Satyabati Swain

Inspirational

4  

Satyabati Swain

Inspirational

ଅନ୍ନପୂର୍ଣ୍ଣା

ଅନ୍ନପୂର୍ଣ୍ଣା

11 mins
263



ପ୍ରେମ ଭକ୍ତି ଭାବର ନାରୀଟିଏ।


ମଧ୍ୟ ବଙ୍ଗଳାର କଳାବତୀପୁର ସହର ଜମିଦାର ଗଙ୍ଗାଧର କରଣଙ୍କ ଏକମାତ୍ର ଅଲିଅଳୀ କନ୍ୟା ଅନ୍ନପୂର୍ଣ୍ଣା।


ଡାକ ନାମ ଅନୁ। ସାତ ଭାଇରେ ଗେହ୍ଲା ଭଉଣୀ ଅନ୍ନପୂର୍ଣ୍ଣା।


ଜଗନ୍ନାଥ ଠାକୁରଙ୍କର ପ୍ରିୟ ଭକ୍ତ ଅନ୍ନପୂର୍ଣ୍ଣା।


ରଘୁ ଅରକ୍ଷିତର ସହ ଧର୍ମିଣୀ ଅନ୍ନପୂର୍ଣ୍ଣା ।


ଅନ୍ନପୂର୍ଣ୍ଣା ଜଗନ୍ନାଥଙ୍କ ଭକ୍ତିରେ ବନ୍ଧା।ସେ ବିବାହ କଲେ ଆଉ ଜଣେ ଜଗନ୍ନାଥ ପ୍ରେମୀ ରଘୁନାଥ,ଜମିଦାର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପୁତ୍ରଙ୍କୁ।ରଘୁ ଓ ଅନୁ ଖୁ ସୁନ୍ଦର ସୁଖୀ ଦାମ୍ପତ୍ୟ ଯୋଡି ଟିଏ। ପ୍ରାୟତଃ ଦୁହିଁଙ୍କ ରୁଚି,କର୍ମ ଓ ଧର୍ମ ମିଶି ଯାଉଥିଲା।ଉଭୟେ ଥିଲେ ଭଗବତ ପ୍ରେମୀ : ପିତାମାତାଙ୍କୁ ଭକ୍ତି,ସମ୍ମାନ ଓ ଆଦର କରୁଥିଲେ।ଗୁରୁ ଗୁରୁଜନଙ୍କୁ ଅବଜ୍ଞା କରନ୍ତି ନାହିଁ।ଦାନ ଧର୍ମ କରିବାରେ ସିଦ୍ଧହସ୍ତ।ଦିନଦୁଃଖୀଙ୍କୁ ସାହାଯ୍ୟ କରନ୍ତି।କାୟ ମନୋବାକ୍ୟରେ ଗୋଟିଏ ଦେବତା ଶ୍ରୀ ଜଗନ୍ନଥଙ୍କୁ ପୂଜନ୍ତି ଦୁହେଁ।ଯେତେ ଦୁଃଖ ଆସିଲେ ବି କେହି କାହା ହାତ ଛାଡିବେନି ବୋଲି ପ୍ରତିଶ୍ରୁତି ବଦ୍ଧ।


କିନ୍ତୁ ଏଇ ଭକ୍ତ ଦମ୍ପତିଙ୍କୁ ସାରା ଜୀବନ ହଟିଆ ଠାକୁର ପରୀକ୍ଷା କରି ଆସିଛନ୍ତି।


କିଛି ଦିନ ସୁଖଶାନ୍ତିରେ ରଘୁ ଓ ଅନୁ ଦାମ୍ପତ୍ୟ ସୁଖ ଭୋଗ କରିଛନ୍ତି କି ନାହିଁ ବଙ୍ଗରେ ଦୁର୍ଭିକ୍ଷ ପଡିଲା।ଏଇ ସୁଖ ସମୟ ଏମିତି ଆଖି ପିଛୁଳାକେ ଚାଲିଯାଏ କାହିଁକି ଯେ? ସୁଖ ସ୍ୱାଦ ଅନୁଭବ କରିବାକୁ ଗଲାକ୍ଷଣି ସେ ମାରେ ଚମ୍ପଟ।ସୁଖର ଦିନ ସହଳ ସରିଗଲା ଯେପରି ଅନୁର ଜୀବନରୁ।


ଦୁର୍ଭିକ୍ଷରେ ଲୋକଙ୍କ ଅବସ୍ଥା ଦେଖି ଘରେ ଯାହା ଥିଲା ଲୋକ ମାନଙ୍କ ଭିତରେ ବାଣ୍ଟି ଦେଲେ କୃଷ୍ଣଚନ୍ଦ୍ର।ଦୁର୍ଭିକ୍ଷର ଛାତି ଥରା କାହାଣୀ।ଲୋକେ ଗଛ ପତର ବି ଖାଦ୍ୟ ଅଭାବରୁ ଖାଇ ଗଲେ।ସବୁଜ ପତ୍ରଟିଏ ଦିଶିଲାନି କେଉଁଠି। ଚାରିଆଡେ ହା ହା କାର।ଖାଦ୍ୟ ନପାଇ ଡହଳ ବିକଳ ମଣିଷ ପଶୁ ପକ୍ଷୀ।ପାଣି ନାହିଁ କି ଖାଦ୍ୟ।ଆକାଶକୁ ଅନେଇଁ ରହିଲେ ମୁନ୍ଦେ ପାଣି ପାଇଁ।ପାଣି ନପାଇ ମରିଗଲେ ଗଛ ଲତା।


ଅତି ହଇରାଣ ହରକତ ହେବାରୁ ରଘୁନାଥଙ୍କୁ ତାଙ୍କର ପିତାମାତା କହିଲେ ,ବୋହୂକୁ ନେଇ ତାଙ୍କ ବାପଘର କଳାବତୀ ପୁରେ ଛାଡ଼ିଦେଇ ଆସିବାକୁ।ପିଲା ଲୋକ ଏଠି ହଇରାଣ ହେବ କାହିଁକି?


ଅନୁ ଶାଶୁଘରୁ ବାପା ଘର ଗଲା ପରେ ଗୋଟିଏ ପରେ ଗୋଟିଏ ପରୀକ୍ଷା ଦେବାକୁ ପଡିଲା।ଶାଶୁଶଶୁରଙ୍କର ମୃତ୍ୟୁ ପୁଣି ରଘୁନାଥ ବଙ୍ଗ ଛାଡି ଶ୍ରୀକ୍ଷେତ୍ର ଚାଲିଗଲା ପରେ ଅନୁଙ୍କ ଜୀବନରେ ଅଶାନ୍ତି ବାତ୍ୟା ମାଡି ଆସିଲା।


ଅନୁଙ୍କ ବାପା ଗଙ୍ଗାଧର ଖବର ପାଇଲେ ତାଙ୍କ ଜ୍ବାଇଁ ବଡ଼ଦାଣ୍ଡରେ ଭିକ୍ଷା ବୃତ୍ତୀ କରୁଛନ୍ତି।ଶେଷରେ ରଘୁନାଥ ଜଣେ ଜମିଦାର ପୁଅ ଅରକ୍ଷିତ ହୋଇଗଲା ! ଭିକ ମାଗିଲା! କଣ କରିବେ ? ଅନୁକୁ ଦେଖି ତାଙ୍କ ଛାତି କରତି ହୋଇଗଲା।ଆଦ୍ୟ ଯୌବନରେ ପାଦ ଥାପିଛନ୍ତି ତାଙ୍କ ଅତି ସୁକୁମାରୀ ଅନୁ। ଦୁନିଆଁକୁ ଠିକ୍ ରେ ଜାଣି ନାହାନ୍ତି।କେଇ ଦିନର ସ୍ୱାମୀ ଶାଶୁଘର ଭୋଗ କରିଛି ବା ସେ।ଜ୍ବାଇଁ ତାଙ୍କର ସମସ୍ତ ସମ୍ପତ୍ତି ଦାନ କରି ବଡ଼ ଦାଣ୍ଡ ଭିକାରୀ ହେବା କଥାଟା ହଜମ କରି ପାରୁ ନାହାନ୍ତି ସେ।


ଦ୍ବନ୍ଦ୍ୱ ଗୋଟିଏ କନ୍ୟାର ବାପା ପ୍ରାଣରେ।


ସମସ୍ତେ ଆହା ବିଚାରୀ କହି ଆହୁରି ଦୁଃଖୀ କରି ଦେଉଥିଲେ ସାଇଭାଇ।ରଘୁନାଥ ଅପାରଗ।ଜମିଦାରୀ ସମ୍ଭାଳି ପାରିଲା ନାହିଁ।ହାତଭଗାଟା ଏକା ଥରକେ ବାପମାଙ୍କୁ ଖାଇଲା। ପୁଣି ସ୍ତ୍ରୀ ଟି କେମିତି ଅଛି ଟିକେ ନ ବୁଝି ଅତି ସ୍ୱାର୍ଥପର ଭାବେ ବଡ଼ଦାଣ୍ଡକୁ ଭିକାରୀ ହେବାକୁ ଚାଲିଗଲା।ଛିଃ ଛିଃ କି ପୁରୁଷ ସେ ; ଯିଏ ସ୍ତ୍ରୀକୁ ବାପଘରେ ଛାଡି ଯାଇଛି ଯେ ଯାଇଛି।ମଲା କି ଗଲା ଖୋଜିଲାନି। ଅଳସୁଆ,କୋଡ଼ିଆ,ପରିଶ୍ରମକୁ ଡରି ଭିକାରୀ ହେଲା।କେମିତି ତା ଆତ୍ମା ସ୍ୱୀକୃତି ଦେଲା ଜମିଦାର ପୁଅ ଭିକାରୀ ହେବାକୁ !


ଏପରି ନାନା କଥା ନିଜ ଲୋକମାନଙ୍କ ସହ ତାଳ ଦେଇ ପର ଲୋକେ ବି କହିଲେ।


ଶେଷରେ ନିଷ୍ପତ୍ତି ହେଲା ଅନୁକୁ ଅନ୍ୟତ୍ର ବାହା କରିଦେବେ।କେତେଦିନ ଝିଅକୁ ଘରେ ରଖି ପାରିବେ।ଯଦି ବା ଭିକାରୀ ସ୍ୱାମୀଟି ତାର କେବେ ଆସେ ; ଆମେ କଣ ଆମ ଅଳିଅଳୀ ଝିଅକୁ ଭିକାରୁଣୀ ହେବାକୁ ଛାଡ଼ିଦେବୁ। ନା ଏହା କୌଣସି ମତେ ହୋଇ ପାରିବ ନାହିଁ।


ଶେଷରେ ଅନୁଙ୍କ ବାହାଘର ଠିକ୍ ହୋଇଗଲା ବାସୁ ମହାପାତ୍ରଙ୍କ ସହ।


ଅନୁଙ୍କ ମତାମତ ନିଆଗଲା ନାହିଁ।କିନ୍ତୁ ଅନୁ ଯେ ବିବାହିତ। ରଘୁ ତାଙ୍କ ପତିଦେଵ।ଭିକାରୀ ହେଉ କି ରାଜା ,ପତି ତ ପତି।ସେ ଶୁଣାଇଁ ଦେଲେ, ମୁଁ ବିବାହିତା ନାରୀ ।ମୋର ସ୍ୱାମୀ ଥାଉ ଥାଉ ଅନ୍ୟତ୍ର ବିବାହ କରିବେ ନାହିଁ।


କେହି ଶୁଣିଲେ ନାହିଁ ଅନୁଙ୍କ କଥା।ଟାଣି ଟାଣି ନେଇ ଗଲେ ବାସୁ ମହାପାତ୍ରଙ୍କ ଆଗକୁ।ବାସୁ ମହାପାତ୍ର ଅନ୍ନପୂର୍ଣ୍ଣାଙ୍କ ରୂପ ସମ୍ଭାର ଦେଖି ଚକିତ।ଏ ଦେବୀ ନା ମାନବୀ ! କାଳ ବିଳମ୍ବ ନ କରି ରାଜି ହୋଇଗଲେ ବିବାହ କରିବାକୁ।


ବାସୁ ମହାପାତ୍ର ଅନିନ୍ଦ୍ୟ ସୁନ୍ଦରୀକୁ ସ୍ତ୍ରୀ କରିବା ପାଇଁ ଆନନ୍ଦରେ ଗଦ୍ ଗଦ୍ ହେଲା ବେଳକୁ ଅନ୍ନପୂର୍ଣ୍ଣା ନିଃସହାୟ ଭାବେ ଗଡାଉଥିଲେ ଲୁହ।ସୁଖ ଦୁଃଖର ଭଗବାନ ପ୍ରଭୁ ଜଗନ୍ନାଥଙ୍କୁ ଜଣାଇଁଲେ ନିଜ ଦୁଃଖ ।"ଶୁଣୁଛି ମୋ ସ୍ୱାମୀ କୁଆଡେ ତୁମ ବଡ଼ ଦାଣ୍ଡରେ ଭିକାରୀ ରଘୁ ଅରକ୍ଷିତ ନାମେ ଖ୍ୟାତ।ହେ ଅନ୍ତର୍ଯ୍ୟାମୀ ! ମୋତେ ତୁମରି ପାଖକୁ ନେଇଯାଏ ମୁଁ ମୋ ସ୍ୱାମୀଙ୍କ ସହ ଭିକାରୁଣୀ ହେବି,କିନ୍ତୁ ଦ୍ଵିତୀୟ ବିବାହ କରି ପାରିବି ନାହିଁ। କିଛି କର ବିପଦ ଭଞ୍ଜନ।"


ଭିତରେ ଭିତରେ ଜଳୁଥିଲେ,କାନ୍ଦୁଥିଲେ ଅନ୍ନପୂର୍ଣ୍ଣା।ବାପା ଭାଇ କି ଭାଉଜ ଯେତେ ବୁଝାଇଲେ ବୁଝୁ ନଥିଲେ ଆଦୌ।ବିବାହ ଦିନ ଧାର୍ଯ୍ୟ ହୋଇଗଲା ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି,ଶୁଭ ଦିନ।ମା ସରସ୍ଵତୀଙ୍କ ପୂଜା ସେଦିନ।


ଯେତିକି ବିବାହ ଦିନ ପାଖେଇ ଆସୁଥାଏ ସେତିକି ଅସହାୟ, ହୋଇ ପଡୁଥାନ୍ତି ଅନ୍ନପୂର୍ଣ୍ଣା।ସ୍ୱାମୀ ଥାଉ ଥାଉ ସେ ଅନ୍ୟ ସ୍ୱାମୀର ପାଣି ଗ୍ରହଣ କରିବେ କେମିତି! କେମିତି ରଘୁ ଙ୍କୁ ସମର୍ପିତ କରିଥିବା ଶରୀର କୁ ଅନ୍ୟ ଜଣେ ପରପୁରୁଷ ଛୁଇଁବ! ଏତ ଘୋର ପାପ।ହେ ଚକା ଆଖି ପତିତ ତାରଣ ମୋ ସ୍ୱାମୀଙ୍କୁ ଆଣି ମୋ ପାଖେ ପହଞ୍ଚାଇ ଦିଅ କଳା ସାଆନ୍ତେ।ଏତିକି କରୁଣା କର କରୁଣା ମୟ।"


କଣ କରିବ,କେମିତି ମୋ ସ୍ୱାମୀ ମୋ ବିବାହର ଖବର ପାଇବେ।ଖବର ପାଇଲେ ମୋ ସ୍ୱାମୀ ନିଶ୍ଚୟ ଧାଇଁ ଆସି ମୋତେ ନେଇ ଯିବେ।ଏମିତି ଭାବୁ ଭାବୁ ଅନ୍ନପୁର୍ଣ୍ଣା ଶୁଣିବାକୁ ପାଇଲେ ତାଙ୍କ ଗାଁରୁ କେତେ ଲୋକ ଶ୍ରୀକ୍ଷେତ୍ର ଯାଉଛନ୍ତି କାଳିଆ ଦର୍ଶନ ପାଇଁ। ଅନ୍ୟ ଉପାୟ ନ ପାଇଁ ଶ୍ରୀକ୍ଷେତ୍ରକୁ ଯାଉଥିବା ଲୋକଙ୍କ ହାତରେ ରଘୁନାଥ ପାଖକୁ ଚିଠିଟିଏ ଲେଖିଲେ ଅନ୍ନପୂର୍ଣ୍ଣା ଲୁହ କୋହ ମିଶେଇ। ତାଙ୍କୁ ନେଇଯିବାକୁ ଅନୁରୋଧ କଲେ ଗୋସେଇଁଙ୍କୁ।ସେଇ ଶ୍ରୀକ୍ଷେତ୍ରରେ ସେ ବି ରଘୁ ଅରକ୍ଷୀତର ଅରକ୍ଷିତିଆଣୀ ହୋଇ ଜଗନ୍ନାଥଙ୍କ ସେବା କରିବେ।ଯାହା ବି ହେଉ ଅଭାଗିନୀ କୁ ଯେତେ ଶୀଘ୍ର ନେଇ ଯାଅ ସ୍ୱାମୀ।ନଚେତ ମାଘ ମାସ ପଞ୍ଚମୀ ତିଥିରେ ତାର ବାହାଘର ହୋଇଯିବ।ଲେଖି ଚିଠିଟିକୁ ଗୋସେଇଁଙ୍କୁ ଦେଲେ ଅନ୍ନପୂର୍ଣ୍ଣା।


ଚିଠିଟି ଅତି ଗୋପନରେ ଅନୁନୟ ବିନୟ ହୋଇ ଅନ୍ନପୂର୍ଣ୍ଣା ଶ୍ରୀକ୍ଷେତ୍ର ଯାତ୍ରା କରୁଥିବା ଗୋସେଇଁଙ୍କୁ ଦେଇ ଦେଇ ଆଶା ବାନ୍ଧି ବସିଲେ । ତାଙ୍କ ମନ କହୁଥିଲା ରଘୁ ନିଶ୍ଚୟ ଖବର ପାଇଲା କ୍ଷଣି ଆସିବେ।ଜଗନ୍ନାଥେ ମୋ ସ୍ୱାମୀଙ୍କୁ ଆଣି ମୋ ପାଖେ ପହଞ୍ଚାଇ ଦେବେ। ଚାତକ ପରି ଅନେଇଁ ବସିଲେ ରଘୁଙ୍କୁ ସେ।


କାହିଁ ବଙ୍ଗ ପୁଣି କାହିଁ ଉତ୍କଳ! ଚାଲି ଚାଲି ଯାଉଛନ୍ତି କଳାବତୀ ପୁର ଗୋସେଇଁ।ବାଟ ସରୁ ନାହିଁ! କେମିତି ଠିକ୍ ସମୟରେ ଅନ୍ନପୂର୍ଣ୍ଣାଙ୍କ ଚିଠି ପହଞ୍ଚାଇ ପାରିବେ!।ଯଦି ବା ପହଞ୍ଚିଗଲେ ରଘୁ ଙ୍କୁ କେମିତି ପାଇବେ ! ଆହା ବିଚାରୀ ଝିଅଟି ଅନେଇଁ ବସିଥିବ ସ୍ୱାମୀ ବାଟକୁ।ହେ ନିଳାଚକ୍ର ସବୁ ତୁମରି ଇଚ୍ଛା କହି ଗୋସେଇଁ ଚାଲିଛନ୍ତି କାଳିଆ ଦର୍ଶନେ।


ଗୋସେଇଁ ପବିତ୍ର ପୁଣ୍ୟ ଧାମ ନୀଳାଚଳେ ପହଞ୍ଚି ଆଗ କଳା ଗୋସେଇଁଙ୍କୁ ଦର୍ଶନ କଲେ । ତାପରେ ଖୋଜିଲେ ରଘୁଙ୍କୁ। ହେ ପ୍ରଭୁ ଝିଅଟି କେତେ ଆଶାରେ ଚିଠି ଦେଇଛି।ରଘୁକୁ ମିଳେଇ ଦିଅ ପ୍ରଭୁ।


ଅନ୍ନପୂର୍ଣ୍ଣା ଛଟ୍ ପଟ୍ ହେଉଛନ୍ତି।ଗୋସେଇଁ ତ ପହଂଚି ଯିବେଣି। ସେ କଣ ରଘୁଙ୍କୁ ପାଉ ନାହାନ୍ତି।ଚିଠି ପାଇଲେ ତ! ଆସୁ ନାହାନ୍ତି କାହିଁକି? ପ୍ରତିଦିନ ଅପେକ୍ଷା ଦୀପ ଜାଳି ଅପେକ୍ଷା ସ୍ୱାମୀଙ୍କୁ।


ସବୁଆଡୁ ହତାଶ ହୋଇ କଳାବତୀ ଗୋସେଇଁ ଆଶା ଛାଡିଦେଲେ ରଘୁ ଙ୍କୁ ବୋଧେ ପାଇବେ ନାହିଁ କି ଚିଠିଟି ଦେଇ ହେବନି। ବାତିନି ବୁଡିବ କି ନୀଳଜହ୍ନ!

ହଠାତ୍ ସିଂହଦ୍ୱାର ମୁହଁରେ ଗୋସେଇଁ ବଡ଼ ପାଟିରେ ଡାକିଲେ ରଘୁ ତୁମେ କେଉଁଠି।ମୁଁ ତୁମ ପାଇଁ ଖବର ଆଣିଛି,କଳାବତୀ ପୁରରୁ ଅନ୍ନପୂର୍ଣ୍ଣା ତୁମ ସ୍ତ୍ରୀ ଦେଇଛି।ବହୁତ ଖୋଜିଲିଣି,ପାଉ ନାହିଁ ତୁମକୁ ରଘୁ।


ଜଣେ ଅତି କାଙ୍ଗାଳ ବେଶଧାରୀ ଯୁବକ କହିଲେ ହଁ ଗୋସେଇଁ ମୁଁ ରଘୁ।ଓଃ ସ୍ବସ୍ତିରେ ନିଃଶ୍ବାସ ମାରି ଗୋସେଇଁ ରଘୁ ହାତକୁ ବଢ଼ାଇ ଦେଲେ ଅନ୍ନପୂର୍ଣ୍ଣାଙ୍କ ଚିଠି।ଚିଠିଟି ପଢି ରଘୁ ଖୁବ୍ ଅସହାୟ ଦିଶିଲେ।ଅନ୍ନପୂର୍ଣ୍ଣା ବାହାଘର ଆଉ ଦଶ ଦିନ ବାକି।କିନ୍ତୁ ଶ୍ରୀକ୍ଷେତ୍ରରୁ କଳାବତୀ ପୁର ତ ମାସକ ବାଟ।କାଳିଆ ପ୍ରେମରେ ବାଉଳା ରଘୁ ଅନ୍ନପୂର୍ଣ୍ଣାକୁ ସ୍ୱପ୍ନ ହୋଇ ଶୋଇପଡିଲେ ସେଇ ସିଂହଦ୍ଵାରରେ।ମାତ୍ର ଏ କଣ ଆଖି ଖୋଲିଲା ବେଳକୁ ସେ ନିଜକୁ ଆବିଷ୍କାର କଲେ ନିଜ ଶଶୁର ଘର ସାମାନାରେ।ଗଳି ପଡିଲା ଭକ୍ତି ଅଶ୍ରୁ।କାଳିଆ ତୁ ମୋତେ ଏଇଠି ପହଞ୍ଚାଇ ଦେଲୁ!


ସକାଳୁ ସକାଳୁ ରଘୁକୁ ଦେଖି ଶଶୁର ଘରେ ଲୋକେ ଦ୍ବନ୍ଦ୍ୱରେ ପଡିଲେ।କଣ କରିବେ ଅନ୍ନପୂର୍ଣ୍ଣା ବିବାହ ଆଉ ସପ୍ତାହକ ପରେ।କପଟ କରି ଖାଇବାରେ ବିଷ ଦେଲେ ଶଶୁର ଘର ଲୋକେ ।ରଘୁ ଭିକାରୀ ନ ମଲେ ସେମାନେ ଅନ୍ନପୂର୍ଣ୍ଣା ବିବାହ କରି ପାରିବେ ନାହିଁ।ଅନ୍ନପୂର୍ଣ୍ଣା ଜାଣିଲେ ଏ କପଟ କଥା। କାହାକୁ କହିବେ।କେମିତି ବଞ୍ଚିବେ ରଘୁ ! ତାକୁ ତ ରଘୁ ପାଖକୁ ଛାଡୁ ନାହାନ୍ତି !


କେବଳ ତୁମେ ଜଗନ୍ନାଥ ସାହା। ତୁମେ ରଘୁଙ୍କୁ ରକ୍ଷାକର। ବିଧବା ହୋଇଯିବି ପ୍ରଭୁ।ତୁମର ନିନ୍ଦା ହେବ।ଦୁଃଖ ସୁଖ ସବୁଥିରେ ତୁମକୁ ଡାକିଛି ପ୍ରଭୁ ଏ ମହା ବିପଦରୁ ରକ୍ଷା କର।ରଘୁ ପ୍ରଭୁଙ୍କୁ ଅର୍ପଣ କରି ସବୁ ତକ ବିଷ ମିଶା ଖାଦ୍ୟ ଖାଇଦେଲେ।ଘର ଲୋକେ ଖୁସ୍।ମାତ୍ର ଏ କଣ ସକାଳୁ କବାଟ ଖୋଲି ଦେଖିଲେ ଭୋଳ ହୋଇ ଜଗନ୍ନଥ ଭଜନ ଗାଉଛନ୍ତି ରଘୁ!


ଯୁଗେ ଯୁଗେ ଭକ୍ତର ଭଗବାନ। ରଘୁ ବିଷ ମିଶା ଖାଦ୍ୟ ଖାଇଲେ ମଧ୍ୟ ତାହା ଅମୃତ ପାଲଟି ଗଲା।


ଅନ୍ନପୂର୍ଣ୍ଣା ଏହା ପରେ ସ୍ୱାମୀଙ୍କ ହାତ ଧରି ବାହାରିଗଲେ ଶ୍ରୀକ୍ଷେତ୍ର।ଯେଉଁ ଘରେ ନିଜ ଝିଅକୁ ବିଧବା କରିବା ପାଇଁ ଷଡଯନ୍ତ୍ର ହୋଇପାରେ।ଯେଉଁ ଘରେ ଜ୍ବାଇଁ ଙ୍କୁ ମାରିବା ପାଇଁ ଖାଦ୍ୟରେ ବିଷ ଦିଆ ଯାଇପାରେ ସେ ଘରେ ଆଉ ଗୋଟିଏ କ୍ଷଣ ସେ ରହି ପାରିବ ନାହିଁ।


ବଣ ଜଙ୍ଗଲ ଦେଇ ଯାଉ ଯାଉ ହଠାତ୍ ଅତର୍କିତ ଆକ୍ରମଣ ହେଲା ତାଙ୍କ ଉପରେ।ଏମାନେ ବାସୁ ମହାପାତ୍ରର ଲୋକେ।ରଘୁକୁ ମାରି ଅନ୍ନପୂର୍ଣ୍ଣାକୁ ନେଇ ବିବାହ କରିବାକୁ ଏପରି ଆକ୍ରମଣ କରୁଛନ୍ତି।ଅନ୍ନପୂର୍ଣ୍ଣା ଅବାକ୍।କେମିତି ବଞ୍ଚାଇବ ତା ସ୍ୱାମୀକୁ।ଘୋର ଜଙ୍ଗଲ ଭିତରେ କେହି ନାହିଁ କାଳିଆ ତୁ ହିଁ ରକ୍ଷାକର।ସବୁ ବିପଦରୁ ମୋତେ ମୁକାଳୁଛୁ।ଏ ମହା ସଂକଟରୁ ରଖ ନୀଳଜହ୍ନ।ରକ୍ଷାକର ପତିତପାବନ।ଅନ୍ନପୂର୍ଣ୍ଣା ଯୋଡ଼ ହସ୍ତରେ ଆଖି ବୁଜି କାଳିଆ କାଳିଆ ହେଲେ।


ଏ କି ବିସ୍ମୟ! ଦୁଇ ଜଣ ସିପେହୀ କଳାଘୋଡା ଓ ଧଳାଘୋଡା ଚଢି ପହଞ୍ଚିଗଲେ।ଜଣେ ଆଗରେ ଓ ଆଉ ପଛରେ ରହି ତାଙ୍କୁ ସୁରକ୍ଷାର ସହ ଜଙ୍ଗଲ ପାରି କରିଦେଲେ। କୃତ୍ୟ କୃତ୍ୟ ହୋଇ ଅନ୍ନପୂର୍ଣ୍ଣା କାଳିଆ ଧନ କାଳିଆ ଧନ ବାଉଳି ହୋଇ ହୋଇ ପହଞ୍ଚିଗଲେ ଶ୍ରୀକ୍ଷେତ୍ରରେ।


ବିଚିତ୍ର ଭକ୍ତି ! ଅଦ୍ଭୁତ ଭକ୍ତ! ତାକୁ ସ୍ୱୟଂ ଆସି ରକ୍ଷାକଲେ!!


ନୀଳାଚଳ ଧାମରେ ପାଦ ଥୋଉ ଥୋଇ ଦେହ,ମନଓ ଆତ୍ମାରେ ଖେଳିଗଲା ଅନ୍ନପୂର୍ଣ୍ଣାଙ୍କର ଏକ ଅଲୌକିକ ଶିହରଣ।ଭକ୍ତି ଭାବରେ ଗଦ୍ ଗଦ୍ ହୋଇ ଆତ୍ମ ବିସ୍ମୃତ ହୋଇଗଲେ ଅନ୍ନପୂର୍ଣ୍ଣା।ଆଖିରେ ଆଷାଢ଼।ମନରେ ଗଙ୍ଗା ବହି ଯିବେ ଧୋଇଦେବେ ଶ୍ରୀରଙ୍ଗା ପୟର।କୋଟି ଜନ୍ମ ପୁଣ୍ୟ ଲାଭ କରିବେ।ମନୁଷ୍ୟ ଜନ୍ମ ସଫଳ ହେବ।ମୋକ୍ଷ ପାଇଯିବେ।କି ଅନୁଭବ।କି ଆନନ୍ଦ ଛୁଉଁଛି ମନ।ଅନ୍ନପୂର୍ଣ୍ଣା ପାଗେଳି ଜଗନ୍ନାଥ ଦର୍ଶନ ହେବ।ସେ ଆଜି ସେଇଠି ପାଦ ଥାପିଛନ୍ତି; ଯେଉଁଠି ପାଦ ଥୋଇଲେ ସବୁ ପାପ ଧୋଇ ହୋଇଯାଏ। ଯେଉଁ ଧାମରେ ଚଣ୍ଡାଳ ଓ ବ୍ରାହ୍ମଣ ଗୋଟିଏ ସ୍ଥାନରେ ପୁଣି ଗୋଟିଏ ପତ୍ରରେ ଖାଆନ୍ତି।ଖାଇ ସାରି ମୁଣ୍ଡରେ ହାତ ପୋଛନ୍ତି।ଅଭଡ଼ା ଯାର ମୁକ୍ତି ରେଣୁ।ମଶାଣୀ ଯାର ସ୍ୱର୍ଗ ଦ୍ୱାର।ଏ ଶ୍ରୀକ୍ଷେତ୍ରରେ ସବୁ ବଡ଼।ବଡ଼ଦେଉଳ,ବଡ଼ଦାଣ୍ଡ,ବଡ଼ଠାକୁର।ବଡ଼ଦାଣ୍ଡ ଧୂଳି ଅନ୍ନପୂର୍ଣ୍ଣା ଆଣି ଟିକେ ମଥାରେ ଲଗାଇଲେ।ମନ ଛନ୍ନ ଛନ୍ନ ଦେଖିବେ ନୀଳଜହ୍ନଙ୍କୁ।କେତେ ତପର ଏ ପୁଣ୍ୟ ଫଳ କେଜାଣି।ପ୍ରଭୁଙ୍କ ଦର୍ଶନ ମିଳିବ।

 

ଚକାଆଖିକୁ ଦର୍ଶନ କରି ଅନ୍ନପୂର୍ଣ୍ଣା କହୁଛନ୍ତି ହେ ଭକ୍ତବନ୍ଧୁ ଏତିକି ସୁଦୟା କରିବ,ମଲା ପର୍ଯ୍ୟନ୍ତ ଏ ସୁନ୍ଦର ମୁଖ ଦର୍ଶନ କରାଉଥିବ । କୌଣସି ମୁହୂର୍ତ୍ତରେ ଯେପରି ଏ ମନ ତୁମକୁ ପାଶୋରି ନ ଦେଉ।ଦର୍ଶନ ପରେ ଅଭଡ଼ା ଖାଇ ପରମ ତୃପ୍ତ ହେଲେ ଦୁଇ ପ୍ରାଣୀ। 


ରଘୁର ଚିନ୍ତା ବଡ଼ିଲା ଏତେ ସୁନ୍ଦରିଆ ସ୍ତ୍ରୀକୁ ନେଇ କେଉଁଠି ରହିବ ! ସେ ସିନା ଭିକାରୀ ପାଇଲେ ଖାଇଲା ନ ହେଲେ ନାଇଁ।ଯେଉଁଠି ପାଇଲା ଶୋଇ ପଡିଲା।କିନ୍ତୁ ଅନ୍ନପୂର୍ଣ୍ଣା!


ଅନ୍ନପୂର୍ଣ୍ଣା ଦୃଢ଼ ହୋଇ କହିଲେ ଚିନ୍ତା କଣ ପାଇଁ।ଯେଉଁ କାଳିଆ ଟାଣି ଆଣିଛି ସେ ତା ବନ୍ଦୋବସ୍ତ କରିବେ ନାହିଁ ! ମୋ ଇଜ୍ଜତ କଣ ସେ ଦାଣ୍ଡରେ ପକାଇବେ! ମୋ ମନ,ଆତ୍ମା ଓ ଶରୀର ତ ସେ କଳାଜହ୍ନ ବିଜେ। ନିଜକୁ କେହି କଷ୍ଟ ଦିଏ?ସତକୁ ସତ ରହିବା ପାଇଁ ଦକ୍ଷିଣ ଦୁଆରଠାରୁ ଅଳ୍ପଦୂରରେ ଗୋଟିଏ ଅଧା ଗଢ଼ା କୁଡ଼ିଆ ମିଳିଗଲା।ସେଇ କୁଡ଼ିଆରେ ସ୍ୱାମୀ ସହ ଜଗନ୍ନାଥଙ୍କୁ ସୁମରଣା କରି ଅଳିଅଳୀ ଦୁଧ ଭାତରେ ଗାଧୋଉଥିବା 

ଜମିଦାର ଘର ଝିଅ ମହା ଆନନ୍ଦରେ ରହିଲେ।ଦିନ ରାତି କେବଳ ଧ୍ୟାନ ଧାରଣା ସେଇ ଦୁଖୀଜନ ବନ୍ଧୁଙ୍କୁ ହି କଲେ।


ରଘୁ କାଳିଆ ସାଆନ୍ତ ପାଖେ ଭଜନ ଗାଏ,ନାଚେ ତଲ୍ଲୀନ ହୋଇ।ବଡ଼ ଦାଣ୍ଡରେ ମହାପ୍ରଭୁଙ୍କ ଗୀତ ଗାଇ ଗାଇ ଭିକ ମାଗେ।ଯାହା ମିଳେ ସ୍ୱାମୀ ସ୍ତ୍ରୀ ଦୁଇ ପ୍ରାଣୀ ଚଳି ଯାଆନ୍ତି।ଯେଉଁ ଦିନ କିଛି ନ ମିଳେ ପାଣି ପିଇ ଜଗନ୍ନାଥ ନାମ ସ୍ମରି ଶୋଇ ପଡନ୍ତି।ଏଥିପାଇଁ ଅନ୍ନପୂର୍ଣ୍ଣା କେଉଁ ଦିନ ମନ ଊଣା କରି ନାହାନ୍ତି।ଏ ଦୁଃଖ କଣ ସବୁ ଦିନ ଥିବ ! ଏ ଦୁଃଖ ରାତି ନିଶ୍ଚୟ ପାହିବ।କାଳିଆ ଅଛନ୍ତି। ସେ କଣ ସବୁ ଦିନ ଓପାସ ଭୋକରେ ରଖୁ ଥିବେ। କିଛି ତ ବ୍ୟବସ୍ଥା କରିବେ। ନା କପିଟିଆ ମୟୂର ଚୂଳିଆ ଏମିତି ପରୀକ୍ଷା କରୁଥିବ ! ଏ ଯାଏ ତ ପ୍ରତି କ୍ଷଣେ ପରୀକ୍ଷା କରି ଆସୁଛ। କେବେ ଏ ପରୀକ୍ଷା ସରିଵ,ତୁମେ ଜାଣ ଠାକୁରେ।


କିନ୍ତୁ ଏତିକି ଅଳି କେବେ ବି ଏ ମନ ନ ବଦଳୁ। ନାହିଁ ବୋଲି ଦୁଃଖ ନ କରୁ।ତୁମେ ତ ଅଛ,ଆଉ କି ଧନ ଲୋଡ଼ା ପ୍ରଭୁ।ଏ ମନ ସବୁବେଳେ ତୁମକୁ ଜପୁ,ଭାବୁ,ପୁଜୁ ଓ ଦେଖୁ।


ଅନ୍ନପୂର୍ଣ୍ଣା ସ୍ୱାମୀ ରଘୁକୁ ବଳ ଦିଅନ୍ତି,ବୁଝାନ୍ତି।ସବୁ ତ ନୀଳାଦ୍ରି ବିହାରୀଙ୍କ ଇଚ୍ଛାରେ ହେଉଛି।ଆମେ ତୁଚ୍ଛାକୁ ଚିନ୍ତା କରୁଛନ୍ତି ! ଅନ୍ନପୂର୍ଣ୍ଣା ସାଧନା କରନ୍ତି। ଭିକାରୀ ସ୍ୱାମୀଙ୍କୁ ସାନ୍ତ୍ୱନା ଦିଅନ୍ତି।ଦୁଖସୁଖ ,ଅଭାବ କଷଣ ସବୁଥିରେ ଖୁସି ଖୁସି ସହି ନିଅନ୍ତି।ପତି ଭକ୍ତିର ପଟାନ୍ତର ନାହିଁ ଅନ୍ନପୂର୍ଣ୍ଣାଙ୍କର। ସ୍ୱାମୀଙ୍କ କଥା ବେଦର ଗାର ପରି ମାନନ୍ତି।ସ୍ୱାମୀ ତାଙ୍କର ଇହ,ପର। ସ୍ୱାମୀ ହିଁ ତାଙ୍କ ଗୁରୁ।


ବଳି ଯାଏ କିନ୍ତୁ ପେଟ କଷ୍ଟ।ପେଟ ଚଣ୍ଡାଳ। ସେ ଦୁଃଖ କି ସୁଖ କଣ ବୁଝେ?ତାର ଖାଦ୍ୟ ଦରକାର।ଏମିତି ଅତି ଦୁଃଖ କଷ୍ଟରେ ଶ୍ରୀକ୍ଷେତ୍ରରେ ବଞ୍ଚନ୍ତି ଦୁଇ ପ୍ରାଣୀ।ସେଥିରେ ସାଧୁ, ସନ୍ଥ ସେବାରେ ବି ଅବହେଳା କରନ୍ତି ନାହିଁ।ନିଜ ଭିକ ମୁଠିକୁ ଚାହିଁ ଅନ୍ୟକୁ ଦେବାରେ ଟିକେ ବି କୁଣ୍ଠିତ ହୁଅନ୍ତି ନାହିଁ।


ଅନ୍ନପୂର୍ଣ୍ଣାଙ୍କ ହୃଦୟ ଦୟା,ସେବା,ପରୋପକାରରେ ଭରପୁର।କୌଣସି ଜିନିଷ ପ୍ରତି ମୋହ କି ନାରୀ ସୁଲଭତା କୌଣସି ଗୁଣ ନାହିଁ।ବ୍ରାହ୍ମଣ ବୈଷ୍ଣବଙ୍କ ପରି ଅତିଥି ସେବାରେ ମଧ୍ୟ ନିପୁଣା।ଅତିଥି ଦେବୋ ଭଵ ବୋଲି ସେ ଧରି ନିଅନ୍ତି। ବଡ଼ଦାଣ୍ଡରେ ସମସ୍ତେ ଜାଣନ୍ତି ଭିକାରୀ ରଘୁ ଓ ତାଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କ ଖୁବ୍ ଅତିଥି ପରାୟଣା ଦମ୍ପତି।


ଦିନେ ନିହାତି ଗୋଟିଏ ବଡ଼ ପରୀକ୍ଷା ଆସିଲା ଅନ୍ନପୂର୍ଣ୍ଣାଙ୍କର ଜୀବନରେ।ଭୋକ ଉପାସକୁ ସାଙ୍ଗ କରି,ଦାରିଦ୍ର୍ୟ ସହ ଲଢ଼ୁଥିବା ବେଳେ ଦିନେ ସାତ ଜଣ ବୈଷ୍ଣବ ପହଞ୍ଚିଲେ ଶ୍ରୀକ୍ଷେତ୍ରରେ।ମହାପ୍ରଭୁ ଚକା ଆଖିକୁ ଦେଖି ଫେରିବା ପରେ ମହାପ୍ରସାଦ ଶେଷ।ଗୋଟିଏ ଗୋଟିଏ ମହାପ୍ରସାଦ ପାଇ ବଡ଼ଦାଣ୍ଡରେ ଖୋଜିଲେ ଖାଦ୍ୟ।କିନ୍ତୁ ଖାଦ୍ୟ କାହିଁ ! ମାୟାଧରଙ୍କର ବିଚିତ୍ର ମାୟା।ଅନ୍ନ ନିହାତି ଦରକାର ବୈଷ୍ଣବ ମହାଶୟଙ୍କର।କିନ୍ତୁ କିଏ ଦେବ ଅନ୍ନ !ଭୋକରେ ଉଚ୍ଛନ୍ନ ପେଟ।କେହି ଜଣେ କହିଦେଲେ ବୈଷ୍ଣବ ଗୋସେଇଁ ଯାଆନ୍ତୁ ରଘୁ ଅରକ୍ଷିତ କୁଡ଼ିଆକୁ।ସେଠାରେ ତାଙ୍କ ଘରଣୀ ଅନ୍ନପୂର୍ଣ୍ଣା ଦେଇ ପାରିବେ ଅନ୍ନ ଆପଣଙ୍କୁ।ଭାରି ଭଲ ଲୋକ ସେ ଦୁଇ ପ୍ରାଣୀ।ଅତିଥି ସେବା କରିବାରେ ମହା ଆନନ୍ଦ ପାଆନ୍ତି।


ସାତ ଜଣ କ୍ଷୁଧାରେ ଆତୁର ବୈଷ୍ଣବ ଗୋସେଇଁ ପହଞ୍ଚିଗଲେ ରଘୁ ଭଙ୍ଗା କୁଡ଼ିଆରେ। ଅନ୍ନପୂର୍ଣ୍ଣାଙ୍କ ଖୁସି ଦେଖେ କିଏ? ବୈଷ୍ଣବ ଗୋସେଇଁ କହିଲେ, "ରଘୁ ଆମେ ଭୋକରେ ଛଟପଟ ହେଉଛୁ। ଶୁଣିଲୁ ତୁମ ଘରଣୀ ଅନ୍ନପୂର୍ଣ୍ଣା ଦେବୀଙ୍କ ହାତ ରନ୍ଧା କୁଆଡେ ଖୁବ୍ ସୁସ୍ୱାଦୁ।ଅନ୍ନ ବ୍ୟବସ୍ଥା କରି ଆମ ଭୋକିଲା ପ୍ରାଣକୁ ତୃପ୍ତ କରାଅ।ଆମେ ଯାଉଛୁ ସମୁଦ୍ରରେ ସ୍ନାନ କରି ଆସିବୁ।"


ସ୍ୱାମୀ ସ୍ତ୍ରୀ ଦୁହେଁ ପରମ ଆନନ୍ଦ ଅତିଥି ସେବା ଯୋଗ ଥିବାରୁ।କିନ୍ତୁ ଅନ୍ନ ବ୍ୟବସ୍ଥା ! କୁଡ଼ିଆରେ କିଛି ନାହିଁ ବୋଲି ସେମାନେ ଆଜି ଖାଡା ଉପାସ ।କେଉଁଠୁ ଆଣିବେ ପାକ ସରଞ୍ଜାମ! ସାହୁକାରର ବହୁତ ଗୁଡିଏ ବାକି ବୁକର ଦେବାରୁ ସେ ଦୋକାନ ଆଗରେ ଆଉ ଠିଆ କରାଇ ଦେଉନାହିଁ।କଣ କରିବେ ! ହେ ହଟିଆ ଠାକୁର ଏ କି ପରୀକ୍ଷା ! ବାଟ ଦେଖାଅ ପ୍ରଭୁ,ଅତିଥି ସନ୍ତୁଷ୍ଟ ହୁଅନ୍ତୁ।


ଏତିକି ବେଳେ ଅନ୍ନପୂର୍ଣ୍ଣା କହିଲେ, ବ୍ୟସ୍ତ ହୁଅନାହି ସ୍ୱାମୀ।କାଳିଆ ସାଆନ୍ତ ଯଦି ବୈଷ୍ଣବ ଗୋସେଇଁଙ୍କୁ ପଠେଇଛନ୍ତି, ସେ ତାର ବ୍ୟବସ୍ଥା ନିଶ୍ଚୟ କରିବେ।ଜଣେ ଭକ୍ତର କି ଦୃଢ଼ ବିଶ୍ବାସ ତା ପରମ ଆରାଧ୍ୟ ଦେବତା ଉପରେ!ବୋଧେ ଏହି ବିଶ୍ୱାସ ନାଁ ହିଁ ଭଗବାନ।

ଅନ୍ନପୂର୍ଣ୍ଣା ନିଜ ଦେହରେ ଥିବା ଅଳଙ୍କାର ଦେଇ କହିଲେ, ଯାଅ ଏସବୁ ବିକ୍ରି କରି ଏଥିରେ ପାକ ସାମଗ୍ରୀ ଆଣ।ବୈଷ୍ଣବ ଗୋସେଇଁ ନିଶ୍ଚୟ ଖାଇବେ।କିନ୍ତୁ ଏଥିରେ ବି ସମସ୍ୟା।ରଘୁ ଭିକାରୀଟା।ଏ ମୂଲ୍ୟବାନ ଅଳଙ୍କାର କେଉଁଠୁ ପାଇବ ଭାବି ସମସ୍ତେ ଅବିଶ୍ୱାସ କରିବେ।ଚୋର ଭାବି ମାରିବେ କିବା ରାଜାଙ୍କ ପାଖକୁ ବାନ୍ଧିନେବେ।ଏଥକୁ ଉପାୟ ବାହାର କରିଦେଲେ ବୁଦ୍ଧିମତୀ ଅନ୍ନପୂର୍ଣ୍ଣା।ସେ ନିଜେ ଅଳଙ୍କାର ନେଇ ସାହୁ କାର ପାଖକୁ ଗଲେ।


ସମ୍ପୁର୍ଣ୍ଣ ସମର୍ପଣ ପ୍ରାଣ ନେଇ ଜଗନ୍ନାଥ ଜଗନ୍ନାଥ କହି କହି ଅନ୍ନପୂର୍ଣ୍ଣା ସାହୁକାରଙ୍କ ପାଖେ ପହଞ୍ଚି କହିଲେ, ମହାଶୟ ଏତକ ଅଳଙ୍କାର ବଦଳରେ ଶହେ ଟଙ୍କା ଦିଅନ୍ତୁ। ଆମେ ପରେ ସୁଧମୂଳ ଶୁଝି ଅଳଙ୍କାର ମୁକୁଳାଇ ନେବୁ।


ଜଣେ ଅସାମାନ୍ୟା ସୁନ୍ଦରୀ ତରୁଣୀ ଦେଖି କାମାନ୍ଧ ସାହୁକାର ଅତିମାତ୍ରାରେ ମୁଗ୍ଧ ହୋଇଗଲେ। ମନରେ ସୁନ୍ଦରୀ ମିଷ୍ଟ ଭାଷୀ ତରୁଣ କୁ ଭୋଗ କରିବା ଇପ୍ସା ଜାଗିଲାଣି।ସେ ପ୍ରସ୍ତାବ ଦେଲେ ଅଳଙ୍କାର ବନ୍ଧକ ଆବଶ୍ୟକ ନାହିଁ।ଯଦି..


ଯଦି କଣ ସାହୁକାରେ ! ଡେରି ହୋଇ ଯାଉଛି।ଅତିଥି ମୋର ଭୋକିଲା।ଖାଦ୍ୟ ସାମଗ୍ରୀ କିଣି ନେଇ ରାନ୍ଧିଲେ ସେମାନେ ଖାଇବେ।ଡେରି କରନ୍ତୁନି ମହାଶୟ।


ସାହୁକାର ପ୍ରସ୍ତାବ ରଖିଲେ, "ମୋତେ ଆଜି ରାତିଟି ଦାନ କର ସୁନ୍ଦରୀ। ମୋ ସହିତ ସହବାସ କରିବା ବଦଳରେ ମୁଁ ତୁମକୁ ଟଙ୍କା ଗଣିଦେବି।"


କାନରେ ହାତ ଦେଇଦେଲେ ଅନ୍ନପୂର୍ଣ୍ଣା।ଏ କି ପ୍ରସ୍ତାବ ! ଏ କି ସଉଦା! ହେ ମାୟାଧର ଏ କି ମାୟା ! ଏ କି ଭୀଷଣ ପରୀକ୍ଷା ! ମୋ ଦେହ ବଦଳରେ ଟଙ୍କା! ଏ କେମିତି ସମ୍ଭବ! ସାହୁକାରର ପାପ ଆଖି ପଡିଛି ତାଙ୍କ ଉପରେ।ଯଦିଓ ପ୍ରାଣରେ ଆଘାତ,ତଥାପି ଅନ୍ନପୂର୍ଣ୍ଣା କହିଲେ, "ହେ ସାହୁକାରେ ଟିକେ ଅପେକ୍ଷା କରନ୍ତୁ।" ଆସୁଛି କହି ଏକା ନିଃଶ୍ଵାସକେ ଦୌଡ଼ିଲେ ରଘୁ ତାଙ୍କ ପତିଦେଵଙ୍କ ପାଖକୁ।ହାତ ଯୋଡି କହିଲେ,ସ୍ୱାମୀ ସାହୁକାର ଅଳଙ୍କାର ନୁହେଁ ମୋ ଦେହ ଚାହୁଁଛନ୍ତି।ଏ ଦେହ ଦେଉଳର ତୁମେ ଏକମାତ୍ର ଦେବତା,ମାଲିକ।ଏ ଦେହ ଉପରେ ମୋର ଅଧିକାର ନାହିଁ।କୁହ ସ୍ୱାମୀ କଣ କରିବି ?


ପରୀକ୍ଷା,ପରୀକ୍ଷା ଖାଲି ପରୀକ୍ଷା।ପରୀକ୍ଷା ଦେବାକୁ ଏ ଦୁଃଖୀ ଦମ୍ପତିଙ୍କ ଜନ୍ମ ଜାତକ କି ପ୍ରଭୁ!


ରଘୁ କ୍ଷଣେ ଗୁମ୍ ରହି କହିଲେ ଏ ଦେହ ଦେଉଳର ସ୍ୱାମୀ ହେଉଛନ୍ତି ଆମ କାଳିଆ ସାଆନ୍ତେ।କାଳିଆ ସାଆନ୍ତେ ଅତିଥି ରୂପରେ ଆମଘରେ ଉଭା। ଏଇ ଦେହ ଦାନ ବଦଳରେ ସେଇ ଦେହ ଦିଅଁଙ୍କୁ ସନ୍ତୁଷ୍ଟ କରିବା।ତୁମେ ଯାଅ,ସାହୁକାର ପ୍ରସ୍ତାବରେ ରାଜି ହୋଇ ଟଙ୍କା ଆଣ।ସନ୍ତୁଷ୍ଟ ହୁଅନ୍ତୁ ଅତିଥି ଦେବତା।


କି ଉଦାର ମନ କି ଅଦ୍ଭୁତ ସମର୍ପଣ ଭାଵ ଏ ଦାରିଦ୍ର୍ ଦମ୍ପତିଙ୍କର !


ଅନ୍ନପୂର୍ଣ୍ଣା ସ୍ୱାମୀଙ୍କ ସ୍ୱୀକୃତି ପାଇଁ ସାହୁକାର ପ୍ରସ୍ତାବରେ ରାଜି ହେଲେ।ପାକ ସାମଗ୍ରୀ କିଣି ଆଣି ବୈଷ୍ଣବ ତୋଷ କଲେ।ଆଶୀର୍ବାଦ ଢାଳି ଚାଲିଗଲେ ବୈଷ୍ଣବ ଗୋସେଇଁ।


ଦିନ ଢଳି ରାତି ଆସିଲା।ଅନପୁର୍ଣ୍ଣା ସଜ ହେଲେ ସାହୁକାରଙ୍କୁ ସନ୍ତୁଷ୍ଟ କରିବାକୁ। ସ୍ୱାମୀଙ୍କ କଡା ନିର୍ଦ୍ଦେଶ କୁଣ୍ଠିତ ଚିତ୍ତର ଦାନ ଦାନ ନୁହେଁ।କୌଣସି ଦ୍ବିଧା ନ ରଖି ଦେହ ଦାନ କରିବ ସାହୁକାରଙ୍କୁ।


ଅନ୍ନପୂର୍ଣ୍ଣା ପରୀକ୍ଷାର ଅଗ୍ନି କୁଣ୍ଡରେ। ସତୀ ସେ।ପତିବ୍ରତା ନାରୀ।ଆଜି ଆଉ ଜଣେ ଭୋଗ କରିବ ଏ ଶରୀର।କାଳିଆ,କାଳିଆରେ !ତୁମେ ପରା ମୋ ଆରାଧ୍ୟ।ଏ ଦେହ ପରା ତୁମକୁ ସମର୍ପିତ କରିଛି।କେମିତି ଆଉ କାର ହେବ ଏ ଦେହ।ଏ ଦେହ ତ ତୁମର। ସାହୁକାରକୁ ଏ ଦେହ ଦାନ କରିବି,ସହି ପାରିବ ନାଥ ତୁମେ !! ହେ ପ୍ରଭୁ ସାହୁକାର ଠାରୁ ଏ ଦେହ ତୁମେ ହିଁ ରକ୍ଷା କରିବ।ମୋ ସତୀତ୍ୱ ଅକ୍ଷୁର୍ଣ୍ଣ ରଖିବ ପ୍ରଭୁ।


ସମ୍ପୂର୍ଣ୍ଣ ସମର୍ପଣ ଭାବରେ ମହା ପ୍ରଭୁଙ୍କ ପ୍ରେମରେ ବୁଡି ସାହୁକାରଙ୍କୁ ଅପେକ୍ଷା କଲେ ସତୀ,ସ୍ୱାଧବୀ ପତି ପରାୟଣା ଅନ୍ନପୂର୍ଣ୍ଣା।ସତୀ ଶିରୋମଣି ସେ।ଅନ୍ଧାର ବାହାରୁ ଯାଇ କୁଡ଼ିଆରେ ପଶିଲା।ରଘୁ କିଂକର୍ତ୍ତବ୍ୟ ବିମୁଢ ହୋଇ ସିଂହଦ୍ୱାରକୁ ଚାଲିଗଲେ।ପ୍ରାଣ ଭୋ ଭୋ।ଚକା ଆଖି ପାଖେ ଅଭିମାନ।ଶେଷରେ ନିଜ ସ୍ତ୍ରୀକୁ ଟେକି ଦେଲି ସାହୁକାର ପାଖରେ ! ଧିକ୍କାର କରୁଛନ୍ତି ନିଜ ପୁରୁଷତ୍ବ,ଜୀବନ ଓ ଜୀଇଁବାକୁ।


ସାହୁକାର ମନ ଉଛନ୍ନ।ଅତି ଅପରୁପା ସ୍ତ୍ରୀକୁ ଆଜି ମନ ଭରି ଭୋଗ କରିବେ।ସର୍ବାଙ୍ଗ ରୋମାନଚିତ କନ୍ଦର୍ପ ବାଣରେ।ଖଣ୍ଡି କାଶ ମାରି କୁଡ଼ିଆ ଭିତରକୁ ପ୍ରବେଶ କଲେ।କିନ୍ତୁ ଏ କଣ ଦେଖୁଛନ୍ତି ସେ !!!


ସ୍ୱୟଂ ମହାପ୍ରଭୁ କୋଳରେ ଧରି ବସିଛନ୍ତି ଅନ୍ନପୂର୍ଣ୍ଣାଙ୍କୁ!! ଦିବ୍ୟ ଜ୍ୟୋତି,ଆଭାରେ କୁଡ଼ିଆଟି ହାଲୋଲମୟ।ଆଖି ମୁଦି ହୋଇ ଯାଉଛି। ଏ ତ ମୋ ପ୍ରାଣର ଠାକୁର ଶ୍ରୀଜଗନ୍ନାଥ। ଆଉ ଅନ୍ନପୂର୍ଣ୍ଣା ସାକ୍ଷାତ୍ ମା ଲକ୍ଷ୍ମୀ ଠାକୁରାଣୀ !


ଅନ୍ନପୂର୍ଣ୍ଣା ଡାକୁଛନ୍ତି ଆସ ସାହୁକାରେ,ମୋ ପାଖକୁ ଆସ।ଏ ଦେହ ଆଜିକ ତୁମର।


ସାହୁକାର ଅନ୍ନପୂର୍ଣ୍ଣାଙ୍କ ଦେହକୁ ସ୍ପର୍ଶ କରିବା ପରିବର୍ତ୍ତେ ଲମ୍ବ ହୋଇ ପାଦ ତଳେ ପଡି କହୁଛନ୍ତି, ମୋର ଭୁଲ୍ ହୋଇ ଯାଇଛି ମା।ଏ ଅଧମ ପୁଅକୁ କ୍ଷମା କର।ମୁଁ ପାପୀଷ୍ଠ।ସାହୁକାର ମହାଲକ୍ଷ୍ମୀଙ୍କୁ ସ୍ତୁତି କରୁଛନ୍ତି।


ହେ ମା ଅନ୍ନପୂର୍ଣ୍ଣା! କ୍ଷମା କର,କ୍ଷମା କର।ରାତ୍ର ଶେଷ ପ୍ରାୟ।ରଘୁ ଫେରି ଆସି ଦେଖନ୍ତି ତ ସାହୁକାର ତଳେ ସାଷ୍ଟାଙ୍ଗ ପ୍ରଣିପାତ କରି ସ୍ତୁତି କରି ଚାଲିଛିନ୍ତି।ନିଜ ସ୍ତ୍ରୀ ଅନ୍ନପୂର୍ଣ୍ଣା ସ୍ୱୟଂ ମହାପ୍ରଭୁଙ୍କ କୋଳରେ ବିରାଜ ମାନ।ସାକ୍ଷାତ୍ ଲକ୍ଷ୍ମୀ ନାରାୟଣଙ୍କ ଦୃଶ୍ୟ ଦେଖି ରଘୁ ବି ବିହ୍ଵଳ।


ସେ ବି ଗାଉଛନ୍ତି ପ୍ରଭୁଙ୍କ ଗାନ।କୁଡ଼ିଆ ଘରେ ତିନୋଟି ମଣିଷ ପାଗଳ ପ୍ରାୟ ଉପରକୁ ହାତ ଟେକି ପ୍ରଭୁ ପ୍ରଭୁ ହୋଇ ଦିବ୍ୟ ସତ୍ତାରେ ବୁଡି କେବଳ ଅନୁଭବ କରୁଥିଲେ ଶ୍ରୀକ୍ଷେତ୍ର ମଉଡମଣି କାଳିଆ ସାଆନ୍ତଙ୍କୁ।


ସତରେ ଅନ୍ନପୂର୍ଣ୍ଣାଙ୍କ ଭକ୍ତିରେ ବନ୍ଧା ଭଗବାନ ପ୍ରତିଟି ବିଷମ ପରିସ୍ଥିତିରୁ ତାଙ୍କୁ ଉଦ୍ଧରି ପ୍ରମାଣ କରିଦେଲେ ଯେ ଯୁଗେ ଯୁଗେ ଭଗବାନ ଭକ୍ତର।





Rate this content
Log in

Similar oriya story from Inspirational