Sambit Srikumar

Inspirational


4.5  

Sambit Srikumar

Inspirational


ଅନନ୍ୟା

ଅନନ୍ୟା

4 mins 436 4 mins 436


ଯେଉଁମାନେ ସ୍ରୋତରେ ଭାସିଯାଆନ୍ତି ସେମାନେ ସାଧାରଣ ମଣିଷ । ଯେଉଁମାନେ ସ୍ରୋତର ପ୍ରବାହ ଠାରୁ ଆଗରେ ରୁହନ୍ତି ସେମାନେ ବିଜୟୀ ହୁଅନ୍ତି । କିନ୍ତୁ ଯେଉଁ କେତେକ ସ୍ରୋତର ପ୍ରତିକୂଳରେ ଯାଆନ୍ତି, ସେଥିରୁ ଅଧିକାଂଶ ଅସଫଳ ହୁଅନ୍ତି ସେଥିପାଇଁ ସେମାନଙ୍କୁ ଏ ଦୁନିଆଁ ପାଗଳ ବୋଲି କହେ । ମାତ୍ର ସେଇମାନେ ଯେବେ ନିଜ ସଂଘର୍ଷରେ ନିଷ୍ଠା ରଖି ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଯାଆନ୍ତି, ସେତେବେଳେ ସଭିଏଁ ତାହାଙ୍କ ଗୁଣ ଗାନ କରନ୍ତି । ଆଞ୍ଜୁଳା ଆଞ୍ଜୁଳା ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ ହୁଅନ୍ତି । ଜୀବନ୍ତ କିମ୍ବଦନ୍ତୀ ପାଲଟି ଯାଆନ୍ତି!

ଏମିତି ଏକ କିମ୍ବଦନ୍ତୀ କନ୍ୟା ହେଉଛନ୍ତି ଅନନ୍ୟା! ଅନନ୍ୟା ପ୍ରିୟଦର୍ଶିନୀ, ଆଇ. ଏ. ଏସ୍. ଥାର୍ଡ୍ ଟପ୍ପର । ନିହାତି ସାଧାରଣ ପରିବାରରେ ଜନ୍ମ । ମାତ୍ର ଅସାଧାରଣ ଧିଶକ୍ତି ସମ୍ପନ୍ନ ଏହି ତରୁଣୀ ହାସଲ କରିଛନ୍ତି ବିରଳ କୃତିତ୍ୱ ଯାହା ସମସ୍ତଙ୍କ ପାଇଁ ଏକ ଆହ୍ଵାନ । ନିରକ୍ଷର ରିକ୍ସା ଚାଳକ ବାପା ସୁଦାମା ଓ ମାଆ ହୀରାମଣିଙ୍କ ଏକମାତ୍ର କନ୍ୟା ଅନନ୍ୟା । ଘରେ ଶିକ୍ଷାର ପରିବେଶ ଆଦୌ ନଥାଇ ମଧ୍ୟ ନିଜର କଠୋର ଅଧ୍ୟବସାୟ ଏବଂ ନିଷ୍ଠା ବଳରେ ଆଜି ଅସାଧ୍ୟ ପ୍ରାୟ କାର୍ଯ୍ୟକୁ ଅନାୟସରେ ସଂପନ୍ନ କରିପାରିଛନ୍ତି ଅନନ୍ୟା ।

ଆମର ଏଇ ପୁରୁଷ ପ୍ରଧାନ ସମାଜର ଗତାନୁଗତିକ ମାନସିକତା ଏହା ଯେ, କେବଳ ପୁତ୍ର ସନ୍ତାନର ହିଁ ସବୁ କିଛି କରିବାର ସାମର୍ଥ୍ୟ ରହିଛି । କନ୍ୟା ସନ୍ତାନଟି ଦୁନିଆଁର ଆଲୋକ ଦେଖିବାର ସୁଯୋଗ ଓ ସୌଭାଗ୍ୟ ଲାଭ କରିପାରିଲେ ବଡ଼ କଥା । ଶାକ୍ତ ଉପାସନାର ଏଇ ପାବନ ଭୂମିରେ କେତେ ଯେ କନ୍ୟା ଭୃଣ ମାତୃଗର୍ଭରୁ ହିଁ ଉଭାନ୍ ହୋଇଯାଇଛନ୍ତି ତାହାର ସଠିକ୍ ହିସାବ କେହି ରଖିନଥିବେ । ଏହି ପୃଷ୍ଠଭୂମିରେ ଅନନ୍ୟାଙ୍କ ଅନନ୍ୟ କୃତିତ୍ୱ ବେଶ୍ ମହତ୍ତ୍ବପୂର୍ଣ୍ଣ । ଝିଅମାନେ ଯେ ପୁଅମାନଙ୍କ ଠାରୁ କୌଣସି ଗୁଣରେ କମ୍ ନୁହନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ।

ନବରଙ୍ଗପୁରର ନିପଟ ମଫସଲର ଝିଅଟିଏ ଅନନ୍ୟା । ଘରର ଆର୍ଥିକ ଅବସ୍ଥା ଶୋଚନୀୟ । ବାପା ସୁଦାମା ରିକ୍ସା ଚଲାନ୍ତି । ସବୁଦିନେ ରୋଜଗାର ମିଳେ ନାହିଁ । ଦିଓଳି ଦୁଇମୁଠା ଖାଇବା ପାଇଁ ଯୋଗାଡ଼ କରିବା ମଧ୍ୟ ବେଳେ ବେଳେ କଷ୍ଟକର ହୋଇଥାଏ ତାଙ୍କର ପରିବାର ଲାଗି । ଅନାବାଦୀ ଜାଗାରେ ଗଢ଼ିଥିବା ଚାଳ ଛପର କୁଡିଆଟିଏ ହିଁ ତିନି ଜଣଙ୍କର ଆଶ୍ରୟସ୍ଥଳୀ ଖରା ବର୍ଷାରୁ ତ୍ରାହି ପାଇବା ପାଇଁ । ଏହା ହିଁ ସେମାନଙ୍କର ସ୍ୱର୍ଗ।

ଗାଆଁକୁ ଯିବା ପାଇଁ ସବୁଦିନିଆ ରାସ୍ତାଟିଏ ମଧ୍ୟ ନାହିଁ । ଗାଆଁରୁ ସ୍କୁଲ ବହୁତ ଦୂର । ଯିବାକୁ ହୁଏ କୁନି ପାଦରେ ଚାଲି ଚାଲି ସବୁଦିନ । ବର୍ଷା ଦିନେ ବିପଦସଙ୍କୁଳ ଭାବେ ନଦୀ ପାର ହେବାକୁ ପଡ଼େ । ପିଲା ସ୍କୁଲରେ ଯାଇ ପାଠ ପଢିବା ବାପାମାଆଙ୍କ ଚିନ୍ତା ନୁହେଁ ବରଂ ମଧ୍ୟାହ୍ନ ଭୋଜନ ଗଣ୍ଡାଏ ମିଳିବା ଆଶାରେ ଏଠି ପିଲାଏଁ ଯାଆନ୍ତି ସ୍କୁଲ । କେବେ କେବେ ଚାଉଳ ଓ ଅଣ୍ଡା ମିଳିଥାଏ, ସେଥିରେ ପୁରା ପରିବାର ଚଳିଯାଏ କିଛି ଦିନ।

ସରକାରୀ ନିଯୁକ୍ତିପ୍ରାପ୍ତ ମାଷ୍ଟର ତ ନଥାନ୍ତି ସେଠି, ସେମାନଙ୍କ ଦ୍ଵାରା ନିଯୁକ୍ତ ଭଡାଟିଆ ମାଷ୍ଟରମାନେ ପାଠପଢ଼ା କାର୍ଯ୍ୟ ସଂପାଦନ କରିଥାନ୍ତି । ର..ଠ କରି ଯାହା ପଢାଇ ଦେଲେ କାମ ଖତମ । ଏଥିରୁ ଶିକ୍ଷାର ଗୁଣାତ୍ମକମାନ ସହଜେ ଅନୁମେୟ! ଶିକ୍ଷା ବିଭାଗ କି ସ୍ଥାନୀୟ ପ୍ରଶାସନ କାହାର ବି ନିଘା ନାହିଁ ଏଥି ପ୍ରତି ।

ପ୍ରତିକୂଳ ପରିସ୍ଥିତିରେ ହିଁ ପ୍ରକୃତ ପ୍ରତିଭାର ବିକାଶ ସଂଘଟିତ ହୋଇଥାଏ । ନାନାଦି ବାଧାବିଘ୍ନ ଭିତରେ ପ୍ରତିଭା ଆପଣାର ଲକ୍ଷ୍ୟ ଆପେ ଆପେ ନିର୍ବାଚନ କରିନିଏ ବିନା କୌଣସି ବିଜ୍ଞାପନ ପ୍ରଦର୍ଶନରେ । ନା କାହାରିକୁ ନିଜ ପରିସ୍ଥିତି ପାଇଁ ନିନ୍ଦେ ନା କାହାର ହାତଟେକା ସାହାଯ୍ୟର ଅପେକ୍ଷା କରେ ପ୍ରତିଭା । ତୁଳସୀ ଦୁଇପତ୍ରରୁ ବାସେ ! ପ୍ରତିଭାଧାରୀମାନେ ଖୁବ୍ ଛୋଟବେଳୁ ଦେଖାଇ ଥାଆନ୍ତି ନିଆରାପଣ ଏହା ନିର୍ବିବାଦୀୟ ସତ୍ୟ ।

ଠିକ୍ ସେହିପରି ଅନନ୍ୟା ପିଲାଟି ଦିନରୁ ହିଁ ନିଜ ପ୍ରତିଭାର ପରିଚୟ ଦେଇଥିଲେ । ସ୍କୁଲରେ ପାଠପଢା ସହ ଖେଳକୁଦ, ବକ୍ତୃତା, ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରତିପାଦିତ କରିଥିଲେ । ସମୟ କ୍ରମେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାର ସୁଯୋଗ ମିଳିଥିଲା । କିନ୍ତୁ ଏଠି ସେହି ଚିରାଚରିତ ପ୍ରିୟାପ୍ରୀତିତୋଷଣର ରୀତିରେ ଅବହେଳିତ ହୋଇରହିଯାଏ ପ୍ରତିଭା । କତିପୟ ତୋଷାମଦକାରୀ ପ୍ରଭାବଶାଳୀ ବଡବଡିଆଙ୍କ ପିଲାମାନଙ୍କୁ ବିଜୟୀ ଘୋଷିତ କରାନ୍ତି ବିଭିନ୍ନ ପ୍ରତିଯୋଗିତାରେ । ଏହି ପ୍ରକ୍ରିୟାରେ ପ୍ରତିଭାଧାରୀମାନଙ୍କୁ ଉପେକ୍ଷା କରାଯାଏ । ଅନେକେ ଭାଙ୍ଗି ପଡ଼ନ୍ତି ନିରାଶାରେ।

ମାତ୍ର ଉତ୍କର୍ଷତାର ବିଲୟ ନାହିଁ । ଇତିହାସ ପୃଷ୍ଠାରେ ଅନେକ କାହାଣୀ ରହିଛି । ଚିର ଅବହେଳିତ ପ୍ରତିଭାଧାରୀଙ୍କ ପ୍ରସଂଶାରେ ଶତମୁଖ ସବୁକାଳର ଇତିହାସ । ମାତ୍ର ସେମାନଙ୍କ ଜୀବନ ଯାତ୍ରାର କାହାଣୀ ବେଶ୍ ସଂଘର୍ଷମୟ ଏବଂ ରୋମାଞ୍ଚକର । ଯେବେ ଯାଏଁ ସଂଘର୍ଷ କରୁଥିବେ ସମାଜରେ ଜଣେ କେହି ବି ହାନିଲାଭ ବୁଝନ୍ତି ନାହିଁ । କିନ୍ତୁ ଯଦି ପରବର୍ତ୍ତୀ ସମୟରେ ସାଫଲ୍ୟ ମଣ୍ଡିତ ହୁଅନ୍ତି ତେବେ ସଭିଏଁ ଆପଣାର କରିନିଅନ୍ତି । ଅନନ୍ୟା ବା ଏହି ଧାରାରୁ ବ୍ୟତିକ୍ରମ ହୋଇଥାନ୍ତେ କିପରି?

ତମାମ ବାଧାବିଘ୍ନ ସତ୍ତ୍ୱେ ନବୋଦୟ ବିଦ୍ୟାଳୟ ହିଁ ତାଙ୍କ ପ୍ରତିଭା ସ୍ଫୁରଣରେ ବିଶେଷ ସହାୟକ ହୋଇଥିଲା । ଏଇଠୁ ହିଁ ଆରମ୍ଭ ହୋଇଥିଲା ପ୍ରତିଭାର ଜୟଯାତ୍ରା । କିନ୍ତୁ ଏ ରାସ୍ତା ଏତେ ସରଳ ଓ ସୁଗମ ନଥିଲା । ଅଖ୍ୟାତ ପଲ୍ଲୀରୁ ସଂଘ ରାଜଧାନୀ ଦିଲ୍ଲୀର ରାସ୍ତା ବେଶ୍ କଣ୍ଟକିତ ଥିଲା । ବେଳେ ବେଳେ ଲାଗୁଥିଲା ଯେମିତି ଆଉ ନୁହେଁ କିନ୍ତୁ ବାପାମାଆଙ୍କ ବିକଳ ମୁହଁକୁ ଚାହିଁ ପଛକୁ ଫେରି ଚାହିଁବା ସମ୍ଭବପର ନଥିଲା । ସେହି ନିରକ୍ଷର ପିତାମାତା ହିଁ ଥିଲେ ଅନନ୍ୟାଙ୍କ ପାଇଁ ଆଗ୍ନେୟ ପ୍ରେରଣାର ଉତ୍ସ।

ବାଲ୍ୟକାଳରୁ ନିଜ ଅଞ୍ଚଳର ଅନଗ୍ରସରତାକୁ ନେଇ ବ୍ୟଥିତ ଥିବା ଅନନ୍ୟା ସ୍ୱପ୍ନ ଦେଖିଥିଲେ ପ୍ରଶାସିକାଟିଏ ହେବା ପାଇଁ । ଯାହା ଦ୍ୱାରା ନିଜ ଅଞ୍ଚଳର ବିକାଶ ସାଧନ କରିପାରିବେ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି ପରି ଅତ୍ୟାବଶ୍ୟକ ସେବାରୁ କେହି ବି ବଞ୍ଚିତ ହେବେ ନାହିଁ । ଅନାହାର ଅଶିକ୍ଷା କୁସଂସ୍କାର ଅନ୍ଧବିଶ୍ୱାସ ହେତୁ କାହାରି ଜୀବନ ହାନି ହେବ ନାହିଁ । ଏମିତି ଅସୁମାରି ସ୍ୱପ୍ନ ତାଙ୍କର ସ୍ୱପ୍ନ ପ୍ରବଣ ଆଖିରେ ଉଙ୍କିମାରୁଥିଲା । ସେହି ସ୍ୱପ୍ନ ସବୁ ତାଙ୍କୁ ଜୀବନ ରଣଭୂମିରେ ପଛଘୁଞ୍ଚା ନଦେବାକୁ ଏକରକମ ବାଧ୍ୟ କରୁଥିଲା।

ସ୍କୁଲ କଲେଜରେ ପଢୁଥିବା ବେଳେ ମିଳୁଥିବା ମେଧାବୃତ୍ତିକୁ ପାଥେୟ କରି ସିଭିଲ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଜାରି ରଖିଥିଲେ ଅନନ୍ୟା । ଏହି ଅର୍ଥରାଶି ପର୍ଯ୍ୟାପ୍ତ ନଥିଲା ଏକ ବୃହତ ସଫଳତା ହାସଲ ଲାଗି । ଏଣୁ ଅବସର ସମୟରେ ସ୍ଥାନୀୟ ସ୍ଵୟଂ ସହାୟକ ଗୋଷ୍ଠୀରେ ସାମିଲ ହୋଇ ସିଲେଇ କରି କିଛି ରୋଜଗାର କରୁଥିଲେ । ଯେଉଁମାନେ ନିଜେ ନିଜକୁ ସାହାଯ୍ୟ କରନ୍ତି ଭଗବାନ ସେମାନଙ୍କୁ ସାହାଯ୍ୟ କରାଇବାକୁ ଆଗେଇ ଆସନ୍ତି ।

ଅନନ୍ୟାଙ୍କ ପାଠପଢ଼ାରେ ଥିବା ନିଷ୍ଠା ଦେଖି ତାଙ୍କୁ ସହଯୋଗର ହାତ ବଢାଇଥିଲେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟରତ ଏକ ସ୍ୱେଚ୍ଛାସେବୀ ସଙ୍ଗଠନର ସଂଚାଳିକା ନନ୍ଦିନୀ ଦେବୀ । ପଥ ପ୍ରଦର୍ଶୀକାର ଭୂମିକାରେ ଅବତୀର୍ଣ୍ଣ ହୋଇ ତାଙ୍କ ସ୍ୱପ୍ନ ସାକାର କରିବା ପାଇଁ ଖସଡା ପ୍ରସ୍ତୁତ କରିଥିଲେ । ସଠିକ୍ ମାର୍ଗଦର୍ଶନ ପ୍ରଦାନ କରିଥିଲେ ସେ ଅନନ୍ୟାଙ୍କ କ୍ୟାରିୟର ଗଢିବାରେ, ସୁତରାଂ ସମସ୍ତ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।ତାଙ୍କ ପାଇଁ ଦିଲ୍ଲୀରେ ରହି ଆଇ.ଏ.ଏସ୍. କୋଚିଙ୍ଗ୍ ନେବାର ବ୍ୟବସ୍ଥା କରିଦେଇଥିଲେ ନନ୍ଦିନୀ ଦେବୀ।

କଠୋର ପରିଶ୍ରମ ସମ୍ମୁଖରେ ବାଧାବିଘ୍ନ ହାର ମାନେ । ବାଧାବିଘ୍ନ ହାରିଗଲେ ସଫଳତା ହାସଲ ହୋଇଥାଏ । ସଂଘୀୟ ଲୋକ ସେବା ଆୟୋଗ ଦ୍ଵାରା ପରିଚାଳିତ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପ୍ରଥମ ଥର ହାତରେ ଲାଗିଥିଲା ବିଫଳତା ଅଭିଜ୍ଞତାର 

ଅଭାବରୁ । ମାତ୍ର ଭାଙ୍ଗି ପଡିନଥିଲେ ଅନନ୍ୟା । ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବା ସହିତ ଗଭୀର ଆତ୍ମପ୍ରତ୍ୟୟ ଦ୍ୱିତୀୟ ବାର ପରୀକ୍ଷା ଦେଇଥିଲେ ଏବଂ ଏହି ପ୍ରୟାସରେ ଅଧିକାର କରିଥିଲେ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ।

ଏହିପରି ଅନେକ ପ୍ରତିଭା ବଣମଲ୍ଲୀ ପରି ଅକାଳରେ ଝରିପଡନ୍ତି ବଣମୂଲକରେ ସମସ୍ତଙ୍କର ଅଲକ୍ଷ୍ୟରେ ଅବହେଳାର ଶିକାର ହୋଇ । କିନ୍ତୁ ଯେଉଁ କେତେ ଜଣ ସ୍ରୋତର ପ୍ରତିକୂଳରେ ଯାଇ ସାଫଲ୍ୟମଣ୍ଡିତ ହୁଅନ୍ତି, ସେମାନେ ଅନନ୍ୟାଙ୍କ ପରି କିମ୍ବଦନ୍ତୀ ପାଲଟିଯାଆନ୍ତି । ଅନନ୍ୟାଙ୍କ କାହାଣୀ କଣ କୌଣସି ଚମତ୍କାରଠୁ କମ୍ କି? କେବଳ ଭାଗ୍ୟ ଓ ଭାଗବାନଙ୍କ ସାହାରାରେ ବସିଗଲେ ହେବ ନାହିଁ । ଚମତ୍କାର ପାଇଁ କଠୋର ଅଧ୍ୟବସାୟ ଓ ନିଷ୍ଠା ନିତାନ୍ତ ଆବଶ୍ୟକ!!



Rate this content
Log in

More oriya story from Sambit Srikumar

Similar oriya story from Inspirational