Minakshi Samal

Inspirational

5.0  

Minakshi Samal

Inspirational

ଅପେକ୍ଷା

ଅପେକ୍ଷା

2 mins
393



କାଲିଠାରୁ ଅପେକ୍ଷା କରି କରି ଆଖିରୁ ପାଣି ମରିଗଲାଣି।ବାର ଉଲୁଗୁଣା,ମୁହଁ ଛିଞ୍ଚଡା,ଦେଖେଇ ଶିଖେଇ କହିବା ବି ବନ୍ଦ ହଉନି।ମେ ମାସ ୨୯ ତାରିଖରେ ବାହାଘର ହେଇଥିଲା।ଆଜିକି ଛଅ ଦିନ ହେଲା।


ପ୍ରଥମ ସାବିତ୍ରୀ ତମ ଝିଅର।ଭଲକରି ଭାରଥୋର ଦେବ ଯେମିତିକି ବନ୍ଧୁବାନ୍ଧବ,ସାହିଭାଇ ଖାଇକି ବାହାବା କହିବେ।


ପିଅନ ବାପଟି କୋଡପୋଛା ଝିଅଟି ପାଇଁ ନିଜର ସବୁକିଛି ଜମାପୁଞ୍ଜି ଲଗେଇ ଦେଇଛି।ପୁଅକୁ ଭଉଣୀ ବାହାଘରରେ କିଛି ସାହାଯ୍ୟ କରିବାକୁ କହିବାରୁ ସେ ରୋକଠୋକ ମନା କରିଦେଇ କହିଲା........ନିଜେ ଜନ୍ମ କରିଛ।ନିଜେ ବୁଝ ସବୁ।ମା'ଟି ସବୁ ମରମେ ମରମେ ବୁଝିଗଲା।କୋଉ କାଳର ଘଷିହେଇଯାଇଥିବା ସୁନାଚୁଡି ଚାରିପଟ ଓ କାନର ପେଣ୍ଡିଫୁଲ ହଳକ ଦେଇ ଚତୁର୍ଥୀ ଭାର ବାବଦରେ ବାକିଆ ଜିନିଷ କିଣିବାକୁ ବାପକୁ କହିଲା।


କବାଟ ପଛପଟେ ଥାଇ ଝିଅଟି ଶୁଣିପାରୁଥାଏ ବାପା ମା' ଙ୍କ କଥାବାର୍ତ୍ତା।ହିସାବ କିତାବ,ଦିଆନିଆ,ଲୁଗାପଟା,ବନ୍ଧୁ ସଙ୍ଖୁଳା ଏସବୁ ତା କାନରେ ପଡୁଥାଏ।ସବୁ ହିସାବ ତ ସରିଲା।ଏଥର ସାବିତ୍ରୀ ଭାର।ଝିଅ ଜ୍ବାଇଁଙ୍କ ଲୁଗାପଟା,ଚୁଡି ସିନ୍ଦୁର ଓ ଅନ୍ୟାନ୍ୟ ମନୋହରୀ ଜିନିଷ,ଫଳମୂଳ

,ମିଠା,ଖଜା,ଜଲିପି,ଉଖୁଡା,ମୁଆଁ ବାବଦରେ ଆଉରି ପାଞ୍ଚ ହଜାର ଲାଗିଯିବ।କ'ଣ କରିବ ବାପଟି!


ମଥାରେ ହାତ ଦେଇ ବସିପଡିଲା।ମା'ର ଆଖିରୁ ଗଙ୍ଗା ଯମୁନା ବହି ଚାଲିଥାଏ।ଲୁଗାକାନି ରେ ଲୁହପୋଛୁ ଥାଏ ନିରୁପାୟ ହୋଇ।


ମା' ମା' ଡାକି ଝିଅଟି ବାହାରକୁ ଆସିଲା।ମା'ହାତ ଧରି ଭିତରକୁ ଟାଣି ନେଇଗଲା।ମା' କୁ ଖଟ ଉପରେ ବସାଇ କହିବାକୁ ଆରମ୍ଭ କଲା।.......


ସାଙ୍ଗ ଘରକୁ ସଦାବେଳେ ଯାଇ ଡେରିରେ ଘରକୁ ଫେରେ ବୋଲି ତୁ କେତେ ଗାଳିଦଉ।ମୁଁ ତତେ କିଛି କହେନି।ମୁଁ ଅସଲରେ କିଛି କିଛି ଛୋଟ ପିଲାଙ୍କୁ ସେଇଠି ପଢାଏ।ଆମଘରେ ତ ଏତେ ଜାଗା ନଥିଲା। ସେଇଥିପାଇଁ ମୁଁ ମୋ ପଢାଖର୍ଚ୍ଚ ତୁଲାଇବା ପାଇଁ ଉପରବେଳା ଦୁଇଘଣ୍ଟା ଟିଉସନ୍ କରି କିଛି ଟଙ୍କା ରଖିଛି।ତୁ ତାକୁ ନେଇ ବାପାଙ୍କୁ ଦେ।ଏ ଟଙ୍କାରେ ସାବିତ୍ରୀ ଭାର ଖର୍ଚ୍ଚ ଉଠିଯିବ।


ନା ମା ନା।ତୋର ପଇସା ତୁ ରଖ ଝିଅ।ସମୟ ଅସମୟରେ କାମରେ ଆସିବ।ଆମେ କୋଉ ବନ୍ଧୁବାନ୍ଧବ ଠାରୁ ଯୋଗାଡ କରିଦେବୁନି।ତୁ ଚିନ୍ତା କରନା ମା।


ସବୁ ଚିନ୍ତା ତୁମ ମାନଙ୍କ ଉପରେ ଲଦିଦେଇ ମୁଁ କେମିତି ଚାଲିଯିବି ବୋଲି ଭାବୁଛୁ ତୁ।ତତେ ମୋରାଣ ବୋଉ,ତୁ ବାପାଙ୍କୁ ଏକଥା କହିବୁନି।ସାବି ମାଉସୀ ନହେଲେ ମନୀ ମାଉସୀଙ୍କଠୁ ଧାର ଆଣିଛୁ ବୋଲି କହିଦେବୁ।ତମେ ମାନେ ଏଠି କଷ୍ଟ ପାଇଲେ ମୁଁ ସେଠି ଶାନ୍ତିରେ ରହିପାରିବିନି ବୋଉ।ପ୍ରାଣ ହାରିଦେବି।


ଝିଅ ମୁହଁରେ ହାତ ଦେଇଦେଲା ମା।ଛି ଛି! ସେମିତି ଅମଙ୍ଗଳିଆ କଥା କହନା ମା ମୋର।ମୋ ଲକ୍ଷ୍ମୀ ପ୍ରତିମା ତତେ ଭଗବାନ କୋଟି ପରମାୟୁ ଦିଅନ୍ତୁ।ତୋ ଶଂଖା ସିନ୍ଦୂର ବଜର ହେଉ ଝିଅ।ପୁଅକୁ ଆଶ୍ରା କଲୁ ଯେ ସେ ମୁହଁରେ ଲାତ ମାରିଦେଲା।ମା ପେଟର ଗୋଟିଏ ବୋଲି ଭଉଣୀକୁ ଅନେଇଲାନି।କୋହ ସମ୍ଭାଳୁ ସମ୍ଭାଳୁ ଝିଅକୁ କୁଣ୍ଢେଇ ପକାଇଲା ମା'।


ଆଜି ସାବିତ୍ରୀ।ସକାଳ ଆଠଟାରେ ଅଟୋଟି ଲାଗିଲା ଶାଶୁଘର ସାମନାରେ।ହାତ ଯୋଡି ଦୋଷୀ ଟିଏ ପରି ବାପଟି କହୁଥାଏ........ଆସିବାରେ ଡେରି ହୋଇଯାଇଛି ଆଜ୍ଞା।କାଲି ଆସିବା ବାଟରେ ଅଟୋଟି ଖରାପ ହୋଇଗଲା।ଅଧରାତିରେ ପହଞ୍ଚି ଆପଣ ମାନଙ୍କୁ ହଇରାଣ କାହିଁକି କରିବି ଏଇଆ ଭାବି ରାତିରେ ବାଜପୁର ବଜାରରେ ଅଟୋରେ ରାତିଟା କାଟିଦେଲି।


କହୁକହୁ ବୁଢା ବାପଟି ତରତର ହୋଇ ଅଟୋରୁ ଜିନିଷପତ୍ର ବାହାର କରି ପିଣ୍ଡା ଉପରେ ରଖିବାକୁ ଲାଗିଲା।


ନୂଆ ବୋହୁଟିକୁ ଡାକ ଦିଆଗଲା ଆ ଲୋ ମା ତୋ ବାପା ଆସିଲେଣି ପରା।ଓଢଣା ଭିତରୁ ବାପାଙ୍କୁ ଦେଖି ଖୁସିହୋଇଯାଉଥିଲା ନୂଆ ବୋହୁଟି।ପ୍ରଥମ ଥର ପାଇଁ ସାବିତ୍ରୀ ବ୍ରତ କରିଥିବା ଝିଅଟି ମନେ ମନେ ଭାବୁଥିଲା......ଆଉ ଗୋଟିଏ ସାବିତ୍ରୀର ସତ୍ୟବାନଙ୍କୁ(ନିଜ ବାପାଙ୍କୁ) ସେ କିଛିମାତ୍ରାରେ ସାହାଯ୍ୟ କରିପାରିଛି।ଗତକାଲି ଠାରୁ ନିନ୍ଦା ଶୁଣିଶୁଣି ତା'ର ଝାଉଁଳି ପଡିଥିବା ମୁହଁରେ ଚେନାଏ ହସ ଖେଳିଗଲା।



Rate this content
Log in

Similar oriya story from Inspirational