏ କଣ କରିପାରେ? ଅତିବାହିତ ହେଇ ଚାଲିଥିବା ସମୟରେ ଅନ୍ତରର କଥା ବୁଝିବାକୁ ଲାଗିଛି ମୃଣାଳିନୀ କିଛି କିଛି I ତିନି ମାସ ହେଇଗଲାଣି ମୃଣାଳିନୀ ଘରୁ ବାହାରକୁ ବାହାରିନି I ଅନିର୍ଦ୍ଧିଷ୍ଟ ଜୀବନରେ କିଛିଟା ନିର୍ଦ୍ଧିଷ୍ଠ ଦିଗର ସନ୍ଧାନରେ ହଜିଥିବା ମଣିଷଟିଏ ସିଏ I ଯେବେଠାରୁ ସୁଧାଂଶୁ ସହ ବାଇକରେ ଦୁର୍ଘଟଣାଗ୍ରସ୍ତ ହୋଇ ନିଜର ବାକ ଶକ୍ତି ହରେଇ ବସିଛି, ଏକାକୀ ହୋଇ ଯାଇଛି ସିଏ I ଦୁଃଖର ଅତଳ ସମୁଦ୍ରରେ କୂଳ କିନାରା ପାଉନି ! ଉପର ଆଉ ତଳ ଭଉଣୀର ବାହାଘର ସାରି ଦେଇଛି ବୋଉ ତାହାର ସ୍ଵର୍ଗବାସ ପୂର୍ବରୁ, କିନ୍ତୁ ଜାତକ ମେଳ ଖାଉ ନଥିବାରୁ ତାହାର ବାହାଘରଟି ସ୍ଥିର କରି ପାରି ନଥିଲା I
ଏକ ପ୍ରକାର ପରୋକ୍ଷ ଅନୁମତି ମିଳି ଯାଇଥିଲା ମୃଣାଳିନୀକୁ ସୁଧାଂଶୁ ସହ ସମ୍ପର୍କ ଗଢ଼ିବାକୁ ଆଉ ଚାହିଁ ନ ଚାହିଁ ମଧ୍ୟ ବଢି ଯାଇଥିଲା ସହକର୍ମୀ ସୁଧାଂଶୁ ସହିତ ତାହାର ଅନ୍ତରଙ୍ଗତା ସେଦିନ ଯାଏଁ ଯେଉଁ ଦିନ ଯାଏଁ ସୁଧାଂଶୁ ମନ୍ଦିର ବେଢାରେ ତାହାକୁ କହି ନଥିଲା ତାହାର ଜୀବନର ଗୋଟିଏ ସତ୍ୟ I ସେ ବୋଉକୁ କଥା ଦେଇଛି ବୋଉର ଇଚ୍ଛା ଅନୁସାରେ ହିଁ ବାହାଘର ହେବ ଆଉ ବୋଉର ଚୟନର ଝିଅ ସହିତ ! ଚମକି ପଡିଥିଲା ମୃଣାଳିନୀ ! ଆଜିର ଯୁଗରେ ଏମିତି ମଣିଷ ମଧ୍ୟ ଅଛନ୍ତି ଯିଏ ନିଜର ସ୍ଵତନ୍ତ୍ର ଇଚ୍ଛା ବ୍ୟକ୍ତ କରି ପାରନ୍ତି ନାହିଁ ଆଉ ନିଜର ଜୀବନର ନିର୍ଣ୍ଣୟ ନେଇ ପାରନ୍ତି ନାହିଁ? କିଛି ଉତ୍ତର ଦେଇ ନଥିଲା ମୃଣାଳିନୀ ଆଉ ସୁଧାଂଶୁ କହିବା ଅନୁସାରେ ଯାଇ ତାହାର ବୋଉ ସହ ଦେଖା କରି ଦେଇଥିଲା ଥରେ: କାଳେ ସୁଧାଂଶୁର ବୋଉ ତାହାକୁ ପସନ୍ଦ କରିନେବ! କିନ୍ତୁ ଏକ ମାତ୍ର ପୁତ୍ରର ଜନନୀ ହେଇଥିବାର ସୌଭାଗ୍ୟରୁ ବଞ୍ଚିତା ହେବାକୁ ଅମଙ୍ଗ ଥିଲେ ସୁଧାଂଶୁର ମାଆ I ସାଧାରଣ ଶିକ୍ଷୟତ୍ରୀଟିଏ ବଦଳରେ ସେ ଚୟନ କରିଥିଲେ ଦୂରରେ ଥିବା ନିଜର ଜଣେ ବାନ୍ଧବୀଙ୍କ ଝିଅକୁ ନିଜର ବୋହୁ ରୂପରେ I ସୌନ୍ଦର୍ଯ୍ୟ ଆଉ ଗୁଣ ଫିକା ପଡିଯାଇଥିଲା ଜମିଦାରୀ ଆଉ ଯୌତୁକର ଚମକ ଦମକରେ I କିନ୍ତୁ ମୃଣାଳିନୀର ଦୁଃଖ ସରି ନଥିଲା ସେତିକିରେ, ସୁଧାଂଶୁ ସହ ଗାଡ଼ିରେ ଫେରିଲାବେଳକୁ ପଛରୁ ଗାଡ଼ିଟିଏ ଆସି ପିଟି ଦେଇ ଥିଲା ଦୁହିଙ୍କୁ I ଅଳ୍ପ କିଛି ଆଘାତ ଥିଲେ ମଧ୍ୟ ମୃଣାଳିନୀ ହରେଇ ବସିଥିଲା ତାହାର ବାଚନ ଶକ୍ତି I ଡାକ୍ତରଙ୍କ ମତରେ ତାହା ଭୌତିକ ଠାରୁ ମାନସିକ କାରଣରୁ ହୋଇଥିଲା I କାରଣ ଯାହା ମଧ୍ୟ ହେଉ ମୃଣାଳିନୀ ପାଲଟି ଯାଇଥିଲା ନିଜର ବାସ ଗୃହରେ ସ୍ଵେଚ୍ଛା ବନ୍ଦିନୀ ଜଣେ !
ମୃଣାଳିନୀ ବହୁତ ଚେଷ୍ଠା କରିଛି ଅତୀତକୁ ଭୁଲି ଆଗାମୀ ଭବିଷ୍ୟତକୁ ଘନୀଭୂତ କରିବାକୁ କିନ୍ତୁ ପାରିନି I କିଛି ଦୁର୍ଘଟଣାକୁ ଦୁଃସ୍ବପ୍ନ ଭଳି ଭୁଲି ହୁଏ ନାହିଁ ଯଦିଓ ଜୀବନାର ସୁଅରେ ଭାସୁଥିବା ମଣିଷଟିଏ ପ୍ରତିକ୍ଷଣରେ ଅତୀତର ସତ୍ୟଠାରୁ ଦୂରେଇ ଚାଲିଥାଏ I
ଫୁଳମତି ଆସି ତାହାର ଘର କାମ କରିଦେଉଛି ଆଉ ସବୁ ଦିନ ଶୁଣେଇ ଦେଉଛି ଗାଆଁ ସାରାର ଖବର I ମୃଣାଳିନୀର ସମୟ କଟି ଯାଉଛି ଛୋଟ ବଡ଼ କାମରେ ଆଉ ବଗିଚାରେ I ମୂକ ମଣିଷଟିଏ ନିଜର ଦୁଃଖ ଜଣେଇବ ବା କେମିତି ଯଦିଓ କେହି ଶୁଣିବାକୁ ରାଜି ହୁଏ? ଛଅ ମାସ ଲାଗି ଛୁଟି ନେଇ ସାରିଛି ସ୍କୁଲରୁ I ମୁଖରୁ ସଂଳାପ ନିର୍ଗତ ଵିନା ଶିକ୍ଷୟତ୍ରୀ ଜଣେ କେମିତି କରିବ ତାହାର ଦୈନିକ କର୍ତ୍ତବ୍ୟ ? ତେଣୁ ମୁଖ୍ୟ ଅଧ୍ୟାପକ ତାହାକୁ ଅନ୍ୟ ପ୍ରକାର ନିଯୁକ୍ତି ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି I
ସୁଧାଂଶୁ ଦୁର୍ଘଟଣାର ପ୍ରଥମ ଦୁଇ ତିନି ସପ୍ତାହ ଯାଏଁ ଖବର ବୁଝିବାକୁ ଆସୁଥିଲା କିନ୍ତୁ ପରେ ପରେ ତାହାର ବାହାଘର ହେଇ ଯାଇଥିଲା I ନିମନ୍ତ୍ରଣ କାର୍ଡଟି ଗ୍ରହଣ କରିଥିଲା ଔପଚାରିକତା ଦୃଷ୍ଟିରୁ ମୃଣାଳିନୀ ଆଉ କୌଣସି ପ୍ରକାର ଅଟକେଇ ଦେଇଥିଲା ତାହାର ଲୁହକୁ I
ତିନି ମାସରେ ଅନେକ କିଛି ତ୍ୟାଗ କରିବାର ଶିଖି ଯାଇଛି ମୃଣାଳିନୀ, ମଣିଷ ସମ୍ପର୍କର ସତ୍ୟତାକୁ ବୁଝି ପାରିଛି ଆଉ ପରିଚିତା ହୋଇ ସାରିଛି ଜୀବନର ଜଟିଳତା ସହିତ I ଦୁର୍ଦ୍ଦଶାରେ କୁଟୁମ୍ବ ସାହା ନ ହେଲେ ମନକୁ ବୁଝଇ ହୁଏ କିନ୍ତୁ ଅନ୍ତରଙ୍ଗ ବନ୍ଧୁ ଉଦାସୀନ ହେଲେ ମନକୁ ବୁଝାଇ ହୁଏ ନାହିଁ I ଅନେକ ସମୟ ଯାଏଁ ନିଜର ଅବସ୍ଥାକୁ ଦେଖି ନିଜକୁ ନିଜେ ସାଂତ୍ଵନା ଦେବାକୁ ଚେଷ୍ଠା କରେ ମୃଣାଳିନୀ କିନ୍ତୁ ବିଫଳ ହୋଇ ଭାଙ୍ଗି ପଡ଼େ !
"ମାଆ ଆଜି ସପ୍ତମୀ I ଏତେ ଦିନ ହେଲା ଘରେ ଏକା ବସିଛ ! ଆଉ କେତେ ଦିନ ଏମିତି ରହିବ? କାହା ସହ କଥା ନ ହେଲେ ନାହିଁ, କାହା ଘରକୁ ନ ଗଲେ ନାହିଁ, ମାଆଙ୍କର ମନ୍ଦିର ଆଡେ ଟିକେ ବୁଲି ଆସୁନ ? ମୁଁ ପୂଜା ପାଇଁ ଥାଳି ସଜାଡି ଦେବି ?" ଫୁଳମତୀ ପଚାରିଲା I ମନେ ମନେ ବିରକ୍ତ ହେଲା ମୃଣାଳିନୀ ! ଖାଲି ଯଦି କଥା କହି ପାରୁଥାନ୍ତା ଫୁଳମତି କୁ ଶୋଧି ଦେଇଥାଆନ୍ତା ବହେ I ଫୁଳମତୀ କଣ ଵୁଝିଵ ତାହାର ମନର ଯନ୍ତ୍ରଣା ? ଫୁଳମତୀ ଘର ସଂସାର କରିଛି, ଚାରି ଘରେ କାମ କରି ପରିବାର ପାଳୁଛି ଆଉ ମଦୁଆ ଗେରସ୍ତକୁ ମଦ ମଧ୍ୟ ଆଣିକି ଦଉଛି ! ଛୁଆ ଚାରିଟାକୁ ମଣିଷ କରିଦେଲେ ତାହାର ଜୀବନରେ ଉଦ୍ଦେଶ୍ୟ ପୁରଣ ହେଇଗଲା I ସିଏ କଣ ବୁଝିବ ମୃଣାଳିନୀର ଦୁଃଖ ? ଏତେ ବନ୍ଧୁ କୁଟୁମ୍ବ ଥାଇ ମଧ୍ୟ ମୃଣାଳିନୀ ଆଜି ଏକୁଟିଆ ହେଇ ଯାଇଛି ! ଦୁଇ ଭଉଣୀ ତାଙ୍କର ନିଜର ସଂସାରରେ ବ୍ୟସ୍ତ ! ସପ୍ତାହଟିଏ ବଡ ଭଉଣୀ ଘରେ ଆଉ ସପ୍ତାହଟିଏ ସାନ ଭଉଣୀ ଘରେ ରହି ଦେଖି ସାରିଛି ମୃଣାଳିନୀ ପରିବାର ଆଉ ରକ୍ତ ସମ୍ପର୍କର ସତ୍ୟତା I ଶେଷରେ ଫେରି ଆସିଛି ତାହାର ବାପାଙ୍କର ପୂରୁଣା ଘରକୁ I ଭାଗ୍ୟ ଭଲ ଗାଆଁରେ ହିଁ ଶିକ୍ଷୟତ୍ରୀ ହୋଇ ଚାକିରୀ କରୁଥିଲା I ଫୁଳମତୀ ଉପରେ ଯେତେ ବିଗିଡ଼ିଲେବି ଏହି ଆପତ୍ତକାଳୀନ ପରିସ୍ଥିତିରେ ସିଏ ହିଁ ସାହା ସାଜିଛି I "ମୁଁ ଯାଉଛି ସଞ୍ଜ ଗଡ଼ିଲାଣି I ପୂଜା ଥାଳି ଥୋଇ ଦେଇଛି ମାଆ, ମନ ହେଲେ ମନ୍ଦିର ଯାଇ ଦର୍ଶନ କରି ଆସ I ଆଜି ମହା ସପ୍ତମୀ ଆଉ ଦେବୀ ଦଶଭୁଜା ମାଆ ସରସ୍ଵତୀଙ୍କର ରୂପରେ ବିରାଜମାନ ହୁଅନ୍ତି ! କିଏ ଜାଣେ ତୁମର ବାକ ଶକ୍ତି ଫେରେଇ ଦେବେ !" ଫୁଳମତୀ ଚାଲିଗଲା I
ହୁଏତ ବାକ ଶକ୍ତି ଫେରିଯିବ ! କିନ୍ତୁ କାହାକୁ ଆଉ କିଛି କହିବାର ଇଛା ଯେଉଁ ମଣିଷର ମନରେ ମରି ଯାଇଥାଏ, ସେ ମଣିଷ କଥା କହି ପାରିଲେ କେତେ ଆଉ ମୂକ ହୋଇ ରହିଗଲେ କେତେ? କଥା ହେବ କାହା ସହିତ, କେଉଁ ବିଷୟରେ ଆଉ କାହିଁକି? ଯଦି ଦେବୀ ଏତେ ଦୟାମୟୀ ତାହା ହେଲେ ଏତେ ସବୁ ଶୋକ ତାହାର ଲାଗି କାହିଁକି? କାହା ପାଇଁ ପୂଜା ଅର୍ଚ୍ଚନା କରିବ? ସମସ୍ତେ ତ ସ୍ଵାର୍ଥପର ! ପରିବାର ଭଳି ପରିବାର ଆଉ ବନ୍ଧୁ କୁଟୁମ୍ବ ଭଳି ବନ୍ଧୁ କୁଟୁମ୍ବ ସ୍ଵାର୍ଥପର !
ପୁଣି ଥରେ ବିଚାର ଆଉ ଅବିଚାରର ଭଉଁରୀରେ ଉବୁଟୁବୁ ହେବାକୁ ଲାଗିଲା ମୃଣାଳିନୀ I ବସିକି ଭାବୁ ଭାବୁ ମନେ ପଡିଗଲା ତାହାର ସ୍କୁଲ ପିଲାଙ୍କ କଥା I ହଁ ସ୍କୁଲ ପିଲା ମାନେ ନିଶ୍ଚୟ ତାକୁ ଭଲ ପାଆନ୍ତି I ଡାକ୍ତରଖାନାରେ ଥିଲା ବେଳେ ତାକୁ ଫୁଲ ଆଉ ଶୁଭେଚ୍ଛା ପତ୍ର ପଠେଇ ଥିଲେ ତାହାର ଆରୋଗ୍ୟ କାମନା କରିକି I
କିଛି ଭାବି ମୃଣାଳିନୀ ସଜ ହୋଇ ମାଡ଼ିଗଲା ମନ୍ଦିର ଆଡକୁ I ପ୍ରତି ବର୍ଷ ସ୍କୁଲରେ ପୂଜା ହୁଏ ଆଉ ପିଲା ମାନେ ତାହାର ଆଶୀର୍ବାଦ ମାଗନ୍ତି I କିଏ ତାହାର ନ ହେଲେ ନାହିଁ, ଆଉ ସିଏ ଶିକ୍ଷୟତ୍ରୀ ନ ହେଇ ପାରିଲେ ନାହିଁ, ମୁଖ୍ୟ ଅଧ୍ୟାପକ କହିଲା ଭଳି, ସ୍କୁଲରେ ଅନ୍ୟ କାମ କରି ପାରିବ I କିନ୍ତୁ ପିଲାଙ୍କ ପାଇଁ ଯାଇ ଆଜି ଟିକେ ପୂଜା କରିଦେବ I ଅଳ୍ପ ସମୟରେ ମନ୍ଦିରରେ ପହଞ୍ଚିଗଲା ମୃଣାଳିନୀ I ତାକୁ ନେଇ ହେଉଥିବା ଫୁସୁରୁ ଫାସୁରୁ କୁ ଭୃକ୍ଷେପ ନ କରି ଚାଲି ଗଲା ଆଉ ଠିଆ ହେଇଗଲା ଥାଳି ସହ ପୂଜାରୀ ନନାଙ୍କ ଆଗରେ I ଅଳ୍ପ ସମୟ ଭିତରେ ଭୁଲି ଗଲା ମୃଣାଳିନୀ ତାହାର ଜୀବନରେ ଚାଲିଥିବା ସଂଗ୍ରାମକୁ ଆଉ ତଲ୍ଲୀନ ହୋଇଗଲା ପୂଜାରେ I
ମୂକ ପାଲଟି କାହାକୁ କିଛି କହି ନ ପାରିବାର ଦୁଃଖର ବନ୍ୟାଜଳ କେତେ ଦିନ ଅବା ଅଟକି ରହି ଥାଆନ୍ତା ? ଉଚ୍ଛୁଳିବାକୁ ଲାଗିଲା ମୃଣାଳିନୀର ମନର ଭାବପ୍ରବଣତା I ଆଷାଢ଼ ଶ୍ରାବଣରେ ଜମାଟ ବାନ୍ଧିଥିବା କୋହ ଗୁଡିକ ଯେମିତି ଅଥୟ ହୋଇ ଉଠିଥିଲେ ତାହାର ହୃଦୟର କାରାଗାରରୁ ମୁକ୍ତି ପାଇବା ପାଇଁ I ସମୟ ଆଉ ସମାଜ ଅନ୍ୟାୟ କରି ପାରେ ଅସହାୟ ମାନବିଟିଏ ପ୍ରତି, କିନ୍ତୁ ଜଗତର ଜନନୀ କଣ ସତରେ ଅନ୍ୟାୟ କରି ପାରିବେ? ଅନ୍ୟର ଦୋଷ ଯୋଗୁଁ ଜୀବନ ଯାକର ଶାସ୍ତି ପାଉଥିବା ମଣିଷଟିଏ ହିଁ ଜାଣେ, ବିନା ଅପରାଧରେ ଦଣ୍ଡ ଭୋଗିବାର ଯାତନା I କ୍ଷମା କରିବାର ପ୍ରଶ୍ନ କି ଦ୍ଵନ୍ଦ ନଥିଲା ତାହାର ମନରେ I ସୁଧାଂଶୁ ମଧ୍ୟ ସମାଜର ଅନେକ ପୁରୁଷଙ୍କ ଭଳି ପୁରୁଷ ଜଣେ, ଯିଏ ନିଜର ମାଆର କଥାକୁ କାଟିବାକୁ ଅକ୍ଷମ I ତେଣୁ ତାକୁ ଦୋଷ ଦେବାରେ ଏମିତିରେ ମଧ୍ୟ କିଛି ବୁଦ୍ଧିମତା ନାହିଁ ! କିନ୍ତୁ ନିଜେ ଏମିତି ସବୁ ଦିନ ଲାଗି ବାକ ଶକ୍ତି ହରେଇବା ଦଣ୍ଡ କାହିଁକି ପାଇଲା ସିଏ? ସତରେ କଣ ଗୋଟିଏ ମିଛ ସମ୍ପର୍କ ଗଢିବାର ଶାସ୍ତି ଏତେ ଭୟଙ୍କର ? ଦୁଇ ହାତ ଯୋଡି ଆଖି ବୁଜି ଦେଇ ମନେ ମନେ କହି ଉଠିଲା, " ମୋତେ କ୍ଷମା କରିଦେ ମାଆ I" ଆଖି ବୁଜିଦେଇ ବାରମ୍ବାର କରିବାକୁ ଲାଗିଥିଲା ସେହି ଗୋଟିଏ ପ୍ରାର୍ଥନା, ଯେ ପର୍ଯ୍ୟନ୍ତ ଆଳତି ଥାଳିର ଉଷ୍ଣତା ତାକୁ ଚମକେଇ ଦେଇ ନଥିଲା I ସାମ୍ନାରେ ପୂଜାରୀ ନନା ବିସ୍ମିତ ହୋଇ ଚାହିଁଛନ୍ତି I ଚାରି ଆଡେ ଦୃଷ୍ଟି ବୁଲେଇ ଆଣି ମୃଣାଳିନୀ ଅନୁଭବ କଲା ସମସ୍ତେ ଏ ତାକୁ ହିଁ ଚାହିଁଛନ୍ତି I "ତୁ ପୁଣି ମାଆଙ୍କୁ ଡାକି ପାରିଲୁ ଆଜି, ମା ଭଗବତୀ ତୋର ସଦା ମଙ୍ଗଳ କରନ୍ତୁ," କହିକି ନନା ଫୁଲ ଆଉ ପ୍ରସାଦ ବଢ଼େଇଦେଲେ ମୃଣାଳିନୀ ହାତକୁ I ସାଥିରେ ଥିବା ସେବକ ଆଗକୁ କରିଦେଲା ଆଳତୀଟି I କିଛି ଭାବିବା ପୂର୍ବରୁ ଆପଣା ଛାଏଁ ମୃଣାଳିନୀ ଗ୍ରହଣ କରି ସାରିଥିଲା ଆଳତି I "ଆଶା କାରୁଛି ତୁ ଶୀଘ୍ର ସମ୍ପୂର୍ଣ ଆରୋଗ୍ୟ ଲାଭ କରିବୁ ମାଆଙ୍କର ଆଶୀର୍ବାଦରୁ ," କହି ପୂଜାରୀ ନନା ଆଉ ତାଙ୍କ ସହାୟକ ଚାଲିଗଲେ ଅନ୍ୟ ରୀତି ନୀତି କରିବାକୁ I
ଆସନ ମୃତ୍ୟୁରୁ କେବେ କେବେ ଜୀବନକୁ ଛଡେଇ ଆଣି ହୁଏ, ଆଉ ଆଣି ହୁଏ ବଞ୍ଚିବାର କାରଣଟିଏ I ମୃଣାଳିନୀର ଆଖିରୁ ଗଡି ଚାଲିଥିଲା ଲୁହ ଆଉ ଦୂରରେ ଠିଆ ହୋଇ ଥିବା ସୁଧାଂଶୁର ମଥାରେ ବଢି ଚାଲିଥିଲା ଭୃକୁଞ୍ଚନ ପଶ୍ଚାତ୍ତାପରେ I ଧୂପର ମହକରେ ଭରି ଯାଇଥିବା ମନ୍ଦିର ପ୍ରାଙ୍ଗଣରେ ଗୁଞ୍ଜିବାକୁ ଲାଗିଥିଲା ଘଣ୍ଟ ଆଉ ମୃଦଙ୍ଗର ଧ୍ୱନି ଉଷ୍ଣତା ଭରା ଦୀପାଳି ମାଳାର ଆଲୋକରେ I ଫୁଲ ହୋଇ ମହକିବାର କାରଣଟିଏ ମିଳି ଯାଇଥିଲା ମୃଣାଳିନୀକୁ I ହଁ ସିଏ ମହକିବ ଆଉ ଗଢିବ ଅନେକ ଛାତ୍ରଙ୍କୁ I ଏହାହିଁ ତାହାର ଜୀବନର ଅଭିଳାଷା I ହୁଏତ ସେଥି ପାଇଁ ଦୁର୍ଘଟଣାଟି ଘଟିଲା, ତାହାକୁ ତାହାର ନିକଟବର୍ତ୍ତୀ ଲୋକଙ୍କର ପ୍ରକୃତ ରୂପ ଆଉ ଚେହେରା ଦେଖେଇବା ଲାଗି !
