Minakshi Samal

Drama

2  

Minakshi Samal

Drama

ଅନୁଶୋଚନା

ଅନୁଶୋଚନା

3 mins
120


ଗୁରୁବାର ଦିନ ଅଫିସରୁ ଫେରି ଧୁଆଧୋଇ ହୋଇ ଖଟ ଉପରେ ଟିକେ ଗଡପଡ ହେଉଥାଏ । ସାରାଦିନ କମ୍ପ୍ୟୁଟର ସାମନାରେ ବସିବସି ଅଣ୍ଟାରେ କେମିତି ଟିକେ ବ୍ୟଥା ଥାଏ । ପଞ୍ଜରା ହାଡଟା ବି କଟକଟ୍ କରୁଥାଏ । ଝିଅକୁ ଡାକି କହିଲି ପିଠିରେ ଟିକେ ଠିଆ ହେବାକୁ । ମୋ ଝିଅ ରିମି ସାତ ବର୍ଷର । ଯେତେବେଳେ ମୋର ଏମିତି ପିଠିରେ ବ୍ୟଥା ହୁଏ ତାକୁ ଡାକିଲେ ସେ କିଛି ସମୟ ପାଇଁ ପିଠିରେ ଛିଡା ହୋଇଯାଏ । ପିଠିର ପଞ୍ଜରା ଗୁଡିକ ଟକଟକ ହୋଇ ଡାକ ଦିଅନ୍ତି । ସେ ଡାକ ମୁଁ କେବଳ ଶୁଣିପାରେ । ତାପରେ ମତେ ଟିକେ ଆଶ୍ବସ୍ତ ଲାଗେ । ଝିଅକୁ ବହୁତ ବହୁତ ଧନ୍ୟବାଦ ଦିଏ । ମୋ ସୁନା ଝିଅଟା କହି ତା ମଥା ସାଉଁଳେଇ ଦିଏ । ସେଦିନ ଝିଅ ମୋ ପିଠିରେ ଚଢୁଚଢୁ ଫୋନ ବାଜିଲା । ମୋ ହାତକୁ ଫୋନଟା ବଢେଇ ଦେଇ ରିମି ତା ରୁମକୁ ଚାଲିଗଲା ହୋମଓ୍ବର୍କ କରିବାପାଇଁ ।


ରବିବାର ଦିନ ଆସିବ ସମସ୍ତେ । ସମୀର ଭାଇ କହିଛନ୍ତି ସେଦିନ ଦେଶୀ କୁକୁଡ଼ା ଆଣିବେ । ବାଗଦା ଚିଙ୍ଗୁଡ଼ି ଆମ ଘରପାଖ ମାଛ ମାର୍କେଟରେ ଭଲମିଳୁଛି । ଚିଙ୍ଗୁଡ଼ି ମଲାଇକରି ତତେ ଭଲଲାଗେ । ସେଥିପାଇଁ ସେଦିନ କରିବା । ତିନିଜଣଯାକ ସକାଳୁ ଆସିକି ଏଇଠି ବ୍ରେକଫାଷ୍ଟ କରିବ ଓ ପରେ ଦ୍ବିପ୍ରହର ଖାଇବା ସାରି ଫେରିଯିବ ।

ନା ନା ଏଥର ରବିବାର ଦିନ ଯିବା ସମ୍ଭବ ହେବନି । ବିନିର ଦେହ ଟିକେ ଭଲନାହିଁ । ଜ୍ବର ସହିତ ଦେହହାତ ବିନ୍ଧାଛିଟିକା ହେଉଛି ବୋଲି କହୁଥିଲା । ମେଡିସିନ ଖାଉଛି । ହଉ ଠିକ ଅଛି । ବିନିର ଯତ୍ନ ନେଉଥିବୁ । ଅଫିସରୁ ଶୀଘ୍ର ଆସିବାକୁ ଚେଷ୍ଟା କରିବୁ । ରିମି ସ୍କୁଲ ଯିବାପରେ ବିନି ଏକୁଟିଆ ହୋଇଯାଉଥିବ । ମୁଁ ସୁବିଧା ଦେଖି ଯିବି ତୋ ଘରକୁ ।


ଆରେ ଏତେ ବ୍ୟସ୍ତ ହେବାର ଦରକାର ନାହିଁ । ମୋ ସାଙ୍ଗ ଏଇ ଆପାର୍ଟମେଂଟରେ ରହୁଛି । ତା'ର ମା' ଓ ପତ୍ନୀ ଆସି ବିନି ସାଙ୍ଗରେ ଦିନବେଳା କିଛି ସମୟ କାଟିବା ପାଇଁ ମୁଁ କହିଛି ସାଙ୍ଗକୁ । କିଛି ଅସୁବିଧା ହେବନି । ତୋର ଆସିବା ଦରକାର ନାହିଁ ।

ଫୋନ କାଟିଦେଲି । ମନା କରିଦେଲି ଦିଦିକୁ ଘରକୁ ଆସିବା ପାଇଁ । ସିଏ ବି ସେମିତି ସବୁକଥାରେ ଖୁବ ବ୍ୟସ୍ତ ହୋଇଯାଏ । କିଛିଦିନ ହେଲା ହାଇଦ୍ରାବାଦକୁ ମୋର ବଦଳି ହୋଇଛି । ଭିଣେଇ ଆଗରୁ ଏଇଠି ଅଛନ୍ତି । ମୋର ବଦଳି କଥା ଶୁଣି ଦିଦି ବହୁତ ଖୁସି ହୋଇଥିଲା । କିଛିଦିନ ତାଙ୍କ ଘରେ ରହିବା ପରେ ମୁଁ ଘରଭଡା ନେଇ ଅଫିସ ପାଖରେ ରହିବାକୁ ଲାଗିଲି । ଅଫିସ ଯିବାକୁ ପାଞ୍ଚ ମିନିଟ ଲାଗେ ବାଇକରେ । ଝିଅର ଆଡମିଶନ ଘରପାଖରେ ଥିବା ଏକ ଭଲ ପ୍ରାଇଭେଟ ସ୍କୁଲରେ ହୋଇଗଲା । ପ୍ରାୟ ରବିବାର ଖାଇବାଟା ଦିଦିଘରେ ହୁଏ । କିଛି ଭଲଜିନିଷ ଯଦି ସେ ବନାଏ ତେବେ ନିଜେ ଟ୍ୟାକ୍ସିକରି ଆସି ଦେଇଯାଏ । ସାନଭାଇ ବୋଲି ଭାରି ସ୍ନେହ କରେ । ଏବେବି ସେଇ ସାନପିଲାଟି ଭଳି ଭାବେ ମତେ ।


ରବିବାର ଦିନ ଦୁଇଟା ପାଖାପାଖି ହବ । ଛୁଟିଦିନ ବୋଲି ଟିକେ ଆରାମରେ କାମ ସରେ । ତରତର ହୋଇ ଅଫିସ ଯିବାର ନଥାଏ । ଡେରିରେ ଗାଧାଏ ମୁଁ ରବିବାର ଦିନ । ସେଇ ରୁଟିନରେ ମୁଁ ଦୁଇଟା ବେଳେ ଗାଧୋଇ ପୋଛିପାଛି ହେଉଛି ହଠାତ୍ କଲିଙ୍ଗ ବେଲ ବାଜିଲା । ଡାଇନିଂ ଟେବୁଲରେ ଭାତବାଢି ବିନି ଓ ରିମି ବସିଥାନ୍ତି । ସେଥିପାଇଁ ମୁଁ ଗଲି ଦରଜା ଖୋଲିବାକୁ । ଦିଦି ଛିଡା ହୋଇଥିଲା ହାତରେ ଦୁଇଟି ପ୍ୟାକେଟ ଧରି । ଅପ୍ରତ୍ୟାଶିତ ଭାବରେ ଦିଦିକୁ ଦେଖି ମୁଁ ହଡବଡେଇ ଗଲି । ଦିଦି ରିମାକୁ ଡାକ ଛାଡିଲା । ତା' ହାତରେ ଚିପସ୍,କ୍ୟାଡବରୀ ଚକଲେଟ୍ ଧରାଇଦେଲା । ମୁଁ ଘର ଭିତରକୁ ଡାକିଲେ ମଧ୍ୟ ନଆସି ମୋ ହାତରେ ଧରାଇଦେଲା ଗରମା ଗରମ ବାଗଦା ଚିଙ୍ଗୁଡ଼ିର ମଲାଇକରି ଓ ଦେଶୀକୁକୁଡା ଝୋଳରେ ଭରିଥିବା ଟିଫିନ ଦୁଇଟି । ବିନି ଠିକ ଅଛିକି ନାହିଁ ଦେଖିବାକୁ ଆସିଗଲିରେ । ମନଟା ମାନିଲାନି ତ ।


ଓଲାକ୍ୟାବ ତଳେ ଠିଆକରି ଆସିଥିଲା ବୋଲି ସେମିତି ବାହାରୁ ବାହାରୁ ଚାଲିଗଲା ଦିଦି । ବୋଧହୁଏ ଦରଜା ପାଖରୁ ସ୍ପଷ୍ଟ ଦେଖିପାରୁଥିଲା ଡାଇନିଂ ଟେବୁଲରେ ନିଜ ବାପା,ମା ଓ ଭଉଣୀଙ୍କ ସହିତ ବିନି ହସିହସି ଖାଉଥିବାର ଦୃଶ୍ୟ ଓ ମୋର ମିଛ କହିବା ଟା ବୋଧହୁଏ ସେ ଗ୍ରହଣ କରି ପାରୁ ନଥିଲା । ଟିଫିନ ଦୁଇଟି ହାତରେ ଧରି ମୁଁ ସ୍ତବ୍ଧ ହୋଇ ଠିଆ ହୋଇଥିଲି ।



Rate this content
Log in

Similar oriya story from Drama