STORYMIRROR

KRUTIBAS NAYAK

Inspirational Others

3  

KRUTIBAS NAYAK

Inspirational Others

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଚାରି)

ଅନୁଭୂତିର ଇନ୍ଦ୍ରଧନୁ :ଭାଗ-(ଚାରି)

3 mins
158


ମଣିଷ ନିଜର ଗୁଣ, କାର୍ଯ୍ୟାବଳୀ ଅଥବା ସ୍ଵଭାଵ ହେତୁ ପାଞ୍ଚ-ପଚିଶ ଜଣଙ୍କ ମଧ୍ୟରେ ଜଣେହେଇ ପରିଚିତ ହୁଏ । ତା'ର ମୃତ୍ୟୁପରେ ସେହି ପଚିଶ ଜଣଙ୍କ ମଧ୍ୟରୁ କେହି ଜଣେ ତାଙ୍କ ଜାଗତିକ ଉପସ୍ଥାନକୁ ଜାହିର କରିଥା'ନ୍ତି । ଏହା ହିଁ ହେଉଛି- ବ୍ୟକ୍ତି ଚରିତ୍ରରେ ବିସ୍ମୟାବହ ବୈଚିତ୍ର୍ୟ । ଯେତେ କଷ୍ଟକର ଉପଲବ୍ଧି ହେଇଥାଉ ନା କାହିଁକି, ଯେତେ ଓଜନଦାର ଆଘାତ ଉପାଲାଭ ମିଳିଥାଉ ନା କାହିଁକି: ତାହା ସ୍ମୃତି ପସରାକୁ ଚାଲିଯାଏ । ମୁଣ୍ଡାଳିକୁ ଲାଗେ ବେତାଏ ଫୁଲଭରା ହାଲୁକା । ପସରା ଭର୍ତ୍ତି ସବୁ ସ୍ମୃତି କିନ୍ତୁ ଅପସରା ହୋଇପାରେ ନାହିଁ । ଯାହା ଅପାସୋରା, ଜୀବନକୁ ଜଗତ ଛନ୍ଦିତ କରିବାର ଅବଦାନ ତା'ର ରହିଛି ପୁଣି ରହିଥିବ । ଏହିଭଳି ମହତ ଅପାସୋରା ସଞ୍ଚିତ ସ୍ମୃତିକୁ ଅନ୍ୟମାନେ ବେଳ ଅବେଳରେ ସ୍ମରଣ କରି ଆନନ୍ଦ-ଵିଷାଦାଦି ଭାବ ବୈଚିତ୍ର୍ୟ ଉପଲବ୍ଧି କରିଥା'ନ୍ତି । ଜୀବନକାଳ ମଧ୍ୟରେ ସୃତି ତ ମଣିଷ ପାଇଁ ଜୀବନ ହୋଇରହେ ।


2020 ମସିହା ମୋ ହୃଦୟରେ ଅନେକ ଅଭୁଲା ସ୍ମୃତିକୁ ଛାଡ଼ିଦେଇ ଯାଇଛି । ଏକାନ୍ତଵାସ, ଭୟାତୁର ଚଳଣି, ଭାତୃ ବିୟୋଗ, ପତ୍ନୀଙ୍କ ଗୁରୁତର ସ୍ୱାସ୍ଥ୍ୟବସ୍ଥା । ଏହା ସତ୍ୱେ ମୁଁ ନିଜକୁ ଦୃଢକରି ନିୟମିତ ସାହିତ୍ୟ ଚର୍ଚ୍ଚାରେ ଲାଗି ରହିଥିଲି । ନୂଆନୂଆ ସମୟୋପଯୋଗୀ କବିତା ରଚନା କରି ଫେସବୁକ ମାଧ୍ୟମରେ ନିୟମିତ ମୋର ପ୍ରିୟ ପାଠକମାନଙ୍କ ନିକଟରେ ପହଞ୍ଚାଇ ଦେଉଥିଲି । ଆମେରିକା ଅବସ୍ଥାନ ସମୟରେ ମୋ ପୁଅ ଉତ୍କଳ ମୋ ପାଇଁ ଗୋଟିଏ ୟୁଟିଉବ ଏକାଉଣ୍ଟ ଖୋଲିଦେଇଥିଲା । ସମୟୋପଯୋଗୀ କବିତା ଗୁଡ଼ିକୁ ଭିଡିଓ କରି ଛାଡ଼ିବାର କୌଶଳ ମଧ୍ୟ ଶିଖାଇ ଦେଇଥିଲା । ମୁଁ ଗୋଟିଏ ଦୁଇଟା ଭିଡ଼ିଓ କରି ପାଠକମାନଙ୍କ ଉଦ୍ଦେଶ୍ୟରେ ଛାଡ଼ିଥିଲି । ବିନା ବାଦ୍ୟଯନ୍ତ୍ର ସହଯୋଗ କିମ୍ବା ଉପଯୁକ୍ତ ଭାବେ ସ୍ୱରକରି କବିତାକୁ ପାଠ ବା ଗାନକରି ନ ପାରିଲେ, ତାହା ଉପଭୋଗ୍ୟ ହେଇପାରିବ ନାହିଁ ବୋଲି ମୁଁ ମନେ କରୁଥିଲି । ଯେହେତୁ ମୁଁ କବିତା ଗୁଡ଼ିକୁ ଆଗରୁ କେବେ ଗୀତ ଭଳି ସ୍ୱରକରି ଗାଇ ନଥିଲି, ସ୍ୱର ଲୟ ତାଳ ଭାଙ୍ଗିଯିବା ଭୟରେ ସେଥିରୁ କ୍ଷାନ୍ତହେଇ ନିରବହେଇ ରହିଯାଇଥିଲି ।


କିନ୍ତୁ,ଏହି କରୋନା ଆତଙ୍କ, ଏକାନ୍ତଵାସ ହିଁ ମୋ ମନରେ ନୂଆ ସାହସ ଭରିଦେଲା । ଦୁଇ ତିନିଜଣ ପାଠକ ମୋର ପୁରୁଣା ଭିଡ଼ିଓକୁ ବେଶ ପସନ୍ଦ କରିଥିଲେ, ସେମାନେ ମୋତେ ଅନୁରୋଧ କଲେ- ଆଜିକାଲି ଲୋକଙ୍କ ପାଖରେ ସମୟ ନାହିଁ, କବିତା ପଢିବାକୁ । ପୁଣି କବିତାର ଛନ୍ଦ, ଭାବକୁ କେତେକ ପାଠକ ଠିକ ଭାବରେ ଗ୍ରହଣ କରି ପାରନ୍ତି ନାହିଁ । ଆପଣ ପୂର୍ବ ଭିଡ଼ିଓ ଭଳି ନୁଆ ଭିଡ଼ିଓ ତିଆରି କରି ପଠାନ୍ତୁ, ଆମେ ଅଧିକ ଉପକୃତ ହେବୁ । ସେମାନଙ୍କର ପ୍ରେରଣାରେ ମୁଁ କବିତା ଗୁଡ଼ିକୁ ଚିହ୍ନା-ଜଣା ସ୍ୱରରେ ପାଠକରି ଚାଲିଲି । ଏହା ଖୁବ କମଦିନ ମଧ୍ୟରେ ବେଶ ଲୋକପ୍ରିୟ ହେବାରେ ଲାଗିଲା । କେତେଜଣ ପୁରୁଣା ବନ୍ଧୁ ମୋ କଣ୍ଠସ୍ୱର ଶୁଣି ହସିଥିଲେ, କେତେଜଣ ସାମାନ୍ୟ ଟିକେ ଦେଖି ବନ୍ଦ ବି କରି ଦେଇଥିଲେ । ଏ' ଖବର ପାଇ ମୁଁ ମୋତେ ବ୍ୟସ୍ତ ହେଉ ନଥିଲି, ମୁଁ ନିଶ୍ଚିତ ଥିଲି ଯେ, ଯେଉଁମାନେ ଆଜି ମୋତେ ଉପହାସ କରୁଛନ୍ତି, ସେମାନେ ଦିନେ ନା ଦିନେ ମୋ ସ୍ୱରକୁ ପସନ୍ଦ କରିବେ ।


କବିତାର ଭାବ ଭାଷାକୁ ପହଞ୍ଚାଇ ଦେବା ମୋର ମୂଳ ଉଦ୍ଦେଶ୍ୟ । ମୋର ମନକୁ ଦୃଢକରି ନିଜକୁ ସାନ୍ତ୍ୱନା ଦେଲି ଯେ, ମୁଁ ତ ପ୍ରଫେସନାଲ ଗାୟକ ନୁହେଁ, କୌଣସି ପରୀକ୍ଷା କେନ୍ଦ୍ରରେ ମୁଁ ପରୀକ୍ଷା ଦେଉନାହିଁ । ଭଲ କି ମନ୍ଦ ଯିଏ ଯାହା କହିଲେ, ମୋର କିଛି ଯାଏ ଆସେନାହିଁ । ତେଣୁ ମୋର ଭିଡ଼ିଓ ଗୁଡ଼ିକୁ କେତେଜଣ ବିଶିଷ୍ଟ ସଙ୍ଗୀତକାରଙ୍କ ପାଖକୁ ମଧ୍ୟ ପଠାଉଥିଲି । ନିର୍ଭୟରେ ଗୀତ ଗାଉଗାଉ ଟେବୁଲ୍ ଠକଠକ କରି ତାଳଦେଲି । ଅବଶ୍ୟ ପରେ ବାଦ୍ୟକୁ ଟିକେ ଉନ୍ନତ ବ୍ୟବସ୍ଥା କରିଦେଲି । ଆଶ୍ଚର୍ଯ୍ୟର କଥା, ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ବିଶ୍ଵନାଥ ମିଶ୍ର, ଆକାଶବାଣୀର ବନ୍ଧୁ ସଙ୍ଗୀତଜ୍ଞ ଓମ ପ୍ରକାଶ ମହାନ୍ତି ଏବଂ ବିଶିଷ୍ଟ ସଙ୍ଗୀତଜ୍ଞ ତଥା ଚଳଚିତ୍ରର ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତି ପ୍ରମୁଖ ମୋର ସଂଗୀତ ଶୈଳୀକୁ ପସନ୍ଦ କରି ପ୍ରେରଣା ଯୋଗାଇ ଚାଲିଲେ । ଯେଉଁମାନେ ପ୍ରଥମେ ହସୁଥିଲେ କିମ୍ବା କଟାକ୍ଷ କରୁଥିଲେ-ସେମାନେ ଧୀରେଧୀରେ ମୋ କବିତା ଗାୟନ ଶୈଳୀକୁ ବେଶ ପ୍ରଶଂସା କଲେ । ଏହା ମଧ୍ୟରେ ପ୍ରାୟ 200ଟି ବିଭିନ୍ନ ସ୍ୱାଦର କବିତା, ଭକ୍ତିଗୀତ, ପଲ୍ଲୀଗୀତ, ବ୍ୟଂଜକବିତା, ଶିଶୁଗୀତକୁ ମୁଁ ଗାନକରି ଭିଡ଼ିଓକୁ ମୋର ପ୍ରିୟ ପାଠକଙ୍କ ନିକଟକୁ ପଠାଇ ଯଥେଷ୍ଟ ସଫଳତା ଲାଭକରି ପାରିଛି ।

ମୁଁ ମନେକରେ କରୋନା କାଳୀନ ଏକାନ୍ତ ବାସ ଏବଂ ଦୁଃଖଦାୟକ ସମୟକୁ ମୁଁ ଉପଯୁକ୍ତ ବିନିଯୋଗ କରି ପାରିଛି ।


Rate this content
Log in

Similar oriya story from Inspirational