STORYMIRROR

KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଏକ) -ଡକ୍ଟର କୃତ୍ତିବାସ ନାୟକ

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଏକ) -ଡକ୍ଟର କୃତ୍ତିବାସ ନାୟକ

2 mins
165


ପ୍ରତିଥର ନୂଆବର୍ଷ ଆସେ | ଏଥର 2020 ନୂଆବର୍ଷ ବି ଆସିଥିଲା | ତାକୁ ସ୍ୱାଗତ କରିବା ପାଇଁ ବିଭିନ୍ନ ଦେଶର ବିଭିନ୍ନ ଶ୍ରେଣୀର ଲୋକେ ଅପେକ୍ଷା କରି ରହିଥିଲେ | କିଏ ଯୋଜନା ମାଧ୍ୟମରେ କିଛି ନୂଆକାମ କରି ଦେଖାଇ ଦେବାକୁ ମନସ୍ଥ କରିଥିଲେ | ଆଉ କିଛିଲୋକ ନୂଆବର୍ଷର ପ୍ରଥମ ଦିନଟିକୁ ଖୁବ ଜାକ-ଯମକରେ ପାଳନ କରିବାକୁ ସ୍ଥିର କରିଥିଲେ | ପୁଣି କେହି କେହି ନୂଆ ଜାଗାକୁ ଯାଇ ସେଇଠି ପିକନିକ କରିବାକୁ ଯୋଜନା ବି କରିଥିଲେ | ଅବଶ୍ୟ ନବବର୍ଷର ଅଭିନନ୍ଦନ କାର୍ଡ ପଠେଇବା ଏବେ କମି ଯାଇଛି | କାର୍ଡ ସ୍ଥାନରେ ଏବେ ମୋବାଇଲ ଫୋନ୍ ଶୁଭ କାମନା, ହାପି ନିଉ ଇୟର ମେସେଜ, ଅଭିନନ୍ଦନ ଜଣେଇବା କାମ ସହଜରେ କରିଦେଇ ପାରୁଛି | ଏଥର ନୂଆବର୍ଷ ଆସିବା ଆଗରୁ ଅନେକଙ୍କର ମୋବାଇଲ ଫୋନ ସେଥିପାଇଁ ଜାମ ହେଇଗଲା | ଆମର ସାଙ୍ଗ-ସାଥିମାନଙ୍କ ମଧ୍ୟରୁ କେତେଜଣ କୁହା-କୁହି ହେଉଥିଲେ, ନୂଆବର୍ଷର ପ୍ରଥମ ଦିନଟି ଭଲରେ ଗଲେ, ସାରାବର୍ଷ ମଜା ମଉଜରେ କଟିବ, ତେଣୁ ବଡ଼ ଧରଣର ଗୋଟାଏ ଗେଟ ଟୁ ଗେଦର, ମାନେ ମେଲଣ କରିବା | ସେଥିପାଇଁ ସେମାନେ ପୂର୍ବରୁ ଦାମୀ ଜିନିଷ, ଭଲ ମାଂସ ପାଇଁ ଖାସି ପାଇଁ ଅର୍ଥ ଆଉ ଅନ୍ୟ ଦାମୀ ନିଶାଦ୍ରବ୍ୟ ସବୁ ଯୋଗାଡ଼ କରିଥିଲେ | ଅବଶ୍ୟ ତାକୁ ସେମାନେ ବ୍ୟବହାର କରି ସୁଖ ବଦଳରେ ଦୁଃଖ ହିଁ ଅର୍ଜନ କରିଥିଲେ | ଖବରକାଗଜରେ ଅନେକ ଦୁଃଖଦ ଖବର ପ୍ରକାଶ ପାଉଥିଲା, କେତେଜଣ ପିକନିକ କରିବାକୁ ଯାଇ ନିଖୋଜ ହେଲେ | କେତେଜଣ ନିଶାଖାଇ ଚେତା ହରେଇଲେ | ଆଉ କେତେକ ମାଡ଼ଗୋଳ ଲାଗି ହଣାକଟା ହେଇ ଥାନା ହାଜତକୁ ଗଲେ | ସତ କହିବାକୁ ଗଲେ, ନୂଆବର୍ଷ ବାହାନାରେ ଅସାମାଜିକ ଲୋକ ଅନେକ କୁକର୍ମ କରି ପକାଇଲେ |

ଜାନୁଆରୀ ଦୁଇ ତାରିଖ ଦିନ ଆମେ ଅନୁଭବ କଲୁ, କେବଳ ନୂଆ କେଲେଣ୍ଡରର ହିଁ ପୁରୁଣା ଜାଗାରେ ରହି ଯାଇଛି | ଆଉ କୌଣସି ପ୍ରକାର ପରିବର୍ତ୍ତନ ହେଇନାହିଁ | କହିବାକୁ ଗଲେ-ଏଇ ନୂଆବର୍ଷ ପ୍ରତିବର୍ଷ ଆସେ-କେବଳ ପଇସାବାଲା ଆଉ ବେକାର ଲୋକଙ୍କ ପାଇଁ, ଦେଖେଇ ହେବା ସୁଯୋଗ ଦେବାକୁ | ସାଧାରଣ ଲୋକ ଆଉ ଗରିବ, ଗୁଣୀ-ଜ୍ଞାନୀ,ବୁଦ୍ଧିମାନ ମଣିଷମାନଙ୍କ ପାଇଁ ତ ସବୁଦିନ ସମାନ | ସବୁଦିନ ନୂଆବର୍ଷର ନୂଆଦିନ |

ଏହି ନୂଆବର୍ଷର ପ୍ରଥମ ଦିବସରେ କେତେ ଲୋକଙ୍କର କେତେ ପ୍ରକାର କାମ ହେଇଥିବ, କାହାର ଘରୁ ଶବ ଉଠିଥିବ, କାହା ଘରକୁ ପୁଣି ନବ ଜାତକ ବି ଆସିଥିବେ | ସେ ସବୁ ତାଙ୍କ ପାଇଁ ନିଶ୍ଚୟ ସ୍ମରଣୀୟ ହୋଇ ରହିଥିବ | କିନ୍ତୁ ସବୁଦିନ ଯାହା ହୁଏ, ତାହା ହିଁ ସେଦିନରେ ବି ହେଇଛି- ଏକଥାଟି ସତ୍ୟ |


ଅବଶ୍ୟ ଆମଭଳି ବେରସିକ ଲୋକ ନୂଆବର୍ଷ ପୁରୁଣା ବର୍ଷକୁ ସମାନ ମଣିଥାଉଁ | ତଥାପି କେତେକ ବନ୍ଧୁ ଚିହ୍ନା ଅଚିହ୍ନା ଲୋକ ଆମକୁ ହାପି ନିଉ ୱିୟର କହି ହାତ ମିଳେଇ ପକାନ୍ତି | ତାକୁ ଆମେ ବାଧ୍ୟହୋଇ ହାପି ନିଉ ୱିୟର କହିଦେଉଁ | ସେଥିରେ କିଛି ଆନ୍ତରିକତା ନଥାଏ କି ଆନନ୍ଦ ନଥାଏ | କେବଳ ଔପଚାରିକତା ପ୍ରଦର୍ଶନ କରିବାକୁ ପଡ଼ିଥାଏ |

ଘରଣୀ ମୋର ମନେ ପକେଇଦେଲେ, ଆଜି ନୂଆବର୍ଷରେ ଗୋଟାଏ ନବବର୍ଷ ଅଭିନନ୍ଦନ ଉପରେ ଭଲକବିତା ଲେଖି ଫେସବୁକରେ ଛାଡ଼ୁନା ! ମୁଁ ତ ସବୁଦିନ ସକାଲଏ ଗୋଟାଏ ନୂଆ କବିତା ଫେସବୁକରେ ଛାଡ଼େ | ପତ୍ନୀ କହିବା ପରେ ନୂଆବର୍ଷ କବିତାଟି ଲେଖି ଛାଡ଼ିଦେଲି | ଅବଶ୍ୟ ସେଥିରେ ଟିକେ ବ୍ୟଙ୍ଗ ଥିଲା | ନୂଆବର୍ଷରେ ଆମର କର୍ତ୍ତବ୍ୟ ବିଷୟରେ ସୂଚିତ କରିଥିଲି | ଦୁଇ ତିନିଦିନ ଧରି ନୂଆବର୍ଷର ନିଶା ଲୋକଙ୍କୁ ଲାଗି ରହିଥିଲା | କେତେକ ବିଳମ୍ବରେ ପଠାଇଥିବା ହାପି ନିଉ ୱିୟର, ଅନେକ ଶୁଭ କାମନା ମେସେଜ ମୋବାଇଲକୁ ଆସୁଥିଲା | କିନ୍ତୁ ନୂଆବର୍ଷରେ କିଛି ନୂଆହେବା ଭଳି ଅନୁଭବ ହେଉ ନଥିଲା | ନୂଆବର୍ଷର ଦିନ ଗୁଡ଼ିକ ପୁଣି ପୁରୁଣା ହେବାରେ ଲାଗିଲା |



Rate this content
Log in

Similar oriya story from Inspirational