STORYMIRROR

Nityananda Nandi

Inspirational

3  

Nityananda Nandi

Inspirational

ଅନନ୍ୟା

ଅନନ୍ୟା

5 mins
181

 

ବିବାହର ପନ୍ଦର ବର୍ଷ ଖୁସିରେ କାଟିବା ପରେ ଆଜି ସଂଜଟା କାହିଁକି କେଜାଣି ସମ୍ପୂର୍ଣ୍ଣ ଅଲଗା ଲାଗୁଛି ଅନନ୍ୟାଙ୍କୁ । ସନ୍ଧ୍ୟା ଆଗମନରେ, ମହ ମହ ବାସ୍ନାରେ ଭରିଯାଏ ଘରଟା । ଆଜି ସନ୍ଧ୍ୟାରେ କିନ୍ତୁ ସେଇ ମାଦକତା ନାହିଁ, ସରସତା ନାହିଁ । ବିତୃଷ୍ଣାର ଝଡ଼ ସମ୍ପୂର୍ଣ୍ଣ କାବୁ କରି ନେଇଛି ଅନନ୍ୟାଙ୍କ ମନ ଆକାଶକୁ।


ଗୋଟାଏ କାନ୍ଥରେ ଶ୍ଵଶୁରଙ୍କ ଫଟୋ, ଅନ୍ୟ କାନ୍ଥରେ ବାପାଙ୍କ ଫଟୋ । ଥରେ ଶ୍ଵଶୁରଙ୍କୁ ଦେଖୁଥିଲେ, ଥରେ ଦେଖୁଥିଲେ ବାପାଙ୍କୁ । ସେମାନେ ସ୍ୱର୍ଗବାସୀ... ଅନେକ ବର୍ଷ ଆଗରୁ।

ଶ୍ଵଶୁର ଆଇଜି ଟ୍ରାଫିକ ପୋଷ୍ଟରେ ଥାଇ ଅବସର ଗ୍ରହଣ କରିଥିଲେ, ଅନନ୍ୟାଙ୍କ ବିବାହର ଠିକ ଅଳ୍ପ ଦିନ ପରେ । ବାପା ଥିଲେ ଟ୍ରାଫିକ କନେଷ୍ଟବଳ, ବାହାଘର ବେଳକୁ । ଅବସର ଗ୍ରହଣ ପୂର୍ବରୁ ବାପା ବି ଦୁନିଆକୁ ଛାଡ଼ି ଚାଲିଗଲେ ସବୁଦିନ ପାଇଁ । 

ସବୁ ଠିକ୍ ଠାକ୍ ଥିଲା ..

ଅନେକ ବର୍ଷ ପରେ, କାହିଁକି କେଜାଣି ଦୁଇଟି ଚରିତ୍ରକୁ ନେଇ ତର୍ଜମା କରୁଛନ୍ତି ଅନନ୍ୟା ନିଜ ମନ ଭିତରେ । ଜଣେ ଅହଙ୍କାରୀ ଓ ଆଉ ଜଣେ ସରଳ । ଜଣେ ବିବେକହୀନ, ଆଉ ଜଣେ ମହାନ । ଏତେ ବର୍ଷ ପରେ ଦୁଇଟି ଭିନ୍ନ ଚରିତ୍ରକୁ ନେଇ ନୈତିକ ବିଶ୍ଳେଷଣର ଆବଶ୍ୟକତା କେତେ ଯୁକ୍ତିଯୁକ୍ତ, ନିଜେ ବି ବୁଝି ପାରୁନାହାନ୍ତି ଅନନ୍ୟା । ନିଜ ବାପାଙ୍କୁ ଆଜି ସେ ତଉଲୁଛନ୍ତି ଶ୍ଵଶୁରଙ୍କ ସହିତ । ବାପା ହସୁଥାଆନ୍ତି ଫଟୋ ଭିତରୁ । କେତେ ସରଳ, କେତେ ନିଷ୍କପଟ ସେଇ ହସ । ବାର ବାର ନିଜ ବାପାଙ୍କ ଫଟୋକୁ ଅନାଉଥାଆନ୍ତି ଅନନ୍ୟା । ଜଣେ ସର୍ବଶ୍ରେଷ୍ଠ ପିତାଙ୍କ ଝିଅ ବୋଲି ମନ ଭିତରେ ଯେତିକି ଗର୍ବ, ଜଣେ ଅହଙ୍କାରୀ ଶ୍ଵଶୁରଙ୍କ ବୋହୂ ବୋଲି ମନଟା ସେତିକି ଫିକା । 

ବାପାଙ୍କ ପୁରୁଣା ଡାଇରୀ ଭିତରୁ କିଛି ସ୍ମୃତିକୁ ସାଉଣ୍ଟୁ ସାଉଣ୍ଟୁ ହଠାତ୍ ଆଖି ପଡ଼ିଲା ଗୋଟାଏ ପରିତ୍ୟକ୍ତ ପୃଷ୍ଠା ଉପରେ । କିଛି ଗୋଟାଏ ରହସ୍ୟର ଉନ୍ମୋଚନ ହୋଇଛି ବୋଧହୁଏ !! ସେତେବେଳଠୁ ଭାରି ଅନ୍ୟମନସ୍କ ଲାଗୁଛନ୍ତି ଅନନ୍ୟା।

 

ସମୟ ନଦୀର ପାଣି ପରି । ଗୋଟାଏ ମୁହୂର୍ତ୍ତ ବି ଅପେକ୍ଷା କରେନି ସେ କାହା ପାଇଁ । କିଛି ପାଣି କିନ୍ତୁ ଜମିଯାଏ ନଦୀ ପାର୍ଶ୍ଵ ଗର୍ତ୍ତ ଭିତରେ, ନଦୀ ଜାଣି ପାରେନି । ସମୟର କିଛି ମୁହୂର୍ତ୍ତ ଠିକ୍ ସେମିତି ବେଦନାପ୍ଲୁତ । ଡାଇରୀ ଭିତରେ ଛୁପି ରହିଯାଏ, ସମୟ ଜାଣିପାରେନି , ନା ଅନ୍ୟ କେହି ଜାଣି ପାରେ ସେଇ ଯନ୍ତ୍ରଣାର ମୁହୂର୍ତ୍ତକୁ । କେତେ କଷ୍ଟ ଦାୟକ ସେଇ ମୁହୂର୍ତ୍ତ... 


ସନ୍ଧ୍ୟାକୁ ପଛରେ ପକେଇ ଘଡି କଣ୍ଟା ଆସି 'ନ'କୁ ଛୁଉଁଛି । କଲିଙ୍ଗ ବେଲ ବାଜିଲା, ଅନନ୍ୟା କବାଟ ଖୋଲିଲେ । ଅନୁବ୍ରତ ସବୁଦିନ ପରି ସୂକ୍ଷ୍ମ ହସଟିଏ ଦେଇ କୋଳେଇ ନେଲେ ଅନନ୍ୟାଙ୍କୁ । ଭିତରକୁ ପଶି ଆସିଲେ ଅନୁବ୍ରତ।

କଣ ହୋଇଛି ତମର ଅନନ୍ୟା ??

ଏମିତି ଚୁପ ହୋଇ ବସିଲ !

ପ୍ରଶ୍ନ ସରିବା ଆଗରୁ ହିଁ ଲୁହ ବହି ଆସିଲା ଅନନ୍ୟାଙ୍କ ଗାଲ ଦେଇ।

କାନ୍ଦନି ଅନନ୍ୟା, କଣ ହୋଇଛି କୁହ ??

ଅନନ୍ୟା ବାପାଙ୍କ ଫଟୋକୁ ଅନେଇ ରହିଲେ..

ଆଜି କଣ ବାପାଙ୍କ ଜନ୍ମଦିନ ନା ତାଙ୍କ ମୃତ୍ୟୁ ଦିବସ ?? 


ଜୀବନରେ ଅନେକ ପ୍ରଶ୍ନର ଉତ୍ତର ନଥାଏ, ଆଖି ଆଗରେ ପଡି ରହିଥିବା ଅନେକ ଉତ୍ତର ପାଇଁ ପ୍ରଶ୍ନ ବି ଖୋଜି ହୁଏନି । ସାପସିଡିର ଖେଳ ପରି ଏଇ ଜୀବନଟା । ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ପ୍ରଶ୍ନ ଆସି ଭୟାବହ କରିଦିଏ ପରିସ୍ଥିତିକୁ । ଅନୁବ୍ରତ ଠିକ୍ ସେମିତି ପ୍ରଶ୍ନ ସବୁ ଖୋଜି ଚାଲିଥିଲେ ଅନନ୍ୟାଙ୍କ ପାଇଁ । ଆହୁରି ବିବ୍ରତ ହୋଇ ପଡୁଥିଲେ ଅନନ୍ୟା।


ଅନନ୍ୟା ବାପାଙ୍କ ଡାଇରୀର ସେ ପରିତ୍ୟକ୍ତ ପୃଷ୍ଠାକୁ ଦେଖେଇଲେ ଅନୁବ୍ରତଙ୍କୁ ।


ଅନନ୍ୟା ସବୁବେଳେ ସବୁ କଥା କଣ କହିହୁଏ ! ଭାବିଲି, ଲେଖିଦେଲେ ହୁଏତ ମନର ଦୁଃଖ ଲାଘବ ହେବ । ମୁଁ ଜଣେ ସାଧାରଣ ଟ୍ରାଫିକ କନେଷ୍ଟବଳ । ତୋ ଶ୍ଵଶୁର ଆଇ.ଜି. ଟ୍ରାଫିକ । ଆକାଶ ପାତାଳ ତଫାତ୍ । ଏଇ ତଫାତକୁ ସେତେବେଳେ ବୁଝିଲି ଯେତେବେଳେ ସେ ମୋତେ ଡାକି କହିଲେ ଠିକ୍ ଅଛି, ତମ ଝିଅ ସାଥିରେ ମୋ ପୁଅର ବାହାଘର ହଉ, କିନ୍ତୁ ଗୋଟାଏ ସର୍ତ୍ତରେ । ତମେ ବାହାଘର ଦିନ ଉପସ୍ଥିତ ରହିବନି । ସବୁ ଆଇ.ଏ.ଏସ୍, ଆଇ.ପି.ଏସ୍.ଙ୍କ ଗହଣରେ ମୁଁ ତମ ପରିଚୟ ଦେଇ ପାରିବିନି, ତମେ ଜଣେ କନେଷ୍ଟବଳ ବୋଲି । ମୋର ସାମାଜିକ ପ୍ରତିଷ୍ଠା ଉପରେ ଆଞ୍ଚ ଆସିବ । କେମତି ମେନେଜ କରିବ ତମେ ଜାଣିଛ !!!


ଏତେ ବଡ ସର୍ତ୍ତକୁ ରାଜି ହୋଇଗଲି, ଖାସ ତୋ ଖୁସି ପାଇଁ ଅନନ୍ୟା । ସେତେବେଳେ ଏଇ ସର୍ତ୍ତଟିକୁ ତୁ ଜାଣି ଥିଲେ ହୁଏତ ବିବାହ ପାଇଁ ତୁ ରାଜି ହୋଇ ନ ଥାନ୍ତୁ, କିନ୍ତୁ ଏତେ ବଡ ପ୍ରସ୍ତାବକୁ ହାତଛଡ଼ା କରିବା ପାଇଁ ଇଚ୍ଛା ହେଲାନି । ତରାଜୁରେ ନିଜକୁ ମାପିଲି ତୋ ସହିତ । ଗୋଟାଏ ପକ୍ଷରେ ଜୁନିଅର କର୍ମଚାରୀର ଅପମାନ, ଅନ୍ୟ ପକ୍ଷରେ ତୁ ଆଉ ତୋ ଭବିଷ୍ୟତ । ତୋ ଭବିଷ୍ୟତ ମୋତେ ଓଜନିଆ ଲାଗିଲା !! 


ତୋ ବୋଉ ମରିବା ସମୟରେ ଗୋଟାଏ କଥା କହିଥିଲା, ଝିଅ ଯାହା ଚାହିଁବ ତାକୁ କରିବାକୁ ଦେବ, ସେଇଥି ପାଇଁ ତୋତେ ଦେଖିଲେ ତୋ ବୋଉ କଥା ମନେ ପଡେ । ତୁ କିଛି ଭୁଲ କଲେ ମୁଁ ତୋତେ ଆକଟ କରି ପାରେନି । 

ଛୋଟ ବେଳେ ତୁ କହୁ ଥିଲୁ ନା ବାପା, ତମେ ଘୋଡ଼ା ବନିଯାଅ, ମୁଁ ତମ ପିଠିରେ ବସିବି । ମୋ ପିଠିରେ ବସି କେତେ କଥା କହୁଥିଲୁ ତୁ । ବାପା ! ବଡ ହେଲେ ସତ ସତିକା ଘୋଡ଼ାଟିଏ କିଣି ଦେବ ନା ! ମୁଁ ଘୋଡାରେ ବସି ବାହା ହେବାକୁ ଯିବି । ତୋ ବୋଉ ହସି ହସି ବେଦମ ହୋଇଗଲା ତୋ କଥା ଶୁଣି କି । ବସିଥିବା ଚଉକି ଉପରୁ ଖସି ପଡିଲା ତଳକୁ । ତୁ ଛୋଟ ଥିଲୁ, ପ୍ରାୟ ମନେ ନ ଥିବ !!

କହୁଥିଲୁ ନା, ବାପା ! ତମେ ତ ଟ୍ରାଫିକ ପୋଲିସ, ତମେ ହାତ ଦେଖେଇ ଦେଲେ ଶହ ଶହ ଗାଡି ଛିଡା ହୋଇ ରହନ୍ତି । ମୁଁ ବଡ଼ ହେଲେ ମୋତେ କଣ ତମେ ହାତ ଦେଖେଇ ନିୟନ୍ତ୍ରଣ କରି ପାରିବ । ସତରେ ଅନନ୍ୟା ମୁଁ ତୋତେ ନିୟନ୍ତ୍ରଣ କରି ପାରିଲିନି । ମାଆ ଛେଉଣ୍ଡ ଝିଅର ଆକାଶ ବ୍ୟାପୀ ଅଧିକାର ଅସହାୟ ବାପାଙ୍କ ଆଗରେ । ସ୍ନେହ ଦ୍ୱିଗୁଣିତ ହୋଇଯାଏ । ଝିଅକୁ କଣ ଗାଳି କରି ହୁଏ । ଜାଣିଛୁ ତ ! ଝିଅର ପ୍ରତିଟି ପଦଧ୍ଵନିର ତାଳେ ତାଳେ ବାପା ମାନଙ୍କ ହୃଦୟର ଗତି ନିୟନ୍ତ୍ରିତ ହୁଏ...

  

ହଁ ଅନେକ କଥା କହିଦେଲି ଏହା ଭିତରେ । ତୋ ଆଇ.ଜି. ଶ୍ଵଶୁରଙ୍କ କଥାକୁ ଅମାନ୍ୟ କରି ପାରିଲିନି । ସାତ ଦିନ ଆଗରୁ ଘରେ ଅଚାନକ ପଡି ଯିବାର ଅଭିନୟ କଲି । ଡାକ୍ତର କହିଲେ ଅତି କମରେ ଦଶ ଦିନ ହସ୍ପିଟାଲରେ ରହିବାକୁ ହେବ । ଝିଅ ବିଦାୟୀ ପରିସ୍ଥିତି ତାଙ୍କୁ ଆହୁରି କ୍ଷତି କରିପାରେ । ତୋ ମଉସା ମାଉସୀଙ୍କୁ ବୁଝେଇ ଦେଲି, ମୋ ଅନୁପସ୍ଥିତିରେ କନ୍ୟାଦାନ ପାଇଁ ରାଜି ହୋଇ ଯାଇଥିଲେ ସେମାନେ । ତୁ କିନ୍ତୁ ରାଜି ହେଲୁ ନାହିଁ, କହିଲୁ ବାପା ! ବାହାଘର ଘୁଞ୍ଚିଯାଉ । ମୁଁ ତୋତେ ଅନେକ ବୁଝେଇଲି, ସୁନା ଝିଅ ପରି ସବୁ ବୁଝିଗଲୁ । ଡାକ୍ତର ଓ ମୋତେ ଛାଡ଼ିଦେଲେ ଏଇ ରହସ୍ୟ କେହି ବି ଜାଣି ନ ଥିଲେ । ମୁଁ ଚାହୁଁ ନ ଥିଲି ମୋ ଜିଦ୍ ପାଇଁ ବାହାଘର ଭାଙ୍ଗି ଯାଉ । ମୁଁ ଚାହୁଁ ନ ଥିଲି ମୋ ଝିଅର ସ୍ୱପ୍ନ ଚୂରମାର୍ ହୋଇ ଯାଉ ବୋଲି । ତୋ ବୋଉ କହିଥିଲା ନା, ସେ ଯାହା ଚାହିଁବ କରିବାକୁ ଦେବ । କେମିତି ଜିଦ କରି ଥାଆନ୍ତି କହିଲୁ ! ରାଜି ହୋଇଗଲି କେବଳ ତୋରି ପାଇଁ । ବିବାହ ପରି ଗୋଟାଏ ସାମାଜିକ ଉତ୍ସବରେ ଅନନ୍ୟାର ବାପା କିଏ ଜାଣିବା ଅପେକ୍ଷା ଅନନ୍ୟା ଆଇ.ପି.ଏସ୍ ଘରର ବହୁ ବୋଲି ସମସ୍ତେ ଜାଣିବା ନିହାତି ଦରକାର ଥିଲା ମୋ ପାଇଁ । ଭାବିଲେ କେତେ ଖୁସି ଲାଗେ କହିଲୁ।


ଅନନ୍ୟା ! ଗୋଟାଏ କଥା କହିବି, ମୋର ବି ଇଚ୍ଛା ଥିଲା ତୋ ବାହାଘର ଦେଖିବାକୁ । ତୋ ବୋଉ କଣ ତୋ ବାହାଘର ଦେଖି ପାରିଲା । ମୁଁ ବଞ୍ଚି ଥାଇ କି ବି କଣ ତୋ ବାହାଘର ଦେଖି ପାରିଲି ?? ସବୁ ଭଗବାନଙ୍କ ଇଚ୍ଛା !!!

ହଁ, ଯଦି କେବେ ଅଚାନକ ଏଇ ପୃଷ୍ଠାଟି ତୋ ଆଖି ଆଗରେ ପଡିଯାଏ ନା, ତେବେ ହାଲୁକାରେ ନେବୁ କଥାଟିକୁ, ମୋ ରାଣ ରହିଲା...


ଅନୁବ୍ରତଙ୍କ ଆଖି ଛଳଛଳ ହୋଇ ଆସିଥିଲା ଡାଇରୀର ସେଇ ପୃଷ୍ଠାଟିକୁ ପଢି ସାରିଲା ବେଳକୁ । ଦୁଇଟି ଫଟୋ ଉପରେ ଆଖି ବୁଲେଇନେଲେ ଅନୁବ୍ରତ । ଦୁଇଟି ଫଟୋ ପାଖା ପାଖି ଥିଲେ ବି ସେ ସ୍ପଷ୍ଟ ଦେଖୁଥିଲେ ଅନେକ ବ୍ୟବଧାନ ସେମାନଙ୍କ ଭିତରେ ସାମାଜିକ, ଚାରିତ୍ରିକ ବ୍ୟବଧାନ....

ଗୋଟାଏ ରୁଗ୍ଣ ସାମାଜିକ ବ୍ୟବସ୍ଥା, ଛୋଟ ଉପରେ ବଡର ଅତ୍ୟାଚାର !!!


ବାପା ବଞ୍ଚିଥିଲେ ମୁଁ ନିଶ୍ଚୟ ପଚାରି ଥାଆନ୍ତି ବାପାଙ୍କୁ । ଜଣେ ବାପାଙ୍କୁ କନ୍ୟାଦାନର ଅଧିକାରରୁ ବଞ୍ଚିତ କରି ତମେ କଣ ଠିକ କରିଛ ? ମୃତ୍ୟୁ ପରେ ସମସ୍ତଙ୍କୁ ଏମିତି ଫଟୋ ଭିତରେ ହିଁ ରହିବାକୁ ପଡେ, ତେବେ ଏତେ ଗର୍ବ, ଏତେ ଅହଙ୍କାର କାହା ପାଇଁ । 


ଆଇ ଏମ୍ ଭେରି ସରି ଅନନ୍ୟା । 


ଦେଖ ତମ ବାପାଙ୍କ ମୁଖ ମଣ୍ଡଳର ଅସହାୟତାର ଛାପ ଭିତରେ ବି ଦରଦୀ ମନଟିଏ ଛୁପି ରହିଛି । କେତେ ସରଳ ତମ ବାପା ! କେତେ ବଡ଼ ବଳିଦାନ , ଝିଅର ଖୁସି ପାଇଁ । ଆଇ ସେଲ୍ୟୁଟ ଇଅର ଫାଦର !! 

ଅନନ୍ୟା ! କାହା ବାପା ଆଇ.ପି.ଏସ୍ ଆଉ କାହା ବାପା କନେଷ୍ଟବଳ କିଛି ମାନେ ରଖେନି ଜୀବନରେ, ଦୁନିଆ ଛାଡି ଯିବା ପରେ ସମସ୍ତଙ୍କ ମନ ଭିତରେ କିଏ ରାଜ କରନ୍ତି ତାହା ହିଁ ମୁଖ୍ୟ..

ଆଜିଠୁ ତମ ବାପା ଆମ ହୃଦୟରେ ରାଜ କରିବେ । ବହୁତ ବଡ ଅନ୍ୟାୟ କରିଛନ୍ତି ମୋ ବାପା ତମ ବାପାଙ୍କ ସହିତ । 

ଅନନ୍ୟା ଭାବ ବିହ୍ୱଳ ହୋଇଗଲେ, ଅନୁବ୍ରତଙ୍କୁ କୋଳେଇ ଧରି ଅନେଇଥିଲେ ବାପାଙ୍କ ସେଇ ଫଟୋ ଆଡ଼କୁ... ମନେ ମନେ ମାପୁଥିଲେ ସାମାଜିକ ପ୍ରତିଷ୍ଠାର ଦୂରତାକୁ, ବାପା ଓ ଶ୍ୱଶୁରଙ୍କ ଭିତରେ... 



Rate this content
Log in

Similar oriya story from Inspirational