ଅନୁଭୂତିରେ ମହାପ୍ରଭୁ
ଅନୁଭୂତିରେ ମହାପ୍ରଭୁ
1991 ମସିହାର କଥା । ମୁଁ ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ନୂଆକରି ଚାକିରୀ କରୁଥାଏ। ମୋ ସହିତ ମୋର ସ୍ତ୍ରୀ, ସାତ ବର୍ଷର ପୁଅ ବୁବୁନୁ, ଚାରି ବର୍ଷର ଝିଅ ବିନି ଓ ସତୁରୀ ବର୍ଷର ମାଆ ରହୁଥାଆନ୍ତି । ଆମ ନିଜ ଗାଁ ଯାଜପୁର ଜିଲ୍ଲା ଉପର ବରୁଆଁରେ ବାପାଙ୍କ ସ୍ୱର୍ଗ ବାସ ହୋଇଗଲା ପରେ ମାଆ ଏବଂ ବଡ଼ଭାଇଙ୍କ ପୁଅକୁ ମଧ୍ୟ ନେଇ ମୋ ନିଜ ପାଖରେ ରଖିଥାଏ । ସେତେବେଳେ ଆମ ପରିବାରିକ ସ୍ଥିତି ଆଦୈ। ଭଲ ନଥାଏ । ଭୁବନେଶ୍ୱର କଳ୍ପନା ଫ୍ଲାଟରେ ରହୁଥିବା ମୋର ବଡ଼ଭାଇଙ୍କ ଏପିଲେପ୍ସି ଜନିତ ବ୍ୟାଧି ତଥା ଦୁଶ୍ଚିନ୍ତା କାରଣରୁ ମାନସିକ ସନ୍ତୁଳନ ପୂରା ବିଗିଡି ଯାଇଥାଏ । ଘରେ ଭାଉଜ ଓ ତିନି ତିନିଟି ପିଲା ଦୁଃଖରେ କାଳ କଟାଉଥାନ୍ତି । ଏହି କାରଣରୁ ମୋ ପାଖରେ ରହୁଥିବା ମାଆଙ୍କ ମନ ସବୁବେଳେ ଅଶାନ୍ତ ରହୁଥାଏ, ସେ ସର୍ବଦା ଭୁବନେଶ୍ୱର ଆସି ବଡ଼ପୁଅ ଓ ନାତିନାତୁଣୀକୁ ଦେଖିବାକୁ ବାଉଳି ହୁଏ । ସେତେବେଳେ ଗମନାଗମନରେ ଥିବା ବହୁ ଅସୁବିଧା, କର୍ମବ୍ୟସ୍ତତା ଓ ପାରିବାରିକ ଆର୍ଥିକ ଅବସ୍ଥା ଦର୍ଶାଇ ମୁଁ ତାକୁ ବୁଝାଇ ଧୈର୍ଯ୍ୟ ଦିଏ । ମୋ ପାଖରେ ରହି ପାଠ ପଢୁଥିବା ଭାଇଙ୍କ ପୁଅଟି ମାଟ୍ରିକ ପରୀକ୍ଷା ଦେଇ ସାରିବା ପରେ ଜୁନ ମାସ ପ୍ରଥମ ସପ୍ତାହରେ ଆମେ ସମସ୍ତେ ଭୁବନେଶ୍ୱର ଆସିଲୁ । ଭାଇଙ୍କ ବସାରେ ପହଞ୍ଚି ବଡ଼ଭାଇଙ୍କୁ ଦେଖି ମାଆ ବହୁତ କନ୍ଦାକଟା କଲେ । ଭାଉଜଙ୍କ ସହିତ ଆଲୋଚନା ସମୟରେ ମୁଁ ଜଣାଇଲି ଯେ ମୋର ବେଶୀ ଦିନ ଛୁଟି ନାହିଁ । ମୁଁ ଗାଁ କୁ ଯାଇ ଦୁଇଦିନ ଭିତରେ ସୁବର୍ଣ୍ଣପୁର ଚାକିରୀକୁ ଫେରିବାକୁ ପଡିବ । ସେ ମୋ ଆଡକୁ ଜଳଜଳ କରି ଚାହିଁ ପଚାରିଲେ କଅଣ ବୋଉ ବି ଏଠି ରହିବେ ? ମୁଁ କହିଲି ସେ ବୁଢୀ ମଣିଷ । ବସରେ ଧକଡଚକଡ ହୋଇ ସାରାରାତି ବାନ୍ତି କରି କରି ଆସିଛି । ସବୁବେଳେ ତ ସିଏ ମୋ ପାଖରେ ରହି ଭାଇ ପାଇଁ ମନସ୍ତାପ କରୁଛି, ରାତିରେ ଭଲକି ଶୋଇପାରୁ ନାହିଁ । ଏଠି ମାସେ ଖଣ୍ଡେ ରହୁ । ମୁଁ ପୁଣି ଆସିଲେ ତାକୁ ନେଇଯିବି । ଭାଉଜ ବେଦନା ଭରା କଣ୍ଠରେ କହିଲେ, ତୁମ ପାଖରେ ଥିବା ପୁଅଟିକୁ ତ ଆଣିଛ, ତା ସାଙ୍ଗକୁ ବୋଉ । ମୁଁ ତୁମ ଭାଇ ଓ ବୋଉ ଦୁଇ ଦୁଇ ଜଣ ପାଗଳ ଲୋକଙ୍କୁ ନେଇ ଏଠି କେମିତି ଚଳିବି । ମୁଁ ତାଙ୍କ କଥାର କିଛି ଉତ୍ତର ଦେଇପାରିନଥିଲି, ନତାଲା ଅଫିସରେ ଥିବା ଜରୁରୀ କାମ ପାଇଁ ମୁଁ ଘରୁ ବାହାରି ଆସିଲି ।
ଭାଉଜ ଓ ମୋ ଭିତରେ ହୋଇଥିବା ଏହି କଥାକୁ କିନ୍ତୁ ମାଆ (ବୋଉ) ଆଢୁଆଳେ ଥାଇ ଶୁଣିଥିଲା । ସମସ୍ତେ ଖାଇ ବିଶ୍ରାମ ନେଉଥିବା ବେଳେ ସେ ବସାରୁ କାହାକୁ କିଛି ନ କହି କେଉଁ ଆଡେ ପଳାଇଲା ।
ସେତେବେଳେ ଆଜିକା ପରି ମୋବାଇଲ ଫୋନ ନଥିଲା । ମୁଁ ପ୍ରାୟ ଅପରାହ୍ନ ଚାରିଟା ବେଳକୁ ବସାକୁ ଫେରି ଦେଖେ ତ ସମସ୍ତେ ବୋଉକୁ ଚାରିଆଡେ ଖୋଜାଖୋଜି କରି ସେ ପର୍ଯ୍ୟନ୍ତ ପାଇ ନାହାନ୍ତି । ପଚାରି ଜାଣିଲି ସେ ଗଲାବେଳେ ତା ସହିତ କେବଳ ସେ ପୂଜା କରୁଥିବା ଜଗନ୍ନାଥ ଓ ଛତିଆ ଠାକୁରଙ୍କ ଫଟୋ ଦୁଇଟି ନେଇ ଯାଇଛି ।
ମୋତେ ଚାରିଆଡ଼ ଅନ୍ଧାର ଦିଶିଲା । ମୁଁ ସମୟ ବିଳମ୍ବ ନକରି ଆଖପାଖ ଚାରିଆଡ ତନ୍ନ ତନ୍ନ କରି ଖୋଜୁଥାଏ, ଲୋକମାନଙ୍କୁ ପଚାରି ବୁଝୁଥାଏ । କେଉଁଠାରେ କିଛି ହେଲେ ସୂଚନା ମିଳିଲା ନାହିଁ । ଭାବିଲି ତା ପାଖରେ ତ ଟଙ୍କା ପଇସା ନାହିଁ, ବୁଢୀ ମଣିଷ କେଉଁଠି ଅନ୍ତର୍ଦ୍ଧାନ ହୋଇଗଲା । ସେଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରି ତା ପରଦିନ ବି ଭୁବନେଶ୍ୱର ଗଳିକନ୍ଦିରେ ଖୋଜିଲି ।
ତା ପର ଦିନ ମୁଁ ପୁରୀ ଯିବାକୁ ବାହାରିଲି, କାଳେ ସେଇଠିକୁ ବୋଉ ଯାଇଥିବ । ମୋର ଅସ୍ଥିରତା ଦେଖି ମୋତେ ଏକୁଟିଆ ନ ଛାଡି ମୋ ସହିତ ମୋର ପତ୍ନୀ ମଧ୍ୟ ଗଲେ । ପୁରୀ ଠାକୁରଙ୍କୁ ଦର୍ଶନ କରି, ମନର ଦୁଃଖ ଜଣାଇ ଓ କିଛି ସମ୍ଭାବ୍ୟ ଲୋକବାକଙ୍କୁ ପଚରା ଉଚରା କରି କିଛି ସୂଚନା ନ ପାଇବାରୁ ସମୁଦ୍ରକୂଳ ଆଡେ ଯାଇ ଲୋକଙ୍କଠାରୁ ବୁଝିଲୁ । ମନକୁ କେତେ ଆଡୁ କେତେ ଦୁଶ୍ଚିନ୍ତା ଘାରୁଥାଏ । ସମୁଦ୍ରକୂଳ ଥାନାକୁ ମଧ୍ୟ ଯାଇ ବୁଝାବୁଝି କଲୁ, ନିରାଶ ମନରେ ଶ୍ରୀମନ୍ଦିର ଠାରୁ ଗୁଣ୍ଡିଚା ମନ୍ଦିର ଯାଏ ଚାଲିଚାଲି ଚାରିଥର ଏପଟ ସେପଟ ହେଲୁ । କୌଣସି ଠାରୁ କୌଣସି ସୂଚନା ନପାଇ ସେଠାରୁ ସିଧା ଛତିଆବଟକୁ ଆସିଲୁ ।
ଛତିଆକୁ ବୋଉ ସହିତ ମୁଁ ଅନେକ ଥର ଆସିଛି । ମୋର ଜନ୍ମବେଳଠୁ ମୋତେ ସେଠାରେ ବୋଉ ବାବାଜୀ କରି ସମର୍ପି ଦେଇଥିଲା । ମୋତେ ସେଠାରୁ ପୁଣି ମୁକୁଳାଇ ବାହା କରିଥିଲା । ସେଠାରେ ଚିହ୍ନାଥିବା ଚୈତନ ବାବା, ରାଧାଶ୍ୟାମ ଭାଇ ଖୁବ୍ ଜଣାଶୁଣା । ତାଙ୍କଠାରୁ ଖବର ନେଇ ବୁଝିଲି ବୋଉ ସେଠାକୁ ମଧ୍ୟ ଆସିନାହିଁ ।
ଏଣୁ ଗଭୀର ଦୁଃଖ ଓ ଅବସାଦରେ ଏହି କଥା ଗାଁରେ ପରିଜନମାନଙ୍କୁ ନିହାତି ଜଣାଇବା ଉଚିତ ଭାବି ଆମେ ଗାଁ କୁ ଆସିଲୁ । ତାପର ଦିନ ସକାଳ ପ୍ରାୟ ଦଶଟା ହେବ । ଘରେ ଗୋଡ ଦେଉଦେଉ ଜଣେ ସମ୍ପର୍କୀୟ ଖୁଡୀ ଆସି ଖବର ଦେଲେ ଆଜି ସକାଳୁ ତୁମ ବୋଉ ତ ଆସି କଷ୍ଟରେ ଘରେ ପହଞ୍ଚିଚି । ତୁମେ ତା ସହିତ ନ ଆସି ଏତେ ଡେରିଯାଏ କେଉଁଠି ଥିଲ ।
ଆମେ ସତରେ ଆଶ୍ଚର୍ଯ୍ୟ ଚକିତ ହୋଇଗଲୁ । ସଙ୍ଗେ ସଙ୍ଗେ ତା ପାଖକୁ ଯାଇ ଭୋ ଭୋ କାନ୍ଦି ଉଠିଲି । ତାକୁ ପଚାରି ଜାଣିଲି ଯେ ଭାଉଜ କଥା ଶୁଣି ତା ମନରେ ଭାରି ଆଘାତ ଲାଗିଲା । ଘରୁ ଏକ ମୁହଁ। ହୋଇ ସେ ଚାଲି ଚାଲି ଆସୁଥାଏ, ଗୋଟିଏ ଦୋଛକି ପାଖରେ ତଳେ ମୁହଁ ମାଡି ପଡିଗଲା । ପାଖରେ ଥିବା କିଛି ଲୋକ ଦଉଡି ଆସି ତାକୁ ଉଠାଇଲେ, ପାଖରେ ଥିବା ମନ୍ଦିରକୁ ନେଇ ତାକୁ ସାଷ୍ଟମ କଲେ । ଦୁଇଦିନ ରଖି ଖାଇବାକୁ ପିଇବାକୁ ଦେଇ ତାକୁ କେଉଁଠିକୁ ଯିବ ବୋଲି ପଚାରିଲେ । ସେ କହିଲା-ମୋର ଦୁଇଟି ପୁଅ, ଜଣେ କାଳିଆ ଓ ଅନ୍ୟଟି ବଳିଆ ଓ ସେ ନିଜ ଗାଁ ଘରକୁ ଯିବ ବୋଲି କହିଲା । ସେହି ଅପରିଚିତ ଲୋକ ନିଜକୁ କାଳିଆ ଓ ବଳିଆ ଓ ବୁଢୀ ମାଉସୀ ଆମେ ତୁମର ନିଜ ପୁଅ ବୋଲି କହିଲେ । ତାକୁ ନୁଆ ଶାଢୀ ଦୁଇଖଣ୍ଡ କିଣି ଆଣିଦେଲେ । ଗାଡିରେ ଆଣି ବସାଇ ତା ହାତରେ ଦୁଇଶହ ଟଙ୍କା ଜବରଦସ୍ତ ଧରାଇଲେ । ଡ୍ରାଇଭରକୁ ବାରବାର ବୁଝାଇ ତାଙ୍କ ମାଆଙ୍କୁ ଆମ ଗାଁ ବରୁଆଁ ଛକରେ ଓହ୍ଲାଇ ଦେବାକୁ କହିଲେ । ବୋଉ ତାଙ୍କ ଲୁଗା ଟଙ୍କା ନେବାକୁ ଯେତେ ନାହିଁ ନାହିଁ କଲେ ବି ତା କଥା ମୋଟେ ଶୁଣି ନ ଥିଲେ । କହିଲେ ମାଆ ଆମେ ପା ତୁମ ପୁଅ । ଯଦି ପର ବୋଲି ଭାବୁଥାଅ ଏହି କାଗଜରେ ଆମ ଠିକଣା ଲେଖାଅଛି, ତୁମେ ଘରେ ପହଞ୍ଚି ତୁମ ପୁଅଙ୍କୁ କହିବ ସେ ପଇସା ପଠାଇଦେବେ ।
ମୁଁ ସେ କାଗଜଟି ତା ଠାରୁ ଆଣି ଖୋଲି ଦେଖେ ତ ସେଥିରେ କିଛି ଲେଖା ନାହିଁ । ମୁଁ ଆହୁରି ଜାଣିଲି ବୋଉ ଗାଁ କୁ ଆସି ଆମର ଏକ ବାଡିକୁ ଜଣକୁ ବିକି ପୁରୀ ଯାଇ ତା କାଳିଆ ବଳିଆ ପୁଅଙ୍କ ଟଙ୍କା ଦେଇ ଆସିବାକୁ ମନସ୍ଥ କରିଥିଲା ଓ କିଛି ଲୋକଙ୍କୁ ମଧ୍ୟ କହିଥିଲା ।
ମୁଁ ଫେରିବାବେଳକୁ ଭୁବନେଶ୍ୱର ଆସି ତା କହିବା ଅନୁସାରେ ଠଉରାଇ ସେ ମନ୍ଦିର ପାଖରେ ବୁଝାବୁଝି କଲି । ମାତ୍ର ମୋର ଅସହାୟ ବୋଉକୁ ମରଣ ମୁହଁରୁ ବଞ୍ଚାଇଥିବା ଭାଇ ସେହି କାଳିଆ ବଳିଆଙ୍କ ଚିହ୍ନ ବର୍ଣ୍ଣ ପାଇ ପାରିଲି ନାହିଁ ।
ମୁଁ ଯେତେବେଳେ ବି ପୁରୀ ଯାଏ, ମହାପ୍ରଭୁଙ୍କ ଦର୍ଶନ କରିବାବେଳେ ମୋ ଆଖିରେ ସେହି ଉପକାରୀ କାଳିଆ ବଳିଆ ମହାପୁରୁଷ ଦ୍ୱୟଙ୍କ ଜୀବନ୍ତ ରୂପ ମୋ ଆଖି ଆଗରେ ନାଚିଉଠେ, ମୋ ଆଖିରେ ଲୁହ ଜକାଇ ଆସେ ।
ମୋ ବୋଉ ସ୍ୱର୍ଗବାସ ହେବା ଚବିଶ ବର୍ଷ ହେଲାଣି । ଆଜି ମୋ ଜୀବନରେ ଅଙ୍ଗେ ନିଭାଇଥିବା ଏକ ନିଚ୍ଛକ ସତ୍ୟକୁ ପରିପ୍ରକାଶ କରିବାକୁ ସୁଯୋଗ ମିଳିଥିବାରୁ ମନ ହାଲୁକା ଲାଗୁଛି ।
