ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଷୋହଳ) -ଡକ୍ଟର କୃତ୍ତିବାସ ନାୟକ
ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଷୋହଳ) -ଡକ୍ଟର କୃତ୍ତିବାସ ନାୟକ
କରୋନା ମହାମାରୀ ସମୟରେ ବାଧ୍ୟ-ବାଧକତାରେ ଏକାନ୍ତବାସରେ ଥାଇ କିଏ କେତେ ପ୍ରକାର କାମରେ ଲାଗି ରହିଥିଲେ | ପରିବା ଚାଷୀଙ୍କ ପାଖରୁ ବଜାରକୁ ପନି-ପରିବା ସହଜରେ ଆସି ପାରୁ ନଥିଲା | ଯାହା କିଛି ଆସୁଥିଲା, ତା’ର ଦାମ ସବୁ ଆକାଶଛୁଆଁ ହେଇଯାଇଥିଲା | ଏଣେ ଅଟୋରିକସା ଚାଳକ ଓ ଅନ୍ୟ ଗାଡ଼ିର ଡ୍ରାଇଭରମାନେ ରାସ୍ତାରେ ଗାଡ଼ି ଚଳେଇ ନ ପାରି ନିଜର ପେଟ-ପାଟଣା ଉଦ୍ଦେଶ୍ୟରେ ସହଜତମ କାର୍ଯ୍ୟ ପରିବା ଦୋକାନ ଖୋଲି ରାସ୍ତାଘାଟରେ ଜମା ହେଇଗଲେ | ତା’ର କାରଣ ହେଲା- ସବୁ ଦୋକାନ ବନ୍ଦଥିବା ସମୟରେ କେବଳ ଔଷଧ ଦୋକାନ, ମାଛ-ମାଂସ ଦୋକାନ ଆଉ ପରିବା ଦୋକାନଗୁଡ଼ିକୁ ଖୋଲିବାକୁ ରିହାତି ଦିଆ ଯାଇଥିଲା | ମାଳ ମାଳ ପରିବା ଦୋକାନ ଖୋଲିଗଲା ସିନା, କିନ୍ତୁ ନୂଆ ଦୋକାନୀମାନେ ଅଧିକରୁ ଅଧିକ ରୋଜଗାର ଉଦ୍ଦେଶ୍ୟରେ ବେଶ ଚଢାମୂଲ୍ୟରେ ପରିବା-ପତ୍ର ବିକ୍ରି କରୁଥିଲେ | ଅସୁବିଧାରେ ଥିବା ଗ୍ରାହକମାନେ କାନମୁଣ୍ଡା ଆଉଁସି ବାଧ୍ୟହୋଇ ସେମାନଙ୍କ ପାଖରୁ ପରିବା-ପତ୍ର କିଣୁଥିଲେ | ଅବଶ୍ୟ ଧୀରେ ଧୀରେ ସେ ସବୁ ପରିସ୍ଥିତି ବଦଳି ଯାଇଥିଲା |
ଏହି ଅସମୟରେ ମୁଁ ଏକା ଘରେ ରହୁଥିଲି | ଯୋଗକୁ ମୁଁ ଘରଛାତ ଉପରେ ଛୋଟିଆ ବଗିଚାଟିଏ କରିଥିଲି | ସେଥିରେ ଶାଗ, ଭେଣ୍ଡି, ଲଙ୍କା, ଜହ୍ନିଗଛ ସହିତ କିଛି ଫୁଲଗଛ ଲଗେଇଥିଲି | ପ୍ରତିଦିନ ସନ୍ଧ୍ୟା ପୂର୍ବରୁ ସେହି ବଗିଚାର ଯତ୍ନ ଠିକ ଭାବରେ ନେଉଥିବାରୁ ଗଛ ଗୁଡ଼ିକ ଯଥେଷ୍ଟ ପନି-ପରିବା ଓ ଫୁଲ ମୋତେ ଯୋଗାଇ ଦେଉଥିଲେ | ଏହି ବଗିଚାରୁ ତାଜାଫୁଲ ତୋଳି ଆଣି ମୁଁ ନିୟମିତ ପୂଜାକରି ପାରୁଥିଲି | ଆକାଶଛୁଆଁ ଦରଦାମ ଥିବା ସମୟରେ ମୁଁ ଛାତ ଉପରୁ ତାଜା ପରିବା ଓ ଶାଗ ତୋଳିଆଣି ସୁବିଧାରେ ଖାଇ ପାରୁଥିଲି | ଏପରିକି ମୋର ଘର ପଡ଼ିଶା ଲୋକଙ୍କୁ ମଧ୍ୟ କିଛି କିଛିଦେଇ ଆନନ୍ଦ ପାଉଥିଲି | ମୁଁ ଅନୁଭବ କରୁଥିଲି, ଗଛମାନେ ଠିକ ଅସୁବିଧା ସମୟରେ ଜଣେ ପ୍ରିୟ ସଚ୍ଚୋଟ ବନ୍ଧୁ ପରି ସହାୟତା କରନ୍ତି | ସେମାନେ କେବେ ମଣିଷ ପରି ବେଇମାନୀ କରନ୍ତି ନାହିଁ | ସହଜେ ତ ଭୁବନେଶ୍ୱର ଆଖପାଖରେ ବଗିଚା ଉପଯୋଗୀ ମାଟି ମିଳେନାହିଁ | ତେଣୁ ମୁଁ ଯେତେବେଳେ ବାହାରକୁ ଯାଏ, କାର ପଛରେ ଦୁଇଟା ଖାଲିବସ୍ତା ରଖିଦେଇଥାଏ, ସେଥିରେ ମାଟି ବୋହିଆଣେ, ତାକୁ ଛାତ ଉପରେ ନିର୍ମିତ ବଡ଼ବଡ଼ କୁଣ୍ଡରେ ରଖେ | ଏପରିକି ଯାଜପୁର, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାର ଆମ ଗାଁ’ରୁ ମୁଁ ମାଟି ସଂଗ୍ରହ କରି ଆଣିଥିଲି | ବଗିଚା ତିଆରି କରି ମୁଁ କେବଳ ମାଟିକୁ ସଜେଇ ରଖୁଥିଲି | ମାଟିକୁ ତଳ ଉପର କରି ସେଥିରେ ବିଭିନ୍ନ ପ୍ରକାର ମଞ୍ଜି ଲଗେଇଥିଲି | କୌଣସି ପ୍ରକାର ସାର ବା ବିଷ ସେଥିରେ ବ୍ୟବହାର କରେନାହିଁ | କେବଳ ଗଛର ମୂଳକୁ ଟିକେ ହାଲୁକା କରିଦିଏ | ଆବଶ୍ୟକ ଅନୁଭବ କଲେ, ଗଛ ମୂଳରେ ପାଣିଦିଏ | ଅବଶ୍ୟ ପାଣି ଦେବାକୁ ପାଇପ ବ୍ୟବସ୍ଥା ଅଛି | କିନ୍ତୁ ମୋର ଶାରୀରିକ ବ୍ୟାୟାମକୁ ଦୃଷ୍ଟିରେ ରଖି ମୁଁ ବାଲତିରେ ପାଣିଦିଏ | ଏହାଦ୍ବାରା ମୋର ଶାରୀରିକ ପରିଶ୍ରମ ତ ହୁଏ ତାଜା ପନି-ପାରିବା ବି ଖାଇବାକୁ ମିଳେ | ଏହି ମହାମାରୀ ସମୟରେ ବଳେବଳେ ବଗିଚାରେ ବିଭିନ୍ନ ପ୍ରକାର ଶାଗ ଗଛ ଉଠିଥିଲା | ତା’ର ସ୍ଵାଦ ଥିଲା ଅନନ୍ୟ | ଜହ୍ନି ଯେତେ ତୋଳିଲେ ବି ସରେନାହିଁ | ଛୋଟ ପୋଟଳ ଜାତୀୟ ମିଠା ଜହ୍ନିକୁ କେବଳ ଲୁଣ ଓ ହଳଦୀ ଟିକେ ଗୋଳେଇ ଦେଇ ଗରମ ତେଲରେ ଗଡ଼େଇ ଦେଲେ ଯଥେଷ୍ଟ | ଆଳୁ-ଜହ୍ନି ତରକାରୀ , ସ୍ଵାଦଭରା ଜହ୍ନି-ରାଇତା, ଶାଗଭଜା, ଛୁଇଁଭଜା ଆଉ ତରକାରୀ ସହିତ ଡାଲମା ଥିଲେ ଆଉ ବଜାରରୁ ପରିବା କିଣିବା କଅଣ ଦରକାର ? ସତରେ ଏହି ବଗିଚାଟି ମୋର ମନକଥାକୁ ଜାଣି ଅସମୟରେ ଯଥେଷ୍ଟ ସାହାଯ୍ୟ କରିଥିଲା | କହିବାକୁ ଗଲେ, ପ୍ରକୃତରେ ମୁଁ ଗଛ ପାଇଁ ବିଶେଷ କିଛି ପରିଶ୍ରମ କରି ନଥିଲି, କେବଳ ପାଣି ଦେଉଥିଲି, ସେତିକିରେ ଗଛମାନେ ମୋତେ ଏତେ ଦେଉଥିଲେ, ମୁଁ ଓଲଟା ତାଙ୍କ ପାଖରେ ଋଣୀହେଇ ରହିଯାଇଛି | ଗଛମାନେ ଆମର ମନକଥାକୁ ବୁଝି ପାରନ୍ତି, ସେଥିପାଇଁ ମୁଁ ଗଛମାନକ ପାଖରେ ଠିଆହେଇ ତାଙ୍କୁ କେତେକଥା କହେ, ତାଙ୍କ ମୂଳକୁ ମାଟି ଟେକିଦିଏ | ପୋକ ହେଇଥିଲେ, କାଢି ଫୋପାଡ଼ି ଦିଏ | ଏଣୁତେଣୁ ଘାସ ଗକ୍ଛ୍କୁ ଉପାଡି ପକାଏ | ମୁଁ ଅନୁଭବ କରିଛି, ସେମାନେ ମୋ କଥାକୁ ବୁଝନ୍ତି | କଥା ସିନା କହି ପାରନ୍ତି ନାହିଁ, କିନ୍ତୁ ସେମାନେ କାର୍ଯ୍ୟରେ ତାଙ୍କ କଥାକୁ ଦେଖାଇ ଦିଅନ୍ତି | ଗଛମାନେ ମୋର ପ୍ରିୟ, ସେମାନେ ମୋର ଅତି ନିଜର | ଆପଣମାନେ ବି ମୋଠାରୁ ପ୍ରେରଣା ପାଇ ଛାତ ଉପରେ ଛୋଟିଆ ବଗିଚାଟି କରନ୍ତୁ, ଦେଖିବେ ସେମାନେ ଆପଣଙ୍କୁ ମଧ୍ୟ ଋଣୀ କରି ରଖିଦେବେ |
