Pramod Kumar Jena

Inspirational

4.3  

Pramod Kumar Jena

Inspirational

ଅନୁକରଣ

ଅନୁକରଣ

2 mins
491


ଟିଫିନ୍ ଟାଇମ୍ ହୋଇଥାଏ । ଟିଚର୍ସ୍ କମନରୁମରେ ସବୁ ମିସ୍ ନିଜ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ବିଷୟରେ ଅଳ୍ପେ ବହୁତ ଟିପ୍ପଣୀ ଦେଉଥାନ୍ତି । କିଏ ମଜା ନେଉଥାଏ ତ କିଏ ବିରକ୍ତ ହେଉଥାଏ । ଟିଚର୍ସ୍ କମନରୁମର ଏଇଟା ଚିରାଚରିତ ଦୃଶ୍ୟ । ଗତ କାଲି ହୋଇଥିବା ପାରେଣ୍ଟ୍ସ୍ – ଟିଚର୍ ମିଟିଙ୍ଗରେ କିଛି ଦୃଶ୍ୟର ପର୍ଯ୍ୟାଲୋଚନା ହେଉଥାଏ । କିଛି ପାରେଣ୍ଟସ୍ ମନ ଦେଇ ଶୁଣୁ ଥିଲେ ତ ଆଉ କିଛି ପାରେଣ୍ଟସ୍ ନିଜର ଡିଣ୍ଡିମ ପିଟୁଥିଲେ । କେମିତି ମ୍ୟାନର୍ସ ସେମାନେ ପିଲାମାନଙ୍କୁ ଶିଖେଇଛନ୍ତି । ତା’ପରେ ଟିଚରମାନଙ୍କୁ ଉପଦେଶ, କ’ଣ କରାଯିବ । ଯେତେବେଳେ ସେମାନଙ୍କୁ ନିମନ୍ତ୍ରଣ କରାଯାଇଛି ଟଲେରଟ୍ ତ କରିବାକୁ ପଡିବ ।

ହଠାତ୍ କିଏ ଗୋଟେ ଛୁଆ ଜୋରରେ କାନ୍ଦିବା ଶୁଣାଗଲା । ଅବଶ୍ୟ ଏମିତି କେଉଁ କେଉଁ ପିଲା ସବୁଦିନେ କାନ୍ଦନ୍ତି । କିନ୍ତୁ କିଛି ସମୟ ପରେ ଚୁପ୍ ହୋଇ ଯାଆନ୍ତି । କିନ୍ତୁ ମିସ୍ ରୋଜି ଲକ୍ଷ୍ୟ କଲେ ଛୁଆଟିର କାନ୍ଦ ବନ୍ଦ ହେବାର ନାଆଁ ନେଉ ନାହିଁ । ଟିକିଏ ବ୍ୟସ୍ତ ଲାଗିଲା । ଭାବିଲେ ଟିକେ ଯାଇ ବୁଲି ଦେଖି ଆସିବେ । ଯାଇ ଦେଖନ୍ତି ତ ଟିନା କାନ୍ଦୁଛି ଖୁବ୍ ଜୋରରେ । କିଛି ପିଲା ତା’ ଚାରିପଟେ ଘେରି ରହିଛନ୍ତି ।

ପାଖକୁ ଗଲେ । ପଚାରିଲେ, କ’ଣ ହେଲା ?

ଗୋଟିଏ ଛୋଟ ଝିଅ ଆସି କହିଲେ,

: ମିସ୍………ଟିନାକୁ ଆଦି ଗାଳି କଲା ।

: କାହିଁକି ଗାଳି କଲା ? କୁଆଡେ ଗଲା ସେ ?

ଟିନା ପାଖକୁ ଆସିଲେ ସେ ।

: କ’ଣ ହେଲା ମାମା ? କାନ୍ଦନା……….. ଟିନା ଲୁହ ପୋଛି ପଚାରିଲେ, ମିସଙ୍କୁ କହିବନି ?

ଧକେଇ ଧକେଇ କାନ୍ଦୁ କାନ୍ଦୁ ଟିନା କହିଲା,

: ମମ୍ମି କହିଥିଲା, ଫ୍ରେଣ୍ଡମାନଙ୍କ ସହ ଟିଫିନ୍ ସେଆର୍ କରିବାକୁ ।

: ଭଲ ହେଲା । ଅସୁବିଧା କ’ଣ ହେଲା ?

: ମୋ ଠାରୁ ସମସ୍ତେ ଖାଇଲେ । ମୁଁ ଯେତେବେଳେ ଆଦିକୁ ମାଗିଲି, ମୋତେ କହିଲା ଭିକାରୀ ।

ପୁଣି କାନ୍ଦିବା ଆରମ୍ଭ କରିଦେଲା ।

: ମମ୍ମି ମୋତେ ପ୍ରିନ୍ସେସ୍ ବୋଲି ଡାକନ୍ତି । ଜେଜେମାଆ ଲକ୍ଷ୍ମୀ ବୋଲି ଡାକନ୍ତି । ଆଦି ମୋତେ କହୁଛି ମୁଁ ଭିକାରୀ । କାନ୍ଦ ତା’ର ଆଉ ବନ୍ଦ ହେଲାନି ।

କୋଳକୁ ଆଉଜେଇ ନେଲେ ଟିନାକୁ । ତା’ କାନ୍ଦରୁ ଜାଣିପାରିଲେ କେତେ କଷ୍ଟ ହୋଇଛି ତା’କୁ । ଆଉ ମନେ ପକାଇଲେ ପାରେଣ୍ଟସ୍-ଟିଚର୍ ମିଟିଙ୍ଗରେ ଲମ୍ବା ଲମ୍ବା ଭାଷଣ ମାରୁଥିବା ଆଦିର ମାଆଙ୍କ କଥା । ‘ଆମେ ଭୁଲିଯାଉ ପିଲାମାନେ ବଡମାନଙ୍କ ଠାରୁ ଯାହା ଶୁଣନ୍ତି ସେୟା କରନ୍ତି ।’

ଭାତ ହାଣ୍ଡିରୁ ଭାତ ଚିପିଲା ଭଳି ଜଣା ପଡିଯାଏ କାହା ଘରୁ କିଏ କ’ଣ ଶିଖି ଆସିଛି ?

ପ୍ରମୋଦ କୁମାର ଜେନା ©



Rate this content
Log in

Similar oriya story from Inspirational