STORYMIRROR

KRUTIBAS NAYAK

Inspirational Others

4  

KRUTIBAS NAYAK

Inspirational Others

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ତିନି) -ଡକ୍ଟର କୃତ୍ତିବାସ ନାୟକ

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ତିନି) -ଡକ୍ଟର କୃତ୍ତିବାସ ନାୟକ

3 mins
242


ନୁଆବର୍ଷର ଆଗମନ ପୂର୍ବରୁ ଅନେକ ଶୁଭକାମନା ଶୁଭେଚ୍ଛା ଆମେ ସମସ୍ତେ ପାଇଥିଲେ-ଏ' ବର୍ଷଟି ବିଶ୍ୱବାସୀଙ୍କ ପାଇଁ ଅତ୍ୟନ୍ତ ଅନୁକୂଳ ହେଉ, କିନ୍ତୁ ଏଥର ନୂଆବର୍ଷ ସବୁବର୍ଷ ପରି ଆସିଥିଲା ସତ, କିନ୍ତୁ 2020 ମସିହାର ପ୍ରଥମ ସପ୍ତାହରେ ହିଁ ସମଗ୍ର ବିଶ୍ୱପାଇଁ ଦୁଃସମ୍ବାଦ ଆଣିଦେଲା | ଚୀନ ଦେଶର ଓହାନ ସହରରୁ ବାହାରିଥିବା କରୋନା କୋଭିଡ଼-19 ଭୂତାଣୁ ସଂକ୍ରମଣ ସମଗ୍ର ବିଶ୍ୱବାସୀଙ୍କୁ ଆତଙ୍କିତ କରିଦେଲା | ଅବଶ୍ୟ ଭାରତରେ ସେହି ଭୂତାଣୁ ସଂକ୍ରମିତ ହେବାକୁ ବିଳମ୍ବ ହୋଇଥିଲା | ଭୁବନେଶ୍ୱରରେ ସବୁ କାମ ସାରି ଝିଅ,ଜ୍ୱାଇଁ, ନାତି-ନାତୁଣୀ ବେଶ ଭଲରେ ଦିଲ୍ଲୀ ଫେରି ଯାଇଥିଲେ | କିଛିଦିନ ପରେ ଜ୍ୱାଇଁଙ୍କର ଅନୁରୋଧ ରକ୍ଷାକରି ମୋର ପତ୍ନୀ କିଛିଦିନ ପାଇଁ ଏକୁଟିଆ ଦିଲ୍ଲୀ ଚାଲିଗଲେ, ସେଇଠି ତାଙ୍କୁ କିଛି କାମରେ ସହାୟତା କରିବା ପାଇଁ | ମୁଁ ଏକା ଏକା ଘରେ ରହିଲି | ପିଲାଙ୍କ ପାଇଁ ତ ଆମକୁ ଟିକେ ସମୟ ଦେବାକୁ ହେବ, ତେଣୁ ଘରର ସବୁକାମ ସହିତ ମୁଁ ପ୍ରତିଦିନ ଫେସବୁକରେ ଲେଖା ପୋଷ୍ଟିଂ କାମ ବି କରୁଥିଲି | ଦୈନିକ କିଛି କିଛି ଲେଖାଲେଖି ବି କରୁଥିଲି | ଛାତ ଉପରେ ଥିବା ଛୋଟିଆ ବଗିଚାର ଯତ୍ନ ବି ନେଉଥିଲି | ମଝିରେ ମଝିରେ ଛୋଟ-ବଡ଼ ସାହିତ୍ୟ ସଭାରେ ବି ଯୋଗଦାନ କରୁଥିଲି | ଏମିତି ସମୟ କଟି ଯାଉଥିଲା |

ଧୀରେ ଧୀରେ କରୋନା ଆତଙ୍କ ଭାରତକୁ ବି ମାଡ଼ି ଆସିଲା | ମାର୍ଚ୍ଚ ମାସ 22 ତାରିଖରୁ ଓଡ଼ିଶାରେ ଜନ ସଚେତନତା ଜାଗ୍ରତ ପାଇଁ କଟକଣା ବି ଲାଗୁହେଲା | ସେହିଦିନ ବି ଜୟଦେବ ଭବନରେ ଗୋଟିଏ ସାହିତ୍ୟ ଉତ୍ସବ ଚାଲିଥିଲା | ତାକୁ ତୁରନ୍ତ ବନ୍ଦ କରିଦିଆଗଲା | ଚାରିଆଡ଼େ ଭୟର ବାତାବରଣ ସୃଷ୍ଟିହେଲା | ଘରୁ ବାହାରିବା ମନାହେଲା | ଆମଭଳି ବୟସ୍କମାନଙ୍କୁ ଅଧିକ ସାବଧାନ ହେବାକୁ ପଡ଼ିଲା | ଅଳ୍ପ କେଇଟା ଦିନ ଭିତରେ ସାରା ଭାରତରେ କରୋନା ତା'ର ତାଣ୍ଡବଲୀଳା ଚଳାଇଲା | ମୋ ପତ୍ନୀ ଆଉ ଦିଲ୍ଲୀରୁ ଫେରି ପାରିଲେ ନାହିଁ |

ଏପ୍ରିଲ ମାସ 13 ତାରିଖ ଦିନ ମୋ ବୋଉର ପୁଣ୍ୟତିଥୀ ଥିଲା | ମୋର ବଡ଼ଭାଇ ଡାକ ବିଭାଗରୁ ଅବସର ନେଇ ବାଲିମେଳା ଜିଲା ମାଲକାନଗିରିରେ ରହନ୍ତି | ସେ ପ୍ରତିବର୍ଷ ବୋଉର ଶ୍ରାଦ୍ଧ କର୍ମକୁ ଅତି ନିଷ୍ଠାର ସହିତ ପାଳନ କରନ୍ତି | ଆମେ ସୁବିଧା ସୁଯୋଗ ଦେଖି ସେଇଠି ପହଞ୍ଚି ଥାଉ | ସେଦିନ ସେ ବୋଉର ଶ୍ରାଦ୍ଧକୁ ଅତ୍ୟନ୍ତ ଶ୍ରଦ୍ଧାର ସହିତ ଶେଷ କରିଥିଲେ, କିନ୍ତୁ ରାତି 12ଟା ସମୟରେ ସେ ହୃଦଘାତରେ ପ୍ରାଣ ହରାଇଦେଲେ | ଏଭଳି ଦୁଃଖଦାୟକ ସମ୍ବାଦ ଆମକୁ ଦାରୁଣ ଆଘାତ ଦେଲା | କରୋନା କଟକଣା କାରଣରୁ ଆମେ କେହି ବି ତାଙ୍କ ସଂସ୍କାର କର୍ମ ବା ଶୁଦ୍ଧିକର୍ମରେ ଯୋଗଦାନ କରି ନ ପାରି କେଵଳ ଦୁଃଖିତ ହେଲୁ |

ଏଣେ ଅତି ସାବଧାନରେ ଚଳାଚଳ କରୁଥିବା ମଣିଷ, କାହାରି ଜିନିଷକୁ ନ ଛୁଇଁବା ଲୋକ, ପୁଣି ଘରୁ ବାହାରୁ ନଥିବା ସତ୍ୱେ ମୋ ପତ୍ନୀ ଜୁନମାସ ପ୍ରଥମ ସପ୍ତାହରେ କରୋନା କୋଭିଡ ଭୂତାଣୁଦ୍ୱାରା କବଳିତ ହେଇଗଲେ | ପ୍ରଥମେ ସ୍ଥାନୀୟ ଡାକ୍ତରଙ୍କ ଦ୍ୱାରା ଆନ୍ତ୍ରିକ ଜ୍ୱର ପାଇଁ ଏବଂ ପରେ ହୃଦୟ ରୋଗର ଚିକିତ୍ସା ଚାଲିଥିଲା | ଆଠ-ଦଶଦିନ ପରେ ଜଣା ପଡ଼ିଲା ଯେ, ସେ କୋଭିଡ-19 ଦ୍ୱାରା ପୀଡ଼ିତ |

ସେହି ସମୟରେ କରୋନା ଆତଙ୍କ ଦିଲ୍ଲୀରେ ଅତି ଭୟଙ୍କର ରୂପ ଧାରଣ କରିଥାଏ | ଏହି ଦୁଃସମ୍ବାଦ ଆମକୁ ସମସ୍ତଙ୍କୁ ଭୟଭୀତ କରିଦେଲା | ଝିଅ-ଜ୍ବାଇଁ ଅତ୍ୟନ୍ତ ସାହସର ସହିତ ତାଙ୍କୁ ନେଇ କରୋନା କୋଭିଡ଼ର ଉତ୍ତମ ଚିକିତ୍ସା ଉଦ୍ଦେଶ୍ୟରେ ସ୍ଥାନୀୟ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରିଦେଲେ | ରୋଗୀର ଅବସ୍ଥା ଅତ୍ୟନ୍ତ ଖରାପ ହେଉଥିବାରୁ ତାଙ୍କୁ ତୁରନ୍ତ ଆଇ ସି ୟୁରେ ରଖାଗଲା | ଅତ୍ୟଧିକ କଟକଣା ଥିବାରୁ ରୋଗୀ ସହିତ କାହାରିକୁ ଦେଖା କରିବାକୁ ସୁଯୋଗ ଦିଆଗଲା ନାହିଁ | ସେ ସମୟର ଦୁଃଖ ଏବଂ ଭୟ ଆମ ପରିବାରକୁ ଆଚ୍ଛନ୍ନ କରି ରଖିଦେଲା | ରୋଗୀର ଅବସ୍ଥା ବୁଝିବାକୁ ମଧ୍ୟ ସୁଯୋଗ ମିଳିଲା ନାହିଁ | ବ୍ୟାକୁଳିତ ମନରେ ମୁଁ ଭୁବନେଶ୍ୱରରେ ଥାଇ କେବଳ ଭଗବାନଙ୍କୁ ପ୍ରାର୍ଥନା କରୁଥାଏ | ଅସୁସ୍ଥ ପତ୍ନୀଙ୍କୁ ଦେଖା କରିବାକୁ ମୋର କୌଣସି ଉପାୟ ନଥିଲା | ସମସ୍ତ ପ୍ରକାର ଗମନା ଗମନ ବ୍ୟବସ୍ଥା ଏକ ପ୍ରକାର ବନ୍ଦ ହେଇଯାଇଥିଲା |

ଆମେରିକାରେ ସେତେବେଳକୁ କରୋନା ଭୂତାଣୁର ପ୍ରକୋପ ପ୍ରବଳ ଭାବରେ ଥାଏ | ପୁଅ ସେଇଠି ଥାଇ ଆମେରିକାରେ ଥିବା ବିଶିଷ୍ଟ ଡାକ୍ତରମାନଙ୍କ ପରାମର୍ଶ କରି କିଛି କିଛି ଉପାୟ ବତାଉଥାଏ | ଆମେରିକାରେ ବସବାସ କରୁଥିବା ଓଡ଼ିଆ ଭାଇ ଭଉଣୀମାନେ ମିଳିତ ଭାବରେ ମୋ ପତ୍ନୀଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଥିଲେ | କିଛିଦିନ ପରେ ସେ ଟିକେ ସୁସ୍ଥ ହେବାରୁ ତାଙ୍କୁ ସରକାରୀ କୋଭିଡ ହସପିଟାଲରେ ରଖାଗଲା | ସେଠାକାର ଅବସ୍ଥା ଓ ପରିବେଶ ତଥା ଡାକ୍ତରମାନଙ୍କର କାର୍ଯ୍ୟକଳାପ ଅତ୍ୟନ୍ତ ନିମ୍ନମାନର ଥିଲା | ତେଣୁ ସେଠାରୁ କେମିତି ରୋଗୀ ମୁକ୍ତି ପାଇ ଫେରିବ, ସେହି ଚିନ୍ତା ଆମକୁ ଲାଗି ରହିଲା | ଏଭଳି ଜଟିଳ ପରିସ୍ଥିତିରେ ଆମକୁ କେବଳ ଭଗବାନଙ୍କୁ ପ୍ରାର୍ଥନା କରିବା ବ୍ୟତୀତ ଆଉ କୌଣସି ଉପାୟ ନଥିଲା | ଈଶ୍ୱରଙ୍କ ଦୟାରୁ ଜୁନମାସ 27 ତାରିଖ ଦିନ ସେଠାରୁ ମୁକ୍ତି ମିଳିଲା | ତଥାପି ଆମ ସମସ୍ତଙ୍କୁ ଭୟ ଲାଗି ରହିଥିଲା ଯେ, ଗୋଟିଏ ଘର ଭିତରେ ଅତି ମିଳାମିଶା କରି ରହୁଥିବା ଅନ୍ୟ ଚାରିଜଣ ସଦସ୍ୟଙ୍କୁ କାଳେ ଭୂତାଣୁ ସଂକ୍ରମିତ ହୋଇଥିବ | ଭଗବାନଙ୍କ ଅପାର କରୁଣାରୁ ଅନ୍ୟମାନେ ସଂକ୍ରାମିତ ହୋଇ ନଥିଲେ | ସେହି ସମୟରେ ମୋ ଝିଅର ବ୍ୟାକୁଳତା ଏବଂ ସାହସ, ତ୍ୟାଗ କଥାକୁ ଯେ କୌଣସି ଲୋକ ଶୁଣିବେ, ସେ ନିଶ୍ଚୟ ପ୍ରଶଂସା କରିବାକୁ ବାଧ୍ୟ ହେବେ |



Rate this content
Log in

Similar oriya story from Inspirational