ଅନ୍ତର୍ଦ୍ୱନ୍ଦ
ଅନ୍ତର୍ଦ୍ୱନ୍ଦ


ଗୋଟାଏ ମୁହୂର୍ତ୍ତ ବି ଆଉ ଅରିଜିତଙ୍କ ସାଙ୍ଗରେ ସମୟ ବିତେଇବାକୁ ଚାହାନ୍ତି ନାହିଁ ସନ୍ଧ୍ୟା । ଲକ୍ ଡାଉନ୍ ନ ହୋଇଥିଲେ ସେମାନେ ମୁକ୍ତ ଆକାଶର ବିହଙ୍ଗ ପରି ଯେ ଯାହା ରାସ୍ତା ଖୋଜି ନେଇ ସାରନ୍ତେଣି। ଆହୁରି ଏକୋଇଶି ଦିନ ଅପେକ୍ଷା କରିବାକୁହେବ। ଚୂଡାନ୍ତ ଫଇସିଲା କୋର୍ଟ ଖୋଲିବା ପରେ।
ପାଖା ପାଖି ବର୍ଷେ ହେବ ଅରିଜିତ ରାତି ନ ଟାରେ ଅଫିସରୁ ଫେରନ୍ତି । ସନ୍ଧ୍ୟା ଜାଣି ଶୁଣି ନିଜ ରୁମରେ ଶୋଇ ଯାଆନ୍ତି ସଂଗୀତାକୁ ଧରି। ଡାଇନିଂ ଟେବୁଲ ଉପରେ ଯାହା ଥାଏ ଖାଇ ଶୋଇ ଯାଆନ୍ତି ଅରିଜିତ। ସକାଳେ ୱାକିଂ ବାହାନାରେ ଝିଅକୁ ଧରି ବାହାରି ଯାଆନ୍ତି ସନ୍ଧ୍ୟା। ଅରିଜିତ ଅଫିସ ଯିବା ପରେ ଫେରନ୍ତି ୱାକିଂରୁ। ଅରିଜିତ ନ ବୁଝିଲା ପରି ସବୁ ଆଡଜଷ୍ଟ୍ କରି ଯାଉଥିଲେ। କେବେ କିଛି କହନ୍ତିନି ସେ କାହାକୁ। ବହୁତ ଆଶାବାଦୀ।
ସନ୍ଧ୍ୟା କାହିଁକି ଅଲଗା ରହିବାକୁ ଚାହୁଁଛନ୍ତି, ଅନେକ ଚେଷ୍ଟା କରୁଥିଲେ କାରଣ ଜାଣିବା ପାଇଁ କିନ୍ତୁ କିଛି ପାଉ ନ ଥିଲେ ଅରିଜିତ। କୋର୍ଟରେ ସନ୍ଧ୍ୟା ବତେଇଥିବା କାରଣ ପଛରେ ସେମିତି କିଛି ଦମ୍ ନ ଥିଲା । ଭାବୁଥିଲେ ସମୟ କ୍ରମରେ ସବୁ ଠିକ୍ ହୋଇଯିବ। ସେ ବହୁତ ଭଲ ପାଆନ୍ତି ସନ୍ଧ୍ୟାଙ୍କୁ। କୋର୍ଟରେ ବି ଅନେକ ଥର କହି ସାରିଛନ୍ତି କଥାଟିକୁ ।
ଲାଗୁଥିଲା ସମୟ ତାଙ୍କୁ ଛାଡି ଆଗକୁ ଯାଉଛି ତାର ନିଜସ୍ଵ ଗତିରେ। ଜୀବନଟା ଯେମିତି ସେମିତି ବିତି ଯାଉଛି ସମ୍ପୂର୍ଣ୍ଣ ବିତିବାର ଅନେକ ଆଗରୁ। ଭୌତିକ ଗୋଟାଏ ଶରୀରକୁ ନେଇ ଖାଲି ବଞ୍ଚି ରହିବାଟା ହିଁ ଗୋଟାଏ ଦାୟିତ୍ଵ ଯେମିତି। ନିଜେ ଇଚ୍ଛା କରି କେହି କଣ ମରି ପାରେ ! ରବିବାର ଅରିଜିତ ଘରେ ରହନ୍ତି । ବାବା ଘରକୁ ଚାଲି ଯା'ନ୍ତି ସନ୍ଧ୍ୟା ଛୁଟି କଟାଇବା ବାହାନାରେ। ନିରବତା ଘୁଣ ପୋକ ପରି ଖାଇ ଖାଇ ଚାଲିଥାଏ ଶରୀରକୁ। ଗୋଟାଏ ପରେ ଗୋଟେ ପ୍ରଶ୍ନ ଆସି ଛିଡା ହୋଇ ରହନ୍ତି ଅରିଜିତ ଆଗରେ। ଖାଲି ରକ୍ତ ମାଂସ ଥିଲେ କଣ ଶରୀରଟା ସବୁ ପ୍ରଶ୍ନର ଉତ୍ତର ଦେଇ ପାରେ !! ଗୋଟାଏ ସୁସ୍ଥ ମନଟିଏ ବି ତ ଦରକାର ପ୍ରତିଟି ପ୍ରଶ୍ନର ଉତ୍ତର ପାଇଁ। ଏକ ଶିଥିଳ, ମୂଲ୍ୟହୀନ ଜୀବନରେ ସ୍ବପ୍ନକୁ ସଜାଡି ନେବାର ଆଗ୍ରହ କେଉଁଠି ! ଅରିଜିତଙ୍କ ପାଇଁ ଇଚ୍ଛା ବିହୀନ ବଞ୍ଚି ରହିବା ହିଁ ଥିଲା ଗୋଟାଏ ଦେହସୁହା ନାଟକୀୟ ଅଭିନୟ ।
ସମ୍ପର୍କ ଯେତେବେଳେ ନଇଁ ଯାଏ କାହିଁକି କେଜାଣି ସମଗ୍ର ଆକାଶଟି ତା ଉପରେ ଲଦି ହୋଇଯାଏ। ସେ ଆଉ ମୁଣ୍ଡ ଟେକି ଛିଡ଼ା ହୋଇ ପାରେନି। ବଙ୍କୁଲି ବାଡିଟିଏ ଧରି ସମ୍ପର୍କ କେତେ ଦିନ ଚାଲିବ ! ଅରିଜିତ ଠିକ୍ ବୁଝିଥିଲେ ଜୀବନଟା ଭାରି ଚଳଚଞ୍ଚଳ ବନ ହରିଣୀ ପରି। ସମୟର ହାତ ଧରି ଜୀବନ ଚାଲିଛି ଆଗକୁ । ଆମର ଏ ଶକ୍ତିହୀନ ସମ୍ପର୍କ ପାଇଁ କିଏ କାହିଁକି ବା ଅପେକ୍ଷା କରିବ ! ସମୟ ବଡ଼ ବଳବାନ । ସମୟକୁ ଫାଙ୍କି ଦେଇ କେହି କଣ କେବେ ନିଜ ଇଚ୍ଛାରେ ପ୍ରେମର ତାଜମହଲଟିଏ ଗଢିପାରେ ! ନା ..
ସହରରେ ଲକ୍ ଡାଉନ୍ ଆଉ କର୍ଫ୍ୟୁ। ବାବା ଘରକୁ ଯିବା ପାଇଁ କିଛି ବି ବାହାନା କାମ କଲାନି ସନ୍ଧ୍ୟାଙ୍କ ପାଇଁ। ପଚାଶ କିମି ଦୂର। ଅରିଜିତଙ୍କ ସହିତ ସମୟ ବିତାଇବା ଛଡା କିଛି ବିକଳ୍ପ ବଞ୍ଚି ନ ଥିଲା ତାଙ୍କ ପାଖରେ। ସଂଗୀତା ସନ୍ଧ୍ୟା ପଛରେ ଗୋଡ଼ାଉ ଥାଏ। ଅରିଜିତ ଡାକିଲେ ପାଖକୁ ଆସେନି, ତିନି ବର୍ଷ ବୟସର ସନ୍ଧ୍ୟା। ଏତେ କଥା ବୁଝିବ କୁଆଡୁ। ବୋଉକୁ ଛାଡ଼ିଦେଲେ ଆଖି ଆଗରେ ଅଚାନକ କେହି ଜଣେ ଉପସ୍ଥିତ ଥିଲେ ତାଙ୍କୁ ବାବା କହନ୍ତି ବୋଲି ଖାଲି ଜାଣିଥିଲା । ତା ଠୁ ବେଶୀ ଆଉ କିଛି ନୁହେଁ। ସେ କିଏ , କଣ କରନ୍ତି, କିଛି ଜାଣିନି ସେ। ପ୍ରଥମ ଦିନେ ଦୁଇଦିନ ଯେମିତି ସେମିତି କଟିଗଲା। ସମ୍ପର୍କରେ ଆଉ ଅଛି କଣ ଯେ ସାମ୍ନା ସାମ୍ନି ହେଲେ ହସିବେ। ସଂଗୀତା, ବାବା ବୋଲି ଡାକି ଦୌଡ଼ି ଆସିବ !!
ଦିନେ ଛୋଟ ଷ୍ଟିଲ ଗିନାରେ ପାଞ୍ଚ ସାତୋଟି ଥାଲକୁଡି ପତ୍ର ଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସନ୍ଧ୍ୟା। ସେ ପ୍ରତିଦିନ ଥାଲକୁଡ଼ି ପତ୍ର ଖାଆନ୍ତି ବୋଲି କେବଳ କାମବାଲି ବାଇ ଜାଣିଥିଲା। କିନ୍ତୁ ଏ ଲକ୍ ଡାଉନ୍ ରେ ସେ ତ ଆସୁନି। ତେବେ କଣ ଅରିଜିତ ଆଣିଛନ୍ତି ଏ ପତ୍ର ସବୁ। ଫ୍ରିଜ ଖୋଲି ଦେଖିଲେ ଗୋଟାଏ ପଲିଥିନ କଭର ଭିତରେ ମଧ୍ୟ ମେଞ୍ଚାଏ ଥାଲକୁଡି ରହିଛି। ଏତେ ଛୋଟ କଥାରେ ହୃଦୟ କାହିଁକି ତରଳିବ !
ଗୋଟାଏ ଅହେତୁକ ଚକ୍ରାନ୍ତ ଭିତରେ ଫସି ଯାଉଥିବାର ଭୟ ଗ୍ରାସ କଲା ସନ୍ଧ୍ୟା ଙ୍କୁ। ଡିଭୋରସ କେଶରେ ତ ମୁଁ ଜିତୁଛି। ଦୁର୍ବଳ ହେବି କାହିଁକି। ଯଦି ଥାଲକୁଡି ସେ ଆଣି ବି ଥାଆନ୍ତି, So what ! ଏଇଟା ତ ତାଙ୍କ ଦାୟିତ୍ଵ। ସ୍ତ୍ରୀ ପାଇଁ କିଛି କରିବାକୁ ପଡେ ବୋଲି।
ଲକ୍ ଡାଉନ୍ ରେ ପ୍ରଥମ ବୁଧବାର, ସନ୍ଧ୍ୟା କିଚେନ୍ ରୁମ ରେ ବଡ଼ ମାଛଟିଏ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ।
କଣ ଏ ମାଛ ତମେ ଆଣିଛ ?
ହଁ, ସନ୍ଧ୍ୟା। ସପ୍ତାହରେ ଗୋଟାଏ ଦିନ ତମେ ଆଇଁଷ ଖାଅ ଏମିତିବି ଆମେ ବହୁତ୍ କମ ଦିନ ସାଥିରେ ରହିବା। ଭାବିଲି ତମ ପାଇଁ କିଛି କରିବି। ମୁଁ ଜାଣିଛି ମାଛ ବିନା ତମେ କିଛି ଖାଇ ପାରନି। ମୁଁ ସମୟ ପାଏନି ବୋଲି ତମ ପାଇଁ କେବେ କିଛି କିଣି ପାରେନି। ମୁଁ ଜାଣିଛି ଏ କର୍ଫ୍ୟୁ ରେ ତମେ ବାହାରକୁ ଯାଇ ପାରିବନି ଲୁଚି ଛପି ମାଛଟିଏ ନେଇ ଆସିଛି ତମ ପାଇଁ। ଫ୍ରିଜ୍ ରେ ରଖିଦିଅ। ଆସନ୍ତା ବୁଧବାର ପାଇଁ ମଧ୍ୟ ମାଛ ସମସ୍ୟା ରହିବନି। ସନ୍ଧ୍ୟା ଚୁପ ରହିଲେ। ମାଛ କାଟିବାର ଅଭ୍ୟାସ ନାହିଁ ଲକ୍ ଡାଉନ୍ ସମୟରେ ଲୁଚା ଛୁପା ମାଛ ବିକ୍ରି କାଟିବା ପାଇଁ କାହା ପାଖରେ ସମୟ ଅଛି !
ମାଛ କାଟୁ କାଟୁ ହାତ ଆଙ୍ଗୁଠି କାଟିଗଲା ସନ୍ଧ୍ୟା ର....
-ଆଉଚ୍
ରୁମ୍ ଭିତରେ ବସି ଅଫିସ କାମ କରୁଥିବା ଅରିଜିତ ଦୌଡି ଆସିଲେ। ମୁଣ୍ଡ କାମ କଲାନି କଣ କରିବେ। ଏତେ ଗୁଡା ରକ୍ତ ବହିବା ଦେଖି ଡରିଗଲେ ଅରିଜିତ। ହାତ ଧୋଇ ଦେଇ କଟନ୍ ବାନ୍ଧିଦେଲେ କ୍ଷତ ଉପରେ ଡେଟଲ ଢ଼ାଳି ଦେଲେ , ବହୁତ ଜଳିଲା। ସନ୍ଧ୍ୟାଙ୍କୁ ଧରି ତାଙ୍କ ବିଛଣାକୁ ନେଇ ଗଲେ ଅରିଜିତ। ଧିରେ ଧିରେ ମୁଣ୍ଡରେ ହାତ ବୁଲାଇଲେ ସେ। ଆରାମ ଲାଗିଲା। ସନ୍ଧ୍ୟା ଶୋଇଗଲେ।
ସେଇ ଦିନ ମାଛ ତରକାରି ରୁ ହିଁ ଆରମ୍ଭ ହେଲା ତାଙ୍କ ଜୀବନର ପ୍ରଥମ ରୋଷେଇ। ରୋଷେଇ ସାରି ସନ୍ଧ୍ୟାକୁ ଡାକିଲେ ଅରିଜିତ। ଲୁଣ କିମ୍ବା ହଳଦୀ ପକେଇ ନାହାନ୍ତି ମାଛ ତରକାରିରେ ସନ୍ଧ୍ୟା ହସି ଦେଲେ। ଅରିଜିତ ଜିଭ କାମୁଡି ନିଜ ଦୋଷ ସ୍ବୀକାର କରି ନେଲେ ସନ୍ଧ୍ୟାଙ୍କ ଆଗରେ।
ନିଜେ ତ କିଛି କରି ପାରିବେନି ସେଥିପାଇଁ କିଚେନ ରୁମରେ ଅରିଜିତଙ୍କ ପାଖରେ ଛିଡ଼ା ହୋଇ ଚା ଠୁ ଆରମ୍ଭ କରି, ଅତି କମରେ ଭାତ , ଡାଲି, ଭଜା ବନେଇବା ଶିଖେଇଲେ ସେ। ଅଳ୍ପ ଦିନର କଥା। ବେଶି ଶିଖେଇବାର ଦରକାର କଣ !!
ଲାଇଫ ବୟ ସାବୁନ ଲଗେଇ ବାସନ କ୍ଲିନ୍ କରୁଥିଲେ ଅରିଜିତ। ମା , ଝିଅ ହସୁ ଥିଲେ ଟିକିଏ ଦୂରରେ ଛିଡ଼ା ହୋଇ। ଅରିଜିତ କିଛି ନ ବୁଝି ହସି ଦେଲେ ବୋକା ପରି । ସନ୍ଧ୍ୟା କହିଲେ, ସଫ୍ଟ ୱୟର ଇଂଜିନିୟର ମାନଙ୍କର ଟିକିଏ ଅକଲ ରହିବା ଦରକାର। ବାସନ ଲାଇଫ ବୟ ସାବୁନ ଦେଇ କଣ ଧୁଆ ହୁଏ !!
ପୁଣି ଥରେ ଜିଭ କାମୁଡ଼ିଲେ ଅରିଜିତ, ଯେମିତି ବିବାହର ଅନେକ ବର୍ଷ ପରେ ପୁଣି ଥରେ ପ୍ରେମରେ ମତୁଆଲା ହୋଇ ଉଠୁଥିଲେ ଦୁଇଟି ମଣିଷ। ସମ୍ପୂର୍ଣ୍ଣ ସମର୍ପଣକୁ ତ ପ୍ରେମ କହନ୍ତି। ଅରିଜିତ ଧିରେ ଧୀରେ ବୁଝୁଥିଲେ ସ୍ତ୍ରୀର ହୃଦୟ ଜିଣିବା ବି ଜୀବନରେ ଏକ ଅନ୍ୟତମ ଦାୟିତ୍ଵ। ପଇସା କଣ ସବୁ କିଛି !! ସକାଳ ଠୁ ରାତି ପର୍ଯ୍ଯନ୍ତ କାମ କରି କରି ଝାଳ ମାଳ ହଉଥିବା ସ୍ତ୍ରୀଙ୍କ କାମରେ ହାତ ଟିକିଏ ଲଗେଇ ଦେଲେ ସମ୍ପର୍କ ଟା ମିଠା ମିଠା ହୋଇଯାଏ। ସମ୍ପର୍କର ରାମ ସେତୁଟିଏ ପାଇଁ ଗୁଣ୍ଡୁଚି ମୂଷା ର ଅବଦାନ ବାସ୍ ସେତିକି।
ଝାଡୁ, ପୋଛା ଠୁ ଆରମ୍ଭ କରି ରୋଟି ବନେଇବା ପର୍ଯ୍ୟନ୍ତ ସବୁ ଶିଖି ଗଲେ ଅରିଜିତ ଏଇ ଦଶ ଦିନ ଭିତରେ।
ଦିନେ ରାତିରେ ଅଚାନକ ସନ୍ଧ୍ୟାଙ୍କ ରୁମ୍ ଭିତରକୁ ଅରିଜିତ ପଶି ଆସି ପଚାରିଲେ, ସନ୍ଧ୍ୟା ! ତମେ ପେନ୍ କିଲର ଖାଇଛ ନା...ଓଃ.., ଭୁଲି ଯାଇଥିଲି। ଥାଙ୍କ ଇଉ ଅରିଜିତ । ଅରିଜିତ ଫେରିଗଲେ ନିଜ ରୁମ ଭିତରକୁ।
ଜୀବନର ବହୁତ ବଡ଼ ଅନ୍ତର୍ଦ୍ୱନ୍ଦରେ ଘାଣ୍ଟି ହେଉଥିଲେ ସନ୍ଧ୍ୟା। ଶୋଇ ଶୋଇ ଭାବୁଥିଲେ, ଅରିଜିତ ଇଜ୍ ସୋ କେଆରିଂ ।ତେବେ ଭୁଲ କାହାର ? ମୁଁ କିଛି ଭୁଲ କରିନି ତ !
କାର୍ଯ୍ୟ ବ୍ୟସ୍ତତା ଭିତରେ ସେ ବୋଧ ହୁଏ ମୋତେ ସମୟ ଦେଇ ପାରି ନାହାନ୍ତି। ଏଇ ପନ୍ଦର ଦିନ ଭିତରେ ମୁଁ ଯାହା ପାଇ ସାରିଛି ଅରିଜିତଙ୍କ ପାଖରୁ । ବୋଧ ହୁଏ ବିବାହର ପାଞ୍ଚ ବର୍ଷ ଭିତରେ ପାଇ ନ ଥିଲି। ତାଙ୍କ ଭିତରେ ଗୋଟାଏ କୋମଳ ହୃଦୟ ଅଛି ସେମିତି ଗୋଟାଏ ହୃଦୟକୁ ମୁଁ ଖୋଜି ବୁଲୁଥିଲି । ଏବେ ମୋତେ ସବୁ ଠିକ ଲାଗୁଛି। ଖାଲି ସମ୍ପର୍କ କେମିତି ବଞ୍ଚେଇବାକୁ ହୁଏ ଜାଣି ନାହାନ୍ତି ସେ ! ଅପରିପକ୍ଵତା ନୁହେଁ ତ ଆଉ କଣ !! କିଛି ନ ବୁଝି କୋର୍ଟରେ ଏଆଡୁ ସେଆଡୁ ଦଲିଲ ଦେଇଛନ୍ତି.. ଭାବୁଛି ତାଙ୍କୁ କ୍ଷମା କରିଦେବି।
ଆପାର୍ଟମେଣ୍ଟ ର ୱାକ୍ ଜୋନ୍ ରେ ଅରିଜିତ ୱାକ କରୁଥିବା ବେଳେ ସନ୍ଧ୍ୟା ପଶିଗଲେ ଅରିଜିତଙ୍କ ରୁମ ଭିତରକୁ। ଡିଭୋରସ କେସ ଫାଇନାଲ ହେବା ଆଗରୁ ପଇସା ପତ୍ର ଆଉ କାହାକୁ ଟ୍ରାନସଫର କରି ଦେଇ ନାହାନ୍ତି ତ ? ବ୍ରିଫ୍ କେସ ଖୋଲି ବେଙ୍କ ପାସବୁକ ଠୁ ଆରମ୍ଭ କରି ଟର୍ମ ଇନସୁରାନସ ପର୍ଯ୍ୟନ୍ତ ସବୁ କାଗଜ ପତ୍ର ଦେଖିଲେ। ସବୁ ଜାଗାରେ ସେ ନୋମିନି ରଖିଥିଲେ ସନ୍ଧ୍ୟାକୁ । ସନ୍ଧ୍ୟା ଦାସ, ୩- ପାମ୍ ବିଚ୍ ଆଭେନିଉ।
ଡିଭୋରସ ପରେ ସନ୍ଧ୍ୟା ମୋଟା ମୋଟି ସେଇ ଘରେ ସେଟେଲ ହେବେ ବୋଲି ଫାଇନାଲ ହୋଇ ସାରଥିଲା। ବିବାହର ପ୍ରଥମ ବାର୍ଷିକୀରେ ଅରିଜିତ ସନ୍ଧ୍ୟାକୁ ଉପହାର ଦେଇଥିଲେ ଘରଟି।ଡିଭୋରସ ପରେ ସେଇ ଘରେ ମୁଁ ରହିବି ବୋଲି ଏ ଘର ଠିକଣା କୁ ଆଗୁଆ ବଦଳାଇ ଦେଇଛନ୍ତି ମୋ ନାଁ ରେ। ଏତେ ବଡ଼ ବଳିଦାନ !!! ଆଖିରୁ ଦୁଇ ଟୋପା ଅଶ୍ରୁ ନିଗିଡ଼ି ଆସିଥିଲା ଅମାନିଆ ହୋଇ।
ରାତିରେ ସନ୍ଧ୍ୟା ଅରିଜିତ ବିଛଣାରେ ଶୋଇ ଯାଇଛନ୍ତି ଝିଅକୁ ନେଇ, ଅରିଜିତ ବି ଜାଣି ନାହାନ୍ତି। ରାତି ସାରା ଗୀତଟିଏ ଇଅର ଫୋନ୍ ରେ ଶୁଣୁ ଥିଲେ ସେ..
ଫିର୍ ମୁଲାକାତ ହୋଗି କଭି...
ଯୋ ବିଛଡେ ନେହିଁ ତ, ଫିର କ୍ୟା ହେ ମଜା
ଜରୁରତ ହେ ରେହେନି ଥୋଡି କମି...।
ସକାଳ ହେଲା, ସଂଗୀତା ପଚାରିଲା...
ବୋଉ ବୋଉ ! କହୁଥିଲ ନା ବାବା ଆଦୌ ଭଲ ନୁହନ୍ତି, ଏଇଠି ଆମେ କାହିଁକି ଶୋଇଛୁ ! ସଂଗୀତାର କଥା ଶୁଣି ଅରିଜିତଙ୍କ ନିଦ ଭାଙ୍ଗିଗଲା। ଆଶ୍ଚର୍ଯ୍ୟ ହୋଇ ଅନାଉ ଥିଲେ ମା ଝିଅଙ୍କୁ।
ନା ସଂଗୀତା, ତୋ ବାବା ବହୁତ ଭଲ । ବାବାଙ୍କୁ କହି ଦେ, ଯଦି ଲକ୍ ଡାଉନ୍ ନ ଥାଆନ୍ତା ତେବେ ମୁଁ କେବେ କଣ ଜାଣି ପାରି ଥାଆନ୍ତି ତୋ ବାବାଙ୍କର ହୃଦୟ ଟା ଅତି କୋମଳ ବୋଲି। ଡିଭୋରସ ହୋଇ ସାରନ୍ତାଣି ଏତେ ବେଳକୁ।
କହିଦେ..ସବୁ ସଫ୍ଟୱେଆର ଇଂଜିନିୟର ମାନେ କାମକୁ ଛାଡ଼ି ଦେଲେ କିଛି ବି ଜାଣି ନାହାନ୍ତି !
ହସି ଦେଲେ ଅରିଜିତ, ସନ୍ଧ୍ୟା ଅରିଜିତଙ୍କ ଉପରକୁ ଆଉଜି ପଡି କହିଲେ, ଏଇଟା ମୋର ଭୁଲ ଯେ ତମ ଭିତରେ ଏତେ ସୁନ୍ଦର ମଣିଷଟିଏ ଲୁଚି ରହିଛି ମୁଁ ଜାଣି ପାରିଲିନି । Sorry। କାଲି ବୁଧବାର ମାଛ ଆଣିବ ତ !!