ଅନଲାଇନ ଆସର
ଅନଲାଇନ ଆସର
ଅନୁଭବ ଗୋଟିଏ ଛୋଟିଆ ମୋଟିଆ ଲେଖିକ।ଅଫିସ ଓ ଘର ଜଞ୍ଜାଳରୁ ଯେବେ ଟିକିଏ ଫୁରସତ ପାଆନ୍ତି କାଗଜ କଲମ ଧରି ବସିପଡନ୍ତି।ଯାହା ଇଚ୍ଛା ହୁଏ ଲେଖିପକାନ୍ତି।ତାଙ୍କ ଲେଖାର ସେ ହିଁ ଏକମାତ୍ର ପାଠକ ଥିଲା।ବେଳେ ବେଳେ ସ୍ତ୍ରୀଙ୍କୁ ଲେଖା ଶୁଣାନ୍ତି।ହେଲେ ଇଏ ଯେତିକି ଆଗ୍ରହର ସହିତ ଶୁଣାନ୍ତି ସେ ସେତିକି ଆଗ୍ରହର ସହିତ ଶୁଣିଲା ପରି ମନେ ହୁଏନି ।
ସେ ଯାହା ହଉ ଥରେ ତାଙ୍କର ଜଣେ ଅତିପରିଚିତ ବନ୍ଧୁଙ୍କ ସହ ସକାଳବୁଲା ସମୟରେ ଦେଖାହେଇଗଲା।ସେ ବନ୍ଧୁ ଜଣକ ବିଦେଶରେ ରହୁଥିଲେ।ଏଇ କିଛି ଦିନ ହେବ ସହରକୁ ଆସିଥିଲେ।ସେ ହି ଲେଖାଲେଖି କରନ୍ତି।ତେଣୁ ଗପୁଗପୁ ଅନୁଭବ ତାଙ୍କୁ ନିଜ ଲେଖା ବିଷୟରେ କହିଲେ।ସେ କହିଲେ ଭାରୀ ବଢିଆ କଥା ତ।ତାହେଲେ ତୁମେ ଥରେ ଆମ ଅନଲାଇନ ସାହିତ୍ଯ ଆସରକୁ ଆସୁନ।ତୁମେ ଯଦି କହିବ ମୁଁ ତୁମକୁ ଆସରର ଲିଙ୍କଟା ପଠେଇ ଦେବି।ହଁ ମାରିଲେ ଅନୁଭବ।
ଦିନେ ରବିବାର ଥାଏ।ସକାଳୁ ସକାଳୁ ସେ ବନ୍ଧୁ ଅନୁଭବଙ୍କୁ ସଂଧ୍ଯାରେ ଥିବା ଗୋଟିଏ ଆସରର ଲିଙ୍କ ପଠେଇଲେ।ଅନୁଭବଙ୍କୁ ଟିକିଏ ଅଡୁଆ ଅଡୁଆ ଲାଗୁଥାଏ।କେମିତି କହିବେ?ସମସ୍ତେ କଣ କହିବେ ଶୁଣିକି ଇତ୍ଯାଦି ଇତ୍ଯାଦି....
ସଂଧ୍ଯା ୬ଟାରେ ଆସର ଆରମ୍ଭ ହେଲା।ଅନୁଭବ ଅନଲାଇନ ଆସରରେ ଯୋଗ ଦେଲେ।ସେଠି ଅନେକ ବରିଷ୍ଠ ଲେଖକ ଲେଖିକା ମାନେ ଅତିଥି ଭାବେ ନିମନ୍ତ୍ରିତ ହେଇଥିଲେ।ପ୍ରଥମ ବିଭାଗରେ ସେମାନେ ସାହିତ୍ଯ ଉପରେ ଏକ ଆଲୋଚନା ଚକ୍ର କଲେ।ତାପରେ ୭ଟାରୁ କବିତା ପଢା ଆରମ୍ଭ ହେଲା।ଜଣ ଜଣ କରି ସମସ୍ତେ ବହୁତ ସୁନ୍ଦର ସୁନ୍ଦର କବିତା ମାନ ପଢିଲେ।ଅନୁଭବ ସେଗୁଡିକୁ ଧ୍ଯାନ ସହକାରେ ଶୁଣୁଥାଆନ୍ତି।ତାଙ୍କର ଯେତେବେଳେ ପାଳି ଆସିଲା।ସେତେବେଳେ ସେ କିନ୍ତୁ ଟିକିଏ ନର୍ଭସ ହେଇଗଲେ।ତଥାପି ମା ସରସ୍ବତୀଙ୍କ ନାମ ନେଇକି ଏକ ନିଃଶ୍ବାସରେ ପୁରା କବିତାଟା ପଢି ଦେଇଗଲେ।
କରତାଳିରେ ପୁରିଉଠିଲା ଆସର।ସେପଟୁ ତାଙ୍କ ସ୍ତ୍ରୀ ମଧ୍ଯ ତାଳି ପିଟି ପିଟି ରୁମ ପଶୁପଶୁ କହିଲେ-ତୁମେ ଏତେ ସୁନ୍ଦର ଲେଖ ବୋଲି ଆଜି ଜାଣିଲି।ସତରେ ବଢିଆ କବିତାଟେ ହେଇଥିଲା।ବାସ୍ ଅନୁଭବଙ୍କୁ ନୋବେଲ ପ୍ରାଇଜ ପାଇଲା ପରି ଲାଗିଲା।ତା ପରଠୁ ଆଉ ସେ ପଛକୁ ଫେରି ଚାହିଁ ନାହାନ୍ତି।କବିତା,କବିତା ରୁ ଗଳ୍ପ,ଗଳ୍ପ ରୁ ଉପନ୍ଯାସ।ଏମିତି କେତେ କଣ ସେ ଲେଖି ଚାଲିଲେ।
ଆଜି ବୟସର ଅପରାହ୍ନରେ ବାଲକୋନିରେ ବସି ନିଜର ଲେଖା ଉପନ୍ଯାସ ଉନ୍ମୋଚନର ଖବରଟା ପେପରରେ ବାହାରି ଥିବାର ଖବରଟା ପଢୁ ପଢୁ ଟିକିଏ ଅତୀତର ସ୍ମୃତିରେ ହଜିଯାଇଥିଲେ ସେ।
ବୋହୁ ଚା କପଟା ଥୋଇ ଦେଉ ଦେଉ କହିଲା -ବାପା ଆପଣଙ୍କର ଅନଲାଇନ ସାହିତ୍ଯ ଆସରରେ ଆଜି ନିମନ୍ତ୍ରଣ ଅଛି ପରା।ଆସନ୍ତୁ ମୁଁ କମ୍ପ୍ଯୁଟର ଅନ କରିଦେଇଛି।
ହରବର ହେଇ ଉଠି ଅନୁଭବ ଚାଲିଲେ କମ୍ପ୍ଯୁଟର ରୁମ ଆଡକୁ।
