STORYMIRROR

KRUTIBAS NAYAK

Inspirational

4  

KRUTIBAS NAYAK

Inspirational

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ପାଞ୍ଚ) -ଡକ୍ଟର କୃତ୍ତିବାସ ନାୟକ

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ପାଞ୍ଚ) -ଡକ୍ଟର କୃତ୍ତିବାସ ନାୟକ

4 mins
223

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ପାଞ୍ଚ)

-ଡକ୍ଟର କୃତ୍ତିବାସ ନାୟକ

ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳରେ ପରିଣତ କରିବା ଅବଶ୍ୟ ଅତ୍ୟନ୍ତ କଷ୍ଟ | ଠିକ ସେହିପରି ଦୁର୍ଯ୍ୟୋଗଙ୍କୁ ସୁଯୋଗ ଭାବରେ ଗ୍ରହଣ କରିବା ମଧ୍ୟ ଦୁଃସାଧ୍ୟ | ତଥାପି ଅସୁବିଧା ସମୟରେ ସହଜ ଓ ସୁବିଧା କାମକୁ ତୁରନ୍ତ ଆରମ୍ଭ କରିବାକୁ ଜ୍ଞାନୀ-ଗୁଣୀଲୋକମାନେ ପରାମର୍ଶ ଦେଇଥା'ନ୍ତି | ଖୁବ କମଲୋକ ଏହି ପରାମର୍ଶକୁ କାର୍ଯ୍ୟକାରୀ କରି ପାରନ୍ତି | ପୁଣି କିଛିଲୋକ ନୂଆକାର୍ଯ୍ୟକୁ ଆରମ୍ଭ କରିବାକୁ କୁଣ୍ଠିତ ହୋଇଥା'ନ୍ତି | ସଂପ୍ରତି ଦେଖାଯାଏ, ବୟସ୍କମାନେ ଅଧିକାଂଶ କ୍ଷେତ୍ରରେ ଆଧୁନିକ ଟେକନୋଲୋଜିକୁ ଗ୍ରହଣ କରିବାକୁ ଆଗ୍ରହୀ ହୁଅନ୍ତି ନାହିଁ | ଫଳରେ ସେମାନେ ନିଜକୁ ଅତ୍ୟନ୍ତ ଦୁର୍ବଳ ବା ଅକ୍ଷମ ମନେ କରିଥା'ନ୍ତି | ଯାହା ସେମାନଙ୍କୁ ପରବର୍ତ୍ତୀ ସମୟରେ ଅସହାୟ କରିଦିଏ |

ଯେଉଁ କେତେଜଣ ବୟସ୍କ ବ୍ୟକ୍ତି ସାହସ କରି ଆଧୁନିକ ଟେକନୋଲୋଜିକୁ ଆପଣେଇ ନେଉଛାନ୍ତି, ସେମାନେ ସେହି କ୍ଷେତ୍ରରେ ବେଶ ସ୍ମାର୍ଟ ହେଇପାରୁଛନ୍ତି | ଆଜିର ଯୁବକମାନଙ୍କ ସହିତ ତାଳଦେଇ ନିଜର ସ୍ମାର୍ଟଫୋନକୁ ବ୍ୟବହାର କରିପାରୁଛନ୍ତି |

ନିକଟ ଅତୀତରେ କମ୍ୟୁନିକେଶନ ବ୍ୟବସ୍ଥା ଅତ୍ୟନ୍ତ ଉନ୍ନତ ହୋଇପାରିଛି | ସ୍ମାର୍ଟଫୋନର ବ୍ୟବହାର, ନିଜସ୍ୱ ଭିଡ଼ିଓ ପ୍ରସ୍ତୁତି, ନିଜସ୍ୱ ପୁସ୍ତକ ପ୍ରକାଶନ, ଅନଲାଇନରେ ଟାଇପ ପାଇଁ ୟୁନିକୋର୍ଡ

 ଷ୍ଟାଣ୍ଡାର୍ଡ ମାନଙ୍କ ମାଧ୍ୟମରେ ନିଜର ମାତୃଭାଷାରେ ଲେଖି ପାରୁଛନ୍ତି | କେବଳ ସେତିକି ନୁହେଁ, ଅନଲାଇନରେ ସର୍ଚ୍ଚକରି ସେମାନେ ବିଭିନ୍ନ ତଥ୍ୟକୁ ଗୁଗୁଲ ମାଧ୍ୟମରେ ନିଜର କାମକୁ ସହଜରେ ହାସଲ କରିପାରୁଛନ୍ତି | ଏବେ ବୈଦ୍ୟୁତ୍ୟିକ ଗଣମାଧ୍ୟମ ଆଧୁନିକ ପ୍ରଣାଳୀରେ ପ୍ରସାରଣ କରିପାରିବା ଭଳି କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି | ଯେଉଁମାନେ ଏହି ଟେକନୋଲୋଜି ସହିତ ପରିଚିତ ହୋଇପାରିଛନ୍ତି, ସେମାନେ ବେଶ ଆଗୁଆ ହେଇପାରୁଛନ୍ତି |

ପାରମ୍ପରିକ ବା ପୂର୍ବ ପଦ୍ଧତି ଅନୁସାରେ ପ୍ରଚଳିତ କାର୍ଯ୍ୟଗୁଡ଼ିକ ଧୀରେ ଧୀରେ ଅଚଳ ହେବାରେ ଲାଗିଛି | ତେଣୁ ସଂପ୍ରତି ଆବାଳ ବୃଦ୍ଧ ବନିତା ଆଧୁନିକ ଟେକନୋଲୋଜି ସହିତ ପରିଚିତ ହେବା ଜରୁରୀ ହୋଇପଡ଼ିଛି |

ମୁଁ ଦୀର୍ଘ ତିରିଶ ବର୍ଷ ତଳୁ କମ୍ୟୁଟର ଚଳାଇବା ଶିଖିଥିଲି | ଛୋଟ-ବଡ଼ ସବୁକାମକୁ କମ୍ପୁଟର ମାଧ୍ୟମରେ ନିଜେ କରିନେଉଥାଏ | ତେଣୁ ଅନେକ ସମୟରେ ମୁଁ ସଫଳତା ହାସଲ କରିପାରୁଥିଲି |ଯେହେତୁ ମୁଁ ଜଣେ ଲେଖକ, ଶିଶୁ ସାହିତ୍ୟିକ ଏବଂ କବି, ପ୍ରତିଦିନର ହାତଲେଖାକୁ ଟାଇପ ଅକ୍ଷର ବା ଛାପା ଅକ୍ଷରରେ ଦେଖିବାର ଲୋଭ ମୋର ଥାଏ | ତେଣୁ ମୁଁ ବିଭିନ୍ନ ଜାଗାରୁ ବିଭିନ୍ନ ପ୍ରକାର ସପ୍ଟଓ଼ୟାର ଯୋଗାଡ଼ କରି ଘଣ୍ଟା ଘଣ୍ଟାର ପରିଶ୍ରମ ଓ ନିଷ୍ଠା ଫଳରେ ଓଡ଼ିଆ ଅକ୍ଷର ଟାଇପ କାମ କମ୍ୟୁଟର ମାଧ୍ୟମରେ କରି ଆତ୍ମ ସନ୍ତୋଷ ଲାଭକରି ପାରୁଥିଲି | ପରବର୍ତ୍ତୀ ସମୟରେ ମୋର ଏ' ଦିଗରେ ଦକ୍ଷତା ବୃଦ୍ଧି ପାଇବାରୁ ମୁଁ ନିଜର ଲେଖା ଗଳ୍ପ, କବିତା ଓ ଉପନ୍ୟାସକୁ ମଧ୍ୟ କମ୍ପ୍ୟୁଟର ମାଧ୍ୟମରେ ଟାଇପ କରି ପାରୁଥିଲି | ଯାହା ବିଭିନ୍ନ ସମୟରେ ବିଭିନ୍ନ ପ୍ରେସରେ ପୁସ୍ତଯାକ ଆକାରରେ ପ୍ରକାଶ ପାଇପାରିଥିଲା | ସ୍ଥାନ କାଳ ପାତ୍ର ବଦଳିବାରୁ ପୁଣି ନୂଆ ସପ୍ଟଓ଼ୟାର ବ୍ୟବହାର କରିବାକୁ ମୁଁ ବାଧ୍ୟ ହେଉଥିଲି |

ସରକାରୀ ଚାକିରୀରୁ ଅବସର ଗ୍ରହଣ ପରେ ଏହି ପଦ୍ଧତିରେ ମୋର ଅନେକ ଗୁଡିଏ ପୁସ୍ତକକୁ ନିଜେ ପ୍ରସ୍ତୁତ କରି ପାରୁଥିଲି | 1916 ମସିହାରେ ଷ୍ଟୋରିମିରର ନାମକ ପ୍ରକାଶନ ସଂସ୍ଥା ତରଫରୁ ମୋତେ ଅନୁରୋଧ ଆସିଲା ଯେ, ସେମାନେ ମୋର କେତେଖଣ୍ଡ ପୁସ୍ତକ ପ୍ରକାଶ କରିବାକୁ ଆଗ୍ରହୀ | ସେମାନେ ଯୋଗାଯୋଗ କରି ମୋର କେତେଖଣ୍ଡ ଲୋକପ୍ରିୟ ପୁସ୍ତକ ଏବଂ ପାଣ୍ଡୁଲିପିର ଟାଇପ କରିଯାଇଥିବା ସିଡ଼ି ମାଗି ନେଇଥିଲେ | କିଛିଦିନ ପରେ ସେମାନେ ତାଙ୍କର ଅକ୍ଷମତା ଜଣାଇଲେ ଯେ, ଏ ଗୁଡ଼ିକ ୟୁନିକୋର୍ଡ ମାଧ୍ୟମରେ ଟାଇପ ହେଇ ନଥିବାରୁ ଏହାକୁ ପ୍ରକାଶ କରିବା ଆମ ପକ୍ଷେ ସମ୍ଭବପର ନୁହେଁ | ୟୁନିକୋର୍ଡ କେମିତି କେଉଁଠି ମିଳେ, ଏଭଳି ସୁବିଧା କେଉଁଠି ଅଛି, ସେକଥା ପଚାରି ପଚାରି ଦୀର୍ଘଦିନ ପର୍ଯ୍ୟନ୍ତ ମୁଁ ଅନୁସଂନ୍ଧାନ କରି ଚାଲିଥିଲି | କିନ୍ତୁ ସେଭଳି କେହି କିଛି ଉପାୟ ବତେଇ ପାରି ନଥିଲେ | ତେଣୁ ମୁଁ ନିଜକୁ ଅସହାୟ ମନେ କରୁଥିଲି | ସେହିବର୍ଷ ମୁଁ ଆମେରିକା ଯାଇଥିଲି, ସେଇଠି ପୁଆ ମୋତେ ୟୁନିକୋର୍ଡ ସଂପର୍କରେ ସୂଚନା ଦେଲା | ଏହାକୁ ନେଟ ମାଧ୍ୟମରେ ଟାଇପ କରିବାକୁ ହୁଏ | ଗୁଗୁଲ ଇନପୁଟ ଟୁଲ ଅନଲାଇନ ମାଧ୍ୟମରେ ଏହି ଷ୍ଟାଣ୍ଡାର୍ଡ ଲେଟର ଟାଇପ ବ୍ୟବସ୍ଥାରେ ପୃଥିବୀର ଯେ କୌଣସି ଭାଷାର ଅକ୍ଷରକୁ ସହଜରେ ଲେଖିହେବ | ଏଥିପାଇଁ କମ୍ପୁଟରରେ ନେଟ ସବୁବେଳେ ରହିଥିବା ଦରକାର | ତାକୁ ଠିକ ଭାବରେ ସେଭ କରି ନଥିଲେ ସବୁକିଛି ଡିଲିଟ ହେଇଯାଇପାରେ | ଏହାର ଟାଇପ କରିବା ପ୍ରଣାଳୀ ମଧ୍ୟ ପାରମ୍ପରିକ ପଦ୍ଧତିଠାରୁ ଭିନ୍ନ | ଇଂରାଜୀ ଅକ୍ଷରକୁ ଆମ ଭାଷା ଉଚ୍ଚାରଣ ଅନୁସାରେ ଟାଇପ କଲେ ବଳେବଳେ ତାହା ଓଡ଼ିଆ ଅକ୍ଷରରେ ପରିବର୍ତ୍ତିତ ହେଇଯିବ | ସଂଶୋଧନ କରିବାକୁ ପାଇଁ ମଧ୍ୟ ଅପସନ ରହିଛି, ଉପଯୁକ୍ତ ଠିକ ଶବ୍ଦଟିକୁ ଚୟନ କରି ନିଜର ତ୍ରୁଟିକୁ ସଂଶୋଧନ କରିହେବ | ଏହି ୟୁନିକୋର୍ଡ ଷ୍ଟାଣ୍ଡାର୍ଡ ଲେଟର ସେଟିଂ ମାଧ୍ୟମରେ ଟାଇପ କଲେ, ଵିଶ୍ଵର ଯେ କୌଣସି ସ୍ଥାନରେ ଥିବା ସମସ୍ତ ପ୍ରେସ ତାକୁ ସହଜରେ ପ୍ରକାଶ କରି ପାରିବେ | ଲେଖିବା ଓ ପଢିବା ଏବଂ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ନେଟ ମାଧ୍ୟମରେ ପଠାଇବାରେ କୌଣସି ପ୍ରକାର ଅସୁବିଧା ରହିବ ନାହିଁ |

ସେଇଠି ପରୀକ୍ଷା ନିରୀକ୍ଷା କରିବା ପରେ ମୁଁ ସେହି କାମକୁ କରି ପାରିବି ନାହିଁ ବୋଲି ଭାବୁଥିଲି | ଆମ ଅଂଚଳରେ ନେଟର ଯେଉଁ ସମସ୍ୟା, ପୁଣି ନୂଆ ବ୍ୟବସ୍ଥାରେ ବିନା ସପ୍ଟଓ଼ୟାରରେ ମୁଁ କିଛି କରିବାକୁ ଆଗ୍ରହୀ ହେଲିନାହିଁ |

ଏହା ମଧ୍ୟରେ ମୋବାଇଲରେ ଓଡ଼ିଆ ଟାଇପ କରିବା ବ୍ୟବସ୍ଥା ସହଜ ଓ ନିର୍ଭୁଲ ଶବ୍ଦ ଲେଖିବା ସୁବିଧା ଆସିଗଲା | ମୁଁ ତାକୁ ଉପଯୋଗ କରି ପୁଣି ସେହି ନୂଆ ପଦ୍ଧତିକୁ ଆପଣେଇ ନେଇ ନିଜର କବିତାକୁ ନେଟ ମାଧ୍ୟମରେ ପଠାଇ ଚାଲିଲି | ସେଥିରେ ଦକ୍ଷତା ଆସିଯିବାରୁ ସେ ବ୍ୟବସ୍ଥା ମୋତେ ଧୀରେ ଧୀରେ ସହଜ ଲାଗୁଥିଲା | ସେହି କବିତାକୁ ମୁଁ ସାରା ବିଶ୍ଵରେ ଥିବା ମୋର ପ୍ରିୟ ପାଠକମାନଙ୍କ ପାଖକୁ ୱାଟ୍ସଅପରେ ପଠାଇ ବେଶ ସୁଖ ଓ ଆନନ୍ଦ ପାଉଥିଲି | ସେହି ଲେଖାକୁ ଦେଖି ପୁଣି ଷ୍ଟୋରି ମିରର ଅନୁଷ୍ଠାନର କର୍ମକର୍ତ୍ତା ମୋତେ ଏହି ସବୁ ଲେଖାକୁ ତାଙ୍କର ବିଭିନ୍ନ ପ୍ରତିଯୋଗିତାକୁ ପଠାଇବାକୁ ଅନୁରୋଧ କରୁଥିଲେ | କିନ୍ତୁ ୟୁନିକୋର୍ଡ ମାଧ୍ୟମରେ ଲେଖା ପଠାଇବାକୁ ପଡ଼ିବ ବୋଲି ମୋତେ ସଚେତନ କରି ଦେଉଥିଲେ | ଭଲା ୟୁନିକୋର୍ଡ ମୋତେ ବଡ଼ ଅଡୁଆରେ ପକାଇଲା | ଏହି ବ୍ୟବସ୍ଥା ମୋ ଦ୍ୱାରା ହେଇପାରିବ ନାହିଁ କିମ୍ବା ମୋତେ କେହି ଠିକ ଭାବରେ ଶିଖାଇ ଦେଇପାରିବା ଲୋକ ମିଳିବେ ନାହିଁ ଭାବି ମୁଁ ଦୀର୍ଘବର୍ଷ ନିରବ ରହିଥିଲି | ଏହା ମଧ୍ୟରେ ଆମ ଓଡ଼ିଆ ଭାଷାରେ ୟୁନିକୋର୍ଡ ବ୍ୟବସ୍ଥା ବିକଶିତ ଓ ସରଳ ହେବାରେ ଲାଗିଥିଲା |

2020 ମସିହା ଅକ୍ଟୋବର ମାସରେ ପୁଣି ଥରେ ମୁଁ ପୁଅ ପାଖକୁ ଆମେରିକା ଯାଇଥିଲି | ଅତ୍ୟନ୍ତ କାର୍ଯ୍ୟଚାପ ଭିତରେ ପୁଅ ରହୁଥିବାରୁ ମୁଁ ତାକୁ ମୋର ମନର କଥା କହିବାକୁ ସୁଯୋଗ ପାଉ ନଥିଲି | ସେହି ପୁରୁଣା ପଦ୍ଧତିରେ ମୁଁ ସେଇଠି ଟାଇପ କରି ଲେଖାଗୁଡ଼ିକୁ ଫେସବୁକରେ ପୋଷ୍ଟିଂ କରୁଥିଲି | ପୁଅ ଉତ୍କଳ ଦିନେ ମୋ ପାଖରେ ବସି ମୋର ଟାଇପ କାମକୁ ଦେଖି କହିଲା- " ଏବେ ଗୁଗୁଲ ମାଧ୍ୟମରେ ୟୁନିକୋର୍ଡ ବ୍ୟବସ୍ଥାରେ ଟାଇପ କରିବା ସହଜ ହେଇଗଲାଣି | ଆଜି ମୁଁ ତମକୁ ଶିଖେଇଦେବି | ସତକୁ ସତ ସେ କାର୍ଯ୍ୟଟି ମୋତେ ଅତ୍ୟନ୍ତ ସହଜ ଲାଗିଲା | ଏଣେ ଆମ ଓଡ଼ିଶାରେ ମଧ୍ୟ ନେଟ ବ୍ୟବସ୍ଥାରେ ଅନେକ ବିକଶିତ ହେଇ ସାରିଥିଲା | ତେଣୁ ମୁଁ ୟୁନିକୋର୍ଡ ମାଧ୍ୟମରେ ଟାଇପ କାମକୁ ନିଷ୍ଠାର ସହିତ ଶିଖିଗଲି | 000


Rate this content
Log in

Similar oriya story from Inspirational