STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଅମର ଗାଥା ମହାସତୀ ସାବିତ୍ରୀ

ଅମର ଗାଥା ମହାସତୀ ସାବିତ୍ରୀ

6 mins
417


ଜ୍ୟେଷ୍ଠ ଅମାବାସ୍ୟା ତିଥିରେ ପାଳିତହୁଏ ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି ସଧବା ସ୍ତ୍ରୀଲୋକ ମାନେ ଏହି ବ୍ରତ ପାଳନ କରିଥାନ୍ତି । ଏହି ବ୍ରତ ପଛରେ ମହର୍ଷି ବ୍ୟାସକୃତ ସଂସ୍କୃତ ମହାଭାରତରେ ଏକ ଅତି ସୁନ୍ଦର ବଳିଷ୍ଠ କାହାଣୀ ରହିଛି । ଏହି କାହାଣୀ ଭିତରେ ଲୁଚି ରହିଥିବା ଦାର୍ଶନିକ ତତ୍ତ୍ୱକୁ ମହାଯୋଗୀ ସନ୍ଥ ଶ୍ରୀ ଅରବିନ୍ଦ ଉପସ୍ଥାପନ କରିଛନ୍ତି ତାଙ୍କର ସାବିତ୍ରୀ ମହା କାବ୍ୟରେ ।


ଏହି ରୋଚକ କାହାଣୀ ମହାଭାରତରେ ମହର୍ଷି ଵୈସମ୍ପାୟାନ ଉବାଚରେ ବନପର୍ବ ସପ୍ତମ ସ୍କନ୍ଧ 293 ରୁ 299 ଅଧ୍ୟାୟରେ ପତିବ୍ରତା ମାହାତ୍ମ୍ୟ ଭାବେ ବର୍ଣ୍ଣିତ ହୋଇଛି । ଏହା ସେହି ସମୟର କଥା ଯେତେବେଳେ ପାଣ୍ଡଵମାନେ କପଟ ପଶା ଖେଳରେ ପରାଜିତ ତଥା ରାଜ୍ୟହରା ହୋଇ ବନ ବାସୀ ହୋଇଥାନ୍ତି । ଧର୍ମରାଜ ଯୁଧିଷ୍ଠିର ମହାମୁନି ମାର୍କଣ୍ଡେୟଙ୍କୁ ପ୍ରଶ୍ନ କରିଥିଲେ କଣ ଏ ଦୁନିଆରେ ଦ୍ରୌପଦୀଙ୍କ ଭଳି ଆଉ କୌଣସି ପତିବ୍ରତା ତଥା ତ୍ୟାଗପୁତା ନାରୀ ଅଛନ୍ତି,ଯଦି ଜାଣିଥାନ୍ତି ତେବେ ମୋତେ କୁହନ୍ତୁ ? ଧର୍ମରାଜଙ୍କର ଏହି ପ୍ରଶ୍ନ ଶୁଣି ମାର୍କଣ୍ଡେୟ ମୁନି କହିଲେ ହଁ ଏଭଳି ଜଣେ ନାରୀ ଅଛନ୍ତି ତାଙ୍କ ବିଷୟରେ କହୁଛି ଧ୍ୟାନ ସହକାରେ ଶୁଣ । ସେ କଥା ଆରମ୍ଭ କଲେ :-


ପୂର୍ବେ ମହାସତୀ ସାବିତ୍ରୀ ତାଙ୍କର ପତିବ୍ରତା ଧର୍ମ ବଳରେ ଯମରାଜଙ୍କ ଠାରୁ ନିଜ ସ୍ୱାମୀଙ୍କ ଜୀବନ ଫେରାଇ ଆଣି ପାରିଥିଲେ । ସାବିତ୍ରୀ ଥିଲେ ମଦ୍ର ଦେଶର ରାଜା ଅଶ୍ୱପତିଙ୍କ କନ୍ୟା । ମଦ୍ର ନରେଶ ମାଆ ସାବିତ୍ରୀଙ୍କ କୃପାରୁ କନ୍ୟାଟି ପାଇ ଥିବାରୁ ନାମ ରଖିଥିଲେ ସାବିତ୍ରୀ । ସେହି କନ୍ୟା ବିବାହ ଯୋଗ୍ୟା ହେବା ବେଳକୁ ମହାରାଜ ତା'ର ବିବାହ ପାଇଁ ବହୁଚିନ୍ତିତ ହୋଇପଡ଼ିଲେ । ସାବିତ୍ରୀଙ୍କୁ ସେ କହିଲେ,ତୁ ବିବାହ ଯୋଗ୍ୟା ହୋଇଗଲୁଣି,ଏଣୁ ନିଜ ପାଇଁ ଯୋଗ୍ୟ ବରଟିଏ ଖୋଜି ନେ,କାରଣ ଶାସ୍ତ୍ରର ମାନ୍ୟତା,କନ୍ୟା ବିବାହ ଯୋଗ୍ୟା ହୋଇ ଗଲା ପରେ ଯେଉଁ ପିତା କନ୍ୟା ବିବାହ କରାନ୍ତି ନାହିଁ ସେ ପିତା ନିନ୍ଦନୀୟ ଅଟନ୍ତି । ଋତୁକାଳରେ ଯେଉଁ ସ୍ୱାମୀ ସ୍ତ୍ରୀ ସହବାସ କରିଥାନ୍ତି ସେ ସ୍ୱାମୀ ନିନ୍ଦାର ପାତ୍ର ଅଟନ୍ତି । ସେହିଭଳି ପିତାଙ୍କ ମୃତ୍ୟୁ ପରେ ଯେଉଁ ବ୍ୟକ୍ତି ବିଧବା ମା'ର ଅନାଦାର କରି ଥାଏ,ସେହି ପୁତ୍ର ମଧ୍ୟ ନିନ୍ଦନୀୟ ।


ପିତାଙ୍କଠାରୁ ଏହା ଶୁଣିବା ପରେ କନ୍ୟା ସାବିତ୍ରୀ ତୁରନ୍ତ ବରପାତ୍ର ସନ୍ଧାନରେ ବାହାରି ପଡିଲେ । ମଦ୍ର ନରେଶ ସବାରୀରେ ସାବିତ୍ରୀଙ୍କୁ ତାଙ୍କ ବୃଦ୍ଧ ମନ୍ତ୍ରୀଙ୍କ ସହ ପଠାଇ ଦେଲେ । ରାଜର୍ଷି ଦ୍ୟୁମତ ସେନଙ୍କ ରମଣୀୟ ତପୋବନ ମଧ୍ୟରେ ସାବିତ୍ରୀ କିଛିଦିନ ବରପାତ୍ର ସନ୍ଧାନରେ ବୁଲିଲେ । ଏକଦା ମଦ୍ର ନରେଶ ରାଜ ସଭାରେ ଦେବର୍ଷି ନାରଦଙ୍କ ସହ କଥାହେଉଥିଲେ ।ସେହି ସମୟରେ ମନ୍ତ୍ରୀଙ୍କ ସହ ସାବିତ୍ରୀ ସେହି ବାଟ ଦେଇ ରାଜଉଆସକୁ ପ୍ରତ୍ୟାବର୍ତ୍ତନ କଲେ । ରାଜକୁମାରୀ ସାବିତ୍ରୀଙ୍କୁ ଦେଖି ଦେବର୍ଷି ରାଜାଙ୍କୁ ତାଙ୍କ ବାହ୍ୟ ଭ୍ରମଣର ଅଭିପ୍ରାୟ ଜିଜ୍ଞାସା କଲେ, ରାଜା କହିଲେ ସେ ନିଜପାଇଁ ବରପାତ୍ରର ସନ୍ଧାନରେ ଯାଇଥିଲେ । ରାଜା,ସାବିତ୍ରୀ ଫେରି ଆସିଛନ୍ତି ଏକଥା ଜାଣି ତାଙ୍କୁ ରାଜ ଦରବାରକୁ ଡକାଇଲେ ଓ ବରପାତ୍ର ନିର୍ବାଚନ ବିଷୟରେ ପଚାରିଲେ । ଏହାର ଉତ୍ତର ଦେଇ ସାବିତ୍ରୀ କହିଲେ,ସେ ଶାଲ୍ଵଦେଶ ରାଜାଙ୍କ ପୁତ୍ର ସତ୍ୟବାନ,ଯିଏ ଜଙ୍ଗଲରେ ଲାଳନ ପାଳନ ହୋଇଛନ୍ତି,ତାଙ୍କୁ ହିଁ ସ୍ୱାମୀ ରୂପେ ନିର୍ବାଚନ କରି ଛନ୍ତି ।


ରାଜକୁମାରୀଙ୍କ ଠାରୁ ଏହା ଶୁଣି ଦେବର୍ଷି ନାରଦ କହିଲେ, ରାଜନ ! ଏହା ବହୁତ ଦୁର୍ଭାଗ୍ୟ ଜନକ ଓ ଦୁଃଖଦାୟୀ । ସାବିତ୍ରୀ ଯେଉଁ ବରକୁ ଚୟନ କରିଛନ୍ତି ସେ ସ୍ୱଳ୍ପାୟୁ । ତାଙ୍କର ପରମାୟୁ ଆଜି ଠାରୁ ମାତ୍ର ଏକ ବର୍ଷ ଅଛି । ଏପରି ଏକ ସ୍ୱଳ୍ପାୟୁ ବର ସହ ରାଜକୁମାରୀଙ୍କ ବିବାହ ଅନୁଚିତ । ଏ କଥା କହି ଦେବର୍ଷି ପ୍ରସ୍ଥାନ କଲେ ।

ସାବିତ୍ରୀ ରାଜାଙ୍କୁ କହିଲେ,ପିତା,ଯେପରି ଥରେ ମାତ୍ର କନ୍ୟାଦାନ କରିଥାନ୍ତି, ଠିକ ସେହିଭଳି ସେ ତାଙ୍କର ବରପାତ୍ର ନିର୍ବାଚନ କରି ସାରିଛନ୍ତି ଏବଂ ସେ ସତ୍ୟବାନଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ । ଅନୋନ୍ୟପାୟ ହୋଇ ସତ୍ୟବାନଙ୍କ ସହ ପୂର୍ଣ୍ଣ ମର୍ଯ୍ୟାଦା ଏବଂ ସମ୍ପୂର୍ଣ ବୈଦିକ ରୀତିରେ ରାଜା ସାବିତ୍ରୀଙ୍କ ବିବାହ କରାଇ ଦେଲେ ।


ବିବାହପରେ ସତ୍ୟବାନ ସାବିତ୍ରୀଙ୍କର ହସଖୁସିର ଜୀବନ ବିତି ଚାଲିଥିଲା ଏବଂ ଦେବର୍ଷି ନାରଦଙ୍କ କହିବା ଅନୁଯାୟୀ ସତ୍ୟବାନଙ୍କ ମୃତ୍ୟୁର ଦିବସ ମଧ୍ୟ ନିକଟ ବର୍ତ୍ତୀ ହେଉଥିଲା । ଦିନ ପରେ ଦିନ ଗଣି ଚାଲିଥାନ୍ତି ସାବିତ୍ରୀ । ସତ୍ୟବାନଙ୍କ ମୃତ୍ୟୁକୁ ଆଉ ମାତ୍ର ଚାରିଦିନ ବାକି ଥାଏ, ସାବିତ୍ରୀ ତିନି ଦିନର ବ୍ରତ ପାଳନ କଲେ । ଜଙ୍ଗଲରୁ ସେମାନେ କାଠ କାଟି ଜୀବିକା ନିର୍ବାହ କରୁଥାନ୍ତି । ଅନ୍ତିମ ଦିନ ଯେତେବେଳେ ସତ୍ୟବାନ ଜଙ୍ଗଲକୁ କାଠ କାଟିବାକୁ ଗଲେ ସାବିତ୍ରୀ ତାଙ୍କ ସହ ବାହାରିଲେ ଯିବା ପାଇଁ । ଜଙ୍ଗଲରେ ଯାତ୍ରା ଅତ୍ୟନ୍ତ କଠିନ ଓ ବିପଦପୂର୍ଣ୍ଣ । ଏଣୁ ସତ୍ୟବାନ ସାବିତ୍ରୀଙ୍କୁ ବାରଣ କଲେ । ମାତ୍ର ସାବିତ୍ରୀ ତାଙ୍କ କଥା ନ ମାନି ତାଙ୍କ ସହ ଜଙ୍ଗଲକୁ ଗଲେ । ସେ ଯେ ଅଳ୍ପାୟୁ ଏବଂ ତାଙ୍କର ମୃତ୍ୟୁ ଆସି ସନ୍ନିକଟ ହୋଇଛି,ଏକଥା କେବଳ ସାବିତ୍ରୀଙ୍କୁ ଜଣା ଥିଲା ।


ସତ୍ୟବାନ କାଠ ହାଣୁଥାନ୍ତି,ହଠାତ ତାଙ୍କ ଦେହ ଅବଶ ହୋଇପଡ଼ିଲା । ମୁଣ୍ଡ ଘୁରାଇ ଦେଉଥାଏ । ଦେହ ଖୁବ ଦୁର୍ବଳ ଲାଗୁଥାଏ, ବସିବାର ଶକ୍ତି ନ ଥାଏ । ସେ ସାବିତ୍ରୀଙ୍କୁ କହିଲେ,ପ୍ରିୟେ ! ଦେହଟା କିପରି ଲାଗୁଛି, ମୋର ଭାରି ଶୋଇବାକୁ ଇଚ୍ଛା ହେଉଛି । ବିଚଳିତ ହୋଇ ସାବିତ୍ରୀ ସତ୍ୟବାନଙ୍କ ମସ୍ତକକୁ ନିଜ କୋଳରେ ରଖିଲେ । ସତ୍ୟବାନ ଝାଉଁଳି ପଡ଼ିଥାନ୍ତି ସାବିତ୍ରୀଙ୍କ କୋଳରେ । ମୃଦୁ ହସ୍ତ ଚାଳନାରେ ସାବିତ୍ରୀ ସତ୍ୟବାନଙ୍କ କପାଳକୁ ଆଉଁସି ଦେଉଥାନ୍ତି । ଏହି ସମୟରେ ସେଠାରେ ଉପସ୍ଥିତ ହେଲେ ମୃତ୍ୟୁ ଦେବତା ଯମ ।ଯମରାଜ ସତ୍ୟବାନଙ୍କ ପିଣ୍ଡରୁ ପ୍ରାଣ ବାହାର କରି ଚର୍ମରଜ୍ଜୁ ଦ୍ୱାରା ବନ୍ଧନକଲେ ଓ ଦକ୍ଷୀଣ ଦିଗ ଯମଲୋକ ଅଭିମୁଖେ ଅଗ୍ରସର ହେଲେ ।


ଯମରାଜଙ୍କୁ ସାବିତ୍ରୀ, ସ୍ବାମୀ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେବା ପାଇଁ ବାରମ୍ବାର ଅନୁନୟ କରୁ ଥାନ୍ତି । ଯମରାଜ ଏଥିରେ ନିଜ ଅକ୍ଷମତା ପ୍ରକାଶ କରନ୍ତେ, ସାବିତ୍ରୀ ତାଙ୍କୁ ଅନୁସରଣ କରିବାକୁ ଲାଗିଲେ । ଯମରାଜ ଏଥିରୁ ତାଙ୍କୁ ନିବୃତ କରି କହିଲେ,କଲ୍ୟାଣୀ, ତୁମ୍ଭେ ଫେରିଯାଅ । ସ୍ୱାମୀଙ୍କ ଜୀବନ ବଦଳରେ ଇଛା କର ତ ଅନ୍ୟ କିଛି ବର ମାଗିପାର ।


 ସତ୍ୟବାନଙ୍କର ପିତା ତଥା ସାବିତ୍ରୀଙ୍କ ଶ୍ୱଶୁର ରାଜା ଦ୍ୟୁମତସେନ ଥିଲେ ଚକ୍ଷୁହୀନ । ସେ ଶତ୍ରୁ ମାନଙ୍କ ଦ୍ୱାରା ରାଜ୍ୟରୁ ବିତାଡ଼ିତ ହୋଇ ଥିଲେ ଏବଂ ଅରଣ୍ୟରେ ବାସ କରୁଥିଲେ । ଯମରାଜଙ୍କ ଠାରୁ ଏ ଆଶାପୂର୍ଣ ବାକ୍ୟ ଶୁଣି ଦେବୀ ସାବିତ୍ରୀ ବର ସ୍ୱରୂପେ ଶ୍ଵଶୁରଙ୍କ ଚକ୍ଷୁଦାନ,ତାଙ୍କ ହରାଇ ଥିବା ରାଜ୍ୟ ପ୍ରାପ୍ତି ଓ ନିଜ ପିତାଙ୍କ ପାଇଁ ଏକଶତ ପୁତ୍ର ପ୍ରାପ୍ତିର ବର ମାଗିଲେ । ଯମରାଜ ତଥାସ୍ତୁ ! କହି ଆଗେଇ ଚାଲିଲେ ।


କିଛି ସମୟପରେ ଯମରାଜ ଦେଖିଲେ ସାବିତ୍ରୀ ତାଙ୍କୁ ପୁଣି ଅନୁସରଣ କରୁଛନ୍ତି । ଯମରାଜ ବୁଲି ପଡ଼ି ପୁଣି ତାଙ୍କୁ ବାରଣ କରି କହିଲେ,କଲ୍ୟାଣୀ ଏବେ ଫେରିଯାଅ । ଚାହୁଁଛ ତ ଆଉ ଏକ ଶେଷ ବର ମାଗି ନିଅ । ସାବିତ୍ରୀ ଏତିକିବେଳେ ଅତ୍ୟନ୍ତ ଚତୁରତାର ସହିତ ବରଟିଏ ମାଗିଲେ । ଯମଙ୍କୁ ସେ ବର ପ୍ରାର୍ଥନା କରି କହିଲେ,"ହେ ଧର୍ମରାଜ ! ମୋତେ ଏହି ଶେଷ ବରଟିଏ ଦିଅନ୍ତୁ,ଯେପରି ମୁଁ ଶତ ଯଶସ୍ବୀ ପୁତ୍ରର ଜନନୀ ହେବି ।" ସାବିତ୍ରୀ ତାଙ୍କ ପଛ ନଛାଡୁ ଥିବାରୁ ଯମରାଜ ଅତି ବିବ୍ରତ ହୋଇପଡ଼ି ଥିଲେ । ସେ ଆଗପଛ ବିଚାର ନକରି ତୁରନ୍ତ କହିଦେଲେ ତଥାସ୍ତୁ !


ସାବିତ୍ରୀ ଆଉ କାଳ ବିଳମ୍ବ ନକରି ଯମରାଜଙ୍କୁ କହିଲେ, ଧର୍ମରାଜ ! ଆପଣ ଏବେ ବଚନ ବଦ୍ଧ ଏଣୁ ମୋର ସ୍ୱାମୀଙ୍କୁ ଜୀବନ ଫେରାଇ ଦିଅନ୍ତୁ । ଯମରାଜ କହିଲେ ଏହା କେମିତି? ସାବିତ୍ରୀ ତାଙ୍କୁ କହିଲେ, ହେ ଧର୍ମରାଜ ! ଆପଣ ମୋତେ ଶହେ ପୁତ୍ରର ଜନନୀ ହେବାପାଇଁ ବର ଦେଇସାରିଛନ୍ତି, ଏବେ କୁହନ୍ତୁ ସ୍ୱାମୀଙ୍କ ବିନା ମୁଁ କିପରି ଶତପୁତ୍ର ଜନନୀ ହେବି? ଏଣୁ ପରୋକ୍ଷରେ ଆପଣ ମୋ ସ୍ୱାମୀଙ୍କ ପ୍ରାଣ ଫେରାଇ ଦେବାପାଇଁ ବର ଦେଇ  ସାରିଛନ୍ତି । ସାବିତ୍ରୀ ଯମଙ୍କୁ ବର ମାଗିବା ପୂର୍ବରୁ ସତ୍ୟ କରାଇ ନେଇ କହିଥିଲେ :-

     ସନ୍ତୋହି ସତ୍ୟେନ ନୟନ୍ତି ସୂର୍ଯ୍ୟ ।

     ସନ୍ତୋ ଭୂମିଂ ତପସା ଧାରୟନ୍ତି ।।

     ସନ୍ତୋ ଗତିର୍ଭୁତଭବ୍ୟସ୍ୟ ରାଜନ୍ ।

     ସନ୍ତାଙ୍ଗ ମଧ୍ୟେନାଵସୀଦନ୍ତି ସନ୍ତହଃ ।।

ସାବିତ୍ରୀଙ୍କ କଥା ଯେ ଯୁକ୍ତି ଯୁକ୍ତ ତାହା ବୁଝିବାକୁ ଯମଙ୍କୁ ଆଉ ବାକି ରହିଲା ନାହିଁ । ଡେରି ନକରି ସେ ତୁରନ୍ତ ସତ୍ୟବାନଙ୍କ ପ୍ରାଣ ଫେରାଇ ଦେଇ ଯମ ଲୋକ ଦିଗରେ ପ୍ରସ୍ଥାନ କଲେ ।


 କଥା ଶେଷ କରି ମାର୍କଣ୍ଡେୟ ମୁନି ଯୁଧିଷ୍ଠିରଙ୍କୁ କହିଲେ,ଏହିପରି ସାବିତ୍ରୀ ନିଜର ପତିବ୍ରତା ଧର୍ମ ଯୋଗୁଁ ନିଜର ପିତା ଓ ଶ୍ୱଶୁର, ଦୁଇ କୁଳର ହିତ ସାଧନ କରିବା ସହ ନିଜ ପତିଙ୍କ ଜୀବନ ଫେରି ପାଇବା ପାଇଁ କ୍ଷମ ହୋଇଥିଲେ । ସେ ମହାସତୀ ସାବିତ୍ରୀର ଆଖ୍ୟା ପାଇଛନ୍ତି ।

ମହର୍ଷି ଵୈସମ୍ପାୟନ ମହାଭାରତର ଏହି କଥାକୁ ଉପସ୍ଥାପନ କରି କହିଲେ,ଏହି ପ୍ରକାରେ ମହର୍ଷି ମାର୍କଣ୍ଡେୟ ଧର୍ମରାଜ ଯୁଧିଷ୍ଠିରଙ୍କୁ ବୁଝାଇ ଦେଲା ପରେ ସେ ଶୋକ ସନ୍ତାପ ରହିତ ହୋଇ କାମ୍ୟକ ଅରଣ୍ୟରେ ନିବାସ କଲେ । ଯିଏ ପରମ ପାବନ ଏହି ସାବିତ୍ରୀ ଚରିତକୁ ଶ୍ରଦ୍ଧାପୂର୍ବକ ଶ୍ରବଣକରିବ ତାହାର ସମସ୍ତ ମନୋରଥ ପୂରଣ ହୋଇ ସୁଖ ଶାନ୍ତିରେ କାଳାତିପାତ କରିବ ।


ମହାଭାରତର ଏହି ସାବିତ୍ରୀ ଚରିତ କଥାବସ୍ତୁରୁ ଆରମ୍ଭ ହୋଇଛି ସାବିତ୍ରୀ ବ୍ରତ । ସଧବା ନାରୀ ମାନେ ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା କରି ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି ।ଏହା କେବଳ ଓଡ଼ିଶା ବା ଭାରତରେ ସୀମିତ ନୁହେଁ । ନେପାଳରେ ମଧ୍ୟ ଏହା ପାଳିତ ହୋଇଥାଏ । ବିଭିନ୍ନ ପୁରାଣ ଏବଂ ବ୍ରତ କଥାରେ ଏହି ବ୍ରତ ପାଳନର ନିର୍ଦ୍ଦିଷ୍ଟ ବିଧି ରହିଛି ।

ବ୍ରହ୍ମବୈବର୍ତ୍ତ ପୁରାଣର ପ୍ରକୃତିଖଣ୍ଡର ଦଶଗୋଟି ଅଧ୍ୟାୟରେ ଏହି ସାବିତ୍ରୀଚରିତ ବର୍ଣ୍ଣିତ ହୋଇଛି । ନାରଦ ଓ ନାରାୟଣଙ୍କ କଥୋପକଥନ ମଧ୍ୟରେ ଏହା ବର୍ଣ୍ଣିତ । ଉପାଖ୍ୟାନର ଆରମ୍ଭରେ ନାରଦ ନାରାୟଣଙ୍କୁ କହିଛନ୍ତି, ହେ ପ୍ରଭୁ! ଯେଉଁ ସାବିତ୍ରୀ ଚାରିବେଦଙ୍କର ମାତା ବୋଲି ପୁରାଣରେ ପ୍ରମାଣ ଅଛି,ତାଙ୍କର ବୃତ୍ତାନ୍ତ ମୁଁ ଶୁଣିବି । ସେ ବେଦମାତା କିପରି ପୃଥିବୀରେ ଜାତ ହେଲେ ଏବଂ ପ୍ରଥମେ ତାଙ୍କୁ କିଏ ପୂଜା କଲେ, ତାହା ମୋତେ କୁହନ୍ତୁ ।

ତାହାର ଉତ୍ତରରେ ନାରାୟଣ କହିଛନ୍ତି, ସେହି ବେଦମାତାଙ୍କୁ ବ୍ରହ୍ମା ପ୍ରଥମେ ପୂଜା କଲେ,ପରେ ଦେବଗଣ ଓ ପଣ୍ଡିତମାନେ । ତା’ପରେ ଅଶ୍ୱପତି ପୃଥିବୀରେ ଏବଂ ତାଙ୍କପରେ ଚତୁବର୍ଣ୍ଣ । ସାବିତ୍ରୀ ବ୍ରତର ବର୍ଣ୍ଣିତା ଦେବୀ ଅଶ୍ୱପତିଙ୍କର କନ୍ୟା ବା ସତ୍ୟବାନଙ୍କର ପତ୍ନୀ ନୁହନ୍ତି, ସେ ବେଦମାତା । ସେ ସୂର୍ଯ୍ୟମଣ୍ଡଳର ଦେବୀ,ବେଦମାତା ଗାୟତ୍ରୀ ଙ୍କ ଦ୍ୱିପ୍ରହର କାଳୀନ ଧ୍ୟେୟ ରୂପ । ସେଥି ପାଇଁ ତାଙ୍କ ପୂଜା ମଧ୍ୟାହ୍ନ କାଳରେ ହୋଇଥାଏ । ରାଜା ଅଶ୍ୱପତି ତାଙ୍କୁହିଁ ଉପାସନା କରି,ତାଙ୍କ ଅଂଶରେ ସାବିତ୍ରୀଙ୍କୁ କନ୍ୟା ରୂପେ ପାଇଥିଲେ । ଦେବୀଙ୍କ ବର୍ଣ୍ଣନା କରି ବ୍ରହ୍ମବୈବର୍ତ୍ତ ପୁରାଣରେ କୁହା ଯାଇଛି :-

ସୂର୍ଯ୍ୟ ଅଧିଦେବୀ ଆଉ ମନ୍ତ୍ର ଅଧିଷ୍ଠାତ୍ରୀ ।

ଏହେତୁ ସାବିତ୍ରୀ ନାମ ଅଟେ ବେଦକର୍ତ୍ତ୍ରୀ ।।

ସାବିତ୍ରୀ ବ୍ରତ କଥାରେ ଦୁଇ ସାବିତ୍ରୀଙ୍କ ମଧ୍ୟରେ ଜଣେ ହେଉଛନ୍ତି ଦେବୀ ଓ ଆଉଜଣେ ମାନବୀ ।

ହେଲେ ଦୁଇଜଣ ଯାକ ସେହି ବେଦମାତା । ବ୍ରହ୍ମ ବୈବର୍ତ୍ତ ପୁରାଣରେ ସାବିତ୍ରୀକୃତ ଏବଂ ଧର୍ମରାଜ ଯମଙ୍କୁ ନିବେଦିତ ଏକ ଅଷ୍ଟକ ଦେଖିବାକୁ ମିଳି ଥାଏ । ସେହି ଅଷ୍ଟକର ଶେଷ ପଦରେ ସାବିତ୍ରୀ କହିଛନ୍ତି :-

        ମହାପାପୀ ଯଦି ପଠେନ୍ନିତ୍ୟଂ

          ସାବିତ୍ରୀ କୃତ ଅଷ୍ଟକମ୍ ।

        ଭକ୍ତ୍ୟ। ଭାବେ ଭୋ ନାରଦ

        ୟମଃ କରୋତି ତଂ ଶୁଦ୍ଧଙ୍ଗ

        କାୟ ବ୍ୟୁହେନ ନିଶ୍ଚିତମ୍ ।।

        

        !!! ଜୟ ମାଆ ସାବିତ୍ରୀ !!!

              


Rate this content
Log in

Similar oriya story from Inspirational