ଅପେକ୍ଷାରତ
ଅପେକ୍ଷାରତ
-- ହାଏ, ମୁଁ ପ୍ରିୟଙ୍କା, ମୁଁ କଟକରୁ ଆସିଛି। ତୋ ନା କଣ?
ପଛକୁ ବୁଲିକି ଦେଖିଲା ନିକିତା। ସେଇ ମୁହୂର୍ତ୍ତରେ ହିଁ କଣ ପାଇଁ ପ୍ରିୟଙ୍କା ତାକୁ ଭାରି ଆପଣାର ଲାଗିଲା ।
ମନରେ ଭଗବାନଙ୍କୁ ଧନ୍ୟବାଦ ଦେଇକି କହିଲା -
-- ହାଏ ପ୍ରିୟଙ୍କା, ମୁଁ ନିକିତା ରାଉରକେଲାରୁ ଆସିଛି।
ତା ପରେ କଣ ଥିଲା ଦୁଇଜଣଙ୍କ କଥା ଆରମ୍ଭ ହେଇଯାଇଥିଲା ଅସରନ୍ତି ପେଢି ଭଳି। ସେଇ ଗହଳିରେ କେତେ ଲୋକ ଥିଲେ ହେଲେ ଏଇ ଦୁଇ ଜଣଙ୍କୁ ଆଉ କିଛି ଶୁଣା ଯାଉନଥିଲା। କୋଉ କଲେଜରେ ପାଠ ପଢା, କେମିତି ଏଣ୍ଟ୍ରାନ୍ସ ପରୀକ୍ଷା ଗଲା ସବୁକିଛି। ଯେତେବେଳେ କଲେଜ ପ୍ରିନସପାଲ announce କଲେ ଯେ "welcome to college", ଦୁଇ ଜଣଙ୍କ ଚେତା ପଶିଲା ସେତେବେଳେ।
ଦୁଇ ଜଣ ମିଶି କଲେଜ ପଢା ଆରମ୍ଭ କଲେ। ସାଙ୍ଗ ହେଇ କଲେଜ ଯିବା, ଖାଇବା ପିଇବା କିମ୍ବା ପାଠ ପଢା ସବୁ କିଛି ସମୟ ସହ ତାଳ ଦେଇ ଚାଲିଥିଲା। କେତେ ପରୀକ୍ଷାରେ ଦୁଇ ଜଣ ରାତି ଅନିଦ୍ରା ରହି ପଢିଥିଲେ, କିନ୍ତୁ ନିକିତା ପାରେନି ବେସି ରାତି ଯାଏଁ ପଢିବା। ପ୍ରିୟଙ୍କା ନିଜେ ପାଢ଼ୀକି ନୋଟ ଲେଖିକି ରଖି ଦେଉଥିଲା ନିକିତା ପାଇଁ।
ଭାରି ଖୁସିରେ ସମୟର ସୁଅରେ ଦୁଇ ଜଣ ଭାସି ଚାଲିଥିଲେ। ଦେଖୁ ଦେଖୁ କଲେଜର 3 ବର୍ଷ ପୁରି ଯାଇଥିଲା। ଦୁଇ ଜଣ ଚାକିରୀ ବି ଗୋଟେ କମ୍ପାନୀରେ ପାଇ ଯାଇଥିଲେ। ହେଲେ ବିଧିର ବିଧାନ ଆଉ କିଛି ଥିଲା। ଦୁଇ ଜଣଙ୍କ ଜଇନିଂ ତାରିଖ ଅଲଗା ଥିଲା। ଏତେ ଦିନ ସାଙ୍ଗରେ ରହିଲା ପରେ ଏଇ ବିଚ୍ଛେଦ ବାଢିଥିଲା ଦୁଇ ଜଣଙ୍କୁ କିନ୍ତୁ ପୁଣି ଦେଖା ହେବାର ପ୍ରତିଶୃତି ନେଇ ଅଲଗା ହେଇଥିଲେ ସେମାନେ।
ସେଇ ସମୟରେ 'autograph book' ପ୍ରଥା ଭରିଚାଲିଥିଲା। ସମସ୍ତେ ସମସ୍ତଙ୍କ ପାଇଁ କିଛି ଲେଖୁଥିଲେ। ପ୍ରିୟଙ୍କା ବି ଲେଖିଥିଲା ନିକିତା ପାଇଁ ଗୋଟେ କାହାଣୀ। ନିକିତା ପଢିଥିଲା ଆଉ ହସି ଦେଇ କହିଥିଲା ତାକୁ କଣ ଯେ ପରୀ ମାନଙ୍କ କାହାଣୀ ଲେଖିଛୁ ଯାହାର ଶେଷ ଭାଗଟି ସରେଇନୁ। ପ୍ରୟଙ୍କା କିଛି ନ କହି ହସି ଦେଲା। ସେଇଠୁ ଲୋତକ ଭରା ଆଖିରେ, ଭାରି ଭାରି ହୃଦୟରେ ବିଦାୟ ନେଲେ ଦୁଇ ବନ୍ଧୁ।
ନିକିତାର ଆରମ୍ଭ ହେଇଯାଇଥିଲା ଚାକିରୀ ଜୀବନ ହେଲେ ସେ ଦିନ ଗଣୁଥିଲା ପ୍ରିୟଙ୍କର ଆଗମନର । ସେତେବେଳେ ଚିଠିର ପ୍ରଥା ଥିଲା, ଦୁଇ ସାଙ୍ଗ ଚିଠି ବିନିମୟ କରୁଥିଲେ, ହେଲେ ଗୋଟେ ଚିଠିର ଉତ୍ତର ପାଇଁ ୧୫ ଦିନ ଅପେକ୍ଷା ଟା ଯୁଗ ଭଳି ଲାଗୁଥିଲା ସେମାନଙ୍କୁ। ୧, ୨, ୩, ୪..... ୫୧ ଦିନ ପରେ ଆସିଥିଲା ପ୍ରୟଙ୍କା। ତାକୁ ଦେଖି ଭାବ ବିହ୍ଵଳ ହେଇଯାଇଥିଲା ନିକିତା। ପୁଣି ଥରେ କଲେଜର ପ୍ରଥମ ଦିନ କଥା ହେଲା ଭଳି ଦୁଇ ସାଙ୍ଗ ଗପରେ ମଜ୍ଜି ଗଲେ ଯେ କେତେବେଳେ ଅଧ ରାତି ହେଲା ଜାଣି ପାରିଲେନି, କଥା ହଉ ହଉ ଶୋଇ ପଡ଼ିଥିଲେ।
ଏଇ ଭିତରେ ନିକିତାର ଟ୍ରାନ୍ସଫର ହେଇଯାଇଥିଲା। ସମୟ ଯେମିତି ଏଇ ଦୁଇ ସାଙ୍ଗଙ୍କ ବିରୁଦ୍ଧରେ କିଛି ସନ୍ଧି କରୁଥିଲା। ନିକିତା ଚାଲି ଯାଇଥିଲା ତା ଗନ୍ତବ୍ୟ ସ୍ଥଳକୁ ପୁଣିଥରେ ଖୁବ ଶୀଘ୍ର ଦେଖା ହେବାର ପ୍ରତିଶ୍ରୁତି ନେଇ। ପୁଣି ବ୍ୟସ୍ତତା ଭିତରେ ଦିନ ଗଡ଼ିବାକୁ ଲାଗିଲା। ପୁଣି ଦିନ ଗଣି ଚାଲିଥିଲା। ଫୋନରେ କଥା ହେଲେ ପ୍ରିୟଙ୍କା କହୁଥିଲା, ତୁ ଏଇଟା କିଣି ଥା, ସେଇଟା ଆମେ କିଣିବା ମୁଁ ଆସିଲା ପରେ। ନିକିତା ସବୁ ଜିନିଷ ପ୍ଳାନ କରିକି ରଖିଥିଲା।
ହେଲେ ବିଧିର ବିଧାନ ଥିଲା ଆଉ କିଛି ପ୍ରକାରର। ହଠାତ ଦିନେ ନିକିତା ଜାଣିବାକୁ ପାଇଲା ଯେ ପ୍ରିୟଙ୍କା ଅସୁସ୍ଥ, ତାର ବଞ୍ଚିବାର ଆଶା କ୍ଷୀଣ। ନିକିତା ଆଖି ଆଗରେ ସବୁ ସ୍ମୃତି ଗୁଡିକ ଭାସିବାରେ ଲାଗିଲା। ଭଗବାନଙ୍କୁ କେତେ ନେହୁରା ହେଲା, ଅନ୍ୟ ମାନେ କହିଲେ ସିଏ ଇମ୍ପ୍ରୋଭ କରୁଛି, ହେଲେ ଶେଷରେ ସେଇ ଅବିଶ୍ୱାସ ଖବରଟି ମିଳିଥିଲା ଯେ ପ୍ରିୟଙ୍କା ଆଉ ନାହିଁ। ନିକିତା ସେଇ ଦିନଠୁ ଜ୍ବରରେ ପଡିଲା ଯେ, ତିନି ଦିନ ପରେ ଜ୍ୱର ଛାଡିଲା ହେଲେ ସିଏ କିଛି ଖାଉ ନ ଥିବାରୁ ପୁରା ଦୁର୍ବଳ ହେଇ ପଡିଥିଲା। ସିଏ ବିଶ୍ୱାସ କରି ପାରୁନଥିଲା ଯେ ଭଗବାନ ତା ଅନୁରୋଧ ଶୁଣିଲେନି। ତାର ସବୁଠୁ ପ୍ରିୟ ସାଙ୍ଗକୁ ଏତେ ଶୀଘ୍ର ନେଇଗଲେ ନିଜ ପାଖକୁ।
ନିକିତା ଆଖିରୁ ଲୁହ ସରୁ ନ ଥିଲା। ବହୁ ବର୍ଷ ଯାଇଁ ସ୍ମୃତି ପଟୁଆରରେ ରହି ଗଲା। ସମସ୍ତେ ବୁଝା ବୁଝି କଲା ପରେ ଟିକେ ଆଶ୍ୱସ୍ତ ହେଲା। ପୁଣି ଥରେ ଜୀବନର ଗାଡ଼ିରେ ଗଡି ଚାଲିଲା। ଦିନେ ସେଇ ପୁରୁଣା autograph book ରୁ ପ୍ରିୟଙ୍କା ଲେଖିଥିବା ପୃଷ୍ଠାକୁ ଖୋଲି ପଢିଲା। ସତେ ଯେମିତି ପ୍ରିୟଙ୍କା ଭବିଷ୍ୟତ ଜାଣି ପାରିଥିଲା, ସେମିତି ସିଏ ଶେଷ ଧାଡିରେ ଲେଖିଥିଲା ଯେ "ସମୟ ସ୍ରୋତରେ ନିକିତା ଆଉ ପ୍ରିୟଙ୍କାକୁ ଅଲଗା ହେବାକୁ ପଡିଥିଲା" ହେଲେ ନିକିତା ବୁଝି ନ ଥିଲା ଯେ ପ୍ରିୟଙ୍କା ଏତେ ଦୂର ପଳେଇବ ବୋଲି।
ଏଇ କଥାକୁ କୋଡିଏ ବର୍ଷ ପୁରିଲାଣି, ହେଲେ ନିକିତାର ଗୋଟେ କଣ୍ଟା ଏବେ ବି ସେଇଠି ଅଟକି ଯାଇଛି। ବାହାରକୁ ଦେଖା ନ ଗଲେ ବି ହୃଦୟ ସବୁବେଳେ ସେଇ ବୋଝକୁ ବୋହି ଚାଲିଛି।
ନିକିତା ତଥାପି ଅପେକ୍ଷା ରତ ବନ୍ଧୁ ମିଳନ ପାଇଁ, ସମୟର କଣ୍ଟାକୁ ପଛକୁ ନେଇ ଯିବା ପାଇଁ, ଅସମ୍ଭବକୁ ସମ୍ଭବ କରିବା ପାଇଁ। ସେଇ ଲୋତକଭରା ନୟନରେ ଆଉ ବେଦନା ଭରା ହୃଦୟରେ ଏବେ ବି ଅପେକ୍ଷରତ !!!