ଅମରପ୍ରେମ
ଅମରପ୍ରେମ
ପ୍ରେମ ଏକ ପବିତ୍ର ଶବ୍ଦ ଓ ସର୍ବଦା ଶାଶ୍ୱତ,ଯାହାର ସ୍ଥିତି ଦ୍ୱାପର ଯୁଗରେ ରାଧା କୃଷ୍ଣଙ୍କ ମଧ୍ୟରେ ହେଉ ବା ତ୍ରେତୟା ଯୁଗରେ ରାମ ସୀତାଙ୍କ ମଧ୍ୟରେ ହେଉ କିମ୍ବା କଳିଯୁଗର ମୋଗଲ ସାମ୍ରାଜ୍ୟରେ ଶାହାଜନ୍ ଓ ମମତାଜ୍ ଙ୍କ ମଧ୍ୟରେ ସବୁଠାରେ ବିଦ୍ୟମାନ । ପୂର୍ବରୁ ପ୍ରେମର ସଜ୍ଞା ବର୍ଣ୍ଣନା କରିବାକୁ ଯାଇ ନାନାଦି ପରୀ କାହାଣୀ,ରାଜାରାଣୀ କାହାଣୀ ରଚ଼ନା ହୋଇସାରିଅଛି ପରନ୍ତୁ ଆଜିର ଏହି ଘଟଣାଟି ଅବାସ୍ତବ ଦୁନିଆର ପରିକଳ୍ପିତ କାହାଣୀ ହେଲେ ମଧ୍ୟ ବାସ୍ତବିକ ଜୀବନର ବହୁ କ୍ଷେତ୍ରରେ ଏହା ପ୍ରତିଫଳିତ ହୋଇଛି । ସେହିପରି ଏକ ପ୍ରକୃତ ସ୍ନେହ,ପ୍ରେମ ଓ ଭଲପାଇବାର କିପରି ଅନ୍ତ ନଥାଏ ତାହା ନିମ୍ନ ଗଳ୍ପରେ ବର୍ଣ୍ଣିତ ହୋଇଛି ।
ସେଦିନ ଥିଲା ରବିବାର ରାତି ପ୍ରାୟ ୧୧.୩୦ ହେବ ମେଘାଳୟ ର 'ମାଳିଧର' ଠାରେ ଥିବା ଏକ INOX ସିନେମା ଥିଏଟର ରୁ ନାଇଟ ଶୋ ରେ ଏକ ହିନ୍ଦୀ ସିନେମା ଦେଖି ଶିଲଂ ଠାରେ ଥିବା ଘରକୁ ଫେରୁଥାଏ । ସପ୍ତାହକର ଛଅ ଦିନର କାର୍ଯ୍ୟବ୍ୟସ୍ତତା ପରେ ରବିବାର ଥାଏ ସାଙ୍ଗସାଥୀମାନଙ୍କ ସହ ସହିତ ମିଶି ମଜ୍ଜାମସ୍ତି କରିବାର ଦିନ । ବେଶ୍ ଖୁସି ମନରେ ବାଇକ୍ ଚଲାଇ ରାସ୍ତାରେ ଖୋଜୁଥାଏ ଏକ ଭଲ ଭୋଜନାଳୟ ଟିଏ,ଏକୁଟିଆ ଅବିବାହିତ ପୁରୁଷ ପକ୍ଷରେ ରୋଷେଇ କରିବା ସବୁଠାରୁ କଷ୍ଟ,ହେଲେ ମାଘ ମାସର ପ୍ରଚଣ୍ଡ ଶୀତ ରାତିରେ ପ୍ରାୟ ଅଧିକାଂଶ ଦୋକାନ ବନ୍ଦ ହୋଇସାରିଥାଏ । ବହୁତ କଷ୍ଟରେ ଏକ ଢା଼ବାରେ ରାତ୍ରି ଭୋଜନ ସାରି ଘରକୁ ଫେରୁଥାଏ । ରାସ୍ତାସାରା କୁହୁଡି ଓ ଅନ୍ଧକାର ରାତିର ସେହି ଅନ୍ଧକାରକୁ ଭଙ୍ଗ କରି ଯେତିକି ବାଟ ଦେଖାଯାଉଥାଏ ସେତିକି ବାଟ ଯାଉଥାଏ । ବେଳେବେଳେ ବଡ଼ ବଡ଼ ବାଲି ଗୋଡି଼ ବୋଝେଇ ଟ୍ରକ ରାତ୍ରିର ନୀରବତାକୁ ଭଙ୍ଗ କରି ଦ୍ରୁତ ଗତିରେ ମାଡି଼ ଯାଉଥାଏ ,ଏହା ପରେ ସବୁକିଛି ଶୁନ୍ ଶାନ୍ ହୋଇଯାଏ । ସେହିପରି କିଛି ବାଟ ଆସିଲା ପରେ ହଠାତ୍ ବାଜିଉଠିଲା ମୋର ମୋବାଇଲ ଫୋନ ବାଇକ୍ କୁ Parking କରି ଦେଖିଲି ଏକ ଅଜଣା ନମ୍ବରର କଲ ଏବଂ ରିସିଭ କରି କହିଲି " ହ୍ୟାଲୋ " ସେପଟୁ ଶୁଭୁଥାଏ ଏକ ଯୁବତୀର ସୁମଧୁର କଣ୍ଠସ୍ୱର " ଆପଣ ସୋମେଶ ପଟ୍ଟନାୟକ କହୁଚନ୍ତି ତ ?"
ଏ ପଟୁ ମୁଁ, “ହଁ” କହିବା ମାତ୍ରେ ସେ ପଟୁ ଶୁଭାଗଲା, " ମୁଁ ଅନନ୍ୟା କହୁଛି ତୁମ ସାଙ୍ଗ ଚିହ୍ନି ପାରିଲ ? "
ଚିହ୍ନା ଅଚିହ୍ନା ର ସେହି ଦ୍ୱନ୍ଦ ଭିତରେ ମୁଁ, “ନାଁ” କହିବା ମାତ୍ରେ ସେପଟୁ ଶୁଭାଗଲା, " କ'ଣ ଚିହ୍ନି ପାରୁନ ମ , ଆଖିରୁ ଦୂରେଇ ଗଲି ବୋଲି କଣ ମନରୁ ବି ତୁମର ଦୂରେଇ ଗଲି । ମୁଁ ଅନନ୍ୟା ସାମନ୍ତରାୟ କହୁଛି ଯିଏ ତୁମ ସହ ସ୍ନାତକତ୍ତୋରର ସହପାଠୀ ଥିଲା । ଆମେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । କେତେ ସାଙ୍ଗସାଥୀ,ମଜା,ମସ୍ତି କଣ ସବୁ ଭୁଲିଗଲ ? ”
ଏବେ ମୁଁ ବେଶ୍ ଭଲ ଭାବରେ ଚିହ୍ନି ପାରିଲି ଯେ ବର୍ଷକ ତଳେ ସ୍ନାତକତ୍ତୋର ଡ଼ିଗ୍ରୀ ହାସଲ କରିବା ସମୟରେ ଅନନ୍ୟା ସାମନ୍ତରାୟ ଉତ୍କଳ ବିଶ୍ୱବିଦ୍ୟାଳୟ ରେ ମୋର ସହପାଠୀ ଥିଲେ ଓ ଦେଖିବାକୁ ଖୁବ୍ ସୁନ୍ଦରୀ ମଧ୍ୟ,ମୁଁ ଜଣେ ଅବିବାହିତ ପୁରୁଷ ଭାବରେ ସୁନ୍ଦରୀ,ତରୁଣୀଙ୍କ ପ୍ରତି ମୋର ଆକର୍ଷଣ ସ୍ୱାଭାବିକ । ଏହା ପରେ ମୋବାଇଲରେ କିଛି ସମୟ କଥା ହେବା ପରେ,ମୁଁ ହଠାତ୍ ଏତେ ରାତିରେ ଫୋନ କରିବାର କାରଣ ପଚାରିବାରୁ ସେ ତତ୍କ୍ଷଣାତ କହିଲେ,"HAPPY BIRTDAY ସୋମେଶ",ମୁଁ ହଠାତ୍ ହାତର ଘଣ୍ଟାକୁ ଦେଖିବା ବେଳକୁ ସମୟ ଥିଲା ରାତି ୧୨.୧, ଯାହା ମୋର ଜନ୍ମଦିନ ଅକ୍ଟୋବର ୨୯ ହୋଇ ସାରିଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇ କହିଲି,"ତୁମେ କିପରି ଜାଣିଲ ଯେ ମୋର ଜନ୍ମ ଦିନ ଅକ୍ଟୋବର ୨୯ରେ ଓ ତାହା ପୁଣି ସମ୍ପୂର୍ଣ୍ଣ ଠିକ୍ ଅବଶ୍ୟ ମୁଁ ତୁମର ଜନ୍ମ ଦିନର ତାରିଖ ଜଣେ ଏବଂ ତୁମକୁ ଉପହାର ଦିଏ କିନ୍ତୁ ତୁମେ------ "
ସେପଟୁ ସ୍ମିତହାସ୍ୟରେ ସେ ଅତି ସୁମଧୁର କଣ୍ଠରେ କହିଲେ,"ତୁମେ ମୋ କଥା ଜାଣିଛ ଅଥଚ଼ ମୁଁ କ’ଣ ତୁମ କଥା ଜାଣିପାରିବିନି । ମୋ ଜନ୍ମଦିନରେ ତୁମେ ଦେଇଥିବା ସେ ମୂଲ୍ୟବାନ୍ ଉପହାର ଆଜିବି ମୋ ପାଖରେ ଅଛି ଓ ସବୁବେଳେ । ସବୁ ସମୟରେ ତୁମ କଥା ମନେ ପକାଇ ଦେଉଛି । ତୁମ ସହ ବହୁଥର କଥା ହେବାକୁ ଚାହିଁଛି ଓ ଦେଖା କରିବାକୁ ଇଚ୍ଛା ହୋଇଛି କିନ୍ତୁ ତାହା ଏବେ ସମ୍ଭବ ନୁହେଁ।
ମୁଁ କହିଲି,"ସମ୍ଭବ ନୁହେଁ କିନ୍ତୁ କାହିଁକି ?”|ସେପଟୁ ସେ କହିଲେ,"କାହିଁକିନା ମୁଁ ଏବେ ବହୁ ଦୂରରେ କାର୍ଯ୍ୟରତ,ସମୟ ଓ ସୁଯୋଗ ମିଳିଲେ ନିଶ୍ଚୟ ଦେଖାହେବା " |
ଏତିକି କହିବା ପରେ ଆପେ ଆପେ ଫୋନ୍ ଟି କଟିଯାଇଥିଲା ମୁଁ ସାମାନ୍ୟ ଚିନ୍ତିତ ଅବସ୍ଥାରେ ଘରକୁ ଫେରିବା ପରେ ଯାହା ଦେଖିଲି ସେଥିରେ ମୋର ଚିନ୍ତା ଅଧିକ ବଢି଼ଗଲା ମୋ ଘରର କବାଟ ସମ୍ମୁଖରେ ଥିଲା ଏକ ସୁସଜ୍ଜିତ ଉପହାର ବାକ୍ସ ଓ ବାକ୍ସ ଉପରେ ଲେଖାଥିଲା,”HAPPY BIRTHDAY SOMESH, IT IS A SPECIAL GIFT FOR SPECIAL PERSON IN SPECIAL DAY “ |
ଏହାକୁ ଦେଖିବା ପରେ ମୋର ମନର ଚିନ୍ତା ଓ ବ୍ୟାକୁଳତା ଦ୍ଵିଗୁଣିତ ହୋଇଗଲା ଓ ମୁଁ ସେହି ବ୍ୟାକୁଳତାର ଅନ୍ତ କରିବାକୁ ଯାଇ ସେହି ସୁସଜ୍ଜିତ ଉପହାର ବାକ୍ସକୁ ଖୋଲିବା ଆରମ୍ଭ କଲି ଓ ବାକ୍ସ ଭିତରେ ଥିବା ଉପହାରକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲି,ତାହା ଥିଲା ଏକ ସୁନ୍ଦର କାଚ଼ର ତାଜମହଲ ଓ ତା ମଧ୍ୟରେ ଥିଲେ ଜଣେ ରାଜକୁମାର ଓ ଜଣେ ରାଜକୁମାରୀ ଯାହା ପ୍ରେମର ପରିଭାଷା ସମ୍ପର୍କରେ ସୂଚନା ଦେଉଥିଲା ଏବଂ ସେହି ଉପହାର ବାକ୍ସରେ ଥିବା ଏକ କାଗଜକୁ ଦେଖି ଜାଣିବାର ଉତ୍କଣ୍ଠା ହଟାତ୍ ବଢି଼ଗଲା ଓ ସେହି ଛୋଟ କାଗଜରେ ଲେଖାଥିଲା,"I LOVE YOU,FROM ANANYA" |
ଏହାକୁ ଦେଖିବାପରେ ମୋର ମାନସିକ ସ୍ଥିତିର ଅସ୍ଥିରତା ମତେ ବ୍ୟତିବ୍ୟସ୍ତ କରିଦେଲା ମୁଁ ବେଶ୍ ଭଲଭାବରେ ଜାଣି ପାରିଲି ଏ ଉପହାର ଓ ହାତଲେଖା ଚିଠିଥିଲା ଅନନ୍ୟାର ଓ ମୁଁ ବର୍ଷକ ତଳର ସେ ଅତୀତକୁ ସମ୍ପୂର୍ଣ୍ଣ ମନେପକାଇ ପାରିଲି, ବର୍ଷକ ତଳେ ମୁଁ ଯେଉଁ ଉପହାର ଅନନ୍ୟାକୁ ତା’ର ଜନ୍ମଦିନରେ ପ୍ରଦାନ କରିଥିଲି ଓ ସେଥିରେ ଯେଉଁ ମାଧ୍ୟମରେ I LOVE YOU ଲେଖି ତାକୁ ପ୍ରପୋଜ କରିଥିଲି ସେ ଠିକ୍ ସେହିଭଳି ଭାବରେ ମୋର ଜନ୍ମ ଦିନରେ ମୋତେ ଉପହାର ଦେଇ ପ୍ରପୋଜ କରିଛି । ମାତ୍ର ତାହା ସମ୍ଭବ କିପରି କିଛି ସମୟ ପୂର୍ବରୁ ସେ ନିଜେ ତ କହୁଥିଲା ଯେ, "ମୁଁ ବହୁ ଦୂରରେ କାର୍ଯ୍ୟରତ । ଦେଖାକରିବାକୁ ବା କଥା ହେବାକୁ ଚାହିଁଲେ ମଧ୍ୟ ସମ୍ଭବ ନୁହେଁ "
ଏହି ପରି ନାନା ପ୍ରକାରର ପ୍ରଶ୍ନ ମୋର ମନକୁ ଆନ୍ଦୋଳିତ ଓ ଅସ୍ଥିରତା ମଧ୍ୟକୁ ଟାଣିନେଲା ଖାଲି ମୁଁ ନୁହେଁ ଏହି ଘଟଣା ଯାହା ସହିତ ବି ଘଟିବ ତାହାର ମାନସିକ ସ୍ଥିତିରେ ଅସ୍ଥିରତା ସ୍ୱାଭାବିକ | କୌଣସି ବି ପାର୍ଥକ୍ୟ ନ ଥିଲା ମୁଁ ଦେଇଥିବା ଉପହାର ଓ ସେ ଦେଇଥିବା ଉପହାର ମଧ୍ୟରେ କେବଳ ଅନନ୍ୟା ସ୍ଥାନରେ ଲେଖାଥିଲା ସୋମେଶ ଏହି ପରି ବହୁ ପ୍ରଶ୍ନ ଘେରରେ ମତେ ସେ ରାତି କାଟିବାକୁ ପଡିଲା ଓ ପରଦିନ ସକାଳୁ ଏସବୁ କଥା ଯେତେବେଳେ ମୁଁ ମୋର ଏକ ସ୍ନାତକୋତ୍ତର ସହପାଠୀ ବିକ୍ରମକୁ ଫୋନ୍ ମାଧ୍ୟମରେ କହିଲି ସେ ଯାହା କହିଲା ମୋର ପାଦତଳୁ ମାଟି ଖସିଗଲା |
ସେଦିନ ଅନନ୍ୟାର ଜନ୍ମଦିନରେ ତାକୁ ଉପହାର ଦେବାପରେ ମୁଁ ଉଚ୍ଚ ଶିକ୍ଷା ଲକ୍ଷ୍ୟରେ ଓ ଚାକିରୀ ଅନ୍ୱେଷଣରେ ବାହାରକୁ ଚାଲିଯାଇଥିଲି ଓ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ନହେବା ପାଇଁ ମୁଁ ମୋର ମୋବାଇଲ ନମ୍ବର ପରିବର୍ତ୍ତନ କରିଥିଲି ଓ ସହପାଠୀ ମାନଙ୍କ ସମ୍ପର୍କରୁ ସାମହିକ ବିରତି ନେଇଥିଲି ଓ ତା’ ପରେ ଅନନ୍ୟା ସହ ଯାହା ଘଟିଲା ତାହା ଥିଲା ଅତ୍ୟନ୍ତ ଭୟଙ୍କର ଯାହା ମୁଁ ବିକ୍ରମ ର ମୁଁହ ରୁ ଶୁଣିଲି |
ବିକ୍ରମର କହିବାନୁସାରେ ସେଦିନ Birthday Celebretion ସାରି ଅନନ୍ୟା ମୋ ଉପହାରକୁ ନିଜ ଭ୍ୟାନ୍ଟି ରେ ରଖି ବହୁତ ଖୁସିରେ ନିଜ ସ୍କୁଟି ମାଧ୍ୟମରେ ଘରକୁ ଯିବା ସମୟରେ ରାସ୍ତାରେ ଏକ ବଡ଼ ମର୍ମନ୍ତୁଦ ଦୁର୍ଘଟଣାରେ ତା’ର ମୃତ୍ୟୁ ହୋଇଥିଲା, ପରନ୍ତୁ ବିକ୍ରମର କହିବାନୁସାରେ ତୋର ସେହି ଉପହାର ତାର ଶେଷ ସନ୍ତକ ଭାବରେ ତା’ ସହିତ ସେହି ଜୁଇ ନିଆଁରେ ପାଉଁଶ ହୋଇଯାଇଥିଲା ବାସ୍ତବରେ ସେ ମଧ୍ୟ ତତେ ବହୁତ ଭଲ ପାଉଥିଲା ଓ ତୋର ସେହି ଉପହାର ପାଇ ସେ ବହୁତ ଖୁସି ହେଇଯାଇଥିଲା ମାତ୍ର ତାହା ଯେ ତା ଜୀବନର ଶେଷ ଖୁସି ସେ କଥା କିଏ ଜାଣିଥିଲା ସେ ତା’ର ଭଲପାଇବାକୁ ତୋ ସମ୍ମୁଖରେ ପ୍ରକାଶ କରିବାକୁ ସୁଯୋଗ ପାଇନଥିଲା ତା’ର ମୃତ୍ୟୁ ପରେ ଆମେ ତୋ ସହ ଯୋଗାଯୋଗ କରିବାକୁ ବହୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲୁ, ମାତ୍ର ସେ ଅଶରୀର ହୋଇ ମଧ୍ୟ ତତେ ତୋ ଜନ୍ମଦିନର ଉପହାର ଦେବାପାଇଁ ସେ ମର୍ତ୍ତ୍ୟ ମଣ୍ଡଳକୁ ଓଲ୍ଲାଇ ଆସିଛି |
ଏ ସବୁକଥା ବିକ୍ରମର ମୁଁହ ରୁ ଶୁଣିବା ପରେ ମୁଁ ଅବାକ୍ ହୋଇଗଲି ଓ ମୋର ଶରୀର ଜଡ଼ପ୍ରାୟ ପାଲଟି ସାରିଥିଲା ଓ ଚତୁଃର୍ଦିଗ ମତେ ଅନ୍ଧକାର ଦେଖାଗଲା ମତେ ବିସ୍ମିତ କରିଦେଉଥିଲା ଆଉ ଏକ ଘଟଣା ଯାହା ମୁଁ ଠିକ୍ ଅନୁମାନ କରିପାରୁଥିଲି ତାହାଥିଲା ଗତକାଲିର ସିନେମା ଓ ଆଜି ମୋ ସହିତ ଘଟୁଥିବା ଘଟଣା କୌଣସି ପାର୍ଥକ୍ୟ ନଥିଲା ସେ ହିନ୍ଦୀ ସିନେମାର ଅବାସ୍ତବ କାହାଣୀ ଓ ମୋ ଜୀବନ ରେ ଘଟୁଥିବା ବାସ୍ତବିକ ଘଟଣା ମଧ୍ୟରେ ସତେ ଯେପରି ମୋ ଜୀବନର କାହାଣୀ ସିନେମାର ରୂପ ନେଇଛି ଓ ମୁଁ ଯାହାକୁ ଦର୍ଶକ ଭାବରେ ଦେଖି ଆନନ୍ଦିତ ହେଉଛି ଓ ହଜିଯାଉଛି ସେ ସିନେମା ମଧ୍ୟରେ ମୁଁ ସେତେବେଳକୁ ବାସ୍ତବିକ ଦୁନିଆ ଓ ସିନେମା ପରଦାର ଦୁନିଆ ସହ ଥିବା ସମ୍ପର୍କର ସାମଞ୍ଜସ୍ୟକୁ ଠିକ୍ ଅନୁମେୟ କରିପରୁଥାଏ ଓ ମନେମନେ ଭାବୁଥାଏ ଯେ ପ୍ରକୃତ ପ୍ରେମ ମୃତ୍ୟୁ ପରେ ମଧ୍ୟ ଅମର,ପ୍ରକୃତି ଓ ପରିସ୍ଥିତି ଶରୀରକୁ ଅଲଗା କରିପାରେ ମାତ୍ର ମନକୁ କି ଆତ୍ମାକୁ ନୁହେଁ,ବାସ୍ତବରେ ପ୍ରେମ ସର୍ବଦା ଅମର |


