STORYMIRROR

Prasanta Kumar Behera

Crime Others

3  

Prasanta Kumar Behera

Crime Others

ଅନଲାଇନ୍ ଲୁଟେରା

ଅନଲାଇନ୍ ଲୁଟେରା

19 mins
327

ଆଜିକାଲି ଅନଲାଇନ୍ ଲୁଟେରା ସାରା ଦୁନିଆରେ ଖୁବ୍ ମାତିଛନ୍ତି l ସେମାନଙ୍କ ସଂଖ୍ଯା ମଧ୍ୟ କିଛି କମ୍ ନୁହେଁ l ପୃଥିବୀରେ ଏମିତି କେଉଁ ଦେଶ ନାହିଁ ଯେଉଁଠି ସେମାନେ ତାଙ୍କ ସ୍ଥିତି ଜାହିର୍ କରିନାହାନ୍ତି l ଏମାନେ ଡାଇରେକ୍ଟ୍ ଲୋକଙ୍କ ସାମ୍ନାକୁ ନ ଆସି ସେଇ ଦୂରରେ ରହି ଲୋକମାନଙ୍କୁ ଠକିଥାନ୍ତି l ଏମାନଙ୍କ ଦ୍ୱାରା ଠକାମିର ଶିକାରହୋଇ କିଛି ଲୋକ ନିଜର ସର୍ବସ୍ବ ହରାଇ ପାଗଳହୋଇ ବୁଲିବାର ବହୁ ଦୃଷ୍ଟାନ୍ତ ରହିଛି l ମଡର୍ଣ୍ଣ ଟେକନୋଲୋଜିର ବହୁବିଧ ବ୍ୟବହାର କରି ଏମାନେ ଲୋକଙ୍କୁ ଲୁଟିଥାନ୍ତି l ଏମାନଙ୍କ ଦ୍ୱାରା ସବୁ ଶ୍ରେଣୀର ଲୋକମାନେ ଲୁଟ୍ ର ଶିକାର ହୋଇଥାନ୍ତି l ସାଧାରଣ ଅଶିକ୍ଷିତ ଲୋକଙ୍କଠାରୁ ଆରମ୍ଭକରି ଖୁବ୍ ଚଲାକ୍ ଶିକ୍ଷତ ଲୋକମାନେ ମଧ୍ୟ ଏମାନଙ୍କ କବଳରୁ ବର୍ତ୍ତି ପାରନ୍ତି ନାହିଁ l


ରଞ୍ଜୁ - ମୋ କଲେଜ ବେଳର ସାଙ୍ଗ l ତିନି ବର୍ଷ ଏକାଠି ଗୋଟେ କ୍ଲାସ୍ ରୁମ୍ ରେ ପାଖା ପାଖି ବସିଚୁ, ଏକାଠି କେତେ ବୁଲିଚୁ, ତା' ଭିତରେ ଦୁଷ୍ଟାମି, ମନକଥା ସବୁ କୁହାକୁହି ହେବା ସହ କେତେ କ'ଣ ତା'ର ଇୟତା ନାହିଁ l କଲେଜ ପଢା ସରିଲା ପରେ ରଞ୍ଜୁ ସହ ଅନ୍ୟ ସାଙ୍ଗ ସବୁ କିଏ କୁଆଡେ ନିଜ ନିଜ ଜୀବନର ପନ୍ଥା ନିରୁପଣ କରିବାକୁ ଚାଲିଗଲେ l ପରେ କେତେବେଳେ କେଉଁଠି ଅଚାନକ ଦେଖା ହେଲେ ନିଜ ଜୀବନର ଭଲ ମନ୍ଦ କଥାବାର୍ତ୍ତା କିଛି ହୋଇ ପୁଣି ଯିଏ ଯାହାର ବାଟରେ ଚାଲିଯାଉ l ଏମିତିରେ ଜୀବନ କହିଲେ ବୋଧେ ଏଇଆ l


ଏଇ କିଛି ବର୍ଷ ଭିତରେ ସୋସିଆଲ୍ ମିଡିଆ ଆସିଲା l ଫେସବୁକ୍, ହ୍ୱାର୍ଟ୍ସଅପ୍ ପରି ସୋସିଆଲ୍ ମିଡିଆ ମାଧ୍ଯମରେ ପୁରୁଣା ବନ୍ଧୁ ସବୁ ପରସ୍ପରକୁ ଭଲକରି ଜାଣିବାକୁ ପାଇଲେ l ବହୁତ ଅଜଣା ନୂଆ ବନ୍ଧୁ ମଧ୍ଯ ସୃଷ୍ଟିହେଲେ - ଏମିତି କି କିଛି ବାହାର ଦେଶର ଲୋକ ବି l ଏଇ ସୋସିଆଲ୍ ମିଡିଆର ସାହାଯ୍ୟରେ ସ୍କୁଲ୍ ଓ କଲେଜ ବେଳର ସାଙ୍ଗମାନେ ସବୁ ଏକାଠି ହୋଇ ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟକ୍ରମ ସବୁକୁ ହାତକୁ ନେଉଛନ୍ତି l ସୋସିଆଲ୍ ମିଡିଆର ସଦୁପଯୋଗ ସହ ସମୟେ ସମୟେ ଦୁରୂପଯୋଗ ମଧ୍ଯ ହେଉଛି l ଏଇ ଫେସବୁକ୍ ମାଧ୍ଯମରେ ଏସ୍.ଭି.ଏମ୍. କଲେଜରେ ମାତ୍ର ଦୁଇ ହଜାର ଟଙ୍କା ମାସିକିଆ ବେତନ ପାଇଥିବା କଲ୍ୟାଣୀର ୧୪ ବର୍ଷର ପୁଅକୁ କ୍ଯାନସର୍ ହେବାକଥା ଜାଣି ପାଖା ପାଖି ୧୫ ଲକ୍ଷ ଟଙ୍କାର ସାହାଯ୍ୟ ବିଭିନ୍ନ ଅନୁଷ୍ଠାନ, ବ୍ୟକ୍ତି ବିଶେଷ, ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ଦେଇଛନ୍ତି l ଏସ୍.ଭି.ଏମ୍. ର ପୁରାତନ ଛାତ୍ରଛାତ୍ରୀ ମାନେ ବହୁତ ସଂଖ୍ୟାରେ କଲ୍ୟାଣୀକୁ ସହଯୋଗର ହାତ ବଢାଇଛନ୍ତି l ଏମିତିକି ଏସ୍.ଭି.ଏମ୍.- ୯୦ ଗ୍ରୁପ ପାଖା ପାଖି ଏକଲକ୍ଷ ପନ୍ଦର ହଜାର ଟଙ୍କା ( ୧,୧୫,୦୦୦/- ) ନିଜ ନିଜ ଭିତରେ ଆଦାୟକରି କଲ୍ୟାଣୀର ଆକାଉଣ୍ଟ୍ ରେ ଡିପୋଜିଟ୍ କରିଛନ୍ତି l ଛାଡନ୍ତୁ ସେସବୁ କଥା l ଏବେ ଆମେ ଆଉ ଗୋଟେ ଦିଗକୁ ଆମ ଆଲୋଚନାକୁ ମୁହାଁଇବା l


ରଞ୍ଜୁ ସହିତ ଏଇ ଫେସବୁକ୍ ଆଉ ହ୍ୱାର୍ଟ୍ସଅପ୍ ମାଧ୍ଯମରେ ମୋର ପ୍ରାୟ କିଛିଦିନ ଅନ୍ତରରେ କିଛି ନା କିଛି ବାର୍ତ୍ତାଳପ ହୁଏ । ସମୟେ ସମୟେ ଫୋନ୍ ମାଧ୍ଯମରେ ବି l ଏମିତରେ ତ ଆମେ ଉଭୟେ କ୍ଲାସମେଟ୍ l ସେ ଯେବେ ଜଗତସିଂହପୁର ଆସେ ମୋତେ ଦେଖା କରେ l ସେ କଟକରେ ରହୁଥିବାରୁ ମୋ ପାଇଁ ଗୋଟେ ଭଡାଘର ମାତ୍ର ଦୁଇଦିନ ଭିତରେ ଯୋଗାଡ କରିଦେଲା l ମୁଁ କଟକ ଯେଉଁ ଦିନ ଆସିଲି ତାକୁ ଫୋନ୍ କଲି l ଜାଣିଲି କେଇ ଦିନ ପୂର୍ବରୁ ରାତି ଅଧରେ ଜଣେ ସମ୍ପର୍କୀୟର ମଶାଣିରେ ଶବ ସତ୍କାର କରି ଫେରୁଥିବା ବେଳେ ସ୍କୁଟିରୁ ପଡି ହାତ ଭାଙ୍ଗିବା ସହ ବେହୋସ୍ ହୋଇଥିଲା l ପି.ସି.ଆର୍. ଭ୍ୟାନ୍ ତାକୁ ସେମିତି ବେହୋସ୍ ଅବସ୍ଥାରେ କଟକ ମେଡିକାଲ୍ ରେ ନେଇ ଆଡମିଟ୍ କରିବା ସହିତ ତା' ମୋବାଇଲ୍ ରୁ ଘର ନମ୍ବର ପାଇ ଖବର ଦେବାରୁ ତା' ସ୍ତ୍ରୀ ଓ ଝିଅ ସେଠି ପହଞ୍ଚିଥିଲେ l ଦୁଇଦିନ ପରେ କିଛି ମାତ୍ରାରେ ସୁସ୍ଥ ହୋଇ ଘରକୁ ସେ ଫେରିଥିଲା l କିନ୍ତୁ ଗୋଟେ ହାତ ଭାଙ୍ଗିଥିବାରୁ ଘରେ ରହି ସମ୍ପୂର୍ଣ୍ଣ ରେଷ୍ଟ୍ ନେବାକୁ ହେଲା l


ରଞ୍ଜୁର ଏ ଦୁର୍ଘଟଣା ଘଟିବାର ବହୁ ପୂର୍ବରୁ ତା' ଝିଅର ପାଠପଢା ପାଇଁ ରାଜସ୍ଥାନକୁ ଯିବା ନିମନ୍ତେ ଆଗୁଆ ଟ୍ରେନ୍ ଟିକେଟ୍ କରିଥିଲା l ସେଇ ଟିକେଟ୍ ବୁକିଙ୍ଗ୍ ମୋବାଇଲ୍ ଆପ୍ ମାଧ୍ଯମରେ ହିଁ କରିଥିଲା l ବାପର ହାତ ଭାଙ୍ଗିବାରୁ ଝିଅର ରାଜସ୍ଥାନ ଯିବା କିଛି ଦିନ ପାଇଁ ଘୁଞ୍ଚିବା ସ୍ୱାଭାବିକ୍ l ତେଣୁ ରଞ୍ଜୁ ଟିକେଟ୍ କ୍ୟାନସେଲ୍ କରି ନିଜ ଆକାଉଣ୍ଟକୁ କେମିତି ଟଙ୍କା ଫେରିବ ସେଇ ପଦକ୍ଷେପ ଗ୍ରହଣ କଲା l ବାଙ୍ଗାଲୋରର ଯେଉଁ ଅନଲାଇନ୍ କମ୍ପାନୀ ମାଧ୍ଯମରେ ଟିକେଟ୍ ବୁକିଙ୍ଗ୍ କରିଥିଲା ତା'ରି ମାଧ୍ଯମରେ ଟିକେଟ୍ କ୍ୟାନସେଲ୍ କରି ତାଙ୍କ ଅଫିସ୍ କୁ ଫୋନ୍ କରି ଟଙ୍କା ଟ୍ରାନ୍ସଫର୍ କରିଦେବାକୁ କହିଲା l 

କିଛି ସମୟ ପରେ ଆଉ ଗୋଟେ ନମ୍ୱରରୁ କଲ୍ ଆସିଲା l ରଞ୍ଜୁ କଲ୍ ରିସିଭ୍ କରିବା ପରେ ସେପଟୁ କିଏ ଜଣେ ନାରୀ ହିନ୍ଦୀରେ ଯାହା ସବୁ କହିଲା ତା'ର ଓଡିଆ ଏହିପରି -  କିଏ ରଞ୍ଜିତ ନାୟକ କହୁଥିଲେ? ଆପଣଙ୍କର ରାଜସ୍ଥାନ କୋଟାକୁ ହୋଇଥିବା ଟ୍ରେନ୍ ଟିକେଟ୍ କ୍ୟାନସେଲ୍ ବାବଦ ଅର୍ଥ ୩୦୨୦ ଟଙ୍କା ଫେରସ୍ତ ଦିଆଯିବ l ଏଥିପାଇଁ ଏବେ ଆମ ତରଫରୁ ଗୋଟେ ଆପ୍ ର ଲିଙ୍କ୍ ଆପଣଙ୍କ ମୋବାଇଲ୍ କୁ ଯିବ l ଆପଣ ସେଇ ଲିଙ୍କ୍ କୁ ଆସେପ୍ଟ୍ କରି କ୍ଲିକ୍ କଲେ ଟଙ୍କାଟା ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ କୁ ଆପେଆପେ ଟ୍ରାନ୍ସ୍ଫର୍ ହୋଇଯିବ l


ଯେହେତୁ କିଛି ସମୟ ପୂର୍ବରୁ ରଞ୍ଜୁ ବାଙ୍ଗାଲୋର୍ କୁ ଫୋନ୍ କରିଥିଲା ତେଣୁ ସ୍ୱାଭାବିକ ଭାବରେ ଉତ୍ତରରେ ଓକେ କହିଲା l ଫୋନ୍ କଲ୍ ମୁତାବକ୍ ସଙ୍ଗେସଙ୍ଗେ ଗୋଟେ ମେସେଜ ମଧ୍ଯ ମୋବାଇଲ୍ କୁ ଆସିଲା l ନିଜର ହାତ ଭାଙ୍ଗି ଥିବାରୁ ରଞ୍ଜୁ ଝିଅକୁ ମୋବାଇଲ୍ ଦେଇ କହିଲା ସେ ଲିଙ୍କ୍ ରେ କ୍ଲିକ୍ କରିବାକୁ l ଝିଅ ସେ ଲିଙ୍କ୍ ରେ କ୍ଲିକ୍ କରିଛି ତ ମୋବାଇଲ୍ ରେ କମ୍ପ୍ୟୁଟର୍ ପରି ଭିଉ ଆସିବା ଆରମ୍ଭ କଲା l ଏମିତି ହେବା ଦେଖି ରଞ୍ଜୁ ଜାଣିଗଲା ଯେ ସେମାନେ ବାଙ୍ଗାଲୋର୍ ରେ ଥାଇ ତା' ମୋବାଇଲ୍ ରେ ଥିବା ସମସ୍ତ ଡାଟାକୁ ଜାଣି ପାରୁଛନ୍ତି ଆଉ ବିଳମ୍ୱ କରିବା ଉଚିତ୍ ହେବନି ଚିନ୍ତା କରି ଝିଅକୁ କହିଲା ଶୀଘ୍ର ସେଥିରୁ ଏକ୍ଜିଟ୍ କରି ଯିବାକୁ l 

କିନ୍ତୁ ସେତେବେଳକୁ ବିଳମ୍ୱ ହୋଇ ସାରିଥାଏ l ସେଇ ଦଶ ସେକେଣ୍ତ ଭିତରେ ସେମାନେ ତିନୋଟି ଟ୍ରାନଜାକ୍ସନ୍ କରି ସାରିଥିଲେ l ସବୁ ତ୍ରାନାଜାକ୍ସନ୍ ପେଟିଏମ୍ ମାଧ୍ଯମରେ ହୋଇଥିଲା l ପ୍ରଥମଟିରେ ୧୯୯୯୯ ଟଙ୍କା, ଦ୍ୱିତୀୟରେ ସେଇ ୧୯୯୯୯ ଟଙ୍କା ଓ ଶେଷଟିରେ ୬୦୦୦ ଟଙ୍କା ଏମିତି ସମୁଦାୟ ୪୫୯୯୮ ଟଙ୍କା ସେଇ ୧୦ ସେକେଣ୍ଡ୍ ଭିତରେ ରଞ୍ଜୁ ବ୍ୟାଙ୍କ ଆକାଉଣ୍ଟ୍ ରୁ ଉଡିଗଲା l 

ଘରେ ବସି ମୋବାଇଲ୍ ରେ ଆଙ୍ଗୁଠି ଟିପରେ ବ୍ଯାଙ୍କ୍ ସେବା ସହିତ କ୍ୟାସଲେସ୍ ଟ୍ରାନଜାକ୍ସନ୍ କରୁ କରୁ ରଞ୍ଜୁର ସେଇ ଆକାଉଣ୍ଟ୍ କ୍ୟାସଲେସ୍ ହୋଇଗଲା l ରଞ୍ଜୁ ଉଚ୍ଚ ଶିକ୍ଷିତ , ବହୁତ ଚଲାକ୍ ଆଉ ଇଣ୍ଟରନେଟ୍ ମାଧ୍ୟମରେ ସବୁ କାମ କରିବାରେ ଖୁବ୍ ସିଦ୍ଧହସ୍ତ ହୋଇ ମଧ୍ୟ ଯଦି ଏମିତି ଦଶା ଭୋଗିଲା ତାହେଲେ ସାଧାରଣ ଲୋକଙ୍କ ଅବସ୍ଥା ଏଇ ଧୂର୍ତ୍ତ ଶିକ୍ଷିତ କମ୍ପ୍ୟୁଟର ବିଶାରଦ ଚୋରମାନେ କ'ଣ କରୁଥିବେ ସହଜେ ଅନୁମେୟ l

ଏ ଘଟଣା ରଞ୍ଜୁ ସହିତ ଘଟିବା ପ୍ରାୟ ଏଭିତରେ ଏକ ମାସ ହୋଇଗଲାଣି l ଘଟଣା ଘଟିବା ପରେ ପରେ ସେ ପୋଲିସ୍ ପାଖରେ ଏତଲା ମଧ୍ୟ ଦେଇଥିଲା l କିନ୍ତୁ କିଛି ସୁଫଳ ଏଯାଏ ମିଳିନି l ଆଜି ରଞ୍ଜୁ ସହ କଥା ହେଉଥିଲି l ସେ କହିଲା ଆଉ ସେ ଟଙ୍କା ମିଳିବାର ସମ୍ଭାବନା ନାହିଁ l ଏ ଠକାମିରେ ସେଇ କମ୍ପାନୀର ଲୋକ ଆଉ କିଛି ବ୍ଯାଙ୍କ କର୍ମଚାରୀ ସାମିଲ୍ ଅଛନ୍ତି l

ଏମିତିକା ଘଟଣାସବୁ ପ୍ରାୟ ଆଜିକାଲି ଲୋକ ମାନଙ୍କ ସହିତ ଘଟିଚାଲିଛି l କେଇ ମାସ ତଳେ ମୋ ପାଖକୁ ଗୋଟେ ଫୋନ୍ କଲ୍ ଆସିଲା l କେହିଜଣେ ହିନ୍ଦିରେ ଯାହାସବୁ କହିଲା ତାର ଓଡିଆ ଅବିକଳ ହେଉଚି ଏପରି, ମୁଁ ମୁମ୍ୱାଇ ଷ୍ଟେଟ ବ୍ୟାଙ୍କ ମୁଖ୍ୟାଳୟରୁ କହୁଚି l ଆପଣଙ୍କ ଷ୍ଟେଟ ବ୍ଯାଙ୍କ ଏଟିମ୍ ବ୍ଲକ୍ ହୋଇ ଯାଇଚି l କାର୍ଡ ନମ୍ୱରଟା ଶୀଘ୍ର କୁହନ୍ତୁ l ତାକୁ ସଙ୍ଗେ ସଙ୍ଗେ ଅନବ୍ଲକ୍ କରିଦେବି ନଚେତ୍ ଆପଣଙ୍କର ସେଇ କାର୍ଡ ସବୁଦିନ ପାଇଁ ଅଚଳ ହୋଇଯିବ l

ମୁଁ ଉତ୍ତରରେ କହିଲି, କାଇଁ ମୋର ତ କିଛି ଆକାଉଣ୍ଟ୍ ହିଁ ନାହିଁ, ଆଉ ଏଟିଏମ୍ କୋଉଁଠୁ ଆସିବ ଯେ ଅଚଳ ହୋଇଯିବ ?

ସେ ପୁଣି କହିଲା, କିନ୍ତୁ ଏଠି କମ୍ପ୍ୟୁଟର ସ୍କ୍ରୀନ୍ ରେ ଆପଣଙ୍କ ଷ୍ଟେଟ ବ୍ୟାଙ୍କରେ ଥିବା ଆକାଉଣ୍ଟ ନମ୍ୱର ଦେଖାଉଛି l 

ମୁଁ ଏଥର ପୁରା କଡା ସ୍ୱରରେ କହିଲି, ତାହେଲେ ସେଇ କମ୍ପ୍ୟୁଟର ସ୍କ୍ରୀନ୍ ରୁ ମୋ ଏଟିଏମ୍ କାର୍ଡ ନମ୍ୱର ଖୋଜି ନେଉଁନ କାହିଁକି?

ମୋର ଏହି ଉତ୍ତର ପରେ ସେ ଜାଣିଗଲା ଏ ଲୋକ ତା ଏଟିଏମ୍ କାର୍ଡ ନମ୍ୱର କେବେହେଲେ ସେୟାର୍ କରିବ ନାହିଁ, ତେଣୁ ବାଧ୍ଯ ହୋଇ ସେପଟୁ ଫୋନ୍ କନେକ୍ସନ୍ କାଟିଦେଲା l

ଅବଶ୍ୟ ମୁ୍ଁ ଏମିତି କହିବାର କାରଣ ରହିଛି l ଏମିତିରେ ତ ସବୁ ବ୍ୟାଙ୍କ ମାନଙ୍କ ତରଫରୁ ନିୟମିତ ବ୍ୟବଧାନରେ ରେଜିଷ୍ଟର ମୋବାଇଲ୍ କୁ ମେସେଜ୍ ଆସେ କି ନିଜର ବ୍ୟାଙ୍କ ଆକାଉଣ୍ଟ୍ କିମ୍ୱା ଏଟିଏମ୍ ହେଉ କି କ୍ରେଡିଟ୍ କାର୍ଡ ସମ୍ୱନ୍ଧିୟ ତଥ୍ୟ କାହାକୁ ସେୟାର୍ କରିବେ ନାହିଁ l ବ୍ୟାଙ୍କ ତରଫରୁ ଏସବୁ ତଥ୍ୟ କେବେ କୌଣସି ଗ୍ରାହକଙ୍କୁ ମଗା ଯାଏ ନାହିଁ l 

ଏସବୁ ବାଦ୍ ଆମ କଲେଜର ଖେଳ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁଙ୍କ ସହିତ ଘଟିଥିବା ଏକ ଘଟଣା ଏଠାରେ ରଖିବା ଉଚିତ୍ ମଣୁଛି l ମୋ ପାଖକୁ ଆସିଥିବା ଫୋନ୍ ର ବହୁ ପୂର୍ବରୁ ତାଙ୍କୁ ସେମିତି ଏକ ଫୋନ୍ କଲ୍ ଆସିଥିଲା l ସେଇ ଏକା କଥା - ମୁଁ ଷ୍ଟେଟ ବ୍ୟାଙ୍କରୁ କହୁଛି l ଶୀଘ୍ର ଏଟିଏମ୍ କାର୍ଡ ନମ୍ୱର କୁହନ୍ତୁ ନଚେତ୍ କାର୍ଡ ଅଚଳ ହୋଇଯିବ l

ସୁଶାନ୍ତ ବାବୁ ତା କଥାରେ ସମ୍ପୂର୍ଣ୍ଣ ବିଶ୍ୱାସ କରି ସୁନା ପିଲାଟେ ପରି କାର୍ଡ ଅଚଳ ହୋଇଯିବା ଭୟରେ ନିଜ ପକେଟରୁ ଏଟିଏମ୍ କାର୍ଡ ବାହାରକରି ତା ନମ୍ୱର କହିବା ସହିତ ପିନ୍ ମଧ୍ୟ ପ୍ରକାଶ କରିଦେଲେ ।

ଫଳତଃ ଦୁଇ ମିନିଟ୍ ମଧ୍ଯରେ ତାଙ୍କ ଆକାଉଣ୍ଟରୁ ପାଞ୍ଚ ହଜାର ଟଙ୍କା କଟିଯିବାର ସୂଚନା ମୋବାଇଲ୍ ର ମେସେଜ୍ ବକ୍ସକୁ ଆସିଗଲା l ସେଇ ମିସେଜ୍ ରେ ଟଙ୍କା ରଘୁନାଥପୁର ଷ୍ଟେଟ ବ୍ୟାଙ୍କ ଏଟିଏମ୍ ରୁ ଉଠିଥିବା ମଧ୍ଯ ଉଲ୍ଲେଖ ଥିଲା l 


ବିଚରା ସାହୁ ବାବୁ ସଙ୍ଗେ ସଙ୍ଗେ ଜାଣକୁ ସାଙ୍ଗ କରି ମୋଟର୍ ସାଇକେଲ୍ ରେ ୧୨ କିଲୋମିଟର ଦୂରରେ ଥିବା ରଘୁନାଥପୁର ଷ୍ଟେଟ ବ୍ୟାଙ୍କରେ ପହଞ୍ଚି ଲିଖିତ କମ୍ପଲେନ୍ ଦେଲେ ମଧ୍ଯ କୌଣସି ସୁଫଳ ପାଇ ପାରିଲେନି l ବ୍ୟାଙ୍କ ବାଲା ସିଧା ସିଧା କହିଲେ ,

ଆପଣ କାଇଁ ସେସବୁ ତଥ୍ୟ କାହା ସହିତ ସେୟାର୍ କଲେ , ଆମେ ଆଉ କଣ କରିପାରିବୁ ?

ସୁଶାନ୍ତ ବାବୁ କହିଲେ , ଏଟିଏମ୍ ରେ ସେ ଲୋକ ଟଙ୍କା ଊଠାଉଥିବା ବେଳେ କ୍ୟାମେରାରେ ନିଶ୍ଚେ ତା ଫଟୋ ଉଠିଥିବ l ସେଥୁରୁ ନିଶ୍ଚେ ତାକୁ ଧରିହେବ l

ବ୍ୟାଙ୍କ କର୍ମଚାରୀ ଜଣଙ୍କ କହିଲେ, ଏ ବ୍ରାଞ୍ଚ୍ ଏଟିଏମ୍ ର କ୍ୟାମେରା ଖରାପ ଅଛି l  

ଶେଷକୁ ଖବ୍ ମନଦୁଃଖ କରି ସୁଶାନ୍ତ ବାବୁ ବ୍ୟାଙ୍କରୁ ଫେରିଲେ l ତା' ପରଦିନ କଲେଜରେ ମୁଁ ଏସବୁ କଥା ତାଙ୍କଠାରୁ ଶୁଣି ସ୍ୱାନ୍ତନା ଦେବାକୁ ଯାଇ କହିଲି,  ଛାଡନ୍ତୁ ଯାହା ଘଟିବାର ଥିଲା ଘଟିଲା l ଏମିତି କିଛି ଶିକ୍ଷିତ ଚୋର କେତେ ଲୋକଙ୍କୁ ସବୁବେଳେ ଠକୁଛନ୍ତି l କିଛି ଲୋକତ ଲକ୍ଷାଧିକ ଟଙ୍କା ହରାଇ କାଙ୍ଗାଳ ହୋଇ ବୁଲୁଛନ୍ତି l ପାଞ୍ଚ ହଜାର ଟଙ୍କା ବଦଳରେ ଆପଣ ଗୋଟେ ଶିକ୍ଷା ପାଇଲେ - କେବେ ବି ଜୀବନ ଥିବା ଯାଏ ଆଉ ବ୍ୟାଙ୍କ ଆକାଉଣ୍ଟ୍ ବା ଏଟିଏମ୍ ତଥ୍ୟ କାହାକୁ ସେୟାର କରିବେନି l

ବ୍ୟାଙ୍କ ଆକାଉଣ୍ଟରୁ ଇଣ୍ଟରନେଟ୍ ମାଧ୍ଯମରେ ଯଦି ରଞ୍ଜୁ ଓ ସୁଶାନ୍ତ ବାବୁଙ୍କ ପରି ଶିକ୍ଷିତ ଲୋକ ଠକାମିର ଶିକାର ହେଉଛନ୍ତି ତାହେଲେ ସାଧାରଣ ଲୋକଙ୍କୁ ଏହି ଧୂର୍ତ୍ତ ଚୋରମାନେ କି ଅବସ୍ଥା କରୁଥିବେ ସହଜେ ଅନୁମେୟ l 


ଏବେ ଆଉ କିଛି ରକମ ଠକାମିର ଶିକାର ହେଉଥିବା ଲୋକ ମାନଙ୍କ ବିଷୟରେ ଆଲୋଚନା କରିବା l କିଛିଦିନ ତଳେ ଗୋଟେ ଝିଅ ଫୋନ୍ କରି ପ୍ରାଞ୍ଜଳ ଓଡିଆରେ ମୋତେ କହିଲା , 

ସାର୍ ଗୁଡ୍ମର୍ନିଙ୍ଗ୍ l ଆପଣଙ୍କ ପାଇଁ ବଡ ଖୁସି ଖବର l ଗୋଟେ ଲକି ଡ୍ର ମାଧ୍ୟମରେ ଆପଣଙ୍କୁ ସସ୍ତ୍ରୀକ ବିଦେଶ ଯିବା ବ୍ୟବସ୍ଥା କରାଯିବ l ସିଙ୍ଗାପୁରରେ ହୋଟେଲ୍ ରେ ରହିବା ଇତ୍ଯାଦି ସବୁ ବ୍ୟବସ୍ଥା ଆମ ତରଫରୁ କରାଯିବ l ଆପଣଙ୍କୁ କେବଳ ଏୟାର୍ ଫେୟାର୍ ଦେବାକୁ ହେବ l  

ମୁଁ ସେ ଝିଅଟି କଥାରେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲି , ଆଛା ମୋ ନାଁ କେମିତି କ'ଣ ଲକି ଡ୍ର ରେ ଉଠିଗଲା ?

ମୋ ପ୍ରଶ୍ନରେ ସେ ଝିଅଟି ଟିକେ ହଡବଡେଇ ଯାଇ କହିଲା, ଆପଣ ଭୁବନେଶ୍ବରରେ କୋଉ ତେଲ ଟାଙ୍କିରେ ବୋଧେ ତେଲ ପକାଇଥିଲେ, ସେଉଠୁ ଆପଣଙ୍କ ନାଁ ଲକି ଡ୍ର ରେ ଉଠିଛି । 

ଦେଖନ୍ତୁ ଏଠି କେମିତି ଆପେ ଆପେ ଝିଅଟି ଧରା ପଡି ଯାଉଛି l ଯେବେ ବି ଆମେ କେଉଁ ତେଳ ଟାଙ୍କିରେ ଗାଡିରେ ତେଲ ପକାଉ ସେଠି କେବେ ଆମ ନାମ କିମ୍ୱା ମୋବାଇଲ୍ ନମ୍ବର ଦେଇ ନଥାଉ l କେବଳ ତେଲ ପକାଇ ଟଙ୍କା ଦେଇ ଆସିଥାଉ l 


ମୁଁ ଏସବୁ କଥା ଚିନ୍ତା କରି ମନେ ମନେ ହସୁଥାଏ l ସେପଟୁ ଝିଅଟି ପୁଣି କହିଲା , ସାର୍ ଆସନ୍ତା ସଣ୍ତେ ମର୍ଣିଙ୍ଗ୍ ରେ ଆପଣ ମିସେସ୍ ଙ୍କୁ ନେଇ ପୁରୀ କୋଣାର୍କ ମେରାଇନ୍ ଡ୍ରାଇଭ୍ ରାସ୍ତାର ବାଲିଘାଇ ଠାରେ ଥିବା ତୋଷାଳି ସ୍ୟାଣ୍ତ୍ସ ହୋଟେଲକୁ ଆସିବେ l ସେଠି ଆମ ତରଫରୁ ଲଞ୍ଚ୍ ବ୍ୟବସ୍ଥା ହୋଇଥିବ l ସିଙ୍ଗାପୁର ଯିବାର ପ୍ୟାକେଜ୍ କଥା ସବୁ ସେଇଠି ଫାଇନାଲ୍ ହୋଇଯିବ l

ସେ ଝିଅଟିର ଫୋନ୍ ରେ କଥାବାର୍ତ୍ତା ଖୁବ୍ ଆକର୍ଷଣୀୟ l ତା' ସ୍ୱର ସହିତ ସବୁ ଶବ୍ଦ ମାନେ ଯେ କୌଣସି ବ୍ୟକ୍ତିକୁ ବିମୋହିତ କରିଦେବ l ତେଣୁ ଠକାମି କରୁଥିବା ଲୋକମାନେ ଖୁବ୍ ମୋଟା ଅଙ୍କର ଦରମା ଦେଇ ସେଇଭଳି ଝିଅ ମାନଙ୍କ ଦ୍ୱାରା ଗରାଖ ମାନଙ୍କୁ ହିଁ ଟ୍ରାପ୍ କରିଥାନ୍ତି l 


କିଛି ଦୂରଦୃଷ୍ଟି ଥିବା ଲୋକ ସେଇ ଫୋନ୍ କଲ୍ ପାଖରୁ ହିଁ ନିଜକୁ ଦୂରେଇ ନିଅନ୍ତି ତ ଆଉ କିଛି ଲୋକ ସେଇ ବିଦେଶ ଭ୍ରମଣର ଅଫର୍ ପାଇ ରାତି ଦିନ ସ୍ୱପ୍ନ ଦେଖି ତାଙ୍କୁ ଡକାଯାଇଥିବା ସ୍ଥାନରେ ସସ୍ତ୍ରୀକ ଯାଇ ପହଞ୍ଚି ଯାଆନ୍ତି l ଅର୍ଥାତ୍ ସେଇ ଠକ ମାନଙ୍କ ଦ୍ୱାରା ବସା ଯାଇଥିବା ଯନ୍ତ୍ରାର ଆଁ ରେ ପଡିବା ପାଇଁ l 

ମୋର ଜଣେ ଦୂରସମ୍ପର୍କୀୟ ଭାଇ ଏମିତି ଏକ ଫୋନ୍ କଲ୍ ପାଇ ଖୁବ୍ ଖୁସିରେ ସେଇ ତୋଷାଳି ସାଣ୍ତ୍ସ୍ ରେ ତାଙ୍କ ସ୍ତ୍ରୀଙ୍କୁ ବାଇକ୍ ରେ ଧରି ଯାଇ ପହଞ୍ଚିଗଲେ l ସେ ଭାଇ ଜଣଙ୍କ ବହିୁତ ଶିକ୍ଷିତ ଓ ଚାଲାକ୍ ମଧ୍ୟ l କିନ୍ତୁ ଏମିତି ବେଦେଶ ଭ୍ରମଣ ଖୁବ୍ କମ୍ ପଇସାରେ ଭାଗ୍ୟରେ ଥିଲେ ମିଳେ ଚିନ୍ତା କରି ସେଇଥିରେ ମସଗୁଲ୍ ହୋଇ ବାଇକ୍ ରେ ତେଲ ପୋଡି ସେଇ ଠକ ମାନଙ୍କ ଦ୍ୱରା ରଚା ଯାଇଥିବା ଠକାମିର ଚକ୍ରବ୍ଯୁହ ଆଡକୁ ମୁହାଁଇ ଚାଲିଲେ l 


ଏମିତି ସବୁ ଅଫର୍ ବା ସ୍କିମ୍ ରୁ ଲାଭ ଉଠାଉଥିବା ଲୋକ ମାନଙ୍କ ମଧ୍ୟରୁ ଯେଉଁମାନେ ମୋ ଚିହ୍ନା ତାଙ୍କଠାରୁ ଟିକିନିକି କରି ସବୁକଥା ମୁଁ ବୁଝେ l ସେଦିନ ଯେଉଁ ଭାଇ ଯାଇଥିଲେ ସେ ଫେରିବା ପରେ ତାଙ୍କର ଆଉ ପୂର୍ବର ସେଇ ଖୁସି କିଛି ନଥିଲା l ତାଙ୍କୁ ପଚାରି ସବୁକଥା ବୁଝିବା ବେଳକୁ ଘଟଣା ଏମିତି ବୋଲି ଜଣା ପଡିଲା -

ଏମାନେ ଯାଇ ସେଠି ପହଞ୍ଚି ଯିବା ପରେ ତାଙ୍କୁ ସେଇ ଠକ ମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ଲୋକମାନେ ତୋଷାଳି ସ୍ୟାଣ୍ତ୍ସ୍ ହୋଟେଲ୍ ଭିତରକୁ ସସମ୍ମାନେ ପାଛୋଟି ନେଲେ l ଏକଥା ନିଶ୍ଚିତ ସେଇ ଠକ ମାନଙ୍କ ଭିତରୁ କିଛି ହୋଟେଲ୍ ସାମ୍ନାରେ ରହି ଠକାମିରେ ପଡିବାକୁ ଅସୁଥିବା ଗରାଖ ମାନଙ୍କୁ ପରଖୁଥିବେ l ଅର୍ଥତ୍ କିଏ ବସ୍ ରୁ ଓଲ୍ହାଇଲା କି କେଉଁମାନେ ବାଇକ୍ ରେ ଅସିଲେ ତ ଆଉ କେଉଁମାନେ କାର୍ ରେ ଆସିଲେ l କାର୍ ରେ ଆସୁଥିବା ଲୋକ ମାନଙ୍କ ଭିତରୁ କେଉଁମାନେ ଭଡାରେ କାର୍ ଆଣିଛନ୍ତି ତ ଆଉ କେଉଁମାନେ ପ୍ରାଇଭେଟ୍ ନମ୍ୱରଥିବା ଗାଡିରେ ଆସିଛନ୍ତି l ସବୁ କଥା ଟିକିନିକି କରି ଦେଖି ସେଇଥିରୁ ହିଁ କାହାକୁ କେତେ ମାତ୍ରାରେ ଠକିହେବ ଫାଇନାଲ୍ କରିଥାନ୍ତି l


ଦିନ ୧୧ଟା ରେ ପହଞ୍ଚିବା ପରେ ତାଙ୍କୁ ହୋଟେଲ୍ ଭିତରେ ନେଇ ବସାଇ ଦିଆଗଲା l ୟାଙ୍କ ପରି ଆହୁରି ଅନେକ ସ୍ୱାମୀ ସ୍ତ୍ରୀ ମାନଙ୍କୁ ଯୋଡି ଯୋଡି କରି ବିଭିନ୍ନ ଟେବୁଲ୍ ମାନଙ୍କରେ ବସାଇଥାନ୍ତି l ପ୍ରତି ଟେବୁଲ୍ ନିକଟରେ କେବଳ ତିନିଟା କରି ଚେୟାର୍ ପଡିଥାଏ l କହିବା ବାହୁଲ୍ୟ ଯେ ଦୁଇଟି ଚେୟାର୍ ଠକାମିର ଶିକାର ହେବାକୁ ଆସିଥିବା ସ୍ୱାମୀ ସ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ତୃତୀୟ ଚେୟାରଟି ଜଣେ ଖୁବ୍ କୁହାଳିଆ ଠକ ପାଇଁ ନିର୍ଦ୍ଦିଷ୍ଟ ଥିଲା l ସେ ଏମିତି ଢଙ୍ଗରେ ବୁଝାଇବ ଯେ ସେଇ ଯନ୍ତ୍ରାରୁ ଖସିବା ଖୁବ୍ କଷ୍ଟ l 

ଏମାନେ ସେଠି ବସିବା ପରେ ଜଣେ ସୁନ୍ଦରୀ ଝିଅ ଅଣି ଥଣ୍ଡା ପାଣି ଦୁଇ ଗ୍ଲାସ୍ ଥୋଇଦେଲା l ଅଳ୍ପ ଅଳ୍ପ ଲାଇଟ୍ ଆଉ ଖୁବ୍ ଚାକଚକ୍ଯ ପରିବେଶ ସମସ୍ତ ସ୍ୱାମୀ ସ୍ତ୍ରୀ ଯୋଡିଙ୍କୁ ଖୁବ୍ ରୋମାଞ୍ଚିତ କରୁଥିବ ନିଶ୍ଚିତ l ସେଇଭଳି ସିଚୁଏସ୍ ସୃଷ୍ଟି କରି ଏ ଠକ ଗୁଡାକ ଖୁବ୍ ସହଜ ଢଙ୍ଗରେ ଲୋକ ମାନଙ୍କୁ ଲୁଟିଥାନ୍ତି l କୁହାଳିଆ ଠକ ୟାଙ୍କ ଟେବୁଲ୍ ପାଖକୁ ଆସିବା ପରେ ପରେ ହିଁ ଦୁଇ କପ୍ କଫି ସହ ଚାରିପଟ ବିସ୍କୁଟ୍ ସେଇ ସୁନ୍ଦରୀ ଝିଅଟି ଆଣି ସର୍ଭ କଲା l କୁହାଳିଆ ଠକ ସେଇ ଅଳ୍ପ ଆଲୁଅରେ କାଗଜ କଲମରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ନାମ ସହ ସମସ୍ତ ଠିକଣା ଆଉ କଣ କରୁଛନ୍ତି ଇତ୍ୟାଦି ଲେଖିବା ସହିତ ସିଙ୍ଗପୁର କେବେ ଯିବାକୁ ହେବ, ତାଙ୍କ ତରଫରୁ ସେଠି ହୋଟେଲ୍ ରେ ମାଗଣାରେ କେମିତି ରୁମ୍ ଯୋଗାଇ ଦିଆଯିବ, ବହୁତ ଲୋକ ହୋଇ ଗଲେଣି ଆଉ ମାତ୍ର ୪ ଜଣଙ୍କ ପରେ ଏ ସୁବିଧାକୁ ପୂର୍ଣ୍ଣଛେଦ୍ ପକାଇଦିଆଯିବ l ସେଠି ଖାଇବା ପିଇବା ଖୁବ୍ ଶସ୍ତା l ଆପଣ କେବଳ ଯିବା ଆସିବା ଟିକେଟ ଖର୍ଚ ସହ ଖାଇବା ପିଇବା ପାଇଁ ଆମକୁ ଟଙ୍କା ଦେବା l ଆପଣ କିଛି ଚିନ୍ତା କରିବା ଆବଶ୍ଯକ ନାହିଁ, ସବୁ ଦାୟୀତ୍ୱ ଆମର l ସେ ଏମିତି ଢଙ୍ଗରେ କହୁଥାଏ ସତେ ଯେମିତି ଆଉ ମାତ୍ର ୪ ଜଣଙ୍କ ପାଇଁ ଏଇ ସୁବିଧା ଉପଲବ୍ଧ ଆଉ ସେଇ ସୁବିଧା ଏମାନେ ଖୁବ୍ ସ୍ପେଶାଲ୍ ଲୋକବୋଲି କେବଳ ୟାଙ୍କୁ ଦେଉଛନ୍ତି l ସଙ୍ଗେ ସଙ୍ଗେ ଏ ସୁବିଧାକୁ ମାଡି ବସିବାକୁ ହେବ ନହେଲେ ପଛରେ ଗୁଡେ ପସ୍ତାଇବାକୁ ପଡିବ l

ମୋ ସମ୍ପର୍କୀୟ ଭାଇର କୁହାଳିଆ ଠକର ଏତେସବୁ କଥା ଶୁଣିବାପରେ ବୋଧହୁଏ ଜ୍ଞାନ ଉଦୟ ହେଲା l ସେ କହିଲା, ଆମେ ଯିବାକୁ ଚିନ୍ତା କରିଥିଲୁ କିନ୍ତୁ ଏତେ ଶୀଘ୍ର ଯିବାକୁ ହେବ ଜାଣି ନଥିଲି l

କୁହାଳିଆ ଠକ ସଙ୍ଗେ ସଙ୍ଗେ କହିଲା, ଠିକ୍ ଅଛି ଆପଣ ଏ ଟ୍ରିପ୍ ରେ ନଗଲେ ଆସନ୍ତା ଟ୍ରିପ୍ ରେ ଯିବେ l ଆଜି ଆଡଭାନ୍ସ୍ ଦେଇ ବୁକ୍ କରି ଦିଅନ୍ତୁ l  

ସମ୍ପର୍କୀୟ ଭାଇ ଆମର ତା କଥାରେ ଜାଣିଗଲା ଏ ସ୍କିମ୍ ଫିମ୍ କଥା କିଛି ନୁହେଁ l ଏସବୁ କେବଳ ଠକିହେବା କଥା l ତେଣୁ କହିଲା,  ମୁଁ ଗୋଟେ ଉଇକ୍ ଭିତରେ ଆସି ବୁକ୍ କରିବି l ଆଜି ପଇସା ଆଣିକି ଆସିନି l 

ଠକ ଦେଖିଲା ଏ ଲୋକ ହାତରୁ ଗଲା l ତେଣୁ ଶେଷ ଅସ୍ତ୍ର ପ୍ରୟୋଗ କରି କହିଲା, ଆଜି ଯେତିକି ଟଙ୍କା ବି ଅଛି ଦେଇକି ବୁକ୍ କରି ଦିଅନ୍ତୁ l 

କିନ୍ତୁ ଭାଇ ଆମର ସେଇ ଗୋଟେ ନାରା ଧରିଲେ l ପରେ ଆସି କନଫର୍ମ କରିବି l ଶେଷକୁ ବାଧ୍ୟହୋଇ ସେ କୁହାଳିଆ ଠକ ହଉ ଠିକ୍ ଅଛି ବୋଲି କହି ସେଦିନ ଠକିହେବାକୁ ଆସିଥିବା ଅନ୍ୟ ଗ୍ରାହକଙ୍କ ପାଖକୁ ଚାଲିଲା l

ପ୍ରଥମତଃ ସେମାନେ ଲଞ୍ଚ୍ ଦେବେ ବୋଲି କହିଥିଲେ l ଏଣେ ଦିନ ୧.୩୦ ହେଲାଣି ସେତବେଳକୁ l ଦେଖାଗଲା ଯେଉଁ ମାନେ ଆଡଭାନ୍ସ ଦେଇ ବୁକ୍ କରୁଛନ୍ତି କେବଳ ସେଇ ମାନଙ୍କୁ ଲଞ୍ଚ୍ ସର୍ଭ କରାଯାଉଛି l ତେଣୁ ଏ ଭାଇ ଆମର ଏବେ ଜାଣିଗଲେ ତାଙ୍କୁ ଲଞ୍ଚ୍ ମିଳିବାର ନାହିଁ l ବାଧ୍ୟହୋଇ ସେଇ ଦୁଇ କପ୍ କଫି ଆଉ ଚାରିପଟ ବିସ୍କୁଟକୁ ସେ ଦିନର ଲଞ୍ଚ ବୋଲି ଭାବିନେଇ ସେଠୁ ବିଦାୟ ନେଲେ l 

ବାଟରେ ଗୋଟେ ହୋଟେଲ୍ ରେ ଖାଇ ତେଲ ପୋଡି ଯାଇଥିବାରୁ ପଇସାର ମୂଲ୍ୟ ଉଠାଇବାକୁ ଭାଉଜଙ୍କୁ କୋଣାର୍କ ବୁଲାଇ ବିଦେଶ ଭ୍ରମଣ ହୋଇଗଲା ବୋଲି ଭାବି ଭାଇ ଆମର କାନମୁଣ୍ଡା ଆଉଁସି ଘରକୁ ଫେରି ଆସିଲେ l

ଅବଶ୍ଯ ଏଠି ସମ୍ପର୍କୀୟ ଭାଇ ଆମର ସେଇ ଠକ ମାନଙ୍କ ଯନ୍ତ୍ରାରେ ପଡୁପଡୁ ଖସି ଆସିଲେ l ନିଜର ପଛେ କିଛି ତେଲ ପୋଡୁ କିନ୍ତୁ ସେଇ ଠକ ମାନଙ୍କ ଠାରୁ ଦୁଇକପ୍ କଫି ଆଉ ୪ ପଟ ବିସ୍କୁଟ୍ ଉଦରସ୍ଥ କରି ଆସିଲେ l ସେ ଠକ ମାନେ କିନ୍ତୁ ସେଇ ସବୁ ହୋଟେଲ୍ ବୁକ୍ ଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଖର୍ଚ ନିଜ ପକେଟରୁ କେବେହେଲେ କରି ନଥିବେ l ସବୁ ସେଇ ଠକାମିରେ ଶିକାର ହେଉଥିବା ଗରାଖ ମାନଙ୍କ ପଇସା l 

ଛାଡନ୍ତୁ ଏବେ ମୋ କଥାକୁ ଆସିବା l ମୋ ସହିତ କଥା ହେଉଥିବା ଝିଅଟିର ଲାଳିତ୍ୟରେ ଭର୍ ପୁର୍ ସ୍ୱର ଶୁଣିବା ପରେ ମୁଁ କଣ ତାକୁ ଉତ୍ତର ଦେବି ଚିନ୍ତା କରୁଥାଏ l ଶେଷକୁ ତାକୁ କହିଲି, ଆଛା ଯିଏ ବାହା ହୋଇନି ତାକୁ କଣ ଏ ସୁବିଧା ଉପଲବ୍ଧ ?

ଝିଅଟି ଏମିତି ପ୍ରଶ୍ନର ଉତ୍ତର ବୋଧେ ପାଉନଥିଲା l କିଛି ସମୟ ଚିନ୍ତାକରି କହିଲା , ସାର୍ ଆପଣ କଣ ମ୍ୟାରେଜ୍ କରି ନାହାନ୍ତି ?  

ମୁଁ ସିଧା କହିଲି , ନାଇଁ , ମୋ ମ୍ୟାରେଜ୍ ହୋଇନି ଏଯାଏ l

ସେ ପୁଣି କହିଲା, ସାର୍ ଆପଣ ଚାହିଁଲେ ଆଉ କାହାକୁ ବି ସାଙ୍ଗରେ ନେଇ ପାରିବେ l

 କାହାକୁ ଆଉ ସାଙ୍ଗରେ ନେଇ ବିଦେଶ ଯିବି ? ପୁଣି ମୋ ପ୍ରଶ୍ନ ଥିଲା ତାକୁ l

ସେ କିନ୍ତୁ ଠିକ୍ ଜାଣିଥିଲା ମୁଁ ବିବାହିତ ବୋଲି l ଗୋଟେ ଲୋକ ବିଷୟରେ ସବୁ ଜାଣି ସାରିବା ପରେ ହିଁ ସେମାନେ ତାକୁ ଠକାମିର ଚକ୍ରବ୍ଯୁହରେ ପକାଇବାକୁ ଚେଷ୍ଟା କରନ୍ତି l 

ସେ ଶେଷକୁ କହିଲା,  ସାର୍ ତାହେଲେ ଆପଣ ଆମ ସ୍କିମ୍ ର ଲାଭ ନେବେ ନାହିଁ ?  

ମୁଁ ବି ଏଥର ସିଧା କହିଲି, ନାଇଁ ଆଗ ମୋ ମ୍ୟାରେଜ୍ ସରୁ ତାପରେ ଆପଣଙ୍କୁ ଯୋଗାଯୋଗ କରିବି ଏହି ସ୍କିମ୍ ର ଲାଭ ନେବାକୁ l

ହଉ ସାର୍ ନମସ୍କାର ବୋଲି କହି ଝିଅଟି ବାଧ୍ଯ ହେଲା ଫୋନ୍ କାଟିବାକୁ l 

ଅବଶ୍ୟ ପୂର୍ବରୁ ମୋ ସମ୍ପର୍କୀୟ ଭାଇ ସହିତ ଏମିତି ଘଟିନଥିଲେ ମୁଁ ବି ସେଇ ତୋଷାଳି ସ୍ଯାଣ୍ତ୍ସ୍ ରେ ଯାଇ ହାଜର ହୋଇଯାଇଥାନ୍ତି ମୋ ସ୍ତ୍ରୀକୁ ସାଙ୍ଗରେ ଧରି ବିଦେଶ ଭ୍ରମଣର ଲାଭ ଉଠାଇବାକୁ l 

ଏବେ ଆସନ୍ତୁ ଆଉ ଗୋଟେ କିସମର ଠକ ଦଳଙ୍କ କଥା ଆଲୋଚନା କାରିବା l ଏଇ ପାଞ୍ଚମାସ ତଳର ଘଟଣା l ମୋ ମୋବାଇଲ୍ ମେସେଜ୍ ବକ୍ସ୍ ରେ ଫ୍ଲିପକାର୍ଟ ତରଫରୁ ଗୋଟେ ମେସେଜ୍ ଆସିଲା l ସେଥିରେ ଇଂରାଜୀରେ ଲେଖାଥିଲା କୁଆଡେ ମୋ ନାମରେ ପ୍ରଥମ ପୁରଷ୍କାର ଉଠିଛି l ସେଥି ପାଇଁ ସେମାନେ ମୋଥେ ଗୋଟେ ଟାଟା ସଫାରି କାର୍ ନଚେତ୍ ବାର ଲକ୍ଷ ଅଶି ହଜାର ଶହେ ଅଠଚାଳିଶି ଟଙ୍କା ( Rs. 12, 80, 148 /- ) ଦେବେ l 

କିନ୍ତୁ ସେଇ ପୁରଷ୍କାରକୁ ପାଇବା ପାଇଁ ମୋତେ ପ୍ରଥମେ ରେଜିଷ୍ଟେସନ୍ ବାବଦକୁ ସେଇ ୨୬/୧୨ / ୨୦୧୮ ରିଖରେ ଆଠ ହଜାର ପାଞ୍ଚସହ ଟଙ୍କା ( Rs. 8500/- ) ଦେବାକୁ ହେବ l ଆଉ ସେଥି ପାଇଁ ମୋତେ ଯାହାଙ୍କୁ କଣ୍ଟାକ୍ଟ୍ କରିବାକୁ ପଡିବ ତାଙ୍କ ଲ୍ୟାଣ୍ତ ନମ୍ୱର, ମୋବାଇଲ୍ ଓ ହେଲ୍ପ୍ ଲାଇନ୍ ନମ୍ୱର ସବୁ ସେଇ ମେସେଜ୍ ରେ ଯୋଗାଇ ଦିଆଯାଇଥିଲା l ସେଇ ମେସେଜ୍ କୁ ଆପଣମାନଙ୍କ ଅବଗତି ନିମନ୍ତେ ଏଇ ଲେଖାରେ ସଲଗ୍ନ କରାଗଲା l

ମୁଁ ସେଇ ଫିଲ୍ପକାର୍ଟ ବା ସାନ୍ପାଡିଲ୍ ପରି ଅନଲାଇଲ୍ ସପିଙ୍ଗ୍ କମ୍ପାନୀରୁ କେବେ କୌଣସି ଜିନିଷ କିଣିବା ସପକ୍ଷରେ ନଥାଏ l କିନ୍ତୁ ମୋ ପୁଅ ମୋତେ ବୁଝାଇ କହେ କି , ଅମକ ଜିନିଷ ବଜାରରୁ କିଣିଲେ ଏତିକି ପଡିବ କିନ୍ତୁ ଏଇ ଅନଲାଇଲ୍ କମ୍ପାନୀରୁ ଆଣିଲେ ଏତିକି ପଇସା ଆମର ଲାଭ ହେବ l 

ମୁଁ ମଧ୍ଯ ଗୋଟେ ଦୁଇଟା ଜିନିଷର ମୂଲ୍ୟ ବଜାରରୁ ବୁଝି ଦେଖିଲି ପୁଅ ଯାହା କହୁଛି ଠିକ୍ l ତେଣୁ ସେଇ ମିସେଜ୍ ଆସିବା ପୂର୍ବରୁ କିଛି ଜିନିଷ ଫ୍ଲିପକାର୍ଟରୁ କିଣା ଯାଇଥିଲା l ତଥାପି ଏସବୁ ମେସେଜ୍ କୁ ଗୁରୁତ୍ବ ଦିଆଯିବା ଉଚିତ୍ ନୁହେଁ ନ୍ୟାୟରେ ମୁଁ ଚୁପ୍ ଚାପ୍ ରହିଗଲି l

ଏଠି ଦେଖନ୍ତୁ କେମିତି ସୁନ୍ଦର ଅଫର୍ ଆସିଛି l ମାତ୍ର ୮୫୦୦ ଟଙ୍କାରେ ନିଜର ହୋଇଯିବାକୁ ଥିବା ଟାଟା ସଫାରି କାର୍ ରେ ଜୀବନସାରା ବୁଲିବାର ଅଫର୍ l ଏମିତି ଅଫରକୁ ତୁରନ୍ତ ମାଡିବସିବା ପାଇଁ ଯେକେହି ଚିନ୍ତା କରିବ l ଏ ଅଫର ପୁଣି ଫ୍ପିପକାର୍ଟ୍ କରି କମ୍ପାନୀ ଦେଇଛି l ଯୋଗାଯୋଗ କରିବାକୁ ନମ୍ୱର ବି ଦେଇଛି l ଅବିଶ୍ୱାସ କାଇଁ କିଏ ବା କରିବ ? ( କଣ୍ଟାକଣ୍ଟ୍ ନମ୍ୱର - ୦୬୨୦୫-୬୭୭୦୪, ୦୮୦୮୪୦୫୧୭୨୦ ଫର୍ ମୋର୍ ଡିଟେଲସ୍ ହେଲ୍ପଲାଇନ୍ ନମ୍ୱର - ୧୮୦୦-୩୦୦୨-୮୨୧୪ )

ସେଇ ମେସେଜ୍ ଆସିବାର ପ୍ରାୟ ଘଣ୍ଟାକ ପରେ ମୋ ପାଖକୁ ଗୋଟେ କଲ୍ ଆସିଲା l ଜଣେ ଝିଅ ହିନ୍ଦିରେ ଖୁବ୍ ସୁନ୍ଦର ସ୍ୱରରେ ଯାହା କହିଲା ତା'ର ଓଡିଆ ଅନୁବାଦ ଏହିପରି , 

ନମସ୍କାର l ଆପଣ ଆମ ମେସେଜ୍ ରୁସିଭ୍ କରିଛନ୍ତି ତ ?

ମୁଁ କହିଲି, କୋଉ ମେସେଜ୍ ?

ସେ ଉତ୍ତରରେ କହିଲା, ଆପଣ ଯେଉଁ ଜିନିଷ କିଣିଥିଲେ ସେଇଥିଲେ ଲକି ଡ୍ର ରେ ଫ୍ଲିପକାର୍ଟ୍ ତରଫରୁ ଆପଣଙ୍କର ପ୍ରଥମ ପୁରଷ୍କାର ବାବଦକୁ ଟାଟା ସଫାରି କାର୍ ଉଠିଛି l

ମୁଁ କହିଲି, ହଁ ହଁ ସେ ମେସେଜ୍ ପାଇଛି l

ତାହେଲେ ଆପଣ କଣ ନେବେ ? ସେ କହିଲା

ମୁଁ - କଣ ନେବି ମାନେ ? 

ସେ - କାର୍ ନେବେ ନା କ୍ୟାସ୍ ନେବେ ?  

ମୁଁ - କଣ ନେଲେ ଭଲ ହେବ ?  

ସେ - ଆପଣ ଯାହା ଚାହିଁବେ ନେଇ ପାରିବେ l 

ମୁଁ ଚିନ୍ତାକଲି ମୋର ଗ୍ୟାରେଜ୍ ନାହିଁ l ଯଦି ଏତେ ବାଧ୍ୟ କରୁଛି କ୍ୟାସ୍ ନେଇ ଅସିବା ବୁଦ୍ଧିମାନର କାମ ହେବ l 

ତାକୁ କହିଲି, କ୍ୟାସ୍ ଦେଇ ଦିଅନ୍ତୁ l

ସେ କହିଲା, ଆପଣଙ୍କ ବ୍ଯାଙ୍କ୍ ଆକାଉଣ୍ଟ୍ସ ଡିଟେଲେସ୍ ଦରକାର l  

ମୁଁ - ସବୁ ଡିଟେଲେସ୍ ଫ୍ଲିପକାର୍ଟରେ ଅଛି l ଗୋଟେ କିଣିଥିବା ଜିନିଷ ପସନ୍ଦ ନହେବାରୁ ନିୟମ ମୁତାବକ ଫେରାଇଥିଲି ଆଉ ତା ବାବଦ ଟଙ୍କା କମ୍ପାନୀ ମୋ ବ୍ୟାଙ୍କ ଆକାଉଣ୍ଟସ୍ ରେ ଡିପୋଜିଟ୍ କରିଥିଲା l ଆପଣଙ୍କ ଡାଟାବେସ୍ ରେ ଦେଖନ୍ତୁ ପାଇଯିବେ ।

ମୋ କଥାରେ ଝିଅଟି କମ୍ପ୍ୟୁଟର କି ବୋର୍ଡରେ କିଛି ଚେକ୍ କରିବାର ଅଭିନୟ କଲା l ମୋ ମୋବାଇଲ୍ ରେ ସେମିତି ସାଉଣ୍ତ୍ ଶୁଣାଗଲା l କିଛି ସମୟପରେ କହିଲା, ହଁ ସାର୍ ମିଳିଗଲା l ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟ ଡିଟେଲ୍ସ ଅଛି ଆମ ପାଖରେ l  

ମୁଁ ଏଥର ସ୍ୱାଭାବିକ୍ ଭାବରେ କହିଲି, ବାସ୍ ସେଇ ଆକାଉଣ୍ଟରେ ପ୍ରଥମ ପୁରଷ୍କାର ବାବଦ ଅର୍ଥ ଏବେ ଡିପୋଜିଟ୍ କରିଦିଅନ୍ତୁ l

ନାଇଁ ସାର୍ ସେମିତି ହେବନି । ଝିଅଟି କହିଲା l

ମୁଁ କହିଲି, କାଇଁ ହେବନି ? ଅସୁବିଧା ପୁଣି କେଉଁଠି ରହୁଛି !

ସେ କହିଲା,  ଆମ ନିୟମ ମୁତାବକ୍ ଆପଣଙ୍କୁ ପ୍ରଥମେ ରେଜିଷ୍ଟେଶନ୍ ଫି ବାବଦକୁ ୮୫୦୦ ଟଙ୍କା ଡିପୋଜିଟ୍ କରିବାକୁ ହେବ l

ମୁଁ କହିଲି, କି କଥା ? ଅପଣ ପୁରଷ୍କାର ବାବଦକୁ ମୋ ଆକାଉଣ୍ଟରେ ୧୨,୮୦,୧୪୮ ଟଙ୍କା ଦେବେ,ସେଥିରୁ ୮୫୦୦ ଟଙ୍କା ଫେଡି ରଖିବାରେ ଅସୁବିଧା କେଉଁଠି ରହୁଛି ?

ଝିଅଟି କିନ୍ତୁ ପୁଣି କହିଲା , ନାଇଁ ଆପଣଙ୍କୁ ଆଗ ସେଇ ଟଙ୍କା ଆମ ବ୍ୟାଙ୍କ ଆକାଉଣ୍ଟରେ ଡିପୋଜିଟ୍ କରିବାକୁ ହେବ l

ମୁଁ ଏଥର ସିଧା କହିଲି, ନାଇଁ ମୋର ସେ ପୁରଷ୍କାର ଦରକାର୍ ନାହିଁ l  

ଏମିତି କହିବାର କାରଣ ହେଉଛି ଯଦି ମୁଁ ଝିଅଟିର କଥା ମୁତାବକ୍ ୮୫୦୦ ଟଙ୍କା ଡିପୋଜିଟ୍ କରିଥାନ୍ତି ସେଇ ବାର ଲକ୍ଷରୁ ଅଧିକ ଟଙ୍କା ପାଇବା ଲୋଭରେ ତାହେଲେ ସେଇ ଟଙ୍କା ମୁଁ ସବୁଦିନପାଇଁ ହରାଇଥାନ୍ତି ଅର୍ଥାତ୍ ଠକାମିର ଶିକାର ହୋଇ ବୁଲିଥାନ୍ତି l ଏମିତି ଅଧିକ ଟଙ୍କା ପାୋଇବା ଲୋଭରେ ପଡି କିଛି ଲୋକ ଅନଲାଇନ୍ ବା ବ୍ୟାଙ୍କକୁ ଯାଇ ସେଇ ରେଜିଷ୍ଟେଶନ୍ ବାବଦକୁ କିଛି ଟଙ୍କା ଡିପୋଜିଟ୍ କରି ଠକାମିର ଶିକାର ହୋଇଥାନ୍ତି l ପରବର୍ତ୍ତି ସମୟରେ ନା ସେ ପ୍ରାଇଜ୍ ଟଙ୍କା ଆସେ ନା ଏଇ ରେଜିଷ୍ଟେଶନ୍ ଟଙ୍କା ଫେରି ପାଆନ୍ତି l ସବୁଠୁ ଦୁଃଖର କଥା ହେଉଛି ଏମିତି ଠକାମିର ଶିକାର ହୋଇଛନ୍ତି ବୋଲି କାହାକି କହିବାକୁ ସଂକୋଚ କରଥାନ୍ତି l ତେଣୁ ଏମିତି ଲୋଭରୁ ଦୂରେଇ ରହିବା ସବୁବେଳେ ବୁଦ୍ଧିମାନର କାମ l

ବର୍ତ୍ତମାନ ଆଉ ଏକ କିସମର ଠକାମି ଉପରେ ଆଲୋଚନା କରିବା l ଏଇ କାଟେଗୋରୀର ଠକାମିରେ କିଛି ମାତ୍ରାରେ ଇମୋସନ୍ସ୍ ଯୋଡି ହୋଇଥାଏ l ସାଧାରଣ ଲୋକମାନଙ୍କ ସହିତ କିଛି ବୁଦ୍ଧିଆ ଲୋକ ମଧ୍ୟ ଏଇ ଠକ ମାନଙ୍କ ଦ୍ୱାରା ସହଜରେ ଶିକାର ହୋଇଥାନ୍ତି l 

ଏଇ ଧରଣର ଠକାମି କରୁଥିବା ଲୋକମାନେ ପ୍ରଥମେ ଠକିବାକୁ ସ୍ଥିର କରିଥିବା ଲୋକ ମାନଙ୍କର ସବୁ ଡାଟା ଯୋଗାଡ କରିଥାନ୍ତି l ମାଟ୍ରିକ୍ ହେଉ ବା ଯୁକ୍ତ ଦୁଇ, ଏଇଥିରେ ପରୀକ୍ଷା ଦେଇଥିବା ପରୀକ୍ଷାଥୀଙ୍କ ନାମ, ରୋଲ୍ ନମ୍ୱର, ରେଜିଷ୍ଟେଶନ୍ ନମ୍ୱର, ବାପ ମାଆଙ୍କ ନାମ ପ୍ରଥମେ ପରୀକ୍ଷା କରୁଥିବା ବୋର୍ଡ ଲୋକଙ୍କୁ ହାତକରି ଯୋଗାଡ କରନ୍ତି l ଠିକ୍ ଖାତାଦେଖା ସରିବାପରେ ଫୋନ୍ କରନ୍ତି ପରୀକ୍ଷାଥୀର ବାପ କିମ୍ୱା ମାଆଙ୍କୁ l

ଏମିତିରେ ପରୀକ୍ଷା ରେଜଲ୍ଟ ବାହାରିବା ସମୟ ପାଖେଇ ଆସିଲେ, ପରୀକ୍ଷାଥୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଆଶା ଓ ଆଶଙ୍କା ବଢିଯାଏ l ଆଉ ଠିକ୍ ସେଇ ସମୟରେ ଏଇ ଠକମାନେ ସକ୍ରିୟ ହୋଇ ଉଠନ୍ତି l ପୁରା ଗୋଟେ ରାକେଟ୍ ଏମିତି କାମ କରନ୍ତି l ଯାହାକୁ କୁହନ୍ତି ଠିକ୍ ଲୁହା ଗରମ ହୋଇଥିବା ସମୟରେ ପ୍ରହାର କରିବା l ଯୋଗାଡ କରିଥିବା ଡାଟାକୁ ବେସ୍ କରି ଅଭିଭାବକଙ୍କୁ ଫୋନ୍ ଲଗାନ୍ତି l

ଏମିତି ଏକ କଲ୍ ମୋ ପାଖକୁ ଆସିଲା ତା ୧୧/୦୫/୨୦୧୯ ରିଖରେ l ସମୟ ସକାଳ ୮ଟା ପାଖା ପାଖି ହେବ l ଅସିଥବା ନମ୍ୱର ହେଉଛି ୦୭୬୩୨୯୪୮୭୪୬ l ପୁରା କନ୍ଫିଡେଣ୍ଟଲି ହିନ୍ଦିରେ ସେ ଝିଅଟି ମୋତେ ମୋ ପୁଅ ନାମ, ତା ରୋଲ୍ ନମ୍ୱର, ରେଜିଷ୍ଟେଶନ୍ ନମ୍ୱର ସହିତ ମୋ ନାମ କହିଗଲା l ମୋ ପୁଅ ଏ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଦେଇଛି ଆଉ ଅଳ୍ପଦିନ ପରେ ତା ରେଜଲ୍ଟ୍ ବି ବାହାରିବ l 

ମୁଁ ତେଣୁ ସ୍ୱାଭାବିକ୍ ଭାବରେ କହିଲି, ହାଁ କ୍ୟା ହୁଆ ?

ସେ କହିଲା , କିସିକୋ ବୋଲିଏଗା ମତ୍ , ରିସ୍କ୍ ଲେକର ହମେ ଆପ୍ କୋ ହେଲ୍ପ୍ କର୍ ରହେ ହେଁ l  

ଏହାପରେ ଯାହା ଆମ ଭିତରେ ହିନ୍ଦିରେ କଥାବାର୍ତ୍ତା ହେଲା ତାକୁ ଓଡିଆରେ ନିମ୍ନରେ ରଖୁଛି l

ମୁଁ କହିଲି, କଣ ରିସ୍କ୍ ନେଲେ ଆପଣ ?

ସେ କହିଲା, ଆପଣଙ୍କ ପୁଅ ଗଣିତ ଓ ରସାୟନ ବିଜ୍ଞାନରେ ଫେଲ୍ ହୋଇ ଯାଇଛି l ଗଣିତରେ ମାତ୍ର ୨୯ ଓ ରସାୟନ ବିଜ୍ଞାନରେ ୨୭ ନମ୍ୱର ରଖିଛି l ଆମେ ଏବେ ସେଇ ମାର୍କ କମ୍ୟୁଟରରେ ଏନ୍ଟ୍ରି କରିବାକୁ ଯାଉଛୁ l ଆମର ଯେଉଁ ଅଧିକାରୀ ଏଇ ସାହାର୍ଯ୍ୟ କରିବେ ତାଙ୍କୁ ଆମେ ହାତ କରିଛୁ l ଆପଣଙ୍କୁ କିଛି ଟଙ୍କା ଦେବାକୁ ହେବ l ଆମେ ସେଇ ଫେଲ୍ ନମ୍ୱରକୁ ୯୦ ପ୍ରତିଶତରୁ ଅଧିକ କରିଦେବୁ l ଦେଖନ୍ତୁ ନିଜ ପୁଅର ଭବିଷ୍ୟତ କଥା l କେବଳ ଆଜି ପାଇଁ ଏଇ ସୁବିଧା l ଆସନ୍ତାକାଲି ସେ ଅଧିକାରୀ ପରିବର୍ତ୍ତନ ହୋଇଯିବେ l ଆପଣଙ୍କୁ ବେଶି ଦେବାକୁ ପଡିବନି , ଏଇ ମାତ୍ର ୬ ହଜାର ଟଙ୍କା l ଯଦି ଆଜି ବ୍ୟାଙ୍କରେ ଡିପୋଜିଟ୍ କରିପାରିବେ ତାହେଲେ କାମ ହୋଇଯିବ l 

ଏମିତି କଲ୍ ପାଇ ଯାହା କୁହନ୍ତି ମୁଁ ପୁରା ତୀର୍ଥ କାବା l ମୁଁ ଜଣେ ଅଧ୍ଯାପକ ହୋଇଥିବାରୁ ଖାତା ମୂଲ୍ୟାୟନ କିପରି ହୁଏ ତାହା ଜାଣିଥାଏ l ଆମେ ପ୍ରାୟ କୌଣସି ପରୀକ୍ଷାଥୀକୁ ୨୯ ନମ୍ୱର ଦେଇ ନଥାଉ l ସତେଇଶି ଡେଇଁଲେ ପ୍ରାୟ ଟାଣି ଓଟାରି ତାକୁ ୩୦ ଅର୍ଥାତ୍ ପାସ୍ ମାର୍କ ଦେଇଥାଉ l ଆଉ ରହିଲା ରାସାୟନ ବିଜ୍ଞାନ ଖାତାରେ ୨୭ ନମ୍ୱର ରଖି ଫେଲ୍ ହେବା କଥା l ସେ ଝିଅଟି ବୋଧେ ଜାଣିନଥିବ ଯେ, ରାସାୟନ ବିଜ୍ଞାନରେ ପ୍ରାକ୍ଟିକାଲ୍ ଥାଏ ଆଉ ଥିଓରୀରେ ୭୦ ରୁ ୨୧ ନମ୍ୱର ରଖିଲେ ପାସ୍ ବୋଲି l 

ଏବେ ମୁଁ ସ୍ଥିର ନିଶ୍ଚିତ ହୋଇଗଲି ଯେ, ମାର୍କ ବଢାଇବା ପାଇଁ ଏହା ଏକ ମିଥ୍ୟା ଫୋନ୍ କଲ୍ ଆଉ ଏଥିରେ ପୁରା ମାତି ଉଠିଛନ୍ତି ଆନ୍ତଃରାଜ୍ୟ ଅନଲାଇନ୍ ଠକ ସଂସ୍ଥା l ଏଇ ସବୁ କଥା ଚିନ୍ତା କରି ମୁଁ ସେଇ ଠକ ମାନଙ୍କ ସହିତ କିଛି ସମୟ ଖେଳ କରିବାକୁ ଚାହିଁଲି l 

ତେଣୁ ସେ ଝିଅଟିକୁ କହିଲି,  ଆଛା ମାତ୍ର ୬ ହଜାର ଟଙ୍କାରେ ୨୭ ଓ ୨୯ ନମ୍ୱର ୯୦ ହୋଇଯିବ ? ଏଇଟା ବହୁତ ବଢିଆ ଅଫର୍ କିନ୍ତୁ l 

ଝିଅଟି କହିଲା, ଦେଖନ୍ତୁ ଆମେ ଆମ ଚାକିରିକୁ ବାଜି ଲଗାଇ ଆପଣଙ୍କୁ ସାହାର୍ଯ୍ୟ କରୁଛୁ l ଦୟାକରି କାହାକୁ ଏ ବିଷୟରେ କହିବେନି l

ମୁଁ କହିଲି, ନାଁ ନାଁ ଏସବୁ କଥା କଣ କାହାକୁ କୁହାଯାଏ ? ପୁରା ସିକ୍ରେଟ୍ ରହିବ ଏ କଥା l ନିଶ୍ଚିତରେ ରହନ୍ତୁ ଆପଣ l ଆଛା ଟଙ୍କା କାହା ଆକାଉଣ୍ଟରେ ଡିପୋଜିଟ୍ କରିବି ?

ଝିଅଟି କହିଲା, ଆପଣଙ୍କୁ କିନ୍ତୁ ଆଜି ହିଁ ଟଙ୍କା ଡିପୋଜିଟ୍ କରିବାକୁ ହେବ l ଅନଲାଇନ୍ ରେ ଟ୍ରାନ୍ସ୍ଫର୍ କରିବେ ନା ବ୍ୟାଙ୍କରେ ଡିପୋଜିଟ୍ କରିବେ l 

ମୁଁ କହିଲି, ସେ ଅନଲାଇଲ୍ କଣ ମୁଁ ଜାଣିନି , ବ୍ୟାଙ୍କରେ ଯାଇ ଡିପୋଜିଟ୍ କରିଦେବି ଆଜି l

ସେ କହିଲା, ଠିକ୍ ଅଛି ସଙ୍ଗେ ସଙ୍ଗେ ଅପଣଙ୍କ ମୋବାଇଲକୁ ମେସେଜ୍ ଯିବ l ସେଇ ଆକାଉଣ୍ଟରେ ଅଜି ନିହାତି ଡିପୋଜିଟ୍ କରିଦେବେ l କାଲି ସେ ଅଧିକାରୀ ପରିବର୍ତ୍ତନ ହୋଇଯିବେ l ଆଉ ଯିଏ ତାଙ୍କ ଜାଗାରେ ଆସିବେ ସେ ହୁଏତ ଅାମ କଥାରେ ରାଜି ହୋଇନପାରନ୍ତି l ଦେଖନ୍ତୁ ଏ ସୁବିଧା କେବଳ ଆଜି ପାଇଁ ଉପଲବ୍ଧ l 

ମୁଁ କହିଲି , ବ୍ୟସ୍ତ ହୁଅନ୍ତୁନି , ଆଉ ଅଧ ଘଣ୍ଟାଏ ଭିତରେ ଟଙ୍କା ଡିପୋଜିଟ୍ କରିଦେବି l 

ଧନ୍ୟବାଦ କହି ଝିଅଟି ଫୋନ୍ ରଖିଲା l ମୁଁ ଟ୍ରୃ କଲରେ ଦେଖିଲି ସେଇ ଫୋନ୍ ନମ୍ୱର ହେଉଛି ଫ୍ରଡ୍ ନାମଧାରୀ କେଉଁ ଲୋକର l ଫୋନ୍ ଆସିଥିବା ଲୋକେସନ୍ ରେ ବିହାର ଦେଖାଉଥାଏ l ମନେ ମନେ ବହୁତ ହସ ମଧ୍ୟ ଲାଗୁଥାଏ l କେତେ ନିରୀହ ପିତା ମାତାଙ୍କୁ ପୁଅ ବା ଝିଅଙ୍କ ନମ୍ୱର ବଢେଇଦେବାକୁ କହି ଠକିଥିବେ ଏମାନେ ତାର ହିସାବ ନାହିଁ l ସମସ୍ତେ ତ ଆଉ ଏତେ ସଚେତନ ହୋଇନଥିବେ l ପୁଅ ଝିଅଙ୍କ ନମ୍ୱର ଅଳ୍ପ ଟଙ୍କାରେ ଏତେ ଅଧିକ ହୋଇଯିବ ବୋଲି ଖୁବ୍ ଉଲ୍ଲସିତ ହୋଇ ବ୍ୟାଙ୍କକୁ ଦୌଡିଯାଇ ଟଙ୍କା ଡିପୋଜିଟ୍ କରିଦେଇ ରେଜଲ୍ଟ ବାହାରିବା ଦିନକୁ ଖୁବ୍ ଆଗ୍ରହ ସହକାରେ ଅନେଇଁ ଥାଆନ୍ତି l ନମ୍ୱର ତ ବଢିବାର ପ୍ରଶ୍ନ ଉଠୁନି, କିନ୍ତୁ ଏମିତି ଠକାମିର ଶିକାର ହୋଇଛନ୍ତି ବୋଲି କାହାକୁ ମୁଁହ ଖୋଲି କହିପାରନ୍ତି ନାହିଁ l କିଛିଦିନ ମନ ଦୁଃଖରେ ରହି ସେଇ ଠକାମିକୁ ଭୁଲିବାକୁ ଚେଷ୍ଟା କରିବା ଛଡା ଅନ୍ୟଗତି ନଥାଏ l

ଫୋନ୍ କଟିବା ପରେ ପରେ ହିଁ ମୋ ମୋବାଇଲକୁ ଗୋଟେ ମେସେଜ୍ ଆସିଲା l ସେଇ ମିସେଜ୍ ମୁତାବକ ମୋତେ ରିମ୍ପା ସାଧୁଖାନ୍ ନାମଧାରୀ ଜଣେ ମହିଳାଙ୍କ ଷ୍ଟେଟବ୍ୟାଙ୍କ ଆକାଉଣ୍ଟ ନମ୍ୱର - ୩୪୩୪୯୫୬୪୩୦୧ ରେ ଟଙ୍କା ଡିପୋଜିଟ୍ କରିବାକୁ ହେବ l ସେଇ ବ୍ଯାଙ୍କର ଆଇ.ଏଫ୍.ଏସ୍.ସି. କୋଡ୍ ଥିଲା - SBIN0001359 l ମୋ ମୋବାଇଲକୁ ଆସିଥିବା ସେଇ ମେସେଜ୍ କୁ ଏଠାରେ ସଲଗ୍ନ କରାଗଲା l 

ଠିକ୍ ଅଧଘଣ୍ଟାଏ ପରେ ପୁଣି ସେଇ ନମ୍ୱରରୁ ଫୋନ୍ ଆସିଲା l 

ଝିଅଟି ବଡ ବ୍ୟଗ୍ର ହୋଇ ପଚାରିଲା' ଟଙ୍କା ଡିପୋଜିଟ୍ ହୋଇଗଲା କି ?  ତା କହିବା ଶୈଳିରୁ ଏମିତି ଲାଗୁଥିଲା ସତେ ଜେମିତି ସେ ଦେଶ ପାଇଁ ଖୁବ୍ ଗୁରୁତ୍ବପୂର୍ଣ୍ଣ କାମ କରିବାକୁ ପୁରା ରେଡି ହୋଇ ତେଣେ କମ୍ପ୍ୟୁଟରରେ ବସିଛି l 

ମୁଁ ସେମିତି ମୋ ଖେଳକୁ ଆଗେଇନେଇ କହିଲି, ନାଇଁ ଡିପୋଜିଟ୍ କରି ହେଉନି l ଫଣି ବାତ୍ୟାରେ ଏଠି ଇଣ୍ଟରନେଟ୍ ଆସୁନି l  

ବଡ ବ୍ୟସ୍ତ ହୋଇ ଝିଅଟି କହିଲା, ତାହେଲେ କଣ କରାଯିବ l ଏଇ ସୁବୁଧା କାଲିକି ମିଳି ନପାରେ l 

ମୁଁ କହିଲି , ଆଉ ଉପାୟ କଣ ଅଛି ? ମୁଁ କାଲିକି ଡିପୋଜିଟ୍ କରିବାକୁ ଚେଷ୍ଟା କରିବି l 

ଝିଅଟି କହିଲା, ତାହେଲେ ଡିପୋଜିଟ୍ କରିବା ପୂର୍ବରୁ ଏଇ ନମ୍ୱରରେ କଲ୍ କରିବେ l କାଲି ଯେଉଁ ଅଧିକାରୀ କାମ କରିବେ ତାଙ୍କ ଆକାଉଣ୍ଟ ନମ୍ୱର ଦେବି l

ମୁଁ ଠିକ୍ ଅଛି ବୋଲି କହି ଫୋନ୍ କନେକ୍ସନ୍ କାଟିଲି l ଜାଣିଲି ଏମାନେ ଗୋଟେ ଆକାଉଣ୍ଟ ଅଧିକଦିନ ବ୍ୟବହାର କରନ୍ତିନି l ବ୍ୟାଙ୍କ ଆକାଉଣ୍ଟ ନମ୍ୱର ବାରମ୍ୱାର ପରିବର୍ତ୍ତନ କରି ଚାଲନ୍ତି l ଠକିବାର ଖୁବ୍ ସୁନ୍ଦର ତରିକା ଆପଣାଇଥାନ୍ତି ଏମାନେ l

ତା ପରଦିନ ମୁଁ ଫୋନ୍ କରିବାର ପ୍ରଶ୍ନ ଉଠୁନଥାଏ l କିନ୍ତୁ ସେଇ ଠକମାନେ ଦେଖୁଥାନ୍ତି ଯେ ଗୋଟେ ଲୋକ ତାଙ୍କ ଦ୍ୱାରା ବସା ଯାଇଥିବା ଠକାମିର ଯନ୍ତ୍ରାରେ ପଡିବାକୁ ଆସୁଛି କିନ୍ତୁ ଅଳ୍ପରେ ଖସି ଯାଉଛି l ତେଣୁ ସେମାନେ ସମସ୍ତ କଳବଳକୌଶଳ ଲଗାଇଦେଇ କେମିତି ସେଇ ଯନ୍ତ୍ରାରେ ମୋତେ ନେଇ ପକାଇବେ ସେଥିରୁ ବିରତ ହେଉନଥାନ୍ତି l ଠିକ୍ ସକାଳ ୮ ଟାରେ ମୋ ପାଖକୁ ଫୋନ୍ ଆସିଗଲା l ୧୦ ପରେ ବ୍ୟାଙ୍କ ଖୋଲୋଲେ ମୁଁ ଡିପୋଜିଟ୍ କରିବାକୁ ଯିବାକୁ କହି ଫୋନ୍ କାଟିଲି l 

ଏ ଭିତରେ ଗୁଗୁଲିରେ ଖୋଜି ସେଇ ବ୍ଯାଙ୍କ ଆକାଉଣ୍ଟଟା କେଉଁଠିକାର ଜାଣି ନେଇଥାଏ l ତାହା ହେଉଛି ପଶ୍ଚିମବଙ୍ଗ ହାଉଡା ଜିଲ୍ଲା ସନ୍ଟ୍ରାଗାଛିର ରାମରାଜତାଲା ଷ୍ଟେଟବ୍ୟାଙ୍କ ଶାଖା l ପାଖା ପାଖି ତିନିଦିନ ଭିତରେ ସେଇ ଠକମାନେ ମୋତେ ବହୁତ ଥର ଫୋନ୍ କରିଛନ୍ତି l ଶେଷକୁ ବ୍ୟତିବ୍ୟସ୍ତ ହୋଇ ମୁଁ ସ୍ଥର କଲି ଏଇ ଖେଳ ଶେଷ କରିଦେବା ଉଚିତ୍ l 

ସେ ଝିଅଟି ଫୋନ୍ ଲଗାଇ କହିଲା, ଏ ଯାଏ ଡିପୋଜିଟ୍ କଲେନି, ଆମେ କେମିତି ସାହାର୍ଯ୍ୟ କରିବୁ ?

ମୁଁ କହିଲି, ଅପଣ ଏଇସବୁ କାମ କେଉଁଠି କରାଉଛନ୍ତି ?

ସେ - ବାଙ୍ଗାଲୋରରେ କମ୍ପ୍ୟୁଟରରେ ମାର୍କ ଚଢୁଛି l ଏଇଠୁ ହିଁ ସବୁ କାମ କରାଯାଏ l 

ମୁଁ - ଆଛା ତାହେଲେ ଆପଣ ସେଇ ବାଙ୍ଗାଲୋରରୁ କହୁଛନ୍ତି l ସେ ବ୍ୟାଙ୍କ ଆକାଉଣ୍ଟ ନମ୍ୱର କେଉଁଠିକାର ?  

ସେ ପୁରା କନ୍ଫିଡେଣ୍ଟଲି କହିଲା, ଏଇ ବାଙ୍ଗାଲୋର ଷ୍ଟେଟବ୍ୟାଙ୍କର l 

ମୁଁ ଏଥର କଡା ଭାବରେ କହିଲି, କିନ୍ତୁ ଏଠି True Caller ରେ ଦେଖାଉଛି ଆପଣ ବିହାରରୁ କହୁଛନ୍ତି ଆଉ ସେଇ ବ୍ୟାଙ୍କ ଆକାଉଣ୍ଟ ହେଉଛି ପଶ୍ଚିମବଙ୍ଗର l 

ବାସ୍ ଏତିକି କଥା କାଫି ଥିଲା ତା ପାଇଁ l ସେଇ ଠକ ମାନଙ୍କ ପାଇଁ l ଗେଟେ ସେକେଣ୍ତରେ ଫୋନ୍ ଲାଇନ୍ କଟିଗଲା l ତାପରେ ଆଉ ଏଯାଏଁ ମୋ ପାଖକୁ କୌଣସି କଲ୍ ଆସିନି l


Rate this content
Log in

Similar oriya story from Crime