Win cash rewards worth Rs.45,000. Participate in "A Writing Contest with a TWIST".
Win cash rewards worth Rs.45,000. Participate in "A Writing Contest with a TWIST".

Satyabati Swain

Inspirational


4  

Satyabati Swain

Inspirational


ଅନ୍ଧ ବିଶ୍ବାସ

ଅନ୍ଧ ବିଶ୍ବାସ

5 mins 171 5 mins 171


ରିଙ୍କିର ବାହାଘର।

ମୋ ଅମୁ ଭାଇ ଝିଅ ରିଙ୍କି।ଆମେ ପିୟୁସି ଝିଆରୀ କମ୍ ବାନ୍ଧବୀ ବେଶୀ।

ଶାଶୁ ଓ ଶଶୁର ରାଜି ହେଉ ନଥିଲେ ମୋତେ ଗାଁ କୁ ଛାଡିବାକୁ

ମା ବାପା ବି ସେଇ ଏକା କଥା କହୁଥିଲେ। କୋଳ ଛୁଆଟିକୁ ଆଣି ଏତେ ବାଟ ଆଣି ଆସେ ନାହିଁ।କାଳେ କିଛି ଅସୁବିଧା ହେବ।ପିଲା ବଡ଼ ହୋଇଯାଉ ଆସିବୁ।

ଏଇ ମା ବାପା ଝିଅ ବାହା ଦେଲା ପରେ ଏତେ ଡରନ୍ତି କାହିଁକି ଯେ ! ସେମାନେ କଣ ଛୁଆ ପାଳି ନାହାନ୍ତି ନା ଏବେ ସେମାନଙ୍କ ଘରେ ଛୁଆ ନାହାନ୍ତି! ମୋ ସାନ ଭାଉଜର ପରା ସାତ ମାସର ଝିଅ!! ନିଜ ଝିଅ ଛୁଆ ପାଇଁ ଏତେ କଣ ଭୟ !

ବାଙ୍ଗାଲୋରରୁ ଏତେ ବାଟ ପଡ଼ି ଉଠି ଛୁଆଟିକୁ ନେଇକି କାଇଁକି ଆସିବୁ ଲୋ ନିକି !

କଣ ଯେ ମା ! ତୁ ବି ମନା କରୁଛୁ ଯିବାକୁ। ସେଇ ବାହା ହୋଇ ଚାରି ବର୍ଷ ହେଲା ଆସିଛି ଯେ ଗାଁ ,ଘର କି ତୁମ ମାନଙ୍କ ମୁହଁ ଦେଖିନି।ଫୋନ୍ ରେ କଣ ତୁମକୁ ଛୁଇଁହୁଏ? ସୁଯୋଗଟିଏ ଜୁଟିଛି ଯିବାକୁ।ତୁମେ ମନା କଲେ ଶାଶୁ ଶଶୁରଙ୍କୁ ମଉକା ମିଳିଯିବ।ସେମାନେ କଣ ମୋତେ ଆଉ ଛାଡିବେ? ତୁ ମନା କରନା ମା।ମୁଁ ଦି ଦିନ ପାଇଁ ଯିବି ଓ ଆସିବି।

ମା ! ଆମ ରିଙ୍କି ବାହାଘର ମୁଁ କେମିତି ଯିବିନି କହିଲୁ?ସେ କେତେ ମନ ଦୁଃଖ କରିବ ! ଆଉ ମୁଁ କଣ ତା ବାହା ଘର ମଜା ଅନ୍ୟ ଦିନେ ନେଇ ପାରିବି ? ହୁଁ ହୁଁ ମୁଁ ଯିବି ମା।ତୁ ମୋ ଶାଶୁ ମା ଙ୍କୁ ବୁଝା।

ସମସ୍ତଙ୍କ ବାରଣ ସତ୍ତ୍ୱେ ମୋ ମିଷ୍ଟର ଶଶାଙ୍କ ବୁଝା ବୁଝି କରିବାରୁ ଆମେ ଦୁହେଁ ଓଡିଶା ଆମ ଗାଁ କୁ ଆସିଲୁ।

ପୃଥୀ ମୋ ପୁଅକୁ ଚାରି ମାସ ହୋଇଥାଏ।ତାକୁ ଗାଁ ରେ ସମସ୍ତେ ଦେଖି ଭାରି ଖୁସି।ଲୋକେ କୁହା କୁହି ହେଉଥିଲେ ସ୍ବାଇଁ ଘର ନିକି ଚାରି ମାସର ପୁଅ ଆଣି ଆସିଛି ଯେମିତି ବର୍ଷକର ଛୁଆ। ଯାହା ହେଲେ ବି ସହର ଛୁଆ ଓ ଗାଁ ଛୁଆ ଛାଡିବେ ନା।ନକଳିଆ ଆଈ ଜଣେ କହିଲେ ,ହଇଲୋ ନିକି ତୋ ନକ ନକିଆ କଣି ଚେହେରାକୁ ଏମିତି ଉଦିଆଚାନ୍ଦ ଭଳିଆ ରତ୍ନ ଟିଏ କେମିତି କଲୁ ବା ।

ଥୁ ଥୁ ଥୁ ତିନି ଲଣ୍ଡା ଛେପ ପକାଇ ମୋ ମା କହିଲା ଝରି ବବୋଉ ତୁମର ଯେଉଁ ଡାହାଣା କଥା ନା।ମୋ ସରଗ ଚାନ୍ଦ ନାତିକୁ ଆଖି ଦେଉଛ?

ଆଲୋ ଅମୁ ମା। ମୁଁ କାଇଁ ଆଖି ଦେବି।ମୋ ଆଖି ଫୁଟି ଯାଉ।କଲ୍ୟାଣ କରୁଛି ଦୀର୍ଘାୟୁ ହୋଇ କୋଟିଏରେ ଗୋଟିଏ ହେଉ ତୋ ନାତି ପୃଥିବୀ।

ହଇଲୋ ନିକି ଏ ପୃଥିବୀ ଗୋଟେ କି ନାଁ ବା?

ସମସ୍ତେ ଆଈ କଥାରେ ହୋ ହୋ ହୋଇ ହସି ଉଠିଲେ।

ଆଈ ଫୁସ୍ ଫୁସ୍ କରି କହିଲେ , ବୁଝିଲୁ ନିକି ତୋ ମା ଠିକ୍ କହୁଛି।କିଛି ମଣିଷଙ୍କ ଦୃଷ୍ଟି ଭାରି ଖରାପ।ଡାହାଣୀ ଗୁଡା।କୁଲୁ ବୁଲିଆ ହୋଇଛି ଆମ ପୃଥୀ।ତାକୁ ଦାଣ୍ଡ ମୁଣ୍ଡକୁ ନେବୁ ନାହିଁ।ସେଇ ବଣିଆ ଘର ବନା ମା ରେବ ଟା କଞ୍ଚା ଡାହାଣୀ।ତା ଦୃଷ୍ଟି ଟା ଭାରି ଖରାପ।ଯାହା ଉପରେ"ଦୃଷ୍ଟି" ପକେଇବ ତାକୁ ନାକେଦମ୍ କରିଦେବ।ବଡ଼ ବଡ଼ ଲୋକେ ବା ତା ଦୃଷ୍ଟି ରୁ ବାଦ୍ ଯାଉ ନାହାଁନ୍ତି।ନୂଆ ବାହା ହୋଇ ଆସିଥିବା ବୋହୁ ଗୁଡାଙ୍କୁ ଲାଗୁଛି।ଦି ଟା ଦିନ ପାଇଁ ଆସିଛୁ ଟିକେ ହୁସିଆର ଥିବୁ।

ଧେତ୍ !ଆଈ ଯୁଗ ଯାଇ କେଉଁଠି ପହଂଚିଲାଣି।ଏମିତି ଅନ୍ଧ ବିଶ୍ୱାସ କୁ ଧରି ବଇଚ ?ଡାହାଣୀ ଫାଆଣି କେବଳ ମନର ଭ୍ରମ।

ଏଇ ତ ଆଉ।ତୁମେ ପାଠ ଦି ଅକ୍ଷର କଣ ପଡିଛ ବୋଲି ସବୁ କଥାକୁ ଫସ୍ ମଲି କରିଦେବ।

ରେବ ଟା ପରା ସୁଦୁ କଞ୍ଚା ଡାହାଣି ଟା। ରାତିରେ ଦଣ୍ଡାକୁ ଘୁଆ ଚରିବାକୁ ଯାଏ।ଲଂଗଳା ହୋଇ ଉପରକୁ ଗୋଡ଼ ଟେକି ଘୁଆ ଖାଏ।

ତୁ ଗଲୁ ଆଈ।ଏ ଗୁଡା ସବୁ ମନ ଗଢଣ କଥା।

ହେଉ ଲୋ ମା ତୁ ନ ମାନେ।ପାଇବୁ ଯେ ପାନେ କହି ଆଈ ଚାଲିଗଲେ।

ବାହାଘର ଦିନ।ଚାରି ଆଡ଼େ ଘୋ ଘୋ।ବାଜା ରୋଷ ଣୀ।ଭୋଜି ଭାତ।ଖୁସିର ମାହୋଲ।ଗାଁ ଲୋକେ ଓ ନିମନ୍ତ୍ରୀତ ଅତିଥିଙ୍କ ଖିଆ ପିଆ ଚାଲିଛି।ଗାଁ ଭୋଜି ସହରିଆଙ୍କ ଭୋଜି ପରି ହିସାବ ନିକାସ କରେନି।ଯିଏ ଯେତେ ଖାଉ, ନେଉ ମନା ନାହିଁ କି ନିଅଣ୍ଟ ହେବାର ପ୍ରଶ୍ନ ନାହିଁ।ଯିଏ ଖାଇ ସାରିଲା ତା ଘର ପାଇଁ ପାର୍ସଲ ବି ନେବାର ବନ୍ଦୋବସ୍ତ ଥାଏ।

ହଁ ଏବେ ଟିକେ ଖିଆ ସହ ପିଆ ଟା ଗୋଟେ ଫ୍ୟାଶନ ହୋଇ ଯିବାରୁ ଗାଁ ବିବାହ ଭୋଜିର ଆନନ୍ଦରେ ବିଭ୍ରାଟ ସୃଷ୍ଟି ହେଉଛି।ଉପରୁ ପାଇ କିଛି ଲୋକ ଟାଙ୍କି ଲୋଡ଼ ସିନା କରି ଦେଉଛନ୍ତି, ସମ୍ଭାଳିଲେ ତ ହେବ।କିଏ ବାନ୍ତି କରୁଛି ତ କିଏ ଗାଳି ମନ୍ଦ କରି ମରା ମାରି ହୁଅନ୍ତି।କିନ୍ତୁ ଅମୁ ଭାଇ ପୁରା ରାଢ।ରୋକ୍ ଠୋକ୍ ମୋ ସାନ ଦୁଇ ଭାଇଙ୍କୁ ମନା କରି ଦେଇଛନ୍ତି ପିଆ ପିଇ ବ୍ୟବସ୍ଥା ରଖିବ ନାହିଁ।ଏଣୁ ଆମ ଭୋଜିରେ ବିଶୃଙ୍ଖଳା ନାହିଁ।

ବର ଆସି ଗାଁ ମୁଣ୍ଡରେ ହୋଇ ଗଲାଣି।ବାଟ ବରଣୀ କରିବାକୁ ଭାଇ ଓ ମାମୁଁ ସହ ଅନ୍ୟ ମାନେ ବି ଗଲେ।

ଥିଲା ଥିଲା ଅଭିର କଣ ହେଲା କେଜାଣି ଖାଲି ରାହା କାନ୍ଦିଲା।ବ୍ୟସ୍ତ ହୋଇ ପଡିଲେ ସମସ୍ତେ।ଯେତେ ଯାହା କଲେ ବି କାନ୍ଦ ବନ୍ଦ ହେଲାଣି।

ମା ବର୍ଷିଲା ମୋ ଉପରେ।ରାତି ଅଧ।ଗାଁ ଟା।କାହାକୁ ନେଇ ଦେଖେଉବୁ।କଣ ହେଉଛି ଛୁଆଟାର।କାନ୍ଦି କାନ୍ଦି ନାହାରା ହୋଇ ଗଲାଣି।ମନା କରୁଛି ସଜ ବାଜ କରି ବୁଲେଇଲୁ।କାହା ଦୃଷ୍ଟି ନିଶ୍ଚୟ ପଡିଛି।ଶଶାଙ୍କ ବି ଅଭିର ନାହାରା ଅବସ୍ଥା ଦେଖି ବିଚଳିତ ହୋଇ ପଡିଲେ।ଅଭି କେବେ କାନ୍ଦେନି।ସବୁ ବେଳେ ଗୋଡ଼ ହାତ ବାଡେଇ ଖେଳୁଥିବ।ଏବେ ଟିକେ ମୁହଁ ଚାହିଁ ହସିଲାଣି।ହୁଁ ହାଁ କରୁଛି।ତା କାନ୍ଦ ଦେଖି ମୋତେ ବି କାନ୍ଦ ଲାଗିଲା।

ଝରି ଆଈଙ୍କୁ ଡକା ପଡିଲା।ପିଲାଙ୍କ ଭଲ ମନ୍ଦ ଦେଖି କହି ପାରନ୍ତି ସେ।ସଜନା ପତ୍ର ଆଣି ଅଭି ଦେହ ସାରା ବୁଲେଇ ବାହାରେ ପକେଇଲେ ଆଈ।ତଥାପି କାନ୍ଦ ବନ୍ଦ ହେଉ ନଥାଏ।ଶେଷରେ ଶଶାଙ୍କଙ୍କୁ ସାଙ୍ଗରେ ଧରି ଅଜୁ ଭାଇ ଆମ ଗାଁ ପାଖ ହସ୍ପିଟାଲ ଡ଼ାକ୍ତର ଙ୍କୁ ଆଣିବାକୁ ଗଲେ।

ତେଣେ ବର ଓ ବର ଯାତ୍ରୀ ଆସିବାକୁ ଏଣେ ଅଭିର ଏ ଅବସ୍ଥା। ସମସ୍ତେ ବ୍ୟସ୍ତ ହେଉଥାନ୍ତି।ମୋ ଉପରେ ସଭିଙ୍କ ରାଗ ପଡୁଥାଏ ।ଆଈ ଜଣକ କହିଲେ ମୁଁ କଣ କହୁଥିଲି ଦୃଷ୍ଟି ପଡିଛି ନିଶ୍ଚେ।ସେ ରେବ ପରା ଖାଇବାକୁ ଆସିଥିଲା।କେଉଁ ଖଞ୍ଜରେ ଦୃଷ୍ଟି ପକେଇ ଦେଉ ଯାଇଛି।ମୋ କଥା ତୋ ପଢା ମଗଜରେ ହସରେ ଉଡେଇ ଦେଉଥିଲୁ ପରା।ଏବେ ଦେଖ୍ କଣ ହେଲା।

ମୁଁ ବେଶୀ ଯୁକ୍ତି କରିବାକୁ ଚାହୁଁ ନଥିଲି।ପିଲାଟି ମୋର ବେଳୁ ବେଳ ନିସ୍ତେଜ ହୋଇ ପଡୁଥାଏ।ମେ ମାସ ଅସହ୍ୟ ଗରମ।ଅଧ ଘଣ୍ଟାଏ ହେଲା କାନ୍ଦୁଛି।ଘରେ କୁଣିଆ ମୈତ୍ର ଭର୍ତ୍ତୀ।ଚାରି ଆଡ଼େ ଆଲୁଅ । ସେଇ ପାଇଁ ଅଭି ସେମିତି ହେଉଛି କି? ଏସି ପୁଣି ଏକା ଚଳିବା ଅଭ୍ୟାସ ତାର।ଏତେ ଆଲୁଅ କୁ ଘୋ ଘୋ।ତା ଉପରେ ମାତ୍ରାଧିକ ଗରମ।ଏଣୁ ତାକୁ ଟିକେ ଛାତକୁ ନେଇ ଗଲି।ମା ଖାଲି କାନ୍ଦୁଥାଏ।

ଏତିକି ବେଳେ ଭାଇ ଡାକ୍ତର ଧରି ଆସି ପହଞ୍ଚିଲେ।ଡାକ୍ତର ଅଭିକୁ ଦେଖି କହିଲେ, ପିଲାଟି ଗରମକୁ ଘୋ ଘା ସହି ପାରୁନାହିଁ।ଦେଖ ତା ଦେହ ସାରା ଗରମରୁ ଘିମିରି କେମିତି ଫଳି ଯାଇଛି।ପିଲା ଲୋକ।ଅତି ଅୟସ ପରିବେଶରେ ବଢିଛି।ଏ ପରିବେଶରେ ଖାପ୍ ଖୁଆଇ ପାରୁନାହିଁ।ଗୋଟେ ପାଉଡର ତା ଦେହରେ ସ୍ପ୍ରେ କରିବାକୁ ଦେଲେ।ଦେହ ସାରା ବୋଲି ପିଲାଟିକୁ

ଏ ଘୋ ଘା ରୁ ଦୁରେଇ ଲାଇଟି ବନ୍ଦ କରି ଆସ୍ତେ ଆସ୍ତେ ଥାପୁଡାଇ ଦିଅନ୍ତୁ ସେ ଶୋଇ ପଡିବ।ମା କ୍ଷୀର ସହ ସିଝା ପାଣି ମଝିରେ ମଝିରେ ଦିଅନ୍ତୁ।

ବାହା ଘର ମଜା ଲୁଟିବା ମୋର ବହୁତ ହୋଇଗଲା। ବଡ଼ ବାପାଙ୍କ ଛାତ ଘରେ ନେଇ ଅଭି ଡ୍ରେସ୍ ବଦାଳି ପାଉଡର ଟି ସ୍ପ୍ରେ କଲି। ଛାତିରେ ଗୁଞ୍ଜି ଥାପୁଡି ଦେବାରୁ ସତକୁ ସତ ଆରାମରେ ଶୋଇ ପଡ଼ିଲା।ପିଲାମାନଙ୍କର ବିଶେଷ କରି ଏକୁଟିଆ ରହୁଥିବା ପିଲାମାନଙ୍କର ଶବ୍ଦ,ଆଲୁଅ ପ୍ରତି ଏତେ ଆଲର୍ଜି ମୁଁ ପ୍ରଥମ ବାର ଅନୁଭବ କଲି।ପୁଣି ଅତି ଛୁଆ ବେଳେ ପରିବେଶ ଚେଞ୍ଜ କଲେ ବି ପିଲାଙ୍କ ଉପରେ ପ୍ରଭାବ ପକାଏ ! ଏତକ ମୋତେ ଆଶ୍ଚର୍ଯ୍ୟ କଲା।ଆମେ ମା ଯୁଆଡେ ଗଲା ତା ସାଙ୍ଗରେ ଯାଇ କେତେ ମଜା ନେଉଥିଲୁ।

ହେଲେ ଆଜିକା ପିଲା ଙ୍କର କିଛି ସହିବା ଶକ୍ତି ନାହିଁ!!

ଶାଶୁ ଶଶୁର ଓ ମା କାହିଁକି ବାହା ଘରକୁ ଆସିବାକୁ ବାରଣ କରୁଥିଲେ ତା ବି ବୁଝି ଗଲି।

ଅଭିକୁ ବଡ଼ ବୋଉ ଜିମା ଦେଇ ରିଙ୍କି ବିଦା ହେଲା ବେଳକୁ ଗଲି। ଯାହା ଦିନେ ଅଧେ ରହିଥାନ୍ତି ଆଉ ମା ରଖେଇ ଦେଲାନି। ଅଭି ଦେହ ପୁରା ଘମିରିରେ ନାଲି ପଡି ଯାଇଥିଲା।ତୁ ଶୀଘ୍ର ମୋ ନାତିକୁ ନେଇ ଗଲୁ କହି ଖାଲି ତଡିଲା।

ବାହାଘର ସରୁ ସରୁ ରିଙ୍କି ପରେ ମୁଁ ବି ବିଦା ହେଲି।ସମସ୍ତେ କାନ୍ଦୁଥିଲେ।ଝରି ଆଈ କାନ୍ଦି କାନ୍ଦି କହିଲେ " ଏ ସୁସ୍ଥିଆ ନାତି ଟୋକାଟା ମୋ ନାତୁଣୀକୁ ଦିନେ ରଖାଇ ଦେଲାନି।ଆସିଲା ଓ ଗଲା। ମୁଁ ସମସ୍ତଙ୍କୁ ପ୍ରଣାମ ହୋଇ କହିଲି ହଁ ଆଈ ଅଭି ବଡ଼ ନ ହେବା ଯାଏ ଆଉ ଆସିବି ନାହିଁ। କିନ୍ତୁ ଗୋଟେ କଥା ଆଈ।ଦୃଷ୍ଟି କି ପୃଷ୍ଟି କିଛି ନାହିଁ, ଏସବୁ "ଅନ୍ଧ ବିଶ୍ବାସ" ।


Rate this content
Log in

More oriya story from Satyabati Swain

Similar oriya story from Inspirational