Satyabati Swain

Inspirational

3  

Satyabati Swain

Inspirational

ଅମର ମରି ପାରେ

ଅମର ମରି ପାରେ

4 mins
350


ବାଜା ବାଜୁଛି । ସହର ବଜାର ଉଠୁଛି ପଡୁଛି । ଅମୁ : ଅମର ଖୋଜୁଛି ନିଜକୁ ମୃଣ୍ମୟୀ ମୂର୍ତ୍ତିରେ । ଘଣ୍ଟା ଘଣ୍ଟ, ଗୀତ, ସଙ୍ଗୀତ , ଦଶହରା ସପିଂ ମଲରେ, ଘୋ ଘୋ ଦଶହରା ଭିଡରେ । ବଜାର, ଛକ, ଗାଁ ଗଣ୍ଡା ଖୁସିର ମାହୋଲରେ । 

 

ଅମୁ ନିଶ୍ଚଳ, ମୁର୍ଦ୍ଦାର । ଆଖି ଖୋଲିବାକୁ ଯୁ ନାହିଁ । ହାତ ଗୋଡ଼ ବୋଲ ମାନୁ ନାହାନ୍ତି । ଚାରି ଆଡ଼େ ସନ୍ ସନ୍ ଅନ୍ଧାର । ଅନ୍ଧାରରେ ଦେଖୁଛି ଅମୁ.....ଅମରକୁ । 


ଶୁଭ ଶଙ୍ଖ ବାଜିଲା ମୋ ଜନ୍ମରେ । ହସ ଛୁଇଁ ଗଲା ଘର, ଖୁସି ଛାଇଗଲା ବାହାର । ସ୍ନେହ, ମମତା ଭଲ ପାଇବାରେ ବିତିଗଲା ପିଲାଦିନ । 

 

ମୁଁ ପାଠ ପଢିଲି । ବଢିଲି । ଟପର୍ ହେଲି । ମୋ ପାଇଁ ସମସ୍ତେ ଗର୍ବ ଅନୁଭବ କଲେ । ଶୁଭେଚ୍ଛା ଗଦେଇ ହୋଇ ପଡ଼ିଲା । 


ମୋତେ ଭଲ ଚାକିରୀ, ସ୍ତ୍ରୀ, ମିଳିଲା । ରକ୍ତ, ମାଂସର କଣ୍ଢେଇ ଦି ଟି ମୋ ଜୀବନକୁ ଆହୁରି ସୁନ୍ଦର କଲେ । ଆନନ୍ଦ ହିନ୍ଦୋଳାରେ ପହଁରିଲେ ମୋର ଜୀଇଁବା । । 

 

ପୁଅରୁ ବାପା...ବାପାରୁ... ଜେଜେ ହେଲି ମୁଁ । ବସା ବାନ୍ଧିବା ନିଶାରେ ଦଉଡୁ ଦଉଡୁ ପୂର୍ବର ସୂର୍ଯ୍ୟ ପଶ୍ଚିମ ଛୁଇଁଲା କେତେବେଳେ ଜଣା ପଡ଼ିଲାନି । ଅଦମ୍ୟ ନିଶା, ଶେଷହୀନ ତୃଷ୍ଣା ମୋତେ କାବୁ କରିଥିଲେ । 


ଏବେ ଆଉ କେତୁଟା ମୁହୂର୍ତ୍ତ ପରେ ବୋଧହୁଏ ଦିଗବଳୟରେ ଲୁଚିଯିବ ମୁଁ । । ସବୁଦିନ ହଜିଯିବ ମୋ ଶରୀର , ନାଁ । ଇତିହାସ କିନ୍ତୁ ହେବନି । ସମୟ ଛାତିରେ ସେମିତି କିଛି ଲେଖି ପାରିନାହିଁ । କେବଳ ମୋର ମୋର ହୋଇ ଶେଷ ହେବାକୁ ବସିଛି । । 

 

ସତରେ ମୁଁ କଣ ଥିଲି !!

ନାମଟିଏ , ଅହଂଟିଏ, ଅହଂକାରଟିଏ, ଅଭିମାନଟିଏ ତ ?


 ସବୁ ଆଲୁଅ ଲିଭି ଯାଇଛି । ମୁଁ ଏବେ ଗୋଟିଏ ଅନ୍ଧାରୀ ଗୁହାରେ । । ଥରେ ସେ ଗୁହା ପ୍ରେମରେ ପଡି ଗଲେ କୋଟି କୋଟି ମହିଷାସୁର ଗୋଟିଏ ହୋଇଗଲେ ଯେମିତି ଅସୁରଟା ହୋଇଯିବ ତାରି ହାବୁଡ଼ରେ ପଡି ଗଲା ପରି ହେବ । ପୃଥିବୀରୁ ଆକାଶ ପର୍ଯ୍ୟନ୍ତ ବ୍ୟାପ୍ତ ତାର ଅସ୍ତିତ୍ୱ ।  


ଭୁମା, ଭୂମି, ଜଳ, ସ୍ଥଳ, ସବୁଠି ତାର ରାଜୁତି । ଏଇ ମୁଁ ଟା ଚଳୁ କରିଦିଏ ବିବେକ, ଜ୍ଞାନ, ବୁଦ୍ଧି, 

ବ୍ୟକ୍ତିତ୍ୱ ବି । ମୁଁ ଗୋଟିଏ ଇଡ୍ id, ମୁଁ ଇଗୋ ego, ମୁଁ ବି ସୁପର ଇଗୋ super igo. ମୁଁ ଅମର ଅମୁ ବି ମୁଁତ୍ୱର ଦାସ । 


ମୁଁ କହିଲେ କୁଆଡେ ଆତ୍ମ ବଡ଼ିମା ବଢିଯାଏ? ଈଶ୍ୱର ରୁଷ୍ଟ ହୁଅନ୍ତି ?

 

ତେବେ ମୁଁ ବିଷୟରେ କହିବାକୁ ଗଲାବେଳେ କଣ ପରିଚୟ ଦେବି? ଏଇ ମୁଁ ଟା ବୋଧ ହୁଏ ମୋ ବାପାମାଆ ଶିଖାଇଛନ୍ତି । ଗୁଲୁରୁ ଗୁଲୁରୁ କଥା କହିଲା ବେଳେ ସେମାନେ ବୋଧହୁଏ କହିଥିବେ"କହିଲୁ.....କହିଲୁ ଧନ ତୋ ନାଁ କଣ? ହଁ କହି ଦେ ବାପା କହି ଦେ.....ଅମୁ ଅମୁ ତା ନାଁ ଅମର । 


ସେଇଠୁ ଜନ୍ମ ନେଇଥିବ ଅମର । ଏଇ ସ୍ୱତନ୍ତ୍ର ପରିଚୟଟିଏ, ନାଁଟିଏ ମିଳିଥିବ ଏକୋଇଶିଆ ଦିନ । ତାପରେ ଜାତକରେ ବି ନାମ ଥିବ । ବାର୍ଥ ସାର୍ଟିଫିକେଟ ହୋଇଥିବ ମୁଁ ନାମର ପ୍ରମାଣ ପତ୍ର । ସ୍କୁଲରେ ନାମ ଲେଖା ହୋଇଥିବଏବଂ ଠୋସ ପ୍ରମାଣ ପତ୍ର ମିଳିଥିବ ମେଟ୍ରିକ ପାସ ସାର୍ଟିଫିକେଟରୁ । 

 

ମୁଁ ଟା ଏଇ ଅମୁ ଟା କେତେବେଳେ ପିଲାରୁ ବଡ ହୋଇ ଗୋଟିଏ ବ୍ୟକ୍ତିତ୍ୱ ପାଲଟି ଯାଇଥିବ ସମାଜରେ । 


ଭଲ ବା ଖରାପ ଚରିତ୍ର ଟିଏ ହୋଇ ମୁଁ ବୁଲିଥିବ ଚାରିଆଡ଼ । 


ତାପରେ ଭୋଟର ଆଇଡି, ଆଧାରକୁ ସଭିଏଁ ବେଶୀ ଚିହ୍ନିବେ ମୁଁର ଶରୀର, ଚେହେରା ଅପେକ୍ଷା । 


ବାସ୍!! ମୁଁ ମାନେ ଅମର , ଅମୁ ହୋଇଥିବ ଭାରତର ଗୋଟିଏ ନାଗରିକ । 

...ଏଥର ସୃଷ୍ଟି ହୋଇଗଲା ଅମରର ପରମାନେଟ୍ ପରିଚୟ । ଅମର ସ୍ୱାଇଁ, ଅମରବାବୁ , ଅମର ଭାଇ, ଦାଦା, ମାମୁଁ, ବନ୍ଧୁ, ପତିଜ୍ୱାଇଁ, ବାପା, ଜେଜେ । ଏବଂ ଶେଷରେ ବୁଢାଟା । 

   

ଏଇ ମୁଁ ପୁଅ ଅମର(ଅମୁ) ଶୋଉଥିଲା ପୁଳା ପୁଳା ସେହ୍ନ, ଆଦର, ମମତା ଗଦିରେ । ବସୁଥିଲା ହୃଦୟ ଗାଦିରେ । ମାଗିଲେ ଚାନ୍ଦ ଆଣିଦେବାର ମନପୁରା ମିଛ ହେଉ ପଛେ ପ୍ରତିଶୃତି ମିଳୁଥିଲା । 


ଛାତ୍ର ଅମରକୁ ମିଳୁଥିଲା ସାର୍ ମାଡାମଙ୍କ ଅକୁଣ୍ଠିତ ଭଲ ପାଇବା । ବଡ଼ ହେବାର ସ୍ୱପ୍ନ ବିଛୁଡ଼ି ପଡୁଥିଲା ମନ ଅଗନ ଗଗନ ଛାଇ । 

 

ବାବୁ ଅମରକୁ ମିଳୁଥିଲା ପାହାଡ଼ ପାହାଡ଼ ସମ୍ମାନ । ଗୋଟେ ବିଶେଷ ଖାତିର ଥିଲା ମୋର । ଶହ ଶହ ମୁଣ୍ଡ ନୋଉଁଥିଲା ମୋ ଆଗେ । ସୁଟ୍, ବୁଟ୍ ଟାଇରେ ଚମତ୍କାର ବ୍ୟକ୍ତିତ୍ୱଟିଏ ଥିଲି ମୁଁ । ଆଗଧାଡ଼ିର ଜଣେ ନାଁ କରା ମାନ୍ୟଗଣ୍ୟ ମଣିଷ । ସମାଜର ପ୍ରତିଷ୍ଠିତ ବ୍ୟକ୍ତି । ଏଠି ଦୌଡ଼ିବା ଥିଲା ଅବିଶ୍ରାନ୍ତ । 


ବନ୍ଧୁ ମୁଁ ଅମରକୁ ମିଳୁଥିଲା ଅମାପ ଅନାବିଳ ଆତ୍ମୀୟତା । ଆଇ ଲଭ ୟୁ ପ୍ରତିବଦଳରେ ଆଇ ଲଭ ୟୁ ଠୁ ଉ ଉ ଉ । ନାହିଁ ନଥିବା ଅନ୍ତରଙ୍ଗତା, ସହଭାଗୀତା । ଖୁସି ଝରୁଥିଲା ବନ୍ଧୁ ଗହଣରେ । 


ପତି ଭିତରେ ପତ୍ନୀ ପ୍ରତି ବିଶ୍ୱସ୍ତ ଭରସାର ନିଧଡକ ଆଶ୍ରୟ ସ୍ଥଳ ଥିଲି । । ଏକ ପତ୍ନୀ ବ୍ରତର ଭୀଷ୍ମ ଶପଥ ବି । ସଂସାର ସଉଦା, ଦୁନିଆଁ ସଉଦା ଭିତରେ ଜୀବନ ବାଇକରେ ଦୁଇଟି ଚକରୁ ପଛ ଚକ ପରି । ସବୁ ଭାର ପଛ ଚକ ପରେ ପଡେନା । ଦାମ୍ପତ୍ୟ ପ୍ରତି ଚିର ଅନୁଗତ ସୁନ୍ଦର ପୁରୁଷ ଅମର । ସ୍ତ୍ରୀର ପ୍ରଥମ ଓ ଶ୍ରେଷ୍ଠ ପୁରୁଷ । ଏଇ ଜୀବନରେ ସ୍ୱପ୍ନ ଥିଲା ଯଥେଷ୍ଟ । ବିଭୋର ପଣ ଥିଲା ଅମାପ । ଝୁମିବା ଥିଲା କଳନ । 


ବାପା ଭାବେ ଥିଲି ଏ ପୃଥିବୀର ଅଦ୍ୱିତୀୟ ସବୁଠୁ ଭଲ ବାପା । ପିଲାମାନଙ୍କ ଶେହ୍ନ, ଶରଧାର ହିମାଳୟ । ପିଲାମାନଙ୍କ ସମସ୍ତ ଚାହିଁବା ଚିଜ ମିଳୁଥିବା, ନିର୍ଭରଯୋଗ୍ୟ, ନିଶ୍ଚିନ୍ତ ଠିକଣା । 

ପିଲାଥିଲେ ଅମୂଲ୍ୟ ସମ୍ପଦ । । ପିଲାମାନେ ଭଲ ପଢନ୍ତୁ, ଭଲ ଖଆନ୍ତୁ, ଭଲ ପିନ୍ଧନ୍ତୁ, ଭଲ ମଣିଷ ହୁଅନ୍ତୁ ନିଶାଟା ଜଗଡ଼ି ଧରିଥିଲା ଏ ବାପା ମୁଁ ଟିକୁ । ।   


ବୁଢା ମୁଁ ଅମରଟା ଥିଲା ଦୟାର, ଅନୁଗ୍ରହର ସବୁ ପରିଚୟ ହଜାଇ ବୁ..ଢା..ଟା ମଧ୍ୟରେ ବନ୍ଦୀ ହୋଇଥିବା ଅସହାୟ ଅଭିମନ୍ୟୁ । 


ଶେଷରେ ମୁଁ ବୁଢା ଅମର ଏବେ ଶଯ୍ୟାଶାୟୀ ଘୁଅ, ମୁତରେ ଘାଣ୍ଟି ହେଉଥିବା ଆହା .....ଚୁ ଚୁ......ଶବ୍ଦ ମାନଙ୍କର ସାଥି,  କରୁଣାର ପାତ୍ରୀ!କେହି ନ ଚାହୁଁଥିବା ଟିକେ ପବନ!ଅଚଳି ପାଞ୍ଚ ଶହ ନୋଟ୍ । 


ବୋଧହୁଏ ମୁଁ ଅମରଟିର ଶେଷ ପରିଚୟ ଶ....ବ! ମଢା ବା ମୂର୍ଦ୍ଦାର!!


ଭସାଣି ହେଉଛି ଦଶହରାର । ମୃଣ୍ମୟୀ ମୂର୍ତ୍ତି ଯାଉଛନ୍ତି ବାଜା, ବାଣ, ରୋଷଣୀ ପଟୁଆରରେ ବିସର୍ଜନ ପାଇଁ । 


ବୁଢାଟା ଚାଲିଗଲା । ଅମର ମରିଗଲା ! ଅମର ମରି ପାରେ !!


ମୁଁ ଅମର ଖୋଜୁଛି ମୁଁ କୁ ଛଅଖଣ୍ଡ କୋକେଇରେ; ମୁଁ କୁ ସବୁ ଦିନ ଭସାଣି ଦେବାକୁ କିନ୍ତୁ ତତ୍ପର ଆତ୍ମୀୟ ସୋଦର ମଶାଣୀର ଖଜୁରୀ ଗଛ ମୂଳେ । 



Rate this content
Log in

Similar oriya story from Inspirational